ସୂର୍ଯ୍ୟମଣି ମିଶ୍ର
ଆମେରିକାର ପ୍ରସିଦ୍ଧ ଥିଙ୍କଟ୍ୟାଙ୍କ ୟୁ ରିସର୍ଚ୍ଚ ପକ୍ଷରୁ ନିକଟରେ ଗୋଟିଏ ବିଷୟ ଉପରେ ଅନୁସନ୍ଧାନ କରାଯାଇଥିଲା। ଏହା ଥିଲା ଭାରତ ଏବଂ ଚୀନ ଉପରେ ବିଶେଷ ଭାବେ କେନ୍ଦ୍ରିତ। ବିଶ୍ୱବ୍ୟାଙ୍କ ୨୦୨୦ ଏବଂ ୨୧ରେ ଚୀନ୍ ଓ ଭାରତର ଜିଡିପିର ସମ୍ଭାବ୍ୟ ଆକଳନ କରି କହିଛି ଯେ, ମୋଟାମୋଟି ଭାବରେ ଏହା ଯଥାକ୍ରମେ ବିଯୁକ୍ତ ୫.୮ପ୍ରତିଶତ ଏବଂ ବିଯୁକ୍ତ ୫.୯ ପ୍ରତିଶତ ହେବ। ୨୦୨୧ ଜାନୁଆରୀରେ କରୋନା ମହାମାରୀର ଦ୍ୱିତୀୟ ଲହରକୁ ଦେଖି ବିଶ୍ୱବ୍ୟାଙ୍କ ନିଜ ଅନୁମାନକୁ ସଂଶୋଧନ କରି ଚୀନକୁ ପ୍ରଗତି ଏବଂ ବୃଦ୍ଧି ପାଉଥିବା ଅର୍ଥ ବ୍ୟବସ୍ଥାରେ ସ୍ଥାନିତ କରିଛି। ଚୀନର ଜିଡ଼ିପି ବା ଅର୍ଥବ୍ୟବସ୍ଥା ୨ ପ୍ରତିଶତ ଗତିରେ ବିକଶିତ କରୁଛି। ଅଥଚ ଭାରତର ଅଭିବୃଦ୍ଧି ହାର ବିଯୁକ୍ତ ୯.୬ ପ୍ରତିଶତ ରହିଛି। ଭାରତର ରିଜର୍ଭ ବ୍ୟାଙ୍କ ଏହି ପରିସଂଖ୍ୟାନକୁ ବିଯୁକ୍ତ ୭.୭ ପ୍ରତିଶତ ବୋଲି ସ୍ୱୀକାର କରିଛି।
ଏଥିରୁ ଭାରତର ଆର୍ଥିକ ସଂକୋଚନ ସଂପର୍କରେ ଯଥେଷ୍ଟ ଆଭାସ ମିଳୁଛି। ଆର୍ଥିକ ସଂକୋଚନ ହେଉଛି ଏକ ନକରାତ୍ମକ ଦିଗ। ଏହାର ପ୍ରଭାବ ବେକାରୀ ଉପରେ ପଡ଼ିବ। ମଧ୍ୟମ ବର୍ଗ ବା ମିଡ଼ିଲ କ୍ଲାସ ଆହୁରି ଗରିବ ହେବେ। କୋଭିଡ଼ କାଳରେ ୩୨ ନିୟୁତ ମଧ୍ୟମ ବର୍ଗଙ୍କ ଆୟ ତଳକୁ ଖସିଛି। ଲୋକଙ୍କ ହାତରୁ ନିଯୁକ୍ତି ଚାଲିଯିବା ପଛରେ ଦରଦାମକୁ ଏକ ବିଶେଷ କାରଣ ଭାବେ ଗ୍ରହଣ କରାଯାଇପାରେ। ଡିଜେଲ ଏବଂ ପେଟ୍ରୋଲ ଦରବୃଦ୍ଧି ସହ ଏଲ୍ପିଜି ଗ୍ୟାସ ସିଲିଣ୍ଡରର ଦରବୃଦ୍ଧି ସାମଗ୍ରିକ ଦରଦାମ୍ ବୃଦ୍ଧିର କାରଣ ହୋଇଛି। ମନରେଗାରେ ରୋଜଗାର ଦେବା ପାଇଁ ଯେଉଁ ଆଇନଗତ ବ୍ୟବସ୍ଥା ରହିଛି ତାହାକୁ କାର୍ଯ୍ୟକାରୀ କରିବାରେ ସରକାର ସମର୍ଥ ହୋଇପାରିନାହାନ୍ତି। ଗ୍ରାମୀଣ ଲୋକଙ୍କ ପାଇଁ ଏହି ଯୋଜନାରେ ୧୦୦ ଦିନ ପାଇଁ ନିଯୁକ୍ତିର ଗ୍ୟାରେଣ୍ଟି ରହିଛି। ୨୦୦୯ରେ ମହାତ୍ମା ଗାନ୍ଧି ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ କାର୍ଯ୍ୟକାରୀ ହେଲା । ଏହା ମଧ୍ୟରେ ଏହି ଅଧିନିୟମକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବା ଦିଗରେ ସରକାର ସଫଳ ହୋଇପାରିନାହାନ୍ତି।
ଭାରତର ଶ୍ରମ ଶକ୍ତିର ହାରାହାରି ୭୬ ପ୍ରତିଶତ ଯାହା ଜନସଂଖ୍ୟାରେ ୪୦୦ ନିୟୁତ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ। କିନ୍ତୁ ଏହି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ କରୋନା ମହାମାରୀ ନାମରେ ଛଟେଇ କରାଯାଇଛି। ୨୦୨୦ରୁ ଏହି ପ୍ରକ୍ରିୟା ଏପରି ଭାବେ ଆଗକୁ ବଢ଼ିଛି ଯାହା ଫଳରେ ଏହି ଶ୍ରମିକମାନଙ୍କ ମଧ୍ୟରୁ ୮୦ ଭାଗଙ୍କ ହାତରେ କାମ ନାହିଁ। ସରକାରଙ୍କ ଦ୍ୱାରା କୌଣସି ନିୟୋଜିତ କାର୍ଯ୍ୟ ଯୋଜନା ନଥିବାରୁ ଏହି ଶ୍ରମିକମାନେ ରୋଜଗାର ହରାଇ ଅର୍ଦ୍ଧାହାରରେ ଜୀବନ କାଟୁଛନ୍ତି। ଏହା ସତ୍ୟ ଯେ, ଅର୍ଥବ୍ୟବସ୍ଥାରେ ସବୁଠୁ ଅଧିକ ଗତି ମଧ୍ୟ ଏହି ଅସଂଗଠିତ କ୍ଷେତ୍ରର ଆୟ ଉପରେ ନିର୍ଭର କରିଥାଏ। ଏହି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇପାରୁନଥିବାରୁ ଶ୍ରମିକମାନଙ୍କ ଖାଦ୍ୟ ସୁରକ୍ଷା ମଧ୍ୟ ବିପନ୍ନ ସ୍ଥିତିରେ। ଏହାର ଦୁଷ୍ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିଛି।
ଅପ୍ରେଲ ୨୦୨୦ରୁ ୩୧ ମାର୍ଚ୍ଚ ୨୦୨୧ ମଧ୍ୟରେ ଭାରତର ଜିଡ଼ିପିବ ବିଯୁକ୍ତ ୨୩.୯ ପ୍ରତିଶତରେ ରହିଥିବା ଅର୍ଥଶାସ୍ତ୍ରୀମାନେ ମତ ଦେଇଥିଲା ବେଳେ ସରକାର କିନ୍ତୁ ଏହାକୁ ସ୍ୱୀକାର କରୁନାହାନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ କ୍ରୟଶକ୍ତି ବୃଦ୍ଧି ଦିଗରେ ସରକାର ଯେଭଳି ପଦକ୍ଷେପ ନେବା କଥା ତାହା ନେଇପାରିନାହାନ୍ତି। ଔଦ୍ୟୋଗିକ ଏବଂ ବ୍ୟବସାୟିକ ଗତିବିଧି କରୋନାର ଦ୍ୱିତୀୟ ଲହରରେ ଧିମେଇ ଯାଇଛି।
୧୯୯୧ରେ ଯେତେବେଳେ ଗ୍ଲୋବାଲାଇଜେସନ ଏବଂ ମୁକ୍ତ ବଜାରର ଧାରା ଆରମ୍ଭ ହେଲା ସେତେବେଳେ ଦେଖାଇ ଦିଆଗଲା ଦେଶରେ ଅଚାନକ ସମୃଦ୍ଧି ଆସିଯାଇଛି। ୧୯୪୭ରେ ଆରମ୍ଭ ହୋଇଥିବା ମିଶ୍ରିତ ଅର୍ଥବ୍ୟବସ୍ଥାକୁ ସମାଜବାଦୀ ଆର୍ଥିକ ବିଚାରର ଅଂଶ ବୋଲି କୁହାଯାଉଥିଲା। ୧୯୯୧ରେ ଏହାର ପରିବର୍ତ୍ତନ ହେଲା। ଏହି ଅର୍ଥବ୍ୟବସ୍ଥା ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥା ନାମରେ ପରିଚିତ। ଏହାଥିଲା ଅର୍ଥବ୍ୟବସ୍ଥା ଇତିହାସରେ ଏକ ଟର୍ଣ୍ଣିଂପଏଣ୍ଟ୍। ସେବେଠାରୁ ଆଜିଯାଏ ଅର୍ଥାତ୍ କରୋନା ମହାମାରୀ ସମୟରେ ସାଧାରଣ ନାଗରିକଙ୍କର ଆୟ ହ୍ରାସ ପାଉଛି, ଅଥଚ ହାତଗଣତି ମହାଧନୀ ଯଥା ଅଦାନୀ-ଅମ୍ବାନି ଗ୍ରୁପର ଆୟ ବହୁ ହଜାର ଗୁଣ ବୃଦ୍ଧି ପାଇଛି। ସଂକୁଚିତ ହେଉଛି ଅର୍ଥବ୍ୟବସ୍ଥା।
ବର୍ତ୍ତମାନ ଏପରି ସ୍ଥିତି ହୋଇଛି ସାର୍ବଜନିକ ବିତରଣ ବ୍ୟବସ୍ଥାକୁ ଦୃଢ ହେବା ପରିବର୍ତ୍ତେ ଦୁର୍ବଳ କରାଯାଉଛି। କରୋନା ମହାମାରୀ ପରିପ୍ରେକ୍ଷୀରେ ଅପ୍ରେଲ ୨୦୨୦ରେ ଅମର୍ତ୍ତ୍ୟ ସେନ୍, ରଘୁରାମ ରାଜନ ଏବଂ ଅଭିଜିତ ବାନାର୍ଜୀଙ୍କ ଭଳି ପ୍ରସିଦ୍ଧ ଅର୍ଥନୀତିଜ୍ଞ ଯେଉଁ ମତ ଦେଇଥିଲେ ତାହା ଥିଲା ସମସ୍ତ ପରିବାରକୁ ଅସ୍ଥାୟୀ ରାନ କାର୍ଡ଼ ଦିଆଯାଉ। ଯାହା ଦ୍ୱାରା ୬ ମାସ ଯାଏ ସେମାନେ ସର୍ବନିମ୍ନ ମାସିକ ରାସନ ଗ୍ରହଣ କରିପାରିବେ। ସରକାର ମଧ୍ୟ ଆତ୍ମନିର୍ଭର ଭାରତ ତଥା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନାମରେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦିଆଯାଉଥିବା ସୂଚନା ଦେଲେ। କିନ୍ତୁ ଆବଣ୍ଟନରେ ଘୋଷଣା ଅନୁଯାୟୀ ରାସନ ମିଳିଲା ନାହିଁ। ଆଜି ପୁଣିଥରେ କରୋନା ମହାମାରୀର ଦ୍ୱିତୀୟ ଲହର ଆସିଥିବାରୁ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ସମସ୍ତ ଶ୍ରମିକ ପରିବାର ଯେପରି ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ପାଇବେ ସେ ଦିଗରେ ପଦକ୍ଷେପ ନେବାର ସମୟ ଆସିଛି। କାରଣ ଖାଦ୍ୟ ବ୍ୟବସ୍ଥା ଆଜି ଦୁର୍ବଳ ହେଉଥିବାରୁ ଏହି ପ୍ରକ୍ରିୟାକୁ ସୁଦୃଢ କରାଯିବା ଉଚିତ୍। ଖାଦ୍ୟ କହିଲେ କେବଳ ଚାଉଳ କି ଗହମ ନୁହେଁ, ଏହା ସହ ତେଲ,ଲୁଣ, ଆଳୁ ଭଳି ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇଦେବା ଆବଶ୍ୟକ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଫୋନ୍: ୯୪୩୮୦୦୬୨୧୫
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।