Advertisment

ଗଛରେ ଫୁଲ ଫୁଟୁଛି କାହା ଲାଗି?

ପ୍ରସିଦ୍ଧ ଔପନ୍ୟାସିକ ଗୋପୀନାଥ ମହାନ୍ତି ନିଜର ଆତ୍ମଜୀବନୀ ‘ସ୍ରୋତସ୍ୱତୀ’ରେ ଲେଖିଛନ୍ତି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମହାବଳ ବାଘ ଷାଠିଏ ଦଶକ ପର୍ଯ୍ୟନ୍ତ ଅଧିକ ଥିଲେ। ସେ ନିଜେ ମଧ୍ୟ ବେଶ କେତେ ଥର ସେମାନଙ୍କ ଆକ୍ରମଣରୁ ବଞ୍ଚିଯାଇଛନ୍ତି। ଏବେ ଅବିଭକ୍ତ କୋରାପୁଟରେ ମାଛକୁଣ୍ଡ, ବାଲିମେଳା, କୋଲାବ, ହାଲ୍‌, ନାଲକୋ, ଇନ୍ଦ୍ରାବତୀ ଭଳି ଅନେକ ନଦୀବନ୍ଧ ଓ କାରଖାନା ହୋଇଛି। ଏବେ ବାଘ, ଜଙ୍ଗଲୀ ମଇଁଷି, ବାରହା ଆଦି ପ୍ରାଣୀ କୋରାପୁଟରେ ବିରଳ।

author-image
Debendra Prusty
For Whom The Flower Blossoms?

For Whom The Flower Blossoms?

ଆମେ ପ୍ରକୃତି ପ୍ରତି ଯଥେଷ୍ଟ ଭାବରେ ସମ୍ବେଦନହୀନ ହୋଇଚାଲିଛେ। ଚାରିପାଖର ଜୀବଜନ୍ତୁ ଓ ଗଛ ଲତାକୁ ନେଇ ଆମେ ଭାବିବା ବନ୍ଦ କରିଦେଇଛେ।

Advertisment

ପ୍ରକୃତି ମଧ୍ୟରେ ଅନେକ ବିବିଧତା ରହିଛି। ସଭ୍ୟତାର ଚାପରେ ସେଥିରୁ ଅନେକ ଆଜି ଲୋପ ହେବାକୁ ବସିଲେଣି। କିଛି ପରିବେଶବିତ ଏହାର ବିରାଟ ତାଲିକା ମଧ୍ୟ ଆମକୁ ଦେଉଛନ୍ତି। ଲୋପ ପାଉଥିବା ଜୀବଜନ୍ତୁଙ୍କ ହେତୁ ବାକି ଜୀବଜନ୍ତୁଙ୍କ ଉପରେ ତାହାର ପ୍ରଭାବ କ’ଣ ପଡୁଛି ସେ ସମ୍ପର୍କରେ ପରିବେଶବିତମାନେ କିଛି କହୁନାହାନ୍ତି।

ମଣିଷ ଆଦୌ ସ୍ଵତନ୍ତ୍ର ନୁହେଁ। ମଣିଷର ଜୀବନ ଧାରଣ ଅନ୍ୟ ସମସ୍ତ ଜୀବଜନ୍ତୁ ଓ ବୃକ୍ଷଲତାଙ୍କ ସହିତ ସମ୍ପର୍କିତ। ଘରଚଟିଆଠାରୁ ଶାଗୁଣା, ଲୋପ ପାଉଥିବା ପକ୍ଷୀମାନଙ୍କର ଅନୁପସ୍ଥିତି ଆମର କୃଷିକ୍ଷେତ୍ର ଉପରେ ପଡୁଛି।

Advertisment

‘କୁହନ୍ତୁ ତ ଗଛର ଫୁଲ ଫୁଟୁଛି କାହା ଲାଗି?’ ଅନ୍ତର୍ଯ୍ୟାମି ବାବୁ ମୋତେ ପଚାରିଥିଲେ। ସ୍ଵାଭାବିକ ଭାବରେ ମୋର ଉତ୍ତର ରହିଥିଲା, ‘ଫୁଲ ଉପରେ ଗଛର ଅଧିକାର ରହିଛି। ଫୁଲ ଫୁଟୁଛି ଗଛ ଲାଗି।’

ଅନ୍ତର୍ଯ୍ୟାମି ବାବୁ କହିଲେ, ‘ଅଥଚ ଆମ ସମାଜରେ ଅନେଶତ ପ୍ରତିଶତ ଲୋକେ ଏ କଥା ମନେକରନ୍ତି ଯେ ଗଛରେ ଫୁଲ ଫୁଟୁଛି ଠାକୁରଙ୍କୁ ଦେବା ଲାଗି। ଅଧରାତିରୁ ଲୋକେ ଫୁଲ ତୋଳି ନେଉଛନ୍ତି, ଗୋଟିଏ ହେଲେ ଫୁଲ ଗଛରେ ଛାଡ଼ି ନ ଥା’ନ୍ତି। ସେମାନେ କେବେ ଭାବନ୍ତି ନାହିଁ ଯେ ପାଖରେ ଥିବା ମହୁମାଛି ଓ ପ୍ରଜାପତିର ଫୁଲ ଉପରେ ଅଧିକାର ରହିଛି। ଗଛ ଚାହେଁ ଯେ ପ୍ରଜାପତି ଆସୁ ତେବେ ଯାଇ ଗଛର ପ୍ରଜନନ ପ୍ରକ୍ରିୟା ସଂପୂର୍ଣ୍ଣ ହେବ ଓ ପୁଣି ନୂଆ ଗଛଟିଏ ଜନ୍ମ ହେବ। ଗଛ ସଂଖ୍ୟା ବଢ଼ିଲେ ତ ମଣିଷ ଓ ଜୀବଜନ୍ତୁ ବଞ୍ଚିବେ! କିନ୍ତୁ ଆମର ସମାଜ ଠାକୁରଙ୍କ ନାମରେ ଜୀବଜନ୍ତୁ ପ୍ରଜାପତି, ମହୁମାଛି, ଗଛଲତା କାହାରିକୁ ବି ବଢ଼ିବାକୁ ଦେଉନାହିଁ।’

ମୋ ସହରର ସକାଳରେ ସୁନ୍ଦର ଫୁଲ ଗଛଗୁଡ଼ିକ ସର୍ବଦା ଲଣ୍ଡା ରହିଥା’ନ୍ତି। ତାହା ଦେଖି ଦେଖି ମୁଁ ଏତେ ଅଭ୍ୟସ୍ତ ହୋଇଯାଇଥିଲି ଯେ ଏହି କଥାଟି ପ୍ରତି କେବେ ଧ୍ୟାନ ଦେଇପାରିନଥିଲି। ପ୍ରକୃତରେ ଗଛ ସାର୍‌ ଅନ୍ତର୍ଯ୍ୟାମିବାବୁ ଜଣେ ଅତି ସଂବେଦନଶୀଳ ମଣିଷ। ତାହା ନହୋଇଥିଲେ ଏହି ସୂକ୍ଷ୍ମ କଥା ତାଙ୍କ ନଜରକୁ ଆସିନଥାନ୍ତା।

ନୟାଗଡ଼ ଜିଲ୍ଲାର କଣ୍ଟିଲୋ ସହର ଏମିତି ବି ନୀଳମାଧବ ମନ୍ଦିର ଲାଗି ଅତି ପ୍ରସିଦ୍ଧ। ଜଗନ୍ନାଥ ପୂର୍ବରୁ ନୀଳମାଧବଠାରେ ଶବର ବିଶ୍ଵାବସୁଙ୍କ ଦ୍ଵାରା ପୂଜା ପାଉଥିବା କଥା କୃଷ୍ଣ ଦାସଙ୍କ ଦ୍ଵାରା ରଚିତ ‘ପୁରୀ ଦେଉଳ ତୋଳା’ ଓ ଅନ୍ୟାନ୍ୟ ପୁସ୍ତକରେ ପ୍ରକାଶ ହୁଏ। ସେହି କଣ୍ଟିଲୋ ସହରରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଭାବରେ ଅନ୍ତର୍ଯ୍ୟାମି ସାହୁ ଆଜି କି ବେଶ କିଛି ବର୍ଷ ହେଲା ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ନିଜକୁ ସମର୍ପଣ କରିଦେଇଛନ୍ତି।

ସାର୍‌ଙ୍କ ପ୍ରାଥମିକ କାର୍ଯ୍ୟ ହେଲା ନିଜର ପେନସନ ଅର୍ଥରେ ଡ୍ରଇଙ୍ଗ ପେପର କିଣିବା, ସେଥିରେ ଗଛ, ଜୀବଜନ୍ତୁ, ମହୁମାଛି, ପ୍ରଜାପତିଙ୍କ ସୁରକ୍ଷା ନେଇ ଅନେକ ସ୍ଲୋଗାନ ଲେଖିବା ଓ ରାଜ୍ୟର କୋଣ ଅନୁକୋଣକୁ ଯାଇ ପ୍ରାକୃତିକ ଜଙ୍ଗଲକୁ ବଞ୍ଚାଇବା ଲାଗି ଲୋକଙ୍କୁ ସଚେତନ କରାଇବା।

ସାର୍‌ଙ୍କ ଯୁକ୍ତି ହେଲା, ‘ଆମ ଚାରିପାଖରେ ମହୁମାଛି, ପ୍ରଜାପତି, ଘରଚଟିଆ, ଶୁଆ, ଶାରୀ ଭଳି ଅନେକ ଛୋଟ ଛୋଟ ପକ୍ଷୀ ଓ ଜୀବଜନ୍ତୁ ମଧ୍ୟ ଲୋପ ପାଇଯାଉଛନ୍ତି। ପ୍ରାକୃତିକ ପରିବେଶକୁ ବଞ୍ଚାଇବା ଦିଗରେ ସେମାନଙ୍କର ଅକଳ୍ପନୀୟ ଅବଦାନ ରହିଥିବା ସତ୍ତ୍ୱେ ସେମାନଙ୍କ ବିଷୟରେ ମଣିଷ ସମାଜ ଚିନ୍ତା କରୁନାହିଁ।’

ଆଦିବାସୀମାନେ ଜାଣନ୍ତି ଯେ ମଣିଷ, ଜୀବଜନ୍ତୁ, ବୃକ୍ଷଲତା ଓ ପ୍ରକୃତି ମଧ୍ୟରେ ନିବିଡ଼ ସମ୍ବନ୍ଧ ରହିଛି। ଆଦିବାସୀ ଚାଷ କଲେ ମୂଷାଠାରୁ ଭାଲୁ, ବଣିଠାରୁ ଚିଲ ପର୍ଯ୍ୟନ୍ତ ସମସ୍ତେ ଖାଦ୍ୟ ପାଉଥିବା କଥା ସେମାନେ ଜାଣନ୍ତି। ଫସଲ ଖାଇଦେଉଥିବା ମୂଷା ବା ମୟୂର କି ଭାଲୁଙ୍କୁ ସଂପୂର୍ଣ୍ଣ ନିପାତ କରିବାର ଉଦ୍ୟମ ଯଦି ଆଦିବାସୀମାନେ କରିଥା’ନ୍ତେ ତେବେ ବନ୍ୟ ଜୀବଜନ୍ତୁଙ୍କ କେବଳ ହାଡ଼ ହିଁ ଆଧୁନିକ ମଣିଷ ଦେଖିବାକୁ ପାଇଥା’ନ୍ତା।

ପ୍ରସିଦ୍ଧ ଔପନ୍ୟାସିକ ଗୋପୀନାଥ ମହାନ୍ତି ନିଜର ଆତ୍ମଜୀବନୀ ‘ସ୍ରୋତସ୍ୱତୀ’ରେ ଲେଖିଛନ୍ତି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମହାବଳ ବାଘ ଷାଠିଏ ଦଶକ ପର୍ଯ୍ୟନ୍ତ ଅଧିକ ଥିଲେ। ସେ ନିଜେ ମଧ୍ୟ ବେଶ କେତେ ଥର ସେମାନଙ୍କ ଆକ୍ରମଣରୁ ବଞ୍ଚିଯାଇଛନ୍ତି। ଏବେ ଅବିଭକ୍ତ କୋରାପୁଟରେ ମାଛକୁଣ୍ଡ, ବାଲିମେଳା, କୋଲାବ, ହାଲ୍‌, ନାଲକୋ, ଇନ୍ଦ୍ରାବତୀ ଭଳି ଅନେକ ନଦୀବନ୍ଧ ଓ କାରଖାନା ହୋଇଛି। ଏବେ ବାଘ, ଜଙ୍ଗଲୀ ମଇଁଷି, ବାରହା ଆଦି ପ୍ରାଣୀ କୋରାପୁଟରେ ବିରଳ।

ଗଲା ଦୁଇ ହଜାର ବର୍ଷରୁ ଅଧିକ ବର୍ଷ ଆଦିବାସୀମାନେ କୋରାପୁଟରେ ସମସ୍ତ ବନ୍ୟ ଜନ୍ତୁଙ୍କ ସହିତ ରହିପାରିଲେ। ମାତ୍ର ପଚାଶ ବର୍ଷ ଆଧୁନିକ ମଣିଷ ସେମାନଙ୍କ ସହିତ ରହିପାରିଲା ନାହିଁ। ଅବିଭକ୍ତ କୋରାପୁଟରେ ଆଜି ଜଙ୍ଗଲ ରହିଲା ନାହିଁ। ବର୍ଷାର ଅଭାବ କଣ ଜାଣିଥିବା ଲୋକେ ଆଜି ମରୁଡ଼ି ହେତୁ ଫସଲ ନଷ୍ଟ ହେବା ଅଭିଯୋଗ କରୁଛନ୍ତି।

ପ୍ରାକୃତିକ ଜଙ୍ଗଲ ଧ୍ଵଂସ ହେବା ଜଳବାୟୁ ପରିବର୍ତ୍ତନ ଓ ବିଶ୍ଵ ତାପମାତ୍ରା ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ। ଜଙ୍ଗଲ ଆଦୌ ଚାଷ ଜମି ନୁହେଁ ଯେ ଗୋଟିଏ ପ୍ରକାରର ଗଛରେ ଜଙ୍ଗଲ ସୃଷ୍ଟି ହୋଇପାରିବ। ତାହା ହୋଇଥିଲେ ରାୟଗଡ଼ାର ୟୁକାଲିପଟାସ ଜଙ୍ଗଲ, ପୁରୀ ଉପକୂଳର ଝାଉଁ ଜଙ୍ଗଲ ଓ ମୟୂରଭଞ୍ଜର ଶାଳ ବଣ ପରିବେଶ ସନ୍ତୁଳନତା ଦିଗରେ ଯଥେଷ୍ଟ ହୋଇଥାନ୍ତା।

ଏକକ ଗଛରେ ସୃଷ୍ଟ ଜଙ୍ଗଲ କେବେ ସ୍ଥାୟୀ ହୋଇରହି ନଥାଏ। ସେଠାର ଜଙ୍ଗଲରେ ବନ୍ୟ ଜୀବଜନ୍ତୁ ଓ ପକ୍ଷୀଙ୍କ ଆତଯାତ ହୁଏ ନାହିଁ। ରାୟଗଡ଼ା ଭଳି ପାହାଡ଼ି ଅଞ୍ଚଳରେ ଭାଲୁ ଭରି ରହିଥିଲା ବେଳେ କେହି ଶୁଣି ନାହିଁ ଯେ ସେଠାର ୟୁକାଲିପଟାସ ଜଙ୍ଗଲରେ ଭାଲୁମାନେ ଆସି ରହିଲେଣି। ପୁରୀର ଝାଉଁ ଜଙ୍ଗଲରେ ବଣୁଆ ବାରହାମାନେ କିମ୍ବା ଶୁଆ, ଶାରୀମାନଙ୍କୁ ଦେଖିବା ବିରଳ।

ପିଟର ଓହୋଲ୍ଲେବେନ ତାଙ୍କ ରଚିତ ପ୍ରସିଦ୍ଧ ପୁସ୍ତକ ‘ଦି ହିଡ୍ଡନ ଲାଇଫ ଅଫ ଟ୍ରିଜ’ରେ ପ୍ରାକୃତିକ ଜଙ୍ଗଲ ଓ କୃତ୍ରିମ ଜଙ୍ଗଲର ପ୍ରଭାବକୁ ବର୍ଣ୍ଣନା କରିଛନ୍ତି। ଜଣେ ଫରେଷ୍ଟର ଭାବରେ ଦୀର୍ଘ ବର୍ଷର ଅନୁଭୂତିକୁ ନେଇ ଲେଖିଥିବା ଏହି ପୁସ୍ତକରେ ସେ କହୁଛନ୍ତି, ‘ଯେତେବେଳେ ସରକାର ବା କମ୍ପାନୀମାନେ କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ଜଙ୍ଗଲ ତିଆରି କରୁଛନ୍ତି ସେତେବେଳେ ତାହାର ବୃଦ୍ଧିଠାରୁ ପ୍ରାକୃତିକ ଜଙ୍ଗଲର ବୃଦ୍ଧି ଅଧିକ ଶୀଘ୍ର ଓ ଘଞ୍ଚ ହୋଇଥାଏ। ଏହାର କାରଣ ହେଲା ଯେ ପ୍ରାକୃତିକ ଜଙ୍ଗଲ ମଧ୍ୟରେ ପ୍ରଜାପତିର ଭୂମିକା। କୃତ୍ରିମ ଜଙ୍ଗଲରେ ଗଛଙ୍କ ପ୍ରଜନନ ଲାଗି ପ୍ରଜାପତିଙ୍କୁ ବାହାରୁ ଆଣି ଛଡ଼ାଯାଇଥାଏ। କିନ୍ତୁ ସେମାନେ ଏକା ପ୍ରକାରର ଖାଦ୍ୟ ପାଇବା ହେତୁ ନିଜକୁ ସବଳ ଅନୁଭବ କରିନଥା’ନ୍ତି। କୌଣସି ସାମାନ୍ୟ ବେମାରୀରେ ପ୍ରଜାପତି ମରିଯା’ନ୍ତି। କିନ୍ତୁ ପ୍ରାକୃତିକ ଜଙ୍ଗଲରେ ବିଭିନ୍ନ ପ୍ରଜାପତି ଆତଯାତ ହେବା ଦ୍ଵାରା ସେମାନେ ନିଜକୁ ସବଳ ଅନୁଭବ କରିଥାନ୍ତି ଓ ଗଛମାନଙ୍କର ପ୍ରଜନନ ତଥା ବୃଦ୍ଧି ଅଧିକ ବେଗରେ ହୋଇଥାଏ।’

ପିଟର ପୁଣି ଯୁକ୍ତି କରୁଛନ୍ତି, ‘ଗଛମାନେ ମଧ୍ୟ ନିଜର ସମାଜ ତିଆରି କରିଦେଇଥା’ନ୍ତି। ଗଛ ଗଛ ମଧ୍ୟରେ ନିଜସ୍ଵ ସମ୍ବନ୍ଧ କାରଣରୁ ପ୍ରାକୃତିକ ଜଙ୍ଗଲ କେବେ ଗଛମାନଙ୍କ ବେମାରୀ ହେତୁ ଅଥବା ବାତ୍ୟା କାରଣରୁ ଧ୍ଵଂସ ହୋଇନାହିଁ। ବରଂ ସରକାରୀ ଜଙ୍ଗଲର ବୃଦ୍ଧି ନଘଟିବା ଓ ସେମାନେ ପରସ୍ପରକୁ ସାହାଯ୍ୟ କରିବାରେ ଅସମର୍ଥ କାରଣରୁ ଗଛ ଗୁଡ଼ିକ ଦୁର୍ବଳ ହୋଇଯା’ନ୍ତି। ଏହାର ଅନେକ ଦୃଷ୍ଟାନ୍ତ ରହିଛି।’

ଏ ସମ୍ପର୍କରେ ଗଛ ସାର୍‌ଙ୍କ ଯୁକ୍ତି ମଧ୍ୟ ସମାନ। ସେ କହୁଛନ୍ତି, ‘ସରକାର କେବଳ ଶାଳ କି ଶାଗୁଆନ କି ଗମ୍ଭାରୀ ନହେଲେ ଆମ୍ବ, ପିଜୁଳି କିମ୍ବା ପଣସର ଜଙ୍ଗଲ ସୃଷ୍ଟି କରୁଛନ୍ତି। ଏହା କିନ୍ତୁ ଜୀବଜନ୍ତୁଙ୍କ ଖାଦ୍ୟ ନୁହେଁ। ସରକାର ଜାଣିନାହାନ୍ତି ଯେ ପ୍ରାକୃତିକ ଜଙ୍ଗଲ ମଧ୍ୟରେ ରହିଥିବା ପଳାଶ, କୋଚିଲା, ଶିମିଳି କି ମଞ୍ଜାରୀ ଗଛ କେତେ ପକ୍ଷୀଙ୍କୁ ଟାଣି ଆଣେ। ପଲାଶ ଫୁଲକୁ ଖାଇ କେତେ ପକ୍ଷୀ ବଞ୍ଚନ୍ତି ସରକାର କ’ଣ ଜାଣିଛନ୍ତି?’

ବର୍ତ୍ତମାନ ବିଶ୍ଵ ଲାଗି ସବୁଠାରୁ ବଡ଼ ସମସ୍ୟା ହେଲା ବିଶ୍ଵ ତାପମାନରେ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ। ଏହି ବିଶ୍ଵ ଯେ ଏକ ବିଂଶ ଶତାବ୍ଦୀ ପରେ ବଞ୍ଚିବ ତାହାକୁ ନେଇ ସନ୍ଦେହ ରହିଛି। ଯେଉଁ ଗତିରେ ନଦୀ ସମୁଦ୍ର ଜଙ୍ଗଲ ପାହାଡ଼ ଉପରେ କମ୍ପାନୀମାନେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି ସେଥିରୁ ଆମର ସନ୍ଦେହ ଆଦୌ ଅମୂଳକ ନୁହେଁ।

ସମୁଦ୍ର ଗର୍ଭରେ ମିଶିଯାଉଥିବା ଗାଁଗୁଡ଼ିକର ଚିତ୍ର ଦେଖିଲେ ବ୍ୟସ୍ତ ଲାଗେ। ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଉଦୟକଣି ଓ ଛେନୁଆ ଗାଁ ଭଳି ଓଡ଼ିଶା ଉପକୂଳର ଅନେକ ଗାଁ ସମୁଦ୍ରରେ ମିଶିଗଲେଣି ଓ ପୁଣି କେତେକ ବୁଡ଼ିଯିବା ଉପରେ। ଏତଦବ୍ୟତୀତ, ଉପକୂଳ ଜିଲ୍ଲାର ତଳୁଆ ଜମି ଅଞ୍ଚଳରେ ବନ୍ୟା ଆସିଲେ ସମୁଦ୍ର ଓ ସ୍ଥଳ ଭାଗ ମଧ୍ୟରେ ପାର୍ଥକ୍ୟ ଠଉରାଇବା କଷ୍ଟ ହୋଇଗଲାଣି। ଏ ସମ୍ପର୍କରେ ପୂର୍ବରୁ ଏଇ ମାଧ୍ୟମରେ ‘ସମୁଦ୍ର ମାଡ଼ିଆସୁଛି!’ ଲେଖିଥିଲି (ନଭେମ୍ବର ୧୮, ୨୦୨୨)।

୧୯୯୯ ମସିହାରୁ ୨୦୨୨ ମସିହା ମଧ୍ୟରେ କେବଳ ଓଡ଼ିଶାର ଉପକୂଳର ଲୋକେ ଦଶଟି ବାତ୍ୟା (ମହାବାତ୍ୟା, ଫାଇଲିନ, ତିତିଲି, ଫନି, ଗୁଲାବ ଇତ୍ୟାଦି) ଅନୁଭବ କରିସାରିଲେଣି। ଏହି ସମୟ ମଧ୍ୟରେ ଆଠ ଥର ବନ୍ୟା ମଧ୍ୟ ଆସି ସାରିଲାଣି। ମାତ୍ର କୋଡ଼ିଏ ବର୍ଷ ମଧ୍ୟରେ ଦଶଥର ବାତ୍ୟା ଓ ଆଠ ଥର ବନ୍ୟା ଆସିଲା ପରେ ବି ପ୍ରାକୃତିକ ବିପର୍ଯ୍ୟୟ ଚିନ୍ତାର ବିଷୟ ହେଉ ନାହିଁ।

ଯେଉଁ ଗତିରେ ଆଜି ଶିଳ୍ପ ବିକାଶ ହେଉଛି ଓ ଆଧୁନିକ ଯନ୍ତ୍ର କୌଶଳ ଦ୍ଵାରା ପ୍ରକୃତିର ଦୋହନ ହେଉଛି ସେହି ଭିତରେ ସଂବେଦନଶୀଳ ମଣିଷ ଲାଗି ପ୍ରକୃତିର ଧ୍ଵଂସକୁ ବିରୋଧ କରିବା ଓ ପ୍ରାକୃତିକ ଜଙ୍ଗଲକୁ ବଞ୍ଚାଇବା ବ୍ୟତୀତ ଅନ୍ୟ ରାସ୍ତା ନାହିଁ। ଆଦିବାସୀମାନେ ଆମ ଲାଗି ପ୍ରେରଣା ହୁଅନ୍ତୁ। ଗଛ ସାର୍‌ଙ୍କ ଉଦ୍ୟମ ସଫଳ ହେଉ। ଏ ବିଶ୍ଵ ଅଧିକ ବର୍ଷ ବଞ୍ଚିରହୁ।

ଦେବ ରଞ୍ଜନ

ମୋବାଇଲ- ୮୪୫୬୯୩୧୪୨୩

Odisha Forest Odisha Tribes Flower Bees