ନାଗରିକଙ୍କ ମୌଳିକ ଅଧିକାର ଏବଂ ଆନ୍ଦୋଳନ

ସୂର୍ଯ୍ୟମଣି ମିଶ୍ର

ଦେଶ ଓ ରାଜ୍ୟରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସରକାର ବିଫଳ। ଦୁର୍ନୀତି ଦୂର କରିବାରେ ସରକାର ବିଫଳ। ଚାଷୀ ହେଉ ଅବା ଶ୍ରମିକଙ୍କୁ ସାମାଜିକ ନିରାପତ୍ତା ପ୍ରଦାନରେ ବିଫଳତା ଦେଖିବାକୁ ମିଳୁଛି। କୃଷକ ଯାହାଙ୍କୁ ଅନ୍ନଦାତା ଭାବେ ରାଜନୈତିକ ସଭାରେ ପ୍ରଶଂସା କରାଯାଉଛି ସେମାନେ ଭୋକରେ ଜୀବନ କାଟୁଛନ୍ତି ଆଉ ସେମାନଙ୍କ ଦାବିକୁ ଉପେକ୍ଷା କରାଯାଉଛି। ସେମାନଙ୍କ ଆନ୍ଦୋଳନକୁ  ଜନବିରୋଧୀ ଭାବେ ଚିତ୍ରଣ କରାଯାଉଛି।

କେନ୍ଦ୍ରର ୩ କୃଷି ବିରୋଧୀ ଆଇନ ବିରୋଧରେ ୪ ମାସ ହେବ ଆନ୍ଦୋଳନ ଚାଲିଛି। ଆନ୍ଦୋଳନରତ କୃଷକ ମଇ ୧ରେ ଦିଲ୍ଲୀର ସଂସଦ ଅଭିମୁଖେ ଯାତ୍ରା କରିବେ। ସଂଯୁକ୍ତ କିଷାନ ମୋର୍ଚ୍ଚା ସିଂଘୁ ବର୍ଡରରେ ଏ ସଂପର୍କରେ ଘୋଷଣା କରିଛି। କୃଷକ ସଂସଦ ଭବନ ଆଡ଼କୁ ପାଦରେ ଚାଲିଚାଲି ଯିବେ। ସରକାରଙ୍କ କୃଷି ଓ କୃଷକ ବିରୋଧୀ ତଥା କର୍ପୋରେଟ ତୁଷ୍ଟିକରଣ ନୀତି ବିରୋଧରେ ଏହି ଅଭିଯାନ। ୩୧ ମାର୍ଚ୍ଚ ୨୦୨୧ରେ କୃଷକ ମୋର୍ଚ୍ଚା ପକ୍ଷରୁ ସରକାରଙ୍କ ଜନବିରୋଧୀ ନୀତିର ପ୍ରତ୍ୟାହାର ଦାବି ନେଇ କୁହାଯାଇଛି ଯେ, କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାର ମାସ ପରେ ମାସ ବିତିଯାଇଥିଲେ ମଧ୍ୟ କୃଷକଙ୍କ ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରିବା ପାଇଁ ହୀନ ଉଦ୍ୟମ ଚଳାଇ ରଖିଛି।

ଗୋଟିଏ ଗଣତାନ୍ତ୍ରିକ ସରକାର ନାଗରିକଙ୍କ ସାମ୍ବିଧାନିକ ଅଧିକାରକୁ ଦଳିମକଚି ଦେବା ପାଇଁ କୁଣ୍ଠା କରୁନାହିଁ। ବରଂ ନିଷ୍ଠୁର ଆଚରଣକୁ ଆପଣେଇ ଦେଶର ଅନ୍ନଦାତା ଭାବେ ପରିଚିତ କୃଷକଙ୍କ ଉପରେ ଅତ୍ୟାଚାର ଚଳାଇଛନ୍ତି। ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ। ଏହି ଦେଶରେ ପ୍ରତ୍ୟେକ ନାଗରିକଙ୍କର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ମତପ୍ରକାଶ କରିବାର ଅଧିକାର ରହିଛି। ଏହି ମତପ୍ରକାଶର ଅଧିକାରକୁ ସରକାର ସମ୍ମାନ ଦେବା କଥା ଏବଂ ଦାବିକୁ ମାନିନେବା କଥା। କିନ୍ତୁ  ସରକାରଙ୍କ କାର୍ଯ୍ୟଧାରାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଗୋଟିଏ ନିର୍ବାଚିତ ସରକାର ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବା ପରିବର୍ତ୍ତେ ଜନବିରୋଧୀ ନୀତିକୁ ଆପଣଉଛି। ସମ୍ବିଧାନ ପ୍ରଦତ୍ତ ସମ୍ମାନର ସହ ବଞ୍ଚିବାର ଅଧିକାର, ଅଭିବ୍ୟକ୍ତର ଅଧିକାର ପ୍ରଦାନରେ ନିଜର ଉତ୍ତରଦାୟିତ୍ୱ ପାଳନ କରୁନାହିଁ ସରକାର। ପରନ୍ତୁ ନିର୍ଦ୍ଦିଷ୍ଟ ହାତଗଣତି କର୍ପୋରେଟ ହାଉସର ସ୍ୱାର୍ଥ ସୁରକ୍ଷା ପାଇଁ ନିଜକୁ ସମର୍ପଣ କରୁଛନ୍ତି ସରକାର। ଏହାକୁ ନେଇ କେବଳ କୃଷକ ନୁହନ୍ତି ମାନବାଧିକାର କର୍ମୀ, ସାମାଜିକ କର୍ମୀ, ସୂଚନା ଅଧିକାର କର୍ମୀ ଉଦବେଗ ପ୍ରକାଶ କରିଛନ୍ତି। କାରଣ ଗତ ୬ ବର୍ଷ ମଧ୍ୟରେ ଦେଖିବାକୁ ମିଳୁଛି। ଜଣକ ପରେ ଜଣେ ମାନବାଧିକାର କର୍ମୀଙ୍କ ଉପରେ ଆକ୍ରମଣ କରାଯାଉଛି। ଲଦି ଦିଆଯାଉଛି ମିଛ ମାମଲା। ସୂଚନା ଅଧିକାର ଆଇନକୁ ପ୍ରୟୋଗ କରୁଥିବା କର୍ମୀଙ୍କୁ ହତ୍ୟା କରାଯାଉଛି। ଦେଶର ବୁଦ୍ଧିଜୀବୀ, ସଚେତନ ନାଗରିକ ଯେକେହି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ, ଦମନ ବିରୋଧରେ ତଥା କର୍ପୋରେଟ ତୁଷ୍ଟିକରଣକୁ ନେଇ ଭିନ୍ନମତ ଦେଉଛନ୍ତି ସେମାନଙ୍କ ଉପରେ କରାଯାଉଛି ଆକ୍ରମଣ। ମିଛ ମାମଲାରେ ଜେଲକୁ ପଠାଇ ଦିଆଯାଉଛି।

୧୪ ଏପ୍ରିଲରେ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ୧ ମଇରେ ଶ୍ରମିକ ଦିବସ ଦିଲ୍ଲୀର ବର୍ଡ଼ରରେ ପାଳନ କରାଯିବ। ଶ୍ରମିକ ଏବଂ କୃଷକ ଏକତା ଦୃଢ ହେବାରେ ଲାଗିଛି। ଏହା ହେଉଛି କୃଷକ ମୋର୍ଚ୍ଚାର ଘୋଷଣା। ଏହା ସହ ଦେଶର ବ୍ୟାଙ୍କ, ବୀମା, କର୍ମଚାରୀ ମଧ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦେଶରେ ଦରଦାମ ବୃଦ୍ଧି ଅନିୟନ୍ତ୍ରିତ ସ୍ଥିତିରେ। ଧାର୍ମିକ ଉନ୍ମାଦନା ମାଧ୍ୟମକୁ ଆପଣେଇ ସାମ୍ପ୍ରଦାୟିକ ଶକ୍ତି ଦେଶର ସଦ୍‍ଭାବନା ଓ ଭାଇଚାରାକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଛି। ଗଣତାନ୍ତ୍ରିକ ଆନ୍ଦୋଳନ ଯାହା ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଏହାକୁ ଭାଙ୍ଗିବା ପାଇଁ ସରକାରରେ ଥିବା ମନ୍ତ୍ରୀ ଉଦ୍ୟମ କରିବା ଭଳି ଚିତ୍ର ମଧ୍ୟ ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଥିବା ସୂଚନା ଦିଏ। ଦେଶର ସଂଖ୍ୟାଲଘୁ, ଦଳିତ, ଆଦିବାସୀ ତଥା ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ମିଳିପାରୁନାହିଁ। ଚାରିଦିଗରେ ଯେପରି ଆର୍ଥିକ ଅସମାନତା, ସାମାଜିକ ବିଭେଦତା, ବିବିଧ ସଂସ୍କୃତି ଉପରେ ଆକ୍ରମଣ ଉଦ୍ୟମ ଘଟଣା ଘଟିଚାଲିଛି। ତାହା ସୂଚାଇ ଦେଉଛି ଦେଶରେ ମାନବିକ ଅଧିକାର ସୁରକ୍ଷା ପ୍ରଶ୍ନବାଚୀ ଘେରରେ। ସରକାରଙ୍କ କାର୍ଯ୍ୟଧାରା ଜନସପକ୍ଷରେ ଥିବା ଜଣାଯାଉନାହିଁ। କାରଣ ଦେଖିବାକୁ ମିଳୁଛି ନିର୍ଦ୍ଦିଷ୍ଟ ହାତଗଣତି କର୍ପୋରେଟ ହାଉସର ଋଣ ଛାଡ଼ କରାଯାଉଛି, ଶ୍ରମ ଶୋଷଣ ଚାଲିଛି। ଶ୍ରମିକଙ୍କ ନାର୍ଯ୍ୟ ଅଧିକାର ପ୍ରଦାନରେ ସରକାର ଯେପରି ଉତ୍ତରଦାୟିତ୍ୱ ନିର୍ବାହ କରିବା କଥା ତାହା କରୁନାହାନ୍ତି। ସାଧାରଣ ନାଗରିକ ଖାଦ୍ୟ,ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତାକୁ ପୂରଣ କରିପାରୁନାହିଁ। କ୍ରୟଶକ୍ତି ହ୍ରାସ ଘଟିବାରେ ଲାଗିଛି। ଦେଶର ଆର୍ଥିକ ସ୍ଥିତି ସୁଧୁରୁନାହିଁ। କେତେକ ଧନିକବର୍ଗ ବ୍ୟାଙ୍କରୁ ଶହଶହ କୋଟି ଟଙ୍କା ଋଣ ନେଇ ଦେଶ ଛାଡ଼ି ପଳାଉଛନ୍ତି। ଅଥଚ କୃଷକ ଓ ଶ୍ରମିକଙ୍କୁ ଋଣ ମିଳୁନାହିଁ। ଏହା ସୂଚାଇ ଦେଉଛି କର୍ପୋରେଟ ହାଉସ ଆଗରେ ସରକାର ଯେପରି ଅସହାୟ ହୋଇପଡ଼ିଛନ୍ତି। ଏହା ଜଣାଇ ଦେଉଛି ଦେଶରେ ସମ୍ବିଧାନ ପ୍ରଦତ୍ତ ଅଧିକାର ପ୍ରଦାନରେ ସରକାର ନିଜର ଦାୟିତ୍ୱ ପାଳନ କରିବା ଅବସ୍ଥାରେ ନାହାନ୍ତି। ବରଂ ସମୟ ସମୟରେ ସମ୍ବିଧାନ ପରିବର୍ତ୍ତନର କଥା ସରକାରରେ ଥିବା ମନ୍ତ୍ରୀ ଓ ଦଳର କର୍ମକର୍ତ୍ତାମାନେ ମତ ଦେଉଛନ୍ତି। ଏହା ସମ୍ବିଧାନ ପ୍ରତି ବିପଦର ସୂଚନା ଦିଏ। ତେଣୁ ସଂଯୁକ୍ତ କୃଷକ ମୋର୍ଚ୍ଚା ଯେଉଁ ସମ୍ବିଧାନ ବଞ୍ଚାଅ ଅଭିଯାନ ଆଡ଼କୁ ଅଗ୍ରସର ହେଉଛି ଏହାକୁ ସମର୍ଥନ କରିବାର ସମୟ ଆସିଛି। ସମ୍ବିଧାନ ଆମକୁ ସମ୍ମାନର ସହ ବଂଚିବାର ଅଧିକାର ଦେଇଛି। ସମାନତାର ଅଧିକାର ଦେଇଛି। ପାତର ଅନ୍ତର ବିରୋଧରେ ସ୍ୱର ଉତ୍ତୋଳନ କରିବାର ସ୍ପଷ୍ଟ ମତ ଦେଇଛି ସମ୍ବିଧାନ। ସରକାର ଏହି ଅଧିକାର ପ୍ରଦାନରେ ନିଜର ଉତ୍ତରଦାୟିତ୍ୱ ପାଳନ କରୁନାହାନ୍ତି। ବରଂ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି କରିଛନ୍ତି। ସମ୍ବିଧାନ ପ୍ରତି ବିପଦ ଅର୍ଥାତ୍‍ ସାଧାରଣ ନାଗରିକଙ୍କ ଅଧିକାର ଉପରେ ବିପଦ ବୋଲି ବୁଝିବାକୁ ହେବ। ଦେଶର ୮୦ ଭାଗରୁ ଅଧିକ ଜନତା ଆଜି ଦିନରେ ସାମ୍ବିଧାନିକ ଅଧିକାର ପାଇପାରୁନାହାନ୍ତି। ତେଣୁ ସମ୍ବିଧାନର ସୁରକ୍ଷା ଆଜି ଦିନରେ ବଡ଼ ଗୁରୁତ୍ୱବହନ କରିଛି।

ଅସ୍ତିତ୍ୱ, ଅସ୍ମିତା ଏବଂ ଭବିଷ୍ୟତକୁ ବଞ୍ଚାଇବା ପାଇଁ ଏବେ ଦେଶ ଓ ରାଜ୍ୟରେ ଦେଖାଦେଇଛି ଆନ୍ଦୋଳନ। ଯେଉଁମାନେ ମେହେନତ କରି ଦେଶକୁ ଖାଦ୍ୟ, ବସ୍ତ୍ର, ବାସଗୃହ ଓ ରାସ୍ତାଘାଟ ଆଦି ଯୋଗାଇ ଦେଇଥାନ୍ତି ସେଇମାନେ ଏବେ ନିଜ ଅଧିକାର ବିପନ୍ନ ହେଉଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି। ସାମାଜିକ ଓ ଅର୍ଥନୈତିକ ବିକାଶ ଯେଉଁମାନଙ୍କ ପାଇଁ ଅପହଞ୍ଚ ସେଇମାନେ ହେଉଛନ୍ତି ଜନସଂଖ୍ୟାର ୮୦ ଭାଗରୁ ଅଧିକ। ଏହି ବହୁସଂଖ୍ୟକ ନାଗରିକଙ୍କୁ ଉପେକ୍ଷା କରାଯାଉଛି ଦେଶର ସ୍ୱାର୍ଥଠାରୁ ନିଜର ସ୍ୱାର୍ଥ ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ଶାସନରେ ଥିବା ଦଳ ଓ କଳ। ନେତା, ପ୍ରଶାସକଙ୍କ ଠାରେ ଦେଖିବାକୁ ମିଳୁଛି ଦୁର୍ନୀତି, ଭ୍ରଷ୍ଟାଚାର ଓ ଶୋଷଣ। ଅର୍ଥବଳ ଓ ବାହୁବଳକୁ ପୁଂଜିକରି ଅପରାଧୀ କ୍ଷମତା ରାଜନୀତିରେ ପ୍ରବେଶ କରୁଥିବା ସଂଖ୍ୟା ବଢୁଛି।

ଦେଶୀୟ ପୁଂଜିର ସମବଣ୍ଟନ ନହୋଇ ଅଳ୍ପ କେତେଜଣଙ୍କ ପାଖରେ ଠୁଳ ହେଉଛି। ଜାତି, ଭାଷା, ଆଞ୍ଚଳିକତାବାଦ ଓ ଧର୍ମକୁ କେନ୍ଦ୍ରକରି ଚାଲିଛି ରାଜନୀତି। ଚିନ୍ତା, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମଭାବନା ଓ ଉପାସନାରେ ଲୋକଙ୍କୁ ମିଳୁନି ସ୍ୱାଧୀନତା। ପ୍ରତ୍ୟେକ ନାଗରିକ ନିଜର ସ୍ଥିତି ଓ ସୁଯୋଗ କ୍ଷେତ୍ରରେ ପାଉନାହାନ୍ତି ସମାନ ଅଧିକାର। ଧନୀ ଏବଂ ଗରିବ ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ବ୍ୟବଧାନ ବଢିବାରେ ଲାଗିଛି। ପ୍ରଶ୍ନ ହେଉଛି, କିଏ କାହା ଦ୍ୱାରା ଉତ୍ପୀଡ଼ିତ ହେଉଛନ୍ତି। ଉତ୍ତର ହେଉଛି ଶାସନ କ୍ଷମତାରେ ଥି୍‍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା। ଏହା ସୂଚାଇ ଦେଉଛି ଦେଶର ଗଣତନ୍ତ୍ର ବିପନ୍ନ! ରାଜନେତା, ଠିକାଦାର, ତଥା ଅମଲାତାନ୍ତ୍ରିକ ଅଧିକାରୀମାନେ ବିଶେଷ କରି ଏପରି କାର୍ଯ୍ୟ କରୁଛନ୍ତି ଯାହା ବହୁ ସଂଖ୍ୟକ ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନରେ ବାଧା ସୃଷ୍ଟି କରୁଛି। ଶାସନରେ ସଂସ୍କାର, ଦୁର୍ନୀତି ନିବାରଣ, ନିଯୁକ୍ତି ପ୍ରଦାନ, ହିଂସା ବିରୋଧୀ ଆଇନ ପାଳନ ଆଦିର କାର୍ଯ୍ୟ ହେଉଛି ସରକାରଙ୍କର। କିନ୍ତୁ ସରକାରରେ ଥିବା ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ଠାରେ ଅପରାଧ ପୃଷ୍ଠଭୂମି ରହିଛି। ତେଣୁ ଶାସନର ସଂସ୍କାର ତଥା ଦୁର୍ନୀତି ନିବାରଣ ସହ ନିଯୁକ୍ତି ପ୍ରଦାନରେ ବାଧା ଦେଖାଦେଇଛି। ଦେଶର ହାତଗଣତି କେତେଜଣ ମହାଧନୀ ଆହୁରି ପୁଂଜି ଠୁଳ କରିବାରେ ଲାଗିଛନ୍ତି। ଅଥଚ ଅନ୍ୟପକ୍ଷରେ ଭୂମିହୀନ, ବେକାରୀଙ୍କ ସଂଖ୍ୟା ବଢିଚାଲିଛି। ଗଭର୍ଣ୍ଣାନ୍‍ସ ବା ଶାସନ ପ୍ରଶାସନରେ ସ୍ୱଚ୍ଛତା, ଦକ୍ଷତା, ତଥା ଉତ୍ତରଦାୟିତ୍ୱ ଯେପରି ଉଭେଇ ଯାଇଛି,  ଏହା ଯୋଗୁଁ ହିଁ ଦେଶର ବହୁ ସଂଖ୍ୟକ ନାଗରିକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାର ଅପହଞ୍ଚ ରହିଛି।

ଏହି ପରିପ୍ରେକ୍ଷୀରେ ଗତ ୪ ମାସ ଧରି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ଆଖି ପକାଇଲେ ସ୍ପଷ୍ଟ ସୂଚନା ମିଳୁଛି ଯେ, କିପରି ଗଣତାନ୍ତ୍ରିକ ଅଧିକାରକୁ ସରକାରୀ କଳ ଓ ଦଳ ଦଳିମକଚି ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି। କୃଷି ଓ କୃଷକ ବିରୋଧୀ ୩ କୃଷି ଆଇନ ବିରୋଧରେ ୪ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା କୃଷକ ଆନ୍ଦୋଳନ ହେଉଛି ଗୋଟିଏ ଗଣତାନ୍ତ୍ରିକ ଆନ୍ଦୋଳନ। କିନ୍ତୁ ଏହି ଆନ୍ଦୋଳନକୁ ରାଷ୍ଟ୍ର ଦମନ କରିବା ପାଇଁ ସବୁମତେ ଉଦ୍ୟମ କରିବା ନିଶ୍ଚୟ ବିଶ୍ୱର ସର୍ବବୃହତ୍‍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ପ୍ରତିକୂଳବାର୍ତ୍ତା ପରିସ୍ଥିତି ଉପୁଜାଇଛି। ସରକାର ଭାବିଥିଲେ ଏହି କୃଷକ ଆନ୍ଦୋଳନ କେବଳ ପଂଜାବ ମଧ୍ୟରେ ସୀମିତ ରହିବ। କିନ୍ତୁ ଏହା ହରିୟାଣାରୁ ପଶ୍ଚିମ ଉତ୍ତର ପ୍ରଦେଶ ପରେ ରାଜସ୍ଥାନ, ଏବେ ଦେଶବ୍ୟାପୀ ଜନଆନ୍ଦୋଳନର ରୂପ ନେଇଛି। ଆଜି ଦିନରେ ଏହି ଆନ୍ଦୋଳନ ବର୍ତ୍ତମାନ ଓ ଭବିଷ୍ୟତ ତଥା ଅତୀତଠାରୁ ପୃଥକ୍‍ କରି ଦେଖିବାକୁ ହେବ। କାରଣ ଏହି ଆନ୍ଦୋଳନ ଏବେ ଦେଶରେ ନୁହେଁ, ବିଶ୍ୱରେ ମଧ୍ୟ ପ୍ରଭାବ ପକାଇଛି। ଜାତିସଂଘର ଦୃଷ୍ଟି ଆକର୍ଷଣ କରିଛି। ଆଜିର କୃଷକ ଆନ୍ଦୋଳନ ସବୁଠୁ ଦୀର୍ଘ ଏବଂ ବ୍ୟବସ୍ଥିତ ଆନ୍ଦୋଳନ ଭାବେ ପରିଚିତ ହୋଇଛି। ନିକଟ ଅତୀତରେ  ଆମେ ଦେଖିଛନ୍ତି ଜେପି ଆନ୍ଦୋଳନ (୧୯୭୪-୭୬), ମଣ୍ଡଳ ଆୟୋଗ ବିରୋଧରେ ଏବଂ ସମର୍ଥନରେ ହୋଇଥିବା ଆନ୍ଦୋଳନ (୧୯୯୦-୯୧) ଏବଂ ରାମ ଜନ୍ମଭୂମି ଆନ୍ଦୋଳନ (୧୯୯୦-୯୨), ଆନ୍ନା ଆନ୍ଦୋଳନ (୨୦୧୨-୧୩) ବର୍ତ୍ତମାନର କୃଷକ ଆନ୍ଦୋଳନ ଠାରୁ ଉପରୋକ୍ତ ୪ଟି ଆନ୍ଦୋଳନ ପୃଥକ ଥିଲା ନିଶ୍ଚୟ। ଜେପି ଆନ୍ଦୋଳନ ଦୁର୍ନୀତି ପରେ ଜରୁରୀ ପରିସ୍ଥିତି ବିରେଧରେ ହୋଇଥିଲା। ମଣ୍ଡଳ ଆନ୍ଦୋଳନ ପଛୁଆବର୍ଗ ଆରକ୍ଷଣର ସୁପାରିଶକୁ କାର୍ଯ୍ୟକାରୀ କରିବା ବିରୋଧରେ ଏବଂ ସମର୍ଥନରେ ହୋଇଥିଲା। ରାମ ଜନ୍ମଭୁମି ଆନ୍ଦୋଳନ ସଂପୂର୍ଣ୍ଣ ଭିନ୍ନ ଥିଲା। ଏହା ଥିଲା ବିଶ୍ୱାସ ବା ଆସ୍ଥା ଉପରେ ଆଧାରିତ। ଆନ୍ନା ଆନ୍ଦୋଳନ ମୁଖ୍ୟତଃ ଦୁର୍ନୀତି ବିରୋଧରେ ଥିଲା। ଏହି ଆନ୍ଦୋଳନଗୁଡ଼ିକ ବେଶୀ ଦିନ ଚାଲିନଥିଲା କି ବ୍ୟାପକ ହୋଇପାରିନଥିଲା। ବରଂ ହିଂସା ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ଦିନରେ ଚାଲିଥିବା କୃଷକ ଆନ୍ଦୋଳନ ବ୍ୟବସ୍ଥିତ, ଶାନ୍ତିପୂର୍ଣ୍ଣ ଏବଂ ସୁନ୍ଦର ସଂଗଠିତ ଭାବେ ଚାଲିଛି। ୪୦ କୃଷକ ସଂଗଠନ ଏହି ଆନ୍ଦୋଳନରେ ଯୋଡ଼ି ହୋଇ ନିଜ ନେତୃତ୍ୱର ପରିପକ୍ୱତାକୁ ପ୍ରମାଣିତ କରି ଚାଲିଛନ୍ତି। ତଥାପି ସରକାର ଆନ୍ଦୋଳନର ବାସ୍ତବତାକୁ ସମୀକ୍ଷା କରୁନାହାନ୍ତି, ବରଂ ଦମନ କରି ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ଚେଷ୍ଟା ଚଳାଇଛନ୍ତି।

ସରକାର ମନେ ରଖିବା ଉଚିତ୍‍ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ଗୋଟିଏ ନିର୍ବାଚିତ ସରକାର ଗଣତନ୍ତ୍ରର ସୁରକ୍ଷା  କରିବାରେ ତଥା ନାଗରିକକୁ ଗଣତାନ୍ତ୍ରିକ ପ୍ରଦାନରେ ପଛଘୁଞ୍ଚା ଦେଲେ ବା ଦମନକୁ ଅସ୍ତ୍ର କଲେ ଏହି ସରକାର ଭାଙ୍ଗିଯିବ। ଅତୀତରେ ଆନ୍ଦୋଳନଗୁଡ଼ିକୁ ଅଧ୍ୟୟନ କଲେ ଏହା ସ୍ପଷ୍ଟ ସୂଚନା ମିଳେ। ଏ ଦିଗରେ ସରକାର ସଚେତନ ରହି ଗଣତାନ୍ତ୍ରିକ ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ଅପଚେଷ୍ଟା ନକରି ବରଂ ଗଣତାନ୍ତ୍ରିକ ଅଧିକାର ପ୍ରଦାନ କରିବାରେ ନିଜର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା ଉଚିତ୍‍। କାରଣ ଗଣତାନ୍ତ୍ରିକ ଅଧିକାର ଏବଂ କୃଷକ ଆନ୍ଦୋଳନର ତାତ୍ପର୍ଯ୍ୟ ତଥା ବାସ୍ତବତାକୁ ବୁଝିବାର ସମୟ ଆସିଛି।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‍: ୯୪୩୮୦୦୬୨୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।