ଭାଷଣରେ ନୁହେଁ, ଆଚରଣରେ ଗାନ୍ଧୀ-ଦର୍ଶନର ଉପଯୋଗ ହେଉ

ରାମଚନ୍ଦ୍ର ପଣ୍ଡା

ଜାତିର ପିତା ମହାତ୍ମା ଗାନ୍ଧିଜୀଙ୍କ ଫଟୋ କାର୍ଯ୍ୟାଳୟରେ ରଖିଦେଲେ ଶାସନରେ ଗାନ୍ଧିବାଦ ଆପେ ପ୍ରତିଫଳିତ ହେବନାହିଁ। ଏ ସଂକ୍ରାନ୍ତରେ ସଂବିଧାନ ପ୍ରଣୟନ ସଭାର ଅଧ୍ୟକ୍ଷ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଏକ ବାଣୀ ଅତ୍ୟନ୍ତ ଉପାଦେୟ। ସଂବିଧାନ ସଭାରେ ସେ ନିଜ ଅନ୍ତିମ ଭାଷଣରେ କହିଥିଲେ ଯେ ଦେଶର ଭବିଷ୍ୟତକୁ ଗଢିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗାନ୍ଧିଜୀଙ୍କ ପ୍ରଦର୍ଶୀତ ମାର୍ଗରେ ହିଁ ପରିଚାଳିତ ହେବାକୁ ପଡିବ କାରଣ “ଗାନ୍ଧୀଙ୍କ ପ୍ରଦର୍ଶିତ ଜୀବନ ଦର୍ଶନ ସତ୍ୟ ଓ ପବିତ୍ରତା ଉପରେ ଆଧାରିତ”। ଗାନ୍ଧିବାଦ ଏକ ଶାସ୍ୱତ ଓ ଚିରନ୍ତନ ଧାରା ଯାହା କେବଳ ସ୍ୱାଧୀନତା ସଂଗ୍ରାମ ପାଇଁ ଉଦ୍ଦିଷ୍ଟ ନଥିଲା ବରଂ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଅନୁଶୀଳନୀୟ ବୋଲି ସେ ଉଲ୍ଲେଖ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଲକ୍ଷ ଓ ଆଦର୍ଶ କୁ ଯୋଜନାରେ ଋପାୟନ କରିବା ପାଇଁ ସଂବିଧାନରେ ନୀତି ନିର୍ଦ୍ଦେଶାବଳୀକୁ ସ୍ଥାନ ଦିଆଯାଇଛି, ଯାହାକି “ଜାତିର ପିତାଙ୍କ ଆଦର୍ଶ ପ୍ରତି ଆମର ଅନୁରକ୍ତି” ବୋଲି ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ଉଲ୍ଲେଖ କରିଥିଲେ।

ଚତୁର୍ଥ ପରିଚ୍ଛଦରେ ବର୍ଣ୍ଣିତ ନିର୍ଦ୍ଦେଶାବଳୀକୁ ସରକାରଗୁଡିକ ନିଜ ନିଜର କର୍ତ୍ତବ୍ୟ ରୂପେ ଗ୍ରହଣ କରି କାର୍ଯ୍ୟ କରିବା ପାଇଁ ସଂବିଧାନ ପ୍ରଣେତାମାନେ ସ୍ୱପ୍ନ ରଖିଥିଲେ। ଏଭଳି କାର୍ଯ୍ୟକ୍ରମ ଭିତରେ ନାଗରିକମାନଙ୍କୁ ଜୀବନ ଧାରଣା ପାଇଁ ସମାନ ଆୟ, ସ୍ୱାବଲମ୍ବି ପଞ୍ଚାୟତ ବ୍ୟବସ୍ଥା, ପରିବେଶ ଓ ଜଙ୍ଗଲ ପ୍ରାଣୀଙ୍କ ସୁରକ୍ଷା, ଶିଶୁମାନଙ୍କୁ ମାଗଣା ଶିକ୍ଷା, କୁଟିର ଶିଳ୍ପର ବିକାଶ, ଶିଳ୍ପ ପରିଚାଳନାରେ କର୍ମଚାରୀଙ୍କ ଭାଗିଦାରି, କୃଷିର ଆଧୁନିକରଣ ଭଳି ସମାଜ ମଙ୍ଗଳ କାର୍ଯ୍ୟ ଏହି ନିର୍ଦ୍ଦେଶାବଳୀରେ ଅନ୍ତର୍ଭୁକ୍ତ। କେନ୍ଦ୍ର ଓ ରାଜ୍ୟର ଯୋଜନାରେ ଏହି ସବୁ ସମାଜ ମଙ୍ଗଳ ବିଷୟକୁ ପ୍ରତିଫଳିତ କରିବା ପାଇଁ ସରକାରଗୁଡିକର ନୈତିକ ଦାୟିତ୍ୱ। ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦଙ୍କ ମତ ଥିଲା ସଂବିଧାନର ସଫଳ ରୂପାୟନ ପାଇଁ ବ୍ୟକ୍ତିର ନୈତିକ ମାନଦଣ୍ଡ ନିରୁପଣ କରିବା କଷ୍ଟକାର୍ଯ୍ୟ। ବ୍ୟକ୍ତିର “ନୈତିକ ମୂଲ୍ୟବୋଧ” ଉପରେ ସଂବିଧାନର ସଫଳତା ନିର୍ଭୟ କରିବ ଓ ଅନ୍ୟର ମତକୁ ସମ୍ମାନ ଦେବାର ଗୁଣ ଓ ଇଚ୍ଛାଶକ୍ତି ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକର ସଫଳତାର ଅସଲ ମାପକାଠି ବୋଲି ସେ ଉଲ୍ଲେଖ କରିଥିଲେ। ଯାହା ଦେଖାଯାଇଛି ୬୦ ଦଶନ୍ଧି ପରେ ରାଜନେତାମାନେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗରୁ ବିଚ୍ୟୁତ ହେବା ଫଳରେ ସାଂବିଧାନିକ ଅନୁଷ୍ଠାନଗୁଡିକର ଅବକ୍ଷୟ ବଢି ଚାଲିଛି। ସ୍ୱାଧୀନତାର ମହାନ୍‍ ବିନ୍ଧାଣୀ ମହାତ୍ମା ଗାନ୍ଧୀ ବୋଧହୁଏ ରାଜନେତାଙ୍କ କ୍ଷମତା ଲାଳସାରୁ ଏଭଳି ପତନର ଆଶଙ୍କା କରିଥିଲେ। ସ୍ୱାଧୀନତା ବିଜୟର ଏହି ପ୍ରଧାନ ନାୟକ ୧୯୪୭, ଅଗଷ୍ଟ ୧୫ ଦିନ ସାରା ଭାରତ ସ୍ୱାଧୀନତା ଉତ୍ସବରେ ମଗ୍ନ ହୋଇଥିବା ବେଳେ, ଏଥିରୁ ନିଜକୁ ଅଲଗା ରଖି ସୁଦୂର କଲିକତାର ଏକ ବସ୍ତିରେ ସୁତା କଟା ସାଙ୍ଗକୁ ଅନଶନ ବ୍ରତରେ ସମୟ କାଟିଥିଲେ। ସେତେବେଳେ ସେ କହିଥିଲେ ଯେ ଅସଲ ଧର୍ମ ହେଉଛି ପ୍ରେମ ଓ ସତ୍ୟ ପ୍ରତି ନିଷ୍ଠା। ସ୍ୱାଧୀନତା ଦିବସ ଦିନ ତାଙ୍କର ଏହି ଅନଶନ ସାଂପ୍ରଦାୟିକତାର ବହ୍ନିକୁ ଶାନ୍ତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ଯାହା ଗାନ୍ଧିବାଦୀ ରାଜ ଗୋପାଳଚାରୀଙ୍କୁ ଭାବଗମ୍ଭୀର କରିଥିଲା।

ନାଗରିକଙ୍କ ହାତରେ ସାର୍ବଭୌମକ୍ଷମତା, ଗରୀବ କଲ୍ୟାଣ, ସତ୍ୟ ଓ ସରଳତା ଆଧାରିତ ଜୀବନ ପ୍ରଣାଳୀ, ଭେଦଭାବ ବିରତ ଶାସନ ଗାନ୍ଧିଜୀଙ୍କ ପରିକଳ୍ପିତ ରାମରାଜ୍ୟର ଅସଲ ଉପାଦାନ। ସଂବିଧାନ ସଭା ଆରମ୍ଭରେ ସଂବିଧାନର କଳେବର ନେଇ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ଘୋଷଣା ପତ୍ରରେ ଉଲ୍ଲେଖ  କରିଥିଲେ ଯେ ସ୍ୱାଧୀନ ଭାରତର ସାର୍ବଭୌମ ଅଧିକାର “ଆମ୍ଭେ ନାଗରିକ”ଙ୍କ ଉପରେ ନ୍ୟସ୍ତ। ଯାହାର ଅର୍ଥ ନାଗରିକ ହିଁ ଦେଶର ଅସଲ ମାଲିକ ଓ ଅନ୍ୟ ସମସ୍ତ ଅଧିକାରୀ ଅସ୍ଥାୟୀ ଟ୍ରଷ୍ଟି ସ୍ୱରୂପ। ଖାଲି ଭୋଟ ଖଣ୍ଡିଏ ଦେଇ ଦେଲେ ନାଗରିକମାନଙ୍କ ଦାୟିତ୍ୱ ମଧ୍ୟ ସରିଯାଏ ନାହିଁ, ଗଣତନ୍ତ୍ରକୁ ସଠିକ ପରିଚାଳନା କରିବା ଅସଲ ଦାୟିତ୍ୱ। ପାର୍ଲାମେଣ୍ଟରେ ଦଳର ନେତା ବାଛି ଗଣତନ୍ତ୍ରର ଔପଚାରିକତା ପୂରଣ କରିବା ପାଇଁ ପ୍ରତିନିଧି ନିର୍ବାଚିତ ନୁହନ୍ତି ବରଂ ଶାସନକୁ ସମୀକ୍ଷା, ମାର୍ଗଦର୍ଶନ ଓ ନିୟନ୍ତ୍ରଣ କରିବା ହିଁ ପ୍ରତିନିଧିମୂଳକ ବ୍ୟବସ୍ଥାର ପ୍ରଧାନ ଲକ୍ଷ୍ୟ, ଯଦ୍ୱାରା ପାର୍ଲାମେଣ୍ଟକରେ ଶାସନ କଳ ଉତ୍ତରଦାୟୀ ରହିବ।

(୨)ସ୍ୱରାଜର ଭାବଗତ ଆତ୍ମା

ବାଲ ଗଂଗାଧର ତିଲକଙ୍କ “ସ୍ୱରାଜ ଏକ ଜନ୍ମଗତ ଅଧିକାର” ଡାକରା ମହାତ୍ମା ଗାନ୍ଧୀଙ୍କୁ ପ୍ରେରଣା ଦେଇଥିଲା। ଏଠି ଉଲ୍ଲେଖ ଯୋଗ୍ୟ ଯେ ଯେଉଁ ଦେଶଦ୍ରୋହ ଦଫାରେ ସାମ୍ରାଜ୍ୟବାଦୀ ବ୍ରିଟିଶ ସରକାର ବାଲ ଗଙ୍ଗାଧର ତିଲକ, ମହାତ୍ମା ଗାନ୍ଧୀଙ୍କୁ ଗିରଫକରି ବନ୍ଦୀ କରୁଥିଲେ, ସେହି ଦଫା ଏବେ ମଧ୍ୟ ଆମ ଆଇନର ଶୋଭା ମଣ୍ଡିତ କରୁଛି ଯାହାର ଅପପ୍ରୟୋଗ ନେଇ ବାରମ୍ବାର ସମ୍ବାଦ ପ୍ରକାଶ ପାଉଛି। ୧୮୯୭ ମସିହାରେ ପୁନେରେ ପ୍ଲେଗ୍‍ ମହାମାରୀରେ ପ୍ରଶାସନର ଦମନକୁ ବିରୋଧ କରି ବାଲଗଂଗାଧର ତିଲକ ନିଜର ପତ୍ରିକା ‘କେଶରୀ’ରେ ଲେଖା ପ୍ରକାଶ କରିଥିଲେ ଓ ପରିଣାମରେ ପ୍ରଶାସନର ଧମକର ସମ୍ମୁଖୀନ ହୋଇଥିଲେ, ଯାହାର ଉତ୍ତରରେ ସେ ପୁଣି ଲେଖିଥିଲେ ଯେ “ଶାସନର ଅର୍ଥ ପ୍ରତିଶୋଧ ପରାୟଣତା ନୁହେଁ।” ଏଭଳି ନିର୍ଭିକ ପ୍ରତିବାଦ ଯୋଗୁଁ ସାମ୍ରାଜ୍ୟବାଦୀ ବିଟ୍ରିଶ ସରକାର ଶ୍ରୀ ତିଲକଙ୍କୁ ଜୁଲାଇ, ୧୮୯୭ରେ ବମ୍ବେରେ ଗିରଫ କରିଥିଲେ। ସ୍ୱାଧୀନତାର ପରବର୍ତ୍ତୀ କାଳରେ ଗଣତନ୍ତ୍ରର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବାକୁ ନେଇ ଜୟ ପ୍ରକାଶ ନାରାୟଣ, ଲାଲ ବାହାଦୁର ଶାସ୍ତ୍ରୀ, ମୋରାଜୀ ଦେଶାଇ, ଜେ.ବି. କୃପାଳିନୀ, ଡ. ରାମ ମନୋହର ଲୋହିଆ, ଅଟଳ ବିହାରୀ ବାଜପେୟୀ ନାଗରିକମାନଙ୍କୁ ନିର୍ଭୟ ହେବା ପାଇଁ ଆହ୍ୱାନ ଦେଉଥିଲେ ଓ ନିଜ ଅଭିମତ ନିର୍ଭୟରେ ପ୍ରକାଶ ପାଇଁ ଜନସାଧାରଣଙ୍କୁ ପ୍ରେରଣା ଦେଉଥିଲେ। ୯.୧୨.୧୯୭୯ ମୋରାରଜୀ ଦେଶାଇଙ୍କ ଗଂଜାମ ଗସ୍ତକାଳରେ ଗୋଟିଏ ସୁନ୍ଦର କଥା ସେ କହିଥିଲେ ଯେ ଗଣତନ୍ତ୍ରର ସଫଳତା ଲୋକଙ୍କ ନିର୍ଭୟତାରୁ ହିଁ ପ୍ରମାଣ ମିଳିବ। ଗାନ୍ଧିଜୀଙ୍କ ସତ୍ୟ ଓ ନିର୍ଭୟ ମାର୍ଗରେ ନାଗରିକମାନେ ପରିଚାଳିତ ହେଲେ ରାଜନେତାମାନେ ମନମୁଖି କାର୍ଯ୍ୟ କରିପାରିବେ ନାହିଁ।

ଗଣତନ୍ତ୍ରରେ ଜନସାଧାରଣଙ୍କୂ ଅଂଶୀଦାର ଓ ପଞ୍ଚାୟତକୁ ସ୍ୱାବଲମ୍ବି କରିବା ଗାନ୍ଧିଜୀଙ୍କ ମତ ରହିଥିଲା। ତୃଣ ମୂଳ ସ୍ତରରେ ନାଗରିକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଗାନ୍ଧିଜୀ ଅଭିଳାଷ ଥିଲା। ବିଜୁବାବୁ ଭାରତ ବର୍ଷରେ ପ୍ରଥମ କରି ମହିଳା ଓ ପଛୁଆ ବର୍ଗପାଇଁ ପଞ୍ଚାୟତ ବ୍ୟବସ୍ଥାରେ ସ୍ଥାନ ସଂରକ୍ଷଣ କରି ପଞ୍ଚାୟତଗୁଡିକୁ ସ୍ୱୟଂଶାସିତ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ଉଦ୍ୟମ କରିଥିଲେ। ଏହା ବ୍ୟତୀତ ଗ୍ରାମ ପଞ୍ଚାୟତ ନିର୍ବାଚନକୁ ଦଳୀୟ ବ୍ୟବସ୍ଥାରୁ ମୁକ୍ତ କରିବା ପାଇଁ ନିୟମ ତିଆରି କଲେ ଯାହା ପରବର୍ତ୍ତୀ କାଳରେ ଅନ୍ୟ ରାଜ୍ୟ ଅନୁକରଣ କଲେ। ସଂବିଧାନ ପ୍ରଣେତାମାନେ ରାଜ୍ୟଗୁଡିକର ବିକାଶ ପାଇଁ ରାଜ୍ୟଗୁଡିକୁ ପ୍ରଶାସନ ଓ ଆଇନ ପ୍ରଣୟନର ସମାନ ଅଧିକାର ଦେଇ ଦେଶରେ ସଂଘୀୟ ବ୍ୟବସ୍ଥାର ଭିତ୍ତି ପକାଇଥିଲେ। ଏ ଦିଗରେ ସଂବିଧାନରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ପୃଥକ ପ୍ରତିନିଧି ସଭାର ବ୍ୟବସ୍ଥା କରାଗଲା। ଭବିଷ୍ୟତରେ ବହୁଦଳୀୟ ବ୍ୟବସ୍ଥାରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ କ୍ଷମତାକୁ ନେଇ ଆଶଙ୍କା ଉପୁଜିବାର ସମ୍ଭାବନାକୁ ଆଖି ଆଗରେ ରଖି ସଂବିଧାନ ପ୍ରଣୟତାମାନେ ଏଭଳି କ୍ଷମତା ବଣ୍ଟନକୁ ସଂବିଧାନରେ ସ୍ଥାନିତ କରିଥିଲେ। କୃଷି, ଶିକ୍ଷା, ଶିଳ୍ପ, ଜଳ ସେଚନ ଓ ଆଇନ ଶୃଙ୍ଖଳା ବିଷୟ ଉପରେ ଆଇନ ପ୍ରଣୟନ ପାଇଁ ରାଜ୍ୟଗୁଡିକୁ ସଂବିଧାନିକ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଡମ୍ବନା ଯେ ଆଜି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିଭିନ୍ନ ଦ୍ୱନ୍ଦ୍ୱ ଦେଖାଯାଉଛି।

କଂଗ୍ରେସ ର ଦୀର୍ଘ ଶାସନ କାଳରେ ରାଜ୍ୟପାଳମାନଙ୍କ ଦ୍ୱାରା ସଂବିଧାନର ସୀମା ଲଙ୍ଘନ ନେଇ ବହୁ ଦୃଷ୍ଠାନ୍ତ ରହିଛି ଯାହାକି ସଂଘୀୟ ବ୍ୟବସ୍ଥାର ଅବକ୍ଷୟ ପାଇଁ ଦାୟୀ। ଏନ୍‍.ଡି.ଏ.ର ମାତ୍ର ଅଳ୍ପ ବର୍ଷର ଶାସନ ଭିତରେ ଏଭଳି ଘଟଣା ବୃଦ୍ଧି ପାଇବା ଗଣତନ୍ତ୍ର ପାଇଁ ଚିନ୍ତାର ବିଷୟ। ସଂବିଧାନ ସଭାରେ ବିଶ୍ୱନାଥ ଦାଶ ପ୍ରମୁଖ ବ୍ରିଟିଶ ଶାସନ କାଳରେ ରାଜ୍ୟପାଳମାନଙ୍କ ପକ୍ଷପାତ ଭୂମିକାକୁ ଅବତାରଣା କରି, ଗଣତନ୍ତ୍ର ଓ ବହୁଦଳୀୟ ଶାସନରେ ଏହି ପଦର ଗାରିମା ଓ ନିରପେକ୍ଷତା ରକ୍ଷା ଦିଗରେ ସଂବିଧାନରେ ଆବଶ୍ୟକୀୟ ନିୟନ୍ତ୍ରଣ ବ୍ୟବସ୍ଥା ରଖିବା ସପକ୍ଷରେ କହିଥିଲେ ଓ ଏହାକୁ ଏଚ. ଭି. କାମାଥ ପ୍ରମୁଖ ସମର୍ଥନ କରିଥିଲେ। ସଭ୍ୟମାନଙ୍କୁ ଭରଷା ଦେବାକୁ ଯାଇ ଡ. ଆମ୍ବେଦକର କହିଥିଲେ ଯେ “ସଂବିଧାନରେ ରାଜ୍ୟପାଳଙ୍କ ନିଜସ୍ୱ କ୍ଷମତା ବୋଲି କିଛି ନାହିଁ….. ବରଂ ସଂପୃକ୍ତ ବ୍ୟବସ୍ଥାରେ ରାଜ୍ୟପାଳ ମନ୍ତ୍ରୀମଣ୍ଡଳର ପରାମର୍ଶ ଗ୍ରହଣ କରିବାକୁ ବାଧ୍ୟ”। କିନ୍ତୁ ବାସ୍ତବତା ହେଉଛି ସଂବିଧାନ ପ୍ରଣେତାମାନଙ୍କର ଏହି ଆସ୍ଥା ଓ ବିଶ୍ୱାସକୁ କିଛି ରାଜ୍ୟପାଳ ଧୂଳିସାତ କରିବାର ବହୁ ଉଦାହରଣ ରହିଛି। ୧୯୮୪ ମସିହାରେ କଂଗ୍ରେସ ଶାସନରେ ଆନ୍ଧ୍ର ପ୍ରଦେଶରେ ରାଜ୍ୟର ସର୍ବପ୍ରଥମ ଅଣକଂଗ୍ରେସ ସରକାର ଏନ୍‍.ଟି.ଆର.ଙ୍କ ତେଲୁଗୁ ଦେଶମ ସରକାରକୁ ରାଜ୍ୟପାଳ ରାମ ଲାଲ୍‍ ଭାଙ୍ଗି ଦେଲେ। ପରବର୍ତ୍ତୀକାଳରେ କର୍ଣ୍ଣାଟକରେ ବୋମାଇଙ୍କ ସରକାର ସମାନ ଦଶା ଭୋଗିଥିଲେ। ଗତ କିଛି ବର୍ଷ ମଧ୍ୟରେ ଉତ୍ତରାଖଣ୍ଡ, ମଣିପୁର, ଗୋଆ, କର୍ଣ୍ଣାଟକରେ ରାଜ୍ୟପାଳଙ୍କ ଅସଂବିଧାନିକ ପଦକ୍ଷେପର ବହୁଘଟଣାର ପୁନରାବୃତ୍ତି ହୋଇଛି।

ମାନ୍ୟବର ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ ବୋମାଇଙ୍କ ଘଟଣାରେ ରାଜ୍ୟପାଳମାନଙ୍କ ଭୂମିକାକୁ ନ୍ୟାୟୋଚିତ କରିବା ପାଇଁ ଦେଇଥିବା ଦିଶାନିର୍ଦ୍ଦେଶକୁ ବରାବର ଉଲଙ୍ଘନ କରାଯାଉଛି। ୧୯୮୯ରେ କର୍ଣ୍ଣାଟକରେ ଜନତା ଦଳର ମୁଖ୍ୟମନ୍ତ୍ରୀ ଏସ୍‍.ଆର. ବୋମାଇଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ସୁଯୋଗ ନ ଦେବା ଅସାମ୍ବିଧାନିକ ବୋଲି କୋର୍ଟ ରାୟ ଦେଇଥିଲେ। ୨୦୧୬ ଜୁଲାଇ ମାସରେ ସୁପ୍ରିମକୋର୍ଟର ଏକ ସାଂବିଧାନିକ ପୀଠ ଏକ ଐତିହାସିକ ରାୟରେ ସଂବିଧାନର ୧୬୩/୧୬୪ ଧାରାକୁ ତର୍ଜମା କରି ଅରୁଣାଚଳ ରାଜ୍ୟପାଳ ବିଧାନସଭା ଅଧିବେଶନ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ବିନା ଅଧିବେଶନ ବନ୍ଦ କରିବା ସଂବିଧାନବିରୋଧୀ ବୋଲି ଦର୍ଶାଇଥିଲେ। ୨୦୧୬ରେ ଉତ୍ତରାଖଣ୍ଡର ଏକ ନିର୍ବାଚିତ ସରକାରଙ୍କୁ ରାଜ୍ୟପାଳ ବରଖାସ୍ତ କରିବା ନେଇ ସୁପ୍ରିମ କୋର୍ଟ ରାଷ୍ଟ୍ରପତି ଶାସନକୁ ଅବୈଧ ଘୋଷଣା କରି ପୂର୍ବ ସରକାରକୁ ପୁନଃ ସ୍ଥାପନା କଲେ। ୨୦୧୮ରେ କର୍ଣ୍ଣାଟକରେ ବହୁମତ ନଥିବା ଏକ ଦଳକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରି ରାଜ୍ୟପାଳ ଏକ ଭୂଲ ପରମ୍ପରା ସୃଷ୍ଟି କରିଥିଲେ। ଏନ୍‍.ସି.ପି. ଦଳର ସ୍ୱୀକୃତି ବିନା ଜଣେ ଏନ୍‍.ସି.ପି. ନେତାଙ୍କୁ ଆୟୁଧ କରି ମହାରାଷ୍ଟ୍ରରେ ବିଜେପିର ଦୁଇଜଣିଆ ସରକାର ଗଠନ ଓ ୨୪ ଘଣ୍ଟା ମଧ୍ୟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାପାଇଁ ସୁପ୍ରିମ କୋର୍ଟଙ୍କ ୨୬.୧୧.୨୦୧୯ର ନିର୍ଦ୍ଦେଶ ପରେ ସରକାରର ଇସ୍ତଫା ଦେବା ଘଟଣାରୁ ସୂଚିତ ହେଉଛି ଯେ ଗଣତନ୍ତ୍ରର ବିକାଶ ପାଇଁ ସଂବିଧାନ ପ୍ରଣେତାମାନଙ୍କର ଆଶା ଓ ବିଶ୍ୱାସ ପ୍ରତି ଶାସକ ଦଳଗୁଡିକ ବିଫଳ ହୋଇଛନ୍ତି। କଂଗ୍ରେସ ସମୟରେ ଏଭଳି ଘଟଣାକୁ ବିରୋଧୀ ଦଳଗୁଡିକ ବିରୋଧ କରୁଥିଲେ। ଶ୍ରୀ ବାଜପେୟୀଙ୍କ ଶାସନ କାଳରେ ରାଜ୍ୟପାଳମାନେ ଲକ୍ଷ୍ମଣ ରେଖା ଅତିକ୍ରମ କରିବା ପାଇଁ ସାହସ କରୁନଥିଲେ। ଅବଶ୍ୟ କିଛି ସହଯୋଗୀ ଦଳଙ୍କ ଚାପରେ ତାଙ୍କ ସରକାର ରାବଡି ଦେବୀ ସରକାରଙ୍କୁ ବରଖାସ୍ତ କରି ପୁନଃ ଅବସ୍ଥାପିତ କରିବା ପାଇଁ ବାଧ୍ୟ ହୋଇଥିଲେ। ଅଟଳଜୀ ଏହି ଘଟଣାରେ ମର୍ମାହତ ହେବା ଜଣା ପଡିଥିଲା। ସରକାରିଆ କମିଶନ ଓ ପୁଞ୍ଚ କମିଶନ ରାଜଭବନର ରାଜନୀତିକରଣକୁ ଏଡାଇବାକୁ ନିର୍ଦ୍ଦିଷ୍ଟ ସୁପାରିଶ କରିଛନ୍ତି। ସାଂବିଧାନିକ ବ୍ୟବସ୍ଥା ଗୁଡିକର ଅଧୋପତନ ସଂବିଧାନର ମୂଲ୍ୟବୋଧ ପ୍ରତି ଦାରୁଣ ଆଘାତ।

ଡକ୍ଟର ଆମ୍ଭେଦକରଙ୍କ ଭାଷାରେ ସଂବିଧାନର ସୁରକ୍ଷା ପାଇଁ ଜାଗ୍ରତ ଜନମତ, ଦାୟିତ୍ୱବାନ ରାଜନୌତିକ ଦଳ ନିତାନ୍ତ ଜରୁରୀ ଅଟେ।  ଗାନ୍ଧିଜୀଙ୍କ ପ୍ରଦର୍ଶୀତ ସତ୍ୟ, ଶାନ୍ତି ଓ ସହମତିର ରାଜନୀତି ଭାରତ ଭଳି ବହୁଭାଷା ଓ ଧର୍ମ ଭିତ୍ତିକ ରାଷ୍ଟ୍ରପାଇଁ ଅନିବାର୍ଯ୍ୟ। ସେଥିପାଇଁ ଗାନ୍ଧିଜୀ କହିଥିଲେ ନମ୍ରତା, ସରଳ ଜୀବନ, ବିରୋଧି ମତକୁ ସମ୍ମାନ ଜାତି ଗଠନ ପାଇଁ ପ୍ରଧାନ ଉପାଦାନ। ଗାନ୍ଧିଜୀ ନିଜକୁ ସତ୍ୟର ଆଇନାରେ ବାରମ୍ବାର ପରଖୁ ଥିଲେ ଓ ଅନ୍ୟମାନଙ୍କୁ ସେଭଳି କରିବାକୁ ପରାମର୍ଶ ଦେଉଥିଲେ। ତାଙ୍କ ଆତ୍ମ ଜୀବନୀର “ବିଦାୟ” ଅଧ୍ୟାୟରେ ସେ ଅଭିମତ ରଖିଥିଲେ ଯେ ଜଣେ ବ୍ୟକ୍ତିର ଶୁଦ୍ଧତା ତା’ର ଆଖପାଖକୁ ଶୁଦ୍ଧ କରିଦେବ। ସତ୍ୟ ଓ ଶୁଦ୍ଧତା ଉପରେ ଗାନ୍ଧିଜୀଙ୍କ ସ୍ୱପ୍ନର ରାମରାଜ୍ୟ ପର୍ଯ୍ୟବେସିତ, ଯେଉଁଠି ପ୍ରବଞ୍ଚନା, ପ୍ରତାରଣା ଓ ପ୍ରତାପୀ ମନୋଭାବର ସ୍ଥାନ ନାହିଁ।

ପୂର୍ବତନ ଉପବାଚସ୍ପତି, ବିଧାନ ସଭା

ମୋବାଇଲ୍‌-୯୪୩୭୪୧୨୮୭୭

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।