/odisha-reporter/media/post_attachments/uploads/2019/07/7809.jpg)
temple
ସୂର୍ଯ୍ୟମଣି ମିଶ୍ର
ଭଗବାନଙ୍କ ଘରର ଭାଷା ବଡ଼ ଅଦ୍ଭୁତ। ପୂଜାସ୍ଥଳ ହିନ୍ଦୁଙ୍କର ତ ଏହାକୁ ମନ୍ଦିର କହିବାକୁ ହେବ। ଖ୍ରୀଷ୍ଟିଆନ୍ଙ୍କର ଗୀର୍ଜାଘର, ମୁଲମାନଙ୍କର ମସ୍ଜିଦ୍ ଓ ଶିଖ୍ଙ୍କର ଗୁରୁଦ୍ୱାର! ଏହି ଭାବରେ ଧର୍ମ-ଧର୍ମ ଅନୁସାରେ ତାଙ୍କ ପୂଜାସ୍ଥଳ। କଥା ଆଗକୁ ବଢିଲେ ଭଗବାନଙ୍କ ନାମ-ଧାମକୁ ନେଇ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଭଗବାନଙ୍କର ନିଜର ନାମକୁ ନେଇ ସେ ଭାରି ଖୁସି ହୁଅନ୍ତି। ଭଗବାନ ହିନ୍ଦୁ ତ ଭଗବାନ। ଭଗବାନ ମୁସଲମାନ ତ ଆଲ୍ଲା, ଶିଖ୍ ତ ବାହେଗୁରୁ, ଖ୍ରୀଷ୍ଟିଆନ୍ ତ ଗଡ଼୍। ସବୁ ଧର୍ମରେ ସେ ହେଉଛନ୍ତି ଈଶ୍ୱର। ତାଙ୍କୁ ପୂଜା କରିବାର ନିୟମ ମଧ୍ୟ ଆଶ୍ଚର୍ଯ୍ୟଜନକ। ଯଦି ଆପଣ ଈଶ୍ୱରଙ୍କୁ ହିନ୍ଦୁଙ୍କ ପୂଜା ସଂସ୍କୃତି ଶୈଳୀରେ ପୂଜା କରିବେ ତ ତାହାହେଲେ ଗୀର୍ଜା ଘରେ କରିହେବ ନାହିଁ। ଏଥିପାଇଁ ସମସ୍ୟା ଦେଖାଦେବ। ପ୍ରାର୍ଥନା ମସ୍ଜିଦରେ ହେବ ତ ଭାଷାକୁ ନେଇ ଝଗଡ଼ାର ବିପଦ ରହିଛି। ମନ୍ଦିର, ମସ୍ଜିଦ୍, ଗୀର୍ଜା, ଗୁରୁଦ୍ୱାର ସବୁଠି ଭଗବାନଙ୍କୁ ଡାକିବାର ଭାଷା ଭିନ୍ନ ଭିନ୍ନ। ଭଗବାନ ବିଚିତ୍ର। ସେ ଲୌକିକ ପୁଣି ଅଲୌକିକ। ସେ ସବୁବେଳେ ନିରବ, ଭକ୍ତ ବି ବିଚିତ୍ର, ତାଙ୍କୁ ପୂଜା କରିବାର ମାଧ୍ୟମ ମଧ୍ୟ ବିଚିତ୍ର। ଭଗବାନ ଭାରତରେ ତ ତାଙ୍କ ସ୍ୱରୂପ ଭିନ୍ନ, ପାକିସ୍ତାନରେ, ନେପାଳ, ଫିଲିପାଇନ୍ସ, ଶ୍ରୀଲଙ୍କା, ମାଲଦୀପ, ଭୁଟ୍ଟାନ୍, ମିଆଁମାର, ଥାଇଲାଣ୍ଡ, ଭିଏତ୍ନାମ, ଚୀନ୍ ଭଳି ଦେଶମାନଙ୍କରେ ଭଗବାନଙ୍କ ସ୍ୱରୂପ ବଦଳିଯାଏ। ଭକ୍ତ ବଦଳିଯାନ୍ତି। ଭାଷା ବଦଳିଯାଏ। ପୂଜାର ମାଧ୍ୟମ ମଧ୍ୟ ବଦଳିଥାଏ। ଭଗବାନ ସର୍ବଶକ୍ତିମାନ, ସେ ନ୍ୟାୟକାରୀ, ସେ ଅଜନ୍ମା ଏବଂ ନିତ୍ୟ, ସମସ୍ତ ସଂକଟରୁ ରକ୍ଷା କରନ୍ତି। ଏହା ସତ୍ୟ ଯେ, ସର୍ବଶକ୍ତିମାନ ସତ୍ୟ କିନ୍ତୁ ନିର୍ଭର କରନ୍ତି ଭୌତିକ, କ୍ଷୁଦ୍ର ପ୍ରାଣୀଙ୍କ ଉପରେ। ଏହି କ୍ଷୁଦ୍ର ପ୍ରାଣୀଙ୍କ ପାଇଁ ଭଗବାନଙ୍କର ବଡ଼ ଆବଶ୍ୟକତା ରହିଛି।
ଭଗବାନଙ୍କୁ ଡାକିବା ପାଇଁ ଭାଷା ବଦଳିଥାଏ। ସ୍ଥାନର ପରିବର୍ତ୍ତନ ହୁଏ, ସ୍ୱରୂପ ବଦଳିଯାଏ, କେଉଁଠି ଭଗବାନଙ୍କୁ ଘୃତ ଦିଆଯାଏ, କେଉଁଠି ମୁକୁଟ ପିନ୍ଧାଯାଏ। ଭଗବାନଙ୍କ ସମସ୍ତ ଅସ୍ତ୍ର-ଶସ୍ତ୍ରକୁ କ୍ଷୁଦ୍ର ମଣିଷ ଧାରଣ କରିନିଅନ୍ତି। ସମସ୍ତେ ଭଗବାନଙ୍କ ଘରକୁ ଯାଇପାରନ୍ତି ନାହିଁ। ଭଗବାନଙ୍କୁ ସ୍ଥାନେ ସ୍ଥାନେ ବନ୍ଦୀ କରି ନିଜ ଭାଷା ଓ ସ୍ଥାନ ଅନୁଯାୟୀ ତାଙ୍କୁ ପୂଜା କରାଯାଏ। ସଂସ୍କୃତ ଭାଷାରେ ପ୍ରାର୍ଥନା କଲେ ଏହା ଯଦି ମସ୍ଜିଦରେ କରାଯାଏ ପୁଣି ପଦ୍ମାସନରେ ବସି କରାଯାଏ ତେବେ ଆରବର ଭଗବାନ ସଂକଟରେ ପଡ଼ିଯିବେ। ଯଦି କୌଣସି ମନ୍ଦିରରେ ବଜ୍ରାସନରେ ବସି ଆରବୀ ଭାଷାରେ ପ୍ରାର୍ଥନା କରିବ ତ ତେବେ ଭକ୍ତଙ୍କ ପ୍ରାର୍ଥନା ଶୁଣାଯିବନି। ଭକ୍ତଙ୍କ ପୂଜା, ଅର୍ଚ୍ଚନା, କରୁଣା, ବିନମ୍ରତା ଇତ୍ୟାଦିକୁ ବିଚାର କରି ଭଗବାନଙ୍କ ପ୍ରଶଂସାକୁ ଆମଦାନି କରାଯାଏ। ସଂସ୍କାରରେ ଏବଂ ସତ୍କାରରେ ପରିବର୍ତ୍ତନ ନିହାତି ଆବଶ୍ୟକ। ନିଜ ନିଜ ଭାଷାରେ ପ୍ରଶଂସା କରି ଭଗବାନଙ୍କୁ ବନ୍ଦୀ କରାଯାଏ। ଭକ୍ତଙ୍କ ଚାହିଁବା ଅନୁଯାୟୀ ଭଗବାନ ତାଙ୍କ ଭାଷା ବୁଝନ୍ତି, ତାଙ୍କ ଘରେ ରହିବାକୁ ପସନ୍ଦ କରନ୍ତି। ଭଗବାନଙ୍କ ପାଇଁ ଚୌକିଦାରର ଆବଶ୍ୟକତା ପଡ଼େ। ଭଗବାନଙ୍କ ଚିତ୍ର, ମୂର୍ତ୍ତି ଭିନ୍ନ ଭିନ୍ନ। ସ୍ଥାନେ ସ୍ଥାନେ ଭଗବାନଙ୍କ ପାଇଁ ପିସ୍ତଲ, ବନ୍ଧୁକ, ଖଣ୍ଡା ବା ତଲୱାର ଆବଶ୍ୟକ ପଡ଼େ। ଭଗବାନ ଜାତି, ଗୋଷ୍ଠୀ ପାଖରେ ଆବଦ୍ଧ ହୁଅନ୍ତି ବୋଲି ପ୍ରଚାର କରାଯାଏ। ସେ ଜାତି ତିଆରି କରିଛନ୍ତି, ଯେଉଁ ଜାତି ତାଙ୍କୁ ପୂଜା କଲେ ସେ ସନ୍ତୁଷ୍ଟ ହୁଅନ୍ତି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ସତରେ ଭଗବାନ ବିବିଧ ସଂସ୍କୃତି ଏବଂ ଧର୍ମୀୟ ବିଚାର ଆଧାରରେ ସ୍ଥାନ କାଳ ପାତ୍ର ଅନୁଯାୟୀ ଭିନ୍ନ ଭିନ୍ନ ସ୍ୱରୂପରେ ଆବିର୍ଭୂତ ହୁଅନ୍ତି ଏବଂ ଅନ୍ତର୍ଧାନ ହୁଅନ୍ତି। ଭଗବାନଙ୍କର ଅନେକ ରୂପ ସ୍ୱରୂପ ଥିଲେ ହେଁ କେହି ଭଗବାନଙ୍କୁ ଦେଖିଥିବା ଦୃଢତାର ସହ କହିପାରନ୍ତି ନାହିଁ। ଏହା ଯୁକ୍ତି କରାଯାଏ ଯେ, ଭଗବାନ ମଣିଷକୁ ତିଆରି କରିଛନ୍ତି କେବଳ ମଣିଷ ନୁହେଁ, ଜୀବ-ଜନ୍ତୁ, ବୃକ୍ଷ-ଲତା, ଆକାଶ, ପୃଥିବୀ ସବୁ ତାଙ୍କ ସୃଷ୍ଟି। ଏହି ମହାନ୍ ନିର୍ମାତା କିନ୍ତୁ ଦୃଶ୍ୟମାନ ନୁହନ୍ତି। ଏହା ସତ୍ତ୍ୱେ ସେ ଅନ୍ତର୍ଯ୍ୟାମି ଦେହ ଭିତରେ ପରମାତ୍ମା ଭାବରେ ରହିଥିବା ବିଶ୍ୱାସ କରାଯାଏ। ଭଗବାନଙ୍କୁ ନେଇ, ଭଗବାନଙ୍କ ସ୍ୱରୂପକୁ ନେଇ, ଭଗବାନଙ୍କ ପୂଜା ପଦ୍ଧତିକୁ ନେଇ, ଭଗବାନଙ୍କ ବିଶ୍ୱାସ ଓ ଅବିଶ୍ୱାସକୁ ନେଇ ଭଗବାନଙ୍କ ପାଇଁ ତିଆରି ହୋଇଥିବା ପଦ୍ଧତିକୁ ନେଇ କେତେ ସଂଘର୍ଷ କେତେ ରକ୍ତପାତ କାହିଁ କେତେ କାଳରୁ ଚଳିଆସିଛି। ଆଜି ବି ଭଗବାନ ଆଉ ଧର୍ମକୁ ନେଇ ଏବଂ ଏହାର ବିଚାରକୁ ନେଇ ବାଦ-ବିବାଦ-ସମ୍ବାଦ ଚାଲିଛି। ଭଗବାନଙ୍କୁ ନେଇ କେତେ ଆଳାପ, କେତେ ସଂଳାପ, ଆଉ କେତେ ବିଳାପ, କେତେ ଦଙ୍ଗା, କେତେ ହଙ୍ଗାମା ଘଟିଥିଲା ଘଟୁଛି। କିନ୍ତୁ ଭଗବାନ ଅଦୃଶ୍ୟ, ତାଙ୍କ ଉପସ୍ଥିତି ମଧ୍ୟ ଅଦୃଶ୍ୟ। ଏହି ଭଗବାନଙ୍କୁନେଇ ତ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍ ଭଳି ସଂପ୍ରଦାୟ ଜନ୍ମ ନେଇଛି। ଭଗବାନଙ୍କୁ ନେଇ ବୌଦ୍ଧ, ବ୍ରାହ୍ମଣ, ବୈଷ୍ଣବ, ଶୈବ, ମତବାଦ ବି ମୁଣ୍ଡ ଟେକିଥିଲା। ଆଜି ବି ଅନେକ ମତବାଦ ଏହି ଭଗବାନଙ୍କୁ ନେଇ। ଭଗବାନଙ୍କୁ ନେଇ ରକ୍ତପାତ ଓ ସଂଘର୍ଷ ସଂପର୍କରେ ଇତିହାସରୁ ତଥ୍ୟ ମିଳେ। ବୈଚାରିକ ମୁକାବିଲା ବା ଟକ୍କରକୁ ନେଇ କେତେ ବାଦ ବିବାଦ ଚାଲିଥିଲା ଓ ଚାଲୁଛି। ତେବେ ଭଗବାନ ଆଜି ବି ଅଦୃଶ୍ୟ ଏବଂ ଅନୁପସ୍ଥିତ। ସତରେ ଭଗବାନ ଭାଷା ଏବଂ ଭକ୍ତଙ୍କ ପାଖରେ ବନ୍ଧା ପଡ଼ିଛନ୍ତି। ମୁକୁଳି ପାରୁନାହାନ୍ତି ସଂପ୍ରଦାୟରୁ, ମତାନ୍ଧତାଠାରୁ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଦୂରଭାଷ: ୯୪୩୮୦୦୬୨୧୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
