କରୋନା ମୁକାବିଲା- ବିଳମ୍ବରେ ପଦକ୍ଷେପ

ରବି ଦାସ

ରାଜ୍ୟ ସରକାର ବିଳମ୍ବରେ ସୋମବାର ଦିନ କରୋନା ଚିକିତ୍ସା ପାଇଁ ଏକ ନିଷ୍ପତି ନେଇ ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସପିଟାଲରେ ୫୦% ଶଯ୍ୟା ଓ ୮୦ ପ୍ରତିଶତ ଆଇସିୟୁକୁ କୋଭିଡ ପାଇଁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ମ୍ୟୁନିସିପାଲିଟିରେ ଏହି ନିୟମ ଲାଗୁ ହେବା ସହିତ ଆବଶ୍ୟକ ପଡ଼ିଲେ ସଂପୂର୍ଣ୍ଣ ହସପିଟାଲକୁ କୋଭିଡ ହସପିଟାଲରେ ପରିଣତ କରାଯିବ ବୋଲି ନିଷ୍ପତି ହୋଇଛି। ଏଥିରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକ।ର ପୂର୍ବରୁ  ଯେଉଁ ଦର ଧାର୍ଯ୍ୟ କରିଛନ୍ତି ତାହା ଲାଗୁ ହେବ ବୋଲି କୁହାଯାଇଛି।

ଅସଲକଥା ହେଲା ଯେ, ପ୍ରତିଦିନ ବୃଦ୍ଧିପାଇ ରାଜ୍ୟରେ ୧ ଲକ୍ଷ ୫୮ ହଜାର ସଂକ୍ରମିତ ସଂଖ୍ୟା ପହଁଚିଥିବା ସମୟରେ ସୁସ୍ଥ ହୋଇଥିବା ରୋଗୀଙ୍କୁ ବାଦଦେଲେ ୩୫ ହଜାର ୯୨୮ ସକ୍ରିୟ କରୋନା ରୋଗୀ ରହିଛନ୍ତି। ରାଜ୍ୟରେ ଯେଉଁସବୁ କୋଭିଡ ହସପିଟାଲ ପ୍ରସ୍ତୁତ କରାଯାଇଛି ସେଥିରେ ୭ ହଜାରରୁ ୮ ହଜାର ବେଡ ରହିଛି। ଅର୍ଥାତ୍ ଅଧିକାଂଶ ରୋଗୀ ଘରୋଇ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ଭିତରୁ ଯେଉଁମାନଙ୍କର ଅବସ୍ଥା ଗୁରୁତର ରହୁଛି ସେମାନଙ୍କ ପାଇଁ ହସପିଟାଲ ବେଡରେ ସ୍ଥାନ ନାହିଁ। ବିଶେଷ ଭାବରେ ଭୁବନେଶ୍ୱର ଓ କଟକରେ ଯେପରି ରୋଗୀ ସଂଖ୍ୟା ବଢ଼ୁଛି ସେଥିରେ ଅନେକ ରୋଗୀ ଠିକଣା ସମୟରେ ଚିକିତ୍ସା ପାଇପାରୁନାହାନ୍ତି। ଏହି କାରଣରୁ ପ୍ରତିଦିନ କରୋନାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି ଓ ଅନେକ କରୋନା ରୋଗୀ ମୃତ୍ୟୁର ତଥ୍ୟ ମଧ୍ୟ ଲୁଚାଯାଉଛି ବୋଲି ଧାରଣା ହୋଇଛି। ରାଜ୍ୟରେ ଯେଉଁଭଳି ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ସେଥିରେ ବହୁ ଅଧିକ ସଂଖ୍ୟକ ହସପିଟାଲ ବେଡ୍‌ର ଆବଶ୍ୟକତା ରହିଛି। ସେହି ଦୃଷ୍ଟିରୁ କଟକର ଇନଡୋର ଷ୍ଟାଡିୟମ ଓ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ମଧ୍ୟ ସରକାର ଚାହିଁଥିଲେ କୋଭିଡ ହସପିଟାଲରେ ପରିଣତ କରିପାରିଥାନ୍ତେ। କିନ୍ତୁ ଏପରି କିଛି ନିଷ୍ପତି ନନେଇ ଘରୋଇ ହସପିଟାଲ ସଂପର୍କରେ ଯେଉଁ ନିଷ୍ପତି ନେଇଛନ୍ତି ତାହା ଯଥାର୍ଥ ହେଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳିପାରିବ ନାହିଁ।

କୋଭିଡ ହସପିଟାଲ ହେଉ ବା ଘରୋଇ ହସପିଟାଲ ହେଉ ସବୁଠାରେ ଆଇସିୟୁ ବେଡର ଯଥେଷ୍ଟ ଅଭାବ ରହଛି। ପର୍ଯ୍ୟାପ୍ତ ପରିମାଣରେ ଏହିସବୁ ହସପିଟାଲରେ ଅକ୍ସିଜେନ ଉପଲବ୍ଧ ହେଉନାହିଁ। ରାଜ୍ୟ ସରକାର ଟିଏମସି ଓ କୋଭିଡ କେୟାର ସେଂଟର ବନ୍ଦ କରିଦେବା ପରେ ଯଦି ହସପିଟାଲଗୁଡ଼ିକରେ ଆବଶ୍ୟକ ବେଡ, ଅ।ଇସିୟୁ ସୁବିଧା ଓ ଭେଂଟିଲେଟର ଉପଲବ୍ଧ ନହୁଏ ତେବେ ରୋଗୀ ଓ ସେମାନଙ୍କ ପରିବାର ହନ୍ତସନ୍ତ ହେବାକୁ ବାଧ୍ୟ ହେବେ। ପୂର୍ବରୁ ଅନେକ ଘରୋଇ ହସପିଟାଲରେ ଯେଉଁଠାରେ କୋଭିଡ ରୋଗୀ ଚିକିତ୍ସିତ ହେଉଛନ୍ତି ବା ଅନ୍ୟ ରୋଗ ପାଇଁ ଏହିସବୁ ହସପିଟାଲକୁ ଯାଇଛନ୍ତି ସେମାନଙ୍କ ଉପରେ ମନଇଚ୍ଛା ବିଲ ଧାର୍ଯ୍ୟ କରାଯାଇଛି। ଯେହେତୁ ସରକାରୀ ହସପିଟାଲଗୁଡ଼ିକ ଅନ୍ୟ ରୋଗୀମାନଙ୍କୁ ମଧ୍ୟ ହସପିଟାଲରେ ଆଡମିଶନ ଦେଉନାହାନ୍ତି ତେଣୁ ପ୍ରତ୍ୟେକ ଜଟିଳ ରୋଗୀ ଘରୋଇ ହସପିଟାଲ ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଅନେକ ଘରୋଇ ହସପିଟାଲରେ ମଧ୍ୟ ଶଯ୍ୟା ନାହିଁ। ଏହିସବୁ ହସପିଟାଲରେ ଯଦି ୫୦ ଭାଗ ଶଯ୍ୟା କୋଭିଡ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଏ ତେବେ ଅନ୍ୟ ରୋଗୀମାନଙ୍କର ଅବସ୍ଥା ଭୟାନକ ହେବ। ତେଣୁ ରାଜ୍ୟ ସରକାର ସରକାରୀ ହସପିଟାଲଗୁଡ଼ିକରେ ଅନ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ଆଡମିଶନ ବ୍ୟବସ୍ଥାକୁ ମୁକ୍ତ ରଖିବା ନିହାତି ଜରୁରୀ। ଅବଶ୍ୟ କଟକଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ଅନେକ ବଡ଼ ସରକାରୀ ହସପିଟାଲଗୁଡ଼ିକରେ  ଅଧିକାଂଶ ଡାକ୍ତର ବିଭିନ୍ନ ଆଳରେ ହସପିଟାଲକୁ ଆସୁନାହାନ୍ତି। ସେହି କାରଣରୁ ହସପିଟାଲରେ ଅନ୍ୟ ରୋଗୀମାନଙ୍କୁ ଆଡମିଶନ ଦିଆଯାଉନାହିଁ।

କରୋନା ସମୟରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଉଛି। କିନ୍ତୁ ସରକାରୀ ହସପିଟାଲଗୁଡ଼ିକରେ ଡାକ୍ତରମାନଙ୍କର ଆଭିମୁଖ୍ୟକୁ ଦେଖିଲେ ସେମାନେ କରୋନା ଯୋଦ୍ଧା ପରି କାର୍ଯ୍ୟ କରୁଛନ୍ତି ବୋଲି ସହଜରେ ବିଶ୍ୱାସ ହେବନାହିଁ। ଅବଶ୍ୟ ବର୍ତମାନର ସମୟ ଏପରି ହୋଇଛି ଯେ, ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ କାମର ଅଭାବ ନାହିଁ। ସେମାନଙ୍କର ରୋଜଗାର ପୂର୍ବାପେକ୍ଷା ଯଥେଷ୍ଟ ବଢ଼ିଛି। ଏମାନଙ୍କ ଛଡ଼ା ପ୍ରତ୍ୟେକ ପାଥୋଲୋଜିରେ ରୋଗ ପରୀକ୍ଷା ସଂଖ୍ୟା ବଢ଼ିବାରେ ଲାଗିଛି। ଏଣୁ ପ୍ରତ୍ୟେକ ପାଥୋଲୋଜି ଏବେ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ଆୟ କରୁଛନ୍ତି। ଯେଉଁସବୁ ଘରୋଇ ଡାକ୍ତର ଓ ଛୋଟଛୋଟ କ୍ଲିନିକ ପ୍ରଭୃତି ରହିଛି ସେମାନଙ୍କର ଆୟ ମଧ୍ୟ ଏହି ସମୟରେ ଯଥେଷ୍ଟ ବଢ଼ିଯାଇଛି। ପ୍ରତ୍ୟେକ ବ୍ୟକ୍ତି କରୋନା ପାଇଁ ସଚେତନ ହେବା ଫଳରେ ଅନାବଶ୍ୟକ ଭାବରେ ଇମ୍ୟୁନିଟି ବା ଥଣ୍ଡା, ଜ୍ୱର ରୋକିବା ପାଇଁ ଆୟୁର୍ବେଦିକ ଓ ଏଲୋପାଥିକ ମେଡିସିନ ବହୁ ପରିମାଣରେ କିଣୁଛନ୍ତି। ଫଳରେ ଔଷଧ ଦୋକାନୀମାନେ ଏହି ସମୟରେ ବେଶ ଲାଭବାନ ହେଉଛନ୍ତି। ସାଧାରଣ ଲୋକମାନଙ୍କ ଭିତରେ ସାମାନ୍ୟ ସମ୍ବଳ ଥିଲେ ଅକ୍ସିମିଟର ମଧ୍ୟ କିଣାଯାଇ ଅକ୍ସିଜେନସ୍ତର ମପାଯାଉଛି। ରୋଗୀଙ୍କ ସଂଖ୍ୟା ବଢ଼ିବା ଯୋଗୁ ଘରୋଇ ହସପିଟାଲ, ଡାକ୍ତର, ପାଥୋଲୋଜି ଓ ଔଷଧ ଦୋକାନଗୁଡ଼ିକ ଲାଭବାନ ହେଉଥିବାରୁ ଫର୍ମାସ୍ୟୁଟିକାଲସ କମ୍ପାନୀଗୁଡ଼ିକ ରାଜ୍ୟରେ ବେଶ ସକ୍ରିୟ ହୋଇଯାଇଛନ୍ତି। ରାଜ୍ୟରେ ଚଳିତ ମାସ କୋଭିଡ ସଂକ୍ରମଣ ପ୍ରତ୍ୟେକ ଜିଲ୍ଲାକୁ ଏପରି ବ୍ୟାପୁଛି ଯେ, ପ୍ରତ୍ୟେକ ଲୋକ ସଂକ୍ରମିତ ହେବାର ଆଶଙ୍କା କରୁଛନ୍ତି। କେବଳ କଟକ ଭୁବନେଶ୍ୱର ନୁହେଁ, ଢ଼େଙ୍କାନାଳ, ବରଗଡ଼, ରାଉରକେଲା, ମୟୂରଭଂଜ, ବାଲେଶ୍ୱର, ମାଲକାନଗିରି, ନବରଙ୍ଗପୁର, ସମ୍ବଲପୁର, ଭଦ୍ରକ, ଜଗତସିଂହପୁର ପ୍ରଭୃତି ସବୁ ଅଂଚଳରେ କରୋନା ସଂକ୍ରମଣର ଆଶଙ୍କା ବଢ଼ି ବଢ଼ି ଚାଲିଛି। ପ୍ରତ୍ୟେକ ଜିଲ୍ଲାରେ କୋଭିଡ ସଂକ୍ରମଣର ହାରକୁ ଦେଖି କୋଭିଡ ହସପିଟାଲ, ଆଇସିୟୁ ଶଯ୍ୟା, ଓ ଭେଂଟିଲେଟରରର ସୁବିଧା ପାଇଁ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଏ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅସୁବିଧା ଗୁଡ଼ିକ ବିଷୟରେ କେନ୍ଦ୍ର ସରକାରଙ୍କୁ ଜଣାଇ ତୁରନ୍ତ ପ୍ରତିକାର ବ୍ୟବସ୍ଥା ନକଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବେ ନାହିଁ। ପ୍ରଥମରୁ ରାଜ୍ୟ ସରକାର ଯେପରି ଭାବରେ କ୍ୱାରେନଟାଇନ ସେଂଟର ଓ ଟିଏମସି ପ୍ରଭୃତି କରିଥିଲେ ସେଥିରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କୁହାଯାଉଥିଲା। କିନ୍ତୁ ବର୍ତମାନ ସେହି ଅବସ୍ଥା ନାହିଁ। ସଂକ୍ରମଣ ସଂଖ୍ୟା ଆସନ୍ତା ମାସରେ କମିବ ବୋଲି କୌଣସି ଗ୍ୟାରେଂଟି ନାହଁ। ନିଜେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଟିକା ନବାହାରିବା ପର୍ଯ୍ୟନ୍ତ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରକାର ଗାଇଡଲାଇନ ପାଳନ କରିବାକୁ ପଡ଼ିବ ଓ ହସପିଟାଲଗୁଡ଼ିକୁ ସବୁ ଦଷ୍ଟିରୁ ନିୟନ୍ତ୍ରିତ କରିବାକୁ ହେବ। ଓଡ଼ିଶାରେ ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରତିବନ୍ଧକ ରହିଛି। ଏହି ସମୟ ଭିତରେ ଅନଲକ ପ୍ରକ୍ରିୟା ଚାଲିଥିବାରୁ କେତେ କିପରି ଅନଲକ କରାଯାଇପାରିବ ସେ ନେଇ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବା ଜରୁରୀ।

ବରିଷ୍ଠ ସାମ୍ବାଦିକ

ମୋ: ୯୪୩୭୪୦୪୪୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।