କରୋନା କାର୍ଯ୍ୟକ୍ରମ ସଫଳ ହେଉ!

ଦେବେନ୍ଦ୍ର ପୃଷ୍ଟି ସମଗ୍ର ପୃଥିବୀରେ ଏବେ କରୋନାକୁ ନେଇ ଆତଙ୍କ ଖେଳି ଯାଇଛି। କରୋନା ବା କୋଭିଡ-୧୯କୁ ନେଇ ଖେଳି ଯାଇଥିବା ଡର ବା ଭୟ ସହର ବଜାରରୁ ଆରମ୍ଭ କରି ଗାଁ ଗହଳର ଲୋକମାନଙ୍କୁ ମଧ୍ୟ ଆତଙ୍କିତ କରିଛି। ଏହି ଡରରୁ ମୁକ୍ତ ନୁହେଁ ଭାରତ କି ଓଡ଼ିଶା। ରାଜ୍ୟବାସୀଙ୍କୁ କରୋନା ସଂକ୍ରମଣରୁ ମୁକ୍ତ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ଓ ୨୪ ତାରିଖରେ ୨୧ ଦିନିଆ ତାଲାବନ୍ଦ ଘୋଷଣା […]

mou

mou

Debendra Prusty
  • Published: Thursday, 02 April 2020
  • Updated: 02 April 2020, 06:49 PM IST

ଦେବେନ୍ଦ୍ର ପୃଷ୍ଟି

ସମଗ୍ର ପୃଥିବୀରେ ଏବେ କରୋନାକୁ ନେଇ ଆତଙ୍କ ଖେଳି ଯାଇଛି। କରୋନା ବା କୋଭିଡ-୧୯କୁ ନେଇ ଖେଳି ଯାଇଥିବା ଡର ବା ଭୟ ସହର ବଜାରରୁ ଆରମ୍ଭ କରି ଗାଁ ଗହଳର ଲୋକମାନଙ୍କୁ ମଧ୍ୟ ଆତଙ୍କିତ କରିଛି। ଏହି ଡରରୁ ମୁକ୍ତ ନୁହେଁ ଭାରତ କି ଓଡ଼ିଶା। ରାଜ୍ୟବାସୀଙ୍କୁ କରୋନା ସଂକ୍ରମଣରୁ ମୁକ୍ତ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ଓ ୨୪ ତାରିଖରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିଛନ୍ତି। ଓଡ଼ିଶା ସରକାର ଆଗ ୫ ଜିଲ୍ଲାରେ ତାଲାବନ୍ଦ ଘୋଷଣା କରିଥିଲେ। ପରେ ସାରା ରାଜ୍ୟରେ ତାଲାବନ୍ଦ କାର୍ଯ୍ୟକାରୀ ହେଉଛି। ତାଲାବନ୍ଦ ଏକ ଛାନିଆ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ପରେ ଓଡ଼ିଶା ସରକାର କରୋନା ମୁକାବିଲା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପଦକ୍ଷେପ ହେଉଛି କେତେକ ଡାକ୍ତରଖାନା ସହିତ ବୁଝାମଣା ଜରିଆରେ କରୋନା ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ସୃଷ୍ଟି। କିମ୍ସ, ସମ୍‌ ଓ ହାଇଟେକ୍‌ ଆଦି ମେଡିକାଲ କଲେଜ ସମେତ ଡ୍ରିମ୍ସ ସହିତ ମଧ୍ୟ ଏଭଳି ବୁଝାମଣା କରାଯାଇଛି। କିମ୍ସ ଓ ସମ୍‌ରେ ୯୫୦ କରୋନା ରୋଗୀଙ୍କ ସୁବିଧା ପାଇଁ ବେଡ୍‌ ପଡ଼ିବ। ମୋଟ ଉପରେ ଏହି ଚାରିଟି ଅନୁଷ୍ଠାନରେ ୧୧୦୦ ଉପରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ସୁବିଧା ସୃଷ୍ଟି ହେବ। କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ସୁବିଧାର ଆବଶ୍ୟକତା ରହିଛି।

ତେବେ, ଏସବୁ ସୁବିଧା କେନ୍ଦ୍ର ବା ଡାକ୍ତରଖାନାରେ ଯେଉଁ ଡାକ୍ତର ଓ ନର୍ସମାନେ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବେ ସେମାନଙ୍କ ପାଇଁ ଆବଶ୍ୟକ ପର୍ସନାଲ ପ୍ରୋଟେକ୍ସନ ଇକ୍ୱିପମେଣ୍ଟ ଅଧିକ ଜରୁରୀ। କରୋନା ଭୂତାଣୁ ସଂକ୍ରମଣରେ ଚୀନରୁ ଆରମ୍ଭ କରି ଅନେକ ଦେଶରେ ଅନେକେ ଡାକ୍ତରଙ୍କ ମୃତ୍ୟୁ ସମ୍ବାଦ ଆମ ଦେଶର ଅନେକ ଡାକ୍ତରଙ୍କୁ ମଧ୍ୟ ବିଚଳିତ କରିଛି। ତେଣୁ ଅନେକ କ୍ଷେତ୍ରରେ କରୋନା ରୋଗୀଙ୍କୁ ଚିକିତ୍ସା କରିବାକୁ ଡାକ୍ତରମାନେ ଭୟ ପାଉଛନ୍ତି। ଯାହା ହେଲେ ବି ନିଜ ଜୀବନର ଭୟ। ସେହିପରି ରୋଗୀ ଚିକିତ୍ସା ନିମନ୍ତେ ପ୍ରଥମ ଆବଶ୍ୟକତା ହେଉଛି ଟେଷ୍ଟିଂ କିଟ୍‌। ରୋଗୀକୁ କରୋନା ଭୂତାଣୁ ସଂକ୍ରମଣ ଜନିତ ସର୍ଦ୍ଦି ହୋଇଛି କି ନାହିଁ ଜାଣିଲେ ତ ସେହି ଅନୁସାରେ ନିଦାନ ଦିଆଯିବ? ବୁଝାମଣା ଅନୁଯାୟୀ ଓଡ଼ିଶା ଖଣି ନିଗମ ସହାୟତାରେ କିମ୍ସ ଏବଂ ମହାନଦୀ କୋଲ୍‌ ଫିଲ୍‌ଡ ସହାୟତାରେ ସମ୍‌ରେ କରୋନା ରୋଗୀ ଚିକିତ୍ସା କରାଯିବ। ଏହିସବୁ ସହାୟକ ଅନୁଷ୍ଠାନ ବା ରାଜ୍ୟ ସରକାରଙ୍କ ସହାୟତାରେ ହେଉ ବା ସଂପୃକ୍ତ ସୁବିଧା କେନ୍ଦ୍ରଗୁଡ଼ିକର ନିଜନିଜ ଖର୍ଚ୍ଚରେ ପିପିଇ ଓ ଟେଷ୍ଟ କିଟ୍‌ ଆଦିର ସୁବିଧା ନହେଲେ କରୋନା ରୋଗୀ ଚିକିତ୍ସା ଅଧାପନ୍ତରିଆ ରହିପାରେ।

ଖାଲି ବେଡ୍‌ ପଡ଼ିଲେ ଚିକିତ୍ସା ହୁଏ ନାହିଁ। ସେଥିପାଇଁ ଏସବୁ ଆବଶ୍ୟକ ସାଜ ସରଞ୍ଜାମ ସହିତ ଉପଯୁକ୍ତ ଦକ୍ଷତା ସଂପନ୍ନ ଡାକ୍ତର ଓ ନର୍ସଙ୍କର ମଧ୍ୟ ଆବଶ୍ୟକତା ରହିଛି। ଏମିତିରେ ବି ଓଡ଼ିଶାରେ ଡାକ୍ତର ଅଭାବ। କରୋନାକୁ ନେଇ ଯେଉଁ ପରି ଆତଙ୍କ ଖେଳି ଯାଇଛି ଜଣାପଡ଼ୁଛି ଯେମିତି ଓଡ଼ିଶାର ସବୁ ଲୋକଙ୍କୁ ଏହି ଭୂତାଣୁ ଆକ୍ରାନ୍ତ କରିବ। ରାଜ୍ୟର ଏବେ ପ୍ରାୟ ପ୍ରତ୍ୟେକ ଲୋକ ଛାନିଆ। ସେଥିପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ତାଲାବନ୍ଦ ଘୋଷଣାକୁ ଅଧିକାଂଶ ଲୋକ ସମର୍ଥନ କରୁଛନ୍ତି। ଫେସବୁକ୍‌ ପରି ସାମାଜିକ ଗଣମାଧ୍ୟମ ଜରିଆରେ ବି ଏଭଳି ଆତଙ୍କର ପ୍ରସାରଣ ଚାଲିଛି। ଯଦି ରାଜ୍ୟର ୧ ପ୍ରତିଶତ ଲୋକଙ୍କୁ ବି କରୋନା ଭୂତାଣୁ ଆକ୍ରାନ୍ତ କରେ ତେବେ ୪ ଲକ୍ଷ ଉପରେ କରୋନା ରୋଗୀ ବାହାରିବେ। ଯଦି ୧-୩ ମାସ ଭିତରେ ଏହି ରୋଗ ଏତେ ସଂଖ୍ୟକ ଲୋକଙ୍କୁ ବ୍ୟାପେ ତେବେ ସେହି ଅନୁସାରେ ବେଡ୍‌, ଡାକ୍ତର ଓ ସାଜ ସରଞ୍ଜାମ ଇତ୍ୟାଦି ଦରକାର ହେବ। ଏ ଦୃଷ୍ଟିରୁ ଏସବୁ ଚିକିତ୍ସା କେନ୍ଦ୍ର ସମେତ ରାଜ୍ୟ ସରକାର ରାଜ୍ୟର ପ୍ରତି ଜିଲ୍ଲାରେ ଏପରି ସୁବିଧା କେନ୍ଦ୍ର ସୃଷ୍ଟି କରିବା ଦରକାର। କରୋନା ଚିକିତ୍ସାର ସମସ୍ତ ଖର୍ଚ୍ଚ ଯେହେତୁ ସରକାର ବହନ କରିବେ ସେହେତୁ ସରକାରୀ ଅନୁଷ୍ଠାନରେ ସେହି ଅର୍ଥ ବିନିଯୁକ୍ତ ହେଲେ ସରକାରୀ ସ୍ତରରେ ସବୁ ଦିନ ପାଇଁ ଭିତ୍ତିଭୂମି ସୃଷ୍ଟି ହୋଇପାରନ୍ତା।

ତେବେ, ଏଠାରେ ଗୋଟିଏ କଥା ଉପରେ ସବୁ ପକ୍ଷ ଗୁରୁତ୍ୱ ଦେବା ଉଚିତ ଯେ, ରୋଗ ହେବ କାହିଁକି ଯେଉଁଥିପାଇଁ ଚିକିତ୍ସା ଦରକାର ପଡ଼ିବ? ଓଡ଼ିଆରେ ଗୋଟେ କଥା ଚଳେ, କାଦୁଅକୁ ଯିବ କାହିଁକି ଗୋଡ଼ ଧୋଇବ କାହିଁକି? କରୋନା ଭୂତାଣୁ ସଂକ୍ରମଣ ହେଲେ ସିନା ତାହାର ଚିକିତ୍ସା ଦରକାର? ସଂକ୍ରମଣ ସାଇକେଲ ଭାଙ୍ଗିବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ତାଲାବନ୍ଦ ଘୋଷଣା କରିଛନ୍ତି। ଏହି ତାଲାବନ୍ଦ କେତେ ସଫଳ ହୋଇଛି ତାହା ସରକାରୀ ସ୍ତରରେ ସମୀକ୍ଷା ହେଲା ସ୍ପଷ୍ଟ ହେବ। ତାଲାବନ୍ଦ ସମୟରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପ୍ରତିଷ୍ଠିତ ବହୁ ବଡ଼ ବଡ଼ କାରଖାନା ଖୋଲା ରହିଥିବାରୁ ଏବଂ ଅନେକ ଅମାନିଆ ତଥା ଦୁଃସାହସୀ ନାଗରିକ ତାଲାବନ୍ଦ ସର୍ତ୍ତ ଉଲ୍ଲଙ୍ଘନ କରିଥିବାରୁ ଏବେ ଆଶଙ୍କା କରାଯାଉଛି ଯେ ସଂକ୍ରମଣ ସାଇକେଲ ସଂପୂର୍ଣ୍ଣ ଭାଙ୍ଗିନାହିଁ। ଏହାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ତାହା ହେଉଛି ଜାନୁଆରୀ ମାସରୁ ମାର୍ଚ୍ଚ ମଧ୍ୟରେ ବିଦେଶରୁ ଭାରତ ଆସିଥିବା କିମ୍ବା ଫେରିଥିବା ଲୋକଙ୍କ ଉପରେ ଆବଶ୍ୟକ ନିୟନ୍ତ୍ରଣ ଜାରି କରାଯାଇ ନାହିଁ। ସେମାନଙ୍କୁ ଏହି ସମୟ ମଧ୍ୟରେ ଏକାନ୍ତବାସରେ ରଖିଥିଲେ ସଂକ୍ରମଣ ବ୍ୟାପି ନଥାନ୍ତା। ସେମାନଙ୍କୁ ଛାଡ଼ି ଦିଆଯିବାରୁ ସଂକ୍ରମଣ ବ୍ୟାପିଥିବାର ଆଶଙ୍କା କରାଯାଉଛି। କାରଣ କରୋନା ଭୂତାଣୁଟି ଚୀନରୁ ସୃଷ୍ଟି ହୋଇ ବିଭିନ୍ନ ଦେଶକୁ ବ୍ୟାପିଛି। ଏହି କାରଣରୁ ଓଡ଼ିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

କିନ୍ତୁ, ସୁଖର କଥା ଏଯାଏଁ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନଗଣ୍ୟ ରହିଛି। ଏଯାଏଁ ମାତ୍ର ୬ ଜଣଙ୍କ ଦେହରେ କରୋନା ଭୂତାଣୁର ସନ୍ଧାନ ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଲେଣି। ଅନ୍ୟ ୫ ଜଣ ଚିକିତ୍ସାଧୀନ। ଭଗବାନ କରନ୍ତୁ, ଓଡ଼ିଶାର ଆଉ କେହି କରୋନା ସଂକ୍ରମିତ ନହୁଅନ୍ତୁ, ରୋଗୀ ସଂଖ୍ୟା ବୃଦ୍ଧି ନପାଉ। ସୃଷ୍ଟି ହୋଇଥିବା ସୁବିଧା ସବୁ ଅବ୍ୟବହୃତ ପଡ଼ୁ ପଛରେ ଲୋକମାନେ କରୋନା ପୀଡ଼ିତ ନହୁଅନ୍ତୁ। ସମସ୍ତ ଓଡ଼ିଶାବାସୀ କରୋନା-ମୁକ୍ତ ରହନ୍ତୁ ବୋଲି ଆଶା କରାଯାଉ। ଆଶା କରାଯାଉ ଓଡ଼ିଶାର ଲୋକେ ସୁସ୍ଥ ଓ ନିରାମୟ ରହନ୍ତୁ। ତଥାପି ଆପଦକାଳୀନ ପରିସ୍ଥିତିର ମୁକାବିଲା କରିବାକୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ହେଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos