ଇତି ମଧ୍ୟରେ ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ବର୍ଷର ବଜେଟ ଉପସ୍ଥାପିତ କରିଛନ୍ତି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭାର ମଧ୍ୟ ନିର୍ବାଚନ ହେବାକୁ ଯାଉଥିବାରୁ ଏହି ବଜେଟକୁ ସରକାରଙ୍କ ଚଳିତ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ବୋଲି କୁହାଯାଇପାରେ। ସେହି କାରଣରୁ ଚଳିତ ବଜେଟ୍ ନେଇ ରାଜ୍ୟବାସୀ ସରକାରଙ୍କଠାରୁ ଅନେକ ଆଶା କରୁଥିଲେ। କିନ୍ତୁ ଏହି ବଜେଟ ସେହିଭଳି ଲୋକଙ୍କ ପାଇଁ ନିରାଶାଜନକ ହୋଇଛି। ଯଦିଓ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଚଳିତ ବଜେଟରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ପରି ସମାଜର କିଛି ଖାସ୍ ଗୋଷ୍ଠୀଙ୍କୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି କିନ୍ତୁ ସାମଗ୍ରିକ ଭାବେ ଏହା ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ କରିବା ଦିଗରେ ବିଫଳ ହୋଇଛି।
ଚଳିତ ବର୍ଷ ବଜେଟରେ ସରକାର ମୋଟ ୨.୩୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଗତବର୍ଷର ବ୍ୟୟବରାଦ ଦୁଇ ଲକ୍ଷ କୋଟି ତୁଳନାରେ ଏହା ଅଧିକା ହେଲେ ବି କୌଣସି ମତେ ଆଖିଦୃଶିଆ ନୁହେଁ। ବଜାରର ଦରବୃଦ୍ଧିକୁ ଦେଖିଲେ ବ୍ୟୟବରାଦରେ ଏହି ବୃଦ୍ଧିକୁ ସ୍ୱାଭାବିକ ବୋଲି କୁହାଯିବ। ତେବେ ରାଜ୍ୟ ସରକାରଙ୍କ ନିଜସ୍ୱ ଟିକସ ଆୟରେ ବୃଦ୍ଧି, ଖଣିଜ ସମ୍ପଦର ରୟାଲିଟି ବାବଦରେ ସଂଗୃହୀତ ଆୟରେ ବୃଦ୍ଧି ତଥା କେନ୍ଦ୍ର ଟିକସରୁ ରାଜ୍ୟର ଭାଗ ବାବଦରେ ମିଳିବାକୁ ଥିବା ରାଶିରେ ହେବାକୁ ଥିବା ସମ୍ଭାବିତ ବୃଦ୍ଧି କାରଣରୁ ସରକାରଙ୍କ ବଜେଟ୍ ଆୟରେ ବୃଦ୍ଧି ହୋଇଛି ବୋଲି କୁହାଯାଇପାରେ। କିନ୍ତୁ ରାଜ୍ୟ ସରକାର ଏହାକୁ ଅଭୂତପୂର୍ବ ବୃଦ୍ଧି ବୋଲି ଦାବି କରିବା ସହ ନବୀନ ସରକାରଙ୍କ ଗତ ୨୩ ବର୍ଷର ଶାସନ କାଳରେ ବଜେଟର କଳେବରଟି ୩୫୩୮ କୋଟିରୁ ୩୫ ଗୁଣ ବୃଦ୍ଧି ପାଇ ୨.୩ ଲକ୍ଷ କୋଟିରେ ପହଂଚିଛି ବୋଲି କହିଛନ୍ତି।
କୃଷିକ୍ଷେତ୍ର ପ୍ରତି ସରକାରଙ୍କ ଅବହେଳା ବଜେଟରେ ସ୍ପଷ୍ଟ ଉଜାଗର ହୋଇଛି। ଯଦିଓ ସରକାର ଚଳିତ ବଜେଟରେ କୃଷି ପାଇଁ ଗତବର୍ଷ ତୁଳନାରେ ଏହାର ୧୧% ଅଧିକ ଅର୍ଥାତ୍ ୨୪,୮୨୯ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ବୋଲି କହିଛନ୍ତି। କିନ୍ତୁ ରାଜ୍ୟର କୃଷି କ୍ଷେତ୍ରର ଆବଶ୍ୟକତା ତୁଳନାରେ ଏହି ରାଶି ବହୁତ କମ୍ ବୋଲି କୁହାଯାଇପାରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୩ ମସିହାରୁ ସରକାର ସ୍ୱତନ୍ତ୍ର ଭାବେ କୃଷି ବଜେଟ୍ ଘୋଷଣା କରୁଥିଲେ ବି ରାଜ୍ୟର କୃଷକମାନଙ୍କ ଆର୍ଥିକ ସ୍ଥିତିରେ ସେଭଳି କୌଣସି ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳିନି। ରାଜ୍ୟରେ କୃଷି ପାଇଁ ଆବଶ୍ୟକୀୟ ଗୋଦାମ, ଶୀତଳ ଭଣ୍ଡାର, ଜଳସେଚନର ବ୍ୟବସ୍ଥା, ବଜାର ପ୍ରାଙ୍ଗଣ ଆଦି କୃଷି ଭିତ୍ତିଭୂମିରେ ବିକାଶ କରିବାରେ ମଧ୍ୟ ସରକାର ଏକଦମ୍ ବିଫଳ ପ୍ରମାଣିତ ହୋଇଛନ୍ତି।
ଚଳିତ ବଜେଟରେ ମଧ୍ୟ ରାଜ୍ୟରେ କୃଷି ଭିତ୍ତିଭୂମି ବାବଦରେ ସରକାରଙ୍କ ବ୍ୟୟବରାଦ ଏକଦମ୍ ନିରାଶଜନକ ରହିଛି। ଯଦିଓ ସରକାର କୃଷି ପାଇଁ ବ୍ୟୟଭାର ବୃଦ୍ଧି କରିଛନ୍ତି ବୋଲି ଦାବି କରିଛନ୍ତି। କିନ୍ତୁ ସରକାରଙ୍କ କୃଷି ସମ୍ପର୍କିତ ମୁଖ୍ୟ ଯୋଜନାଗୁଡ଼ିକୁ ଦେଖିଲେ ତାହା ଜଣାପଡ଼ୁନାହିଁ। ରାଜ୍ୟର ମୋଟ ୪୧.୮ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୮.୬୯ ଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବହୁ ପ୍ରଚାରିତ “କାଳିଆ” ଯୋଜନାରେ ବ୍ୟୟବରାଦକୁ ଗତବର୍ଷ ତୁଳନାରେ ହ୍ରାସ କରିଛନ୍ତି। ଗତବର୍ଷ ୧୯୭୮.୯୬ କୋଟି ଥିବା ବେଳେ ଚଳିତ ବର୍ଷ ତାହା ୧୮୭୯ କୋଟିକୁ ହ୍ରାସ ପାଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାବଦରେ ସରକାର ଗତବର୍ଷ ୬୦୦ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ତାକୁ ସ୍ଥିର ରଖିଛନ୍ତି। ଯଦି ବଜେଟର ହାର ହିସାବରେ ଦେଖାଯିବ, ତାହେଲେ ଫସଲ ବୀମା ବାବଦରେ ସରକାର ଗତବର୍ଷ ୦.୩% ବ୍ୟୟବରାଦ କରିଥିବା ବେଳେ ଚଳିତ ବର୍ଷ ତାକୁ ମୋଟ ବଜେଯର ୦.୨୬%କୁ ହ୍ରାସ କରିଛନ୍ତି।
କୃଷି ବିଶେଷ କରି ଜଳସେଚନ ନେଇ ବଡ଼ ବଡ଼ ଘୋଷଣା ସତ୍ତ୍ୱେ ରାଜ୍ୟ ସରକାର ଏଯାଏଁ ରାଜ୍ୟର ଅଧିକାଂଶ ଜମିକୁ ପାଣି ଯୋଗାଇବାରେ ସକ୍ଷମ ହୋଇପାରିନାହାନ୍ତି। ପଞ୍ଜାବରେ ଆମଠାରୁ କମ୍ ବର୍ଷା ହେଉଥିଲେ ମଧ୍ୟ ସରକାରଙ୍କ ରାଜନୈତିକ ଇଛାଶକ୍ତି କାରଣରୁ ସେଠାକାର ୯୮% ଜମି ଜଳସେଚିତ ହୋଇପାରିଥିବା ବେଳେ ଆମ ରାଜ୍ୟରେ କିନ୍ତୁ ଗତ ୭୫ ବର୍ଷ ମଧ୍ୟରେ ମାତ୍ର ୩୭% ଜମି ହିଁ ଏଯାଏଁ ଜଳସେଚିତ ହୋଇପାରିଛି। ଯଦି ସରକାର ବଜେଟରେ ଜଳସେଚନ ପାଇଁ ବ୍ୟୟବରାଦକୁ ବଢ଼େଇ ରାଜ୍ୟର କମ୍ ସେ କମ୍ ୫୦ ଭାଗ ଜମିକୁ ଜଳସେଚିତ କରିପାରନ୍ତେ ତାହେଲେ ସେହି ଏକା ଜମିରେ ବର୍ଷକୁ ଗୋଟିଏ ଫସଲ ବଦଳରେ ଦୁଇଟି ବା ତିନୋଟି ଫସଲ ଅମଳ ହୋଇ ଆମର କୃଷି ଉତ୍ପାଦନ ଓ ଚାଷୀଙ୍କର ଆୟରେ ଆଖିଦୃଶିଆ ବୃଦ୍ଧି ହୋଇପାରନ୍ତା। ଏପରିକି ଗ୍ରାମାଞ୍ଚଳରେ ରହୁଥିବା କୃଷି ଶ୍ରମିକମାନେ ବର୍ଷକୁ କମ୍ ସେ କମ୍ ୫-୬ ମାସ ଯାଏଁ କାମ ପାଇଥାନ୍ତେ। କିନ୍ତୁ ପରିତାପର ବିଷୟ ସରକାର ଚଳିତ ବଜେଟରେ ଜଳସେଚନ ବାବଦରେ ବହୁତ କମ୍ ବ୍ୟୟବରାଦ କରିଛନ୍ତି। ଏଥିରେ ନିଶ୍ଚିତ ଜଳସେଚନ ପାଇଁ ଉଦ୍ଦିଷ୍ଟ ସୌରା ଜଳନିଧି ପ୍ରକଳ୍ପ ବାବଦରେ ୨୫୦ କୋଟି, ପାର୍ବତୀ ଗିରି ଉଠା ଜଳସେଚନ ଯୋଜନାରେ ୫୦୦ କୋଟି ଏବଂ କ୍ଷୁଦ୍ର ଜଳସେଚନ ପାଇଁ ମାତ୍ର ୪୫ କୋଟି ଓ ୪୫୦ଟି ଚେକ୍ଡ଼୍ୟାମ୍ ପାଇଁ ମାତ୍ର ୧୮୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ରାଜ୍ୟରେ ଧାନ ସମେତ ଅନ୍ୟ ଫସଲରେ ବି ଚାଷୀମାନେ ଲଗାତାର ଅଭାବୀ ବିକ୍ରୀର ଶିକାର ହୋଇ ଆସିଛନ୍ତି। ନିକଟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଟମାଟ ଓ ବନ୍ଧାକୋବିର ଅତ୍ୟଧିକ ଦରହ୍ରାସ ଯୋଗୁଁ ତାକୁ ଅମଳ ନକରି ନିଜ ଜମିରେ ହିଁ ନଷ୍ଟ କରିଦେବା ଦେଖିବାକୁ ମିଳିଛି। ଯଦି ଆବଶ୍ୟକତା ମୁତାବକ ରାଜ୍ୟରେ ଯଥେଷ୍ଟ ପରିମାଣର ଶୀତଳ ଭଣ୍ଡାର ରହିଥାନ୍ତା, ତାହେଲେ ଚାଷୀ ତାକୁ ସାଇତି ରଖି ଭଲ ଦର ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତା। ସେହିପରି ରାଜ୍ୟରେ ଛତିଶଗଡ଼ ଓ ପଞ୍ଜାବ ପରି ଯଦି ସବୁ ଅଞ୍ଚଳରେ ସମସ୍ତ ସୁବିଧା ରହିଥିବା ଅତ୍ୟାଧୁନିକ ମଣ୍ଡି ଓ ଗୋଦାମର ବ୍ୟବସ୍ଥା ଥାଆନ୍ତା, ତାହେଲେ ରାଜ୍ୟର ଧାନଚାଷୀ କଟନୀ ଓ ଛଟନୀ ନାଁରେ ମିଲର୍ମାନଙ୍କ ଶୋଷଣର ଶିକାର ହୁଅନ୍ତେନି। କିନ୍ତୁ ପରିତାପର ବିଷୟ ସରକାର ଚଳିତ ବଜେଟରେ କୌଣସି ନୂତନ ମଣ୍ଡି କିମ୍ବା ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଘୋଷଣା କରିନାହାଁନ୍ତି। ସବୁଠାରୁ ବଡ଼ କଥା ହେଲା, ରାଜ୍ୟର ପ୍ରମୁଖ ଫସଲ ହୋଇଥିଲେ ବି ସରକାର ଚାଷୀକୁ ଧାନର ସରକାରୀ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବାରେ ଲଗାତାର ବିଫଳ ହୋଇଛନ୍ତି। ଚାଷୀଙ୍କ ପାଇଁ କାନ୍ଦୁଥିବା ରାଜ୍ୟ ସରକାର ରାଜ୍ୟର ଧାନଚାଷୀଙ୍କ ପାଇଁ ବଜେଟରେ କୌଣସି ବୋନସ୍ ଘୋଷଣା କରିନାହାନ୍ତି। କେବଳ ଧାନର ସହାୟକ ମୂଲ୍ୟ ପାଇବାରେ ସହଯୋଗ ବାବଦରେ ୨୦୦୦ କୋଟି ଟଙ୍କାର ଯେଉଁ ରିଭଲଭିଂ ଫଣ୍ଡ୍ ଗଠନ କରିଛନ୍ତି ତାହା ରାଜ୍ୟର ଧାନଚାଷୀଙ୍କ ସମସ୍ୟାକୁ ଦୂର କରିବାରେ ଯେ ସକ୍ଷମ ହେବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ।
ରାଜ୍ୟ ସରକାରଙ୍କ ଚଳିତ ବଜେଟରେ ସାମାଜିକ କ୍ଷେତ୍ରରେ ବ୍ୟୟବରାଦରେ ବୃଦ୍ଧି ଦେଖାଯାଇନି। ସରକାର ଯଦିଓ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବାପେକ୍ଷା ଅଧିକ ବ୍ୟୟବରାଦ କରିଛନ୍ତି ବୋଲି ଦାବି କରିଛନ୍ତି। କିନ୍ତୁ ଏ କ୍ଷେତ୍ରରେ ବ୍ୟୟବରାଦର ହାରକୁ ଦେଖିଲେ ଗତ ବଜେଟ୍ ତୁଳନାରେ କମ୍ ରହିଛି। ଉଦାହରଣ ସ୍ୱରୂପ ଗତ ବଜେଯରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବ୍ୟୟବରାଦ ମୋଟ ବଜେଟ ବ୍ୟୟର ୧୦.୩୨% ରହିଥିବା ବେଳେ ଚଳିତ ବଜେଟରେ ତାହା ୯.୭୯%କୁ ହ୍ରାସ ପାଇଛି।
ରାଜ୍ୟର ପ୍ରାୟ ୨୭% ଅର୍ଥାତ୍ ୧.୨୨ କୋଟି ଲୋକ ଗରିବୀ ଭିତରେ ରହିଥିବା ବେଳେ ଏବଂ ଏକ ବଡ଼ ଭାଗ ଶିଶୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ୨୦୧୯-୨୦ର ରିପୋର୍ଟ ଅନୁଯାୟୀ ରାଜ୍ୟର ୨୯.୭% ଶିଶୁ ପୁଷ୍ଟିହୀନତାର ଶିକାର ବେଳେ ରାଜ୍ୟରେ ୯୫ ଲକ୍ଷ ପରିବାର ଟଙ୍କିକିଆ ଚାଉଳରେ ବଂଚିଛନ୍ତି। ସ୍ପୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବାବଦରେ ସରକାର ଶେଷ ଥର ପାଇଁ ୨୦୧୫ରେ ଅନୁଦାନରେ ସାମାନ୍ୟ ବୃଦ୍ଧି କରିଥିଲେ ମଧ୍ୟ ଗତ ୮ ବର୍ଷ ଧରି ସେଥିରେ ପଇସାଟିଏ ବି ବଢ଼ାଇ ନଥିବା ଜଣାପଡ଼ିଛି। ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ବାବଦରେ ରାଜ୍ୟର ପ୍ରାଥମିକ ଶ୍ରେଣୀର ପିଲାମାନେ ମୁଣ୍ଡ ପିଛା ମାତ୍ର ୫.୪୨ ଟଙ୍କା ଓ ହାଇସ୍କୁଲ ପିଲାଙ୍କ ପାଇଁ ୮.୧୦ ଟଙ୍କା ଅନୁଦାନ ଦେଉଛନ୍ତି। ଏଭଳି ପରିସ୍ଥିତିରେ ସରକାର ବଜେଟ୍ରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବାବଦରେ ଅଧିକ ଅନୁଦାନ ଘୋଷଣା କରିବେ ବୋଲି ଯେଉଁ ଆଶା କରାଯାଉଥିଲା, ସେଥିରେ ନିରାଶ ହେବାକୁ ପଡ଼ିଛି।
ସେହିପରି ସରକାରଙ୍କ ଅନୁସୂଚୀତ ଜାତି, ଜନଜାତି ଓ ପଛୁଆ ବର୍ଗ ବିକାଶ ବିଭାଗ ପକ୍ଷରୁ ପରିଚାଳିତ ବିଭିନ୍ନ ସ୍କୁଲର ଛାତ୍ରାବାସରେ ରହି ପାଠ ପଢ଼ୁଥିବା ରାଜ୍ୟର ଅନୁସୂଚୀତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ଖାଇବା ଓ ଅନ୍ୟାନ୍ୟ ସୁବିଧା ବାବଦରେ ମୁଣ୍ଡପିଛା ମାସିକ ମାତ୍ର ୭୫୦ ଟଙ୍କା ଓ ବାଳିକା ଅନ୍ତେଃବାସୀମାନଙ୍କୁ ମାସିକ ୫୦ ଟଙ୍କା ପ୍ରସାଧାନ ଓ ସେନିଟାରୀ ସାମଗ୍ରୀକୁ ମିଶାଇ ମୋଟ ୮୦୦ ଟଙ୍କା ପ୍ରଦାନ କରୁଛନ୍ତି। ୨୦୧୫ ମସିହାରେ ଶେଷ ଥର ପାଇଁ ଏହାକୁ ୬୦୦ ଟଙ୍କାରୁ ୭୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଇତି ମଧ୍ୟରେ ଖାଦ୍ୟ ପଦାର୍ଥର ଦରଦାମ୍ ଆକାଶଛୁଆଁ ହୋଇଥିଲେ ମଧ୍ୟ ସରକାରଙ୍କ ଉପରୋକ୍ତ ଅନୁଦାନ ରାଶିରେ କୌଣସି ବୃଦ୍ଧି କରାଯାଇନି। ସେଥିମଧ୍ୟରୁ ୨୬ ଟଙ୍କା ପିଲାଙ୍କ ତେଲ, ସାବୁନ, ମନୋରଞ୍ଜନ ଖର୍ଚ୍ଚ ବାବଦରେ ଉଦ୍ଦିଷ୍ଟ ଥିବା ବେଳେ ବଳକା ୭୨୪ ଟଙ୍କା ଖାଦ୍ୟ ବାବଦରେ ଖର୍ଚ୍ଚ କରିବାକୁ କୁହାଯାଇଛି। ସପ୍ତାହକୁ ଦୁଇ ଥର ହିସାବରେ ମାସିକ ଆଠ ଥର ଆମିଷ ପାଇଁ ମାତ୍ର ୮୪ ଟଙ୍କା ବରାଦ କରାଯାଇଛି। ଯଦି ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ସରକାରୀ ଅନୁଦାନକୁ ଦିନ ପିଛା ହିସାବ କରାଯାଏ ତାହେଲେ ତାହା ଦୈନିକ ୨୪ ଟଙ୍କା ପଡ଼ୁଛି। ଏହି ୨୪ ଟଙ୍କାରେ ପିଲାଙ୍କୁ ଦୈନିକ ଦୁଇ ଓଳା ଖାଦ୍ୟ ସହ ସକାଳ ଜଳଖିଆ ଦିଆଯାଉଛି। ଜଳଖିଆ ବାବଦରେ ଦୈନିକ ୫ ଟଙ୍କାକୁ ବାଦ ଦିଆଗଲେ ପ୍ରତି ଓଳିର ଭୋଜନ ପିଛା ସରକାରୀ ଅନୁଦାନ ମାତ୍ର ୧୦ ଟଙ୍କା ରହିଛି। ଏଭଳି ପରିସ୍ଥିତିରେ ସରକାର ବଜେଟରେ ପିଲାଙ୍କ ପାଇଁ ଅନୁଦାନକୁ ବଢ଼େଇବା ବଦଳରେ କେବଳ ପ୍ରତି ସପ୍ତାହରେ ଚାରି ଦିନ ଅଣ୍ଡା ଏବଂ ଗୋଟିଏ ଦିନ ମାଛା/ଚିକେନ୍ ଯୋଗାଇ ଦେବା ପାଇଁ ଅତିରିକ୍ତ ୧୦୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
ଚଳିତ ବଜେଟରେ ସରକାର ରାଜ୍ୟର ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷା ପାଇଁ ବ୍ୟୟବରାଦରେ କୌଣସି ବୃଦ୍ଧି କରିନାହାନ୍ତି। ରାଜ୍ୟରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାର ପରିମାଣ ମାତ୍ର ୫୦୦ ଟଙ୍କା ସୀମିତ ରହିଥିବା ବେଳେ ଭିନ୍ନକ୍ଷମ ଭତ୍ତା ମାତ୍ର ୭୦୦ ରହିଛି। ଅନେକ ବର୍ଷ ଧରି ଏହି ପରିମାଣ ୩୦୦ ଟଙ୍କା ରହିଥିବା ବେଳେ ସେଥିରେ ରାଜ୍ୟ ସରକାରଙ୍କ ଭାଗଟି ମାତ୍ର ୧୦୦ ଟଙ୍କା ଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିଜର ଅଂଶକୁ ୩୦୦ ଟଙ୍କାକୁ ବୃଦ୍ଧି କରିଥିବା ବେଳେ କେନ୍ଦ୍ର ସରକାର ନିଜର ଅଂଶକୁ ୨୦୦୮ ମସିହାଠାରୁ ଆଦୌ ବଢ଼ାଇ ନାହାନ୍ତି। ତେବେ ରାଜ୍ୟ ସରକାରଙ୍କ ଉପରୋକ୍ତ ବୃଦ୍ଧି ଫଳରେ ଭତ୍ତାର ପରିମାଣ ୫୦୦ ଟଙ୍କାକୁ ବୃଦ୍ଧି ପାଇଥିଲେ ମଧ୍ୟ ତାହା ନାମକୁ ମାତ୍ର ବୋଲି କୁହାଯାଇପାରେ। ସମାଜରେ ନିଜର ବୃଦ୍ଧାବସ୍ଥାରେ ସମ୍ମାନର ସହିତ ବଂଚିବା ପାଇଁ ସମାଜର ସମସ୍ତଙ୍କୁ ଏକ ସମ୍ମାନଜନକ ପେନସନ ଦରକାର ଥିବା ବେଳେ ସରକାର ଆଜିର ଦିନରେ ତାକୁ ମାସିକ ୫୦୦ ଟଙ୍କା ପେନସନ୍ ବୋଲି କହି ଦେବା ଲଜ୍ଜାଜନକ ମନେହୁଏ। ଅଥଚ ଆମର ପଡ଼ୋଶୀ ଆନ୍ଧ୍ର ସରକାର ନିଜର ନାଗରିକମାନଙ୍କ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ନାଁରେ ମାସିକ ୨୭୫୦ ଟଙ୍କା ପେନସନ୍ ଦେଉଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ବଜେଟ୍ ଉପରୋକ୍ତ ଗୋଷ୍ଠୀଙ୍କ ପାଇଁ ନିରାଶଜନକ ହୋଇଛି।
ଓଡ଼ିଶା ସରକାରଙ୍କ ୨୦୨୩-୨୪ର ବଜେଟ୍ ଯଦିଓ ସରକାରୀ ଦଳର ନିର୍ବାଚନୀ ଲାଭକୁ ଆଖି ଆଗରେ ରଖି କରାଯାଇଛି। କିନ୍ତୁ ତାହା ରାଜ୍ୟର ସାଧାରଣ ଜନତାଙ୍କ ପ୍ରକୃତ ସମସ୍ୟାକୁ ସମ୍ବୋଧନ କରିବାରେ ବିଫଳ ହୋଇଛି।
ଭାଲଚନ୍ଦ୍ର ଷଡ଼ଙ୍ଗୀ
ଫୋନ ନଂ - ୯୪୩୭୧୬୬୩୯୧
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।