Advertisment

କହିଲେ କୁଳ କୁଟୁମ୍ବକୁ ଲାଜ

ଇତିହାସ ସାକ୍ଷୀ ଅଛି, ବ୍ୟକ୍ତିକୁ ବହୁକାଳ ପର୍ଯ୍ୟନ୍ତ ବଞ୍ଚିତ, ଅବହେଳିତ, ଉପେକ୍ଷିତ ରଖା ଯାଇପାରେନି. ବ୍ୟକ୍ତି ତାରି ଭଳି ଉପେକ୍ଷିତମାନଙ୍କ ସହ ଯୋଡ଼ି ହୋଇଯାଏ ଓ ତଥାକଥିତ ସମାଜକୁ ଵୃଦ୍ଧାଙ୍ଗୁଷ୍ଠି ଦେଖାଇ ନିଜର ସମାଜ ତିଆରି ଆରମ୍ଭ କରେ। ସେଇଠୁ ହିଁ ବୁଦ୍ଧ, ମାର୍ଟିନ ଲୁଥର, ଆମ୍ବେଦକରମାନେ ଜନ୍ମ ନିଅନ୍ତି।

author-image
Debendra Prusty
Neglected Caste

Neglected Caste

କେ. ଆର. ନାରାୟଣନ ଭାରତର ରାଷ୍ଟ୍ରପତି ହେଲା ପରେ ତାଙ୍କ ରାଜ୍ୟ କେରଳରେ ଏକ ଗୁଲି/କଟାକ୍ଷ ଲୋକପ୍ରିୟ ହୋଇଥିଲା। ସେଇଟି ହେଲା ଜାନୁୟାରୀ ଛବିଶରେ ନାରାୟଣନ ପତାକା ଉତ୍ତୋଳନ ନକରି ପତାକା ଖମ୍ବ ଉପରେ ଚଢ଼ିଯିବେ। ଯିଏ ଏହାକୁ ବୁଝି ପାରୁଥିଲା ସେ ହସି ଦେଉଥିଲା। ଯିଏ ନବୁଝି ପାରୁଥିଲା ସିଏ କାରଣ ପଚାରୁଥିଲା। ଉତ୍ତରରେ ତାକୁ କୁହା ଯାଉଥିଲା ଯେ ନାରାୟାଣନଙ୍କ ପୂର୍ବ ପୁରୁଷ ବା ସେ ଯେଉଁ ଜାତିରୁ ଆସନ୍ତି ସେହି ଜାତିର ଲୋକମାନେ ନଡ଼ିଆ ଓ ତାଳ ଗଛରେ ଚଢ଼ି ନଡ଼ିଆ ବା ତାଳ ପାରି ଜୀବିକା ନିର୍ବାହ କରନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ନାରାୟାଣନ ଭାରତର ପ୍ରଥମ ଦଳିତ ରାଷ୍ଟ୍ରପତି। ସେ ରାଷ୍ଟ୍ରପତି ହେଲା ବେଳକୁ କେରଳ ଭାରତର ସର୍ବାଧିକ ସାକ୍ଷର ରାଜ୍ୟ ହୋଇ ସାରିଥିଲା ଏବଂ ରାଷ୍ଟ୍ରପତି ହେବା ପୂର୍ବରୁ ଜଣେ ସଫଳ ରାଷ୍ଟ୍ରଦୂତ ଓ ଚିନ୍ତକ ଭାବେ ନାରାୟଣନ ନିଜର ପରିଚୟ ସୃଷ୍ଟି କରି ସାରିଥିଲେ।

Advertisment

ଏବେ ଆସିବା ଆଉ ଏକ ଉଦାହରଣକୁ। ଆପଣ ଅନେକ ସମୟରେ ଛାତ୍ରଛାତ୍ରୀ, କର୍ମଚାରୀ କିମ୍ବା ବିଭିନ୍ନ ଗୋଷ୍ଠୀ ଆନ୍ଦୋଳନ କରୁଥିବାର ଦେଖିଥିବେ। ସ୍ଲୋଗାନ, ଧାରଣା, ଶୋଭାଯାତ୍ରା ଭଳି ପାରମ୍ପରିକ କାର୍ଯ୍ୟ ସହ ବେଳେ ବେଳେ ସେମାନଙ୍କୁ ପ୍ରତିବାଦର ସ୍ୱରୂପ ଭାବେ ଜୋତା ପାଲିସ, ରାସ୍ତାରେ ଝାଡୁ ମାରିବାର ଦେଖିଥିବେ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧ ବା ବିକ୍ଷୋଭ କରିବାର ଅଧିକାର ସମସ୍ତଙ୍କର। ମାତ୍ର ଜୋତା ପାଲିସ, ରାସ୍ତାରେ ଝାଡୁ ମାରିବାକୁ ଯେତେବେଳେ ନିଜ ଅସନ୍ତୋଷ ପ୍ରକାଶର ମାଧ୍ୟମ ଭାବେ ବ୍ୟବହାର କରୁ, ସେତେବେଳେ ଆମେ ଜାଣତ ବା ଅଜାଣତରେ କିଛି କର୍ମକୁ ଛୋଟ କର୍ମ ବୋଲି ଦେଖାଇବାର ପ୍ରୟାସ କରିଥାଉ। ସତେ ଯେମିତି ଜୋତା ପାଲିସ ବା ରାସ୍ତାରେ ଝାଡୁ ମାରିବା ଏକ ଅସମ୍ମାନଜନକ କାମ।

ଇତିହାସ କହେ ସଭ୍ୟତା ପ୍ରଥମେ କୌଶଳ ଶିଖିଲା ଏବଂ ଏହି କୌଶଳକୁ ନିପୁଣତାରେ ରୂପାନ୍ତରିତ କଲା ବିଜ୍ଞାନ। ପୃଥିବୀର ସବୁ ପ୍ରାଚୀନ ସଭ୍ୟତାରେ କୌଶଳର ଉପସ୍ଥିତି ଥିଲା, କେଉଁଠି ଅଳ୍ପ, କେଉଁଠି ଅଧିକ, କେଉଁଠି ଗୋଟିଏ କୌଶଳ ଟିକିଏ ଆଗରେ ଆସିଲା ତ ଆଉ କେଉଁଠି ଟିକେ ଡେରିରେ। କିନ୍ତୁ ଯେଉଁ ସଭ୍ୟତା କୌଶଳ ସହ ବିଜ୍ଞାନକୁ ଯୋଡ଼ିବାରେ ଯେତେ ତତ୍ପର ଓ ଆଗୁସାର ରହିଲା, ସେଠି ନିପୁଣତା ସେତିକି ସିଦ୍ଧ ହେଲା। କୌଶଳ ସହ ବିଜ୍ଞାନର ସହଭାଗିତା ଦିଗରେ ଭାରତ କ୍ଷେତ୍ରରେ ସଭ୍ୟତାର ବିବର୍ତ୍ତନ ସମୟରେ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଲା ଜାତିପ୍ରଥା। ଏକା ଜାତିପ୍ରଥା ଏ ଦିଗରେ ଯେତିକି ବିପର୍ଯ୍ୟୟ ସୃଷ୍ଟି କରିଛି ତାହା କୌଣସି ବିଦେଶୀ ଶକ୍ତି ଆକ୍ରମଣ କିମ୍ବା ପ୍ରାକୃତିକ ପ୍ରତିକୂଳତା ସେତିକି କ୍ଷତି କରି ପାରିନାହିଁ। ଜାତିପ୍ରଥାକୁ ଯୁକ୍ତିସଂଗତ ପ୍ରଥା କରିବା ପାଇଁ ଆମେ ଜ୍ଞାନ ଓ କୌଶଳକୁ ପରମ୍ପରାଗତ ଭାବେ ଗୋଟିଏ ପ୍ରାଇଭେଟ ଲିମିଟେଡ଼ କମ୍ପାନୀରେ ପରିଣତ କରିଦେଲେ। ଯାହାର ମାଲିକାନା ଓ ସଂଚରଣ ଅଳ୍ପ କିଛିଙ୍କ ହାତରେ ଯେପରି ସବୁଦିନ ରହିବ ସେ ପ୍ରୟାସରେ ଆମେ କୌଣସି ଭୁଲ କଲେ ନାହିଁ। ବର୍ତ୍ତମାନର ବିଶ୍ୱଶକ୍ତି ମାନେ ଯେତେବେଳେ କୌଶଳକୁ ବିଜ୍ଞାନ ସହ ଯୋଡ଼ିବାରେ ବ୍ୟସ୍ତ ଥିଲେ, ଆମେ ବ୍ୟସ୍ତ ଥିଲୁ ଭାରତୀୟ ସମାଜକୁ ୪୦ ହଜାରରୁ ଊର୍ଦ୍ଧ୍ୱ ଜାତିରେ ବାଣ୍ଟିବା, ଜାତିଗତ ସମୀକରଣ ଏବଂ ଜାତିଗତ ବୈଶିଷ୍ଟ୍ୟକୁ ପ୍ରଥା, ଧର୍ମ ଓ କିମ୍ବଦନ୍ତୀର ଦ୍ୱାହି ଦେଇ ପଲସ୍ତରା କରିବାରେ।

Advertisment

ଆମ୍ବେଦକରଙ୍କ ମତରେ ଜାତି ବ୍ୟବସ୍ଥା କେବଳ ଶ୍ରମିକ ନୁହେଁ ବରଂ ଶ୍ରମର ସମ୍ମାନକୁ ନେଇ ମଧ୍ୟ ବିଭେଦ ସୃଷ୍ଟି କରାଇଥାଏ। ଟିକେ ଭିତରକୁ ଯାଇ ଅନୁଧ୍ୟାନ କଲେ ଆମେ ବୁଝି ପାରିବା ଯେ ଶାରୀରିକ ଶ୍ରମକୁ ଆମ ବ୍ୟବସ୍ଥାରେ ଶହଶହ ବର୍ଷ ଧରି ନୀଚ୍ଚ ବା ଦ୍ଵିତୀୟ ଶ୍ରେଣୀ ନାଗରିକଙ୍କ କାର୍ଯ୍ୟ ଭାବେ ବିଚାର କରାଯାଇଛି। ଆଜି ବି ସେ ମାନସିକତା ବଳବତ୍ତର ଯେ ଯିଏ ବିନା ବା ଅଳ୍ପ ଶାରୀରିକ ଶ୍ରମରେ ମାନସିକ ଶକ୍ତି ମାଧ୍ୟମରେ ଅଧିକ ଅର୍ଥ ରୋଜଗାର କରି ପାରୁଛି ତାର ବୃତ୍ତିଟି ଅଧିକ ସମ୍ମାନଜନକ। ଯେହେତୁ ସହସ୍ର ବର୍ଷ ଧରି ମାନସିକ ଶ୍ରମ ପାଇଁ ଆବଶ୍ୟକ ସମ୍ବଳ ଗୁଡ଼ିକ ଆମ ସମାଜର ସୀମିତ ପ୍ରତିଶତ ଲୋକଙ୍କ ପାଖରେ ବନ୍ଧା ପଡ଼ିଥିଲା, ବାକି ବୃହତ୍ତର ଗୋଷ୍ଠୀ ଆଜି ଯେତେବେଳେ ମାନସିକ ଶ୍ରମ ଆଡ଼କୁ ମୁହାଉଁଛି ସେଇଟି ସୀମିତ ଗୋଷ୍ଠୀର ଚକ୍ଷୁଶୀଳ ହେବାରେ ସେମିତି କିଛି ଆଶ୍ଚର୍ଯ୍ୟଜନକ ଜିନିଷ ନାହିଁ। ପୁରୁଷ ପୁରୁଷ ଧରି ଯେଉଁମାନେ ଆମ ଗୋତି ଖଟି ଆସିଥିଲେ, ଆମ ହାତଟେକା ଉପରେ ନିର୍ଭର କରି ଆସିଥିଲେ, ଆମକୁ ଭଗବାନ କି ମାଲିକ ଭାବି ଆସିଥିଲେ, ଆଜି ସେମାନେ କିମ୍ବା ତାଙ୍କ ପିଲା ଆମେ କି ଆମ ପିଲାଙ୍କ ଉପରେ ବାବୁ ହେବେ ଏହା ନିହାତି ଭାବେ ଆମ ଭିତରୁ ଆନେକଙ୍କ ଚିନ୍ତା ଚେତନା ବାହାରେ।

ଏଇଠି ଅନେକ ଯୁକ୍ତି କରି ପାରନ୍ତି ଯେ ଗତ ସତୁରି ପଚସ୍ତରୀ ବର୍ଷ ଭିତରେ ଅନେକ ପରିବର୍ତ୍ତନ ଆସିଛି। ସେମାନେ ଶିକ୍ଷାଠାରୁ ନେଇ ଚାକିରି ପର୍ଯ୍ୟନ୍ତ ସବୁଠାରେ ସଂରକ୍ଷଣର ସୁଯୋଗ ପାଇଛନ୍ତି। ଏବେ ପୁଣି ଆଉ କଣ? ଯେକୌଣସି ବ୍ୟବସ୍ଥାରେ ଯଦି ଜଣେ ବ୍ୟକ୍ତି ବା ଏକ ଗୋଷ୍ଠୀର ସର୍ବାଙ୍ଗୀନ ବିକାଶ ଓ ସହଭାଗିତା ଚାହୁଁଛେ ତାହାଲେ ଉକ୍ତ ବ୍ୟକ୍ତି ବା ଗୋଷ୍ଠୀ ପାଇଁ ତିନୋଟି ଜିନିଷ ସୁନିଶ୍ଚିତ କରିବାକୁ ପଡ଼େ। ପ୍ରଥମଟି ହେଲା ଉକ୍ତ ବ୍ୟବସ୍ଥାରେ ସହଭାଗୀ ହେବାର ସୁଯୋଗ, ଦ୍ଵିତୀୟଟି ହେଲା ବ୍ୟବସ୍ଥା ବା ଜିନିଷ ଉପରେ ମାଲିକାନା ଏବଂ ତୃତୀୟଟି ହେଲା ଜିନିଷ ବା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିପାରିବାର କ୍ଷମତା। ସୁଯୋଗ, ମାଲିକାନା ଏବଂ ନିୟନ୍ତ୍ରଣ ତିନୋଟି ସମାନ୍ତର ରେଖା ନୁହନ୍ତି, ବରଂ ସେମାନେ ପରସ୍ପରର ପରିପୂରକ। ଆମେ କହିବା ସଂରକ୍ଷଣ ମାଧ୍ୟମରେ ଆମେ ସୁଯୋଗ ଦେଇଛେ। ମାତ୍ର ସଂରକ୍ଷଣ ମାଲିକାନା ଓ ନିୟନ୍ତ୍ରଣ ସୁନିଶ୍ଚିତ କରି ପାରିଛି କି? ଉତ୍ତର ହେଉଛି ନା। ନିୟନ୍ତ୍ରଣ ଓ ମାଲିକାନା ବିନା ସୁଯୋଗ କେବଳ ଲୋକଦେଖାଣିଆ ପ୍ରୟାସ ବା ପ୍ରତୀକାତ୍ମକତା, ନହେଲେ ଏକ ବୃହତ୍ତର ଗୋଷ୍ଠୀକୁ ଲଲିପପ ମାଧ୍ୟମରେ ଭ୍ରମିତ କରିବାର ପ୍ରୟାସ।

ଏଇଠି ଆଉ ଗୋଟିଏ କଥା ବି ଆସେ, ସେଇଟି ହେଲା ଆମେ ଦଶନ୍ଧି ଦଶନ୍ଧି ଧରି ଏକଥା ଶୁଣି ଆସୁଛେ ଯେ ଆମେ ସେମାନଙ୍କୁ ଅଧିକାର ଦେଇଛେ ବୋଲି। ଏକଥାଟି ଯେତେବେଳେ କୁହାଯାଏ ବା ପ୍ରଚାର କରାଯାଏ ସେତେବେଳେ ଏ ପ୍ରଶ୍ନଟି ଉଠିବା ସ୍ୱାଭାବିକ ନୁହେଁ କି ଯେ ସେମାନେ ତ ଦେଶର ସମାନ ଅଧିକାର ବିଶିଷ୍ଟ ନାଗରିକ। ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ଆମେ ଆମ କର୍ତ୍ତବ୍ୟ ବୋଲି ନଭାବି ଦୟା ବା ଦାନ ବୋଲି କାହିଁକି ଭାବୁ? କାହିଁକି ସମସ୍ତଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାର ବ୍ୟବସ୍ଥାଗତ ଅକ୍ଷମତାକୁ ଲୁଚେଇବା ପାଇଁ ତୁମ ଚାକିରୀ ଅନ୍ୟମାନେ ଖାଇଗଲେ ବୋଲି ପ୍ରଚାର ଓ ପ୍ରପାଗଣ୍ଡା ତିଆରି କରାଯାଏ? କାହିଁକି ଆମ ସମାଜର ଏକ ବୃହତ୍ତର ବର୍ଗର ଲୋକେ ମାନସିକ ଦକ୍ଷତା ସମ୍ପନ୍ନ କାର୍ଯ୍ୟ କରିବା ପାଇଁ ସେତେ ସକ୍ଷମ ନୁହନ୍ତି ବୋଲି ଅବଧାରଣାକୁ ଆଜି ମଧ୍ୟ ବଞ୍ଚାଇ ରଖାଯାଉଛି?

ରାଜା ହୁଏତ ଇତିହାସ ଲେଖେଇ ନେଇପାରେ କିନ୍ତୁ ନିଜେ ତିଆରି କରେନି। ଗୋଟେ କାଳଖଣ୍ଡର ଇତିହାସ ତିଆରି ହୁଏ ଅଗଣିତ ସାଧାରଣ ମଣିଷଙ୍କ ମେଧା ଓ ଶ୍ରମ ଉପରେ ଭରା ଦେଇ। ଆମେ ଯେତେବେଳେ ଶ୍ରମରେ ଓ ଶ୍ରମିକରେ ବିଭେଦ ସୃଷ୍ଟି କରିବା ଆରମ୍ଭ କରୁ, କୌଶଳ ନୁହେଁ ବରଂ ଜନ୍ମ ଆଧାରରେ ଜଣକର ଦକ୍ଷତାକୁ ଉନ୍ନତ ବା ନୀଚ୍ଚ କରିବାର ପ୍ରୟାସ କରୁ, ବୃହତ୍ତର ଗୋଷ୍ଠୀକୁ ତାର ନ୍ୟାଯ୍ୟ ଅଧିକାର ଦେବାକୁ ଦୟା ବୋଲି ବିବେଚନା କରୁ, ଆମେ ସାମାଜିକ ସମରସତାକୁ ଦାୟିତ୍ୱପୂର୍ଣ୍ଣ ଭାବେ ଆଖିମିଟିକା ମାରିବା ଆରମ୍ଭ କରୁ। ଇତିହାସ ସାକ୍ଷୀ ଅଛି, ବ୍ୟକ୍ତିକୁ ବହୁକାଳ ପର୍ଯ୍ୟନ୍ତ ବଞ୍ଚିତ, ଅବହେଳିତ, ଉପେକ୍ଷିତ ରଖା ଯାଇପାରେନି। ବ୍ୟକ୍ତି ତାରି ଭଳି ଉପେକ୍ଷିତମାନଙ୍କ ସହ ଯୋଡ଼ି ହୋଇଯାଏ ଓ ତଥାକଥିତ ସମାଜକୁ ଵୃଦ୍ଧାଙ୍ଗୁଷ୍ଠି ଦେଖାଇ ନିଜର ସମାଜ ତିଆରି ଆରମ୍ଭ କରେ। ସେଇଠୁ ହିଁ ବୁଦ୍ଧ, ମାର୍ଟିନ ଲୁଥର, ଆମ୍ବେଦକରମାନେ ଜନ୍ମ ନିଅନ୍ତି।

ପରଂବ୍ରହ୍ମ ତ୍ରିପାଠୀ

ଫୋ- ୯୭୧୭୩୦୨୨୦୫

Reservation Caste Ambedkar