/odisha-reporter/media/post_attachments/uploads/2021/04/BR-Ambedkar-and-Narendra-Mo.jpg)
BR-Ambedkar-and-Narendra-Mo
ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ
ପୂଜ୍ୟପୂଜା ଭାରତୀୟ ସଂସ୍କୃତିର ଏକ ମହାନ ପରମ୍ପରା। କୌଣସି ସମସ୍ୟା ବା ସନ୍ଧିକ୍ଷଣରେ ଯେତେବେଳେ ସାଧାରଣ ମଣିଷର ଜୀବନ ବିପର୍ଯ୍ୟସ୍ତ ହୋଇପଡିଛି ସେତେବେଳେ ଯେଉଁମାନେ ମାର୍ଗ ଦର୍ଶନ କରି ସମାଜକୁ ପୁନଃ ବ୍ୟବସ୍ଥିତ କରିଛନ୍ତି ବା ବିକାଶରେ ସାଧନ ରୂପେ କାର୍ଯ୍ୟ କରିଛନ୍ତି, କୃତଜ୍ଞ ଜାତି ସେମାନଙ୍କୁ ମହାମାନବ ରୂପେ ଅଧିଷ୍ଠିତ କରିଛି। ଜାତିବାଦର ଶିକାର ହୋଇ ହିନ୍ଦୁ ସମାଜର ଏକ ବିଷେଶ ଅଂଶ ଯେତେବେବେଳ ହଜାର ହଜାର ବର୍ଷ ଧରି ଅସ୍ପୃଶ୍ୟ ଭାବେ ଆସିଛନ୍ତି ସେତେବେଳେ ସେମାନଙ୍କୁ ସେହି ଅତ୍ୟାଚାରରୁ ମୁକ୍ତି ଦେଇ ସମାଜିକ ନ୍ୟାୟ ପ୍ରତିଷ୍ଠା କ୍ଷେତ୍ରରେ ଆମ୍ବେଦକର ଏକ ମହାମାନବର ଭୂମିକା ଗ୍ରହଣ କରିଛନ୍ତି। ତେଣୁ ଦଳିତମାନେ ତାଙ୍କୁ ନିଜର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରି ଆସିଛନ୍ତି ଓ କୃତଜ୍ଞ ଭାରତବାସୀ ତାଙ୍କୁ ମରଣୋତ୍ତର ‘ଭାରତରତ୍ନ' ଉପାଧିରେ ବିଭୂଷିତ କରି ତାଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିଛନ୍ତି।
୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଇନ୍ଦୋର ନିକଟବର୍ତ୍ତୀ ମହୋ କ୍ୟାଣ୍ଟନମେଣ୍ଟର ଏକ ଅସ୍ପୃଶ୍ୟ ମାହାର ପରିବାରରେ ରାମଜୀ ମାଲେଜୀ ସକ୍ପାଲ ଏବଂ ଭୀମା ବାଇଙ୍କର ଚତୁର୍ଦ୍ଦଶ ସନ୍ତାନରୂପେ ଆମ୍ବେଦକର ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ସେତେବେଳେ ମାହାର ରେଜିମେଣ୍ଟର ଜଣେ ସୁବେଦାର ରୂପେ କାର୍ଯ୍ୟ କରୁଥିଲେ। ଆମ୍ବେଦକରଙ୍କର ପୈତୃକ ବାସସ୍ଥଳୀ ଥିଲା ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ଆମ୍ବାଡେୱେ ଗ୍ରାମ। ପିତା ରାମଜୀ ପ୍ରତ୍ୟହ ରାମୟାଣ ଓ ମହାଭାରତ ପଠନ କରୁଥିଲେ। ରାମ, କୃଷ୍ଣ, ଭୀମ, ଅର୍ଜ୍ଜୁନ ପ୍ରଭୃତି ଚରିତ୍ରମାନଙ୍କ ପ୍ରତି ତାଙ୍କର ଯଥେଷ୍ଟ ଶ୍ରଦ୍ଧା ଥିଲା। ତେଣୁ ଆମ୍ବେଦକରଙ୍କ ନାମ ସେ ଭୀମରାଓ ବୋଲି ରଖିଥିଲେ। ଯଦିଓ ଭୀମରାଓ ତାଙ୍କ ବିଦ୍ୟାଳୟ ଜୀବନରୁ ଜାତିବାଦର ଅତ୍ୟାଚାର ଓ ନିର୍ଯ୍ୟାତନାର ଶିକାର ହୋଇଥିଲେ ତଥାପି କୃଷ୍ଣକେଶବ ଆମ୍ବେଦକର ନାମକ ଜଣେ ବ୍ରାହ୍ମଣ ଶିକ୍ଷକ ପ୍ରାଥମିକ ଶିକ୍ଷାଲାଭ କାଳରୁ ତାଙ୍କୁ ବହୁ ଭାବେ ସାହାଯ୍ୟ କରିଆସିଥିଲେ। ଶିକ୍ଷକ ଆମ୍ବେଦକର ତାଙ୍କୁ ଅନେକ ସମୟରେ ନିଜ ମଧ୍ୟାହ୍ନ ଭୋଜନରେ ମଧ୍ୟ ଅଂଶୀଦାର କରୁଥିଲେ ଓ ନିଜ ପୁତ୍ର ଭଳି ସ୍ନେହ ଦେଉଥିଲେ। ସେହି ଶିକ୍ଷକ ହିଁ ତାଙ୍କ ନାମ ଭୀମରାଓ ରାମଜୀ ସକ୍ପାଲରୁ ସକ୍ପାଲ ସଂଜ୍ଞା କାଟି ସ୍କୁଲ ରେଜିଷ୍ଟରରେ ନିଜ ଆମ୍ବେଦକର ସଂଜ୍ଞାଟି ଯୋଡ଼ି ଦେଇଥିଲେ। ଦଳିତ ଜାତିର ନେତୃତ୍ୱ ନେବାପରେ ଦଳିତମାନେ ତାଙ୍କୁ ଶ୍ରଦ୍ଧାରେ ବାବାସାହେବ ବୋଲି ସମ୍ବୋଧନ କରୁଥିଲେ। ତେଣୁ ଆମ୍ବେଦକରଙ୍କ ପୁରା ନାମ ହେଲା ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକର ବା ସଂକ୍ଷେପରେ ଡଃ. ବି.ଆର ଆମ୍ବେଦକର। ପରବର୍ତ୍ତି କାଳରେ ଗାନ୍ଧୀ, ନେହେରୁ ଓ ପଟେଲଙ୍କ ପରି କେବଳ ତାଙ୍କର ସଂଜ୍ଞା ଆମ୍ବେଦକରରୁ ଲୋକେ ତାଙ୍କୁ ହିଁ ବୁଝୁଥିଲେ। ଗାନ୍ଧିଜୀ ସବୁବେଳେ ତାଙ୍କୁ ଶ୍ରଦ୍ଧାରେ ଡକ୍ଟର ସାହେବ ବୋଲି କହୁଥିଲେ।
ଦାପୋଲି ଓ ସତାରାରେ ପ୍ରାଥମିକ ଶିକ୍ଷା ପରେ ଆମ୍ବେଦକର ବମ୍ବେର ଏଲଫିନ୍ଷ୍ଟୋନ ହାଇସ୍କୁଲରୁ ୧୯୦୭ରେ ମାଟ୍ରିକ୍ୟୁଲେସନ ପାଶ କଲେ। ସେତେବେଳେ କେବଳ ମହାରାଷ୍ଟ୍ର କାହିଁକି ସମଗ୍ର ଦେଶରେ ଏହା ଥିଲା ଏକ ବିରଳ ଘଟଣା। ଏହି ଉପଲକ୍ଷେ ପ୍ରସିଦ୍ଧ ମରାଠୀ ଲେଖକ କେ.ଏ. କେଲସ୍କର ତାଙ୍କୁ ନିଜ ରଚିତ ‘ଗୌତମ ବୁଦ୍ଧ' ଗ୍ରନ୍ଥଟି ଉପହାର ସ୍ୱରୂପ ଦେଇଥିଲେ, ଯେଉଁ ଗ୍ରନ୍ଥଟି ତାଙ୍କ ଜୀବନକୁ ପରବର୍ତ୍ତୀ କାଳରେ ବିଶେଷ ଭାବେ ପ୍ରଭାବିତ କରିଥିଲା। କେଲସ୍କର ମଧ୍ୟ ବରୋଦାର ମହାରାଜା ସାର ସାୟାଜୀ ରାଓ ଗାଏକୱାର୍ଡଙ୍କୁ ଆମ୍ବେଦକରଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଦେବାକୁ ଅନୁରୋଧ କରିଥିଲେ। ମହାରାଜାଙ୍କଠାରୁ ପଚିଶ ଟଙ୍କା ବୃତ୍ତି ଲାଭ କରି ଆମ୍ବେଦକର ବମ୍ବେରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ। ପୁନଶ୍ଚ ତାଙ୍କରି ଆର୍ଥିକ ସହାୟତାରେ ଯୁକ୍ତରାଷ୍ଟ୍ରର ନିୟୁର୍କଠାରେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ସ୍ନାତକୋତ୍ତର ଶ୍ରେଣୀରେ ଭର୍ତ୍ତି ହୋଇଥିଲେ। ୧୯୧୫ରେ ଏମ.ଏ., ୧୯୧୭ ପିଏଚଡି ଡିଗ୍ରୀ ପ୍ରାପ୍ତ ହୋଇଥିଲେ। ଉଚ୍ଚତ୍ତର ଗବେଷଣ ପାଇଁ ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ୧୯୧୭ରେ ଭର୍ତ୍ତି ହେଲେ ଓ ଏକ ସଙ୍ଗେ ଗ୍ରେସ ଇନ୍ରେ ମଧ୍ୟ ବାର-ଆଟ-ଲ ଶ୍ରେଣୀରେ ନାମ ଲେଖାଇଲେ। କିନ୍ତୁ କିଛି ମାସ ପରେ ବରୋଦା ମହାରାଜା ଆର୍ଥିକ ସହାୟତା ବନ୍ଦ କରିଦେବାରୁ ସେ ଭାରତ ଫେରିଆସି ମହରାଜାଙ୍କ ପ୍ରତିରକ୍ଷା ସଚିବ ରୂପେ କାର୍ଯ୍ୟ କରିଥିଲେ। ଏହି ସମୟରେ ତାଙ୍କ ଉଦ୍ୟମରେ ଦଳିତମାନଙ୍କର ସମସ୍ୟା ଓ ତାର ନିରାକରଣ କ୍ଷେତ୍ରରେ ଜନମତ ସୃଷ୍ଟି ପାଇଁ ସାପ୍ତାହିକ ମରାଠୀ ପତ୍ରିକା ‘ମୁକ ନାୟକ' ପ୍ରକାଶ କଲେ। ୧୯୨୦ରେ କୋହ୍ଲାପୁର ମହାରାଜାଙ୍କଠାରୁ ଆର୍ଥିକ ସହାୟତା ଲାଭ କରି ସେ ପୁଣି ଲଣ୍ଡନ ଚାଲିଗଲେ। ୧୯୨୧ରେ ତାଙ୍କର ନିବନ୍ଧ ‘ପ୍ରୋଭିନସିଆଲ ଡିସେଣ୍ଟ୍ରାଲାଇଜେସନ ଅଫ୍ ଇମ୍ପେରିଆଲ ଫାଇନାନସ ଇନ ବ୍ରିଟିଶ ଇଣ୍ଡିଆ' ପାଇଁ ଲଣ୍ଡନ ସ୍କୁଲ ଅଫ ଇକୋନୋମିକସ୍ରୁ ଅର୍ଥଶାସ୍ତ୍ରରେ ଏମ.ଏସ.ସି, ୧୯୨୩ରେ ନିବନ୍ଧ ‘ଦି ପ୍ରୋବ୍ଲେମ ଅଫ ରୁପି' ପାଇଁ ଡିଏସସି ଏବଂ ସେହି ବର୍ଷ ଗ୍ରେସ ଇନ୍ରୁ ବାର-ଆଟ-ଲ ଡିଗ୍ରୀ ହାସଲ କରିଥିଲେ ଓ ଭାରତ ଫେରିଆସି ବମ୍ବେ ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ। ସେ ଜର୍ମାନର ବନ୍ ବିଶ୍ୱ ବିଦ୍ୟାଳୟରେ ମଧ୍ୟ କିଛିକାଳ ଅଧ୍ୟୟନ କରିଥିଲେ।
୧୯୨୩ ବେଳକୁ ଦ୍ରାବିଡ କାଜାଗାମ୍ ଦଳର ପ୍ରତିଷ୍ଠ।ତା ଇଭି ରାମାସ୍ୱାମୀ ନାଇକର, ମହାତ୍ମା ଫୁଲେ, ୧୯୨୪ରେ ବୀର ସାଭରକର ଆଣ୍ଡାମାନ ଜେଲରୁ ଫେରି ‘ହିନ୍ଦୁ ସଂଗଠନ' ନାମକ ଏକ ସଂସ୍ଥା ଗଠନ କରି ଏବଂ ମହାତ୍ମାଗାନ୍ଧୀ କଂଗ୍ରେସ ଜରିଆରେ ଅସ୍ପୃଶ୍ୟତା ନିବାରଣ ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ କରିଥାନ୍ତି। ତେଣୁ ଆମ୍ବେଦକର ଏକ ନିଜସ୍ୱ ସଂସ୍ଥା ଗଠନ କରିବାକୁ ଚାହିଁଲେ ଓ ସେହି ଉଦ୍ଦେଶ୍ୟରେ ବମ୍ବେର ଦାମୋଦର ହଲରେ ୧୯୨୪, ମାର୍ଚ୍ଚ ୯ରେ ବହିଷ୍କୃତ ହିତକାରିଣୀ ସଭା ସୃଷ୍ଟି ହେଲା। ଏହି ସଂଗଠନ ସହିତ ସାର୍ ସି.ଏଚ ଶୀତଳଭେଡେ, ଏମ ନିସିମ୍, ରୁସ୍ତମଜି ଜିନୱେଲା, ଜି.କେ ନରିମାନ ଓ ଡକ୍ଟର ଆର.ପି ପରଞ୍ଜାପେ ପ୍ରଭୃତି ତତ୍କାଳୀନ ବିଶିଷ୍ଟ ବିଦ୍ୱାନ ଓ ସମାଜ ସଂସ୍କାରକମାନେ ସମ୍ପୃକ୍ତ ଥିଲେ। ଆମ୍ବେଦକର ଅସ୍ପୃଶ୍ୟତାର କାରଣ ରୂପେ ଜାତି ବ୍ୟବସ୍ଥାକୁ ଗ୍ରହଣ କରିଥିଲେ ଏବଂ ଜାତି ଭେଦର ବିଲୋପ ପାଇଁ ଏହି ସଂଗଠନ ଜରିଆରେ ସେ ତାଙ୍କ ବୈପ୍ଲବାତ୍ମକ କାର୍ଯ୍ୟକ୍ରମ କରିଥିଲେ।
ମାହାଦ ନଗରପାଳିକା ଅନ୍ତର୍ଗତ ଚଉଦାର ପୁଷ୍କରିଣୀରେ ପ୍ରବେଶ କରିବା ସେତେବେଳେ ଦଳିତମାନଙ୍କ ପାଇଁ ନିଷେଧ ଥିଲା। ତେଣୁ ୧୯୨୬, ମାର୍ଚ୍ଚ ୨୦ରେ ନିଜର ଦଶ ହଜାର ଅନୁଗାମୀଙ୍କ ସହିତ ସେ ମହାଦ ସତ୍ୟାଗ୍ରହ ଆରମ୍ଭ କଲେ ଓ ଏହି ପୁଷ୍କରିଣୀର ଜଳପାନ କରି ସର୍ବସାଧାରଣ ସ୍ଥାନମାନଙ୍କ ଉପରେ ଦଳିତମାନଙ୍କ ଯେ ଅନ୍ୟମାନଙ୍କ ପରି ସମାନ ଅଧିକାର ରହିଛି, ତାହା ପ୍ରମାଣ କଲେ। ବୀର ସାଭରକର ତାଙ୍କୁ ଏଥିପାଇଁ ଉଚ୍ଚ ପ୍ରଶଂସା କରିବା ସହିତ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ପୁଷ୍କରିଣୀରେ ପ୍ରବେଶକୁ ବେଆଇନ ଘୋଷଣ କରିବାକୁ ତାଙ୍କ ବିରୋଧରେ ସେତେବେଳେ ବମ୍ବେ ଉଚ୍ଚ ନ୍ୟାୟାଳୟରେ ମୋକଦ୍ଦମା ଚାଲିଥିଲା। ତାଙ୍କ କାର୍ଯ୍ୟକ୍ରମର ପ୍ରସାର ଓ ପ୍ରଚାର ପାଇଁ ‘ବହିଷ୍କୃତ ଭାରତ' ନାମରେ ଏକ ପାକ୍ଷିକ ପତ୍ରିକା ମଧ୍ୟ ସେ ପ୍ରକାଶ କରିଥିଲେ। ସମଗ୍ର ଭାରତ ବର୍ଷରେ ତାଙ୍କ କାର୍ଯ୍ୟକ୍ରମର ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହେଲା। ୧୯୩୦ରେ ନାସିକର କାଲାରାମ ମନ୍ଦିରରେ ଦଳିତମାନଙ୍କର ପ୍ରବେଶ ପାଇଁ ସେ ସତ୍ୟାଗ୍ରହ ଆରମ୍ଭ କଲେ। ସେତେବେଳେ ଘନଶ୍ୟାମ ଦାସ ବିରଳାଙ୍କ ପରି ଶିଳ୍ପପତି ଓ କାଞ୍ଚିପୀଠର ଶଙ୍କରାଚାର୍ଯ୍ୟଙ୍କ ଭଳି ଧର୍ମାଚାର୍ଯ୍ୟମାନେ ତାଙ୍କର ଏହି ସତ୍ୟାଗ୍ରହକୁ ନୈତିକ ସମର୍ଥନ ଜଣାଇଥିଲେ। ୧୯୩୭, ମେ ୧୭ ତାରିଖରେ ବମ୍ବେ ଉଚ୍ଚ ନ୍ୟାୟାଳୟ ମାହାଦ ସତ୍ୟାଗ୍ରହକୁ ସମର୍ଥନ କରି ତାଙ୍କର ଐତିହାସିକ ରାୟ ଦେଲେ। ପୁଷ୍କରିଣୀ, ମନ୍ଦିର, ବିଦ୍ୟାଳୟ ପ୍ରଭୃତି ସର୍ବସାଧାରଣ ସ୍ଥାନରେ ପ୍ରବେଶ ନିମନ୍ତେ ଦଳିତମାନଙ୍କୁ ନିଷେଧ କରାଯାଇ ପାରିବ ନାହିଁ ବୋଲି ଏଥିରେ ଉଲ୍ଲେଖ ଥିଲା। ଆମ୍ବେଦକରଙ୍କ ସଂଗ୍ରାମ ବିଧିଗତ ସ୍ୱୀକୃତି ଲାଭ କଲା ଏବଂ ଆମ୍ବେଦକର ଦଳିତମାନଙ୍କର ଅଦ୍ୱିତୀୟ ନେତା ରୂପେ ସମଗ୍ର ଦେଶରେ ପ୍ରତିଷ୍ଠା ଲାଭ କଲେ।
ଭାରତରେ ସାଇମନ କମିଶନର ତୀବ୍ର ବିରୋଧ ହେବାରୁ ଏକ ବୁଝାମଣା ପାଇଁ ବ୍ରିଟିଶ୍ ସରକାର ୧୯୩୦ରେ ଲଣ୍ଡନରେ ଗୋଲଟେବୁଲ ବୈଠକ ଆହୂତ କଲେ। ଏହି ବୈଠକରେ ଦଳିତମାନଙ୍କ ପ୍ରତିନିଧି ଭାବେ ଡଃ. ଆମ୍ବେଦକର ଏବଂ ରାୟ ବାହାଦୂର ଶ୍ରୀନିବାସନ୍ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ସାର୍ ରାମସେ ମାକ୍ଡୋନାଲଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଦ୍ବୋଧନ ଦେଇ ଆମ୍ବେଦକର କହିଥିଲେ, ‘ଭାରତର ଏକ ପାଞ୍ଚମାଂଶ ଲୋକ, ଯେଉଁମାନେ ସଂଖ୍ୟା ବ୍ରିଟେନ୍ର ଲୋକମାନଙ୍କଠାରୁ ବି ଅଧିକ, ସେମାନେ ଗୋତି ଶ୍ରମିକ ବା କ୍ରୀତଦାସ ଭଳି ଚଳୁଛନ୍ତି। ୧୫୦ ବର୍ଷର ଶାସନକାଳ ଭିତରେ ବ୍ରିଟିଶ୍ ସରକାର ଏମାନଙ୍କ ପାଇଁ କିଛି କରିନାହାନ୍ତି। ତେଣୁ ଏମାନେ ବ୍ରିଟିଶ୍ ପ୍ରଶାସନ ପରିବର୍ତ୍ତେ ଲୋକମାନଙ୍କୁ ନେଇ ଲୋକମାନଙ୍କ ନିମନ୍ତେ ଏକ ଗଣତାନ୍ତ୍ରିକ ସରକାରର ପ୍ରତିଷ୍ଠା ଚାହାନ୍ତି।’ ପୁନଶ୍ଚ ଏଥିରେ ଉଦ୍ବୋଧନ ଦେଇ ସେ କହିଥିଲେ, ଆପଣ ସଂଖ୍ୟା ଗରିଷ୍ଠ ମତକୁ ବିଚାରକୁ ନ ନେଇ ଭାରତ ଉପରେ କୈାଣସି ସମ୍ବିଧାନକୁ ଲଦି ଦେଇ ପାରିବେ ନାହିଁ। ଲକ୍ଷ୍ୟ ପୂରଣ ଦିଗରେ ଶକ୍ତି ପ୍ରୟୋଗ ଏକ ସାମୟିକ ପଦକ୍ଷେପ ହୋଇପାରେ, କିନ୍ତୁ ଆପଣମାନେ ନିଷ୍ପତ୍ତି ନେବେ ଏବଂ ଭାରତ ତାହାକୁ ଗ୍ରହଣ କରିବ, ସେଦିନ ଆଉ ନାହିଁ କିମ୍ବା ସେଦିନ କେବେହେଲେ ଆଉ ଆସିବ ନାହିଁ। ତେଣୁ ଆଗାମୀ ସମ୍ବିଧାନ ପ୍ରଣୟନ ଭରତୀୟ ଜନମତ ଉପରେ ଆଧାରିତ ହେଉ।
ଆମ୍ବେଦକର ଏହି ବୈଠକରେ ଦୁଇଟି କଥା ଦାବି କରିଥିଲେ। ଜଣେ ରାଷ୍ଟ୍ରବାଦୀ ନେତାଭାବେ ଭାରତର ଅଖଣ୍ଡ ସ୍ୱାଧୀନତା ଓ ସାର୍ବଭୌମତ୍ୱ ଏବଂ ଜଣେ ଦଳିତ ବର୍ଗର ନେତାଭାବେ ନୂତନ ସମାଜ ବ୍ୟବସ୍ଥା ଭିତରେ ମର୍ଯ୍ୟାଦାର ସହ ବଞ୍ଚିବା ନିମନ୍ତେ ଦଳିତମାନଙ୍କୁ ଅଧିକାର ପ୍ରଦାନର ପ୍ରତିଶ୍ରୁତି। ପ୍ରଥମ ଗୋଲଟେବୁଲ ବୈଠକକୁ କଂଗ୍ରେସ ବାସନ୍ଦ କରିବାରୁ ଏହା ସଫଳ ହୋଇ ପାରିନଥିଲା, କିନ୍ତୁ ଆମ୍ବେଦକର ତାଙ୍କ ଅଭିଯାନରେ ସଫଳ ହୋଇଥିଲେ। ତାଙ୍କ ବକ୍ତୃତା ବ୍ରିଟିଶ୍ ପ୍ରଶାସନକୁ ଗଭୀର ଭାବେ ପ୍ରଭାବିତ କରିଥିଲା ଏବଂ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ସାର୍ ମାକଡୋନାଲଡ୍ ଦଳିତମାନଙ୍କ ସମାଜିକ ସ୍ଥିତିର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଗାନ୍ଧୀ-ଇରଉଇନ୍ ରାଜିନାମା ପରେ କଂଗ୍ରେସ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗ ଦେବାକୁ ରାଜି ହେଲା ଓ ଗାନ୍ଧୀ ଲଣ୍ଡନ ଯାତ୍ରା କଲେ। ଏହି ସମୟରେ ବମ୍ବେ ସରକାର ପୋଲିସ୍ ବିଭାଗରେ ଦଳିତମାନଙ୍କର ନିଯୁକ୍ତି ଉପରେ ଥିବା ନିଷେଧାଦେଶକୁ ପ୍ରତ୍ୟାହାର କରି ନେଇଥିଲେ ଓ ଏହା ଆମ୍ବେଦକରଙ୍କ ପାଇଁ ଐତିହାସିକ ବିଜୟ ଥିଲା।
ଆମ୍ବେଦକର ଦଳିତ ଜାତି ସମେତ ଶ୍ରମିକ, ସଂଖ୍ୟାଲଘୁ ଓ ଶୋଷିତ ଜନତାର ନେତୃତ୍ୱ ନେଇଥିଲେ। ୧୯୩୬ରେ ସେ ଇଣ୍ଡିପେଣ୍ଡେଣ୍ଟ୍ ଲେବର ପାର୍ଟି ନାମକ ଏକ ରାଜନୈତିକ ଦଳର ପ୍ରତିଷ୍ଠା କରିଥିଲେ। ଏହି ଦଳ ଏକ ପ୍ରମୁଖ ବିରୋଧୀ ଦଳଭାବେ ବମ୍ବେ ବିଧାନ ପରିଷଦରେ ଉଭା ହେଲା ଓ ବହୁ ସରକାରୀ ନିଷ୍ପତ୍ତିକୁ ପ୍ରଭାବିତ କରିବାକୁ ସକ୍ଷମ ହୋଇଥିଲା। କୃଷକ ଓ ଶ୍ରମିକମାନଙ୍କ ହିତ ଉଦ୍ଦେଶ୍ୟରେ ବମ୍ବେ ବିଧାନ ପରିଷଦ ଏହି ସମୟରେ କେତେକ ଔଦ୍ୟୋଗିକ ବିଧେୟକକୁ ଆଇନରେ ପରିଣତ କରିଥିଲେ। କଂଗ୍ରେସ ଦଳିତମାନଙ୍କୁ ‘ହରିଜନ' ନାମରେ ଆଖ୍ୟାୟିତ କରିବାରୁ ଆମ୍ବେଦକର ଓ ଭାଓରାଓ ଗାଇକୋଆର୍ଡ ଏହାର ପ୍ରବଳ ବିରୋଧ କରିଥିଲେ। ତାଙ୍କ ମତରେ ନାମ ପରିବର୍ତ୍ତନ କରିଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ। ଜାତି ପ୍ରଥାର ବିଲୋପ କ୍ଷେତ୍ରରେ କଂଗ୍ରେସ ଦଳ ଓ ମହାତ୍ମା ଗାନ୍ଧୀ ନୀରବ ରହୁଥିବାରୁ ସେ ତାହାର ପ୍ରବଳ ସମାଲୋଚନା କରିଥିଲେ। ଅବଶେଷରେ ହରିଜନ ଶଦ୍ଦଟି ଆଇନଗତ ସ୍ଥିତି ହରାଇଲା ଏବଂ ସ୍ୱାଧୀନ ଭାରତ ସମ୍ବିଧାନରେ ଅସ୍ପୃଶ୍ୟତା ବିଲୋପ ପାଇଁ ଜାତି ଭିତ୍ତିରେ ଦଳିତମାନଙ୍କୁ ସେମାନଙ୍କ ନାଯ୍ୟ ଦାବିରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ବ୍ୟବସ୍ଥା ରହିଲା। ଆମ୍ବେଦକର ଭାଇସରାୟଙ୍କ ମନ୍ତ୍ରୀମଣ୍ଡଳରେ ଶ୍ରମ ମନ୍ତ୍ରୀଭାବେ କାର୍ଯ୍ୟ କରି ଶ୍ରମିକମାନଙ୍କ ନିରାପତ୍ତା, ସ୍ୱାସ୍ଥ୍ୟ ଓ ସବେତନ ଛୁଟି ପ୍ରଭୃତି ବିଭିନ୍ନ ବିଷୟରେ ପ୍ରଥମକରି ଆଇନମାନ ପ୍ରଣୟନ କରିବାକୁ ସକ୍ଷମ ହୋଇଥିଲେ ଏବଂ ଯଥାର୍ଥରେ ଜଣେ ଦଳିତ ଓ ଶ୍ରମିକ ନେତାଭାବେ ପ୍ରତିଷ୍ଠା ଲାଭ କରିଥିଲେ।
ଆମ୍ବେଦକର ଏକାଧାରରେ ଜଣେ ସମାଜ ସଂସ୍କାରକ, ରାଷ୍ଟ୍ରନାୟକ, ଦାର୍ଶନିକ ଓ ପ୍ରଜ୍ଞା ପୁରୁଷ ଥିଲେ। ଜଣେ ରାଷ୍ଟ୍ରବାଦୀ ନେତାଭାବେ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସେ ସମ୍ମାନ କରୁଥିଲେ। ତେଣୁ ଯେତେବେଳେ ନେହରୁ ତାଙ୍କର ବନ୍ଧୁ ଶେଖ୍ ଅବ୍ଦ୍ଦୁଲାଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେବା ଉଦ୍ଦେଶ୍ୟରେ ଭାରତୀୟ ସମ୍ବିଧାନରେ ୩୭୦ ଧାରା ଯୋଡ଼ିବା ପାଇଁ ପ୍ରୟାସ କଲେ ସେତେବେଳେ ଆମ୍ବେଦକର ତାର ଦୃଢ ବିରୋଧ କରି ଭାରତର ଆଇନ ମନ୍ତ୍ରୀ ରୂପେ ଏପରି ରାଷ୍ଟ୍ର ଓ ଜାତି ବିରୋଧୀ ଧାରାକୁ ସେ ସମର୍ଥନ କରିବେ ନାହିଁ ବୋଲି କହି ସ୍ପଷ୍ଟ ମନା କରିଦେଇଥିଲେ। ତେଣୁ ବାଧ୍ୟ ହୋଇ ସମ୍ବିଧାନ ପ୍ରଣୟନ ସଭାର ଅନ୍ୟତମ ସଦସ୍ୟ ଗୋପାଳସ୍ୱାମୀ ଆୟାଙ୍ଗରଙ୍କ ସାହାଯ୍ୟରେ ଏହି ଧାରାକୁ ନେହରୁ ଆଗତ ଓ ପାରିତ କରାଇଥିଲେ। ସେହିଭଳି ଆମ୍ବେଦକର ସବୁ ଭାରତୀୟଙ୍କ ପାଇଁ ସମାନ ଆଇନ୍ କରିବା ଉଦ୍ଦେଶ୍ୟରେ କମନ ସିଭିଲ୍ କୋଡ ପ୍ରଚଳନର ପ୍ରସ୍ତାବ ଆଣିଥିଲେ, ଶେଷକୁ ହିନ୍ଦୁ କୋର୍ଡ ବିଲ ରୂପେ ବିଧେୟକ ଅଣାଗଲା କିନ୍ତୁ ନେହରୁ ଏହାର ପ୍ରବଳ ବିରୋଧ କରିବାରୁ ଆମ୍ବେଦକର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ। ସେତେବେଳେ ନେହରୁ ଲିଆକତ ଚୁକ୍ତିକୁ ବିରୋଧ କରି ଶ୍ୟାମାପ୍ରସାଦ ମୁଖାର୍ଜୀ ମଧ୍ୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ। ନିଜର ଆଦର୍ଶ ଓ ସ୍ୱାଭିମାନକୁ ଏମାନେ କ୍ଷମତାଠାରୁ ଉର୍ଦ୍ଧ୍ୱରେ ବୋଲି ବିଚାର କରୁଥିଲେ।
କଂଗ୍ରେସ ବା କଂଗ୍ରେସ ସମର୍ଥିତ ସରକାରମାନେ ଆମ୍ବେଦରକଙ୍କ ସ୍ମୃତି ରକ୍ଷା ପାଇଁ ବିଶେଷ କିଛି କରିନାହାନ୍ତି। ବିଶ୍ୱନାଥ ପ୍ରତାପ ସିଂହ ସରକାର ତାଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୦୧୫ ରେ ଡଃ. ଆମ୍ବେଦକରଙ୍କ ଜୀବନ, ସାହିତ୍ୟ, ସଂଘର୍ଷ ସମ୍ପର୍କରେ ବିଶେଷ ଅଧ୍ୟୟନ ଓ ଗବେଷଣା ପାଇଁ ଦିଲ୍ଲୀରେ ଡଃ. ଆମ୍ବେଦକର ଅର୍ନ୍ତରାଷ୍ଟ୍ରୀୟ କେନ୍ଦ୍ର ସ୍ଥାପନ କରିଛନ୍ତି। ତାଙ୍କର ୧୨୫ତମ ଜୟନ୍ତୀରେ ମୋଦି ସରକାର ସ୍ୱତନ୍ତ୍ର ଡାକ ଟିକେଟ୍ ପ୍ରକାଶ କରିବା ସହିତ ୧୨୫ ଟଙ୍କିଆ ମୁଦ୍ରା ପ୍ରଚଳନ କରିଛନ୍ତି। ନଭେମ୍ବର ୨୬ ତାରିଖକୁ ୨୦୧୫ ମସିହାରୁ ସଂବିଧାନ ଦିବସ ରୂପେ ପାଳନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଆମ୍ବେଦରଙ୍କ ଜନ୍ମସ୍ଥାନ (ମାହୋ, ମଧ୍ୟପ୍ରଦେଶ), ଶିକ୍ଷାଭୂମି (ଲଣ୍ଡନ), ଦୀକ୍ଷାଭୂମି (ବୌଦ୍ଧ ଧର୍ମରେ ଦୀକ୍ଷିତ ସ୍ଥଳ, ନାଗପୁର), ପରିନିର୍ବାଣ ଭୂମି (ଦେହାନ୍ତ ସ୍ଥଳ, ଦିଲ୍ଲୀ) ଓ ଚୈତଭୂମି (ସମାଧି ସ୍ଥଳ, ମୁମ୍ବାଇ)କୁ ପଂଚତୀର୍ଥର ସମ୍ମାନ ଦେଇ ସେସବୁ ସ୍ଥାନର ବିକାଶ କରିବା ସହିତ ସେଗୁଡିକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି। ୧୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଡଃ. ଆମ୍ବେଦକର ଚେୟାର ପ୍ରତିଷ୍ଠା କରାଯାଇଛି। ଆମ୍ବେଦକରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ, ତାଙ୍କରି ଯୋଗୁ ହିଁ ସମାଜର କଥା କଥିତ ନିମ୍ନବର୍ଗର ଲୋକମାନଙ୍କୁ ସେମାନଙ୍କ ଅଧିକାର ମିଳିଛି। ଆମ୍ବେଦକର ନଥିଲେ ମୁଁ ମଧ୍ୟ ନଥାନ୍ତି ବୋଲି କହି ଡଃ ଆମ୍ବେଦକର ଓ ତାଙ୍କ ପ୍ରଣୀତ ସଂବିଧାନ ନିକଟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମୟ ବଢିବା ସହିତ ଆମ୍ବେଦକରଙ୍କ ଜୀବନ ଓ ଦର୍ଶନ ଅଧିକରୁ ଅଧିକ ଆଦୃତ ହେଉଛି !
ଦୂରଭାଷ -୯୩୩୭୧୨୦୨୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
