ଭାରତରେ ବିଦେଶୀ ବ୍ୟାଙ୍କ

ସରଳ କୁମାର ଦାସ

୧୯୯୨ ମସିହାରେ ଭାରତରେ ଉଦାରୀକରଣ ଅର୍ଥ ବ୍ୟବସ୍ଥା ପାଇଁ ସଂସ୍କାର ହେଉଥିବା ବେଳେ ଦେଶରେ ଏକ ଲାଭପ୍ରଦ, ବିବିଧ ସେବାପ୍ରଦାନକାରୀ, ଦକ୍ଷ ଓ ନମନୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ମଧ୍ୟ ସଂସ୍କାର କରାଗଲା। ତଦନୁଯାୟୀ ସରକାର ୧୯୯୪ରୁ ନୂଆ ବିଦେଶୀ ବ୍ୟାଙ୍କଙ୍କୁ ଦେଶରେ ବ୍ୟବସାୟ କରିବାକୁ ଅନୁମତି ଦେଲେ। ତା ପରଠାରୁ ଉଦାରୀକରଣ ବ୍ୟବସ୍ଥାରେ ଭାରତୀୟ ଅର୍ଥ ବ୍ୟବସ୍ଥାରୁ ଲାଭ ଉଠାଇବା ପାଇଁ ଅନେକ ବିଦେଶୀ ବ୍ୟାଙ୍କ ଭାରତରେ ଶାଖା ଖୋଲି ବ୍ୟବସାୟ କରିବାକୁ ଆଗ୍ରହ ପ୍ରଦର୍ଶନ କଲେ। ଏହି ବିଦେଶୀ ବ୍ୟାଙ୍କଗୁଡିକ ସେମାନଙ୍କ ସହ ସଦ୍ୟତମ ଜ୍ଞାନକୌଶଳ ଓ ସର୍ବୋତ୍ତମ ପ୍ରଣାଳୀଗୁଡିକୁ (ବେଷ୍ଟ ପ୍ରାକ୍ଟିସେସ) ମଧ୍ୟ ଆଣିଲେ, ଯାହା ଭାରତୀୟ ବ୍ୟାଙ୍କଗୁଡିକ ଆହରଣ କଲେ ଓ ନିଜ କାର୍ଯ୍ୟଦକ୍ଷତା ଓ ପ୍ରଦର୍ଶନରେ ଉନ୍ନତି ଆଣି ଉତ୍ତମ ଗ୍ରାହକ ସେବା ଯୋଗାଇ ଦେବାରେ ସମର୍ଥ ହେଲେ। ତେବେ ଅଗ୍ରଣୀ ବିଦେଶୀ ବ୍ୟାଙ୍କ ସିଟି ବ୍ୟାଙ୍କ ଭାରତରେ ତାର କ୍ରେଡିଟ କାର୍ଡ ଓ ଗ୍ରାହକ ବ୍ୟାଙ୍କିଙ୍ଗ ସେବା ବନ୍ଦ କରିବ ବୋଲି ଘୋଷଣା କରିବାର ସପ୍ତାହକ ଭିତରେ ଫାର୍ଷ୍ଟରାଣ୍ଡ ବ୍ୟାଙ୍କ ଭାରତରେ ଥିବା ତାର ଏକମାତ୍ର ଶାଖାକୁ ବନ୍ଦ କରିବା ନିଷ୍ପତ୍ତିକୁ ଆର୍ଥିକ ଜଗତରେ ସ୍ୱାଭାବିକ ଭାବେ ଗ୍ରହଣ କରା ଯାଇନାହିଁ। ଇତିମଧ୍ୟରେ କିଛି ବିଦେଶୀ ବ୍ୟାଙ୍କ ଭାରତରେ ସେମାନଙ୍କ କାର୍ଯ୍ୟ ବନ୍ଦ କରିଛନ୍ତି ବା କାର୍ଯ୍ୟକୁ ସଙ୍କୁଚିତ କରିଛନ୍ତି। ଏହାର ଅର୍ଥ କଣ ବିଦେଶୀ ବ୍ୟାଙ୍କଗୁଡିକ ଲାଗି ଭାରତୀୟ ଆର୍ଥିକ ବଜାର ତାର ପୂର୍ବର ଆକର୍ଷଣ ହରାଇଛି ବୋଲି ମନେ କରିବାକୁ ହେବ?

ଭାରତରେ ଊନବିଂଶ ଶତାବ୍ଦୀରୁ ବିଦେଶୀ ବ୍ୟାଙ୍କ କାର୍ଯ୍ୟ କରି ଆସୁଛନ୍ତି। ସେ ସମୟରେ ଭାରତରେ ଥିବା ବ୍ରିଟିଶ ସେନାଧିକାରୀ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଆଧୁନିକ ବ୍ୟାଙ୍କସେବା ଓ ଅର୍ଥ ପ୍ରେରଣ (ରେମିଟାନ୍ସ)ର ସୁବିଧା ଉପଲବ୍ଧ କରାଇବା ପାଇଁ ଏହି ବ୍ୟାଙ୍କଗୁଡିକ ପ୍ରତିଷ୍ଠିତ ହୋଇଥିଲେ। ପ୍ରଥମ ଅବସ୍ଥାରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ସମୟରେ ସୌଦାଗରଙ୍କ ଦ୍ୱାରା ଜଏଣ୍ଟ ଷ୍ଟକ ବ୍ୟାଙ୍କ, ଏଜେନ୍ସି ହାଉସ, ପ୍ରେସିଡେନ୍ସି ବ୍ୟାଙ୍କ ଆଦି ଜରିଆରେ ବ୍ୟାଙ୍କିଙ୍ଗ ସୁବିଧା ମିଳୁଥିଲା। ଏଜେନ୍ସି ହାଉସ ଓ ଜଏଣ୍ଟ ଷ୍ଟକ ବ୍ୟାଙ୍କଗୁଡିକର ବିଫଳତା ପରେ ପ୍ରେସିଡେନ୍ସି ବ୍ୟାଙ୍କଗୁଡିକର ବିଲୟ କରି ଭାରତୀୟ ଷ୍ଟେଟ ବ୍ୟାଙ୍କ ପ୍ରତିଷ୍ଠା କରାଗଲା। ପ୍ରକୃତ ଅର୍ଥରେ ବ୍ରିଟିଶ ମାଲିକାନାରେ ଥିବା ଷ୍ଟେଟ ବ୍ୟାଙ୍କକୁ ଭାରତର ପ୍ରଥମ ବିଦେଶୀ ବ୍ୟାଙ୍କ ରୂପେ ଗ୍ରହଣ କରା ଯାଇପାରେ। ତେବେ ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଇଷ୍ଟ ଇଣ୍ଡିଆ କମ୍ପାନୀର ବିଶେଷ ପ୍ରଚେଷ୍ଟା ଫଳରେ ଦେଶରେ ଯେଉଁ ବିଦେଶୀ ବ୍ୟାଙ୍କ ଖୋଲିବାକୁ ଲାଗିଲା ତନ୍ମଧ୍ୟରେ ଏଚଏସବିସି ସର୍ବ ପୁରାତନ (୧୮୫୩) ହୋଇଥିଲା ବେଳେ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ (୧୮୫୪), ବିଏନପି ପରିବାସ (୧୮୬୨), ସିଟି ବ୍ୟାଙ୍କ (୧୯୦୨), ଏବିଏନଆମରୋ (୧୯୨୦) ଅନ୍ୟତମ।

୧୯୯୨ ମସିହାରେ ବ୍ୟାଙ୍କ ସଂସ୍କାର କାର୍ଯ୍ୟକାରୀ ହେଲା ପରେ ୧୯୯୪ରେ ବିଦେଶୀ ବ୍ୟାଙ୍କଗୁଡିକୁ ନୂଆ ଶାଖା ଖୋଲିବାକୁ ଅନୁମତି ଦେବା ବେଳକୁ ଦେଶରେ ୨୪ଟି ବିଦେଶୀ ବ୍ୟାଙ୍କର ୧୫୬ଟି ଶାଖା କାର୍ଯ୍ୟ କରୁଥିଲା। ଏଗୁଡିକ ମଧ୍ୟରୁ ଅଧିକାଂଶ ୧୯୬୯ ମସିହାରେ ବ୍ୟାଙ୍କ ଜାତୀୟକରଣ ହେବା ପୂର୍ବରୁ କାମ କରୁଥିବା ବେଳେ ମାତ୍ର ୭ଟି ଶାଖା ୯୦ ଦଶକରେ ଖୋଲିଥିଲା। ଦେଶର ୫୭୫ଟି ଜିଲ୍ଲାରେ ବିଦେଶୀ ବ୍ୟାଙ୍କର କୌଣସି ଶାଖା ନ ଥିଲା ବେଳେ ପ୍ରାୟ ୭୫ ପ୍ରତିଶତ ଶାଖା କେବଳ ମୁମ୍ୱଇ, ଦିଲ୍ଲୀ ଓ କଲିକତାରେ ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଚଳିତ ଆଇନ ଅନୁଯାୟୀ ଗୋଟିଏ ବିଦେଶୀ ବ୍ୟାଙ୍କ ଶାଖା ମାଧ୍ୟମରେ ହେଉ ବା ସମ୍ପୂର୍ଣ୍ଣ ମାଲିକାନା ବିଶିଷ୍ଟ ସହାୟକ (ହୋଲି ଓନଡ ସବସିଡିଆରି) ମାଧ୍ୟମରେ, ଏଇ ଦୁଇଟି ଭିତରୁ ଗୋଟିଏ ଜରିଆରେ, ଭାରତରେ ବ୍ୟାଙ୍କ ସେବା ପ୍ରଦାନ କରି ପାରିବେ। ବର୍ତ୍ତମାନ ଦେଶରେ ସମୁଦାୟ ୪୬ଟି ବିଦେଶୀ ବ୍ୟାଙ୍କର ପ୍ରାୟ ୩୦୦ଟି ଶାଖା କାର୍ଯ୍ୟରତ। ଏମାନଙ୍କ ମଧ୍ୟରୁ ପ୍ରମୁଖ ବ୍ୟାଙ୍କଗୁଡିକ ହେଲେ, ସିଟି ବ୍ୟାଙ୍କ, ଏଚଏସବିସି ବ୍ୟାଙ୍କ ଇଣ୍ଡିଆ, ଡୟଚେ ବ୍ୟାଙ୍କ, ରୟାଲ ବ୍ୟାଙ୍କ ଅଫ ସ୍କଟଲ୍ୟାଣ୍ଡ, ଡିବିଏସ ବ୍ୟାଙ୍କ, ବାର୍କଲେଜ ବ୍ୟାଙ୍କ, ବ୍ୟାଙ୍କ ଅଫ ଆମେରିକା, ବ୍ୟାଙ୍କ ଅଫ ବାହାରିନ ଆଣ୍ଡ କ୍ୱେଟ, ଦୋହା ବ୍ୟାଙ୍କ। ଏହି ବ୍ୟାଙ୍କଗୁଡିକ ଯୋଗୁ ଅନ୍ତର୍ଜାତୀୟ କାରବାର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସ୍ଥାନୀୟ ଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିଥାଏ।

ବିଦେଶୀ ବ୍ୟାଙ୍କଗୁଡିକ ସମାବେଶୀ ବ୍ୟାଙ୍କିଙ୍ଗରେ ବିଶ୍ୱାସ କରନ୍ତି ନାହିଁ। ବରଂ ଅଧିକାଂଶ ବ୍ୟାଙ୍କ ସେମାନଙ୍କ ସେବାକୁ ଏକ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ରଖି ତାକୁ ସାଧାରଣ ଲୋକଙ୍କ ପହଞ୍ଚଠାରୁ ଯଥାସମ୍ଭବ ଦୂରରେ ରଖିବାକୁ ପ୍ରୟାସ କରିଥାଆନ୍ତି। ଭାରତରେ ସମ୍ଭ୍ରାନ୍ତ ଶ୍ରେଣୀର ଗ୍ରାହକଙ୍କ ସଂଖ୍ୟା କ୍ରମଶଃ ବଢୁଥିବାରୁ ସେମାନଙ୍କ ଲାଗି ଉପଭୋକ୍ତା ବସ୍ତୁ, ଉଚ୍ଚ ମାନର ଆଡଭାଇଜରି ସେବା ଓ ଉଚ୍ଚ ସ୍ତରର ବ୍ୟାଙ୍କିଙ୍ଗ ଦ୍ରବ୍ୟ (ପ୍ରୋଡକ୍ଟ)ର ବଜାର ମଧ୍ୟ ବଢୁଛି। ଏହି ବିଦେଶୀ ବ୍ୟାଙ୍କମାନେ ପ୍ରାୟତଃ ସେହି ବଜାରଟିକୁ ଅକ୍ତିଆର କରିବାକୁ ପ୍ରୟାସରତ। ସେମାନେ ବିତ୍ତଶାଳୀ ଲୋକଙ୍କୁ ନିବେଶ ଯୋଜନା ଓ ଆର୍ଥିକ ଯୋଜନାର ଉପଦେଶ ସେବା ଯୋଗାଇ ଦେଇଥାଆନ୍ତି ଯେଉଁଥିରେ ଭଲ ଲାଭର ସମ୍ଭାବନା ଥାଏ। କିଛି ବିଦେଶୀ ବ୍ୟାଙ୍କ ତ ଏହି ଧରଣର ଗ୍ରାହକଙ୍କୁ ସ୍ୱତନ୍ତ୍ର କ୍ଲବକୁ ପହଞ୍ଚ, ପରିଚାରକ ସେବା (କନସିଅର୍ସ ସର୍ଭିସ), ଅବସର ବିନୋଦନ ଭଳି ‘ଲାଇଫଷ୍ଟାଇଲ ସୁବିଧା’ମାନ ମଧ୍ୟ ଉପଲବ୍ଧ କରାଇଥାଆନ୍ତି। ଅର୍ଥାତ୍ ମଧ୍ୟବିତ୍ତ ବା ଗରିବ ଗ୍ରାହକଙ୍କୁ ବା ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍କ ସେବା ପ୍ରଦାନ ସେମାନଙ୍କ ଅଗ୍ରାଧିକାରରେ ନ ଥାଏ। ବିଦେଶୀ ବ୍ୟାଙ୍କଗୁଡିକର ଶାଖାଗୁଡିକ ମଧ୍ୟରୁ ମାତ୍ର ପ୍ରାୟ ଦୁଇ ପ୍ରତିଶତ ଗ୍ରାମାଞ୍ଚଳ ବା ଅର୍ଦ୍ଧ ସହରାଞ୍ଚଳରେ ଅବସ୍ଥିତ।

ଏଠାରେ ୟୁନିଭର୍ସିଟି ଅଫ ପେନସିଲଭାନିଆର ପ୍ରଫେସର ଟଡ ଗର୍ମଲେଙ୍କ ୨୦୧୦ରେ ପ୍ରକାଶିତ ‘ଦି ଇମ୍ପାକ୍ଟ ଅଫ ଫରେନ ବ୍ୟାଙ୍କ ଏଣ୍ଟ୍ରି ଇନ ଇମର୍ଜିଂ ମାର୍କେଟସ : ଏଭିଡେନ୍ସ ଫ୍ରମ ଇଣ୍ଡିଆ’ ଶୀର୍ଷକ ଅଧ୍ୟୟନର ନିଷ୍କର୍ଷ ପ୍ରଣିଧାନ ଯୋଗ୍ୟ। ବିକଶିତ ଦେଶମାନଙ୍କର ଯୁକ୍ତି ହେଉଛି କମ ବିକଶିତ ଦେଶଗୁଡିକରେ ଥିବା ବ୍ୟାଙ୍କଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ଅଭାବରୁ ଋଣର ଅଧିକ ମୂଲ୍ୟ (କଷ୍ଟ ଅଫ ବରୋଇଙ୍ଗ) ଦେବାକୁ ହୋଇଥାଏ ଓ ସଂଖ୍ୟାଧିକ ବ୍ୟବସାୟ ପ୍ରତିଷ୍ଠାନ ଲାଗି ଆର୍ଥିକ ପହଞ୍ଚ ସୀମିତ ହୋଇଥାଏ। ତେଣୁ ସେହି ଦେଶମାନଙ୍କରେ ବିଦେଶୀ ବ୍ୟାଙ୍କର ପ୍ରବେଶ ପାଇଁ ଅନୁମତି ଦିଆଗଲେ ପ୍ରତିଦ୍ୱନ୍ଦ୍ୱିତା ବଢି ବିଦେଶୀ ବ୍ୟାଙ୍କଗୁଡିକ ସେଠାରେ ଅଧିକ ଋଣ ପ୍ରଦାନ କରିବେ ଓ ତଦ୍ଦ୍ୱାରା ଦକ୍ଷତା ବି ବଢିବ। ମାତ୍ର ଉପରୋକ୍ତ ଅଧ୍ୟୟନ ଅନୁସାରେ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ମଧ୍ୟରୁ ଅଧିକଂଶ ବିଦେଶୀ ବ୍ୟାଙ୍କଗୁଡିକର ପ୍ରବେଶ ପରେ ଅଧିକ ଋଣ ପାଇ ଲାଭାନ୍ୱିତ ହୋଇ ନାହାନ୍ତି। କେବଳ ବିଦେଶୀ ବ୍ୟାଙ୍କର ଶାଖା ନିକଟରେ ଥିବା ମାତ୍ର ୧୦ ପ୍ରତିଶତ ଲାଭ କରୁଥିବା ବ୍ୟବସାୟ ପ୍ରତିଷ୍ଠାନଙ୍କୁ ବଡ଼ ଋଣ ମିଳି ପାରିଛି। ଅନ୍ୟ ପକ୍ଷରେ ଏହି ବ୍ୟାଙ୍କଗୁଡିକର ପ୍ରବେଶ ପରେ ଅନ୍ୟ ପ୍ରତିଷ୍ଠାନଗୁଡିକ ଲାଗି କୌଣସି ପ୍ରକାର ଦୀର୍ଘ ମିଆଦି ବ୍ୟାଙ୍କ ଋଣ ପାଇବାର ସମ୍ଭାବନା ହାରାହାରି ୭.୬ ପ୍ରତିଶତ ହ୍ରାସ ହୋଇଛି।

୧୯୯୨ ମସିହାରେ ହୋଇଥିବା ବହୁଚର୍ଚ୍ଚିତ ହର୍ଷଦ ମେହେଟ୍ଟା ଷ୍ଟକ ମାର୍କେଟ ଦୁର୍ନୀତି ମାମଲାରେ ଗଠିତ ଜେପିସି ରିପୋର୍ଟରେ ଏଏନଜେଡ ଗ୍ରୀଣ୍ଡଲେଜ, ସିଟିବ୍ୟାଙ୍କ, ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ, ଆମେରିକା ଏକ୍ସପ୍ରେସ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଆମେରିକା ଭଳି ବିଦେଶୀ ବ୍ୟାଙ୍କଗୁଡିକୁ ଏହି ଦୁର୍ନୀତିର ବଡ ଖେଳାଳୀ ବୋଲି ଅଭିହିତ କରିବା ସହ ଏମାନେ ଏହି ଦୁର୍ନୀତିର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଆରମ୍ଭ କରିଥିଲେ ବୋଲି କୁହାଯାଇଥିଲା।

ଦେଶରେ ବ୍ୟାଙ୍କ ସେବା କ୍ଷେତ୍ରରେ ଉନ୍ନତ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗକୁ ପ୍ରଥମେ ବିଦେଶୀ ବ୍ୟାଙ୍କଗୁଡିକ ହିଁ କରିଛନ୍ତି। ଉଦାହରଣ ସ୍ୱରୂପ ଦେଶର ପ୍ରଥମ ଏଟିଏମ ଏଚଏସବିସି ବ୍ୟାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଅଗ୍ରାଧିକାର କ୍ଷେତ୍ରରେ ଋଣ ଲଗାଣ ଆବଶ୍ୟକତା ଅନୁସାରେ ୨୦ରୁ ଅଧିକ ଶାଖା ଥିବା ବିଦେଶୀ ବ୍ୟାଙ୍କଗୁଡିକ ସମୁଦାୟ ଋଣର ୪୦ ପ୍ରତିଶତ ଓ ତାଠାରୁ କମ ଶାଖା ଥିବା ବ୍ୟାଙ୍କଗୁଡିକ ୩୨ ପ୍ରତିଶତ ଅଗ୍ରାଧିକାର କ୍ଷେତ୍ରରେ ଲଗାଇବା କଥା। ଏହି ବ୍ୟାଙ୍କଗୁଡିକ ଆମଦାନୀ-ରପ୍ତାନୀ କ୍ଷେତ୍ରରେ ଅଧିକ ଋଣ ଦେଉଥିବାରୁ ଅଗ୍ରାଧିକାର କ୍ଷେତ୍ର ଋଣ ଲଗାଣ ଆବଶ୍ୟକତାକୁ ସହଜରେ ପୂରଣ କରି ପାରିଥାଆନ୍ତି। ତେବେ ୨୦ରୁ ଅଧିକ ଶାଖା ଥିବା ବ୍ୟାଙ୍କଗୁଡିକ କୃଷି ଭଳି କ୍ଷେତ୍ରଗୁଡିକରେ ଋଣ ଲଗାଣ ପାଇଁ ସେଭଳି ଆଗ୍ରହ ପ୍ରକାଶ କରନ୍ତି ନାହିଁ। ମୋଟ ଉପରେ ବିଦେଶୀ ବ୍ୟାଙ୍କଗୁଡିକ ନିଜ ଲାଭ ଉପରେ ଯେତେ ଗୁରୁତ୍ୱ ଦିଅନ୍ତି ଦେଶର ବିକାଶ ପ୍ରତି ସେତେଟା ଦେଇ ନ ଥାଆନ୍ତି ବୋଲି ଦେଶରେ ଏକ ଧାରଣା ସୃଷ୍ଟି ହୋଇଛି, ଯାହା ଅନେକାଂଶରେ ସତ।

ସିଟି ବ୍ୟାଙ୍କ ତା’ର ଗ୍ଲୋବାଲ ଷ୍ଟ୍ରାଟେଜି ଅନୁଯାୟୀ ଭାରତ ସମେତ ୧୩ଟି ଦେଶରେ ନିଜ କଞ୍ଜ୍ୟୁମର ବିଜନେସକୁ ବନ୍ଦ କରିବାର ନିଷ୍ପତ୍ତି  ଅପ୍ରେଲ ମାସ ନେଲା। ଉଲ୍ଲେଖଯୋଗ୍ୟ ଯେ ସିଟି ବ୍ୟାଙ୍କ ୧୯୮୫ ମସିହାରୁ ଭାରତରେ କଞ୍ଜ୍ୟୁମର ବ୍ୟବସାୟ କରି ଆସୁଥିଲେ ମଧ୍ୟ ତାହା ଲାଭଜନକ ନ ହେବାରୁ ତାକୁ ବନ୍ଦ କରି ଅନ୍ୟକୁ ବିକ୍ରି କରିବାକୁ ଯାଉଛି। ସେହିପରି ୨୦୦୯ ମସିହାରେ ଭାରତରେ ବ୍ୟବସାୟ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକାର ଫାର୍ଷ୍ଟରାଣ୍ଡ ବ୍ୟାଙ୍କ ମଧ୍ୟ ତାର ଏଠାରେ ଥିବା ଏକମାତ୍ର ଶାଖାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଲାଗଲାଗ ଦୁଇଟି ବିଦେଶୀ ବ୍ୟାଙ୍କ ଭାରତରେ ସେମାନଙ୍କ ବ୍ୟବସାୟ ବନ୍ଦ କରିବା ବା ସଙ୍କୁଚିତ କରିବା ନିଷ୍ପତ୍ତି ଉଦବେଗଜନକ। ତେବେ ନିଜ ରିଟେଲ ବ୍ୟବସାୟକୁ ବଢାଇବା ପାଇଁ ଭାରତରେ ହଜାର କୋଟି ଡଲାର ବିନିଯୋଗ କରିଥିବା ପ୍ରାୟ ଅଧା ଡଜନ ବିଦେଶୀ ବ୍ୟାଙ୍କ ଗତ କୋଡିଏ ବର୍ଷ ଭିତରେ ନିଜ ବ୍ୟବସାୟ ବନ୍ଦ କରି ଭାରତରୁ ଓହରି ଯାଇଥିବାର ଦୃଷ୍ଟାନ୍ତ ରହିଛି। ୨୦୦୦ ମସିହାରେ ପ୍ରଥମେ ଏଏନଜେଡ ଗ୍ରୀଣ୍ଡଲେଜ ବ୍ୟାଙ୍କ ତାର ବ୍ୟବସାୟ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କକୁ ବିକ୍ର କରି ଗଲା ପରେ ୨୦୦୭ରେ ଏବିଏନଆମରୋ ରୟାଲ ବ୍ୟାଙ୍କ ଅଫ ସ୍କଟଲ୍ୟାଣ୍ଡକୁ (ଆରବିଏସ), ୨୦୧୧ ମସିହାରେ ଡୟଚେ ବ୍ୟାଙ୍କ ତାର କ୍ରେଡିଟ କାର୍ଡ ବ୍ୟବସାୟକୁ ଇଣ୍ଡସଇଣ୍ଡ ବ୍ୟାଙ୍କକୁ, ୨୦୧୪ରେ ଆଇଏନଜି ତାର ଭାରତୀୟ ବ୍ୟବସାୟ କୋଟକକୁ, ଆରବିଏସ ତାର ରିଟେଲ ପୋର୍ଟଫୋଲିଓକୁ ଆରବିଏଲକୁ ବିକ୍ରି କରିବା ଏବଂ ୨୦୧୬ ମସିହାରେ ଏଚଏସବିସି ନିଜ ଶାଖା ସଂଖ୍ୟାକୁ ହ୍ରାସ କରିବା ମଧ୍ୟ ଚିନ୍ତାଜନକ। ଏମାନଙ୍କ ମଧ୍ୟରୁ କେବଳ ଷ୍ଟକ ଦୁର୍ନୀତିରେ କ୍ଷତିଗ୍ରସ୍ତ ଏଏନଜେଡ ଗ୍ରୀଣ୍ଡଲେଜ ବ୍ୟାଙ୍କକୁ ବାଦ ଦେଲେ ଅଧିକାଂଶ ଅନ୍ୟ ବ୍ୟାଙ୍କ ଭାରତରେ ବ୍ୟବସାୟରୁ ଲାଭବାନ ହେଉଥିଲେ ବି ସେମାନେ ଏଠାରୁ ରିଟେଲ ବ୍ୟାଙ୍କିଙ୍ଗ ବ୍ୟବସାୟରୁ ଓହରି ଯିବାକୁ ପସନ୍ଦ କରୁଛନ୍ତି। ରିଟେଲ ବ୍ୟାଙ୍କିଙ୍ଗ ବ୍ୟବସାୟର ଏକ ବଡ ଅଂଶ ଗୃହ ଋଣ କ୍ଷେତ୍ର ହୋଇଥିବା ବେଳେ ବିଦେଶୀ ବ୍ୟାଙ୍କଗୁଡିକ ଏହି କ୍ଷେତ୍ରରେ ଦେଶୀୟ ବ୍ୟାଙ୍କଗୁଡିକ ସହ ପ୍ରତିଦ୍ୱନ୍ଦ୍ୱିତା କରି ଆଶାନୁରୂପ ସଫଳତା ହାସଲ କରି ନ ପାରିବା, ସେମାନଙ୍କ ଓହରି ଯିବାର ଏକ ବଡ କାରଣ ବୋଲି ଦର୍ଶାଯାଉଛି।

ଦେଶର ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ତଥା ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳର ଲୋକେ ବିଦେଶୀ ବ୍ୟାଙ୍କଗୁଡିକ ଦ୍ୱାରା ସିଧାସଳଖ ସେବା ପାଉ ନ ଥିଲେ ବି ଦେଶର ଅର୍ଥନୀତିକୁ ବଳିଷ୍ଠ କରିବାରେ ଏହି ବ୍ୟାଙ୍କଗୁଡିକର ଯଥେଷ୍ଟ ଅବଦାନ ରହିଛି। ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ରେକର୍ଡ ପରିମାଣର ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ଆକୃଷ୍ଟ କରିବାକୁ ସମର୍ଥ ହୋଇଛି। ଭାରତକୁ ଆସିଥିବା ଏଫଡିଆଇର ସିଂହଭାଗ ଏହି ବ୍ୟାଙ୍କଗୁଡିକ ଜରିଆରେ ଆସିଛି। ଏତଦଭିନ୍ନ ଦେଶର ଆମଦାନୀ-ରପ୍ତାନୀ ବ୍ୟବସାୟରେ ଏହି ବ୍ୟାଙ୍କଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଦେଶର ଅର୍ଥନୀତିକୁ ବେଗ ପ୍ରଦାନ କରୁଛନ୍ତି। ଅଧିକ ବିଦେଶୀ ବ୍ୟାଙ୍କ ଭାରତରେ ବ୍ୟବସାୟ କରିବା ଦ୍ୱାରା ଦେଶର ବ୍ୟବସାୟ କରିବାର ସୁଗମତାର ଛବି ବି ଉନ୍ନତ ହୋଇଥାଏ। ତେଣୁ ଭାରତରେ ବ୍ୟବସାୟ କରିବା ଲାଗି ଯେପରି ଏହି ବ୍ୟାଙ୍କଗୁଡିକ ବିମୁଖ ନ ହୁଅନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଭାରତ ବଜାରକୁ ଆକର୍ଷଣୀୟ କରି ରଖିବା ଲାଗି ପ୍ରୟାସ ଜାରି ରହିବା ଦରକାର।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।