ଏମ୍‌ଏସ୍‌ପି ପାଇଁ ଆଇନ କେତେ ଜରୁରୀ ?

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଦିଲ୍ଲୀ ସୀମାରେ ଦେଶର କୃଷକମାନଙ୍କ ଐତିହାସିକ ଆନ୍ଦୋଳନକୁ ଏବେ ଦୁଇ ମାସ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନର ପ୍ରତ୍ୟାହାରର ଦାବି ସହିତ ଅନ୍ୟ ଯେଉଁ ଦାବିଟିକୁ କୃଷକମାନେ ପ୍ରମୁଖତାର ସହ ଉଠାଇଛନ୍ତି, ତାହା ହେଲା ଫସଲର ସର୍ବନିମ୍ନ ସହାୟକ ଦର(ଏମ୍‌ଏସ୍‌ପି) ପାଇଁ ଏକ ସ୍ୱତନ୍ତ୍ର ଆଇନର ବ୍ୟବସ୍ଥା। ବର୍ତ୍ତମାନ ଏମ୍‌ଏସ୍‌ପି ସରକାରଙ୍କ ଏକ ଇଚ୍ଛାଧୀନ ବିଷୟ ଥିବା ବେଳେ ତାକୁ ଆଇନ ଜରିଆରେ ବାଧ୍ୟତାମୂଳକ କରି ସମସ୍ତ ଫସଲର ଏମ୍‌ଏସ୍‌ପିକୁ ନିଶ୍ଚିତ କରିବାକୁ ଚାଷୀମାନେ ଦାବି କରୁଛନ୍ତି। କେନ୍ଦ୍ରର ନୂଆ ଆଇନ ପରେ ସରକାରୀ ମଣ୍ଡି ଓ ଏମ୍‌ଏସ୍‌ପି ବନ୍ଦ ହେବାର ସ୍ପଷ୍ଟ ଆଶଙ୍କା ରହିଥିବାରୁ ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ଦାବିରେ ଚାଷୀମାନେ ଅଧିକ ମୁଖର ହେବା ଦେଖାଯାଇଛି। ତେବେ ଏନେଇ ଆଇନ କରିବାକୁ ସରକାର ଯେ ଆଦୌ ପ୍ରସ୍ତୁତ ନୁହଁନ୍ତି, ଏକଥା ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା ଗତ ଆଠଟି ଆଲୋଚନାରୁ ସ୍ପଷ୍ଟ ହୋଇଯାଇଛି।

ସତୁରୀ ଦଶକରେ ଦେଶର ଖାଦ୍ୟ ସଙ୍କଟର ସମାଧାନ ଓ କୃଷିର ବିକାଶ ନାଁରେ ସରକାର ପଞ୍ଜାବ ଓ ହରିଆନାରେ ସବୁଜ ବିପ୍ଳବ ଆରମ୍ଭ କରିଥିଲେ। ଖାଦ୍ୟଶସ୍ୟର ଅଧିକ ଉତ୍ପାଦନ କରି ଦେଶକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ କୃଷିରେ ବିପୁଳ ସରକାରୀ ବ୍ୟୟ କରିଥିଲେ। ବଜାରରେ ଖାଦ୍ୟଶସ୍ୟର ଦରହ୍ରାସରୁ ଚାଷୀକୁ ସୁରକ୍ଷା ଦେବା ପାଇଁ ସରକାର ଏପିଏମ୍‌ସି ଆଇନ କରି ମଣ୍ଡି ସ୍ଥାପନ କରିବା ସହ ଫସଲର ଏମ୍‌ଏସ୍‌ପି ଘୋଷଣା କରି ସରକାରୀ ସଂଗ୍ରହ ପ୍ରକ୍ରୀୟାଟି ଆରମ୍ଭ କରିଥିଲେ। ପ୍ରଥମେ ପଞ୍ଜାବ ଓ ହରିଆନାରେ ଧାନ ଓ ଗହମରୁ ଆରମ୍ଭ ହୋଇଥିବା ଏହି ସରକାରୀ ସଂଗ୍ରହ ଓ ଏମ୍‌ଏସ୍‌ପି ବ୍ୟବସ୍ଥାଟି ପରେ ମୋଟ ୨୩ଟି ଫସଲ ଓ ସାରା ଦେଶରେ ପ୍ରଚଳିତ ହୋଇଥିଲା। କିନ୍ତୁ ଆଇନଗତ ବାଧ୍ୟତା ନଥିବାରୁ ଆଜି ସୁଦ୍ଧା ଦେଶର ସବୁ ପ୍ରକାର ଫସଲ କିମ୍ବା ଚାଷୀଙ୍କ ସବୁ କୃଷି ଉତ୍ପାଦକୁ ଏମ୍‌ଏସ୍‌ପିରେ ସଂଗ୍ରହ କରାଯାଉନାହିଁ। ଏପରିକି ଧାନ ଓ ଗହମ ପରି କେବଳ ଦୁଇଟି ଫସଲକୁ ଛାଡ଼ିଦେଲେ ଅନ୍ୟ ଫସଲକୁ ପ୍ରାୟତଃ ମଣ୍ଡିରେ କିଣା ଯାଉନାହିଁ। ଫଳସ୍ୱରୂପ ଏମ୍‌ଏସ୍‌ପି ନେଇ ସରକାରଙ୍କ ବଡ଼ ବଡ଼ ଘୋଷଣା ସତ୍ତ୍ୱେ ଆନ୍ତରିକତା ଅଭାବରୁ ଦେଶର ମୋଟ ଫସଲର ମାତ୍ର ୧୩%କୁ ହିଁ ଏମ୍‌ଏସପି ଦେଇ ସଂଗ୍ରହ କରୁଛନ୍ତି।

କେନ୍ଦ୍ର ସରକାରଙ୍କ କୃଷି ବିଭାଗ ଦ୍ୱାରା ଗଠିତ କମିଶନ୍ ଫର୍ ଏଗ୍ରିକଲଚର୍ କଷ୍ଟ୍ ଏଣ୍ଡ୍ ପ୍ରାଇସ୍ (ସିଏସିପି)ର ସୁପାରିଶ ଅନୁଯାୟୀ କେନ୍ଦ୍ର ସରକାର ପ୍ରତିବର୍ଷ ଖରିଫ୍ ଓ ରବି ଋତୁ ପୂର୍ବରୁ ଦୁଇଥର ଏମ୍‌ଏସ୍‌ପି ଘୋଷଣା କରୁଛନ୍ତି। ଫସଲର ଉତ୍ପାଦନ ଖର୍ଚ୍ଚକୁ ହିସାବ କରି ତା ସହିତ ୫୦% ଲାଭକୁ ଯୋଡ଼ି ଏମ୍‌ଏସ୍‌ପି ଧାର୍ଯ୍ୟ କରାଯାଇଥାଏ। ସାଧାରଣତଃ ଫସଲର ଉତ୍ପାଦନ ଖର୍ଚ୍ଚକୁ ଆକଳନ କରି ତାହାରି ଆଧାରରେ ଏମ୍‌ଏସ୍‌ପି ଧାର୍ଯ୍ୟ କରିବାର ତିନୋଟି ପଦ୍ଧତି ବା ଫାର୍ମୁଲା ରହିଛି। ପ୍ରଥମଟି ହେଉଛି ଏ୨ ଅର୍ଥାତ୍ ଫସଲ ପାଇଁ ଆବଶ୍ୟକୀୟ ବିହନ, ସାର, କୀଟନାଶକ, ମୂଲିଆଙ୍କ ମଜୁରୀ ଓ ଜଳସେଚନ ପରି ଆନୁଷଙ୍ଗିକ ସମସ୍ତ ଖର୍ଚ୍ଚ ବା ଲାଗୁତି ବାବଦରେ ହେଉଥିବା ସମସ୍ତ ବ୍ୟୟ(ଏ୨) ଉପରେ ୫୦% ଲାଭ ବା (ଏ୨ + ୫୦%)। ଦ୍ୱିତୀୟଟି ହେଉଛି (ଏ୨ + ଏଫଏଲ) ଅର୍ଥାତ୍ ଫସଲର ଲାଗୁତି ସହିତ କୃଷିରେ ନିୟୋଜିତ ଚାଷୀର ପରିବାର ସଦସ୍ୟମାନଙ୍କ ଶ୍ରମର ମୂଲ୍ୟ(ଏଫଏଲ)କୁ ମିଶାଇ, ଯାହାକୁ ଢ଼୨ + ୠଖ କୁହାଯାଏ, ତାରି ଉପରେ ୫୦% ଲାଭ ଅର୍ଥାତ୍ (ଏ୨ + ଏଫଏଲ+୫୦%)। ତୃତୀୟଟି ହେଲା, ଏ୨ + ଏଫଏଲ ସହିତ ଜମିର ଭଡ଼ା (ଖଜଣା କିମ୍ବା ଭାଗଚାଷ ବାବଦରେ ଦେୟ) ଏବଂ କୃଷି ପାଇଁ ନିଆଯାଇଥିବା ଋଣର ସୁଧକୁ ମିଶାଇ ବ୍ୟୟ ଯାହାକୁ ସି୨ କୁହାଯାଏ, ତାରି ଉପରେ ୫୦% ଅର୍ଥାତ୍ ସି୨ + ୫୦%।

ଉପରୋକ୍ତ ତିନୋଟି ପଦ୍ଧତି ମଧ୍ୟରୁ ସି୨ + ୫୦%କୁ ହିଁ ଏମ୍‌.ଏସ୍‌. ସ୍ୱାମୀନାଥନ୍ କମିଶନ ତାଙ୍କ ରିପୋର୍ଟରେ ସବୁଠାରୁ ଉପଯୁକ୍ତ ବୋଲି କହିବା ସହିତ ତାରି ଆଧାରରେ ହିଁ ଫସଲର ଏମ୍‌ଏସ୍‌ପି ଘୋଷଣା କରିବାକୁ କହିଛନ୍ତି। ଏପରିକି ଖୋଦ୍ ସିଏସିପି ଓ ନଅଟି ରାଜ୍ୟ ସରକାର ମଧ୍ୟ ଏହି ଫାର୍ମୁଲାରେ ହିଁ ଏମ୍‌ଏସ୍‌ପି ଧାର୍ଯ୍ୟ କରିବାକୁ ଅତିତରେ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। କିନ୍ତୁ ଏଯାଏଁ ସବୁ ସରକାର ଏ୨ + ୠଖ ହିସାବରେ ହିଁ ଏମ୍‌ଏସ୍‌ପି ଘୋଷଣା କରି ଆସିଛନ୍ତି ଯାହାକି ଦେଶର ଚାଷୀକୂଳଙ୍କ ପ୍ରତି ପ୍ରତାରଣା ବୋଲି କୁହାଯାଇାପାରେ। କିଛି ବର୍ଷ ତଳେ ଅର୍ନ୍ତଜାତୀୟ ସଂସ୍ଥା, ଓ.ଇ.ସି.ଡ଼ି ତା’ର ରିପୋର୍ଟରେ କହିଥିଲା ଯେ ଯଦି ଭାରତ ସରକାର ଆରମ୍ଭରୁ ହିଁ ସି୨ + ୫୦% ହିସାବରେ କୃଷିଜାତ ଦ୍ରବ୍ୟର ଏମ୍‌ଏସ୍‌ପି ପ୍ରଦାନ କରିଥାନ୍ତେ, ତାହେଲେ ସରକାରଙ୍କୁ କୃଷକମାନଙ୍କୁ ଏଯାଏଁ ଅଧିକ ୪୫ ଲକ୍ଷ କୋଟି ଟଙ୍କା ଦେବାକୁ ପଡ଼ିଥାନ୍ତା।

ଭୟଙ୍କର କୃଷି ସଙ୍କଟ ଓ ଅଭାବୀ ବିକ୍ରିର ସାମନା କରୁଥିବା ଚାଷୀମାନେ ନିଜର ଉତ୍ପାଦର ସର୍ବନିମ୍ନ ସହାୟକ ଦର ପାଇବାର ନିଶ୍ଚିତ ବ୍ୟବସ୍ଥା କରିବାକୁ ଅତିତରେ ବାରମ୍ବାର ଦାବି କରି ଆସିଛନ୍ତି। ଏପରିକି ଖୋଦ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଏମ୍‌ଏସ୍‌ପି ପାଇଁ ଆଇନ କରିବାକୁ ତତ୍କାଳିନ ଉପା ସରକାର ପାଖରେ ଦାବୀ କରିଥିଲେ। ଅତଏବ ଏମ୍‌ଏସ୍‌ପି ପାଇଁ ଆଇନ ତିଆରି କରିବାକୁ ଚାଷୀମାନଙ୍କ ଦାବିଟି ଆଦୌ ନୂଆ ନୁହେଁ। ବରଂ ଆଜି ଯେତେବେଳେ କୃଷି ଆଇନ ଜରିଆରେ ସରକାର ଘରୋଇ କମ୍ପାନୀଙ୍କୁ ପ୍ରୋତ୍ସାହନ ଦେଇ ସରକାରୀ ମଣ୍ଡି ଓ ଏମ୍‌ଏସ୍‌ପି ବ୍ୟବସ୍ଥାକୁ ସମାପ୍ତ କରିବାକୁ ବସିଛନ୍ତି, ସେତେବେଳେ ଏହି ଦାବିଟି ଅଧିକ ଜୋରଦାର ହୋଇଛି।

ସରକାର ଯେତେ ପ୍ରଚାର କଲେ ବି ଗୋଟି କଥା ସତ ଯେ ଖୋଲାବଜାରରେ ଚାଷୀକୁ ତାର ଉତ୍ପାଦର ଭଲ ଦର କଦାପି ମିଳେନାହିଁ। ଭାରତୀୟ ଚାଷୀଙ୍କ ଉପରେ ହୋଇଥିବା ଏକ ସର୍ବେକ୍ଷଣର ଆଧାରରେ ରିଜର୍ଭ ବ୍ୟାଙ୍କର ୨୦୧୮ର ରିପୋର୍ଟ ଅନୁଯାୟୀ ଦେଶର ଅର୍ଦ୍ଧାଧିକ ଚାଷୀଙ୍କ ମତ ହେଲା, ଉତ୍ପାଦିତ ଫସଲ ପାଇଁ ଏମ୍‌ଏସ୍‌ପି ଯୋଜନାଟି ଚାଷୀଙ୍କ ପାଇଁ ସବୁଠାରୁ ଲାଭଜନକ ଅଟେ। ଅତଏବ ମଣ୍ଡି ବାହାରେ ଖୋଲା ବଜାରରେ ହେଉଥିବା କିଣାବିକାରେ ଚାଷୀକୁ ଲାଭଜନକ ଦର ମିଳିବା ଦୂରର କଥା, ଏମ୍‌ଏସ୍‌ପି ବି ମିଳିବା କେଉଁଠି ଦେଖାଯାଇନି। ବରଂ ବର୍ତ୍ତମାନ ଏକ ବିକଳ୍ପ ଭାବେ ସରକାରୀ ମଣ୍ଡି ବ୍ୟବସ୍ଥା ଏବଂ ଏମ୍‌ଏସ୍‌ପି ଥିବାରୁ ମଣ୍ଡି ବାହାରେ ବଜାରରେ ବି ଚାଷୀର କିଛି ମାତ୍ରାରେ ମୂଲଚାଲ କ୍ଷମତା ରହୁଛି। ଯଦି ସରକାରୀ କ୍ରୟ ବ୍ୟବସ୍ଥା ନଥାନ୍ତା, ତାହେଲେ ମଣ୍ଡି ବାହାରେ ଚାଷୀ ଆଜି ଯେତିକି ବି ଦର ପାଉଛନ୍ତି, ତାହା ପାଇପାରି ନଥାନ୍ତେ। ଓଡ଼ିଶାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ମିଲେ୍‌ଟ ମିଶନ୍ ଆରମ୍ଭ କରି ମଣ୍ଡିରେ ତାର ସଂଗ୍ରହ କରିବା ପରେ ମାଣ୍ଡିଆ ଚାଷୀମାନେ ଅପେକ୍ଷାକୃତ ଭଲ ଦର ପାଉଛନ୍ତି। ପୂର୍ବରୁ ମାଣ୍ଡିଆ କିଲୋ ପିଛା ଦର ୧୦-୧୨ ଟଙ୍କା ଥିବା ବେଳେ ବର୍ତ୍ତମାନ ସରକାରୀ ମଣ୍ଡିରେ ଚାଷୀ କିଲୋ ପିଛା ୩୦ ଟଙ୍କା ପାଉଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦଳ ୨୦୧୪ ମସିହାରେ ନିର୍ବାଚନ ଇସ୍ତାହାରରେ ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶ ପ୍ରକାରେ ସି୨ + ୫୦% ହିସାବରେ ଏମ୍‌ଏସ୍‌ପି ଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ସି୨ + ୫୦% ପଦ୍ଧତି ପରିବର୍ତ୍ତେ ସି୨ + ୫୦%ର ଆଧାରରେ ହିଁ ଏମ୍‌ଏସ୍‌ପି ଦେଇ ଆସିଛନ୍ତି। ଗତ ଫେବୃଆରୀ ୨୦୧୫ରେ ଏମ୍‌ଏସ୍‌ପି ସମ୍ପର୍କିତ ଏକ ମାମଲାର ଶୁଣାଣୀ ବେଳେ ଖୋଦ୍ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ଶପଥ ପାଠ କରି ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶ ଅନୁଯାୟୀ ସି୨ + ୫୦% ହିସାବରେ କୃଷକଙ୍କୁ ଫସଲର ଏମ୍‌ଏସ୍‌‌ପି ଦିଆଯାଇ ପାରିବନି ବୋଲି ସ୍ପଷ୍ଟ କରି ସାରିଛନ୍ତି। ସରକାର ସି୨ + ୫୦% ଆଧାରରେ ଏମ୍‌ଏସ୍‌ପିକୁ ବଢ଼ାଇବା ତଥା ଅଧିକରୁ ଅଧିକ ଫସଲକୁ ତାର ପରିସରଭୁକ୍ତ କରି ଚାଷୀଙ୍କ ଆୟରେ ବୃଦ୍ଧି କରିବା ଦିଗରେ କୌଣସି ଉଦ୍ୟମ କରିନାହାଁନ୍ତି। ଏପରିକି ଗତ ଛଅ ବର୍ଷ ମଧ୍ୟରେ ବିଭିନ୍ନ ଫସଲର ଏମ୍‌ଏସ୍‌ପିରେ ବାର୍ଷିକ ବୃଦ୍ଧିର ହାରଟି ମଧ୍ୟ ମାତ୍ର ୩-୫% ରହିଛି ଯାହାକି ଫସଲର ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧିର ହାର ଏବଂ ବଜାରରେ ଦରଦାମ୍‌ର ବୃଦ୍ଧିହାର ବା ମୂଦ୍ରାସ୍ଫିତି ଠାରୁ ବି କମ୍ ରହିଛି। ସବୁଠାରୁ ପରିତାପର ବିଷୟ ହେଲା, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦୁଇଗୁଣ କରିବାକୁ କହୁଥିବା ସରକାର ଏମ୍‌ଏସ୍‌ପି ବ୍ୟବସ୍ଥାକୁ ହିଁ ଖତମ୍ କରି ଚାଷୀଙ୍କୁ ବଡ଼ କମ୍ପାନୀଙ୍କ ଦୟାରେ ଛାଡ଼ିଦେବାକୁ ବସିଛନ୍ତି।

ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ଏମ୍‌ଏସ୍‌ପି ବନ୍ଦ ହେବନି ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଥିଲେ ବି ସରକାରଙ୍କ ନୀତି ଓ କାର୍ଯ୍ୟ ଭିନ୍ନ କଥା କହୁଛି। ସରକାରଙ୍କ ଦ୍ୱାରା ନିୟୋଜିତ ବିଭିନ୍ନ କମିଟି ବି ଏମ୍‌ଏସ୍‌ପି ବ୍ୟବସ୍ଥାର ସମାପ୍ତି ପାଇଁ ସୁପାରିଶ କରି ଆସିଛନ୍ତି। ଏପରିକି ବର୍ତ୍ତମାନ ସରକାର ଯେଉଁ ନୂତନ ଏପିଏମ୍‌ସି ଆଇନ ଆଣିଛନ୍ତି, ସେଥିରେ ଏମ୍‌ଏସ୍‌ପିର ଆଦୌ ଉଲ୍ଲେଖ ନାହିଁ। ଘରୋଇ କମ୍ପାନୀମାନେ ସରକାରୀ ମଣ୍ଡିରେ ଚାଷୀଙ୍କ ଉତ୍ପାଦକୁ କିଣିବା ବେଳେ ଏମ୍‌ଏସ୍‌ପି ଦେବାକୁ ବାଧ୍ୟ ହୋଇଥିବା ବେଳେ ନୂଆ ଆଇନ ପରେ ସେମାନେ ସରକାରୀ ମଣ୍ଡି ବାହାରେ କିଣିଲେ ଚାଷୀଙ୍କୁ ଏମ୍‌ଏସ୍‌ପି ଦେବାକୁ  ଆଉ ବାଧ୍ୟ ନୁହଁନ୍ତି। ଏଠାରେ ଜାଣିବା ଦରକାର ଯେ କର୍ପୋରେଟ୍‌ମାନେ ସେବା ପାଇଁ ଆସିନଥାନ୍ତି। ସେମାନଙ୍କ ଉଦ୍ଦେଶ୍ୟ, ଯେକୌଣସି ପ୍ରକାରେ ବିପୁଳ ମୁନାଫା କମାଇବା। ହୁଏତ ପ୍ରାଥମିକ ଭାବେ ଚାଷୀଙ୍କୁ ଆକର୍ଷିତ କରିବା ପାଇଁ ସେମାନେ ନିଜର ବିପୁଳ ପୁଞ୍ଜି ବଳରେ ମଣ୍ଡି ବାହାରେ କୃଷି ଉତ୍ପାଦର ଅଧିକ ଦର ବି ଦେଇ ପାରନ୍ତି। କିନ୍ତୁ ଏହା ଫଳରେ ଘରୋଇ କମ୍ପାନୀଙ୍କ ଦ୍ୱାରା ମଣ୍ଡି ବାହାରେ କିଣାବିକା ବଢ଼ିବ ଏବଂ ସରକାରୀ ମଣ୍ଡି ଧୀରେ ଧୀରେ ଅକାମୀ ହୋଇ ଶେଷରେ ବନ୍ଦ ହୋଇଯିବ। ଥରେ ସରକାରୀ ସଂଗ୍ରହ ବ୍ୟବସ୍ଥା ଭାଙ୍ଗି ଘରୋଇ କମ୍ପାନୀଙ୍କ ଏକାଧିକାର ପ୍ରତିଷ୍ଠା ହୋଇଗଲେ, ଚାଷୀଙ୍କ ପାଖରେ ଆଉ ବିକଳ୍ପ ରହିବନି। ସେମାନେ ବଡ଼ କମ୍ପାନୀଙ୍କ ବ୍ୟବସାୟ କୌଶଳ ଆଗରେ ଏକଦମ୍ ଅସହାୟ ହୋଇ କମ୍ ଦାମ୍‌ରେ ନିଜର ଉତ୍ପାଦକୁ ବିକ୍ରି କରିବାକୁ ବାଧ୍ୟ ହେବେ। ଏଭଳି ଏକ ପରିସ୍ଥିତି ଉଭୟ କମ୍ପାନୀ ଏବଂ ସେମାନଙ୍କ ପୃଷ୍ଠପୋଷକ ସାଜିଥିବା ସରକାରଙ୍କୁ ସୁହାଇବ। କାରଣ ଚାଷୀଙ୍କଠାରୁ ଉତ୍ପାଦକୁ ଶସ୍ତାରେ ସଂଗ୍ରହ କରି କମ୍ପାନୀମାନେ ବିପୁଳ ମୁନାଫା କମାଇବା ବେଳେ ଏମ୍‌ଏସ୍‌ପି ଓ ସରକାରୀ ସଂଗ୍ରହ ବନ୍ଦ ହୋଇଗଲେ, ସରକାର ଆଉ ସେ ବାବଦରେ ଖର୍ଚ୍ଚ କରିବାକୁ ପଡ଼ିବନି।

ନୂଆ ଆଇନ ଫଳରେ ଘରୋଇ କମ୍ପାନୀମାନେ ସରକାରୀ ମଣ୍ଡି ବାହାରେ ଚାଷୀଙ୍କ କୃଷି ଉତ୍ପାଦକୁ ସିଧାସଳଖ କିଣିବାକୁ ସୁଯୋଗ ପାଇଲେ ଚାଷୀକୁ ଏମ୍‌ଏସ୍‌ପି ଠାରୁ ବି ଅଧିକ ଦାମ୍ ମିଳିବ ବୋଲି ସରକାର ଯୁକ୍ତି କରୁଛନ୍ତି। ଏଠାରେ ପ୍ରଶ୍ନ ଉଠେ, ଯଦି  ଘରୋଇ କମ୍ପାନୀ ଆସିଲେ ସତରେ ଚାଷୀଙ୍କୁ ସରକାରୀ ଘୋଷିତ ଏମ୍‌ଏସ୍‌ପିଠାରୁ ବି ଅଧିକା ଦାମ୍ ମିଳିବ ବୋଲି ସରକାର ଭାବୁଛନ୍ତି, ତାହେଲେ କୃଷି ଉତ୍ପାଦର ସଂଗ୍ରହରେ ସରକାରୀ ଘୋଷିତ ସର୍ବନିମ୍ନ ଦର ବା ଏମ୍‌ଏସ୍‌ପି ଦେବାକୁ ବାଧ୍ୟ ବୋଲି ଆଇନଗତ ବ୍ୟବସ୍ଥା କରୁ ନାହାନ୍ତି କାହିଁକି?

ପଞ୍ଜାବ ଓ ହରିଆନାରେ ଚାଷୀଙ୍କ ମୋଟ କୃଷି ଉତ୍ପାଦର ଏକ ବଡ଼ ଭାଗ ମଣ୍ଡି ଜରିଆରେ ସରକାର ଏମ୍‌ଏସ୍‌ପି ଦେଇ ସଂଗ୍ରହ କରୁଥିବା ବେଳେ ଅନ୍ୟ ରାଜ୍ୟରେ ତାହା ଅତି ବେଶିରେ ୧୦% ରହିଛି। ଫଳସ୍ୱରୂପ, ସେଠାକାର ଚାଷୀ ଧାନ କିଲୋ ପିଛା ୧୮.୬୮ ଟଙ୍କା ପାଉଥିବା ବେଳେ ଅନ୍ୟ ରାଜ୍ୟମାନଙ୍କରେ ଚାଷୀ ମାତ୍ର ୧୨-୧୪ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ ହେଉଛି। ଏହି କାରଣରୁ ହିଁ ବର୍ତ୍ତମାନର ଆଇନ ବିରୁଦ୍ଧରେ ସବୁଠାରୁ ବେଶୀ ପ୍ରତିବାଦ ଏହି ଦୁଇ ରାଜ୍ୟରେ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ମଧ୍ୟ ସେଠାକାର ଉତ୍ପାଦିତ ଧାନର ମାତ୍ର ୭% ହିଁ ସରକାରୀ ସଂଗ୍ରହ ବ୍ୟବସ୍ଥା ଦ୍ୱାରା ସଂଗୃହୀତ ହେଉଥିବା ବେଳେ ବଳକା ୯୩% ଧାନ ଖୋଲା ବଜାରରେ ବିକ୍ରୀ ହେଉଛି। ଧାନର ସରକାରୀ ସଂଗ୍ରହ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୮୮୮ଟଙ୍କା ଥିବା ବେଳେ ୯୩% ଧାନଚାଷୀ ତାଠାରୁ ବହୁତ କମ୍ ଅର୍ଥାତ୍ ୧୦୦୦-୧୧୦୦ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି?

ସରକାରଙ୍କ ତଥ୍ୟ ଅନୁଯାୟୀ ଯଦି ମାତ୍ର ୬% ଚାଷୀ ହିଁ ଏମ୍‌ଏସ୍‌ପିର ଲାଭ ପାଉଛନ୍ତି, ତାହେଲେ ଦେଶର ବଳକା ୯୪% ଚାଷୀ ଖୋଲା ବଜାରରେ ନିଜର ଉତ୍ପାଦକୁ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ଉତ୍ପାଦର ଏକ ବଡ଼ ଭାଗ ଛୋଟ ବ୍ୟବସାୟୀଙ୍କ ଜରିଆରେ ବୃହତ୍ତ କମ୍ପାନୀମାନେ ପରୋକ୍ଷରେ ସଂଗ୍ରହ କରୁଛନ୍ତି। ଏଠାରେ ପ୍ରଶ୍ନ ଉଠେ, ଯଦି ସରକାରୀ ମଣ୍ଡି ଓ ଏମ୍‌ଏସ୍‌ପି ବ୍ୟବସ୍ଥା ଲାଗି ଚାଷୀମାନେ ନିଜ ଉତ୍ପାଦର ଭଲ ଓ ଲାଭଜନକ ଦାମ୍ ପାଉନାହାନ୍ତି ବୋଲି ସରକାର ଯୁକ୍ତି କରୁଛନ୍ତି, ତାହେଲେ, ମଣ୍ଡି ବାହାରେ ଖୋଲା ବଜାରରେ ନିଜର କୃଷି ଉତ୍ପାଦକୁ ବିକ୍ରୀ କରୁଥିବା ଦେଶର ସଂଖ୍ୟାଗରିଷ୍ଠ (୯୪%) ଚାଷୀ ଏମ୍‌ଏସପି ଠାରୁ ବି ବହୁତ କମ୍ ଦାମ୍ ପାଇ ଅଭାବୀ ବିକ୍ରୀର ଶିକାର ହେଉଛନ୍ତି କିପରି?

ତେବେ ନୂଆ ଆଇନ ଲାଗୁହେବା ପରେ, ଥରେ ସରକାରୀ ଏମ୍‌ଏସ୍‌ପି ବ୍ୟବସ୍ଥା ଦୁର୍ବଳ ହୋଇ କୃଷି ବଜାର ଉପରେ କମ୍ପାନୀମାନଙ୍କ ଏକାଧିକାର ଆସିଗଲେ, ଚାଷୀ ଏବେ ତା’ର ଉତ୍ପାଦର ଯେତିକି ବି ଦର ପାଉଛି, ତାହା ବି ପାଇବାର ସମ୍ଭାବନା ନାହିଁ। ଚାଷୀ ବିକଳ୍ପହୀନ ହୋଇ କମ୍ ଦରରେ ନିଜର ଉତ୍ପାଦକୁ ବିକ୍ରୀ କରିବାକୁ ବାଧ୍ୟ ହେବେ। ବିଶ୍ୱରେ କୃଷି ଉତ୍ପାଦର କିଣାବିକା ଉପରେ ଓ.ଇ.ସି.ଡ଼ି ସଂସ୍ଥାର ଅଧ୍ୟୟନରୁ ବି ଜଣାପଡ଼ିଛି ଯେ ଯେଉଁ ଦେଶରେ ସରକାରଙ୍କ ପକ୍ଷରୁ କୃଷି ଉତ୍ପାଦକୁ କିଣିବାର କୌଣସି ବ୍ୟବସ୍ଥା ନାହିଁ ସେସବୁ ଦେଶରେ ଚାଷୀଙ୍କୁ ନିଜ ଉତ୍ପାଦର ବହୁତ କମ୍ ଦାମ ହିଁ ମିଳୁଛି।

କୃଷି ଆଇନ ସପକ୍ଷରେ ସରକାରଙ୍କ ଆଉ ଏକ ଯୁକ୍ତି ହେଲା, ଯେ ଏମ୍‌ଏସ୍‌ପି ଯୋଗୁଁ ଦେଶରେ କେବଳ ଧାନ ଓ ଗହମ ପରି ଗୋଟିଏ ପ୍ରକାର ଫସଲର ଉତ୍ପାଦନ ବୃଦ୍ଧିପାଉଛି। ଏହା ଦେଶର ଖାଦ୍ୟ ସୁରକ୍ଷାର ବି ପରିପନ୍ଥୀ। କାରଣ ଧାନ ଓ ଗହମକୁ ଅଧିକ ଗୁରୁତ୍ୱ ଦେବା ଫଳରେ ସେସବୁରେ ତ ଆମେ ଆବଶ୍ୟକତାରୁ ଯଥେଷ୍ଟ ଅଧିକ ଉତ୍ପାଦନ କରୁଛୁ କିନ୍ତୁ ଆମର ଆବଶ୍ୟକତା ଠାରୁ ଅନେକ କମ୍ ଡାଲି ଓ ତୈଳବୀଜ ଉତ୍ପାଦନ ହେଉଥିବାରୁ ଆମେ ତାକୁ ବିଦେଶରୁ ଆମଦାନୀ କରିବାକୁ ବାଧ୍ୟ ହେଉଛୁ। ଯଦିଓ ଉପରୋକ୍ତ ଯୁକ୍ତିରେ ଅନେକ ସତ୍ୟତା ରହିଛି, କିନ୍ତୁ ଏଥିପାଇଁ ଦାୟୀ ଚାଷୀ ନୁହଁନ୍ତି। ବରଂ ସରକାରଙ୍କ ଭୂଲ ନୀତି ଲାଗି ହିଁ ଦେଶରେ ଏକକ ଫସଲର ଉତ୍ପାଦନ ବଢ଼ିଛି ବୋଲି କୁହାଯାଇପାରେ। ସରକାର ମୋଟ ୨୩ଟି ଫସଲ ପାଇଁ ଏମ୍‌ଏସ୍‌ପି ଘୋଷଣା କରୁଥିଲେ ମଧ୍ୟ କେବଳ ଧାନ ଓ ଗହମକୁ ଛାଡ଼ିଦେଲେ ବଳକା ୨୧ଟି ଫସଲର ସରକାରୀ ସଂଗ୍ରହକୁ ଅଣଦେଖା କରି ଆସିଛନ୍ତି। ଯଦି ସରକାର ଭାବୁଛନ୍ତି ଯେ ଚାଷୀମାନେ ଧାନ ଓ ଗହମ ବଦଳରେ ଅନ୍ୟ ଫସଲର ଚାଷ କରନ୍ତୁ ତାହେଲେ ସେସବୁ ଫସଲର ଉତ୍ପାଦନ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବାରେ କୌଣସି ଅସୁବିଧା ନାହିଁ। ସେସବୁ ଫସଲ ପାଇଁ ସହାୟକ ଦରକୁ ବୃଦ୍ଧି କରି ତାର ଉପଯୁକ୍ତ ସରକାରୀ ସଂଗ୍ରହର ବ୍ୟବସ୍ଥା କଲେ ଚାଷୀ ନିଶ୍ଚିତ ରୂପେ ଧାନ, ଗହମ ବଦଳରେ ସେସବୁ ଫସଲ କରିବାକୁ ଆଗ୍ରହୀ ହେବେ।

ଏମ୍‌ଏସ୍‌ପି ପାଇଁ ଆଇନ ନକରିବା ପାଇଁ କହୁଥିବା ଲୋକଙ୍କ ଯୁକ୍ତି ହେଲା, ଏହାଦ୍ୱାରା ସରକାରଙ୍କ ଉପରେ ଖର୍ଚ୍ଚଭାର ବଢ଼ିବ। ଦେଶର ସତୁରୀ ଭାଗ ଲୋକ ନିର୍ଭର କରୁଥିବା କୃଷି କ୍ଷେତ୍ରରେ ସରକାରୀ ଖର୍ଚ୍ଚକୁ ବିରୋଧ କରୁଥିବା ଏହି ଲୋକମାନେ ଗତ କିଛିବର୍ଷ ଧରି କତିପୟ କର୍ପୋରେଟଙ୍କ ପାଇଁ ସରକାର ପ୍ରତିବର୍ଷ ବଜେଟ୍‌ରେ କର ଟିକସ ବାବଦରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଛାଡ଼କୁ ନେଇ ଚୁପ୍ ଅଟନ୍ତି। ଅସଲ କଥା ହେଉଛି, ବିନା ସରକାରୀ ସହାୟତାରେ କୃଷି ଭଳି ଏକ ଅନିଶ୍ଚିତ କ୍ଷେତ୍ର ତିଷ୍ଠିବା ଆଦୌ ସମ୍ଭବ ନୁହେଁ। ଦେଶର କୃଷିକ୍ଷେତ୍ର ଉପରେ କୃଷକଙ୍କ ବଦଳରେ କର୍ପୋରେଟ୍‌ଙ୍କ ମାଲିକାନା ଆସିଗଲେ ବି ବିନା ସରକାରୀ ସହାୟତାରେ ତାହା ତିଷ୍ଠିବା ସମ୍ଭବ ନୁହେଁ। ଆମେରିକା ଓ ଜାପାନ ପରି କୃଷିର ସମ୍ପୂର୍ଣ୍ଣ କର୍ପୋରେଟୀକରଣ କରି ସାରିଥିବା ଉନ୍ନତ ଦେଶମାନେ ସେମାନଙ୍କ କୃଷି ପାଇଁ ବିପୁଳ ସରକାରୀ ସବ୍‌ସିଡ଼ି ଦେଉଛନ୍ତି ଯାହାକି ଆମଦେଶ ଠାରୁ ଅନେକ ବେଶି। ଅତଏବ ଭାରତର ଚାଷୀମାନଙ୍କ ଆୟକୁ ବୃଦ୍ଧି କରିବାକୁ ହେଲେ ସରକାର ଏମ୍‌ଏସ୍‌ପି ପାଇଁ ଆଇନ ତିଆରି କରିବା ସହିତ ଚାଷୀଙ୍କ ସବୁ ଫସଲର ସର୍ବନିମ୍ନ ଦରକୁ ନିଶ୍ଚିତ କରି, ସରକାରୀ ମଣ୍ଡି ବ୍ୟବସ୍ଥାକୁ ଅଧିକ ବ୍ୟାପକ ଓ ଶକ୍ତିଶାଳୀ କରି ତାର ସଂଗ୍ରହକୁ ନିଶ୍ଚିତ କରିବା ଜରୁରୀ।

 

ମୋ-୯୪୩୭୧୬୬୩୯୧

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।