ଆଦର୍ଶ ଏବଂ ବିଚାରବନ୍ତ ନେତା

ବିଦ୍ୟା, ବୁଦ୍ଧି, ଯୋଗ, ନିଷ୍ଠା, ଯଶ ଗୌରବ ଏବଂ ଉତ୍ତମ ଚରିତ୍ର ଗତ ଆଚରଣ ପାଇଁ ଜଣେ ବ୍ୟକ୍ତି ଅନେକ ବ୍ୟକ୍ତିଙ୍କ ପାଇଁ (ସମାଜ ପାଇଁ) ଆଦର୍ଶ ଭାବେ ଗୃହୀତ ହୋଇଥା’ନ୍ତି।

  • ସୂର୍ଯ୍ୟମଣି ମିଶ୍ର

ଦର୍ଶ ନେତା ରାବଣ ନ ଥିଲେ, ଥିଲେ ରାମ। ଦ୍ୟୁର୍ଯ୍ୟୋଧନ ନଥିଲେ ଥିଲେ ଅଜ୍ଜୁର୍ନ। ରାବଣ ରାଜା ପଦରେ ଆଉ ଉପଦ୍ରବ ଏବଂ ଅଶାନ୍ତିକୁ ପ୍ରୋତ୍ସାହନ ଦେବା ସହ ଭୌତିକ ପ୍ରାଚୁର୍ଯ୍ୟର ମୋହରେ ଯୁକ୍ତ ହୋଇଥିଲେ। ଅନ୍ୟ ପକ୍ଷରେ ରାଜା ରାମଚନ୍ଦ୍ର କର୍ମ-ଜ୍ଞାନ-ଭକ୍ତି ଓ ଶକ୍ତିର ସମନ୍ୱିତ ପୂର୍ଣ୍ଣ ପୁରୁଷ ଥିଲେ। ତାଙ୍କ ଶାସନ ପଦ୍ଧତି ଥିଲା ଦୟା, କ୍ଷମା, ପ୍ରେମ ଏବଂ ଶାନ୍ତି ଆଧାରିତ। ଦୁର୍ଯ୍ୟୋଧନ ଉପଦ୍ରବ ସପକ୍ଷରେ ଅଜ୍ଜୁର୍ନ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସପକ୍ଷରେ ଥିଲେ। ଏହି ହେତୁ ଶ୍ରୀରାମଚନ୍ଦ୍ର ଏବଂ ଅର୍ଜୁନଙ୍କୁ ଆଦର୍ଶ ନେତା ଭାବେ ଗ୍ରହଣ କରାଯାଏ। ରାଜନୈତିକ ଆଧିପତ୍ୟ ବିସ୍ତାର କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ଜଣେ ନେତାଙ୍କର ଆଦର୍ଶ ବିରୋଧୀ। ରାଜ୍ୟ ଯେଉଁ ସମୟରେ ପତନମୁଖୀ ଆଡ଼କୁ ଗତି କରିଛି, ଦୁଷ୍ଟଶକ୍ତିର ପ୍ରସାର ଘଟିଛି ସେତେବେଳେ ଶ୍ରୀରାମ ହୁଅନ୍ତୁ କି ଅଜ୍ଜୁର୍ନଙ୍କ ଭଳି ଆଦର୍ଶ ନେତା ରାଜ୍ୟବାସୀଙ୍କ ନିକଟରେ ରାଜା ବା ନେତାଙ୍କର ଆଦର୍ଶ କ’ଣ ହେବା ଉଚିତ୍ କ’ଣ ଅନୁଚିତ ସେ ସଂପର୍କରେ ଉଦାହରଣ ସୃଷ୍ଟି କରିଯାଇଛନ୍ତି।
ଯଦିଓ ନେତା ଶବ୍ଦ ଶ୍ରୀମଦ୍‌ ଭଗବତ୍ ଗୀତା ଭଳି ଶାସ୍ତ୍ରରେ ବର୍ଣ୍ଣନା ହୋଇନି; କିନ୍ତୁ ମହାପୁରୁଷ ଭାବେ ଉଲ୍ଲେଖ କରାଯାଇଛି। ମହାପୁରୁଷ ତ ନେତା, ସାଧାରଣ ଜନତାଙ୍କ ପାଇଁ ଆଦର୍ଶ।

“ଯଦ୍ୟଦାଚରତି ଶ୍ରେଷ୍ଠସ୍ତତ୍ତଦେବେତପେ ଜନଃ।
ସ ଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ ॥”
(ଶ୍ରୀମଦ୍‌ ଭଗବତ୍ ଗୀତା-ଅଧ୍ୟାୟ ୩, କର୍ମଯୋଗ-୨୧)

ଅର୍ଥାତ୍ ମହାପୁରୁଷ (ଶ୍ରେଷ୍ଠଲୋକ) ଯାହା କରନ୍ତି ସାଧାରଣ ବ୍ୟକ୍ତି ତାହାକୁ ଅନୁସରଣ କରନ୍ତି, ତାଙ୍କ ନିଜର ଅନୁସରଣୀୟ କାର୍ଯ୍ୟରେ ଆଦର୍ଶ ଭାବେ ଗ୍ରହଣ ହୋଇଥାଏ। ସମ୍ପୂର୍ଣ୍ଣ ବିଶ୍ୱ ଏହାକୁ ଅନୁସରଣ-ଅନୁକରଣ କରିଥାଏ। ତାତ୍ପର୍ଯ୍ୟ ହେଉଛି- ସାଧାରଣ ନାଗରିକଙ୍କ ପାଇଁ ସବୁବେଳେ ଜଣେ ଏପରି ନେତାଙ୍କର ଆବଶ୍ୟକ ପଡ଼ିଥାଏ, ଯାହାଙ୍କର ବ୍ୟବହାରିକ ଆଚରଣ ଦ୍ୱାରା ଲୋକମାନେ ଶିକ୍ଷା ଗ୍ରହଣ କରିଥା’ନ୍ତି। ଯଦି ନେତା ନିଜେ ସ୍ୱୟଂ ଧୂମପାନ କରୁଥା’ନ୍ତି ତେବେ ସେ ଲୋକମାନଙ୍କୁ ଏହା ବନ୍ଦ କରିବାକୁ ଶିକ୍ଷା ଦେଇ ପାରନ୍ତି ନାହିଁ। ଶ୍ରୀଚୈତନ୍ୟ ମହାପ୍ରଭୁ କହନ୍ତି ଶିକ୍ଷା ଦେବା ପୂର୍ବରୁ ଶିକ୍ଷକଙ୍କୁ ସଠିକ୍ ଆଚରଣ କରିବା ଆବଶ୍ୟକ। ଶିକ୍ଷା ଦେବା ପାଇଁ ନିଜେ ଶାସ୍ତ୍ରୀୟ ସିନ୍ଧାନ୍ତକୁ ପାଳନ କରିବା ଉଚିତ୍। ପ୍ରାଚୀନ ପ୍ରାମାଣିକ ନିୟମ ବିପରୀତରେ କୌଣସି ନିୟମ କରି ପାରୁ ନଥିଲେ। ଶିକ୍ଷକ-ରାଷ୍ଟ୍ରନାୟକ ପ୍ରାମାଣିକ ଗ୍ରନ୍ଥର ନିୟମକୁ ଆଚରଣରେ ପ୍ରଦର୍ଶନ କରୁଥିଲେ।

ମନୁ ସଂହିତା ଭଳି ପ୍ରାମାଣିକ ଗ୍ରନ୍ଥ, ମାନବ ସମାଜ ପାଇଁ ଅନୁସରଣୀୟ ଆଦର୍ଶ ଗ୍ରନ୍ଥ। ଏଥିରେ କୁହାଯାଇଛି, ନେତାଙ୍କ ଉପଦେଶ ଆଦର୍ଶ ଶାସ୍ତ୍ରର ନିୟମ ଆଧାରିତ ହେବା ଉଚିତ। ଯେଉଁ ବ୍ୟକ୍ତି ନିଜର ଉନ୍ନତି ଚାହାନ୍ତି, ସେ ଶ୍ରେଷ୍ଠ ଶିକ୍ଷକଙ୍କ ଦ୍ୱାରା ଅଭ୍ୟାସ କଲା ଭଳି ଆଦର୍ଶ ନିୟମକୁ ପାଳନ କରିବା ଉଚିତ୍। ଆଧ୍ୟାତ୍ମବୋଧ ପଥ ହିଁ ପ୍ରଗତିର ସାଧନ। ରାଜା ହୁଅନ୍ତୁ କି ରାଜ୍ୟର ପ୍ରଶାସନିକ ଅଧିକାରୀ, ପିତା ହୁଅନ୍ତୁ କି ଶିକ୍ଷକ, ଏ ସମସ୍ତେ ଅବୋଧ ଲୋକଙ୍କ ପାଇଁ ସ୍ୱାଭାବିକ ନେତା ପଦବାଚ୍ୟ। ଏହି ସମସ୍ତ ବ୍ୟକ୍ତିଙ୍କର ନିଜର ଆଶ୍ରିତ ବ୍ୟକ୍ତିଙ୍କ ପ୍ରତି ଉତ୍ତରଦାୟିତ୍ୱ ରହିଛି। ରାଜ୍ୟ, ପ୍ରଶାସନିକ ଅଧିକାରୀ, ଶିକ୍ଷକ ନୈତିକ ତଥା ଅଧ୍ୟାତ୍ମିକ ସଂହିତା ସମ୍ୱନ୍ଧୀୟ ଆଦର୍ଶ ଗ୍ରନ୍ଥରେ ସୁପରିଚିତ ହେବା ଉଚିତ୍।

ବିଦ୍ୟା, ବୁଦ୍ଧି, ଯୋଗ, ନିଷ୍ଠା, ଯଶ ଗୌରବ ଏବଂ ଉତ୍ତମ ଚରିତ୍ର ଗତ ଆଚରଣ ପାଇଁ ଜଣେ ବ୍ୟକ୍ତି ଅନେକ ବ୍ୟକ୍ତିଙ୍କ ପାଇଁ (ସମାଜ ପାଇଁ) ଆଦର୍ଶ ଭାବେ ଗୃହୀତ ହୋଇଥା’ନ୍ତି। ସାମାଜ ପରିଚାଳନା, ଶାସନ, ଶିକ୍ଷା ଆଦି ପ୍ରତ୍ୟେକ କ୍ଷେତ୍ରରେ ବୀର ସୈନିକ, ଶାସନ ମୁଖ୍ୟ, ଶିକ୍ଷକଙ୍କ ଆଦର୍ଶରେ ସମାଜରେ ଅନ୍ୟମାନେ ଅନୁପ୍ରାଣିତ-ପ୍ରଭାବିତ ହୋଇଥା’ନ୍ତି।

“ନ ମେ ପାର୍ଥାସ୍ତି କର୍ତ୍ତବ୍ୟଂ ତ୍ରିଷୁ ଲୋକେଷୁ କିଞ୍ଚନ।
ନାନବାପ୍ତମ ବାପ୍ତବ୍ୟଂ ବର୍ତ୍ତ ଏବ ଚ କର୍ମଣୀ।”
(ଶ୍ରୀମଦ୍‌ ଭଗବତ୍ ଗୀତା-କର୍ମଯୋଗ-୨)

ଭଗବାନ ଶ୍ରୀକୃଷ୍ଣ ଅଜ୍ଜୁର୍ନଙ୍କୁ କହୁଛନ୍ତି, ହେ ପାର୍ଥ! ଏହି ତିନି ଲୋକରେ ମୋ ପାଇଁ କୌଣସି କାର୍ଯ୍ୟ ଅଛି ଯାହା ମୋତେ କରିବାକୁ ହେବ, ନା ମୋ ପାଇଁ କୌଣସି ବସ୍ତୁର ଅଭାବ ରହିଛି ଏବଂ ନା ଆବଶ୍ୟକତା ରହିଛି। ତଥାପି ମୁଁ ନିଜକୁ କର୍ମରେ ନିୟୋଜିତ କରି ରଖିଛି। ସୃଷ୍ଟି ସମୃଦ୍ଧିଶୀଳ, ତେଣୁ କର୍ମ ହିଁ ସୃଷ୍ଟିକୁ କ୍ରିୟାଶୀଳ କରିଥାଏ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ନିଜ ପାଇଁ କିଛି ପାଇବାକୁ ନ ଥିଲେ ମଧ୍ୟ କିଛି କରିବାର ଆବଶ୍ୟକତା ନଥିଲେ ମଧ୍ୟ ସମସ୍ତଙ୍କ ପାଇଁ ଆଦର୍ଶ ଭାବେ କର୍ମ କରିବାକୁ ହେବ। ସମର୍ପିତ କର୍ମଯୋଗ ଦ୍ୱାରା ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କଲେ ଅନ୍ୟମାନଙ୍କର ଦୁଃଖ ଦୂର କରିହେବ।

“ଯଦିହ୍ୟହଂ ନବେର୍ତ୍ତୟଂ ଜାତୁ କର୍ମଣ୍ୟତନ୍ଦ୍ରିତଃ।
ମମବର୍ମାନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥସର୍ବଶଃ।”
(କର୍ମଯୋଗ-୨୩)

ଭଗବାନ୍ ଶ୍ରୀକୃଷ୍ଣ କହୁଛନ୍ତି- ହେ ପାର୍ଥ! ମୁଁ ଯଦି ଆଳସ୍ୟ ପୂର୍ବକ ସଦାସର୍ବଦା କର୍ମରେ ନିଯୁକ୍ତ ନ ରହିବି, ତେବେ ଲୋକେ ମୋତେ ହିଁ ଅନୁକରଣ କରିବେ। ତାତ୍ପର୍ଯ୍ୟ ହେଉଛି, ଆଧ୍ୟାତ୍ମିକ ଜୀବନର ଉନ୍ନତି ପାଇଁ ଏବଂ ସାମାଜିକ ଶାନ୍ତି ସନ୍ତୁଳନ ରଖିବା ପାଇଁ କିଛି ପରମ୍ପରା ଗତ କୂଳାଚାର ରହିଛି। ଯାହା ପ୍ରତ୍ୟେକ ସଭ୍ୟ ବ୍ୟକ୍ତିଙ୍କ ପାଇଁ ହୋଇଥାଏ। ମାୟା, ଭ୍ରମ-ଆସକ୍ତିରୁ ଊର୍ଦ୍ଧ୍ୱରେ ରହି ଈଶ୍ୱରଦତ୍ତ ଇଛା ଶକ୍ତିର ଦୁରୁପଯୋଗ କରିବା ଦ୍ୱାରା ପ୍ରତିବେଶୀ ଓ ସମାଜର କ୍ଷତି ଘଟିବ। ସ୍ୱାର୍ଥ, ଆସକ୍ତି ଓ ଅଭିଳାଷଠାରୁ ଦୂରରେ ରହିବାକୁ ଭଗବାନ ଶ୍ରୀକୃଷ୍ଣ ଅଜ୍ଜୁର୍ନଙ୍କୁ କହଛନ୍ତି।

“ଉତ୍ସୀ ଦେୟୁରିମେ ଲୋକା ନ କୁର୍ଯ୍ୟାଂ କର୍ମ ଚେଦହମ୍।
ସଙ୍କରସ୍ୟ ଚ କର୍ତ୍ତା ସ୍ୟାମୁପହନ୍ୟାମିମାଃ ବ୍ରଜାଃ॥” (କର୍ମଯୋଗ-୨୪)

ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣ ଅଜ୍ଜୁର୍ନଙ୍କୁ ଶିକ୍ଷା ଦେବା ପାଇଁ ଯାଇ କହିଛନ୍ତି, ମୁଁ ଯଦି କର୍ମ ନକରି ବସିରୁହେ, ତେବେ ସମଗ୍ର ସଂସାର ଧ୍ୱସଂ ପାଇଯିବ ଏବଂ ମୁଁ ହିଁ ଏ ସମସ୍ତ ବିଶୃଙ୍ଖଳା ଓ ଧ୍ୱସଂର କାରଣ ହେବି। ଭଗବାନ୍ ଏଠାରେ କର୍ତ୍ତବ୍ୟନିଷ୍ଠା ଓ ସମୟାନୁବର୍ତ୍ତିତାର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ କହିଛନ୍ତି। ନିୟମ ଅନୁଯାୟୀ କର୍ମ କରିବା ଦ୍ୱାରା ଲୋକ ସୁରକ୍ଷିତ ରହିବେ।

“ସକ୍ତାଃ କର୍ମଣ୍ୟ ବିଦ୍ୱାଁସୋ ଯଥା କୁର୍ବନ୍ତି ଭାରତ।
କୁର୍ଯ୍ୟାଦ୍ୱିଦ୍ୱାଁସ୍ତଥା ସକ୍ତଣ୍ଟିକାଷୁର୍ଲୋକ ସଂଗ୍ରହମ୍॥” (କର୍ମଯୋଗ-୨୫)

ଅଜ୍ଞାନୀ ଜନ ଫଳ ପାଇବା ଆସକ୍ତିକୁ ନେଇ କର୍ମ କରିଥା’ନ୍ତ, ବୁଦ୍ଧିମାନ ବ୍ୟକ୍ତି ଅନାଶକ୍ତ ଭାବେ ଅନ୍ୟଲୋକଙ୍କୁ ଉଚିତ ମାର୍ଗରେ ଚାଲିବା ପାଇଁ କାର୍ଯ୍ୟ କରିଥା’ନ୍ତି। କେଉଁ କାର୍ଯ୍ୟ ଦ୍ୱାରା ଜଗତର କଲ୍ୟାଣ ହେବ, ନିଜ ବ୍ୟତୀତ ଅନ୍ୟ ଲୋକମାନଙ୍କର ବିକାଶ ହେବ ସେହିଭଳି କାର୍ଯ୍ୟ ହିଁ ବିଦ୍ୱାନ ଲୋକ କରିଥା’ନ୍ତି।

ଆଜିର ସନ୍ଦର୍ଭରେ ଶ୍ରୀମଦ୍‌ ଭଗବତ୍ ଗୀତାର ଉପରୋକ୍ତ ଶ୍ଳୋକ ବାସ୍ତବରେ ସାରଗର୍ଭିତ ଏବଂ ପଥ ପ୍ରଦର୍ଶକ। ସ୍ୱାଧୀନତା ମିଳିବା ସମୟରୁ ଆଜି ଯାଏ କ’ଣ ଆମର କଥାକଥିତ ସ୍ୱୟଂଭୁ, କ୍ଷମତାଲିପ୍‌ସୁ ଦମ୍ଭୀ ରାଜ ନେତାଙ୍କ ଆଚରଣ ଏପରି ରହିଛି ଯାହାକୁ ସାଧାରଣ ଜନତା ଅନୁଶରଣ ଏବଂ ଅନୁକରଣ କରିପାରିବେ?  ଆଜି ଜନତା ଜନାର୍ଦ୍ଦନଙ୍କ ପାଇଁ ରାଜନେତାଙ୍କ ଆଚରଣ ଏବଂ କ୍ରିୟାକଳାପର ସମୀକ୍ଷା ଏବଂ ମୌଳିକ ମୂଲ୍ୟାୟନ କରିବାର ସମୟ ଆସି ପହଞ୍ଚିଛି। ଯଦି ଆପଣାର ଗଣତନ୍ତ୍ରକୁ ସଶକ୍ତ, ଜୀବନ୍ତ ଏବଂ ଶାଶ୍ୱତ କରି ରଖିବାକୁ ହେବ ତ ଜନତା ଜନାର୍ଦ୍ଦନଙ୍କୁ ନିଦ୍ରା ଭାଙ୍ଗି ଏହି କଥାକଥିତ ରାଜନେତାଙ୍କ ଆଚରଣ ଏବଂ କ୍ରୀୟାକଳାପ ଉପରେ ଦୃଷ୍ଟି ରଖିବାକୁ ହେବ। ଅନ୍ଧସ୍ତାବକ, ଅନ୍ଧଭକ୍ତି ଓ ସ୍ତୁତି ଆତ୍ମଘାତୀ ହେବ।

ରାଜାନଶ୍ଚ ପ୍ରଜାଭକ୍ଷାଃ; ରାଜା ପ୍ରଜାଙ୍କ ଭକ୍ଷକ ହେବେ। ଶ୍ରୀମଦ୍ ଭାଗବତର ଦ୍ୱାଦଶ ସ୍କନ୍ଦରେ କଳିଯୁଗର ଦୋଷ ବର୍ଣ୍ଣନା କରାଯାଇଛି। ଶ୍ରୀମଦ୍ ଭାଗବତ ହେଉଛି ଶ୍ରୀକୃଷ୍ଣଙ୍କ ଗାଥା। ଶ୍ରୀ କୃଷ୍ଣଙ୍କ ଦେହାବସାନ ପରେ ଦ୍ୱାପରଯୁଗର ଶେଷ ହେଉଛି ଏବଂ କଳିଯୁଗର ଆରମ୍ଭ ହେଉଛି, ଏହାକୁ ବିଶ୍ୱାସ କରାଯାଏ। କଳିଯୁଗ ହେଉଛି ପାରମ୍ପରିକ ଭାରତର ଚତୁର୍ଥ ଯୁଗ। ଆର୍ଯ୍ୟଭଟ୍ଟଙ୍କ ମତାନୁସାରେ ମହାଭାରତ ଯୁଦ୍ଧ ଶ୍ରୀକୃଷ୍ଣ ଖ୍ରୀ.ପୂ. ୩୨୩୬ ବର୍ଷ ପୂର୍ବରୁ ହୋଇଥିଲା। କଳିଯୁଗର ଆରମ୍ଭ କୃଷ୍ଣଙ୍କର ଏହି ଯୁଦ୍ଧର ୩୫ ପୂର୍ବରୁ ଦେହାବସାନ ପରେ ହୋଇଛି। ଏନ୍‌ସାଇକ୍ଲୋପିଡିଆ ଅଫ୍ ହିନ୍ଦୁଜିମ୍‌ ଅନୁଯାୟୀ ଖ୍ରୀ.ପୂ. ୩୧୦୨ରେ କଳିଯୁଗର ଆରମ୍ଭ ହୋଇଛି।

ଶ୍ରୀମଦ୍‌ ଭାଗବତର ବାରସ୍କନ୍ଦର ଦ୍ୱିତୀୟ ଏବଂ ତୃତୀୟ ଅଧ୍ୟାୟରେ କଳିଯୁଗର ଶେଷ ଏବଂ ରାଜାଙ୍କ ସହିତ ଚାରିବର୍ଣ୍ଣର ଲୋକ ଏବଂ ଭଣ୍ଡ ସାଧୁ-ସନ୍ୟାସୀଙ୍କ ଦୃଷ୍ଟତାର ବର୍ଣ୍ଣନା କରାଯାଇଛି।

“ଦସ୍ୟୁତ୍କୃଷ୍ଟା ଜନପଦ ବେଦାଃ ପାଖଣ୍ଡ
ଦୂଷିତାଃ ରାଜାନଶ୍ଚପ୍ରଜାଭକ୍ଷାଃ
ସୌଶ୍ଚୈଦରପରାଦ୍ୱିଜାଃ ॥”
(ଶ୍ରୀମଦ୍ ଭାଗବତ୍ ସ୍କନ୍ଦ ୧୨, ଶ୍ଳୋକ ୩/୩୨)

ଦେଶର ସବୁଆଡ଼େ ଲୁଣ୍ଠନ-ଲୁଟ୍‌ ପ୍ରବୃତ୍ତି ପ୍ରମୁଖ ହୋଇଯିବ। ଭଣ୍ଡ ଲୋକ ବେଦର ମନ ଇଚ୍ଛା ଅର୍ଥ ବାହାର କରି ବେଦକୁ କଳଙ୍କିତ କରିବେ। ରାଜା ପ୍ରଜାଙ୍କ ଅର୍ଜନ ଅର୍ଥକୁ ହଡ଼ପ କରି ତାହାକୁ ଭକ୍ଷଣ (ଶୋଷଣ) କରିବେ, ଏବଂ ବ୍ରାହ୍ମଣ ନାମଧାରୀ ଜୀବ ଉଦର ପୂର୍ତ୍ତୀ ଏବଂ ଜନନେନ୍ଦ୍ରିୟର ତୃପ୍ତିରେ ଲାଗି ରହିବେ।

ଶ୍ରୀମଦ୍ ଭାଗବତ୍ ବର୍ଣ୍ଣିତ କଳିଯୁଗର ସମ୍ଭାବ୍ୟଚିତ୍ର ଆଜି ଦିନରେ ସତ୍ୟ ବୋଲି ପ୍ରମାଣିତ ହେଉଛି। ଆଦର୍ଶନେତାଙ୍କୁ ଖୋଜା ଚାଲିଛି। ଖୋଜା ଚାଲିଛି ସତ୍ୟ, ନ୍ୟାୟ, ଦୟା, କ୍ଷମା ଭଳି ମାନବାଚାର। ରାଜା ଯେଉଁ ପଥରେ, ଯେଉଁ ବିଚାରରେ ଯିବେ ପ୍ରଜାମାନେଏହି ରାଜାଙ୍କ ପଥକୁ ଅନୁସରଣ-ଅନୁକରଣ କରିବେ। ଆଜି ବିଶ୍ୱର ରାଜପଦରେ ବସିଥିବା ବ୍ୟକ୍ତିମାନଙ୍କ ଚଳନୀ କାର୍ଯ୍ୟଧାରା ଆଦର୍ଶ ପରିବେର୍ତ୍ତ ଭୋଗବାଦୀ-ବିନାଶକାରୀ ଭୂମିକା କହିଲେ ଭୁଲ ହେବ ନାହିଁ। କ୍ଷମତା ସିଂହାସନରେ ବସିଥିବା ଅଧିକ ଭାବେ ନେତାଙ୍କ ନିକଟରେ ଆଦର୍ଶର ଅବକ୍ଷୟ ଘଟିଛି। ଆଦର୍ଶର ଉତ୍ତରଣ-ମାନବବାଦୀ ଚରିତ୍ରର ଅଭ୍ୟୁଦୟ ହିଁ ସଂସାରକୁ ରକ୍ଷା କରିପାରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।