Advertisment

ବଗଲା ଧର୍ମଶାଳା ଜମି ବିକ୍ରି: କ୍ଷତିପୂରଣ ପରେ କି ସମ୍ବେଦନଶୀଳତା?

ରବି ଦାସ ରାଜ୍ୟ ସରକାର ବା ପୁରୀ ପ୍ରଶାସନ ଯେତେ ସଫେଇ ଦେଲେ ମଧ୍ୟ ବଗଲା ଧର୍ମଶାଳା ଜମି କାରବାରରେ ବେଆଇନ ଓ ନୀତିହୀନ କାର୍ଯ୍ୟ କରିଥିବା ସ୍ପଷ୍ଟ ହେବାରେ ଲାଗିଛି। କଥା ହେଉଛି, ଯେଉଁ ଉଦ୍ଦେଶ୍ୟରେ ଯେଉଁ ବ୍ୟକ୍ତି ଏହି ଜମି ଦାନକରି ଗରିବ ଯାତ୍ରୀମାନଙ୍କ ପାଇଁ ଧର୍ମଶାଳା ନିର୍ମାଣ କରିଥିଲେ ଓ ସେହିସବୁ ସଂପ୍ରତି ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିଲା ତାହାକୁ ବେଆଇନ ଭାବରେ ବିକ୍ରି କରିବା ବା ଅପବ୍ୟବହାର କରିବାର ଅଧିକାର ଜିଲ୍ଲା […]

author-image
Debendra Prusty
ତେଜିଲା ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ବିବାଦ

bagala

ରବି ଦାସ

ରାଜ୍ୟ ସରକାର ବା ପୁରୀ ପ୍ରଶାସନ ଯେତେ ସଫେଇ ଦେଲେ ମଧ୍ୟ ବଗଲା ଧର୍ମଶାଳା ଜମି କାରବାରରେ ବେଆଇନ ଓ ନୀତିହୀନ କାର୍ଯ୍ୟ କରିଥିବା ସ୍ପଷ୍ଟ ହେବାରେ ଲାଗିଛି। କଥା ହେଉଛି, ଯେଉଁ ଉଦ୍ଦେଶ୍ୟରେ ଯେଉଁ ବ୍ୟକ୍ତି ଏହି ଜମି ଦାନକରି ଗରିବ ଯାତ୍ରୀମାନଙ୍କ ପାଇଁ ଧର୍ମଶାଳା ନିର୍ମାଣ କରିଥିଲେ ଓ ସେହିସବୁ ସଂପ୍ରତି ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିଲା ତାହାକୁ ବେଆଇନ ଭାବରେ ବିକ୍ରି କରିବା ବା ଅପବ୍ୟବହାର କରିବାର ଅଧିକାର ଜିଲ୍ଲା ପ୍ରଶାସନର ନାହିଁ। ଯେଉଁ ଉଦ୍ଦେଶ୍ୟରେ ବ୍ୟକ୍ତି ଦାନସୂତ୍ରରେ ଜମି ଦେଇଥିଲେ ତାହା ସେହି ଉଦ୍ଦେଶ୍ୟରେ ହିଁ ବ୍ୟବହୃତ ହେବାକଥା।

Advertisment

ସାବକ ରେକର୍ଡରେ ବଗଲା ଧର୍ମଶାଳାର ବିବାଦୀୟ ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ସ୍ୱତ୍ୱ ଅମୃତମଣୋହୀ ରେକର୍ଡଭୁକ୍ତ ହୋଇଥିଲା। ଏଣୁ ଏହି ଜମିର ମାଲିକ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି। ଏହି ଜମିକୁ କହ୍ନେୟାଲାଲ୍ ବଗଲା ନାମକ ଜଣେ ବଦାନ୍ୟ ବ୍ୟକ୍ତି ସେହି ଜମିରେ ଧର୍ମଶାଳା ନିର୍ମାଣ କରିଥିବାରୁ ତାଙ୍କ ନାମରେ ଉକ୍ତ ଧର୍ମଶାଳା ନାମକରଣ କରାଯାଇଥିଲା। ପରବର୍ତୀ ସମୟରେ ରକ୍ଷଣାବେକ୍ଷଣ ପାଇଁ ବିବାଦୀୟ ଜମିକୁ ଲଜିଂ ହାଉସ ଫଣ୍ଡ କମିଟିକୁ ଦିଆଯାଇଥିଲା। ଶ୍ରୀମନ୍ଦିର ପ୍ରଶାସକ ଏହି ବିବାଦୀୟ ୨.୫୭ ଏକର ଜମିର ମାଲିକ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଲଜିଂ ହାଉସ ଫଣ୍ଡ ଏହାର ଭଡ଼ାଟିଆ ଥିବା ପୁରୀ-କୋଣାର୍କ ଡେଭଲପମେଂଟ ଅଥରିଟି (ପିକିଡିଏ) ପ୍ଲାନିଂ ସଦସ୍ୟଙ୍କୁ ଜଣାଇଥିଲା। ଏଣୁ ଜମିର ପ୍ରକୃତ ମାଲିକ ଶ୍ରୀଜଗନ୍ନାଥ ମହାପ୍ରଭୁ ବୋଲି ସହଜରେ କୁହାଯାଇପାରିବ। ଏହି ଜମିର କୌଣସି ଅଂଶ ଶ୍ରୀମନ୍ଦିର ଆଇନର ୧୬ ଧାରାରେ ଥିବା ବ୍ୟବସ୍ଥା ଅନୁସାରେ ବିକ୍ରି କରାଯାଇପାରିବ। ତାହାକୁ ଉଲ୍ଲଂଘନ କରି ଅନ୍ୟ କେହି ଏହାକୁ ବିକ୍ରି କଲେ କବଲା ଅସିଦ୍ଧ ହୋଇଯିବ। ପୁଣି ଜଗନ୍ନାଥଙ୍କ ନାଁରେ ଥିବା ଜମିର ମାଲିକାନାକୁ ଜିଲ୍ଳାପାଳ ଅନ୍ୟ କାହାକୁ ହସ୍ତାନ୍ତର କରିବା ବା ବିକ୍ରି କରିବା ସଂପୂର୍ଣ୍ଣ ବେଆଇନ।

ସମ୍ଭବତଃ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିକୁ ସରକାର ନିଜ ଜମି ବୋଲି ଧରିନେଇ ପଦକ୍ଷେପ ନେଇଛନ୍ତି। ବର୍ତମାନ ସରକାର କହୁଛନ୍ତି ଯେ, ଏହି ଜମିରୁ ମାତ୍ର ଶତକଡ଼ା ୧୨ଭାଗ ଜମି ଶ୍ରୀମନ୍ଦିର ଚତୁପାଶ୍ୱର୍ର ୭୫ ମିଟର ପରିସରରେ ଥିବା ଯେଉଁ ଜମିକୁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଦିଆଯାଇଥିଲା ସେମାନଙ୍କ ଭିତରୁ  କେତେ ଜଣଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ବିକ୍ରି କରାଯାଇଛି। ସରକାରଙ୍କ ଯୁକ୍ତି ହେଲା ଯେ, ଯେଉଁ ବ୍ୟକ୍ତି ବା ସେବାୟତ ଜମି ଛାଡ଼ିଦେଲେ ସେମାନଙ୍କୁ ଥଇଥାନ କରାଯିବା ପ୍ରଶାସନର ଏକ ଦାୟିତ୍ୱ। ଏହା କେହି ଅସ୍ୱୀକାର କରିପାରିବେ ନାହିଁ ଯେ, ଯେଉଁମାନେ ଜମି ଛାଡ଼ିଲେ ସେମାନଙ୍କୁ କ୍ଷତିପୂରଣ ବାବଦରେ ବିପୁଳ ଅର୍ଥ ଦିଆଯାଇଛି। ଯେହେତୁ ଏହିସବୁ ଜମି ଅଧିଗ୍ରହଣ ଆଇନ ଅନୁସାରେ କରାଯାଇନାହିଁ ସେହେତୁ ବିସ୍ଥାପିତ ଲୋକଙ୍କୁ ଥଇଥାନ କରିବା ନୀତି ଏଠାରେ ଏପରି ଲାଗୁ କରାଯିବା ଉଚିତ ନୁହେଁ। ଯେଉଁମାନଙ୍କୁ ଜମି ବିକ୍ରି କରାଯାଇଛି ସେମାନଙ୍କର ମନ୍ଦିର ନିକଟରେ ଲଜିଂ ଥିଲା। କିନ୍ତୁ ଏହି ଜମି ବାବଦରେ ସେମାନେ ବିପୁଳ ଅର୍ଥ କ୍ଷତିପୂରଣ ପାଇବା ପରେ ସରକାରଙ୍କର ଅଧିକାର ନଥିବା ଏକ ଜମିରେ ସେମାନଙ୍କୁ ଥଇଥାନ ପାଇଁ ଜିଲ୍ଲାପାଳ କିପରି ଜମି ବିକିଲେ?

Advertisment

ସରକାର କହୁଛନ୍ତି ଯେ, ବାକି ଯେଉଁ ଜମି ବଗଲା ଧର୍ମଶାଳାର ରହିଛି ସେଠାରେ ଯାତ୍ରୀମାନଙ୍କ ପାଇଁ ଧର୍ମଶାଳା ନିର୍ମାଣ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ଥିବା ଜମିଗୁଡ଼ିକୁ ନିଆଯିବା ସମୟରେ ସେମାନଙ୍କୁ ଯେଉଁ କ୍ଷତିପୂରଣ ଦିଆଯାଇଥିଲା ସେଥିରେ ସେମାନଙ୍କୁ ମନ୍ଦିର ନିକଟରେ ଥଇଥାନ ପାଇଁ ଜମି ଦେବାର କିଛି ବ୍ୟବସ୍ଥା ଥିଲା କି? ସେମାନଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ଜିଲ୍ଲା ପ୍ରଶାସନ ଯେଉଁ ବୁଝାମଣା କରିଥିଲେ ତାହାକୁ ସାଧାରଣରେ ପ୍ରକାଶ କରାଯାଇନାହିଁ। ଯଦିଓ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ୟମ ସବୁମହଲରେ ପ୍ରଶଂସା କରାଯାଇଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବେଆଇନ ଭାବରେ ଥଇଥାନ ନୀତି କାର୍ଯ୍ୟକାରୀ କରି ଯାତ୍ରୀମାନଙ୍କ ସୁବିଧା ପାଇଁ ଥିବା ଏକ ଧର୍ମଶାଳାର ଜମିକୁ ବିକ୍ରି କରିଦେବେ। ଯଦି ୧୨ ପ୍ରତିଶତ ଜମି ବିକ୍ରି କରିଦେବାର ଅଧିକାର ଜିଲ୍ଲା ପ୍ରଶାସନର ରହିଛି ତେବେ ସମୁଦାୟ ଜମିକୁ ସେମାନେ ପରେ ବିକ୍ରି କରିବେ ନାହିଁ କାହିଁକି? ନୀତି ନିୟମକୁ ଉଲ୍ଲଂଘନ କରିଥିବା ପ୍ରଶାସନକୁ କିଏ ବା ବିଶ୍ୱାସ କରିବ? ଗରିବ ଲୋକମାନଙ୍କୁ ଥଇଥାନ କରିବା ଏକ ଭିନ୍ନ କଥା ହୋଇପାରେ। କିନ୍ତୁ ଯେଉଁମାନେ ପ୍ରଭାବଶାଳୀ, ଧନୀ ଓ ଜମି ଛାଡ଼ିବା ବାବଦରେ ବିପୁଳ କ୍ଷତିପୂରଣ ନେଇଛନ୍ତି ସେମାନଙ୍କୁ ଥଇଥାନ ପାଇଁ ସର୍ବସାଧାରଣ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଜମିକୁ ପ୍ରଦାନ କରାଯିବା କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ। ସେଥିପାଇଁ ରାଜ୍ୟର ସବୁ ବିରୋଧୀ ଦଳ ଏକ ସଙ୍ଗରେ ସରକାରଙ୍କୁ ଓ ପୁରୀ ପ୍ରଶାସନକୁ ଆକ୍ରମଣ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ଶ୍ରୀମନ୍ଦିର ପ୍ରଶାସନ ଯିଏ କି ଏହି ଜମିର ବର୍ତମାନ ପାଇଁ ପ୍ରକୃତ ମାଲିକ ସେହି ସଂସ୍ଥାରେ ଏହି ସଂପର୍କରେ କୌଣସି ଆଲୋଚନା ମଧ୍ୟ ହୋଇନାହିଁ।

ରାଜ୍ୟ ସରକାର ବା ପୁରୀ ପ୍ରଶାସନ କ୍ଷତିପୂରଣ ପାଇଥିବା ଜମି ମାଲିକମାନଙ୍କ ପାଇଁ ସମ୍ବେଦନଶୀଳତା ଯେପରି ଭାବେ ପ୍ରଦର୍ଶନ କରୁଛନ୍ତି ସେପରି ସମ୍ବେଦନଶୀଳତା ଅନ୍ୟକ୍ଷେତ୍ରରେ ପ୍ରଦର୍ଶନ କରିବା ଦେଖାଯାଉନାହିଁ। ଉଦାହରଣ ସ୍ୱରୂପ କରୋନା ସଂକ୍ରମଣ ସମୟରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମାରେ ରାଜ୍ୟର ଜେଲ୍‌ମାନଙ୍କରେ ଥିବା କଏଦୀମାନଙ୍କ ଭିତରୁ  ଭଲ ରେକର୍ଡ ଥିବା କଏଦୀମାନଙ୍କୁ ପାରୋଲରେ ଖଲାସ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ଅନେକ ଜେଲ କର୍ତୃପକ୍ଷ କେଉଁ କଏଦୀମାନଙ୍କର ଜେଲ୍‌ରେ ରେକର୍ଡ ଭଲ ଅଛି ତାହାର ତାଲିକାକରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ରାଜ୍ୟ ସରକାର ଜଣେ ହେଲେ କଏଦୀଙ୍କୁ ପାରୋଲରେ ଯିବା ପାଇଁ ଅନୁମତି ଦେଲେନାହିଁ। ଏହି ସମୟ ଭିତରେ ରାଉରକେଲା ଜେଲ୍‌ରେ କରୋନା ଆକ୍ରମଣ ସାଂଘାତିକ ରୂପ ନେଇଛି ଓ ସେମାନଙ୍କ ଭିତରୁ ଜଣେ କଏଦୀଙ୍କର ମୃତ୍ୟୁ ମଧ୍ୟ ହେଲାଣି। ଏହି କଏଦୀମାନେ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିଲେ ମଧ୍ୟ ସେମାନଙ୍କୁ ମରଣଯନ୍ତାରେ ପକାଇଦେବା ଆଦୌ ଠିକନୁହେଁ। ରାଜ୍ୟ ଗୃହ ବିଭାଗ ବା ଜେଲ୍ ବିଭାଗ ଯାହାକି ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ରହିଛି ସେ ଏହାକୁ ଅନୁଧ୍ୟାନ କରିବା ଉଚିତ ଥିଲା। କରୋନା ସଂକ୍ରମଣ ସମୟରେ ଜେଲ୍‌ରେ କଏଦୀ ସଂଖ୍ୟା କମାଇବା ଏକ ଲକ୍ଷ୍ୟ ଭାବରେ ଗ୍ରହଣ କରାଯିବା ଉଚିତ। ବିଶେଷ ଭାବରେ ଯେଉଁମାନେ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଅଛନ୍ତି ସେମାନଙ୍କୁ ପାରୋଲରେ ଛାଡ଼ିବା ସରକାରଙ୍କ ଦାୟିତ୍ୱ। ସେହିପରି ପୋଲିସ ପକ୍ଷରୁ ବିଭିନ୍ନ ମାମଲାରେ ଯେଉଁମାନଙ୍କୁ ଗିରଫ କରାଯାଉଛି ସେମାନଙ୍କ ଭିତରେ ଯଦି ଅଭିଯୋଗ ଅତ୍ୟନ୍ତ ଗୁରୁତର ନଥାଏ ତେବେ ସେମାନଙ୍କୁ ଜେଲକୁ ନପଠାଇ ଜାମିନରେ ଛାଡ଼ିଦିଆଯିବା ଉଚିତ। କିନ୍ତୁ ଦେଖାଯାଉଛି ଅନେକ ସ୍ଥାନରେ କେବଳ ରାଜନୈତିକ ଆକ୍ରୋଶରେ ମାଲିମୋକଦ୍ଦମା କରାଯାଇ ଅଭିଯୁକ୍ତମାନେ ଯେପରି ଜାମିନ ନପାଇବେ ସେଥିପାଇଁ ପୋଲିସ ବିଭିନ୍ନ ଭାବରେ କୌଶଳ ଅବଲମ୍ବନ କରୁଛି। କରୋନା ସମୟରେ ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଯେପରି ଭାବରେ ଜେଇଇ ଓ ନିଟ୍ ପରୀକ୍ଷା ଘୁଂଚାଇବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ  ଚିଠି ଲେଖିଛନ୍ତି ଠିକ୍ ସେହିପରି ନିଜ ବିଭାଗ ଅଧୀନରେ ଥିବା ଗୃହ ବିଭାଗର କାର୍ଯ୍ୟକଳାପକୁ ଦେଖିବା ଉଚିତ। ସମ୍ବେଦନଶୀଳତା ସବୁସ୍ତରକୁ ଯିବାର ଆବଶ୍ୟକତା ରହିଛି।

ବରିଷ୍ଠ ସାମ୍ବାଦିକ

ମୋ- ୯୪୩୭୪୦୪୪୫୫