ବିଶ୍ୱରଂଜନ ଆଚାର୍ଯ୍ୟ
ଶିକ୍ଷା ସମାଜର ମୂଳଦୂଆ, ଶିକ୍ଷା ହିଁ ଏକ ସମାଜକୁ ସଶକ୍ତ କରେ। ଯେଉଁ ସମାଜର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ ସେ ସମାଜ ସେତେ ସମୃଦ୍ଧ। ବିଶ୍ୱବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ସବୁଠାରୁ ଉଚ୍ଚତମ ଶିକ୍ଷା ବ୍ୟବସ୍ଥା ଓ ଏହା କେବଳ ବିଷୟଗତ ଶିକ୍ଷା ପ୍ରଦାନ କରିନଥାଏ ବରଂ ନେତୃତ୍ଵ ସୃଷ୍ଟି କରିଥାଏ, ଉଚ୍ଚ ବୃତ୍ତିଗତ ଶିକ୍ଷା ପ୍ରଦାନ କରେ, ବ୍ୟକ୍ତିତ୍ୱ ସୃଷ୍ଟି କରିଥାଏ, ନୂତନ ଉଦ୍ଭାବନ ଶିଖାଏ ସମାଜକୁ ଆଗକୁ ନେବାପାଇଁ ଦାୟିତ୍ୱବୋଧ ଶିଖାଏ। ବହି ବାହାରୁ ଏମିତି ବହୁତ କଥା ଶିକ୍ଷା ପ୍ରଦାନ କରିଥାଏ ବିଶ୍ୱବିଦ୍ୟାଳୟ। ଏକଥା ଏଠି ଉପସ୍ଥାପନା କରିବାର ଉଦ୍ଦେଶ୍ୟ ଏହା ଯେ ନିକଟରେ ଓଡ଼ିଶା ସରକାର ‘ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯’ କୁ ସଂଶୋଧିତ କରି ଆଣିଥିବା ‘ଓଡ଼ିଶା ବିଶ୍ଵବିଦ୍ୟଳୟ (ସଂଶୋଧନ) ଅଧିନିୟମ ୨୦୨୦’ରେ ସାମିଲ କରିଥିବା କେତେକ ମୁଖ୍ୟ ପରିବର୍ତନ ଉପରେ ଆଲୋଚନା କରିବା।
୧)କୁଳପତି ଚୟନ - ଆଗରୁ ୩ ଜଣିଆ ଅନ୍ୱେଷଣ କମିଟି ଥିଲା। କିନ୍ତୁ ସେଥିରେ ମାନ୍ୟବର କୁଳାଧିପତି ଯାହାକୁ ବି ଜଣକୁ ଅଧ୍ୟକ୍ଷ କରିବାର କ୍ଷମତା ଥିଲା। କିନ୍ତୁ ନୂଆ ନିୟମରେ ସରକାର ନିୟମ କରିଛନ୍ତି ଯେ ଜଣେ ଅବସରପ୍ରାପ୍ତ ରାଜ୍ୟ ମୁଖ୍ୟ ସଚିବ ବା ଭାରତ ସରକାରଙ୍କ କ୍ୟାବିନେଟ ସଚିବ ପାହ୍ୟା (ଓଡିଶା କ୍ୟାଡର)ର ଜଣକୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବେ। ଏଠି କୁଳାଧିପତିପତିଙ୍କ କ୍ଷମତାକୁ ସଂକୁଚିତ କରାଗଲା। ପୂର୍ବ ନିୟମ ଅନୁସାରେ ଜଣେ ବିଶିଷ୍ଟ ଶିକ୍ଷାବିତଙ୍କୁ ଓଡ଼ିଶା ଭିତରୁ ବା ବାହାରୁ ଏହି ପଦରେ ଅବସ୍ଥାପିତ କରାଯାଇପାରୁଥିଲା। ଏହି କମିଟରେ ଆଗରୁ ଜଣେ ସିଣ୍ଡିକେଟ ସଦସ୍ୟ ରହୁଥିଲେ। କିନ୍ତୁ ତାହା ବଦଳାଇ ରାଜ୍ୟ ସରକାର ଜଣେ ବିଶିଷ୍ଟ ଶିକ୍ଷାବିତଙ୍କୁ ଏହି କମିଟିରେ ନେବେ। ଏହାର ଅର୍ଥ ସରକାର ଯାହାକୁ ରଖିବେ ସେ ସରକାରଙ୍କ ଇଚ୍ଛାନୁସାରେ କାମ କରିବେ।
ଏ ବାବଦରେ ରାଜ୍ୟ ସରକାର ବିଭିନ୍ନ ଅନ୍ୟ ରାଜ୍ୟ ସରକାରଙ୍କ ଉଦାହରଣ ଦେଇଛନ୍ତି ଯେ ଅନ୍ୟ ରାଜ୍ୟରେ କେମିତି କୁଳପତିମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଉଛନ୍ତି, କିନ୍ତୁ ଆମେ ଏଠି ଜଣେ ମାତ୍ର ସଦସ୍ୟ ଦେଉଛୁ ତାହା ପୁଣି ସେ ଜଣେ ବିଶିଷ୍ଟ ଶିକ୍ଷାବିତ ହୋଇଥିବେ, ସେଥିପାଇଁ ସରକାରଙ୍କ ହସ୍ତକ୍ଷେପ ଆଦୌ ନାହିଁ କୁଳପତି ନିଯୁକ୍ତିରେ। ସରକାରଙ୍କ ଅନୁସାରେ ଯଦି ହସ୍ତକ୍ଷେପ ନାହିଁ ତାହେଲେ ପରିବର୍ତ୍ତନ କ’ଣ ଦରକାର? କ’ଣ ସିଣ୍ଡିକେଟ ଉପରେ ସରକାରଙ୍କ ବିଶ୍ୱାସ ନାହିଁ ? ସରକାର ପରିବର୍ତ୍ତନଶୀଳ ଓ ସରକାରୀ ଅଧିକାରୀ ବି ପରିବର୍ତ୍ତନଶୀଳ। କିନ୍ତୁ ବ୍ୟବସ୍ଥା ନିୟମାନୁସାରେ ଚାଲିବ, ଆଜି ହୁଏତ ସରକାର ଭଲ ଉଦେଶ୍ୟ ନେଇ କରିଥାଇପାରନ୍ତି, କାଲି ଯେ ସରକାରୀ ହସ୍ତକ୍ଷେପ ନବଢିବ କିଏ କହିବ? ପରିବର୍ତ୍ତନ ଏକମାତ୍ର ସ୍ଥାୟୀ ଏବଂ ଆବଶ୍ୟକତା ଅନୁସାରେ ନିୟମ ବି ବଦଳିବା ଦରକାର। କିନ୍ତୁ ନିଜସ୍ୱ ବଦଳରେ ଆମେ କାହିଁକି ଅନୁକରଣ କରିବା, ଆମେ କାହିଁକି ଅନୁକରଣୀୟ ନହେବା? ଆମ ରାଜ୍ୟ ସ୍ୱତନ୍ତ୍ର, ଭାରତ ସ୍ୱାଧୀନ ହେବା ପୂର୍ବରୁ ଆମ ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ୧୯୩୬ରେ। ଆମ ବିଶ୍ବବିଦ୍ୟାଳୟ ଅଧିନିୟମ ମଧ୍ୟ ଅନୁକରଣୀୟ ଥିଲା ଅନ୍ୟ ପାଇଁ। ତାହାକୁ ଆହୁରି ସବଳ ନକରି ଆମେ ଅନ୍ୟକୁ କାହିଁ ଅନୁକରଣ କରିବା? ଏ ଅନୁକରଣ କଥା କହିବାର କାରଣ ଆମ ମାନନୀୟ ମନ୍ତ୍ରୀ ଓ ସଚିବ କହିଲେ ସରକାର ପ୍ରତିନିଧି ଦେବା ନୂଆ ନୁହେଁ, ଆଗରୁ ବହୁତ ରାଜ୍ୟ ସରକାର ପ୍ରତିନିଧି ଦେଉଛନ୍ତି। ଜଣେ ସ୍ଁଭିମାନୀ ଓଡ଼ିଆ ଭାବେ ଏହା ବାଧେ।
୨) ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ହେବା - ସରକାରଙ୍କ ଯୁକ୍ତି ଗୋଟିଏ ଆୟୋଗ ଦ୍ୱାରା ହେବ ଓ ଆବେଦନକାରୀ ଅଯଥା ଖର୍ଚ୍ଚାନ୍ତ ହେବେନି ସବୁଆଡେ ଭିନ୍ନ ଭାବେ ଆବେଦନ କରି। ସମୟ ବି ବଂଚିବ ସମସ୍ତଙ୍କର, ଏକ ସଂଗେ ସବୁ ବିଶ୍ୱବିଦ୍ୟାଳୟର ରାଙ୍କିଙ୍ଗ ଅନୁଯାୟୀ ଇଚ୍ଛାନୁସାରେ ହୋଇପାରିବ। ଏହା ଏକ ଭଲ ବ୍ୟବସ୍ଥା ଏବଂ ଏହା ଅଣଶିକ୍ଷକଙ୍କ ପାଇଁ ଅତ୍ୟନ୍ତ ଉପଯୁକ୍ତ।ସେଥିପାଇଁ ସରକାରଙ୍କ ଉଦ୍ୟମ ଅତ୍ୟନ୍ତ ସ୍ୱାଗତଯୋଗ୍ୟ। କିନ୍ତୁ ଏଠି ଓଡିଶା ପବ୍ଲିକ ସର୍ଭିସ କମିସନର ଅଧ୍ୟକ୍ଷ ଜଣେ ଓଏଏସ ବା ଆଇଏଏସ ହୁଅନ୍ତି ସେମାନେ ଅଧ୍ୟାପକ ଓ ପ୍ରଧ୍ୟାପକଙ୍କ ନିଯୁକ୍ତି ଦେବେ। ଆଜିର ଦିନରେ ଜଣେ ସହଯୋଗୀ ଅଧ୍ୟାପକ ପାଇଁ ସର୍ବନିମ୍ନ ଯୋଗ୍ୟତା ସମ୍ପୃକ୍ତ ବିଷୟରେ ଡକ୍ଟରେଟ କରିଥିବେ। ଦୁର୍ଭଗ୍ୟ ତାଙ୍କୁ ନିଯୁକ୍ତି ଦେବା ସଂସ୍ଥାର ମୁଖ୍ୟଙ୍କ ଯୋଗ୍ୟତା କେବଳ ସ୍ନାତକ ହୋଇପାରେ। ସରକାର କେବଳ ଅମଲାମାନଙ୍କୁ ପ୍ରାଧାନ୍ୟ ଦେଉଛନ୍ତି, ତାହା ଠିକ ନୁହେଁ। ସେଠି କୁଳପତି ନିଯୁକ୍ତିରେ ବି ଜଣେ ଅମଲା ରହିବେ କମିଟିର ମୁଖ୍ୟ, ଏଠି ଅଧ୍ୟାପକ ନିଯୁକ୍ତି ବି ଅମଲାଙ୍କ ନେତୃତ୍ୱରେ। ଜ୍ଞାନ ଗୁଣର ଅଧିକାରୀ ଯିଏ ସମାଜ ସୃଷ୍ଟି କରେ ସେ କ’ଣ କେବଳ ଅମଲାଙ୍କ ପାଖେ ଗୋଡ଼ ଭାଙ୍ଗି ଠିଆ ହେବ?
୩) ସିନେଟକୁ ସମ୍ପୂର୍ଣ ଉଚ୍ଛେଦ - ସିନେଟର ସୃଷ୍ଟି ହୋଇଥିଲା ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ମତ ନେଇ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା। ତାହାକୁ ସରକାର ଆହୁରି ସୁଦୃଢ ନକରି ସଂପୂର୍ଣ୍ଣ ଉଚ୍ଛେଦ କରିଛନ୍ତି। ଏହା ଏକ ଗଣତାନ୍ତିକ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଧ୍ୱଂସ କରିଦେବ।
ଅନ୍ୟ ଯେଉଁ ବିଭିନ୍ନ ପ୍ରସ୍ତାବ ଅଛି ଯଥା କୁଳପତିଙ୍କ କାର୍ଯ୍ୟକାଳକୁ ୩ ବର୍ଷ ପରିବର୍ତ୍ତେ ୪ ବର୍ଷ କରିଦେବା, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
ଦୂରଭାଷ - ୯୦୪୦୫୦୯୬୪୩
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।