ବୁଲେଟ୍ ଟ୍ରେନ୍ ନୁହେଁ ଦେଶକୁ ଦରକାର ସାଇବର୍ ସୁରକ୍ଷା

  • ଶୁଭ୍ରାଂଶୁ ଶେଖର

କୋଭିଡ୍ ମୁକାବିଲା କରିବାରେ ସରକାର ଏକ ପ୍ରକାର ନାକେଦମ ହୋଇଛନ୍ତି। ଯଦିଓ ଟିକା ଆସିଛି ହେଲେ ଏହା କେତେ ଫଳପ୍ରଦ ହେବା ତାହା ଭବିଷ୍ୟତ କହିବ। ସ୍ଥିତି ଏଭଳି ଉପୁଜିବା ପଛର କାରଣ ଘାତକ ଭାଇରସ ସମସ୍ତଙ୍କ ପାଇଁ ନୂଆ ଥିଲା। ତେବେ ଏହି କୋଭିଡ୍ ମହାମାରୀ ବେଳେ ବଢ଼ିଛି ଅନଲାଇନ୍ କାରବାର। ଟଙ୍କା ନେଣଦେଣ ପାଖରୁ ଆରମ୍ଭ କରି ଶପିଂ ଓ ଅଫିସ ସବୁ କିଛି ଅନଲାଇନ୍ ମୋଡରେ। ଆଉ କିଛି ଶିକ୍ଷିତ ବ୍ୟକ୍ତି ଏହାର ଫାଇଦା ନେଇ ଆରମ୍ଭ କରିଛନ୍ତି ସାଇବର ଠକେଇ, ଯାହାକି ଭାରତବର୍ଷ ପାଇଁ ବିପଦ। କାରଣ ଏହି ଅପରାଧରେ ଚିହ୍ନ ବର୍ଣ୍ଣ ରହୁ ନ ଥିବାରୁ ଏଥିରେ ସଫଳତା ହାର ବହୁତ କମ୍।

୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଅନେକ କିଛି ପଦକ୍ଷେପ ନେବେ ବୋଲି କହିଥିଲେ। ଆମେରିକା, ଜାପାନ, ଚାଇନା ଭଳି ଅଗ୍ରଣୀ ଦେଶକୁ ଟକ୍କର ଦେଲା ଭଳି ଦେଶ ଭାରତ ହେବ ବୋଲି କ୍ଷମତାକୁ ଆସିବା ପୂର୍ବରୁ ମୋଦିଙ୍କ ଦଳ ବିଜେପି ନିର୍ବାଚନୀ ପ୍ରତିଶ୍ରୁତିର ରୂପରେଖ ଥିଲା। ଏହାରି ଭିତରେ ଡିଜିଟାଲ ଇଣ୍ଡିଆ ଏବଂ ବୁଲେଟ ଟ୍ରେନ୍ ପ୍ରକଳ୍ପ ଅନ୍ୟତମ ଥିଲା। ଯାହାକି ଦେଶବାସୀ ପାଇଁ ନୂଆ ନୂଆ ଲାଗୁଥିଲେ ମଧ୍ୟ ଶୁଣିବାକୁ ଆଉ କଳ୍ପନା କରିବାକୁ ଭଲ ଲାଗୁଥିଲା।

ଦୀର୍ଘ ୬ ବର୍ଷରୁ ଅଧିକ ସମୟ ହେବ ମୋଦି ଏବେ କ୍ଷମତାରେ। ବୁଲେଟ୍ ପ୍ରକଳ୍ପ ଆରମ୍ଭ ହୋଇଛି। ହେଲେ ଏଥିପାଇଁ ବଜେଟରେ ଥିବା ଟଙ୍କାକୁ ନେଇ ବିରୋଧୀ ଏବଂ ଅର୍ଥନୀତିଜ୍ଞ ବିରୋଧ କରନ୍ତି। କାରଣ ବୁଲେଟ ଟ୍ରେନ୍ ପ୍ରକଳ୍ପ ଏକ ବ୍ୟୟବହୁଳ ପ୍ରୋଜେକ୍ଟ। ଏବେ ବି ଦେଶବାସୀଙ୍କ ପ୍ରଥମ ପସନ୍ଦ ଟ୍ରେନ୍, ବିମାନ ପ୍ରତି ମଧ୍ୟ ଲୋକଙ୍କ ରୁଚି ବଢ଼ିଛି। ବିଭିନ୍ନ ରିପୋର୍ଟ ଏବଂ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ବୁଲେଟ୍ ଟ୍ରେନ୍ ବ୍ୟବସ୍ଥା ଆରମ୍ଭ ହେଲେ ମଧ୍ୟ ଭାରତ ଭଳି ଦେଶର ଲୋକେ ବ୍ୟୟବହୁଳ ଯାତ୍ରା କରିବାକୁ ପସନ୍ଦ କରି ନ ପାରନ୍ତି।

ସେହିଭଳି ମୋଦି ସରକାରର ଆଉ ଏକ ଅଭିଯାନ ହେଲା ଡିଜିଟାଲ ଇଣ୍ଡିଆ। ଯଦିଓ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଆରମ୍ଭ ହୋଇନି ହେଲେ ଦେଶ ଏବେ ଡିଜିଟାଲ ମୁହାଁ ହୋଇସାରିଛି। ଗାଁ ଗାଁରେ ଏହି ସେବା ଆରମ୍ଭ ହୋଇଯାଇଛି। ଏହା ଯେତିକି ଲାଭ ସେତିକି ଖରାପ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି।

ଡିଜିଟାଲ ଇଣ୍ଡିଆରେ ଚୋରି, ରାହାଜାନି, ହତ୍ୟା ଭଳି ସାଇବର ଅପରାଧ ବା ଅନଲାଇନ୍ ଠକେଇ ଦେଶରେ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏହି ଠକେଇରେ ଦୁର୍ବୃତ୍ତକୁ ଧରିବାରେ ମଧ୍ୟ ପ୍ରଶାସନ ଏକ ପ୍ରକାର ବିଫଳ। ଅପରାଧ ସଂଖ୍ୟା ପ୍ରତିଦିନ ବଢ଼ୁଛି ହେଲେ କାର୍ଯ୍ୟାନୁଷ୍ଠାନ ନେବାରେ କେନ୍ଦ୍ର ଓ ରାଜ୍ୟ ବିଫଳ। ଖାଲି ଗରିବ କି ମଧ୍ୟବିତ୍ତ ନୁହେଁ ଇ-କମର୍ସ କମ୍ପାନୀ ବିଗ୍ ବାସ୍କେଟ୍ ମଧ୍ୟ ସାଇବର ଠକେଇର ଶିକାର ହୋଇଛି। ଏଭଳି ହେବାର କାରଣ ବିଶେଷଜ୍ଞ କହନ୍ତି ଭାରତ ବିନା ସାଇବର ସୁରକ୍ଷାରେ ଡିଜିଟାଲ ମୁହାଁ ହୋଇଛି। ଅର୍ଥାତ୍ ମାଟି ତଳେ ସୁନା ଅଛି ଭାବି ସାପ ଗାତରେ ହାତ ପୂରାଇବା।

ସାଇବର ସୁରକ୍ଷା ଅର୍ଥ ଡାଟା ସୁରକ୍ଷା। ସମାନ ତଥ୍ୟ ଯାହା କମ୍ପ୍ୟୁଟରରେ ଅନଲାଇନ୍ କିମ୍ବା ଅଫଲାଇନରେ ରହିଛି, ତାହା କମ୍ପ୍ୟୁଟରରେ ଥାଏ। ଯଦି ଏହା ଡାଟାକୁ ହ୍ୟାକର୍ ଭର୍ଚୁଆଲ ମୋଡରେ ଚୋରି କରିପାରିଲା ତାହେଲେ ଏହାକୁ ସାଇବର ଅପରାଧ କୁହାଯାଏ। ସେହିଭଳି ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଗୋଷ୍ଠୀ ଦ୍ୱାରା ଏହି ଅପରାଧକୁ ସୁନିଶ୍ଚିତ କରିବା ପାଇଁ ସାଇବର ସ୍ପେସ୍ କମ୍ପ୍ୟୁଟର, ଇଣ୍ଟରନେଟ୍, ସେଲ୍ ଫୋନ୍, ଅନ୍ୟାନ୍ୟ ବୈଷୟିକ ଉପକରଣ ବ୍ୟବହାର କରାଯାଏ।

ଆଜିର ଯୁଗରେ ଟଙ୍କା ଅପେକ୍ଷା ଅପେକ୍ଷା ସାଇବର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ଭାରତ ଏବେ କ୍ୟାଶଲେଶ ଇକୋନମି, ଡିଜିଟାଲ ଇଣ୍ଡିଆ ଏବଂ ଭର୍ଚୁଆଲ ମୋଡରେ କାମ ପାଇଁ ଅଗ୍ରସର ହେଉଛି ତେଣୁ କମ୍ପ୍ୟୁଟର, ମୋବାଇଲ ଅଧିକ ବ୍ୟବହୃତ ହେଉଛି। ଆଜି ସାରା ବିଶ୍ୱରେ ଟେକ୍ନୋଲୋଜି ବହୁତ ଦ୍ରୁତ ଗତିରେ ବିକାଶ କରୁଛି | ତେଣୁ ସମସ୍ତ ଲୋକ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ। ହେଲେ ଇଣ୍ଟରନେଟରେ ସାଇବର ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି।

ସାଇବର ଅପରାଧୀମାନେ ସାଇବର ସ୍ପେସରେ ଅନେକ ସଫ୍ଟୱେୟାର ଏବଂ କୋଡ୍ ବ୍ୟବହାର କରନ୍ତି। ସେମାନେ ସଫ୍ଟୱୟାର୍ ଏବଂ ହାର୍ଡୱେର୍ ଡିଜାଇନ୍ ଦୁର୍ବଳତାକୁ ମାଲୱେର୍ ବ୍ୟବହାର କରି ଚୋରି କରନ୍ତି। ଲୋକମାନେ ସେମାନଙ୍କର ତଥ୍ୟ ଅର୍ଥାତ୍ ଇଣ୍ଟରନେଟ୍ ମାଧ୍ୟମରେ ସେମାନଙ୍କର ସୂଚନା ସୁରକ୍ଷିତ ରଖନ୍ତି। କିନ୍ତୁ ଲୋକଙ୍କ ତଥ୍ୟ ଚୋରି କରିବା ପାଇଁ ହ୍ୟାକରମାନେ ଅନେକ ପଦ୍ଧତି ବ୍ୟବହାର କରନ୍ତି। ଯାହାଫଳରେ ସେ ତଥ୍ୟ ଚୋରି କରିପାରିବେ।

ଏହାର ଅନେକ ଉପାୟ ଅଛି, ଯେପରିକି ସ୍ପାଏୱେୟାର, ରେନ୍ସୱେୟାର, ମାଲୱେୟାର, ଫିସିଙ୍ଗ ଏବଂ ଅନ୍ୟାନ୍ୟ ଅନେକ ଉପାୟ, ଯାହା ଦ୍ୱାରା ଲୋକମାନେ ଇଣ୍ଟରନେଟ ମାଧ୍ୟମରେ କମ୍ପ୍ୟୁଟର କିମ୍ୱା କୌଣସି ଇଲେକ୍ଟ୍ରୋନିକ୍ସ ଡିଭାଇସର ତଥ୍ୟ ଚୋରି କରିଥାନ୍ତି। ସେହିପରି ଅନେକ ୱେବସାଇଟ୍ ଅଛି ଯେଉଁଠି ଅନେକ କ୍ଷତିକାରକ ସଫ୍ଟୱେର୍ ରହିଥାଏ। ହେଲେ ଅଜାଣତରେ କ୍ଲିକ୍ କରିବା ଦ୍ୱାରା କ୍ଷତିକାରକ ସଫ୍ଟୱେୟାର୍ ଆପଣଙ୍କ କମ୍ପ୍ୟୁଟର କିମ୍ବା ମୋବାଇଲକୁ ଡାଉନଲୋଡ୍ ହୁଏ। ଆଉ ହ୍ୟାକରମାନଙ୍କୁ ବେଆଇନ ପ୍ରବେଶ କରିବାକୁ ଅନୁମତି ଦେଇଥାଏ।

ସମଗ୍ର ବିଶ୍ୱ ତୁଳନାରେ ଭାରତର ଏବେ ୫୪% ଲୋକ ମାଲୱେୟାର ଏବଂ ରେନ୍ସୱେୟାର ଭଳି ଭାଇରସର ଶିକାର ହେଉଛନ୍ତି। ଆଉ ୪୭% ମାଲୱେର୍ ସାରା ବିଶ୍ୱର ଲୋକଙ୍କୁ ପ୍ରଭାବିତ କରିଛି। ୟାହୁ ସର୍ଚ୍ଚ ଇଞ୍ଜିନ ନେଟୱର୍କର ରିପୋର୍ଟ ଅନୁଯାୟୀ, ୨୦୧୩ରେ କେବଳ ଭାରତରେ ୩ ବିଲିୟନ ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ଜାତୀୟ ସାଇବର ସୁରକ୍ଷା ନୀତି ୨୦୧୩ ମାଧ୍ୟମରେ ଆମ ଦେଶର ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ସେତେବେଳର ୟୁପିଏ ସରକାର କିଛି ପ୍ରମୁଖ ପଦକ୍ଷେପ ନେଇଥିଲା। ଯେଉଁଥିରେ ୨୦୧୭ ମସିହାରେ ସାଇବର ସ୍ୱେଚ୍ଛାସେବୀ କେନ୍ଦ୍ର ଆରମ୍ଭ ହୋଇଥିଲା ଏବଂ ଅନେକ ସାଇବର ଅପରାଧ ପୁଲିସ ଆରମ୍ଭ ହୋଇଥିଲା।

ଏହାରି ଭିତରେ କେନ୍ଦ୍ରର ମୋଦି ସରକାର ଭାରତ ଡିଜିଟାଲ ଇଣ୍ଡିଆ ଏବଂ ଡିଜିଟାଲ ଇକୋନୋମିକୁ ଗୁରୁତ୍ୱ ଦେଇଛନ୍ତି। ଦେଶରେ ବିମୁଦ୍ରିକରଣ ହେବା ପରେ କ୍ୟାଶଲେଶ ଇକୋନମି ଆଗକୁ ବଢ଼ିଛି ବୋଲି କେନ୍ଦ୍ର ସରକାର କହୁଛନ୍ତି। ଆଉ ଏହା ବି ସତ। ଯେଉଁ ପାନ ଦୋକାନରେ ଖୁଚୁରା ଦେଇ ପାନ, ତମାଖୁ କିଣା ହେଉଥିଲା ସେଠି ଏବେ ୟୁପିଆଇ କୋଡ୍ ନ ହେଲେ ବାର୍ କୋଡ୍ ଜରିଆରେ ବିଲ୍ ପେମେଣ୍ଟ ହେଉଛି। ହେଲେ ସାଇବର ଅପରାଧକୁ ରୋକିବାରେ କେନ୍ଦ୍ରର ମୋଦି ସରକାର ବିଫଳ। କହିବାକୁ ଗଲେ ବିନା ସାଇବର ସୁରକ୍ଷାରେ ଡିଜିଟାଲ ଇଣ୍ଡିଆକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି ମୋଦି ସରକାର।

ତେଣୁ ଦେଶ ସାଇବର ସୁରକ୍ଷା ଉପରେ ଅଧିକ କାମ କରିବା ଆବଶ୍ୟକ। ସାଇବର ସୁରକ୍ଷା ବିନା, ଡିଜିଟାଲ୍ ଇଣ୍ଡିଆ ଏବଂ ସରକାରଙ୍କ କ୍ୟାଶଲେସ୍ ଇକୋନୋମି ଭଳି ଅଭିଯାନ ଉପରେ ସାଇବର ଆକ୍ରମଣର ବିପଦ ସର୍ବଦା ରହିବ। ଯେଉଁଠି ଆଧାର କାର୍ଡ ପାଇଁ ଲୋକଙ୍କ ପରିଚୟ ସହିତ ଜଡିତ ପ୍ରାୟ ସମସ୍ତ ସୂଚନା କମ୍ପ୍ୟୁଟରରେ ରହୁଛି ତେଣୁ ସାଇବର ଆଟାକର ସମ୍ଭାବନାକୁ ଆଗେଇ ଏଡାଇ ହେବନି। ଯଦି ଆଇନ୍ ବାବଦରେ ଦେଖିବା ତେବେ ଦେଶରେ ସାଇବର ସୁରକ୍ଷା ସହ ଜଡିତ କୌଣସି ଆଇନ ନାହିଁ। ଏ ପର୍ଯ୍ୟନ୍ତ ଆଇଟି ଆକ୍ଟ  ୨୦୧୩ କାର୍ଯ୍ୟକାରୀ ହୋଇନାହିଁ।

ସେହିପରି ଯଦି ବୁଲେଟ ଟ୍ରେନ ପ୍ରକଳ୍ପର ଅଗ୍ରଗତି ବାବଦରେ ଦେଖିବା ତାହେଲେ ପ୍ରଥମେ ଡିସେମ୍ୱର ୨୦୨୩ରେ ଏହି ପ୍ରକଳ୍ପ ଶେଷ ହେବ ବୋଲି ସରକାର କହିଥିଲେ। ପରେ ଜମି ଅଧିଗ୍ରହଣରେ ବିଳମ୍ୱ ହେବାରୁ ଡିସେମ୍ୱର ୨୦୨୮ରେ ପ୍ରକଳ୍ପ ଶେଷ ହେବ ବୋଲି ସରକାର କହିଛନ୍ତି। ଜୁଲାଇ ୨୦୨୦ ସୁଦ୍ଧା ୬୦ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି। ମୋଟ୍ ୫୦୮ କିଲୋମିଟର ପାଇଁ ୩୩୫ କିଲୋମିଟର ଯାଏ ଜମି ଅଧିଗ୍ରହଣ ଶେଷ ହୋଇଛି। ଏହି ଉଚ୍ଚାକାଂ‌କ୍ଷୀ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୧ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରିଛନ୍ତି। ସେଥିମଧ୍ୟରୁ ୩,୨୨୬.୮ କୋଟି ଟଙ୍କା ଜୁନ୍ ୨୦୧୯ ସୁଦ୍ଧା ଖର୍ଚ୍ଚ ହୋଇଥିବା ରେଳ ମନ୍ତ୍ରୀ ପୀୟୂଷ ଗୋଏଲ କହିଥିଲେ।

ଏକ ରିପୋର୍ଟ ଅନୁଯାୟୀ, କମ୍ପ୍ୟୁଟର ସଂଖ୍ୟା ତୁଳନାରେ ଓ୍ୱାନାକ୍ରାଇ ଭାଇରସ ପାଇଁ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ ପ୍ରଭାବିତ ହୋଇଛି। ୨୦୧୬ରେ ଦେଶରେ ମୋଟ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ମଧ୍ୟରୁ ୩.୨ ନିୟୁତ ଡେବିଟ୍ କାର୍ଡର ବ୍ୟକ୍ତିଗତ ସୂଚନା ଲିକ୍ ହୋଇଥିଲା। ଭାରତରେ ଏହାକୁ ଏକ ପ୍ରମୁଖ ସାଇବର ଅପରାଧ ବୋଲି କୁହାଯାଏ। ତେଣୁ ଏବେ ସାଇବର ସୁରକ୍ଷା ରଣନୀତି ଜାତୀୟ ନିରାପତ୍ତାର ଏକ ଅବିଚ୍ଛେଦ୍ୟ ଅଙ୍ଗ ସଦୃଶ୍ୟ। କାରଣ କରୋନା ଭାଇରସ ଭଳି ସାଇବର ଆଟାକ ମଧ୍ୟ ଦେଶର ଅର୍ଥନୀତିକୁ ମଧ୍ୟ ଦୋହଲାଇ ଦେବାର କ୍ଷମତା ରଖିଛି।

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଭାରତର ମୋଟ ଅର୍ଥନୀତିର ୧୪-୧୫ ପ୍ରତିଶତ ଏବେ ଡିଜିଟାଲ ଇକୋନୋମି ରହିଛି। ୨୦୨୦ ସୁଦ୍ଧା ଏହା ୨୦ ପ୍ରତିଶତରେ ପହଞ୍ଚିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ମେସିନ୍ ଲର୍ଣ୍ଣିଂ(ML), ଡାଟା ଆନାଲିଟିକ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (IoT)ର ଆବଶ୍ୟକତା ଯେତିକି ଲାଭ ସେତିକି ଜଟିଳ ଗଣିତ ପରି ସାବ୍ୟସ୍ତ ହୋଇଛି। କାରଣ ରବୋର୍ଟ, ମେସିନର ତ୍ରୁଟି ପାଇଁ ମଧ୍ୟ ସାଇବର ଅପରାଧ ହୋଇପାରିବ।

ଏକବିଂଶ ଶତାବ୍ଦୀରେ ଟଙ୍କା ଭଳି ତଥ୍ୟ ଗୁରୁତ୍ୱପୂର୍ଣ୍ଣ। ତେଣୁ ଡାଟା ଇନିଗ୍ରିଟି, ଡାଟା ଲୋକାଲାଇଜେସନ୍ ଏବଂ ଇଣ୍ଟରନେଟ୍ ଗଭର୍ନାନ୍ସ ଇତ୍ୟାଦି ସମ୍ବନ୍ଧୀୟ ସମସ୍ୟାର ସମାଧାନ ଆବଶ୍ୟକ। ଏହି ଅପରାଧ କ୍ଷେତ୍ର ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସଫ୍ଟୱେର୍ ଏବଂ ହାର୍ଡୱେୟାର୍ ସମ୍ବନ୍ଧୀୟ ବୈଷୟିକ ଦିଗଗୁଡିକ ବୁଝିବା ପାଇଁ ସାମରିକ ବାହିନୀ, କେନ୍ଦ୍ରୀୟ ପୁଲିସ୍ ସଂଗଠନ, ଆଇନ ପ୍ରଣୟନକାରୀ ସଂସ୍ଥା ପାଖରେ ଦକ୍ଷ ବ୍ୟକ୍ତିଙ୍କ ଅଭାବ ରହିଛି।

ସେହିଭଳି ବୈଷୟିକ ଦୃଷ୍ଟିକୋଣରୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ବ୍ଲକ୍ ଚେନ୍ ଟେକ୍ନୋଲୋଜି (BCT), ମେସିନ୍ ଲର୍ଣ୍ଣିଂ (ML) ଡାଟା ଆନାଲିଟିକ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ (IoT) ଭଳି ଟେକ୍ନୋଲୋଜିକୁ ବୁଝିବା ପାଇଁ ପେଶାଗତ ଦକ୍ଷ ଲୋକଙ୍କର ମଧ୍ୟ ଅଭାବ ରହିଛି। ଏକ ରିପୋର୍ଟ ଅନୁଯାୟୀ ଦେଶରେ ଅତି କମରେ ତିନି ନିୟୁତ ସାଇବର ସୁରକ୍ଷା ପ୍ରଫେସନାଲ ଆବଶ୍ୟକ।

ଏହାବାଦ ୟୁରୋପୀୟ ୟୁନିଅନ୍ ପରି ଭାରତରେ ସାଧାରଣ ଡାଟା ପ୍ରୋଟେକସନ୍ ରେଗୁଲେସନ୍- GDPR କିମ୍ବା ଆମେରିକାର କ୍ଲାରିଫାଇଂ ଲଫୁଲ ଓଭରସିଜ୍ ୟୁଜ୍ ଅଫ୍ ଡାଟା କ୍ଲାଉଡ୍ ଆକ୍ଟ ଭଳି ଆବଶ୍ୟକ ସାଇବର ପ୍ରତିରକ୍ଷାର ଅଭାବ ରହିଛି। ଆମେରିକା, ସିଙ୍ଗାପୁର ଏବଂ ବ୍ରିଟେନରେ କେବଳ ଗୋଟିଏ ସଂସ୍ଥା ସାଇବର ସ୍ପେସ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ଭାରତରେ ଅନେକ କେନ୍ଦ୍ରୀୟ ସଂସ୍ଥା ଅଛି ଯାହା ସାଇବର ସମସ୍ୟାର ମୁକାବିଲା କରିଥାଏ।

ଭାରତରେ ହାର୍ଡୱେୟାର୍ ଏବଂ ସଫ୍ଟୱେୟାର୍ ସାଇବର ସୁରକ୍ଷା ଉପକରଣଗୁଡ଼ିକରେ ସ୍ୱଦେଶୀକରଣର ଅଭାବ ରହିଛି। ହ୍ୟାକରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ହେଲେ ଭାରତକୁ ଅନ୍ୟ ଦେଶ ସହ ମିଳିତ ପଦକ୍ଷେପ ନେବାକୁ ପଡ଼ିବ। ତେଣୁ ପ୍ରଥମେ ସଚେତନତା ବୃଦ୍ଧି କରିବାକୁ ହେବ। ବିଶ୍ୱବିଦ୍ୟାଳୟ, ଶିଳ୍ପ ସଙ୍ଗଠନ, ଶିଳ୍ପ ତାଲିମ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ସାଇବର ସୁରକ୍ଷା ଦିଗରେ ପାଠ୍ୟକ୍ରମ ସାମିଲ୍ ହେବା ଆବଶ୍ୟକ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।