କ୍ଷୁଧା ମୁକାବିଲାରେ ପାକିସ୍ତାନ ପଛରେ ଭାରତ!

ସରଳ କୁମାର ଦାସ ବିଶ୍ୱ କ୍ଷୁଧା ସୂଚକାଙ୍କର ୨୦୨୦ ମସିହା ରିପୋର୍ଟରେ ଯେଉଁ ୧୦୭ଟି ଦେଶର କ୍ଷୁଧାର ସ୍ତର ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି ସେମାନଙ୍କ ମଧ୍ୟରେ ଭାରତର ସ୍ଥାନ ୯୪ରେ ରହିବା କେବଳ ଉଦବେଗଜନକ ନୁହେଁ, ବରଂ ବର୍ଷ ବର୍ଷ ଧରି ଦେଶରେ କ୍ଷୁଧା ବିରୁଦ୍ଧରେ ଚାଲୁଥିବା ଲଢେଇର ଦିଗ ଓ ଗତିକୁ ନେଇ ତାହା ପ୍ରଶ୍ନ ଉଠାଉଛି। ଭାରତର ଅର୍ଥନୀତିର ଆକାର ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚିବା ନେଇ ଗର୍ବ କରୁଥିବା ଓ ଏହାକୁ […]

india

Debendra Prusty
  • Published: Tuesday, 20 October 2020
  • , Updated: 20 October 2020, 02:53 PM IST

ସରଳ କୁମାର ଦାସ

ବିଶ୍ୱ କ୍ଷୁଧା ସୂଚକାଙ୍କର ୨୦୨୦ ମସିହା ରିପୋର୍ଟରେ ଯେଉଁ ୧୦୭ଟି ଦେଶର କ୍ଷୁଧାର ସ୍ତର ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି ସେମାନଙ୍କ ମଧ୍ୟରେ ଭାରତର ସ୍ଥାନ ୯୪ରେ ରହିବା କେବଳ ଉଦବେଗଜନକ ନୁହେଁ, ବରଂ ବର୍ଷ ବର୍ଷ ଧରି ଦେଶରେ କ୍ଷୁଧା ବିରୁଦ୍ଧରେ ଚାଲୁଥିବା ଲଢେଇର ଦିଗ ଓ ଗତିକୁ ନେଇ ତାହା ପ୍ରଶ୍ନ ଉଠାଉଛି। ଭାରତର ଅର୍ଥନୀତିର ଆକାର ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚିବା ନେଇ ଗର୍ବ କରୁଥିବା ଓ ଏହାକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ଦେଖା ଯାଉଥିବା ବେଳେ ଦେଶର ଲୋକଙ୍କୁ ଦୁଇ ମୁଠା ଖାଦ୍ୟ ନ ମିଳି ସେମାନେ ଭୋକରେ ରହିବା ଓ ଭାରତ ବିଶ୍ୱର ସର୍ବାଧିକ ସଂଖ୍ୟକ କ୍ଷୁଧାର୍ତ୍ତଙ୍କ ବାସସ୍ଥଳୀ ହୋଇ ରହିବା ବାସ୍ତବିକ ସମସ୍ତଙ୍କ ପାଇଁ ଲଜ୍ଜାର କାରଣ ହେବା ଉଚିତ। ୨୦୩୦ ମସିହା ସୁଦ୍ଧା ବିଶ୍ୱକୁ କ୍ଷୁଧାମୁକ୍ତ (ଜିରୋ ହଙ୍ଗର) କରିବା ଜାତିସଂଘ ଦ୍ୱାରା ଘୋଷିତ ସତତ ବିକାଶ ଲକ୍ଷ୍ୟ (ଏସଡିଜି)ର ୧୭ଟି ଲକ୍ଷ୍ୟ ମଧ୍ୟରୁ ଦ୍ୱିତୀୟ ଲକ୍ଷ୍ୟ ହୋଇଥିଲେ ବି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ହାସଲ ହୋଇପାରିବା ନେଇ ରିପୋର୍ଟରେ ଆଶଙ୍କା ବ୍ୟକ୍ତ ହୋଇଛି।

ଓପାସରେ ରହୁଥିବା ଲୋକଟିକୁ କ୍ଷୁଧାର୍ତ୍ତ ବୋଲି କୁହା ଯାଉଥିଲେ ବି କ୍ଷୁଧାର ପରିଭାଷା କେବଳ ଭୋକ ନୁହେଁ। ସାଧାରଣ ଭାବେ ଏହା ଆବଶ୍ୟକ ପରିମାଣର କ୍ୟାଲୋରି ଅନୁପଲବ୍ଧତା ଜନିତ ଉତ୍ପନ୍ନ ସଙ୍କଟକୁ ହିଁ ବୁଝାଇଥାଏ। ତେବେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହାର ସଂଜ୍ଞା ନିରୂପଣ କରି କୁହାଯାଇଛି ଯେ ଖାଦ୍ୟ-ବଞ୍ଚନା ବା ଅଳ୍ପପୋଷଣର ଅର୍ଥ ହେଉଛି ଜଣେ ବ୍ୟକ୍ତି ତାର ଲିଙ୍ଗ, ବୟସ, ସ୍ତର ଏବଂ ଶାରୀରିକ ଶ୍ରମକୁ ଭିତ୍ତି କରି ସୁସ୍ଥ ଓ ଉତ୍ପାଦନକ୍ଷମ ଭାବେ ବଞ୍ଚି ରହିବା ଲାଗି  ଆବଶ୍ୟକ ହେଉଥିବା ସର୍ବନିମ୍ନ ଖାଦ୍ୟ ଶକ୍ତିଠାରୁ ଅଭ୍ୟାସଗତ ଭାବେ ଯଥେଷ୍ଟ କମ କ୍ୟାଲୋରି ଗ୍ରହଣ କରିବାକୁ ବାଧ୍ୟ ହେବା। ତେବେ ଅଳ୍ପପୋଷଣ କେବଳ କ୍ୟାଲୋରି ଅଭାବ ଭିତରେ ସୀମିତ ନ ରହି ଖାଦ୍ୟସାର, ସ୍ନେହସାର, ପୁଷ୍ଟିସାର, ଆବଶ୍ୟକ ପରିମାଣର ଭିଟାମିନ ଓ ଖଣିଜର ଅଭାବକୁ ବୁଝାଉଥିବାରୁ କ୍ଷୁଧାକୁ ମାପିବା ଏତେ ସହଜ ନୁହେଁ ଓ ଏହା ଏକ ଜଟିଳ ପ୍ରକ୍ରିୟା। ଏହା ମାପିବା ପାଇଁ ଏକ ବିଶ୍ୱ କ୍ଷୁଧା ସୂଚକାଙ୍କର ଆଶ୍ରୟ ନିଆ ଯାଇଥାଏ, ଯାହା ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ଅନୁଷ୍ଠାନ (ଆଇଏଫପିଆରଆଇ) ଦ୍ୱାରା କଷା ଯାଇ ‘କନସର୍ନ ଓ୍ୱାର୍ଲଡଓ୍ୱାଇଡ’ ଓ ‘ଓ୍ୱେଲଟହଙ୍ଗରହିଲଫି’ ନାମକ ସଂସ୍ଥାଙ୍କ ଦ୍ୱାରା ଗତ ୧୫ ବର୍ଷ ଧରି ପ୍ରସ୍ତୁତ ହୋଇଆସୁଛି। ଏଥିପାଇଁ ଯେଉଁ ଚାରିଟି ଦିଗ ଉପରେ ଗୁରୁତ୍ୱ ଦିଆ ଯାଇଥାଏ ସେଥିରୁ ପ୍ରଥମଟି ହେଉଛି ଅଳ୍ପପୋଷଣ (ଅଣ୍ଡରନରିସମେଣ୍ଟ)। ଗୋଟିଏ ଦେଶର ସମୁଦାୟ ଜନସଂଖ୍ୟାର କେତେ ପ୍ରତିଶତ ଲୋକ ଆବଶ୍ୟକ ପରିମାଣର କ୍ୟାଲୋରିଠାରୁ କମ ଗ୍ରହଣ କରି ଅଳ୍ପପୋଷଣର ଶିକାର ହେଉଛନ୍ତି? ଦ୍ୱିତୀୟ ଦିଗଟି, ଶିଶୁ ଅପଚୟ (ଚାଇଲ଼ଡ ଓ୍ୱେଷ୍ଟିଙ୍ଗ) ଯାହା ପାଞ୍ଚ ବର୍ଷ ଭିତରେ ଥିବା ସମସ୍ତ ଶିଶୁଙ୍କ ମଧ୍ୟରୁ କେତେ ପ୍ରତିଶତ ଶିଶୁ ଅଳ୍ପପୋଷଣ କାରଣରୁ ସେମାନଙ୍କ ଉଚ୍ଚତା ତୁଳନାରେ କମ ଓଜନବିଶିଷ୍ଟ। ତୃତୀୟ, ବାଙ୍ଗରା ହେବା (ଚାଇଲଡ ଷ୍ଟଣ୍ଟିଙ୍ଗ) ଯାହା ପାଞ୍ଚ ବର୍ଷ ଭିତରେ ଥିବା ସମସ୍ତ ଶିଶୁଙ୍କ ମଧ୍ୟରୁ କେତେ ପ୍ରତିଶତ ଶିଶୁଙ୍କର ଅତିଶୟ ଅଳ୍ପପୋଷଣ ଓ କୁପୋଷଣ କାରଣରୁ ସେମାନଙ୍କ ବୟସ ତୁଳନାରେ ଉଚ୍ଚତା କମ। ଶେଷରେ, ଶିଶୁ ମୃତ୍ୟୁହାର, ଯାହା ଅଳ୍ପପୋଷଣ, କୁପୋଷଣଠାରୁ ଆରମ୍ଭ କରି ଅସ୍ୱାସ୍ଥ୍ୟକର ପରିବେଶଗତ କାରଣ ଯୋଗୁ ହୋଇଥାଏ।

ତେଣୁ କ୍ଷୁଧାର ବିବିଧ ଦିଗ ଓ ପ୍ରକାରକୁ ଦୃଷ୍ଟିରେ ରଖି ପ୍ରଥମେ ଏହି ଚାରିଟି ସୂଚକ ଉପରେ ପ୍ରତିଟି ଦେଶର ତଥ୍ୟ କେତେକ ନିର୍ଦ୍ଦିଷ୍ଟ ଅନ୍ତର୍ଜାତିକ ସଂସ୍ଥାଙ୍କ ନିକଟରୁ ସଂଗୃହୀତ ହୋଇଥାଏ ଓ ସେଗୁଡିକୁ ଗୁରୁତ୍ୱ ଆଧାରରେ ଏକ ୧୦୦ ନମ୍ୱର ବିଶିଷ୍ଟ ମାନକ ମାପକାଠିରେ ସ୍ଥାନିତ କରି ପ୍ରତି ଦେଶର ସ୍ଥିତିକୁ ସେହି ମାପକାଠିରେ ମପା ଯାଇଥାଏ। ତଦନୁଯାୟୀ ପାଇଥିବା ନମ୍ୱର ଆଧାରରେ ଦେଶଗୁଡିକୁ ୫ଟି ଶ୍ରେଣୀରେ ବିଭକ୍ତ କରା ଯାଇଥାଏ – ୯.୯ ନମ୍ୱରରୁ କମ ଥିଲେ ନିମ୍ନ (ଲୋ), ୧୦ରୁ ୧୯.୯କୁ ଚଳନୀୟ (ମଡରେଟ), ୨୦ରୁ ୩୪.୯କୁ ଗୁରୁତର(ସିରିଅସ), ୩୫ରୁ ୪୯.୯କୁ ଉଦବେଗଜନକ (ଆଲାର୍ମିଂ) ଓ ୫୦ରୁ ଅଧିକ ନମ୍ୱର ରଖିଥିବା ଦେଶଗୁଡିକ ଅତ୍ୟନ୍ତ ଉଦବେଗଜନକ (ଏକସେସ ଆଲାର୍ମିଂ)। ଏ ବର୍ଷ ୧୩୨ଟି ଦେଶର ତଥ୍ୟକୁ ବିଚାରକୁ ନିଆଯାଇଥିଲେ ବି ୨୫ଟି ଦେଶର ତଥ୍ୟ ଯଥେଷ୍ଟ ନ ଥିବାରୁ ଶେଷରେ ସେଗୁଡିକୁ ତାଲିକାରୁ ବାଦ ଦିଆଯାଇଛି। ବିଶ୍ୱରେ ପ୍ରାୟ ୬୯ କୋଟି ଲୋକ ଅଳ୍ପପୋଷଣର ଶିକାର ହୋଇଥିବା ବେଳେ ଦୀର୍ଘକାଳ ଧରି ଅଳ୍ପପୋଷଣ ଓ କୁପୋଷଣ ଯୋଗୁ ୫ ବର୍ଷରୁ କମ ବୟସର ପ୍ରାୟ ୧୪.୪ କୋଟି ଶିଶୁ ବାଙ୍ଗରା (ଷ୍ଟଣ୍ଟିଂ) ଓ ୪.୭ କୋଟି ଶିଶୁ ଅପଚୟ (ଓ୍ୱେଷ୍ଟିଂ)ର ଶିକାର ହୋଇଛନ୍ତି। ୨୦୧୮ ମସିହାରେ ପାଞ୍ଚ ବର୍ଷ ପୂରିବା ଆଗରୁ ପ୍ରାୟ ୫୩ ଲକ୍ଷ ଶିଶୁଙ୍କୁ ମୃତ୍ୟୁର ଶିକାର ହେବାକୁ ପଡିଥିଲା।

ଏହି ରିପୋର୍ଟ ଅନୁଯାୟୀ ବିଶ୍ୱସ୍ତରରେ କ୍ଷୁଧା ‘ଚଳନୀୟ’ ସ୍ତରରେ ଥିଲେ ବି ଉପରୋକ୍ତ ତଥ୍ୟରୁ କ୍ଷୁଧାର ସମସ୍ୟା ଯେ କେତେ ଉତ୍କଟ ତାହା ସହଜରେ ଅନୁମେୟ। ବିଶେଷ କରି ଦକ୍ଷିଣ ସାହାରା ଓ ଭାରତ ଭଳି ଦକ୍ଷିଣ ଏସିଆର ଦେଶଗୁଡିକରେ ଏହା ଗୁରୁତର ସ୍ଥିତିରେ ରହିଛି। ବ୍ରାଜିଲ, ଚୀନ ଭଳି ୧୭ଟି ଦେଶ ସର୍ବନିମ୍ନ ୫ ନମ୍ୱର ପାଇ ଭଲ ସ୍ଥିତିରେ ଅଛନ୍ତି। ୪୭ଟି ଦେଶ ‘ନିମ୍ନ’, ୨୬ଟି ଦେଶ ‘ଚଳନୀୟ’, ୩୧ଟି ଦେଶ ‘ଗୁରୁତର’ ଓ ୩ଟି ଦେଶ ‘ଉଦବେଗଜନକ’ ଶ୍ରେଣୀଭୁକ୍ତ ହୋଇଛନ୍ତି। ଯେଉଁ ବେଗରେ କ୍ଷୁଧା ବିରୁଦ୍ଧରେ ଲଢେଇ ଚାଲିଛି ସେଥିରେ ୨୦୩୦ ସୁଦ୍ଧା ବିଶ୍ୱ କ୍ଷୁଧାମୁକ୍ତ ହେବାର ଧାର୍ଯ୍ୟ ଲକ୍ଷ୍ୟ ତ ପୂରଣ ହୋଇ ପାରିବ ନାହିଁ ବରଂ ପ୍ରାୟ ୩୭ଟି ଦେଶ ‘ନିମ୍ନ’ ଶ୍ରେଣୀର କ୍ଷୁଧାସ୍ତରକୁ ପହଞ୍ଚିବା ବି ସମ୍ଭବ ହୋଇ ନ ପାରେ ବୋଲି ଆଶଙ୍କା ବ୍ୟକ୍ତ କରା ହୋଇଛି। ଏଥି ସହିତ କୋଭିଡ-୧୯ ମହାମାରୀଜନିତ ସ୍ଥିତି କ୍ଷୁଧା ସମସ୍ୟାକୁ ଆଗାମୀ ଦିନରେ ଅଧିକ ଉତ୍କଟ କରିବାର ସମ୍ଭାବନା ରହିଛି।

ଭାରତ ୨୭.୨ ନମ୍ୱର ସହ ଏହି ତାଲିକାର ୯୪ତମ ସ୍ଥାନରେ ସ୍ଥାନିତ ହୋଇ ‘ଗୁରୁତର’ ଶ୍ରେଣୀଭୁକ୍ତ ହୋଇଛି। ଉଲ୍ଲେଖଯୋଗ୍ୟ, ଏ ବାବଦରେ ସବୁ ନିକଟତମ ପଡୋଶୀ ଯଥା ପାକିସ୍ତାନ (୨୪.୬), ବଙ୍ଗଳାଦେଶ (୨୦.୪), ନେପାଳ (୧୯.୫), ଶ୍ରୀଲଙ୍କା (୧୬.୩)ଙ୍କର ସ୍ଥିତି ଭାରତ ଅପେକ୍ଷା ଭଲ। ଏ କ୍ଷେତ୍ରରେ ନେପାଳ ଭଳି ଦେଶ ଗତ ଦୁଇ ଦଶନ୍ଧି ଭିତରେ ଉଲ୍ଲେଖନୀୟ ଅଗ୍ରଗତି କରି ନିଜକୁ ‘ଉଦବେଗଜନକ’ ସ୍ଥିତିରୁ କାଢି ‘ଚଳନୀୟ’ ସ୍ତରରେ ପହଞ୍ଚାଇ ପାରିଛି। ସେହିପରି ବଙ୍ଗଳାଦେଶ ମଧ୍ୟ ‘ଚଳନୀୟ’ ସ୍ଥିତିରେ ପହଞ୍ଚିବାର ନିକଟତର ହୋଇପାରିଛି। ଏହି ପରିପ୍ରେକ୍ଷୀରେ ଭାରତ ଗତ ଦୁଇ ଦଶନ୍ଧି ଭିତରେ ନିଜକୁ ‘ଉଦବେଗଜନକ’ ସ୍ଥିତିରୁ ଆଣି ‘ଗୁରୁତର’ ସ୍ଥିତିରେ ପହଞ୍ଚାଇଥିଲେ ବି ବର୍ଷ ବର୍ଷ ଧରି ୯୦ରୁ ୧୦୦ ସ୍ଥାନ ଭିତରେ ରହି କ୍ଷୁଧା ସଙ୍କଟରେ ବିଶେଷ ପରିବର୍ତ୍ତନ ନ ହେବା ବାସ୍ତବିକ ଚିନ୍ତାଜନକ। ଏଥି ସହିତ ଭାରତରେ ଅଳ୍ପପୋଷଣର ଶିକାର ବ୍ୟକ୍ତିଙ୍କ ସଂଖ୍ୟା ୧୮.୯ କୋଟି ଯାହା ବିଶ୍ୱର ଏହି ଶ୍ରେଣୀର ଲୋକସଂଖ୍ୟାର ପ୍ରାୟ ଚାରି ଭାଗରୁ ଭାଗେ। ସେହିପରି ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ବାଙ୍ଗରା ଶିଶୁ (ଷ୍ଟଣ୍ଟେଡ) ଓ ଅଧା ଅପଚୟର ଶିକାର ଶିଶୁ (ଓ୍ୱେଷ୍ଟେଡ ଚାଇଲଡ) ଭାରତରେ ଥିବା ଦୃଷ୍ଟିରୁ କ୍ଷୁଧା ଓ କ୍ଷୁଧାଜନିତ ସମସ୍ୟାକୁ ଭାରତର ମୁଖ୍ୟ ସମସ୍ୟାଗୁଡିକ ଭିତରୁ ଅନ୍ୟତମ ବୋଲି ସ୍ୱୀକାର କରି ତାକୁ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କରିବା ପାଇଁ ନୀତିରେ ପରିବର୍ତ୍ତନ ଆବଶ୍ୟକ। ତେବେ ଏହି ସମସ୍ୟାର ସମାଧାନ ପାଇଁ ଉଭୟ ସରକାରୀ ଓ ସାମାଜିକ ସ୍ତରରେ ସେହିଭଳି ଆନ୍ତରିକତା ପ୍ରକାଶ ପାଉଥିଲା ପରି ଜଣା ପଡୁନାହିଁ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଅଳ୍ପପୋଷଣ (ଅଣ୍ଡରନ୍ୟୁଟ୍ରିସନ) ଓ କୁପୋଷଣ (ମାଲନ୍ୟୁଟ୍ରିସନ) ସମସ୍ୟାର ମୁକାବିଲା କରିବା ପାଇଁ ଦେଶରେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ସେଗୁଡିକ ମଧ୍ୟରେ ସ୍କୁଲଗୁଡିକରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକ୍ରମ ସହ ଅଙ୍ଗନବାଡିଗୁଡିକରେ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଖାଦ୍ୟ ପ୍ରଦାନ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ସବସିଡିରେ ଶସ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନ୍ୟତମ। ଏଥି ସହିତ ୨୦୧୩ ମସିହାରେ ପ୍ରଣୀତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଖାଦ୍ୟ ଓ ପୋଷଣ ସୁରକ୍ଷାକୁ ଗୁରୁତ୍ୱ ଦେଇ ଖାଦ୍ୟ ପାଇବା (ଆକସେସ ଟୁ ଫୁଡ)କୁ ଏକ ଆଇନଗତ ଅଧିକାରର ମାନ୍ୟତା ପ୍ରଦାନ କରାଯାଇଛି। ଅନ୍ୟ ପକ୍ଷରେ ସ୍ୱାଧୀନତା ପ୍ରାପ୍ତି ବେଳେ ଦେଶରେ ଯେଉଁ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିଲା, ଏବେ ତାର ପ୍ରାୟ ୫ ଗୁଣରୁ ଅଧିକ ପରିମାଣର ଉତ୍ପାଦନ ହେଉଛି। ଏ ସବୁ ସତ୍ତ୍ୱେ ଅଳ୍ପପୋଷଣ ଓ କୁପୋଷଣ ସମସ୍ୟା ଆଖିଦୃଶିଆ ଭାବେ ଲାଘବ ହୋଇ ନ ପାରିବା ବାସ୍ତବିକ ଚିନ୍ତାର ବିଷୟ। ଅର୍ଥାତ୍, ଏ ସମ୍ପର୍କୀୟ ନୀତି ଓ ତାର କାର୍ଯ୍ୟକାରିତାରେ ଏ ପରି କିଛି ଦୋଷତ୍ରୁଟି ରହି ଯାଉଛି ଯାହାକୁ ଚିହ୍ନଟ କରି ସେଗୁଡିକୁ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବ୍ୟବସାୟରେ ସୁଗମତା ବା ଇଜ ଅଫ ଡୁଇଙ୍ଗ ବିଜନେସ ସିଢିରେ ଉପରକୁ ଉଠିବାକୁ ସରକାର ଯେଉଁଭଳି ଆନ୍ତରିକତା ଓ ତତ୍ପରତା ଦେଖାଉଛନ୍ତି, ଦେଶକୁ କ୍ଷୁଧାମୁକ୍ତ କରିବା ପାଇଁ ସମ ପରିମାଣରେ ଆନ୍ତରିକତା ଓ ତତ୍ପରତା ପ୍ରଦର୍ଶନ କରାଗଲେ ଯେ ଦେଶରୁ କ୍ଷୁଧା ଅଚିରେ ଅନ୍ତର୍ହିତ ହୋଇପାରିବ ଏଥିରେ ସନ୍ଦେହ ନାହିଁ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

Related story