ଭାରତରେ ମୁସଲମାନ ଜନସଂଖ୍ୟା ବୃଦ୍ଧିର ବାସ୍ତବତା କ’ଣ?

ସରଳ କୁମାର ଦାସ

ଜନସଂଖ୍ୟା ନୀତି ସମ୍ପର୍କିତ ସମ୍ୱାଦପତ୍ରରେ ପ୍ରକାଶିତ ମୋର ଏକ ଆଲେଖ୍ୟ ପଢ଼ି ଜଣେ ପାଠକ ମୋତେ ଫୋନ କରି ଜଣାଇଲେ ଯେ ତାଙ୍କ ମନରେ ଭୟ ସୃଷ୍ଟି ହୋଇ ସାରିଥିଲା ଯେ ଆଗାମୀ କିଛି ବର୍ଷ ଭିତରେ ବୋଧେ ଭାରତ ଏକ ମୁସଲମାନ ଦେଶରେ ପରିଣତ ହୋଇ ସାରିଥିବ। ଯାହାହେଉ ଆଲେଖ୍ୟରେ ପ୍ରଦତ୍ତ ତଥ୍ୟ ପଢ଼ିଲା ପରେ ତାଙ୍କର ସେ ଭୟ ଓ ସନ୍ଦେହ ମନରୁ ଦୂର ହେଲା। ପଦ୍ମପୁରରୁ ଆଉ ଜଣେ ପାଠକ ତ ସିଧା ସଳଖ ପଚାରିଲେ, “ଆଜ୍ଞା ଶୁଣିଲୁ ଭଦ୍ରକ ଜିଲ୍ଲାରେ ୬୦ ପ୍ରତିଶତ ମୁସଲମାନ ହୋଇ ଯାଇଥିବାରୁ କାଳେ ସରକାର ଭଦ୍ରକକୁ ମୁସଲମାନ ଜିଲ୍ଲା ବୋଲି ଘୋଷଣା କରିଛନ୍ତି। ଏହା କ’ଣ ସତ?” ସୂଚନାର ଉତ୍ସ ସମ୍ପର୍କରେ ଜାଣିବାକୁ ଚାହିଁବାରୁ ସେ ହ୍ୱାଟସଆପରେ ପଢ଼ିଛନ୍ତି ବୋଲି କହିଲେ। କିଛି ଦିନ ପୂର୍ବେ କେନ୍ଦ୍ରାପଡ଼ା ସହର ସମ୍ପର୍କରେ ବି ସେହି ଧରଣର ଗୁଜବଟିଏ ପ୍ରସାରିତ ହୋଇଥିଲା। ସାଧାରଣ ଲୋକଟିଏକୁ ତ ମିଛ କଥାଟିଏ କହି ତା’ ମନରେ ଭ୍ରମ ସୃଷ୍ଟି କରିବା ସହଜ, ହେଲେ ଭାରତ ଭଳି ଏକ ଧର୍ମ ନିରପେକ୍ଷ ଦେଶରେ କୌଣସି ଧର୍ମ ଭିତ୍ତିରେ ଅଞ୍ଚଳର ଘୋଷଣା କରାଯିବାର ବ୍ୟବସ୍ଥା ନାହିଁ ବୋଲି କଥାଟିକୁ ବୁଝାଇବା ସତରେ କେତେ କଷ୍ଟକର। ଅସତ୍ୟ ଆଧାରରେ ଦେଶରେ ମୁସଲମାନଙ୍କ ଜନସଂଖ୍ୟା ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମନରେ କିଛି ଲୋକ ଯେଉଁ ଭଳି ଭୀତି ସଞ୍ଚାରର ଉଦ୍ୟମ କରୁଛନ୍ତି ତାହା କେବଳ ନିନ୍ଦନୀୟ କହି ଦେଲେ ଚଳିବ ନାହିଁ, ମାତ୍ର ତଥ୍ୟ ଆଧାରରେ ଦେଶରେ ମୁସଲମାନ ଜନସଂଖ୍ୟା ବୃଦ୍ଧିର ବାସ୍ତବ ସ୍ଥିତି କ’ଣ ତାହା ଜାଣିବା ମଧ୍ୟ ନିହାତି ଆବଶ୍ୟକ।

ଧର୍ମ ଭିତ୍ତିରେ ଭାରତର ବିଭାଜନ ହୋଇଥିଲେ ବି ଭାରତ ଏକ ହିନ୍ଦୁ ରାଷ୍ଟ୍ର ନ ହୋଇ ଏକ ଧର୍ମ ନିରପେକ୍ଷ ଦେଶ ହୋଇଥିଲା। ଫଳରେ ଏଠାରେ ବିଭିନ୍ନ ଧର୍ମର ଲୋକ ବସବାସ କରିବା ସହିତ ଅନେକ ମୁସଲମାନ ଭାରତକୁ ନିଜ ଦେଶ ବୋଲି ଗ୍ରହଣ କରି ପାକିସ୍ତାନକୁ ନ ଯାଇ ଏଠାରେ ରହିବାକୁ ପସନ୍ଦ କଲେ। ୨୦୧୧ ଜନଗଣନା ଅନୁସାରେ ମୁସଲମାନଙ୍କ ଜନସଂଖ୍ୟା ୧୭.୨୨ କୋଟି ଯାହା ସମୁଦାୟ ଜନସଂଖ୍ୟାର ୧୪.୨ ପ୍ରତିଶତ। ଏମାନଙ୍କ ମଧ୍ୟରୁ ୬.୮୭ କୋଟି ସହରାଞ୍ଚଳରେ ବସବାସ କରୁଥିବା ବେଳେ ଗ୍ରାମାଞ୍ଚଳରେ ୧୦.୫୦ କୋଟି ଲୋକ ବସବାସ କରନ୍ତି। ସମଗ୍ର ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରୁ କେବଳ ଲାକ୍ଷାଦ୍ୱୀପ ଓ ଜାମ୍ମୁ ଓ କାଶ୍ମୀରରେ ମୁସଲମାନମାନେ ସଂଖ୍ୟାଗରିଷ୍ଠ ହୋଇଥିଲା ବେଳେ ଓଡ଼ିଶା ସମେତ ୧୧ଟି ରାଜ୍ୟରେ ଏମାନଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୫ ପ୍ରତିଶତରୁ କମ ହୋଇ ଉପେକ୍ଷଣୀୟ ବୋଲି ବିବେଚିତ ହୋଇଥାଏ। ସେହିପରି ସମୁଦାୟ ଜନସଂଖ୍ୟାର ୫ରୁ ୧୫ ପ୍ରତିଶତ ଥାଇ ଝାରଖଣ୍ଡ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ମଣିପୁର, ଗୋଆ, ଦାମନ ଦିଉ, ହରିଆଣା, ମଧ୍ୟ ପ୍ରଦେଶ, ପୁଡୁଚେରି, ତାମିଲନାଡୁ ଭଳି ୧୭ଟି ଅଞ୍ଚଳରେ ଏମାନେ ସଂଖ୍ୟାଲଘୁ ରୂପେ ବିବେଚିତ। ତେବେ ଯେଉଁ ପାଞ୍ଚଟି ରାଜ୍ୟରେ ଏମାନଙ୍କ ସଂଖ୍ୟା ମହତ୍ୱପୂର୍ଣ୍ଣ ସେଗୁଡ଼ିକ ହେଲା ଆସାମ (୩୪ ପ୍ରତିଶତ), ପଶ୍ଚିମ ବଙ୍ଗ (୨୭ ପ୍ରତିଶତ), କେରଳ (୨୭ ପ୍ରତିଶତ), ଉତ୍ତର ପ୍ରଦେଶ (୧୯ ପ୍ରତିଶତ) ଓ ବିହାର (୧୭ ପ୍ରତିଶତ)। ସଂଖ୍ୟାଦୃଷ୍ଟିରୁ ସର୍ବାଧିକ ୩.୮୫ କୋଟି ମୁସଲମାନ ଉତ୍ତର ପ୍ରଦେଶରେ ରହୁଥିବା ବେଳେ ତା’ ପଛକୁ ପଶ୍ଚିମବଙ୍ଗ ଓ ବିହାରରେ ସେହି ସଂଖ୍ୟା ଯଥାକ୍ରମେ ୨.୪୭ କୋଟି ଓ ୧.୭୬ କୋଟି। ଏଥି ସହ ୫୦ ଲକ୍ଷରୁ ଅଧିକ ମୁସଲମାନ ଥିବା ଆଉ ୮ଟି ରାଜ୍ୟ ହେଲା, ମହାରାଷ୍ଟ୍ର, ଆସାମ, କେରଳ, ଜାମ୍ମୁ ଓ କାଶ୍ମୀର, ଆନ୍ଧ୍ର ପ୍ରଦେଶ (ଅବିଭାଜିତ), କର୍ଣ୍ଣାଟକ, ରାଜସ୍ଥାନ ଓ ଗୁଜରାଟ ଯେଉଁଠାରେ ସମୁଦାୟ ୧୫ କୋଟି ବା ସମୁଦାୟ ମୁସଲମାନ ଜନସଂଖ୍ୟାର ୮୭ ପ୍ରତିଶତ ରହନ୍ତି। ଅର୍ଥାତ୍, ଅନ୍ୟତ୍ର ସେମାନଙ୍କ ଉପସ୍ଥିତି ନଗଣ୍ୟ କହିଲେ ଚଳେ।

ଖୁସିର କଥା, ୧୯୭୧-୮୧ ଦଶକରେ ଦେଶରେ ଜନସଂଖ୍ୟା ବୃଦ୍ଧି ହାର ୨.୫ ପ୍ରତିଶତ ଥିବା ବେଳେ ୨୦୧୧-୧୬ ମଧ୍ୟରେ ତାହା ହ୍ରାସ ପାଇ ୧.୩ ପ୍ରତିଶତରେ ପହଞ୍ଚିଛି। ତଥାପି ଜନସଂଖ୍ୟା ବଢ଼ି ବଢ଼ି ଚାଲିଥିବାର କାରଣ ଉନ୍ନତ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ବ୍ୟବସ୍ଥା ଯୋଗୁ ହାରାହାରି ଆୟୁଷ ବଢ଼ିବା ସହ ମୃତ୍ୟୁ ହାର ହ୍ରାସ ପାଇବା। ତେଣୁ ଜନସଂଖ୍ୟା ବୃଦ୍ଧି ହାର ଅପେକ୍ଷା ଦେଶରେ ମହିଳାଙ୍କ ହାରାହାରି ମୋଟ ଉତ୍ପାଦିକା ହାର (ଟୋଟାଲ ଫର୍ଟିଲିଟି ରେଟ – ଟିଏଫଆର) ହ୍ରାସ ପାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ। ମହିଳାମାନେ ଜୀବଦ୍ଦଶାରେ ହାରାହାରି କେତୋଟି ପିଲାଙ୍କୁ ଜନ୍ମ ଦେଉଛନ୍ତି ତା ଆଧାରରେ ଟିଏଫଆର ପ୍ରସ୍ତୁତ ହୋଇଥାଏ। ୨୦୦୦ ମସିହାରେ ନୂଆ ଜନସଂଖ୍ୟା ନୀତି ପ୍ରଣୟନ ହେବା ପରେ ୨୦୧୧ ଜନଗଣନା ବେଳକୁ ଦେଶରେ ଟିଏଫଆର ହ୍ରାସ ପାଇ ୨.୨ରେ ପହଞ୍ଚିଛି। ମୁସଲମାନଙ୍କ କ୍ଷେତ୍ରରେ ଏହା ୨୦୦୧ରେ ଥିବା ୪.୧ରୁ ଖସି ୨.୭ରେ ପହଞ୍ଚିଥିବା ବେଳେ ହିନ୍ଦୁଙ୍କ କ୍ଷେତ୍ରରେ ତାହା ୩.୧ରୁ ଖସି ୨.୧ରେ ପହଞ୍ଚିଛି। ଅର୍ଥାତ୍ ଟିଏଫଆର ନିମ୍ନମୁଖୀ ହୋଇ ଚାଲିଛି, ଯାହା ଏକ ଶୁଭ ସୂଚନା। ଯେ କୌଣସି ଦେଶରେ ଜନସଂଖ୍ୟା ସ୍ଥିର ରଖିବା ଲାଗି ଟିଏଫଆର ୨.୧ ସ୍ତରରେ ରହିବା ବିଧେୟ, ଯାହାକୁ ପରିପୂରଣ ସ୍ତର (ରିପ୍ଲେସମେଣ୍ଟ ଲେଭଲ) କୁହାଯାଇଥାଏ। ବର୍ତ୍ତମାନ ଦେଶର ଟିଏଫଆର ୨.୨ରେ ପହଞ୍ଚିଛି ଯାହା ପରିପୂରଣ ସ୍ତର ପାଖାପାଖି। ଦେଶର ବିଭିନ୍ନ ରାଜ୍ୟରେ ମୁସଲମାନଙ୍କ କ୍ଷେତ୍ରରେ ଟିଏଫଆର କେଉଁ ସ୍ତରରେ ଅଛି ତାହା ଦେଖାଯାଉ। ଇନଷ୍ଟିଚ୍ୟୁଟ ଅଫ ଡେଭଲପମେଣ୍ଟ ଷ୍ଟଡିଜର ଗବେଷକ ଶାଶ୍ୱତ ଘୋଷଙ୍କ ଗବେଷଣା ଅନୁଯାୟୀ ମୁସଲମାନଙ୍କ ମଧ୍ୟରେ ହରିଆଣାରେ ଟିଏଫଆର ସର୍ବାଧିକ ୪.୮ ହୋଇଥିବା ବେଳେ ମୁସଲମାନଙ୍କ ହାରାହାରି ଟିଏଫଆର ୨.୭ରୁ ଅଧିକ ଟିଏଫଆର ଥିବା ରାଜ୍ୟଗୁଡ଼ିକ ହେଲେ ମେଘାଳୟ (୩.୬), ରାଜସ୍ଥାନ (୩.୪), ମିଜୋରାମ (୩.୪), ନାଗାଲାଣ୍ଡ (୩.୪), ବିହାର (୩.୩), ଝାରଖଣ୍ଡ (୩.୨), ଆସାମ (୩.୧), ଛତିଶଗଡ଼ (୩.୦), ଉତ୍ତରାଖଣ୍ଡ (୩.୦), ଉତ୍ତର ପ୍ରଦେଶ (୨.୯)। ଏମାନଙ୍କ ମଧ୍ୟରୁ ଅନେକ ରାଜ୍ୟରେ ମୁସଲମାନଙ୍କ ସଂଖ୍ୟା ଏତେ କମ ଯେ ଅଧିକ ଟିଏଫଆର ସତ୍ତ୍ୱେ ସମୁଦାୟ ଜନସଂଖ୍ୟା ଉପରେ ତା’ର ବିଶେଷ ପ୍ରଭାବ ପଡ଼ିବାର ଆଶଙ୍କା ନାହିଁ। ଅନ୍ୟ ପକ୍ଷରେ ଉତ୍ତର ପ୍ରଦେଶ, ବିହାର, ଆସାମ, ରାଜସ୍ଥାନ ଓ ଝାରଖଣ୍ଡ ଏହି ରାଜ୍ୟଗୁଡିକରେ ଟିଏଫଆରକୁ ହ୍ରାସ କରିବାର ଆବଶ୍ୟକତା ରହିଛି। ତେବେ ଓଡ଼ିଶା, ଗୋଆ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ପୁଡୁଚେରି, ଆଣ୍ଡାମାନ ନିକୋବର, ଦାମନ ଦିଉ, ସିକ୍କିମରେ ଏହା ୨.୧ ବା ତା’ଠାରୁ କମ ହେବା ଏବଂ ପଶ୍ଚିମବଙ୍ଗ (୨.୨), ଗୁଜରାଟ (୨.୨), କେରଳ (୨.୩), କର୍ଣ୍ଣାଟକ (୨.୩), ମହାରାଷ୍ଟ୍ର (୨.୪) ଭଳି ମୁସଲମାନ ଜନସଂଖ୍ୟା ଅଧିକ ଥିବା ରାଜ୍ୟରେ ତାହା ପରିପୂରଣ ସ୍ତରଠାରୁ ସାମାନ୍ୟ ଅଧିକ ରହିବା ଉତ୍ସାହଜନକ। ସେହିପରି ଦେଶର ୬୧୮ଟି ଜିଲ୍ଲା ମଧ୍ୟରୁ ୨୧୭ଟି ଜିଲ୍ଲାରେ ମୁସଲମାନଙ୍କ ଟିଏଫଆର ପରିପୂରଣ ସ୍ତର (୨.୧)ରେ ବା ତା’ଠାରୁ କମ ଥିଲା ବେଳେ ୨୮୫ଟି ଜିଲ୍ଲାରେ ଏହା ୨.୧ରୁ ୩ ମଧ୍ୟରେ ରହିଛି। ୯୬ଟି ଜିଲ୍ଲାରେ ଟିଏଫଆର ୩ରୁ ୪ ଥିବା ବେଳେ ୧୮ଟିରେ ଏହା ୪ରୁ ଅଧିକ ରହିଛି। ତେଣୁ ୨.୧ରୁ ଅଧିକ ଟିଏଫଆର ଥିବା ଜିଲ୍ଲାମାନଙ୍କରେ ଜନସଂଖ୍ୟା ନିୟନ୍ତ୍ରଣ ହେବା ଆବଶ୍ୟକ ଓ ସେଥିପାଇଁ ଶିକ୍ଷା, ରୋଜଗାର ଓ ସଚେତନତା ବୃଦ୍ଧି ପାଇଁ ବିଶେଷ ଅଭିଯାନ ଚଳାଯିବା ଉଚିତ।

୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାର ସମୁଦାୟ ଜନସଂଖ୍ୟା ୪.୧୯ କୋଟିରୁ ମୁସଲମାନଙ୍କ ସଂଖ୍ୟା ମାତ୍ର ୯ ଲକ୍ଷରୁ ଅଳ୍ପ ଅଧିକ। ପ୍ରତିଶତ ଦୃଷ୍ଟିରୁ ଏହା ମାତ୍ର ୨.୧୭ ବା ଉପେକ୍ଷଣୀୟ। ବୌଦ ଓ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୦.୨୩ ପ୍ରତିଶତ ମୁସଲମାନ ରହୁଥିବା ବେଳେ ସର୍ବାଧିକ ୬.୯୨ ପ୍ରତିଶତ ମୁସଲମାନ ଭଦ୍ରକ ଜିଲ୍ଲାରେ ଅଛନ୍ତି। ଓଡ଼ିଶାର ୧୫ଟି ଜିଲ୍ଲାରେ ମୁସଲମାନଙ୍କ ସଂଖ୍ୟା ଜନସଂଖ୍ୟାର ୧ ପ୍ରତିଶତ ମଧ୍ୟ ନୁହେଁ। ଜିଲ୍ଲା ଜନସଂଖ୍ୟାର ୫ ପ୍ରତିଶତରୁ ଅଧିକ ମୁସଲମାନ କେବଳ ଭଦ୍ରକ, କଟକ ଓ ଯାଜପୁର ଏହିପରି ତିନିଟି ଜିଲ୍ଲାରେ ବସବାସ କରନ୍ତି। ଅନ୍ୟ ସର୍ବତ୍ର ୫ ପ୍ରତିଶତରୁ ବି କମ। ଭଦ୍ରକ ଜିଲ୍ଲାରେ ମୁସଲମାନଙ୍କ ପ୍ରତିଶତ ରାଜ୍ୟରେ ଅଧିକ ହେବାର ଅନ୍ୟତମ କାରଣ ହେଉଛି ମୋଗଲ ଶାସନ ସମୟରୁ ଭଦ୍ରକଠାରେ ସେମାନଙ୍କ ପାଞ୍ଚଟି ପ୍ରଶାସନିକ ମୁଖ୍ୟାଳୟ ବା ସରକାର ମଧ୍ୟରୁ ଗୋଟିଏ ଥିଲା। ତେଣୁ ଶହ ଶହ ବର୍ଷ ଧରି ଭଦ୍ରକର ଜନସଂଖ୍ୟାରେ ମୁସଲମାନଙ୍କ ଉଲ୍ଲେଖନୀୟ ଉପସ୍ଥିତି ରହି ଆସିଛି ଓ ତାହା କିଛି ଏବେକାର କଥା ନୁହେଁ। ହେଲେ ସେମାନେ ମୁଖ୍ୟତଃ ଭଦ୍ରକ ସହର (୪୦ ପ୍ରତିଶତ), ଧାମନଗର (୪୬ ପ୍ରତିଶତ), ବାସୁଦେବପୁର, ଏରେଇ ଆଦି ଅଳ୍ପ କିଛି ଅଞ୍ଚଳରେ ଗୋଷ୍ଠୀବଦ୍ଧ ଭାବେ ରହିଥାଆନ୍ତି। ଓଡ଼ିଶାରେ ମୁସଲମାନଙ୍କ ମଧ୍ୟରେ ମୁସଲମାନଙ୍କ ଟିଏଫଆର ୨.୧ ପ୍ରତିଶତ ଯାହା ସର୍ବଭାରତୀୟ ଟିଏଫଆର ୨.୨ଠାରୁ ବି କମ। ଓଡ଼ିଶାରେ ୨୧ଟି ଜିଲ୍ଲାରେ ଟିଏଫଆର ପରିପୂରଣ ସ୍ତର ୨.୧ ସହ ସମାନ ବା କମ ହୋଇଥିବା ବେଳ ଅବଶିଷ୍ଟ ୯ଟି ଜିଲ୍ଲାରେ ଏହା ୨.୧ରୁ ୩ ମଧ୍ୟରେ। ତେଣୁ କେବଳ ଯେ ମୁସଲମାନଙ୍କ ତରଫରୁ ଓଡ଼ିଶାରେ ହିନ୍ଦୁ ଧର୍ମ ବା ଧର୍ମାବଲମ୍ୱୀଙ୍କ ପ୍ରତି କୌଣସି ପ୍ରକାର ବିପଦର ଆଶଙ୍କା ନାହିଁ ତାହା ନୁହେଁ, ବରଂ ଏଠାରେ କୌଣସି ଧର୍ମ ପ୍ରତି ଅନ୍ୟ ଧର୍ମ ତରଫରୁ ବିପଦର ସଂଶୟ ଭିତ୍ତିହୀନ ବୋଲି ଧରି ନେବାକୁ ହେବ।

ସ୍ୱାଧୀନତା ପ୍ରାପ୍ତି ପରେ ଦେଶରେ ୧୯୫୧ରେ ହୋଇଥିବା ପ୍ରଥମ ଜନଗଣନା ଅନୁସାରେ ହିନ୍ଦୁମାନେ ସମୁଦାୟ ଜନସଂଖ୍ୟାର ୮୪.୧ ପ୍ରତିଶତ ଥିଲା ବେଳେ ମୁସଲମାନଙ୍କ ପ୍ରତିଶତ ଥିଲା ୯.୮ପ୍ରତିଶତ। ଷାଠିଏ ବର୍ଷ ପରେ ୨୦୧୧ ଜନଗଣନା ଅନୁସାରେ ହିନ୍ଦୁମାନଙ୍କ ପ୍ରତିଶତ ୪.୩ ପ୍ରତିଶତ କମ ହୋଇ ୭୯.୮ରେ ପହଞ୍ଚି ଥିବା ବେଳେ ମୁସଲମାନଙ୍କ ପ୍ରତିଶତ ୪.୪ ପ୍ରତିଶତ ବଢ଼ି ୧୪.୨ରେ ପହଞ୍ଚିଛି। ହିନ୍ଦୁମାନଙ୍କ ପ୍ରତିଶତ ଯେତିକି କମିଛି ମୁସଲମାନଙ୍କ ପ୍ରତିଶତ ପ୍ରାୟ ସେତିକି ବଢ଼ି ଥିବାରୁ ମନକୁ ହଠାତ୍ ଭାବନା ଆସିପାରେ ଯେ ବୋଧହୁଏ ଅନେକ ସଂଖ୍ୟକ ହିନ୍ଦୁ ଧର୍ମାନ୍ତରଣର ଶିକାର ହୋଇ ଏପରି ହୋଇଛି, ଯାହା ଠିକ ନୁହେଁ। ତେଣୁ ହିନ୍ଦୁମାନଙ୍କ ସଂଖ୍ୟା ହ୍ରାସ ପାଇବା ଓ ମୁସଲମାନଙ୍କ ସଂଖ୍ୟା ଅପେକ୍ଷାକୃତ ବୃଦ୍ଧିର ମୁଖ୍ୟ କାରଣଗୁଡିକୁ ଏଠାରେ ତର୍ଜମା କରାଯାଉ।

ମୁସଲମାନ ମହିଳାଙ୍କ ଉତ୍ପାଦିକା ହାର ହିନ୍ଦୁ ମହିଳାଙ୍କ ତୁଳନାରେ ଅପେକ୍ଷାକୃତ ଅଧିକ। ସେମାନେ ହାରାହାରି ଗୋଟିଏ ଅଧିକ ଶିଶୁ ଜନ୍ମ କରି ଆସୁଥିଲେ ହେଲେ ୨୦୧୧ ଜନଗଣନା ଅନୁସାରେ ସେମାନଙ୍କ ଟିଏଫଆର ହ୍ରାସ ପାଇବା ପରେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କମ ହୋଇ ୦.୬ ଶିଶୁରେ ପହଞ୍ଚିଛି। ମୁସଲମାନମାନେ ଜଣେ ପୁରୁଷ ଚାରିଟି ଲେଖାଏଁ ମହିଳାକୁ ବାହା ହେଉଛନ୍ତି ଓ ପ୍ରତି ମହିଳା ଚାରିଟି ଲେଖାଏଁ ପିଲା ଜନ୍ମ କରି ସେମାନଙ୍କ ଜନସଂଖ୍ୟାକୁ ହୁ ହୁ କରି ବଢାଉଛନ୍ତି ବୋଲି କେତେକଙ୍କ ଦ୍ୱାରା ଏକ ବଖାଣ ପ୍ରସ୍ତୁତ କରାଯାଉଛି। ଏ କଥା ସତ ଯେ ଇସଲାମରେ ଚାରିଟି ଯାଏଁ ବିବାହ ପାଇଁ ଅନୁମତି ରହିଛି। ହେଲେ ସମସ୍ତେ ତାହା କରୁଥିଲେ ପ୍ରତି ୧୦୦୦ ପୁରୁଷଙ୍କ ପାଇଁ ବିବାହ ଯୋଗ୍ୟ ୪୦୦୦ ମହିଳା ଉପଲବ୍ଧ ହେଉ ଥାଆନ୍ତେ। କିନ୍ତୁ ୨୦୧୧ ଜନଗଣନା ଅନୁସାରେ ପ୍ରତି ୧୦୦୦ ଜଣ ମୁସଲମାନ ପୁରୁଷଙ୍କ ପାଇଁ ୯୫୧ ଜଣ ମହିଳା ଥିଲା ବେଳେ ହିନ୍ଦୁମାନଙ୍କ କ୍ଷେତ୍ରରେ ତାହା ୯୩୯, ଅର୍ଥାତ୍ ପାର୍ଥକ୍ୟ ମାତ୍ର ୧୨। ଉଦବେଗର କାରଣ ହେଉଛି ସେହି ଜନଗଣନା ଅନୁସାରେ ଶିଶୁମାନଙ୍କ ମଧ୍ୟରେ ସେହି ଅନୁପାତ ହିନ୍ଦୁମାନଙ୍କ କ୍ଷେତ୍ରରେ ଦ୍ରୁତ ହ୍ରାସ ପାଇ ୧୦୦୦ ପୁଅଙ୍କ ପାଇଁ ୯୧୩ ଝିଅ ଥିବା ବେଳେ ମୁସଲମାନଙ୍କ କ୍ଷେତ୍ରରେ ତାହା ୯୪୩ ରହିଛି। ଅର୍ଥାତ୍ ଲିଙ୍ଗଗତ ଅନୁପାତରେ ପ୍ରାୟ ୩୦ର ବ୍ୟବଧାନ ଦେଖା ଦେଇଛି। ହିନ୍ଦୁମାନଙ୍କ ମଧ୍ୟରେ କନ୍ୟା ସନ୍ତାନ ପ୍ରତି ବିମୁଖତା ବୃଦ୍ଧି ପାଉଥିବାରୁ ତାହା କନ୍ୟା ଭ୍ରୁଣହତ୍ୟାର କାରଣ ପାଲଟି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଏତେ ହ୍ରାସ ପାଇଛି। ମୁସଲମାନ ସମାଜରେ ଭ୍ରୁଣ ହତ୍ୟା ଗ୍ରହଣୀୟ ହୋଇ ନ ଥିବାରୁ ସେମାନଙ୍କ କ୍ଷେତ୍ରରେ ଲିଙ୍ଗଗତ ଅନୁପାତ ଉଦବେଗଜନକ ନୁହେଁ। ଦେଶରେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ କ୍ଷେତ୍ରରେ ଉତ୍ପାଦିକା ହାର ସମାନ ହୋଇ ୨.୧ର ପରିପୂରଣ ସ୍ତରରେ ସ୍ଥିର ରହିଲେ ବି ଆଗାମୀ ଦିନରେ ହିନ୍ଦୁମାନଙ୍କ କ୍ଷେତ୍ରରେ ଉତ୍ପାଦନକ୍ଷମ ମହିଳାଙ୍କ ସଂଖ୍ୟା ପ୍ରତି ୧୦୦୦ ପୁରୁଷଙ୍କ ପାଇଁ ୯୧୩ ହୋଇଥିବାରୁ ସେମାନେ ଜୀବଦ୍ଦଶାରେ ୧୯୧୭ଟି ଶିଶୁ ଜନ୍ମ ଦେବାକୁ ସମର୍ଥ ହେବେ। ମୁସଲମାନଙ୍କ କ୍ଷେତ୍ରରେ ୧୦୦୦ ପୁରୁଷରେ ମହିଳା ସଂଖ୍ୟା ୯୪୩ ହୋଇଥିବାରୁ ସେମାନେ ୧୯୮୦ଟି ଶିଶୁ, ଅର୍ଥାତ୍ ୬୩ଟି ଅଧିକ ଶିଶୁଙ୍କୁ ଜନ୍ମ ଦେବେ ଓ ସେମାନଙ୍କ ପ୍ରତିଶତ ସେହି କାରଣରୁ ବଢ଼ିବ।

ହିନ୍ଦୁ ସମାଜରେ ବିଧବା ବିବାହ ପ୍ରଥାଟି ପ୍ରାୟତଃ ସାମାଜିକ ସ୍ୱୀକୃତି ଓ ଆଦୃତି ଲାଭ କରି ନ ଥିବାରୁ ସେମାନଙ୍କୁ ସାରା ଜୀବନ ପୁନର୍ବିବାହ ନ କରି ରହିବାକୁ ହେଉଛି, ଯଦ୍ଦ୍ୱାରା ଅଧିକ ଶିଶୁ ଜନ୍ମ ନ ହୋଇ ହିନ୍ଦୁମାନଙ୍କର ହାରାହାରି ଟିଏଫଆର ହ୍ରାସ ପାଇବାରେ ଲାଗିଛି। ତେଣୁ ଏଥିପାଇଁ ଅନ୍ୟକୁ ଦାୟୀ ନ କରି ବରଂ ହିନ୍ଦୁ ସମାଜରେ କନ୍ୟା ସନ୍ତାନ ପ୍ରତି ଥିବା ବିମୁଖତାକୁ କିପରି ଦୂର କରିହେବ, ସେ ଦିଗରେ କାର୍ଯ୍ୟ ହେବା ଆବଶ୍ୟକ। ମହିଳାଙ୍କ ଉତ୍ପାଦିକା ହାର ନ ବଢ଼ାଇ ହିନ୍ଦୁ ଜନସଂଖ୍ୟା ବଢ଼ାଇବାକୁ ଚାହୁଁଥିଲେ ହିନ୍ଦୁ ଧର୍ମରେ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି। ଏଥିପାଇଁ ଧର୍ମୀୟ ନେତାମାନେ ସଂସ୍କାରକ ଭୂମିକାରେ ଅବତୀର୍ଣ୍ଣ ହୋଇ ବିଧବା ପୁନର୍ବିବାହ ସପକ୍ଷରେ ମୁଖର ହେବା ଉଚିତ। ସେହିପରି କନ୍ୟା ଭ୍ରୁଣ ହତ୍ୟା ଏକ ଘୃଣ୍ୟ ଅପରାଧ ହୋଇ ଥିବାରୁ ତା’ ବିପକ୍ଷରେ ଉଭୟ ସମାଜ ଓ ଧର୍ମୀୟ ନେତାମାନେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ।

ଏ ସବୁ ସତ୍ତ୍ୱେ ଅନ୍ୟ ଏକ କାରଣରୁ ଆଗାମୀ ଦିନରେ ହିନ୍ଦୁଙ୍କ ସଂଖ୍ୟା ଓ ପ୍ରତିଶତ ହ୍ରାସ ପାଇବାର ଆଶଙ୍କା ଦେଖା ଦେଲାଣି। ଆଦିବାସୀମାନେ ଏ ଯାଏଁ ହିନ୍ଦୁ ଜନସଂଖ୍ୟାରେ ଗଣା ହୋଇ ଆସୁଥିଲେ। ତେବେ ୨୦୧୧ ଜନଗଣନାରେ ଝାରଖଣ୍ଡ ରାଜ୍ୟରେ ପ୍ରାୟ ୪୨ ଲକ୍ଷ ଆଦିବାସୀ ସେମାନଙ୍କ ଧର୍ମ ହିନ୍ଦୁ ନୁହେଁ ବରଂ ‘ସାରନା’ ବୋଲି ଘୋଷଣା କରିବା ପରେ ହିନ୍ଦୁଙ୍କ ପ୍ରତିଶତ କମ ହୋଇ ଯାଇଥିଲା। ୨୦୨୧ ଜନଗଣନାରେ ଆଦିବାସୀଙ୍କୁ ହିନ୍ଦୁରେ ନ ଗଣି ସେମାନଙ୍କ ଧର୍ମ ଅଲଗା ହୋଇଥିବାରୁ ସେଥିପାଇଁ ଅଲଗା କୋଡ ବ୍ୟବସ୍ଥା କରିବାକୁ ଆଦିବାସୀମାନଙ୍କ ମଧ୍ୟରେ ସର୍ବ ଭାରତୀୟ ସ୍ତରରେ ଦାବି ଜୋର ଧରିଲାଣି। ଯେତେ ଅଧିକ ସଂଖ୍ୟକ ଆଦିବାସୀ ନିଜକୁ ହିନ୍ଦୁ ଧର୍ମରୁ ଅଲଗା ଦେଖାଇବେ ହିନ୍ଦୁଙ୍କ ପ୍ରତିଶତ ସେତିକି କମ ହେବ।

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଯେ ଦେଶରେ ଉଭୟ ଜନସଂଖ୍ୟା ବୃଦ୍ଧି ହାର ଓ ଟିଏଫଆର କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି ଓ ଏବର ଟିଏଫଆର (୨.୨) ପରିପୂରଣ ସ୍ତର (୨.୧)ର ଖୁବ ନିକଟରେ ପହଞ୍ଚି ସାରିଥିବାରୁ ଅଧିକାଂଶ ସ୍ଥାନରେ ଜନସଂଖ୍ୟା ପ୍ରାୟ ନିୟନ୍ତ୍ରଣ ଭିତରକୁ ଆସି ସାରିଲାଣି। ତେବେ ଦେଶର ଅଳ୍ପ କିଛି ରାଜ୍ୟ ଓ ଜିଲ୍ଲା ଯେଉଁଠାରେ ଟିଏଫଆର ଏବେ ବି ବେଶ ଅଧିକ ରହିଛି ସେଠାରେ ଶିକ୍ଷା, ଆର୍ଥିକ ସ୍ୱଚ୍ଛଳତା ଓ ସଚେତନତାର ସ୍ତର ବଢିଲେ ସେଠାରେ ଟିଏଫଆର ଆପଣାଛାଏଁ କମ ହୋଇ ଯିବ। ଉଦାହରଣ ସ୍ୱରୂପ, ମୁସଲମାନ, ବହୁଳ କାଶ୍ମୀରରେ ଓ ଲାକ୍ଷାଦ୍ୱୀପରେ ଲୋକଙ୍କ ଶିକ୍ଷା ଓ ଆର୍ଥିକ ସ୍ୱଚ୍ଛଳତା ଭଲ ଥିବାରୁ ଟିଏଫଆର ମଧ୍ୟ ଖୁବ କମ। ତେଣୁ ଦେଶର ଯେଉଁ ସବୁ ମୁସଲମାନ ବହୁଳ ଜିଲ୍ଲାମାନଙ୍କରେ ଟିଏଫଆର ଅତ୍ୟଧିକ ରହିଛି ସେଠାରେ ଜରିମାନା ବା ଅଧିକାର ଓ ପ୍ରାପ୍ୟରୁ ବଞ୍ଚିତ କଲା ଭଳି ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବା ଅପେକ୍ଷା ଶିକ୍ଷା, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ସଚେତନତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କଲେ ତାହା ଅଧିକ ଫଳପ୍ରଦ ହେବ, ଏଥିରେ ସନ୍ଦେହ ନାହିଁ। ଉପରୋକ୍ତ ଆଲୋଚନାରେ ସନ୍ନିବେଶିତ ତଥ୍ୟରୁ ସ୍ପଷ୍ଟ ଯେ ମୁସଲମାନ ଜନସଂଖ୍ୟା ବୃଦ୍ଧି ସମସ୍ୟାଟି ସାରା ଦେଶର ନ ହୋଇ ନିର୍ଦ୍ଦିଷ୍ଟ କେତୋଟି ରାଜ୍ୟ ଓ ଅଞ୍ଚଳରେ କେନ୍ଦ୍ରିତ। ମୁସଲମାନଙ୍କ ଉତ୍ପାଦିକା ହାର ହ୍ରାସ ପାଇ ଯେଉଁ ସ୍ତରରେ ପହଞ୍ଚିଲାଣି ସେଥିରେ ଆଗାମୀ ୩୦ ବର୍ଷ ଭିତରେ ବି ସେମାନଙ୍କ ସଂଖ୍ୟା କୌଣସି ମତେ ଜନସଂଖ୍ୟାର ୨୦ ପ୍ରତିଶତରେ ବି ପହଞ୍ଚି ପାରିବାର ସମ୍ଭାବନା କ୍ଷୀଣ। ତେଣୁ କୌଣସି ଧର୍ମ ଅନ୍ୟ ଧର୍ମ ଉପରେ ପ୍ରାଧାନ୍ୟ ବିସ୍ତାର କରିବାର ଆଶଙ୍କା ନ ଥିବାରୁ ହିନ୍ଦୁ, ମୁସଲମାନ ଓ ଅନ୍ୟ ଧର୍ମାବଲମ୍ୱୀମାନେ କୌଣସି ପ୍ରକାର ସଂଶୟର ଶିକାର ନ ହୋଇ ଭାରତର ନାଗରିକ ଭାବେ ସୌହାର୍ଦ୍ଦ୍ୟର ସହ ବସବାସ କରିବା ଉଚିତ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।