ଓଡ଼ିଶା : ଦାରୁ ଦେବତାଙ୍କ ଭୂଇଁ!

ଓଡିଶାରେ ଆଜି ପାଉଁଶ ତଳୁ ନିଆଁ ବାହାରୁଛି। ହେଲେ ଏ କଥା କ’ଣ ଏବେ ବି ବୁଝୁଛନ୍ତି ସରକାରୀ ସୂତ୍ରଧର କି ଶାସନକଳର ନଟ୍‌ବୋଲ୍‌ଟ୍‌ମାନେ?

  • ମାୟାଧର ନାୟକ

ଓଡ଼ିଶା ସେଇ ମାଟି, ଯେଉଁଠି ମଣିଷ ଦାରୁକୁ ଦେବତା ମାନେ। ଏହା ଏକ ଆଦିବାସୀ ବିଶ୍ୱାସବୋଧର ଅବଦାନ ଏ ମାଟିର ଐତିହ୍ୟକୁ। କାରଣ ଶବରରାଜା ବିଶ୍ୱାବସୁର ଦିଅଁ ନୀଳମାଧବକୁ ପୁରୀ ଆଣି ଜଗନ୍ନାଥ ନାଆଁ ଦେଇଛେ ଆମେ। ତାଙ୍କୁ କେନ୍ଦ୍ର କରି ଓଡିଶାର ସାମନ୍ତବାଦ ଓ ରାଜତନ୍ତ୍ରଠାରୁ ଆରମ୍ଭ କରି ଆମର ଏ ଗଣତନ୍ତ୍ର ପର୍ଯ୍ୟନ୍ତ ସବୁଠି ଧର୍ମ, ରାଜନୀତି, ସଂସ୍କୃତିର ଧାରା ସମୟ ସହିତ ତାଳ ଦେଇଆସିଛି। ଏ ଜଗନ୍ନାଥ ପୁଣି ଯୌଥପାରିବାରିକତାର ପ୍ରତିନିଧି – ଖାଲି ଭାଇ ନୁହେଁ, ଭଉଣୀ ସମେତ ବିରାଟ ପରିବାର ତାଙ୍କର। ଭାଇର ଭୋଗରେ ଭଉଣୀର ଅଧିକାର। ବଡଭାଇ ବଳଭଦ୍ର ହଳଧର କୃଷକସଂସ୍କୃତିର ପ୍ରତୀକ-ପୁରୁଷ ଓ ସାନଭାଇ ଶ୍ରୀଜଗନ୍ନାଥ ଚକ୍ରଧର ଶ୍ରମିକସଂସ୍କୃତିର ପ୍ରତ୍ୟୟ-ପୁରୁଷ ଭଳି ପ୍ରତୀୟମାନ ହେଉଥିବାବେଳେ ଭଉଣୀ ସୁଭଦ୍ରା ହେଉଛନ୍ତି ଶୀଳାଚାରର ସ୍ୱରୂପିଣୀ। ଦାରୁଦେବତା ଏ ତିନିହେଁ।

ଅଥଚ ଏବେ ଏଇ ଦାରୁଦେବତାଙ୍କ ଭୂଇଁ ଓଡିଶାରେ ଅମଣିଷଙ୍କ ଅମଳ। ଅମଣିଷମାନେ ଆସନରେ ବସିଛନ୍ତି, ଶାସନରେ ବାହାଲ୍ ଅଛନ୍ତି, ଏ ଭୂଇଁରେ ଭୁଆଁ ବୁଲାଉଛନ୍ତି ନିରନ୍ନ ମଣିଷମାନଙ୍କୁ। ଜମି ଜବରଦଖଲ ଚାଲିଛି, ଜଙ୍ଗଲରେ ଚାଲିଛି ଆଖିବୁଜା ଗଛକଟା ସାଙ୍ଗକୁ ଖଣିଖୋଳା ଆଉ ଖଣିଜଦ୍ରବ୍ୟର ଚୋରା ବେପାର! ଧୂର୍ତ୍ତ ଧନତନ୍ତ୍ରର ଦଲାଲ୍ ଓ ଠଗୀ ଠିକାଦାରମାନେ ଓଡିଶାର ଗାଆଁ ଗଡଜାତକୁ ନିଜ ମୁନାଫାଖୋରିର ଫସଲକିଆରି କରିସାରିଲେଣି। ଗ୍ରାମାଂଚଳକୁ ଶିଳ୍ପାଚଂଳ କରିଦେଲେ କୁଆଡ଼େ ପ୍ରଗତି! ଚାଷଜମିକୁ ଚଟକଳର ଚୌହଦି ବନାଇଦେଲେ କୁଆଡ଼େ ବିକାଶ! ଜଳସଂପଦକୁ କଳକାରଖାନାର ମାଲିକବର୍ଗଙ୍କୁ ସମର୍ପିଦେଲେ କୁଆଡେ ସମୃଦ୍ଧି!

ଓଡ଼ିଶାର ଗଛସବୁ ଆଜି ମୂର୍ଦ୍ଦାର ପାଲଟୁଛନ୍ତି। ଗଛକୁ ଦେବତା ନୁହେଁ, କେବଳ କାଠ ଦୃଷ୍ଟିଭଙ୍ଗୀରେ ଦେଖିବା କେଉଁ ଦିନଠୁ ଆରମ୍ଭ ହୋଇସାରିଛି। ଗୋଟିଏ ଗଛର ଗୋଟିଏ ଡାଳକୁ ହାରିବାର ଅର୍ଥ ସଂସ୍କୃତି ପ୍ରତି କୁଠାରାଘାତ। ଅରାଏ ମାଟିର ଛନଛନ ଦୂବଘାସଗୁଡିକୁ ଚାଂଛିବା ମାନେ ପ୍ରକୃତି ପ୍ରତି ପଦାଘାତ।

ଓଡିଶାରେ ଆଜି ପାଉଁଶ ତଳୁ ନିଆଁ ବାହାରୁଛି। ହେଲେ ଏ କଥା କ’ଣ ଏବେ ବି ବୁଝୁଛନ୍ତି ସରକାରୀ ସୂତ୍ରଧର କି ଶାସନକଳର ନଟ୍‌ବୋଲ୍‌ଟ୍‌ମାନେ? ମହାଭାରତର କୋକୁଆ ମାତିବାଠାରୁ ଆଜି ଏ ଉପଭାରତର ମାଓ ମାତିବା ଡରରେ ସମସ୍ତେ ଥରହର। ହେଲେ କେହି ସାହସ କରି କହୁନାହାନ୍ତି କାହିଁକି ଏ ମାଓବାଦ ବ୍ୟାପିଚାଲିଛି ଗଡଜାତରୁ ଗାଆଁ – ଗାଆଁରୁ ସହର। କେହି ବି ମାନୁନାହାନ୍ତି ଯେ ସରକାରଙ୍କ ସଂପ୍ରତି  ମାତ୍ରାତିରକ୍ତ ଧନପତି ଓ ଶିଳ୍ପପତିପ୍ରେମ ସହିତ ଗରିବଗୁରୁବାଙ୍କୁ ପୋକମାଛି ମଣିବାର ମନୋବୃତି ପ୍ରତାରକ କମ୍ପାନୀଗୁଡାକୁ ଯୋଗାଇଦେବାକୁ ଯେତିକି ବ୍ୟସ୍ତ, ସେତିକି ଆଗ୍ରହୀ ନୁହନ୍ତି ଦଳିତ, ଦୁର୍ଗତ, ବନବାସୀ କି କୃଷକବର୍ଗକୁ ବଂଚିବାର ସର୍ବନିମ୍ନ ଅଧିକାର ପ୍ରଦାନ କରିବାକୁ। ବରଂ ଖଣିଦୁର୍ନୀତି, ଜମିଦୁର୍ନୀତିଠାରୁ ଆରମ୍ଭକରି ବହୁବିଧ ଦୁର୍ନୀତିଲବ୍ଧ କଳାଟଙ୍କାରୁ କେଂଚାଏ ମାତ୍ର କଙ୍କାଳ କୁଳକୁ ‘ଦାନ’ ଦେଇ ଏବଂ ସରକାରୀ ଚାକିରିଆଙ୍କ ଭତ୍ତା ଓ ବେତନ ବଢାଇଦେଇ ଭୋଟ୍ ରାଜନୀତିର ଭାଟଗିରିକୁ ବଜାୟ ରଖାଯାଇଛି। ଭୁବନେଶ୍ୱରରେ ବସି ସାରା ମୁଲକକୁ ଭୁଆଁ ବୁଲାଉଥିବା ସରକାରୀ ସିରସ୍ତାଦାରମାନେ ରାଜ୍ୟକୁ ଟେକିଦେବାକୁ ପଛାଉନାହାନ୍ତି ସୌଦାଗର-ସାହୁକାର ଶୋଷକବର୍ଗଙ୍କ ଅସରନ୍ତି ଆଁ’ ଆଡେ!

କ୍ଷେତ କାହିଁକି ପ୍ରେତଭୂମି? ଗଛ କାହିଁକି ହାଣ ହୁକୁମ୍‌ର ହତିଆର ଆଗରେ ଅସହାୟ? ଜଙ୍ଗଲ ଜୁରି ହେଉଛି କାହିଁକି? ଜମି ଉପରେ ଜୁଲମ ଚାଲୁଛି କାହିଁକି? ଖଳାବାଡ଼ି ଆଉ ଖତଗଦାର ଗାଁ ଛାଡ଼ି ଅରଣା ମଇଁଷିପଲ ପରି କୁଆଡ଼େ ମୁହାଁଉଛନ୍ତି ଏ ମାଟିର ମଣିଷ? ଇଏ କି ରାଜନୀତି, ଯାହା କବଳରେ ଆମର ଗ୍ରାମୀଣ ଅର୍ଥନୀତିର ଅବସ୍ଥା ବାରଣ୍ଡା ଦି’କଡ଼ା? ଚାଷୀ ଦରମଲା, ପଚିଶ ପାଟକ ସର୍ବସ୍ୱାସ୍ତ, ଆଦିବାସୀ ଆର୍ତ୍ତତ୍ରସ୍ତ – ଓଡିଶାର ସାଧାରଣ ଅଧିବାସୀ ଅଧିକାରହୀନ। କଳାପଇସାରେ ରାଜ୍ କରୁଥିବା ଗୋଟାଏ ସରକାରକୁ କୋଉଠାରେ ବି କଳାପତାକା ପ୍ରଦର୍ଶନ କରୁନାହାନ୍ତି କେହି। ବିତ୍ତବଳ, ବନ୍ଧୁକବଳର ବାଦଶାହୀପଣକୁ ଜବାବ୍ ଦେବାକୁ ଜନ୍ମ ନେଉଥିବା ଜନଅସନ୍ତୋଷ କଣ ଚାପିଦେଇପାରିବ କିଏ ସବୁଦିନ ପାଇଁ?

ଓଡ଼ିଶାର ଗଛସବୁ ଆଜି ମୂର୍ଦ୍ଦାର ପାଲଟୁଛନ୍ତି। ଗଛକୁ ଦେବତା ନୁହେଁ, କେବଳ କାଠ ଦୃଷ୍ଟିଭଙ୍ଗୀରେ ଦେଖିବା କେଉଁ ଦିନଠୁ ଆରମ୍ଭ ହୋଇସାରିଛି। ଗୋଟିଏ ଗଛର ଗୋଟିଏ ଡାଳକୁ ହାରିବାର ଅର୍ଥ ସଂସ୍କୃତି ପ୍ରତି କୁଠାରାଘାତ। ଅରାଏ ମାଟିର ଛନଛନ ଦୂବଘାସଗୁଡିକୁ ଚାଂଛିବା ମାନେ ପ୍ରକୃତି ପ୍ରତି ପଦାଘାତ। ମନେରଖିବାକୁ  ପଡ଼ିବ ଯେ ଗୋଟିଏ ପତ୍ରକୁ ନଷ୍ଟ କରିବାରେ କି ଗୋଟିଏ ଫୁଲକୁ ଛିଣ୍ଡାଇବାରେ ଅବମାନିତ ହୁଏ ଦିବ୍ୟଜୀବନର ସନ୍ଦେଶ ଓ ସଂକେତ। ଔଷଧୀୟ ବୃକ୍ଷଲତାର ଅରଣ୍ୟ ଓ ବନବୃକ୍ଷଶୋଭିତ ନୀଳପର୍ବତମାଳା ଉପରେ ଆଜି ଶିଳ୍ପସୌଦାଗରବର୍ଗର ଶ୍ୱେନଦୃଷ୍ଟି ଆସନ୍ତାକାଲି ପ୍ରାକୃତିକ ପ୍ରାଚର୍ଯ୍ୟରେ ପରିପୂର୍ଣ୍ଣ ଏ ଓଡିଶାଭୂଇଁକୁ ମଶାଣିଭୂଇଁରେ ପରିଣତ କରିଦେବ ନିଶ୍ଚୟ। ମଶାଣିଭୂଇଁରେ କି ଶିଳ୍ପବିପ୍ଲବ? ଦାରୁ ଯେଉଁ ଭୂଇଁରେ ଦେବତା, ସେଠି ଦୂବଟିଏ ବି କଅଁଳିବନାହିଁ ଆଉ! ଅତଏବ ସାଧୁବେଶୀ ସଇତାନମାନେ ସାବଧାନ!

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।