- ସୂର୍ଯ୍ୟମଣି ମିଶ୍ର
ଓଡ଼ିଶାରେ ଏକ ସ୍ଥିର ସରକାର ରହିଛି। ବିଜୁ ଜନତା ଦଳର ସଂଖ୍ୟା ଗରିଷ୍ଠ ସଦସ୍ୟମାନଙ୍କୁ ନେଇ ପରିଚାଳିତ ହେଉଛି ଏହି ସରକାର। ସରକାରୀ ଦଳ ଓ କଳର ଦାବି ହେଉଛି ଓଡ଼ିଶାରେ ଚାଲିଛି ସ୍ଥିର ସ୍ୱଚ୍ଛ ଓ ଉତ୍ତରଦାୟୀ ସରକାର। ଲୋକଙ୍କ ହିତରେ, ଲୋକଙ୍କ ପାଇଁ, ଲୋକଙ୍କ ବିକାଶରେ ନିଜକୁ ସମର୍ପିତ ଭାବେ କାର୍ଯ୍ୟ କରୁଛି ସରକାର! ତେବେ ସରକାର ଯଦି ଉତ୍ତରଦାୟୀ ଭାବେ କାର୍ଯ୍ୟ କରୁଛନ୍ତି ତେବେ କାହିଁକି ଅପପୁଷ୍ଟି ବଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଓଡ଼ିଶାର ଲକ୍ଷଲକ୍ଷ ଶିଶୁ? କାହିଁକି ଏବେବି ଶତାଧିକ ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇପାରୁନି ଆଉ ରୋଗୀ ଖଟିଆରେ ବୁହା ହେଉଛନ୍ତି? କାହିଁକି ୧୫ ହଜାର ଟଙ୍କାରେ ନିଜ ସନ୍ତାନକୁ ବିକ୍ରି କରୁଛନ୍ତି ଦମ୍ପତ୍ତି? କାହିଁକି ଦାରିଦ୍ର୍ୟରେ ଘାଣ୍ଟି ହୋଇ କୌଣସି ସାହା ଓ ରାହା ନପାଇ ଆତ୍ମହତ୍ୟା କରୁଛନ୍ତି ପୂରା ପରିବାର?
ଏହି ପ୍ରଶ୍ନର ଉତ୍ତର ଯାହା ତାହା ହେଲା- ସରକାର ସ୍ଥିର, କିନ୍ତୁ ଲୋକଙ୍କ ପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବା ନେଇ ହୁଏତ ନିଜର ଭୂମିକା ପାଳନରେ ବିଫଳ ହୋଇଛନ୍ତି । ଗୋଟିଏ ସ୍ଥିର ସରକାର ଯେତିକି ଆବଶ୍ୟକ ତା ଠାରୁ ଅଧିକ ଭାବେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ସରକାର ଲୋକଙ୍କ ପାଇଁ, ଲୋକଙ୍କ ବିକାଶ ନିମନ୍ତେ ସବୁଠୁ ବଡ଼ ଆବଶ୍ୟକତା। ୨୦୦୬ ଏବଂ ତା ପୂର୍ବରୁ କେତୋଟି ଘଟଣା ଉପରେ ଆଖି ପକାଇଲେ ସରକାର ସ୍ଥିର ସତ କିନ୍ତୁ ସ୍ୱଚ୍ଛ ନୁହେଁ ବୋଲି କହିଲେ ଭୁଲ ହେବନାହିଁ। ଟାଙ୍ଗରପଡ଼ା କ୍ରୋମାଇଟ୍ ଖଣି ଜିନ୍ଦଲ କମ୍ପାନୀକୁ ଦେବା ଉଦ୍ୟମ ହାଇକୋର୍ଟ ଦ୍ୱାରା ବାତିଲ ହେଲା। ରାଜକୋଷରୁ ୨୦ ହଜାର କୋଟି ଟଙ୍କା କ୍ଷତି ପହଞ୍ଚାଇବାକୁ ନେଇ କଟୁ ମନ୍ତବ୍ୟ ଦେଇଥିଲେ ଉଚ୍ଚ ନ୍ୟାୟାଳୟ। ଏହା ପରେ ବେଦାନ୍ତ ଲାଞ୍ଜିଗଡ଼ରେ କାରଖାନା ବସାଇବାକୁ ନେଇ ଦେଖାଦେଲା ବିବାଦ। ଟେଣ୍ଡର ସ୍କାମ୍ ଭଳି ଘଟଣା ୨୦୦୬ ପୂର୍ବରୁ ସମଗ୍ର ରାଜ୍ୟରେ ସ୍ୱଚ୍ଛ ଶାସନକୁ ନେଇ ଆଲୋଡ଼ନ ସୃଷ୍ଟି ହେଲା। ମାଫିଆ ଅନୀଲ ଛୋଟରାୟ ଘଟଣା ଆଜି ବି ମନେ ପଡୁଛି। ଏହା ସହ ଖଣି ମାଲିକଙ୍କ ଉପରେ ସେସ୍ ଲାଗୁ କରି ବର୍ଷକୁ ୨୦୦୦ କୋଟି ଟଙ୍କା ଆଦାୟ କରିବା ପାଇଁ ବିଧାନସଭାରେ ଘୋଷଣା କରାଗଲା। ହାଇକୋର୍ଟ ଏହାକୁ ଅସାମ୍ବିଧାନିକ ବୋଲି କହି ବାତିଲ କଲେ। ଏହା ପରେ ପୁରୀ ସୁଇମିଂ ପୁଲ୍ ଜମି ଦୁର୍ନୀତି, ଘରୋଇ ବିଲ୍ଡରଙ୍କୁ ବେଆଇନ୍ ଭାବେ ଜମି ଲିଜ୍, ପୋସ୍କୋର ଇସ୍ପାତ୍ ପ୍ରକଳ୍ପ ଓ ଲୁହାଖଣି ଲିଜ୍, ଏହା ପରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ଭଳି ପ୍ରସଙ୍ଗକୁ ନେଇ ସ୍ୱଚ୍ଛ ଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା। ଯାଜପୁର କଳିଙ୍ଗନଗରରେ ଶିଳ୍ପାୟନ ପାଇଁ୧୩ ଜଣ ଆଦିବାସୀ ସହିଦ୍ ହେଲେ। ସେହି କଳିଙ୍ଗନଗରରେ କେତେ କାରଖାନା କାର୍ଯ୍ୟକ୍ଷମ, କେତେ ଲୋକ ବିସ୍ଥାପିତ, କେତେ ଲୋକ ନିଯୁକ୍ତି ହରାଇଛନ୍ତି, କେତେ ଲୋକଙ୍କୁ ପୁନର୍ବାସର ସୁଯୋଗ ମିଳିଛି ସେ ପ୍ରଶ୍ନର ଉତ୍ତର ଆଜିଯାଏ ସରକାରଙ୍କ ଠାରୁ ମିଳିପାରିନାହିଁ। ହତ୍ୟାକାଣ୍ଡ, ବଳାତ୍କାର, ବିପର୍ଯ୍ୟୟ ଆଇନ ଶୃଙ୍ଖଳାର ସ୍ଥିତି ଉପରେ ଆଖି ପକାଇଲେ ଆଜି ଦିନରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଯେ ଦୁର୍ବଳ ସ୍ଥିତିରେ ଅଛି ତାହାକୁ ଯେକେହି ସଚେତନ ନାଗରିକ ସ୍ୱୀକାର କରିବେ ନିଶ୍ଚୟ।
୨୦୦୧ରେ ପୁରୀରେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣା ଏବଂ ଗଂଜାମରେ ବିଷାକ୍ତ ମଦ ପିଇ ୩୦ ଜଣଙ୍କ ଜୀବନ ଦୀପ ଲିଭିଗଲା। ଏହା ପରେ ସରକାର ନିଜର ଉତ୍ତରଦାୟିତ୍ୱ ପାଳନ କରିବେ କ’ଣ ଓଲଟି ଗାଁରୁ ସହର ଗଳିକନ୍ଦିରେ ମଦର ପସରା ମୁକ୍ତ ଭାବେ ମେଲା କରାଯାଇଛି। କନ୍ଧମାଳ ଦଙ୍ଗା, କଳିଙ୍ଗନଗରର ଆଦିବାସୀଙ୍କ ପାପୁଲି କଟା, ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ପାଇଁ ପୁଲିସ ଦମନ ଘଟଣାକୁ ମନେ ପକାଇଲେ ସରକାରଙ୍କ ଉତ୍ତରଦାୟିତ୍ୱ ପାଳନ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ମନରେଗା ଦୁର୍ନୀତି ଠାରୁ ଖଣି ଦୁର୍ନୀତି, କୋଇଲା ଦୁର୍ନୀତି, କୃଷି ଦୁର୍ନୀତି, ଶସ୍ୟ ବୀମା ଦୁର୍ନୀତି, ସାର ଦୁର୍ନୀତି, ଡାଲି ଦୁର୍ନୀତି ଭଳି ଦୁର୍ନୀତିର ସଂଖ୍ୟା ବଢି ଚାଲିଛି ସିନା କମୁନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଜନପ୍ରିୟ ନେତା ଭାବରେ ଦେଶରେ ପରିଚିତ। କିନ୍ତୁ ଶାସନ କାଳର ଆଜି ଦିନ ମଧ୍ୟରେ ଦଳିତ ନିର୍ଯାତନା ଭଳି ଘଟଣାର ପୂର୍ଣ୍ଣଚ୍ଛେଦ ଘଟିନାହିଁ। ସାହା କମିଶନଙ୍କ ଦ୍ୱାରା ରାଜ୍ୟର ଖଣି ଦୁର୍ନୀତିକୁ ନେଇ ଟିପ୍ପଣୀ ପରେ ବି ସରକାର ଦୁର୍ନୀତିରେ ଲିପ୍ତ ବ୍ୟକ୍ତିଙ୍କୁ ଦଣ୍ଡ ଦେଇଥିବାର ଉଦାହରଣ ସୃଷ୍ଟି କରିପାରିନାହାନ୍ତି।
ପୂର୍ବର କଂଗ୍ରେସ ସରକାର ସମୟରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ସାମାଜିକ ନ୍ୟାୟର ଅପହଞ୍ଚ ସ୍ଥିତିକୁ ପ୍ରସଙ୍ଗ କରି ବିଜୁ ଜନତା ଦଳ କ୍ଷମତାକୁ ଆସିଲା। କିନ୍ତୁ କ୍ଷମତାକୁ ଆସିବା ପରେ ଗୋଟିଏ ସଂଖ୍ୟା ଗରିଷ୍ଠ ସରକାର ଭାବରେ ନା ଦୁର୍ନୀତିକୁ ଦୂର କରାଯାଇପାରିଛି ନା ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିପାରିଛି ନା ଦାରିଦ୍ର୍ୟ ଦୂର ଦିଗରେ ସଫଳତା ଦେଇପାରିଛନ୍ତି ସରକାର। କେବଳ ପ୍ରଚାରରେ ବିକାଶ ଆଗକୁ ବଢିଛି ସିନା, ବାସ୍ତବରେ ଗୋଟିଏ ସ୍ଥିର ସରକାର ଯେଭଳି ଲୋକାଭିମୁଖି ଯୋଜନାର ସଫଳ ରୂପାୟନ ଦିଗରେ ସଫଳତା ଅର୍ଜନ କରିବା କଥା ସେ ଦିଗରେ ବିଫଳ ହୋଇଛନ୍ତି। ଯେଉଁଥିପାଇଁ ଦୀର୍ଘ ୨୦ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ବି ବିଜୁ ଜନତା ଦଳର ସରକାର ଦାରିଦ୍ର୍ୟ ଦୂର ଦିଗରେ ବିଫଳ ହୋଇଛନ୍ତି, ଆଉ ୧୫ ହଜାର ଟଙ୍କାରେ ନିଜ ସନ୍ତାନକୁ ବିକିବା ଭଳି ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳୁଛି।
ଦାରିଦ୍ର୍ୟରେ ଘାଣ୍ଟି ହୋଇ ଜଣେ ପରେ ଜଣେ ଆତ୍ମହତ୍ୟା କରୁଛନ୍ତି। ରାଜ୍ୟର ଋଣଭାର ବଢୁଛି, ସରକାରଙ୍କ ବ୍ୟୟ ଭାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଲୋକଙ୍କ ମୁଣ୍ଡ ପିଛା ଆୟ ବୃଦ୍ଧି ହେଉନାହିଁ। ଲୋକଙ୍କର ସମାନୁପାତିକ ବିକାଶ ଦିଗରେ ଯେଭଳି ଦୀର୍ଘକାଳୀନ ଯୋଜନା କାର୍ଯ୍ୟକାରୀ କରିବା କଥା ସେ ଦିଗରେ ଉଦ୍ୟମ କରାଯାଉନାହିଁ। ଆଇନ୍ ଶୃଙ୍ଖଳା ବିପର୍ଯ୍ୟୟ ଦିଗ ଉପରେ ସମୀକ୍ଷା କରି ଅପରାଧୀଙ୍କୁ ଠାବ କରି ଦଣ୍ଡ ଦେବାର ବ୍ୟବସ୍ଥା ମଧ୍ୟ କରାଯାଉନାହିଁ। ସରକାର ରାଜନୀତିର ଅପରାଧୀକରଣକୁ ଏବଂ ଅପରାଧୀର ରାଜନୀତିକରଣକୁ ଯେଭଳି ନିୟନ୍ତ୍ରଣ କରିବା କଥା ଓ ଏହି ପ୍ରକ୍ରିୟାର ଅନ୍ତ ଘଟାଇବା କଥା ସେ ଦିଗରେ ଆନ୍ତରିକ ଉଦ୍ୟମ କରୁଥିବାର ପ୍ରମାଣ ସୃଷ୍ଟି କରିପାରୁନାହାନ୍ତି। ଆଜି ଦିନରେ ଓଡ଼ିଶାର ପ୍ରାକୃତିକ ସଂପଦ ହ୍ରାସ ପାଉଛି ଏବଂ ପ୍ରାକୃତିକ ସଂପଦରେ ସମୃଦ୍ଧ ଓଡ଼ିଆ ଲୋକ ଦାଦନ ଖଟିବା ପାଇଁ ଲକ୍ଷଲକ୍ଷ ସଂଖ୍ୟାରେ ରାଜ୍ୟ ବାହାରକୁ ଯାଉଛନ୍ତି। କିଏ ହାତଗୋଡ଼ ହରାଇ ଫେରୁଛନ୍ତି ତ କିଏ ଇଟାଭାଟି ଭିତରେ ଶେଷ ନିଃଶ୍ୱାସ ତ୍ୟାଗ କରୁଛନ୍ତି। ବିକାଶର ଡିଣ୍ଡିମ ପିଟୁଥି୍ବା ସରକାର ନିଜ ବିଫଳତାକୁ ସ୍ୱୀକାର କରିବା ହେଉଛି ଉତ୍ତରଦାୟିତ୍ୱ ପାଳନ ପାଇଁ ପ୍ରେରଣାର ଉତ୍ସ। କିନ୍ତୁ ସରକାର ନିଜ ଅପାରଗତା, ବିଫଳତା ଏବଂ ଶାସନ ସମୟର ଦୁର୍ନୀତି, ରାଜନୈତିକ ଭ୍ରଷ୍ଟାଚାରକୁ ସ୍ୱୀକାର କରୁନାହାନ୍ତି। ଅଥଚ ଯେଉଁମାନେ ସରକାରଙ୍କ ବିଫଳତା ଓ ଦୁର୍ନୀତି କଥା ଉଠାଉଛନ୍ତି ସେମାନଙ୍କୁ ବିଭିନ୍ନ ବାଟରେ ହଇରାଣ ହରକତ କରାଯାଉଛି।
କେବଳ ସ୍ଥିର ଓ ସଂଖ୍ୟାଗରିଷ୍ଠ ସରକାର ଭାବେ ଗର୍ବର ସହ ବିକାଶର କଥା କହୁଛନ୍ତି ସରକାର। କିନ୍ତୁ ଲୋକଙ୍କ ପ୍ରତି ବା ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତି ନିଜର ସାମ୍ବିଧାନିକ ଉତ୍ତରଦାୟିତ୍ୱ ପାଳନ ନକରିବା ୮୦ ଭାଗ ଓଡ଼ିଆଙ୍କ ପାଇଁ ବିଷାଦର ବିଷୟ ହୋଇଛି। ସରକାର ଗଣତାନ୍ତ୍ରିକ ଧାରାରେ ସାମ୍ବିଧାନିକ ଉତ୍ତରଦାୟିତ୍ୱ ପାଳନ କରି ନିଜର ବିଫଳତାକୁ ସ୍ୱୀକାର କରନ୍ତୁ, ଦୁର୍ନୀତି ବିରୋଧରେ ସଶକ୍ତ ହୁଅନ୍ତୁ, ୮୦ ଭାଗ ଲୋକଙ୍କର ସମାନୁପାତିକ ବିକାଶକୁ ସୁନିଶ୍ଚିତ କରନ୍ତୁ। ପ୍ରଚାରରେ ବିକାଶ ହୁଏନି। ବିକାଶ ପାଇଁ ଦୀର୍ଘକାଳୀନ ଯୋଜନା ଏବଂ ଦୁର୍ନୀତିମୁକ୍ତ ପ୍ରଶାସନ ହିଁ ନିହାତି ଆବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଦୂରଭାଷ: ୯୪୩୮୦୦୬୨୧୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।