/odisha-reporter/media/post_attachments/uploadimage/library/16_9/16_9_0/naba_das_1675077724.jpeg)
naba das
ଜାନୁଆରୀ ୨୯ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବ୍ରଜରାଜନଗରକୁ ଏକ ଗସ୍ତରେ ଯାଉଥିବା ସମୟରେ ଗାନ୍ଧି ଛକଠାରେ ଗାଡ଼ି ଅଟକିବା ପରେ ପରେ କାର୍ଯ୍ୟରତ ଜଣେ ପୋଲିସ ଏଏସ୍ଆଇ ତାଙ୍କ ଉପରକୁ ଯେପରି ଗୁଳି ଚଳାଇଲେ, ତାହା କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହି ଗୁଳିମାଡ଼ରେ ଗୁରୁତର ଆହତ ନବକିଶୋର ଦାସଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆପୋଲ ହସ୍ପିଟାଲକୁ ଆଣି ଜରୁରୀ ଅସ୍ତ୍ରୋପଚାର କରାଯାଇଥିଲେ ମଧ୍ୟ ତାଙ୍କ ଜୀବନ ରକ୍ଷା କରାଯାଇପାରି ନାହିଁ।
ଏହା ସମସ୍ତଙ୍କୁ ଜଣା ଯେ ନବକିଶୋର ଦାସ ଶାସକ ବିଜେଡି ଦଳ ପାଇଁ ଝାରସୁଗୁଡ଼ା ସମେତ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ପ୍ରଭାବଶାଳୀ ସଂଗଠକ ଭାବରେ କାମ କରୁଥିଲେ। ତାଙ୍କର ରାଜନୈତିକ ପତିଆରା ସହିତ ଏକ ବ୍ୟବସାୟିକ ପ୍ରଭାବ ମଧ୍ୟ ରହିଥିଲା। କୁହାଯାଉଛି, ପଶ୍ଚିମ ଓଡ଼ିଶାରେ ଥିବା ସବୁ ରାଜନୈତିକ ନେତାମାନଙ୍କ ଭିତରେ ସେ ଜଣେ ଧନୀ ଓ ପ୍ରଭାବଶାଳୀ ନେତା ଥିଲେ। ତାଙ୍କର ରାଜନୈତିକ ଜୀବନ ସମ୍ବଲପୁର ଗଙ୍ଗାଧର ମେହେର କଲେଜ୍ ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିଲା। ବାସ୍ତବରେ ୮୦ ଦଶକ ଓ ୯୦ ଦଶକରେ ଦୀର୍ଘ ୨୦ ବର୍ଷ କାଳ ସେ ସମ୍ବଲପୁର ଛାତ୍ର ରାଜନୀତିକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିୟନ୍ତ୍ରଣ କରୁଥିଲେ। ଏପରିକି ଛାତ୍ରଜୀବନ ଛାଡ଼ିବା ପରେ ମଧ୍ୟ ତାଙ୍କର ଛାତ୍ର ରାଜନୀତି ସହିତ ସମ୍ବଲପୁରରେ ଏକ ନିବିଡ଼ ସଂପର୍କ ରହିଥିବାରୁ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସେ ନିକଟବର୍ତ୍ତୀ ହୋଇଥିଲେ। ୮୦ ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବିରୋଧରେ ଯେଉଁ ଛାତ୍ର ଆନ୍ଦୋଳନ ହୋଇଥିଲା, ତାହା ସମ୍ବଲପୁରକୁ କେନ୍ଦ୍ର କରି ପ୍ରଥମେ ଆରମ୍ଭ ହୋଇଥିଲା। ଏଣୁ ଜାନକୀ ବଲ୍ଲଭ ପଟ୍ଟନାୟକ ସମ୍ବଲପୁରରେ ଜଣେ ଛାତ୍ରନେତାଙ୍କ ସନ୍ଧାନରେ ଥିଲେ ଓ ନବକିଶୋର ଦାସଙ୍କୁ ପାଇଲା ପରେ ତାଙ୍କୁ ସମସ୍ତ ପ୍ରକାର ସହାୟତା ଦେଇ ସମ୍ବଲପୁର ଜିଲ୍ଲା କଂଗ୍ରେସ ରାଜନୀତିରେ ଭୂମିକା ନେବା ପାଇଁ ସୁଯୋଗ ଦେଇଥିଲେ।
ସେବେଠାରୁ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଅଧିକାଂଶ ପ୍ରଶାସନିକ ନିଷ୍ପତି ନବକିଶୋର ଦାସଙ୍କ ଲବି ଯୋଗୁଁ ଫଳପ୍ରଦ ହେଉଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ତୃତୀୟ ପାଳିରେ ମଧ୍ୟ ସେ ପ୍ରଭାବଶାଳୀ ଥିଲେ। ଜାନକୀ ବିରୋଧୀମାନଙ୍କୁ ସମ୍ବଲପୁର ଜିଲ୍ଲାରେ ନିୟନ୍ତ୍ରଣ କରିବା ପାଇଁ ନବକିଶୋର ଦାସଙ୍କୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଥିଲା। ତା’ର ପ୍ରତିବଦଳରେ ନବକିଶୋର ଦାସଙ୍କର କଂଗ୍ରେସ ରାଜନୀତି ସହିତ ବସ୍ ମାଲିକାନା କାରବାର ବଢ଼ିଥିଲା। କିନ୍ତୁ ୨୦୦୪ରେ ସେ କଂଗ୍ରେସ ଟିକେଟରେ ଝାରସୁଗୁଡ଼ାରୁ ପରାସ୍ତ ହେବା ପରେ ନିଜର ସଂଗଠନକୁ ମଜଭୁତ କରିବା ସହିତ ସେହିସବୁ ଅଂଚଳରେ ଗଢ଼ି ଉଠୁଥିବା ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ପରିବହନ ଠିକା ସବୁ ନିଜ ହାତକୁ ନେଇଥିଲେ। ଅନୀଲ ଅଗ୍ରୱାଲଙ୍କ ବେଦାନ୍ତ ଝାରସୁଗୁଡ଼ାରେ କାରଖାନା ପ୍ରତିଷ୍ଠା ଆରମ୍ଭ କରିବା ସମୟରେ ନବକିଶୋର ଦାସଙ୍କ ସହିତ ଏପରି ଏକ ସଂପର୍କ ସ୍ଥାପିତ ହେଲା ଯେ ନବକିଶୋର ଦାସଙ୍କର ବ୍ୟବସାୟିକ ସାମ୍ରାଜ୍ୟ ବହୁଗୁଣରେ ସଂପ୍ରସାରିତ ହୋଇଗଲା।
୨୦୦୯ରେ ସେ ପ୍ରଥମଥର ପାଇଁ ବିଧାନସଭାକୁ କଂଗ୍ରେସ ଟିକେଟରେ ନିର୍ବାଚିତ ହେବା ଓ ୨୦୧୪ରେ ପୁନର୍ବାର ନିର୍ବାଚିତ ହେଲା ପରେ ସମୁଦାୟ ଝାରସୁଗୁଡ଼ା ଜିଲ୍ଲାରେ କଂଗ୍ରେସ ସଂଗଠନକୁ ନିଜ ନିୟନ୍ତ୍ରଣକୁ ଆଣିଥିଲେ। ସାରା ରାଜ୍ୟରେ ପଂଚାୟତ ବ୍ୟବସ୍ଥାରେ ୨୦୧୭ରେ ବିଜେଡିର ପ୍ରଭାବ କମି ବିଜେପି କେତେକ ସ୍ଥାନରେ ଆଗକୁ ଆସିଥିଲେ ମଧ୍ୟ ଝାରସୁଗୁଡ଼ା ଜିଲ୍ଲାରେ ନବକିଶୋର ଦାସଙ୍କ ଯୋଗୁ କଂଗ୍ରେସ ହାତରେ ଜିଲ୍ଲା ପରିଷଦ ରହିଥିଲା। ଫଳରେ କଂଗ୍ରେସ ଦଳରେ ତାଙ୍କର ପ୍ରଭାବ ବୃଦ୍ଧି ପାଇଥିଲା ଓ ସେ ରାଜ୍ୟ କଂଗ୍ରେସର ଜଣେ କାର୍ଯ୍ୟକାରୀ ସଭାପତି ଭାବରେ ମନୋନୀତ ହୋଇଥିଲେ।
ଏହି ପରିସ୍ଥିତିକୁ ଦେଖି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନବକିଶୋର ଦାସଙ୍କୁ ବିଜେଡି ନିଜ ଦଳକୁ ନେଇଥିଲା। ଏଥିରେ କଂଗ୍ରେସ ବେଶ୍ କ୍ଷତିଗ୍ରସ୍ତ ହେଲା ଓ ବିଜେଡି ଲାଭବାନ ହେଲା। ସେହି ନିର୍ବାଚନ ପରେ ସିଧାସଳଖ ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ପାହ୍ୟାରେ ସ୍ୱାସ୍ଥ୍ୟ ବିଭାଗ ପାଇଥିଲେ।
ତାଙ୍କୁ ୨୯ ତାରିଖ ରବିବାର ଦିନ ଗୁଳି ମାରିଥିବା ଗୋପାଳ ଦାସ ଝାରସୁଗୁଡ଼ା ଜିଲ୍ଲାରେ ଦୀର୍ଘ ୧୨ ବର୍ଷ ହେଲା କନେଷ୍ଟବଳରୁ ଏଏସ୍ଆଇକୁ ପଦୋନ୍ନତି ପରେ କାର୍ଯ୍ୟ କରିଆସୁଥିଲେ। ସେ ଯେଉଁ ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରେ ଅବସ୍ଥାପିତ ଥିଲେ, ସେଠାରେ ମଧ୍ୟ କେତେ ମାସ ହେଲା ଅଛନ୍ତି। ତାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ହେଲେ ମଧ୍ୟ ଝାରସୁଗୁଡ଼ା ଜିଲ୍ଲାରେ ପ୍ରାୟ ସବୁ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସେ ଭଲ ଭାବରେ ଜାଣନ୍ତି। ତାଙ୍କ ସହିତ କାମ କରିଥିବା କୌଣସି ବ୍ୟକ୍ତି କେବେ ମଧ୍ୟ ତାଙ୍କର ମାନସିକ ବିକୃତି ଥିବା କଥା କହିନାହାନ୍ତି। ଯଦିଓ ଏହି ଗୁଳିକାଣ୍ଡ ପରେ ତାଙ୍କ ପତ୍ନୀ ଓ ପୁଅ କହୁଛନ୍ତି ଯେ ଗୋପାଳ ଦାସଙ୍କର ମାନସିକ ବିକୃତି ଥିଲା ଓ ସେଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ। ଏପରିକି ଯେଉଁ ଡାକ୍ତରଙ୍କ ପାଖରେ ସେ ଚିକିତ୍ସିତ ହେଉଥିଲେ, ସେ କହୁଛନ୍ତି ଯେ ଗତ ୬ରୁ ୮ ମାସ ହେଲା ତାଙ୍କ ପାଖକୁ ସେ ଆସିନାହାନ୍ତି । ସେ ଔଷଧ ଖାଉଥିଲେ କି ନାହିଁ ସେ ଜାଣନ୍ତି ନାହିଁ। କିନ୍ତୁ ତାଙ୍କର ଦୈନନ୍ଦିନ ବ୍ୟବହାରରେ କୌଣସି ମାନସିକ ବିକୃତିର କାର୍ଯ୍ୟ ଦେଖାଯାଇନାହିଁ। ଏପରିସ୍ଥଳେ ସେ କାହିଁକି ହଠାତ୍ କିଛି ଯୁକ୍ତିତର୍କ ବା ପାଟିତୁଣ୍ଡ ନକରି ମନ୍ତ୍ରୀଙ୍କ ଗାଡ଼ି ଅଟକିଯାଇ ସେ ଫୁଲମାଳ ପିନ୍ଧିବାକୁ ଯାଉଥିବା ସମୟରେ ପାଖକୁ ଆସି ଗୁଳି ଚଳାଇଲେ? ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ସେ ଗୁଳି ଚଳାଇଥିବା ବେଶ୍ ସ୍ପଷ୍ଟ। ଅର୍ଥାତ୍ ନବକିଶୋର ଦାସଙ୍କୁ ମାରିବା ପାଇଁ ସେ ପୂର୍ବରୁ ସିଦ୍ଧାନ୍ତ କରିଥିବା ସହଜରେ କୁହାଯାଇପାରେ। କିନ୍ତୁ ସେ ଯେଉଁ ସର୍ଭିସ୍ ରିଭଲଭରରୁ ଗୁଳି କରିଛନ୍ତି ସେହି ରିଭଲଭରଟି କେଇ ଦିନ ତଳେ ତାଙ୍କୁ ହସ୍ତାନ୍ତର ହୋଇଥିବା କୁହାଯାଉଛି। ସାଧାରଣତଃ ପୋଲିସ ବିଭାଗରେ ପ୍ରତ୍ୟେକ କର୍ମଚାରୀଙ୍କର ପ୍ରତିବର୍ଷ ମେଡିକାଲ୍ ଟେଷ୍ଟ ହୁଏ ଓ ବିଶେଷ ଭାବେ ଯାହାଙ୍କୁ ସର୍ଭିସ୍ ରିଭଲଭର ଦିଆଯାଏ, ତାଙ୍କର ମାନସିକ ଅବସ୍ଥା ସଂପର୍କରେ ଅନୁଧ୍ୟାନ କଲା ପରେ ପ୍ରଦାନ କରାଯାଇଥାଏ। ତେବେ ମନ୍ତ୍ରୀଙ୍କ ଆସିବା ପୂର୍ବରୁ ତାଙ୍କୁ ରିଭଲଭର ଦିଆଯିବା ଯେପରି ଗୁରୁତ୍ୱପୂର୍ଣ୍ଣ, ସେହିପରି ଭାବରେ ସେହିଦିନ ସକାଳେ ସେ ଝାରସୁଗୁଡ଼ାର ଜଣେ ବନ୍ଧୁଙ୍କୁ କହିଥିଲେ ଯେ ଜଣେ ଚୋରକୁ ଆଜି ମୁଁ ଜଗିଛି। ଏହିକଥାର ଗୁରୁତ୍ୱ ବନ୍ଧୁ ଜଣଙ୍କ ସେତେବେଳେ ଜାଣିପାରିନଥିଲେ। ଗୁଳିକାଣ୍ଡ ପରେ ଗୋପାଳ ଦାସ କାହାକୁ ଲକ୍ଷ୍ୟ କରି ଚୋର ଜଗିଛି ବୋଲି କହୁଥିଲା, ତାହା ଅନୁମାନ କଲେ। କିନ୍ତୁ କଥା ହେଉଛି, ଗୋପାଳ ଦାସ ବ୍ୟକ୍ତିଗତ କାରଣରୁ ବା କୌଣସି ଆକ୍ରୋଶମୂଳକ କାର୍ଯ୍ୟର ପ୍ରତିକ୍ରିୟା ସ୍ୱରୂପ ଏପରି ଗୁଳି ଚାଳନା କରିଛନ୍ତି ନା ତାଙ୍କ ପଛରେ ଆଉ କିଏ ରହି ତାଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରିଛି, ତାହା ମଧ୍ୟ ପରିଷ୍କାର ହୋଇନାହିଁ।
ବାସ୍ତବରେ ଓଡ଼ିଶାରେ ଏଭଳି ଏକ ଘଟଣା ପ୍ରଥମ। ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଜଣେ ପୋଲିସ ଅଧିକାରୀ ସିଧାସଳଖ ଭାବରେ ଗୁଳି କରିବା ଏକ ଅସାଧାରଣ ଘଟଣା ହୋଇଥିବାରୁ ଏହାର ପ୍ରକୃତ ରହସ୍ୟ ଓ ଏହା ପଛରେ ଥିବା ଷଡ଼ଯନ୍ତ୍ର ବିଷୟରେ ଏକ ଅନୁଧ୍ୟାନର ଆବଶ୍ୟକତା ରହିଛି। ଏହା ପୋଲିସ ପ୍ରଶାସନ ବିଷୟରେ ବହୁଗୁଡ଼ିଏ ପ୍ରଶ୍ନ ମଧ୍ୟ ଉତ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ଏହାର ଅନୁସନ୍ଧାନ ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ମୁଖ୍ୟ ଏଡିଜି ଅରୁଣ ବୋଥ୍ରା ଏହାର ନେତୃତ୍ୱ ନେଉଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଏବେ ଯେଉଁସବୁ ପ୍ରଶ୍ନ ଉଠୁଛି ତାହା ପୋଲିସ ପ୍ରଶାସନ ବିଷୟରେ ହୋଇଥିବାରୁ ପୋଲିସ ଉଚ୍ଚ ଅଧିକାରୀମାନେ ଏହାର ପ୍ରକୃତ ତଦନ୍ତ କରିପାରିବେ କି? କାରଣ ଏଠାରେ ଅଭିଯୁକ୍ତ ଆସାମୀ ଚିହ୍ନଟ ହୋଇସାରିଛି ଓ ସେ ପୋଲିସ ଦ୍ୱାରା ଅଟକ ହୋଇ ରହିଛି।
ଅସଲ କଥା ହେଉଛି, ଷଡ଼ଯନ୍ତ୍ରର ରହସ୍ୟ ଉନ୍ମୋଚିତ ହେବା। ଏଣୁ ଯେଉଁ ଅନୁସନ୍ଧାନ କମିଟି ହେବ ସେଥିରେ ପୋଲିସ ଅଧିକାରୀ ରହିପାରିନ୍ତି। କିନ୍ତୁ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଉଭୟ ପୋଲିସ ଓ ପ୍ରଶାସନିକ ସେବାର ଉଚ୍ଚ ଅଧିକାରୀଙ୍କୁ ନେଇ ଏହି ତଦନ୍ତ କମିଟି ଗଠିତ ହେବା ଉଚିତ୍। ସେ ଯେହେତୁ ବିଧାନସଭାର ଜଣେ ବରିଷ୍ଠ ସଦସ୍ୟ ଥିଲେ ଓ ମନ୍ତ୍ରୀ ଥିଲେ, ସେହେତୁ ବିଧାନସଭା ଅଧିବେଶନ ସମୟରେ ତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଏକ ବିଧାନସଭା କମିଟି ମଧ୍ୟ ଗଠନ କରାଯିବା ଉଚିତ୍। କାରଣ ଏ ସଂକ୍ରାନ୍ତରେ ଉଠିଥିବା ସବୁଗୁଡ଼ିକ ପ୍ରଶ୍ନର ଉତ୍ତର ଯଦି ନଆସେ ତେବେ ପୋଲିସ ଓ ରାଜ୍ୟ ପ୍ରଶାସନ ସହିତ ରାଜନୀତିକ କ୍ଷେତ୍ରରେ ଏହା ଏକ ବିବାଦମାନ ପ୍ରଶ୍ନ ହୋଇ ରହିଯିବ। ମୁଖ୍ୟମନ୍ତ୍ରୀ ଏହି ଗୁଳିକାଣ୍ଡ ଖବର ଜାଣିବା ପରେ ତାଙ୍କୁ ଆପୋଲ ହସ୍ପିଟାଲ ନିଆଯିବା ପୂର୍ବରୁ ସେଠାରେ ଯେପରି ସମସ୍ତ ବନ୍ଦୋବସ୍ତ କରିଥିଲେ ଓ ଏହି ଘଟଣାରେ ସେ ଅତ୍ୟଧିକ ବିବ୍ରତ ଥିବା କହିଛନ୍ତି ସେଥିରେ ସାଧାରଣରୁ ସମସ୍ତ ସନ୍ଦେହ ଦୂର କରିବାକୁ ସେ ଏକ ଆହ୍ୱାନ ଭାବରେ ନେବା ଉଚିତ୍।
ରବି ଦାସ, ବରିଷ୍ଠ ସାମ୍ବାଦିକ
ଫୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
