ସାମ୍ବାଦିକତା ପ୍ରତି ଆହ୍ୱାନ

ରବି ଦାସ

ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକମାନଙ୍କର ଟ୍ରାକ୍ଟର ରାଲି ସମୟରେ କିଛି କୃଷକ ଓ ଟ୍ରାକ୍ଟର ନିର୍ଦ୍ଧାରିତ ଟ୍ରାକ୍ଟର ଶୋଭାଯାତ୍ରାରେ ନଯାଇ ସହର ଭିତରକୁ ପଶିଯାଇ ଲାଲକିଲ୍ଲା ନିକଟରେ ଓ ଆଇଟିଓ ନିକଟରେ ଯେଉଁସବୁ କାଣ୍ଡ ଘଟାଇଛନ୍ତି ସେଥିରେ ସାଧାରଣତନ୍ତ୍ର ଦିବସର ଗାରିମା ନଷ୍ଟ ହେବା ସହିତ ତ୍ରିରଙ୍ଗା ପତାକାର ଅପମାନ କରାଯାଇଛି ବୋଲି ସିଧାସଳଖ ଅଭିଯୋଗ ହୋଇଛି। ଏହାକୁ ଆନ୍ଦୋଳନ ଚଳାଇଥିବା କୃଷକ ସଂଘର୍ଷ ସମିତିର ନେତାମାନେ ନିନ୍ଦା କରିବା ସହିତ ଏଥିପାଇଁ ନୈତିକ ଦାୟିତ୍ୱ ବହନ କରିଛନ୍ତି। କିନ୍ତୁ ଏହି ଘଟଣାରେ ସଂପୃକ୍ତ ଦିବସରେ ଯେଉଁ ସାମ୍ବାଦିକମାନେ ବରାବର ଖବର ରଖି ସେମାନଙ୍କର ତଥ୍ୟ ବା ମତାମତ ଟ୍ୱିଟର ମାଧ୍ୟମରେ ପ୍ରଦାନ କରିଛନ୍ତି ସେମାନଙ୍କ ଭିତରୁ ବଛାବଛା ବରିଷ୍ଠ ସାମ୍ବାଦିକମାନଙ୍କ ଭିତରେ ଉତ୍ତରପ୍ରଦେଶ ଓ ପରେ ମଧ୍ୟପ୍ରଦେଶ ପୋଲିସ ଦେଶଦ୍ରୋହ ଓ ହିଂସାକୁ ପ୍ରୋତ୍ସାହନ ଦେଇଥିବା ଅପରାଧରେ ମାମଲା ଦାୟର କରିଛନ୍ତି। ଏହି ବରିଷ୍ଠ ସାମ୍ବାଦିକମାନଙ୍କ ମଧ୍ୟରେ ‘ଦି ୱେୟାର’ର ମୁଖ୍ୟ ସଂପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ, ରାଜଦୀପ ସରଦେଶାଇ, ମୃଣାଳ ପାଣ୍ଡେ ଓ ‘କାରାବାନ’ର ତିନି ସାମ୍ବାଦିକଙ୍କ ନାମ ରହିଛି। ଏମାନଙ୍କର ଅପରାଧ ହେଲା ଯେ, ଟ୍ରାକ୍ଟର ଶୋଭାଯାତ୍ରା ସମୟରେ ଆଇଟିଓ ନିକଟରେ ଯେଉଁ କୃଷକଙ୍କ ମୃତ୍ୟୁ ହୋଇଥିଲା ସେ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି ବୋଲି ଏମାନଙ୍କ ଟ୍ୱିଟ୍‌ରେ ଉଲ୍ଲେଖଥିଲା। ଯଦିଓ ବର୍ଦ୍ଧରାଜନ ଏହି ମନ୍ତବ୍ୟ ମୃତ୍ୟୁବରଣ କରିଥିବା କୃଷକ ପରିବାରର ସଂପର୍କୀୟଙ୍କ ସୂଚନାକୁ ନେଇ ପ୍ରଦାନ କରିଥିଲେ। କିନ୍ତୁ ଏହି ତଥ୍ୟଟି ଭୁଲ ଥିବା ଜଣାପଡ଼ିଥିଲା ଓ ସଂପୃକ୍ତ କୃଷକଙ୍କୁ ତାହାର ଟ୍ରାକ୍ଟର ଓଲଟି ପଡ଼ିବାରୁ ମୃତ୍ୟୁବରଣ କରିଥିବା ତଥ୍ୟ ମିଳିଥିଲା। ଏପରିକି ମିଳିତ କୃଷକ ମୋର୍ଚ୍ଚାର ନେତାମାନେ ଏହାକୁ ସ୍ପଷ୍ଟ କରିବା ପରେ ସାମ୍ବାଦିକମାନେ ମଧ୍ୟ ସେମାନଙ୍କ ସଂଶୋଧନ ସଂଗେସଂଗେ ଟ୍ୱିଟ୍ ମାଧ୍ୟମରେ ପ୍ରକାଶ କରିଥିଲେ। କିନ୍ତୁ ଏହି କଥାକୁ ନେଇ ପୋଲିସ ସାମ୍ବାଦିକମାନଙ୍କ ବିରୋଧରେ ଦେଶଦ୍ରୋହ, ଷଡ଼ଯନ୍ତ୍ର, ବିଭିନ୍ନ ଗୋଷ୍ଠୀ ଭିତରେ ଶତ୍ରୁତା ବୃଦ୍ଧି, ସଦଭାବନା ନଷ୍ଟ ଓ ହିଂସାକୁ ପ୍ରୋତ୍ସାହିତ କରିବା ପରି ଅପରାଧରେ ମାମଲା ଦାୟର କରିବା ଦେଶର ସାମ୍ବାଦିକମାନଙ୍କୁ ବିସ୍ମିତ କରିଛି। ସେଥିପାଇଁ ଏଡିଟର୍ସ ଗିଲ୍ ଅଫ ଇଣ୍ଡିଆ ପକ୍ଷରୁ ଏହାକୁ ନିନ୍ଦା କରାଯାଇ ଏହି ମାମଲା ପ୍ରତ୍ୟାହାର ପାଇଁ ଦାବି କରାଯାଇଛି।

ଜାନୁଆରୀ ୨୬ ତାରିଖ ଦିନ ହୋଇଥିବା ହିଂସାକାଣ୍ଡ ଓ ବିଶେଷ ଭାବରେ ଲାଲକିଲ୍ଲାରେ ଯାହା ଘଟିଲା ତାହା ନିନ୍ଦନୀୟ ହୋଇଥିଲେ ମଧ୍ୟ ଏହି ସାମ୍ବାଦିକମାନଙ୍କର କିଛି ସମୟ ପାଇଁ ଏକ ଟ୍ୱିଟ୍ ଯୋଗୁ ଏହିସବୁ ହିଂସାକାଣ୍ଡ ହେଲା ବୋଲି କହିବା ଆଦୌ ଠିକ ନୁହେଁ। ସେମାନେ ଭୁଲିଯାଉଛନ୍ତି ଯେ, ସଂପୃକ୍ତ ସାମ୍ବାଦିକମାନଙ୍କର ଟ୍ୱିଟ୍ ପୂର୍ବରୁ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ମୁକାବିଲା ହୋଇସାରିଥିଲା। ଏପରିକି ଏହି କାଣ୍ଡରେ ଯେଉଁ ଜଣେ କୃଷକର ମୃତ୍ୟୁହେଲା ସେହି ଖବର ଅନ୍ୟ ହିଂସାକାଣ୍ଡକୁ ପ୍ରୋତ୍ସାହିତ କଲା ବୋଲି ଆଦୌ କହିହେବ ନାହିଁ। କାରଣ ତଥାକଥିତ ଭୁଲ ଟ୍ୱିଟ୍‌କୁ ସଂଗେସଂଗେ ସଂଶୋଧନ କରିଦିଆଯାଇଥିଲା। ଏଡିଟର୍ସ ଗିଲ ପକ୍ଷରୁ କୁହାଯାଇଛି ଯେ, ଗୋଟିଏ ପ୍ରତିବାଦ ଆନ୍ଦୋଳନ ସଂକ୍ରାନ୍ତରେ ବରାବର ଘଟଣାବଳୀ ପ୍ରକାଶ କରିବା ସାମ୍ବାଦିକର ଦାୟିତ୍ୱ ଓ କର୍ତବ୍ୟ ମଧ୍ୟ। ଏଣୁ ବିଭିନ୍ନ ଆଡ଼ୁ ଆସୁଥିବା ଘଟଣାବଳୀ ଉପରେ ପ୍ରତ୍ୟକ୍ଷଦର୍ଶୀମାନେ ଦେଉଥିବା ସୂଚନା ଆଧାରରେ ସାମ୍ବାଦିକ ବକ୍ତବ୍ୟ ବା ମତାମତ ଦେବାରେ କିଛି ଭୁଲନାହିଁ। କିନ୍ତୁ ଏହିସବୁ ମତ ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ହିଂସାକୁ ପ୍ରୋତ୍ସାହିତ କରିବା ପାଇଁ ସଂପୃକ୍ତ ସାମ୍ବାଦିକ ଦେଇଛନ୍ତି ବୋଲି କିପରି କୁହାଯାଇପାରିବ?

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଭାରତୀୟ ପିଙ୍ଗଳ କୋର୍ଡରେ ଥିବା ଦେଶଦ୍ରୋହ ଅପରାଧ, ଯାହାକି ଦଫା ୧୨୪ (କ)ରେ ଅଛି ତାହାକୁ ସାମ୍ବାଦିକମାନଙ୍କ ବିରୋଧରେ ବ୍ୟବହାର କରିବା। ଖାଲି ଉତ୍ତରପ୍ରଦେଶରେ ବା ଭୋପାଳରେ ଏହିପରି ଦଫା ସାମ୍ବାଦିକଙ୍କ ବିରୋଧରେ ବ୍ୟବହୃତ ହେଉନାହିଁ। ଦେଖାଯାଉଛି ଯେ, ଦେଶର ଅଧିକାଂଶ ରାଜ୍ୟରେ ପୋଲିସ ସରକାରୀ ବିରୋଧୀ ସାମ୍ବାଦିକମାନଙ୍କ ବିରୋଧରେ ଔପନିବେଶିକ ଶାସନ ସମୟରେ ଭାରତୀୟ ପିଙ୍ଗଳ କୋଡ଼ରେ ଥିବା ଦେଶଦ୍ରୋହ ଅପରାଧକୁ ବ୍ୟବହାର କରୁଛନ୍ତି। ଓଡ଼ିଶାରେ ମଧ୍ୟ ସାମ୍ବାଦିକମାନଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି। ଏହାଛଡ଼ା ହିଂସାକୁ ପ୍ରୋତ୍ସାହିତ କରିବା ଓ ମିଥ୍ୟା ଖବର ଜରିଆରେ ଲୋକମାନଙ୍କୁ ବିଭ୍ରାନ୍ତ କରିବା ପରି ଅଭିଯୋଗ ସାମ୍ବାଦିକମାନଙ୍କ ବିରୋଧରେ ବାରମ୍ବାର କରାଯାଉଛି। ଫଳ ହୋଇଛି ଯେ, ଯେଉଁ ରାଜ୍ୟରେ ଯାହାର ସରକାର ରହିଛି ତାହାର ବିରୋଧୀ ବା ଭିନ୍ନମତ ପ୍ରକାଶ କରୁଥିବା ସାମ୍ବାଦିକମାନଙ୍କ ବିରୋଧରେ ଏପରି ସବୁ ମାମଲା କରାଯାଉଛି। ଭିନ୍ନମତକୁ ଚପାଇଦେବା ଓ ବିରୋଧୀ ସାମ୍ବାଦିକମାନଙ୍କୁ ଜବତ କରିବା ଉଦ୍ଦେଶ୍ୟରେ ପୋଲିସ ଏହିପରି କାର୍ଯ୍ୟ କରୁଛି। ଯେହେତୁ ରାଜ୍ୟ ସରକାର ହାତରେ ପୋଲିସ ପ୍ରଶାସନ ରହୁଛି ତେଣୁ ପୋଲିସକୁ ରୀତି ମୁତାବକ ବ୍ୟବହାର କରି ସାମ୍ବାଦିକମାନଙ୍କୁ ଧମକ ଦେବା ବା ନିୟନ୍ତ୍ରିତ କରିବାର ଉଦ୍ୟମ କରାଯାଉଛି। ଯଦିଓ ସୁପ୍ରିମକୋର୍ଟ ବିଭିନ୍ନ ମାମଲାରେ କେଉଁ ପରିସ୍ଥିତିରେ ଓ କିପରି ଦେଶଦ୍ରୋହ ମାମଲା ଦାୟର କରାଯାଇପାରିବ ତାହାକୁ ସ୍ପଷ୍ଟ କରିଛନ୍ତି ତଥାପି ପୋଲିସ ପ୍ରଶାସନ ଔପନିବେଶିକ ମାନସିକତାରେ ନିଜ ସରକାରମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାମ୍ବାଦିକମାନଙ୍କ ବିରୋଧରେ ମାମଲାମାନ ଦାୟର କରୁଛନ୍ତି।

ଏବେ ଏପରି ସମୟ ହୋଇଛି ଯେ, ସାମାନ୍ୟ ବା କଠୋର ଭିନ୍ନମତକୁ ଦେଶର ନିରାପତ୍ତା ପ୍ରତି ବିପଦ ଭାବରେ ବର୍ଣ୍ଣନା କରାଯାଉଛି। ଏହାର ସୁଯୋଗ ନେଇ ବିରୋଧୀ ଓ ଭିନ୍ନମତର ସାମ୍ବାଦିକମାନଙ୍କୁ ପୋଲିସ ଦେଶଦ୍ରୋହ ପରି ଜଘନ୍ୟ ଅପରାଧରେ ମାମଲା ଦାୟର କରି ଗିରଫ କରୁଛି। କାରଣ ପୋଲିସ ଜାଣିଛନ୍ତି ଯେ, ଏହି ଅପରାଧରେ ଥରେ ମାମଲା ଦାୟର କରିଦେଲେ ହଠାତ୍ ସେଥିରୁ ଜାମିନ ମିଳିବା କଷ୍ଟକର ହୋଇପଡ଼ିବ। ଏହି ସାମ୍ବାଦିକମାନେ ଦେଶ ବିରୋଧରେ କାର୍ଯ୍ୟ କରିବାର କୌଣସି ରେକର୍ଡ ନଥିଲେ ମଧ୍ୟ ପୋଲିସ ଏହି ମାମଲା ଦାୟର କରିଦେଉଛି। ସେଥିପାଇଁ ବହୁବର୍ଷ ହେଲା ଦେଶର ସାମ୍ବାଦିକମାନେ ଓ ସାମ୍ବାଦିକ ସଂଘ ସବୁ ଆଇପିସିର ୧୨୪ (କ) ଧାରାକୁ ଉଚ୍ଛେଦ କରିବା ପାଇଁ ଦାବି କରିଆସୁଛନ୍ତି। କେବଳ ସେତିକି ନୁହେଁ ବର୍ତମାନର ସାମାଜିକ ଗଣମାଧ୍ୟମ ଯୁଗରେ ଏପରି ଏକ ଖବର ଯଦି ସଂପୃକ୍ତ ସାମ୍ବାଦିକ ନିଜ ସୋସିଆଲ ମିଡିଆ ଆକାଉଂଟରେ ପ୍ରତିବାଦ ଆନ୍ଦୋଳନର କିଛି ସୂଚନା ଦେଉଛନ୍ତି ତେବେ ତାଙ୍କ ବିରୋଧରେ ୧୨୦ (ଖ) ଅର୍ଥାତ୍ ଷଡ଼ଯନ୍ତ୍ର ମାମଲା ଦାୟର କରିଦିଆଯାଉଛି। ଦିଲ୍ଲୀ ଘଟଣାରେ ବଡ଼ବଡ଼ ସାମ୍ବାଦିକମାନଙ୍କ ବିରୋଧରେ ଯେଉଁ ଧରଣର ମାମଲା ହୋଇଛି ଓ ଯେପରି ଭାବରେ ଏହିସବୁ ଦଫାରେ ବିଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ୍ ଘଟଣାରେ ବିରୋଧୀ ଓ ଭିନ୍ନ ମତର ସାମ୍ବାଦିକମାନଙ୍କ ବିରୋଧରେ ପୋଲିସ ମାମଲା ହେଉଛି ସେସବୁ ଦେଖିଲା ପରେ ଭାରତରେ ସମ୍ବାଦପତ୍ର ସ୍ୱାଧୀନତା ଓ ମୁକ୍ତ ସାମ୍ବାଦିକତା କିପରି ସମ୍ଭବ ହେବ ବୋଲି ପ୍ରଶ୍ନ ଉଠୁଛି। କିନ୍ତୁ ଏବେ ସମୟ ଆସିଛି ଭାରତର ସବୁ ସାମ୍ବାଦିକ ଓ ସବୁ ଗଣମାଧ୍ୟମ ପୋଲିସର ଏପରି କାର୍ଯ୍ୟ ବିରୋଧରେ ସମସ୍ୱରରେ ପ୍ରତିବାଦ କରିବା ଉଚିତ। ଯେପରି ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ମାନହାନୀ ମାମଲା ସଂକ୍ରାନ୍ତରେ ସମ୍ବାଦପତ୍ର କଣ୍ଠରୋଧ ପାଇଁ ହୋଇଥିବା ଏକ ପ୍ରସ୍ତାବିତ ବିଲ୍ ବିରୋଧରେ ଦେଶବ୍ୟାପୀ ଗଣମାଧ୍ୟମ ଆନ୍ଦୋଳନ କରିଥିଲେ ଏବେ ସେହିପରି ଏକ ମିଳିତ ଆନ୍ଦୋଳନର ଆବଶ୍ୟକତା ରହିଛି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।