କରୋନା ସଚେତନତା ଏବଂ ସୋସିଆଲ୍ ଷ୍ଟିଗ୍‌ମା

  • ସୂର୍ଯ୍ୟମଣି ମିଶ୍ର

ଆମ ସମାଜରେ ଉଚ୍ଚ-ନୀଚ୍ଚ, ଜାତିଗତ ଭେଦଭାବ, ଛୁଆଁଛୁତି ସାଧାରଣ କଥା । ନିଜର ରୁଢିବାଦୀ ପରମ୍ପରା ଏବଂ ଅଳ୍ପ ଜ୍ଞାନ କାରଣରୁ ହେଉଥିବା ରୋଗ ସହ ମହିଳାଙ୍କ ମାସିକ ଧର୍ମକୁ ମଧ୍ୟ ଛୁଆଁଛୁତି ସହ ଯୋଡ଼ିଦିଆଯାଉଛି । ସରକାରଙ୍କ ଦ୍ୱାରା କରାଯାଉଥିବା ସମସ୍ତ ନିୟମ-ଆଇନ୍ ଏବଂ ସଚେତନତା ଅଭିଯାନ ସତ୍ତ୍ୱେ ସମାଜରେ ପୃଥକ୍ ପୃଥକ୍ ଭାବରେ ଭେଦଭାବ ଦେଖାଦେଇଛି। ମେଡ଼ିକାଲ୍ ସାଇନ୍ସ ଚିହ୍ନଟ କରିଛି ଏପରି କିଛି ରୋଗକୁ । ଯେଉଁ ରୋଗ ଜଣେ ଆଉ ଜଣକ ସହ ସଂପର୍କରେ ଆସିଲେ ବ୍ୟାପିବ । କୋଭିଡ଼-୧୯ର ଭାଇରସ୍ ଏହି ଶ୍ରେଣୀର । କୋଭିଡ଼୍‌-୧୯ ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗତ ୬ ମାସ ହେଲା ବିଶ୍ୱ ସହ ଆମେ ଦୂରତ୍ୱକୁ ଅସ୍ତ୍ରଭାବେ ବ୍ୟବହାର କରିଛନ୍ତି । କାହିଁକି ନା ଭେକ୍‌ସିନ୍ ବା ଟୀକା ଆସିନାହିଁ । ଏଥିପାଇଁ ସାବଧାନ ସହ ରହିବାକୁ ହେବ । କିନ୍ତୁ ଦେଖିବାକୁ ମିଳୁଛି କରୋନା ପରୀକ୍ଷାକୁ ନେଇ କିଛି ଲୋକ ଭୟଭିତ ଅବସ୍ଥାରେ । ଯଦି ତାହାଙ୍କ ଘରେ ବା କାହା ଠାରେ କରୋନା ପଜିଟିଭ୍ ବାହାରୁଛି ତେବେ ଏ ସଂପର୍କରେ ଡାକ୍ତର, ସଂପର୍କୀୟ, ପାଖ ପଡ଼ୋଶୀଙ୍କୁ ଜଣାଉନାହାନ୍ତି । ଯେଉଁ ଲୋକଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଉଛି ତାଙ୍କର ପରୀକ୍ଷା ହୋଇପାରୁନାହିଁ । ଏହି ସମସ୍ତ କଥା ଯେଉଁ କାରଣ ପାଇଁ ସୁବ୍ୟବସ୍ଥିତ ବା କ୍ରିୟାଶୀଳ ହୋଇପାରୁନାହିଁ ତାହା ପଛରେ ରହିଛି ହସ୍‌ପିଟାଲର ଅବ୍ୟବସ୍ଥା ।

ଶଯ୍ୟା କମ୍‌, ବରିଷ୍ଠ ଡାକ୍ତର ରୋଗୀଙ୍କ ଚିକିତ୍ସା ଠାରୁ ଦୂରରେ ରହିବା । କରୋନା ନାମରେ ଘରୋଇ ହସ୍‌ପିଟାଲରେ ଆର୍ଥିକ ସ୍ୱଚ୍ଛଳ ସୀମାତିତ । କୌଣସି ବ୍ୟକ୍ତିର ପଜିଟିଭ୍ ଜଣାପଡ଼ିବା ପରେ ତାଙ୍କର ପରିବାର ବର୍ଗ ସହ ପାଖ ପଡ଼ୋଶୀ ଏବଂ ପ୍ରତିଦିନର କାର୍ଯ୍ୟ ତଥା ଜରୁରୀ ଆବଶ୍ୟକତାରେ ବାଧା ସୃଷ୍ଟି କରାଯାଉଛି ।ଏପରିକି କଥାବାର୍ତ୍ତା ବନ୍ଦ୍ । ଯେକୌଣସି ବ୍ୟକ୍ତିଙ୍କୁ କରୋନା ପରୀକ୍ଷା କରାଯାଉଛି ଯଦି ତାଙ୍କର ପଜିଟିଭ୍ ବାହାରୁଛି ତେବେ ଶାସନ-ପ୍ରଶାସନ ସଂକ୍ରମଣକୁ ନିୟନ୍ତ୍ରଣ କରିବା ନାମରେ କରୁଥିବା ବ୍ୟବହାର ପାଖ-ପଡ଼ୋଶୀଙ୍କୁ ଡରାଇବା ଭଳି । ସମଗ୍ର ଦେଶ-ବିଶ୍ୱରେ କରୋନାର ଏହି ଅବସ୍ଥା ବାର୍ତ୍ତା ଦେଇଛି ଆପଣ ଆପଣଙ୍କୁ ଆଇସୋଲେସନରେ ରଖନ୍ତୁ । ହୋମ୍ କ୍ୟାରେଣ୍ଟାଇନ୍ ହୋଇଯାଆନ୍ତୁ । ଯେତେ ଦୂରରେ ରହିବ, ଏକାକୀ ରହିବ ତାହା ନିଜ ପାଇଁ ଭଲ ଏବଂ ଅନ୍ୟ ପାଇଁ ମଧ୍ୟ । ତେବେ ସୋସିଆଲ୍ ମିଡ଼ିଆରେ ଯେଭଳି ପ୍ରଚାର ହେଉଛି ତାହା ଅତ୍ୟନ୍ତ ଆଘାତ ସୃଷ୍ଟିକାରୀ! ବ୍ୟକ୍ତି ଜଣକର କରୋନା ପଜିଟିଭ୍ କେବେ ହେଲା । ଉତ୍ତର- ଯେତେବେଳେ ସେ ପରୀକ୍ଷା କଲେ । ସ୍ୱାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ୍ ଘରେ ନିଜେ ନିଜକୁ ବନ୍ଦ କରି ରହିବାକୁ ହେବ । ଥରକୁଥର ହାତ ଧୋଇବା, ମାସ୍କ ପିନ୍ଧିବା, ଦୁଇଗଜ ଦୂରରେ ରହିବାର ନିୟମକୁ ପାଳନ କରିବାକୁ ହେବ । ତେବେ ଏହି ନିୟମ ବ୍ୟକ୍ତିଜଣକ ପାଳନ କରିନାହାନ୍ତି । ଫଳରେ ପ୍ରଚାରରେ କୁହାଯାଉଛି କରୋନା କେଉଁଠୁ କାହା ପାଖରୁ ଆସିଥାଇପାରେ । କରୋନା କିପରି ସଂକ୍ରମିତ କରିପାରେ । ଏବେବି ଘରେ ବସିଥିବା ଲୋକ ବୁଝିପାରୁନାହାନ୍ତି ।

ମୁଁ ମୋ କଥା କହୁଛି, ୬ ମାସ ହେଲା ଭୁବନେଶ୍ୱରରୁ ଆସି ଘରେ ଅଛି । ହଠାତ୍ ପଞ୍ଚାୟତରୁ ଖବର ଆସିଲା କରୋନା ଟେଷ୍ଟ ହେଉଛି ଆପଣଙ୍କୁ ଟେଷ୍ଟ କରିବାକୁ ହେବ । ଟେଷ୍ଟ କରିବାକୁ ଗଲା ପରେ ହଠାତ୍ ପଜିଟିଭ୍ ବାହାରିଲା । ଆଉ ତା ପରେ ମୋତେ କୁହାଗଲା ଆପଣ ଦୂରରେ ରୁହନ୍ତୁ । ହଠାତ୍ ଯେଉଁଠାରେ ପରୀକ୍ଷା କରାଯାଉଥିଲା ସେହି ବିଦ୍ୟାଳୟର ଗୋଟିଏ କଣରେ ଠିଆ ହେବା ପାଇଁ ମୋତେ କୁହାଗଲା । ପ୍ରାୟ ୬ ଘଣ୍ଟା କାଳ ଏକାକୀ ରହିଲି । ତାପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କହିଲେ, ଅପେକ୍ଷା କରନ୍ତୁ ଆମେ ଖାଇସାରି ଆସିବା ପରେ ଆପଣଙ୍କୁ ଆମ୍ବୁଲାନ୍ସ ଯୋଗେ ଆପଣଙ୍କ ଘରେ ଛାଡ଼ିଦେବୁ ଆପଣ ହୋମ୍ କ୍ୱାରେଣ୍ଟାଇନରେ ୧୭ ଦିନ ରହିବେ । ତାହାହିଁ ହେଲା । କିନ୍ତୁ ମୁଁ ଦେଖିଲି ମୋର ପାଖ ପଡ଼ୋଶୀ, ପ୍ରିୟ ପରିଜନ ସମସ୍ତେ ମୋ ଠାରୁ ଦୂରେଇ ଗଲେ । କାରଣ ମୋଠାରେ ପଜିଟିଭ୍‌ର ଲକ୍ଷଣ ଦେଖାଦେଇଥିଲା । ନିଜକୁ ବଞ୍ଚେଇବା ପାଇଁ ମୁଁ ଘରକୁ ଆସିଲି । ଏବେ ମୁଁ ଏକାକୀ ଜୀବନ କାଟୁଛି । କେବଳ ମୁଁ ଏକା ନୁହେଁ, ମୋ ଭଳି ହଜାର ହଜାର ସଂଖ୍ୟକ ନାଗରିକ ଏଭଳି ନିଃସଙ୍ଗ ଜୀବନ କାଟୁଛନ୍ତି । କାରଣ ମୃତ୍ୟୁର ଭୟ ରହିଛି ।

କରୋନା ଠାରୁ ବଡ଼ ବିପଦ ହୋଇଛି ଏ ସଂପର୍କରେ ଲୋକଙ୍କୁ ଜଣାପଡ଼ିବା । କରୋନା ନାମରେ ଦୁଇପ୍ରକାର ବର୍ଗ ଦେଖିବାକୁ ମିଳୁଛି । ଗୋଟିଏ ବର୍ଗର ଲୋକ ସେଲିବ୍ରେଟି, ଯିଏ ୟୁ ଟ୍ୟୁବ୍‌, ଫେସ୍‌ବୁକ୍‌, ହ୍ୱାଟ୍‌ସଆପ୍ ମାଧ୍ୟମରେ ନିଜର ପଜିଟିଭ୍ ବାହାରିବା, ପଜିଟିଭ୍ ଲୋକଙ୍କ ସଂସ୍ପର୍ଶରେ ନଆସିବାକୁ ଜଣାଉଛନ୍ତି । ଆଉ ଏକ ବଡ଼ବର୍ଗ ହେଉଛନ୍ତି ଯିଏ ନିଜକୁ ଲୁଚାଉଛନ୍ତି । କରୋନାକୁ ଏକ ସୋସିଆଲ୍ ଷ୍ଟିଗ୍‌ମା ପ୍ରସ୍ତୁତ କରାଯାଉଛି । ପଜିଟିଭ୍ ବାହାରିଥିବା ପରିବାରର ଲୋକଙ୍କ ପ୍ରତି ଭେଦଭାବ କରିବା ଭୟ ସୃଷ୍ଟି କରି ଛୁଆଁ-ଛୁତି ଭଳି ସାମାଜିକ ଭେଦଭାବ ତିଆରି କରିବାର କାର୍ଯ୍ୟ ଚାଲିଛି । ସରକାରୀ ଅଫିସରେ କେତେକ କର୍ମଚାରୀ ଉପସ୍ଥିତ ରହୁଛନ୍ତି । କିନ୍ତୁ ଦେଖିବାକୁ ମିଳୁଛି ପରୀକ୍ଷା ପରେ ବହୁସଂଖ୍ୟକ ସରକାରୀ କର୍ମଚାରୀଙ୍କ ଠାରେ ପଜିଟିଭ୍ ବାହାରୁଛି । ଏହାପରେ କେଉଁ ହସ୍‌ପିଟାଲରେ କାହାକୁ ଭର୍ତ୍ତି କରାଯାଉଛି ଆଉ କାହାକୁ କୋଭିଡ଼୍ ସେଣ୍ଟରରେ । କୋଭିଡ଼ରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ ପୃଥକ୍ ଶ୍ମଶାନ୍ ଓ କବ୍ରିସ୍ତାନ ତ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟସଂଗଠନର ବିଶେଷଜ୍ଞ ମତ ଦେଲେଣି ପବନରେ ମଧ୍ୟ ସଂକ୍ରମଣର ମଧ୍ୟ ସମ୍ଭାବନା ରହିଛି । ଏହି ମତକୁ ଗ୍ରହଣ କରିବାକୁ ହେବ । ଏହାର ଅର୍ଥ ଏହା ଯେ, ଜଣେ ଆଉ ଜଣକ ସହ କଥା ହେଉଛନ୍ତି ନିଶ୍ଚୟ ସେ ନିଶ୍ୱାସରେ ପବନ ଛାଡ଼ୁଛନ୍ତି । ସୂକ୍ଷ୍ମ କଣିକା ମାଧ୍ୟମରେ କରୋନା ଭାଇରସ୍ ସଂକ୍ରମଣ ହୋଇପାରେ ।

ଆରୋଗ୍ୟ ସେତୁ ଆପ୍ ଅପ୍‌ଡେଟ୍ କରୁଥିବା ଲୋକ କହୁଛନ୍ତି ନିଜ ଆଖପାଖର ସଂକ୍ରମଣ ସଂଖ୍ୟାକୁ ଦେଖି ସେ ଭୟଭିତ । କରୋନା ଯୋଗୁ ଲକ୍‌ଡାଉନ୍ କରାଗଲା । କିନ୍ତୁ ଭାଇରସ୍‌ର ସଂକ୍ରମଣ କମୁଛି ପୁଣି ବଢୁଛି । ଲୋକଙ୍କୁ ଭୟାତୁର କରାଯାଉଛି । ଏପରି ପ୍ରଚାର କରାଯାଉଛି ଯେ, ପଂଜାବର ପଦ୍ମଶ୍ରୀ ବିଜେତା ନିର୍ମଳ ସିଂହଖାଲ୍‌ସା, ଛତିଶଗଡ଼ର ଐତିହାସିକ ହରିପୁଦେବନ୍‌, ମରାଠି ଲେଖକ ରତ୍ନାକର, ଏମ୍‌ସର ଡାକ୍ତର ଜିତେନ୍ଦ୍ର ନାଥ ପାଣ୍ଡେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଏହିପରି ବଲିଉଡ୍‌ର ୱାଗିନ୍ ଖାନ୍‌, ଡିଏନ୍‌କେ ବିଧାୟକ ତଥା ଲେପ୍ଟନାଣ୍ଟ କର୍ଣ୍ଣେଲ୍ ରାଜମୋହନ ଭୋରା, ପୂର୍ବତନ ନିର୍ବାଚନ କମିଶନ ନିଳା ସତ୍ୟନାରାୟଣ, ବ୍ୟାଡ୍‌ମିଣ୍ଟନ୍ ଖେଳାଳୀ ସୀତାରାମ୍‌ଙ୍କ ଜୀବନ ଦୀପ ଲିଭିଯାଇଛି କରୋନା ସଂକ୍ରମଣ ଯୋଗୁଁ । ଏହିପରି ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ, ଉତ୍ତରପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ କମଲରାଣୀ ବରୁନ୍‌, ତେଲେଙ୍ଗାନାର ପୂର୍ବତନ ବିଧାୟକ ରାହାତ ଇନ୍ଦୋରି, ଚେତନ ଚୌହାନ୍‌ଙ୍କ ଭଳି ବ୍ୟକ୍ତିତ୍ୱଙ୍କର ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଛି ।

ତେବେ ଯେପରି ଭାବେ ଶାସନ ଓ ପ୍ରଶାସନ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଯାଇ ଯେଉଁ ପ୍ରଚାର ଅଭିଯାନକୁ ବ୍ୟାପକ କରାଯାଉଛି ତାହା ଦ୍ୱାରା ଲୋକ ସଚେତନତା ହେଉଛନ୍ତି ମଧ୍ୟ କିନ୍ତୁ ଅଧିକ ଭୟର ଶିକାର ହେଉଛନ୍ତି । ଏହାଦ୍ୱାରା ଏପରି ଅବସ୍ଥା ସୃଷ୍ଟି ହେଉଛି ଅନ୍ୟ ରୋଗରେ ପୀଡ଼ିତ ଲୋକ ଡାକ୍ତରଖାନାକୁ ଗଲେ ସେ ଚିକିତ୍ସା ସେବା ପାଉନି, ତାଙ୍କୁ କେହି ଛୁଉଁନାହାନ୍ତି, ସମସ୍ତେ ଦୂରତାର ନିୟମକୁ ପାଳନ କରୁଛନ୍ତି । ଫଳରେ କରୋନା ସଂକ୍ରମଣ ଯୋଗୁଁ ନୁହେଁ, ଅଧିକ ଭାବେ ହୃଦ୍‌ରୋଗୀ, କିଡ଼୍‌ନୀରେ ପୀଡ଼ିତ ରୋଗୀ ଏବଂ ସ୍ୱାସରୋଗରେ ଆକ୍ରାନ୍ତ ରୋଗୀ ମୃତ୍ୟୁର ଶିକାର ହେଉଛନ୍ତି । ଆଉ ଏକ ଭୟର ପ୍ରଚାର ସାମାଜିକ ଗଣମାଧ୍ୟମରେ ଅନିୟନ୍ତ୍ରିତ ଭାବେ ପ୍ରଚାର ହେଉଛି । ଲୋକ କହୁଛନ୍ତି ସାଧାରଣ ସର୍ଦ୍ଦି ବା ଥଣ୍ଡା ହେଲେ ପରୀକ୍ଷାରେ ବାହାରୁଛି କରୋନା ପଜିଟିଭ୍ । କିନ୍ତୁ ଲୋକ କଥାରେ ଏଭଳି ଭୟର ବାତାବରଣ ତିଆରି କରାଯାଉଛି ଯାହା ଦ୍ୱାରା ପଜିଟିଭ୍ ବାହାରିଥିବା ବ୍ୟକ୍ତି ଓ ତାଙ୍କ ପରିବାର ଠାରୁ ସମସ୍ତେ ଦୂରରେ ରହୁଛନ୍ତି । ଏପରିବି ଦେଖିବାକୁ ମିଳୁଛି ଯଦି ସ୍ୱାମୀର ପଜିଟିଭ୍ ବାହାରୁଛି ତେବେ ସ୍ତ୍ରୀ ତାଙ୍କୁ ଛୁଉଁନାହାନ୍ତି ଏବଂ ଶାଶୁଘର ଛାଡ଼ି ବାପଘରକୁ ପଳାଉଛନ୍ତି । ନିଜ ସନ୍ତାନଙ୍କର ଯଦି ବାହାରୁଛି ତେବେ ବାପ ହେଉ ଅବା ମା’ ସନ୍ତାନ ଠାରୁ ଦୂରରେ ରହୁଛନ୍ତି । ଏହା ସୋସିଆଲ୍ ଷ୍ଟିଗ୍‌ମାର ପରିଣାମ ବୋଲି କହିଲେ ଭୁଲ୍ ହେବନାହିଁ । କରୋନା ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ଦୂରତା ବଜାୟ ରଖାଯାଉ, କିନ୍ତୁ ଭୟର ବାତାବରଣ ତିଆରି କରାନଯାଉ । ଫଳରେ ବହୁ ସାଧାରଣ ଲୋକ ଭୟଭିତ ହୋଇ ମୃତ୍ୟୁର ଶିକାର ହେଉଛନ୍ତି!

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଦୂରଭାଷ: ୯୪୩୮୦୦୬୨୧୫