ଓଡ଼ିଶାରେ ଝୋଟ ଚାଷର ବିକାଶ ଦରକାର

ସୁଧାଂଶୁ ରଞ୍ଜନ ଦାସ

ପ୍ରକୃତି ଭିତ୍ତିକ ଅର୍ଥନୈତିକ ବିବିଧତାକୁ ନଷ୍ଟ କରିଦେଇ ଏକ କୃତ୍ରିମ ମନୋ-ସେକ୍ଟର ଭିତ୍ତିକ ଅର୍ଥନୀତିକୁ ବିଶ୍ୱର ଅନେକ ଦେଶ ଆବୋରି ନେଇଥିବାରୁ କରୋନା ମହାମାରୀ ସମୟରେ ସେମାନେ ନିଜ ଦେଶରେ ବଢୁଥିବା ବେରୋଜଗାରକୁ ରୋକି ପାରୁନାହାନ୍ତିI ନିକଟରେ ହୋଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ କରୋନା ମହାମାରୀର ଦ୍ଵିତୀୟ ପର୍ଯ୍ୟାୟ  ଭାରତରେ ୭.୩୫ ନିୟୁତ ଲୋକଙ୍କୁ ବେରୋଜଗାର କରିଛିI ଯଦିଓ କରୋନା ଓଡ଼ିଶାର ଆର୍ଥିକ ଗତିବିଧିଗୁଡିକୁ ଅନେକ ଜାଗାରେ ନିଶ୍ଚିହ୍ନ କରିଦେଇଛି। ଏହି ମହାମାରୀ ସମୟରେ ଓଡ଼ିଶାରେ କେତେଜଣ ବେରୋଜଗାର ହୋଇଛନ୍ତି ଏହାର କୌଣସି ସଠିକ ଆକଳନ ହୋଇନାହିଁI ମନୁଷ୍ୟ ଜୀବନକୁ ସୁରକ୍ଷିତ ରଖି କିଭଳି ବେରୋଜଗାରକୁ କାବୁ କରାଯାଇପାରିବ ସେଥିପାଇଁ ତୁରନ୍ତ ପଦକ୍ଷେପ ନନେଲେ କରୋନା ବିଭୀଷିକାର ଲହର ଓଡିଶାକୁ ସମ୍ପୂର୍ଣ୍ଣ ଗ୍ରାସ କରିଦେବ। ଓଡ଼ିଶାର ଅନେକ କୁଟୀର ଶିଳ୍ପ ଯେଉଁ ଗୁଡିକ କୃଷିଜାତ ପଦାର୍ଥ ଉପରେ ନିର୍ଭର କରି ଚାଲୁଥିଲା ସେଗୁଡିକୁ ପୁନରୁଦ୍ଧାର କଲେ ଏହା ଓ଼ଡିଶାରେ ଅନେକ ଚାଷୀ ଓ ସ୍ୱଳ୍ପ ଆୟ ଥିବା ଲୋକମାନଙ୍କୁ ସାହାଯ୍ୟ କରିବ।

ଝୋଟରେ ତିଆରି ଅନେକ ଘର ଉପଯୋଗୀ ପଦାର୍ଥ ଓ ବହୁତ ପ୍ରକାରର ସୌଖିନ ବସ୍ତୁ ଯଥା ପୋଷାକ, ଜୋତା, ଟୋପି, ଲୁଗା ଓ ବ୍ୟାଗ ଇତ୍ୟାଦିର ଚାହିଦା ବିଶ୍ୱ ବଜାରରେ ବହୁତ ଲୋକପ୍ରିୟ ହୋଇପାରିଛି। ଝୋଟରୁ ତିଆରି ସୌଖିନ ବସ୍ତୁଗୁଡ଼ିକ ଯଥା ଜ୍ୟାକେଟ, ଫ୍ଲୋରାଲ ମାକ୍ସି, ଫ୍ଲୋରାଲ କୁର୍ତା ଶାର୍ଟ, ମ୍ୟାଟ, ବାସ୍କେଟ, ଭାନିଟି ବ୍ୟାଗ, ଲ୍ୟାମ୍ପ ସେଡ,  ବାକ୍ସ ଓ କାର୍ପେଟ ଇତ୍ୟାଦି ସହ ସହ ବସ୍ତୁ ଆଜି ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିବା ବେଳେ ଓଡିଶା ସରକାର କୋଣାର୍କ ଝୋଟକଳଟିକୁ ପ୍ରଥମେ ବନ୍ଦ ଓ ପରେ ବିକ୍ରି କରିଦେଇଛନ୍ତି। ଝୋଟକଳଟି ଯେଉଁ କେତୋଟି ଲୋକଙ୍କର ପରିଚାଳନାଗତ ତ୍ରୁଟି କିମ୍ବା ଦୁର୍ନୀତି ଯୋଗୁଁ କ୍ଷତିଗ୍ରସ୍ତ ହେଉଥିଲା ସେମାନଙ୍କୁ ସରକାର ବେଳ ହୁଁ ବାହାର କରିଦେଇଥିଲେ ଆଜି ହୁଏତ କୋଣାର୍କ ଝୋଟକଳଟି ବଂଚି ରହିଥାନ୍ତା। ଝୋଟ ଓ ଝୋଟଜାତ ଦ୍ରବ୍ୟର ଚାହିଦା ବିଶ୍ୱ ବଜାରରେ ଏତେ ଅଧିକ ଯେ ଏହା ରାଜ୍ୟରେ ରୋଜଗାର ବଢାଇବା ସଂଗେ ସଂଗେ ଓଡିଶା ପାଇଁ ପ୍ରଚୁର ବିଦେଶୀ ମୁଦ୍ରା ଅର୍ଜନ କରିପାରିବ। କଳା ସଂସ୍କୃତିର ରାଜ୍ୟ ଓଡିଶା ଆଜିଭି ତାହାର କଳାତ୍ମକ ରଚନାକୁ ଓଡ଼ିଶାର ହଜାର ହଜାର ଶିଳ୍ପୀଙ୍କ ଭିତରେ ବଞ୍ଚାଇ ରଖିଛି। ଝୋଟ ଶିଳ୍ପର ଉର୍ନତି ପାଇଁ ଓଡ଼ିଆ ଶିଳ୍ପୀମାନେ ମଧ୍ୟ ନିଜକୁ ନିୟୋଜିତ କରିପାରିବେ। କେବଳ ଭାରତର ଘରୋଇ ବଜାରରେ ଝୋଟ ଓ ଝୋଟରେ ତିଆରି ବସ୍ତୁ ଗୁଡିକର ଚାହିଦା ଏତେ ଅଧିକ ଯେ  ଓଡିଶା ଏହାକୁ ଯୋଗାଇବା କଷ୍ଟକର ହୋଇପଡିବ।

୨୦୧୮ ରେ କେବଳ ଝୋଟରେ ତିଆରି ବ୍ୟାଗ ମାର୍କେଟର ଆକାର  ବିଶ୍ୱ ବଜାରରେ ୧୮୦ କୋଟି ଆମେରିକୀୟ ଡଲାର ଥିଲା ଓ ଏହି ଝୋଟ ବ୍ୟାଗ ମାର୍କେଟର ଆକାର ୨୦୨୪ରେ ୩୧୦ କୋଟି ଆମେରିକୀୟ ଡଲାର ହେବ ବୋଲି କୁହାଯାଏ। ଓଡ଼ିଶାର ଉପକୂଳବର୍ତ୍ତୀ ପୁରୀ, କେନ୍ଦ୍ରାପଡା, ଜଗତରସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାଗୁଡିକରେ ଏକଦା ପ୍ରଚୁର ଝୋଟଚାଷ ହେଉଥିଲା। ୧୯୭୦ ମସିହାରେ ଓଡ଼ିଶାରେ ୨୦ ଲକ୍ଷ ହେକଟରରୁ ଅଧିକ  ଜମିରେ ଝୋଟଚାଷ ହେଉଥିଲା। ଯେତେବେଳେ ଝୋଟଜାତ ଦ୍ରବ୍ୟର ଚାହିଦା ସାରାବିଶ୍ୱରେ ବଢିଚାଲିଛି ସେସମୟରେ ବର୍ଷ ୨୦୧୮-୧୯ରେ ଓଡ଼ିଶାରେ ଝୋଟଚାଷ କମି କମି ମାତ୍ର ୩.୯୯ ଲକ୍ଷ ହେକଟର ଜମିରେ ହେଉଛି ବୋଲି ଜଣାପଡେ।

ଆଜି ବଡ଼ ବଡ଼ ପ୍ରଗତିଶୀଳ ଦେଶ ଗୁଡିକରେ ପ୍ରକୃତିରୁ ମିଳୁଥିବା ଦ୍ରବ୍ୟ ଗୁଡିକରେ ତିଆରି ଜିନିଷଗୁଡ଼ିକର ବ୍ୟବହାର ବହୁଳ ଭାବରେ ହେଉଛି। ଗ୍ଲୋବାଲ ୱାର୍ମିଙ୍ଗର ଭୀଷଣ ପରିଣତି ବିଶ୍ୱ ବଜାରରରେ ଝୋଟରେ ତିଆରି ସାମଗ୍ରୀଗୁଡିକର ଚାହିଦା  ମଧ୍ୟ ବହୁତ ବଢ଼ାଇଦେଇଛି। ଏହି ପରିସ୍ଥିତିରେ ଓଡିଶା ତାର ଏହି ଝୋଟ ଚାଷକୁ ଯଦି ପୁନରୁଦ୍ଧାର କରନ୍ତା ତେବେ ଏହା ଓଡ଼ିଶାର ସାମୂହିକ ଅର୍ଥନୈତିକ ବିକାଶରେ ସହାୟକ ହୁଅନ୍ତା।

ଝୋଟ ଚାଷକୁ ବଢାଇବା ପାଇଁ ସରକାର ଏକ ସୁପରିକଳ୍ପିତ ଝୋଟ ବିକାଶ ନୀତି ତିଆରି କରିବା ଉଚିତ। ଯେଉଁ ଜିଲ୍ଲାଗୁଡିକରେ ଝୋଟଚାଷ ପାଇଁ ଅନୁକୂଳ ବାତାବରଣ ଅଛି ସେ ଜିଲ୍ଲାଗୁଡ଼ିକୁ ପ୍ରଥମେ ଚିହିଁତ କରି ସେଠାର ଚାଷୀମାନଙ୍କୁ ଝୋଟଚାଷ ପାଇଁ ତାଲିମ ଦେବା ଦରକାର। ବରିଷ୍ଠ ଝୋଟ ଚାଷୀମାନେ ଝୋଟଚାଷ ପାଇଁ ଯୁବପିଢ଼ିକୁ ମାର୍ଗଦର୍ଶନ ଦେଇପାରିବେ। ଚାଷ କାର୍ଯ୍ୟରେ କୌଣସି ପ୍ରତ୍ୟକ୍ଷ ଅନୁଭୂତି ନଥିବା ପୁସ୍ତକ କୀଟଙ୍କୁ କୃଷି ନୀତିଠାରୁ ଦୂରରେ ରଖିବା ଉଚିତ।

ଝୋଟରେ ତିଆରି ଉପକରଣ ଉତ୍କଳୀୟ ଶୈଳୀରେ ତିଆରି କରିବା ପାଇଁ ସରକାର ଏକ ଡିଜାଇନ ସେଣ୍ଟର କରି ଏଥିରେ ଓଡ଼ିଶାର ବରିଷ୍ଠ ଶିଳ୍ପୀମାନଙ୍କୁ ନିୟୋଜିତ କରିବା ଦରକାର। ଏହି ନୂତନ ଡିଜାଇନଗୁଡିକୁ ବହୁଳ ଭାବରେ ତିଆରି କରିବା ପାଇଁ ରାଜ୍ୟରେ ଥିବା ମହିଳା, ଯୁବପିଢ଼ି ଓ ଦିବ୍ୟାଙ୍ଗ ମାନଙ୍କୁ ତାଲିମ ଦେବା ଆବଶ୍ୟକ। ରାଜ୍ୟରେ ଥିବା ସଚୋଟ, କର୍ମଠ ଓ ଦକ୍ଷ  କାର୍ଯ୍ୟକର୍ତାଙ୍କ  ସହଯୋଗରେ ଓଡିଶୀ ଶୈଳୀରେ ତିଆରି ହେଇଥିବା ଏହି ଝୋଟଜାତ ଦ୍ରବ୍ୟଗୁଡିକ ବିଭିର୍ଣ୍ଣ ରାଜ୍ୟରେ ଓ ଦେଶ ବାହାରେ ବିକ୍ରୀ ହୋଇପାରିବ। ଓଡ଼ିଶାର ଶିକ୍ଷିତ ଯୁବପିଢ଼ିଙ୍କୁ ଏହି ଝୋଟ ତିଆରି ବସ୍ତୁଗୁଡ଼ିକୁ ୱେବସାଇଟ ମାଧ୍ୟମରେ କିଭଳି ବାହାର ଦେଶକୁ ରପ୍ତାନୀ କରାଯଇପାରିବ ସେ ବିଷୟରେ ତାଲିମ ଦେବା ମଧ୍ୟ ଦରକାର। ଯେକୌଣସି ଜିନିଷ ବାହାରେ ବିକ୍ରୀ କରିବା ପୂର୍ବରୁ ଏହାକୁ ନିଜ ରାଜ୍ୟରେ ଲୋକପ୍ରିୟ କରିବା ନିହାତି ଦରକାର। ଓଡିଶା ପ୍ରେମୀ ଜନସାଧାରଣ, ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ଓ ରାଜନୈତିକ ନେତାମାନେ ସଂକୀର୍ଣ୍ଣ ରାଜନୀତିକୁ ପଛରେ ପକାଇ ଓଡ଼ିଶାରେ ଝୋଟ ଶିଳ୍ପର ବିକାଶରେ ସହଯୋଗ କଲେ ଏହା ରାଜ୍ୟରେ ବେରୋଜଗାରକୁ ଲାଘବ କରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।