ରଙ୍ଗାଚରଣ ପ୍ରଧାନ
ଶ୍ରମ ନମନୀୟତା ହିଁ ଦେଶୀ ଓ ବିଦେଶୀ ପୁଞ୍ଜିଲଗାଣର ଏକମାତ୍ର ଚାବିକାଠି ବୋଲି ଏକ ଧାରଣା ବହୁ ଦିନରୁ ଜନମାନସରେ ସ୍ଥାପିତ କରି ଦିଆଯାଇ ସରିଛି। ଏବେ କିଛି ଦିନ ହେଲା ଆଉ ଏକ ଧାରଣା ସୄଷ୍ଟି କରାଯାଇଛି ଯେ ଅନେକ କମ୍ପାନୀ ଚୀନ୍ ପରିତ୍ୟାଗ କରି ଭିଏତନାମ୍, ବଙ୍ଗଳାଦେଶ, ତାଇଓ୍ବାନ୍ ଓ ଫିଲିପାଇନ୍ସ ଭଳି ଦେଶଗୁଡିକୁ ଚାଲିଯାଉଛନ୍ତି ଏବଂ ଭାରତରେ ଏହି ଶ୍ରମ ନମନୀୟତା ନାହିଁ ବୋଲି ସେମାନେ ଭାରତରେ ପୁଞ୍ଜିଲଗାଣ କରୁ ନାହାନ୍ତି। ଏହି ଧାରଣା ବଦ୍ଧମୂଳ ହେବା ପାଇଁ ପୂର୍ବରୁ ଏଥିପାଇଁ କୌଣସି ସର୍ବେକ୍ଷଣ ହୋଇନାହିଁ। ତେବେ ଆମେ ଆମ ଆଖିଆଗରେ ଥିବା ସୀମିତ ଉଦାହରଣକୁ ଦେଖି ନିଜକୁ ପଚାରିପାରିବା ଯେ ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ ଓ ଦିଲ୍ଲୀ ଭଳି ଯେଉଁ ସବୁ ରାଜ୍ୟଗୁଡିକ ଅଧିକ ଦେଶୀ ଓ ବିଦେଶୀ ପୁଞ୍ଜି ଆକର୍ଷଣ କରି ଶିଳ୍ପୋନ୍ନତ ହୋଇଛନ୍ତି ସେଠାରେ କ'ଣ କିଛି ଅଧିକ ଓ ସ୍ବତନ୍ତ୍ର ଶ୍ରମ ନମନୀୟତା ଅଛି କି? ତାହା ତ ନୁହେଁ।
ଯଦି ଆପଣ ମିଳୁଥିବା ଖବରକୁ ଟିକେ ନିରେଖି ଦେଖୁଥିବେ ତା'ହେଲେ ଜାଣିଥିବେ ଯେ ଚୀନରୁ କମ୍ପାନୀଗୁଡିକ ଛାଡ଼ି ଆସିବାର କାରଣ ନୂହେଁ ଯେ ସେଠାରେ ହଠାତ୍ ଶ୍ରମ ନମନୀୟତାର ଅଭାବ ହୋଇଛି। ସେଥିପାଇଁ ଅସଲ କାରଣ ହେଉଛି ଭୂ-ରାଜନୈତିକ ଓ ମୁଖ୍ୟତଃ ଆମେରିକା ଓ ଚୀନ୍ ମଧ୍ୟରେ ଥିବା ରାଜନୈତିକ ବିବାଦ। କୌଣସି ବିଦେଶୀ କମ୍ପାନୀ ଗୋଟିଏ ଦେଶରେ ପୁଞ୍ଜିଲଗାଣ କରିବା ପୂର୍ବରୁ ଲାଭକ୍ଷତି ଓ ଆଉ ସବୁ ବିଷୟ ସହିତ ଅନ୍ୟ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକ ଉପରେ ନଜର ରଖିବ ତାହା ହେଉଛି ସେ ଦେଶର ରାଜନୈତିକ ସ୍ଥିରତା, ସରକାରୀ ଆର୍ଥିକ ନୀତିର ନିରନ୍ତରତା ଓ ପ୍ରତ୍ୟାଶିତତା। ସେ ଚାହିଁବ ଯେ ଦେଶରେ ଆଜି ରହିଥିବା ଯେଉଁସବୁ ଆର୍ଥିକ ନୀତି ଦେଖି ସେ ପୁଞ୍ଜି ଲଗେଇବାକୁ ଯାଉଛି ପରେ ଯେମିତି ତାହା ବେଶି ବଦଳି ନଯିବ। ଅତୀତରେ ହଠାତ୍ ଆଇନ୍ ସଂଶୋଧନ କରି ୟୁପିଏ ସରକାର ଯେପରି ଭାବେ ବିଦେଶୀ ଟେଲିକମ୍ କମ୍ପାନୀ ଭୋଡାଫୋନଠାରୁ ପିଛିଲା ବର୍ଷରୁ ଦେୟ ଆଦାୟ କରିବାକୁ କହିଥିଲା ତାହା ବିଦେଶୀ ପୁଞ୍ଜିନିବେଶକଙ୍କୁ ହତୋତ୍ସାହିତ କରିଥିଲା। ୨୦୧୬ ମସିହାରେ ଭାରତ ସରକାର ଯେପରି ଅତି ଅତର୍କିତ ଭାବେ ବିମୁଦ୍ରାୟନ ଭଳି ଏକ ବିରାଟ ଆର୍ଥିକ ପରିଣାମଜନକ ନିଷ୍ପତ୍ତି ନେଇଥିଲେ ତାହା କୌଣସି ବିଦେଶୀ ପୁଞ୍ଜିଲଗାଣକାରୀଙ୍କୁ ଆଦୌ ଖୁସି କରି ନଥିବ। ତେଣୁ ଚୀନ୍ ଛାଡୁଥିବା କମ୍ପାନୀଗୁଡିକ ଭାରତକୁ ଆସିବା ନେଇ ଆଶାବାଦୀ ହେବା ପୂର୍ବରୁ ଆମକୁ ଆଉଥରେ ଭାରତର ପରିସ୍ଥିତ ବିଷୟରେ ନିଶ୍ଚୟ ଅବଗତ ହେବାକୁ ପଡିବ।
ବଙ୍ଗଳାଦେଶ ଓ ଭିଏତନାମ୍ କିମ୍ବା ଅନ୍ୟ ଯେଉଁ କେତେକ ଦେଶରେ ଚୀନ୍ ଛାଡୁଥିବା କମ୍ପାନୀଗୁଡିକ ପୁଞ୍ଜିନିବେଶ କରୁଛନ୍ତି ସେଗୁଡିକ ଆୟତନରେ ଭାରତର ଅନେକଗୁଡିଏ ପ୍ରଦେଶଠାରୁ ବି ଛୋଟ। ଗତ ଦୁଇ ବର୍ଷରେ ଯେଉଁ ୫୪ଟି କମ୍ପାନୀ ଚୀନ୍ ଛାଡିଥିଲେ ସେଥିରୁ ମାତ୍ର ୬% କମ୍ପାନୀ ଭାରତକୁ ଆସି ସାରିଛନ୍ତି। ବାକୀ କମ୍ପାନୀସବୁ ଅନ୍ୟ ଯେଉଁସବୁ ଦେଶକୁ ଯାଇଛନ୍ତି ତାହାର କାରଣ ହେଉଛି ସେସବୁ ଦେଶରେ ଭିତ୍ତିଭୂମି ବହୁତ ମଜଭୁତ୍। ଏମିତି ବି ଆଜି ସୁଦ୍ଧା ଅନେକ ଚୀନ୍ ଛାଡିଥିବା କମ୍ପାନୀ ଚୀନ୍କୁ ଫେରି ସାରିଛନ୍ତି।
ଭାରତର ନିଜସ୍ୱ ଆଭ୍ୟନ୍ତରୀଣ ବଜାର ଓ ପୁଞ୍ଜିଲଗାଣର ଆବଶ୍ୟକତା ମଧ୍ୟ ବହୁତ ବଡ଼। ମାତ୍ର କରୋନା ସଂକ୍ରମଣ ଆରମ୍ଭ ପୂର୍ବରୁ ଭାରତ ଏକ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ଦେଇ ଗତି କରୁଥିଲା ଯେତେବେଳେ ବଜାରରେ ଦ୍ରବ୍ୟ ଓ ସେବା ପାଇଁ ଚାହିଦା ନଥିଲା। ନଥିଲା ବି ଦେଶୀୟ କମ୍ପାନୀମାନଙ୍କର ବ୍ୟାଙ୍କରୁ ୠଣ ନେଇ ପୁଞ୍ଜି ଲଗାଇବାର ଆଗ୍ରହ। ବ୍ୟାଙ୍କଗୁଡିକ ଜମାକାରୀଙ୍କଠାରୁ ସଂଗୄହୀତ ଟଙ୍କାକୁ ନିଜ ପାଖରେ ଅବ୍ୟବହୄତ ଭାବେ ନ ରଖି ରିଜର୍ଭ ବ୍ୟାଙ୍କରେ ଠୁଳ କରୁଥିଲେ। ଗତ ଫେବୄଆରୀ ମାସ ଶେଷରେ ଏହି ଟଙ୍କାର ପରିମାଣ ୩୯୯୮୩ କୋଟି ଥିବାବେଳେ ମଇ ମାସ ୫ ତାରିଖ ସୁଦ୍ଧା ତାହା ୮୫୩୨୮୨ କୋଟିରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ଦ୍ୱାରା ଦେଶର ୭୦୧ଟି ମାନୁଫାକ୍ଚରିଂ କମ୍ପାନୀଗୁଡିକରୁ ସଂଗୄହୀତ ତଥ୍ୟରୁ ଜଣା ଯାଇଥିଲା ଯେ ଗତ ଅକ୍ଟୋବର-ଡିସେମ୍ବର ମଧ୍ୟରେ ସେଗୁଡିକ ନିଜର ଉତ୍ପାଦନ କ୍ଷମତାର ମାତ୍ର ୬୮.୬ ଉପଯୋଗ କରୁଛନ୍ତି। ସରକାର ଦେଶରେ ଲୋକଙ୍କର କ୍ରୟଶକ୍ତି ଓ ବଜାରରେ ଚାହିଦା ବଢ଼ାଇବା ଜନିତ ସମସ୍ୟା ପ୍ରତି ଧ୍ୟାନ ନ ଦେଇ ବାରମ୍ବାର ଯୋଗାଣ ପକ୍ଷକୁ ସୁଦୄଢ କରିବା ଚେଷ୍ଟାରେ ଅଛନ୍ତି। ସେହି ଉଦ୍ଦେଶ୍ୟରେ ସରକାର ଗତ ସେପ୍ଟେମ୍ବର ମାସରେ କମ୍ପାନୀମାନଙ୍କ ପାଇଁ ୧.୪୫ ଲକ୍ଷ କୋଟି ଟଙ୍କାର ଟିକସ ରିହାତି ଘୋଷଣା କରିଥିଲେ। ମାତ୍ର ତାହା ଉତ୍ପାଦନ, ନିଯୁକ୍ତି କିମ୍ବା ପୁଞ୍ଜିଲଗାଣ ଉପରେ ସାମାନ୍ୟ ପ୍ରଭାବ ବି ପକାଇଲା ନାହିଁ। ଯଦି ଚାହିଦାର ଅଭାବ ଜନିତ ମୂଳ ସମସ୍ୟାର ସମାଧାନ ହୁଅନ୍ତା ତେବେ ଅଧିକ ରୋଜଗାର ସୄଷ୍ଟି ହୁଅନ୍ତା। କିନ୍ତୁ ଏବେ ସରକାର ପୁଣି ଥରେ ଶ୍ରମ ନମନୀୟତା ନାଁରେ ଯୋଗାଣ ପକ୍ଷକୁ ଖୁସୀ କରିବା ପାଇଁ ଶ୍ରମିକମାନଙ୍କ ପ୍ରତି ଚରମ ଅବିଚାର କରିବାକୁ ଯାଉଛନ୍ତି।
ବିଦେଶୀ ପୁଞ୍ଜି ଲଗାଣକାରୀମାନେ କୌଣସି ଦେଶରେ ପୁଞ୍ଜିଲଗାଇବା ପୁର୍ବରୁ ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ 'ଇଜ୍ ଅଫ୍ ବିଜିନେସ' ତାଲିକାରେ ସେହି ଦେଶର ପାହ୍ୟା ମଧ୍ୟ ଦେଖନ୍ତି। ଏହି ତାଲିକାରେ ଭାରତର ପାହ୍ୟା ଏବେ ବି ୬୩ ଥିବା ଯୋଗୁଁ ଏହା ଏକ ପ୍ରମୁଖ ପୁଞ୍ଜି ଆକର୍ଷଣକାରୀ ଦେଶ ନୁହେଁ। ତା'ଛଡା 'ଇଜ୍ ଅଫ୍ ବିଜିନେସ୍'ରେ ପାହ୍ୟା ନିର୍ଦ୍ଧାରଣ ପାଇଁ ଯେଉଁ ଦଶଟି ବିଷୟକୁ ବିଚାରକୁ ନିଆଯାଏ ସେଗୁଡିକ ମଧ୍ୟରେ ଶ୍ରମ ନମନୀୟତା ନାହିଁ। ତଥାପି ଏହି ଶ୍ରମ ନମନୀୟତା ନାଁରେ ସରକାର ପୁଞ୍ଜି ଆକର୍ଷଣ କରିବାକୁ ଯାଉଛନ୍ତି।
ନିକଟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜୁରାଟ ଭଳି ତିନୋଟି ବିଜେପି ଶାସିତ ରାଜ୍ୟ ଚୀନରୁ ପୁଞ୍ଜି ଆକର୍ଷଣର ଦ୍ୱାହି ଦେଇ ନିଜ ନିଜ ରାଜ୍ୟର ଶ୍ରମ ଆଇନରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି ଯାହାକୁ ଅନେକ ଶ୍ରମ ନମନୀୟତା କିମ୍ବା ସଂସ୍କାର ବୋଲି କହୁଛନ୍ତି। ଉତ୍ତରପ୍ରଦେଶ କ୍ଷେତ୍ରରେ ଆଇନ୍ ପରିର୍ତ୍ତନ ହୋଇଛି କହିଲେ ଭୁଲ୍ ହେବ। ବରଂ ସେମାନେ ପ୍ରାୟ ସମସ୍ତ ଶ୍ରମ ଆଇନକୁ ଏକାବେଳକେ କାଢ଼ି ନେଇଛନ୍ତି।
କେତେକ କହିପାରନ୍ତି ଯେ କରୋନା ସଂକ୍ରମଣ ଯୋଗୁଁ ଉତ୍ତରପ୍ରଦେଶର ଅନେକ ଶ୍ରମିକ ଅନ୍ୟ ରାଜ୍ୟଗୁଡିକରୁ ଫେରିବା ପରେ ସେଠାରେ ବର୍ତ୍ତମାନ ଏପରି ନିଷ୍ପତ୍ତି ନେବା ସମୟୋପଯୋଗୀ ହୋଇ ପଡ଼ିଥିଲା। କାରଣ ଏହା ଦ୍ୱାରା କୁଆଡ଼େ ରାଜ୍ୟରେ ବ୍ୟାପକ ପୁଞ୍ଜି ଆକର୍ଷଣ ଜରିଆରେ ଶିଳ୍ପାୟନ ବଢ଼ିବ ଓ ରାଜ୍ୟର ଶ୍ରମିକଙ୍କୁ ରାଜ୍ୟରେ ହିଁ କାମ ମିଳିପାରିବ।
ତେବେ ଏପରି ଯୁକ୍ତିକୁ ଗ୍ରହଣ କରିବା ପୁର୍ବରୁ ଉତ୍ତରପ୍ରଦେଶ ଓ ଉପରଲିଖିତ ଚାରୋଟି ଶିଳ୍ପୋନ୍ନତ ରାଜ୍ୟଗୁଡିକର ବସ୍ତୁସ୍ଥିତି ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ପ୍ରତି ନଜର ଦେବାକୁ ପଡିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ହେଉଛି ସଡ଼କ ଓ ବିଜୁଳି ଭଳି ଶିଳ୍ପାୟନ ପାଇଁ ଆବଶ୍ୟକ ଉପଯୁକ୍ତ ଭିତ୍ତିଭୂମି। ଉତ୍ତରପ୍ରଦେଶ ସରକାର ଘରୋଇ ଉପଭୋକ୍ତାମାନଙ୍କୁ ମଧ୍ୟ ଦୈନିକ ବାର ଘଣ୍ଟା ବିଜୁଳି ଯୋଗାଇ ପାରନ୍ତିନାହିଁ। ଉତ୍ତରପ୍ରଦେଶରେ ସାଂପ୍ରଦାୟିକ ଓ ଜାତିଗତ ହିଂସା ଏବଂ ରାଜନୈତିକ ଗୁଣ୍ଡାଗିରିର ସ୍ତର ଯାହା ସେଥିରେ କୌଣସି କମ୍ପାନୀ ସେଠାରେ ପୁଞ୍ଜି ଲଗାଇବା ପୂର୍ବରୁ ବାରମ୍ବାର ଭାବିବ। ଏହାର ମଧ୍ୟ ସମ୍ଭାବନା ଅଛି ଯେ ସମସ୍ତ ଶ୍ରମ ଆଇନ୍ ବାତିଲ ହେବା ପରେ ଅସୁଖୀ, ଅସନ୍ତୁଷ୍ଟ ଓ ସ୍ୱଳ୍ପ ବେତନଭୋଗୀ ଶ୍ରମିକଙ୍କର ନିମ୍ନ ଉତ୍ପାଦନଶକ୍ତି ଓ ତଦଜନିତ ଶ୍ରମିକ ଅଶାନ୍ତି ଯୋଗୁଁ ଉତ୍ତରପ୍ରଦେଶ ପୁଞ୍ଜିଲଗାଣକାରୀଙ୍କ ପାଇଁ ଆକର୍ଷଣକାରୀ ହେବ ନାହିଁ। ପୁଞ୍ଜିନିବେଶକାରୀମାନେ ଶ୍ରମ ନମନୀୟତା ଅପେକ୍ଷା ସନ୍ତୁଷ୍ଟ ଓ ଅଧିକ ଉତ୍ପାଦିକା ଶକ୍ତି ଥିବା ଶ୍ରମିକ ଚାହାନ୍ତି। ଶସ୍ତା, ଭୋକିଲା ଓ ଅସୁଖୀ ଶ୍ରମିକ ନୁହେଁ। ସେହିପରି ଶ୍ରମିକମାନଙ୍କ ଦୄଷ୍ଟିକୋଣରୁ ଯଦି ଦେଖିବା ତେବେ ଅଧିକ ଶିଳ୍ପ ଥିବା ରାଜ୍ୟଗୁଡିକର ଶ୍ରମ ଆଇନ୍ ଦେଉଥିବା ଚାକିରୀର ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧା ଉତ୍ତରପ୍ରଦେଶର କୁଶଳୀ ଓ ମେହନତୀ ଶ୍ରମିକମାନଙ୍କୁ ଏବେ ବି ଆକର୍ଷିତ କରିବ।
ବୋନସ ଆଇନ୍, ଭବିଷ୍ୟନିଧି ଆଇନ୍, ଗ୍ରାଚ୍ୟୁଟି ଆଇନ୍, ବେତନ ପ୍ରଦାନ ଆଇନ୍, ଆଠ ଘଣ୍ଟା କାମ କରିବାର ଆଇନ୍, ଚାକିରୀର ସ୍ଥାୟୀତ୍ୱ ସମ୍ବନ୍ଧୀୟ ଆଇନ୍ ଓ କାରଖାନା ପରିସରରେ ପିଇବା ପାଣି ଏବଂ ପରିସ୍ରାଗାର ଭଳି ମୌଳିକ ଆବଶ୍ୟକତା ଯୋଗାଇବା ସମ୍ବନ୍ଧୀୟ ଆଇନଗୁଡିକୁ ହଟାଇବା ସର୍ତ୍ତରେ ଯେ ବିଦେଶୀ ପୁଞ୍ଜିଲଗାଣକାରୀମାନେ ପୁଞ୍ଜି ଲଗାଇବାକୁ ରାଜି ଅଛନ୍ତି ଏପରି ଭାବିବାର କୌଣସି ଆଧାର ନାହିଁ। ମାଲିକ ସହ ମୁଲଚାଲ ପାଇଁ ୟୁନିଅନ୍ ଗଠନର ଆଇନକୁ ଉଠାଇ ଦିଆଯାଇଛି। ସେପଟେ ସରକାରୀ ଇନସପେକ୍ଟରଙ୍କ ଦ୍ୱାରା କାରଖାନା ପରିଦର୍ଶନର ପ୍ରାବଧାନକୁ ମଧ୍ୟ ହଟାଇ ଦିଆଯାଇଛି। ଠିକା ଶ୍ରମିକ ପ୍ରଥାକୁ ନିରୁତ୍ସାହିତ କରିବା ପାଇଁ ଓ ନିୟନ୍ତ୍ରଣ କରିବା ପାଇଁ ଥିବା ଆଇନକୁ ମଧ୍ୟ କାଢ଼ି ନିଆଯାଇଛି। ଆଜି ଚାକିରୀ ଅଛି, କାଲିକୁ ଅଛି କି ନାହିଁ ଜଣା ନାହିଁ। ଚାକିରୀ ଚାଲିଯିବା ଭୟରେ ଶ୍ରମିକ ଦିନକୁ ଷୋହଳ ଘଣ୍ଟା ଖଟିଲେ ମଧ୍ୟ ଓଭରଟାଇମ୍ ବାବଦରେ ଟଙ୍କା ମାଗିବ ନାହିଁ। ସେମାନଙ୍କ ପାଇଁ ନା ରହିବ ବଞ୍ଚିରହିବା ପାଇଁ ଆର୍ଥିକ ସାଧନ ନା ଭବିଷ୍ୟତ ପାଇଁ ଆଶା। ବିଦେଶୀ ପୁଞ୍ଜିନିବେଶକାରୀଙ୍କ ନିଜ ଦେଶରେ କ'ଣ ଶ୍ରମିକମାନଙ୍କର ଏହି ଅବସ୍ଥା ଅଛି ? ଏହା ପୂର୍ବରୁ ଚୀନ୍ରେ ବି କ'ଣ ଶ୍ରମିକମାନଙ୍କର ଏହି ଅବସ୍ଥା ଥିଲା ଯେଉଁଥିପାଇଁ ସେହି ଦେଶ ବିଦେଶୀ ପୁଞ୍ଜି ଆକର୍ଷିତ କରିଥିଲା?
ତା' ଛଡା ଏପରି ନିଷ୍ପତ୍ତିର ଯେଉଁପ୍ରକାର ବି ପରିଣାମ ଥାଉ ନା କାହିଁକି କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବର୍ତ୍ତମାନ ଉଭୟ ଆନ୍ତର୍ଜାତିକ ଓ ଦେଶ ଭିତରେ ଯେପରି ପରିସ୍ଥିତି ସୄଷ୍ଟି ହୋଇଛି ସେଥିରେ ଆଉ ମାସକ ପରେ କ'ଣ ହେବ ତାହା ଏବେଠାରୁ ଅନୁମାନ କରିବା ଅସମ୍ଭବ। ଅନ୍ୟ ରାଜ୍ୟରୁ ରାଜ୍ୟାନ୍ତର ହୋଇ ଆସିଥିବା ଶ୍ରମିକମାନଙ୍କ ଯୋଗୁଁ କୌଣସି ରାଜ୍ୟରେ ଶ୍ରମବହୁଳତା ଓ ଉତ୍କଟ ବେକାରୀ ଦେଖା ଦେବା ପରିସ୍ଥିତିରେ ସେ ରାଜ୍ୟର ମାଲିକମାନେ ଏହାର ସୁଯୋଗ ନେଇ ଶସ୍ତାରେ ଓ ଯେକୌଣସି ସର୍ତ୍ତରେ ଶ୍ରମିକଙ୍କୁ ଖଟାଇବା ପାଇଁ ସୁଯୋଗ ନେବେ। ସେଠାରେ ସରକାରଙ୍କ ପ୍ରାଥମିକତା ହେବା ଉଚିତ୍ ଯେ ସେମାନେ ଅତି କମରେ ବିଦ୍ୟମାନ ଶ୍ରମ ଆଇନଗୁଡିକ ଦ୍ୱାରା ଶ୍ରମିକମାନଙ୍କୁ ଶୋଷଣରୁ ବଞ୍ଚାଇବେ। କିନ୍ତୁ ଏହି ସମୟରେ ଶ୍ରମିକକୁ ସୁରକ୍ଷା ଦେବା ପାଇଁ ଥିବା ସମସ୍ତ ଆଇନ୍ କାଢି ନେବା ଦ୍ୱାରା ଓ ଶସ୍ତା, ମଜବୁର୍ ଓ ଅସହାୟ ଶ୍ରମିକ ବହୁ ସଂଖ୍ୟାରେ ମିଳୁଥିବାରୁ ସେମାନଙ୍କୁ ମାଲିକମାନଙ୍କ ଶୋଷଣ ପାଇଁ ଛାଡିଦେବା ହେଉଛି ସରକାରଙ୍କର ଶଠତା। ଯେତେବେଳେ ସରକାର ହଠାତ୍ ବିନା ଆଲୋଚନାରେ ଏତେ ଦିନରୁ ଥିବା ଓ ବହୁ ସଂଘର୍ଷରୁ ଉପଲବ୍ଧ ଏତେ ସଂଖ୍ୟକ ଶ୍ରମିକ ମଙ୍ଗଳ ଆଇନକୁ ଏକ ଅଧ୍ୟାଦେଶ ଦ୍ୱାରା କାଢ଼ିନେଉଛି ସେତେବେଳେ ଏହି ଶଠତା ଆହୁରି ଗମ୍ଭୀର ମନେହେବ। ଏହା ଯେ କୌଣସି ଆର୍ଥିକ, ସାମାଜିକ ଓ ନୈତିକ ବିଚାରର ପରିପନ୍ଥୀ।
ଦେଶ ପାଇଁ ଇନଭେଷ୍ଟମେଣ୍ଟ ନିଶ୍ଚୟ ଜରୁରୀ। ମାତ୍ର ସେହି ଇନଭେଷ୍ଟମେଣ୍ଟର ମୂଲ୍ୟ କ'ଣ ଯେଉଁଠାରେ ଶ୍ରମିକ ଓ କର୍ମଚାରୀ ନିଜର ଆର୍ଥିକ ସ୍ୱାର୍ଥ, ମଣିଷ ଭଳି ବଞ୍ଚିବା ପାଇଁ ଆବଶ୍ୟକ ସାମାନ୍ୟତମ ସମ୍ମାନ ପାଇପାରୁ ନଥିବ ? ଇନଭେଷ୍ଟମେଣ୍ଟ ପାଇଁ ନିଯୁକ୍ତି ନା ନିଯୁକ୍ତି ପାଇଁ ଇନଭେଷ୍ଟମେଣ୍ଟ ଆବଶ୍ୟକ ?
ଓଡ଼ିଶା ସରକାର ମଧ୍ୟ ଶ୍ରମିକମାନଙ୍କର ଦୈନିକ କାମ କରିବାର ସମୟକୁ ବାର ଘଣ୍ଟା କରିଛନ୍ତି ଏବଂ ଆଠଘଣ୍ଟା ପରେ ଅବଶିଷ୍ଟ ଚାରି ଘଣ୍ଟା ଓଭରଟାଇମ୍ ପାଇଁ ଦୁଇଗୁଣ ହାରର ବେତନ ଦେବା କଥା କହିଛନ୍ତି। ଏହି ନିୟମ ଆଗରୁ ବି ଥିଲା। ଶ୍ରମିକମାନେ ଅଧିକ ଉପାର୍ଜନ ପାଇଁ ଓଭରଟାଇମ ଚାହିଁଥାନ୍ତି। ବରଂ କେତେକ ସିକ୍ୟୁରିଟି ସଂସ୍ଥା ଭଳି ଅନେକ ସଂସ୍ଥାରେ ସ୍ୱଳ୍ପ ଦରମା ଯୋଗୁଁ ଶ୍ରମିକମାନେ ବର୍ଷ ତମାମ ୧୨ ଘଣ୍ଟା କିମ୍ବା ୧୬ ଘଣ୍ଟା ଖଟିଥାନ୍ତି ଯେଉଁଠି ସେମାନଙ୍କୁ ଓଭରଟାଇମ୍ ବାବଦରେ ଦୁଇଗୁଣ ହାରରେ ବେତନ ମିଳି ନ ଥାଏ। ଏବେ କରୋନା ସଂକ୍ରମଣ ସମୟରେ କେଉଁ ଘରୋଇ ସଂସ୍ଥା ପୂର୍ଣ୍ଣ କ୍ଷମତାରେ ଚାଲିଛି ଓ ସେମାନଙ୍କୁ ଶ୍ରମିକ ଅଭାବ ହେଉଛି ଯେ ଓଡ଼ିଶା ସରକାର ଏପରି ଘୋଷଣା କରି ଅଳ୍ପ ଶ୍ରମିକଙ୍କୁ ଅଧିକ ସମୟ ପାଇଁ ଖଟାଇବା ପାଇଁ ସୁବିଧା କଲେ ତାହା ବୁଝା ପଡୁନାହିଁ। ଇଏ ଆଉ ଉତ୍ତରପ୍ରଦେଶ ଦେଖାଇଥିବା ମାର୍ଗରେ ଯିବା ପାଇଁ ପ୍ରଥମ ପଦକ୍ଷେପ ନୂହେଁ ତ ?
ତେବେ ସେ ଯାହା ହେଉ ଶ୍ରମିକମାନଙ୍କର ସମସ୍ତ ଅଧିକାର ଲୁଣ୍ଠନ କରି ଶ୍ରମ ନମନୀୟତା ମାଧ୍ୟମରେ ପୁଞ୍ଜିନିବେଶ ଆଶା କରିବା ଓ ତାହା ଦ୍ୱାରା ଶ୍ରମିକ ଓ ସମାଜର ମଙ୍ଗଳ ଖୋଜିବା, ଅଶି ଦଶକରେ ଆମେରିକା ଦ୍ୱାରା ଇରାକରୁ ତଥାକଥିତ ଗଣବିଧ୍ୱଂସୀ ଅସ୍ତ୍ର ଖୋଜିବା ଭଳି ନ ହେଉ।
ମୋ-୮୨୪୯୧୬୧୭୨୩
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।