Advertisment

ଦୁନିଆର ସବୁ ସରକାର ଏକହୁଅ

ମାୟାଧର ନାୟକ ସାରା ବିଶ୍ୱରେ କରୋନା-ବିସ୍ଫୋରଣ ଯେଭଳି ଭାବରେ ମାଡ଼ିଚାଲିଛି ତାକୁ ରୋକି ହେବକି ନାହିଁ – ସବୁଠାରୁ ବଡ଼ ପ୍ରଶ୍ନ। ବର୍ତ୍ତମାନ ପର୍ଯ୍ୟନ୍ତ ମାସ୍କ, ସାମାଜିକ ଦୂରତ୍ୱ, ସାନିଟାଇଜେସନ୍ ରକ୍ଷାକବଚ ଭାବେ ବ୍ୟବହାର କରାଯାଉଛି। କରୋନା ମହାମାରୀରେ ଜୀବନ ରକ୍ଷାକାରୀ ଔଷଧ, ଭାକ୍‌ସିନ୍‌, ଅମ୍ଳଜାନ, ଭେଂଟିଲେଟର୍‌, ହସ୍‌ପିଟାଲରେ ବେଡ୍ ପ୍ରମୁଖ ଯାହା କିଛି ଆବଶ୍ୟକ ତାହା ପର୍ଯ୍ୟାପ୍ତ ପରିମାଣରେ ସବୁ ଦେଶରେ ନାହିଁ। ପୂର୍ବରୁ ବିଶ୍ୱବାସୀ ସ୍ୱାସ୍ଥ୍ୟ ବିଭାଗ ପ୍ରତି ଏତେ ଦୃଷ୍ଟି ଦେଉନଥିଲେ। ଅଧିକାଂଶ […]

author-image
Debendra Prusty
ଦୁନିଆର ସବୁ ସରକାର ଏକହୁଅ

corona situation

ମାୟାଧର ନାୟକ

ସାରା ବିଶ୍ୱରେ କରୋନା-ବିସ୍ଫୋରଣ ଯେଭଳି ଭାବରେ ମାଡ଼ିଚାଲିଛି ତାକୁ ରୋକି ହେବକି ନାହିଁ – ସବୁଠାରୁ ବଡ଼ ପ୍ରଶ୍ନ। ବର୍ତ୍ତମାନ ପର୍ଯ୍ୟନ୍ତ ମାସ୍କ, ସାମାଜିକ ଦୂରତ୍ୱ, ସାନିଟାଇଜେସନ୍ ରକ୍ଷାକବଚ ଭାବେ ବ୍ୟବହାର କରାଯାଉଛି। କରୋନା ମହାମାରୀରେ ଜୀବନ ରକ୍ଷାକାରୀ ଔଷଧ, ଭାକ୍‌ସିନ୍‌, ଅମ୍ଳଜାନ, ଭେଂଟିଲେଟର୍‌, ହସ୍‌ପିଟାଲରେ ବେଡ୍ ପ୍ରମୁଖ ଯାହା କିଛି ଆବଶ୍ୟକ ତାହା ପର୍ଯ୍ୟାପ୍ତ ପରିମାଣରେ ସବୁ ଦେଶରେ ନାହିଁ। ପୂର୍ବରୁ ବିଶ୍ୱବାସୀ ସ୍ୱାସ୍ଥ୍ୟ ବିଭାଗ ପ୍ରତି ଏତେ ଦୃଷ୍ଟି ଦେଉନଥିଲେ। ଅଧିକାଂଶ ଦେଶରେ ଡାକ୍ତରଖାନା ମଧ୍ୟ ସବୁ ଲୋକଙ୍କ ହାତପାଆନ୍ତାରେ ନଥିଲା। ହଠାତ୍ ବିପଦ ପଡ଼ିବାରୁ ବର୍ତମାନ କୋଭିଡ୍ ଡାକ୍ତରଖାନା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛେ। ସବୁଠି ନାଇଁ ନାଇଁର ଆର୍ତ୍ତଚିତ୍କାର।

Advertisment

ଆମ ଦେଶରେ ପ୍ରଥମେ ପ୍ରଥମେ କରୋନା ବିରୋଧୀ ମହାଯୁଦ୍ଧରେ କିଛିଟା ସଫଳ ହୋଇଥିଲେ। କିନ୍ତୁ କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କ ହୋସ୍ ଉଡ଼ାଇଦେଲାଣି। ଆମ ଦେଶର ବଡ଼ପଣ୍ଡାମାନେ ଯାହା କୁହନ୍ତି ତାହା ଠିକ୍ ଭାବେ କାର୍ଯ୍ୟକାରୀ କରିପାରନ୍ତିନାହିଁ। କୁମ୍ଭମେଳାଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାରବେଳେ କେନ୍ଦ୍ର ଓ ରାଜ୍ୟ ସରକାର ନେତାମାନେ ସବୁ ଘୋଷଣାକୁ ଉଲ୍ଲଘଂନ କରି କରୋନା ମହାମାରୀକୁ ନିମନ୍ତ୍ରଣ କରିଆଣିଲେ। ଯାହାଫଳରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ପ୍ରାୟ ସବୁ ରାଜ୍ୟରେ ମାଡ଼ିଚାଲିଛି। ସଂକ୍ରମିତମାନଙ୍କୁ ଅମ୍ଳଜାନ ଯୋଗାଇବା କାଠିକର ପାଠ ହୋଇଗଲାଣି। ସୁପ୍ରିମ୍‌କୋର୍ଟ୍ ହାଇକୋର୍ଟ୍ ଯେତେ ତାଗିଦ୍ କଲେବି କେହି ଶୁଣିବାକୁ ନାହିଁ। ପୁଣି ସେପ୍ଟେମ୍ବର ମାସ ବେଳକୁ ତୃତୀୟ ଲହର ମାଡିଆସିବ ବୋଲି ଶୁଣାଗଲାଣି। କରୋନା ମହାମାରୀଠାରୁ ବିଷାଦବ୍ୟାଧି ବଢ଼ିବାରେ ଲାଗିଛି। ଏହି ଆତଙ୍କକୁ ଯେଉଁମାନେ ପୁଞ୍ଜି କରୁଛନ୍ତି ସେମାନଙ୍କ ପ୍ରତି ସତର୍କ ରୁହ।

ବର୍ତ୍ତମାନ ଟି.ଭି, ମୋବାଇଲ୍‌, ଖବରକାଗଜ ଉପରେ ଦୃଷ୍ଟିପାତ କଲେ କେବଳ ଭୟଙ୍କର କରୋନା ମହାମାରୀ ଖବର ପରିବେଷଣ କରାଯାଉଛି। ଯାହାଫଳରେ ଭୟଭୀତ ହୋଇନଥିବା ସାହାସୀ ମଣିଷ ମନରେ ଛନକା ପଶିଯାଉଛି। ବହୁ ଲୋକ ହତାଶପଙ୍କରେ ଘାଂଟି ହେଉଛନ୍ତି। ଏବେ ଅଭାବଅନଟନ ବଢ଼ିବାରେ ଲାଗିଛି। କରୋନା ମହାମାରୀଠାରୁ ଦୂରେଇ ରହିବା ପାଇଁ ବିଶ୍ୱବ୍ୟାପୀ ଯେଉଁସବୁ ନିଦାନ ଘୋଷଣା କରାଯାଇଛି ତାହାକୁ ଅମାନିଆମାନେ ମାନୁନାହାଁନ୍ତି। ସଟ୍‌ଡାଉନ୍ ବେଳେ ଓ ଲକ୍‌ଡାଉନ୍ ପୂର୍ବରୁ ଆବଶ୍ୟକୀୟ ଜିନିଷପତ୍ର ସଂଗ୍ରହ ପାଇଁ ଅସମ୍ଭବ ଭିଡ଼ କରୁଛନ୍ତି। ଯାହାଫଳରେ ଗୋଦରା କୋଡ଼େ ଯେତେ ମାଡ଼େ ସେତେ। ଏଣେ ମଦ ପାଇଁ ଭିଡ଼ ଅସମ୍ଭାଳ। ଆମେ କ’ଣ ଜାଣିଶୁଣି କରୋନାକୁ ଆଣି ଘରେ ପୁରାଉନାହାଁନ୍ତି କି? ଏବେ କାହା କଥା କିଏ ଶୁଣିବ! ସରକାର ଯାହା କହୁଛନ୍ତି ଆମେ ଶୁଣୁଛେ, ପୁଣି ଅମାନିଆ ହେଉଛେ। ଏହି ସମୟରେ ହତ୍ୟା, ବ୍ୟଭିଚାର, ଅତ୍ୟାଚାର, ନାରୀ ନିର୍ଯ୍ୟାତନା ବଢିଚାଲିଛି। ଏସବୁ ଦୁଃସମ୍ବାଦ ବିବେକି ଲୋକଙ୍କୁ ବ୍ୟଥିତ କରୁଛି। ଆଗରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍‌ଠାକ୍ ନଥିଲା। ଏବେ ଶିକ୍ଷା ବ୍ୟବସ୍ଥା ଭୁଶୁଡିବାକୁ ଲାଗିଲାଣି। ସବୁ ବିପଦ ଏକା ସାଙ୍ଗରେ ପଡୁଛି।

Advertisment

ଅର୍ଥନୈତିକ ସଂକଟ ଭୟଙ୍କର ଭାବେ ଦେଖାଦେଇଛି। କଳକାରଖାନା, ଖଣିଖାଦାନ ଓ ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନ ଯେଉଁ ଶ୍ରମଜୀବିମାନଙ୍କ ଦ୍ୱାରା ଚାଲୁଥିଲା, ସେମାନେ ଜୀବନବିକଳରେ କର୍ମସ୍ଥଳୀରୁ ଘରମୁହାଁ ହେଉଛନ୍ତି। ଆମ ଓଡ଼ିଶାରେ ସବୁ ପ୍ରକାର ସୁଯୋଗସୁବିଧା ଥାଇ ମଧ୍ୟ ଶ୍ରମଜୀବିମାନେ ଅନ୍ୟାନ୍ୟ ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି। ସେଠାରେ ଅବସ୍ଥା ଅସମ୍ଭାଳ ହେବାରୁ ପୁଣି ଘରମୁହାଁ ବାହୁଡୁଛନ୍ତି। ନିଜ ରାଜ୍ୟ ଓ ଗାଁରେ ସେମାନଙ୍କ ପାଇଁ କାମଦାମ ନାହିଁ। ଏଣେ ଅର୍ଥାଭାବରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି। ସରକାର ଯେତେ ଯୋଜନା, ଘୋଷଣା କଲେ ବି ସେମାନଙ୍କୁ ଥଇଥାନ କରିପାରୁନାହାଁନ୍ତି।

ରାଜନୈତିକ ଘଟଣା ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଦଳ ଓ ନେତାମାନେ ପରସ୍ପର ଭିତରେ ଲଢ଼ାଲଢ଼ି ହେଉଛନ୍ତି। ଏ ମହାମାରୀ ବେଳେ କ୍ଷମତା ନିଶା ସେମାନଙ୍କୁ ପାଗଳ କରିଦେଇଛି। ଯେନତେନ ପ୍ରକାରେ କ୍ଷମତା ହାସଲ ପାଇଁ ନାନାପ୍ରକାର କୁଟଚକ୍ରାନ୍ତ କରିଚାଲିଛନ୍ତି। ସବୁ ରାଜନୈତିକ ଦଳ ଭିତରେ ପାଂଚଦଶ ପର୍ସେଂଟ୍ ଭଲ ଲୋକ ଅଛନ୍ତି। ବାକି ସମସ୍ତେ ପ୍ରାୟ ନିଜ ସ୍ୱାର୍ଥ ଛଡା ଭଲ କଥା କିଛି ଭାବୁନାହାଁନ୍ତି। ରାଜନୈତିକ ଦଳଗୁଡିକର ନେତୃତ୍ୱ ସଠିକ୍ ନେତା ହାତରେ ନଥିବାରୁ ସେମାନେ ଜନଗଣଙ୍କୁ ବାଟବଣା କରୁଛନ୍ତି। ସାଧାରଣ ଲୋକେ ଦଳ, ନେତା, ସରକାରଙ୍କୁ ଚାହିଁ ବସିଛନ୍ତି। ସେମାନଙ୍କ ଆଶା ପୂରଣ ହୋଇପାରୁନଥିବାରୁ ମନରେ ହତାଶ, କ୍ଷୋଭ ପ୍ରକାଶ ପାଉଛି। ବର୍ତ୍ତମାନ ସମୟରେ ଜନସାଧାରଣ, ଦଳ, ସରକାର ଉପରେ ସବୁବେଳେ ନିର୍ଭର କରନ୍ତୁ ନାହିଁ। ଏ ମହାବିପଦରୁ କେମିତି ବଂଚିବା ସମସ୍ତେ ସକାରାତ୍ମକ ଚିନ୍ତା ନେଇ କାର୍ଯ୍ୟ କରନ୍ତୁ। ସଂପ୍ରତି ସାମାଜିକ, ସାଂସ୍କୃତିକ ଓ ଧର୍ମୀୟ ଅନୁ ।ନରେ ବିଭ୍ରାଟ ମଧ୍ୟ ଦେଖାଦେଇଛି। ପଛକୁ ଚାହିଁଲେ ଅନ୍ଧାର, ଆଗକୁ ଚାହିଁଲେ ଆଲୁଅ ନୀତିରେ କାର୍ଯ୍ୟ କରିଯିବା ଏକାନ୍ତ ଆବଶ୍ୟକ।

କରୋନା ମହାମାରୀ ପରିସ୍ଥିତିରେ ଜୀବନର ସ୍ୱାଧୀନତା ଆନ୍ଦୋଳନ ନିହାତି ଜରୁରୀ। କରୋନା ମହାମାରୀକୁ ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱ ବାଣିଜ୍ୟ ସଂଗଠନ ଅବିଳମ୍ବେ ଆର୍ନ୍ତଜାତୀୟ ବିପତ୍ତି ଘୋଷଣା କରନ୍ତୁ। ସାରା ଦୁନିଆର ସବୁ ସରକାର ଏକହୁଅନ୍ତୁ। ବିଶ୍ୱର ଧନକୁବେର ଗୋଷ୍ଠୀ ସ୍ୱଇଛାରେ ତାଙ୍କ ସଂଚିତ ସଂପତିରୁ ଅଧା ଦାନ କରନ୍ତୁ।

ସଂପ୍ରତି ବିଶ୍ୱରେ କରୋନା ମହାମାରୀ ତା’ର କରାଳ ରୂପ କାୟା ବିସ୍ତାର କରିଚାଲିଛି। ସମଗ୍ର ବିଶ୍ୱରେ ମାସ୍କ୍‌, ସାମାଜିକ ଦୂରତା, ସାନିଟାଇଜେସନ୍ ଏହି ତିନୋଟି ନିଦାନକୁ ସମସ୍ତେ ଆପଣେଇ ନେଉଛନ୍ତି। କରୋନାକୁ ରୋକିବା ପାଇଁ ଯେଉଁ ସବୁ ଭାକ୍‌ସିନ୍ ବାହାରିଛି ତାହାର ପ୍ରୟୋଗ ଚାଲିଛି। ଅକ୍ସିଜେନ୍ ମଧ୍ୟ ବ୍ୟବହାର କରାଯାଉଛି। ଟୀକା ଓ ଅମ୍ଲଜାନ ବ୍ୟୟବହୁଳ ହୋଇଥିବାରୁ ସବୁ ଦେଶରେ ସମସ୍ତଙ୍କୁ ଏପର୍ଯ୍ୟନ୍ତ ଦିଆଯାଇପାରୁନାହିଁ। ପୃଥିବୀରେ ଆମ ଦେଶ ଭାରତବର୍ଷର ଅବସ୍ଥା ଅତ୍ୟନ୍ତ ଭୟଙ୍କର ଆଡ଼କୁ ଗତି କରୁଛି। ଆମେ କେବଳ ଆମ ଦେଶର ଖବର କିଛି କିଛି ପାଉଛେ। ଅନ୍ୟାନ୍ୟ ଦେଶର ସମ୍ବାଦ ବେଶି ପରିବେଷଣ କରାଯାଉନାହିଁ। କିନ୍ତୁ ସାରା ବିଶ୍ୱରେ ସବୁ ଦେଶରେ ଅବସ୍ଥା ଅସମ୍ଭାଳ। ତେଣୁ କରୋନା ମହାମାରୀକୁ ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅବିଳମ୍ବେ ଆର୍ନ୍ତଜାତୀୟ ବିପତ୍ତି ଘୋଷଣା କରନ୍ତୁ।

ଆର୍ନ୍ତଜାତୀୟ ବିପତ୍ତି ଘୋଷଣା ହେଲେ ସବୁ ଦେଶର ସରକାର ସେମାନଙ୍କ ଅର୍ଥଭଣ୍ଡାର, ଭାକ୍‌ସିନ୍‌ର ଜ୍ଞାନକୌଶଳ, କଂଚାମାଲ, ଅକ୍ସିଜେନ୍‌, ଜୀବନ ରକ୍ଷାକାରୀ ଔଷଧ ଖୋଲା ମନରେ ବଂଟନ କରିପାରିବେ। ଯାହାଫଳରେ ବସୁଧା ଏକ କୁଟୁମ୍ବ ଭଳି ପ୍ରତୀୟମାନ ହେବ। ଏ ସମୟରେ ଆଉ ଲୋଭ, ମୋହ, ମାୟା, ସ୍ୱାର୍ଥ, ହିଂସା, ଦ୍ୱେଷ ତ୍ୟାଗ କରି ମଣିଷ ପଶୁପକ୍ଷୀଙ୍କ ଜୀବନ ରକ୍ଷା କରିବା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି। ଏଥିପାଇଁ ସାରା ଦୁନିଆର ସବୁ ସରକାର ଏକହୁଅନ୍ତୁ।

ବର୍ତ୍ତମାନ ଜୀବନର ସ୍ୱାଧୀନତା ପାଇଁ ସାଂପ୍ରତିକ ପୃଥିବୀରେ ଯେଉଁ ବିକ୍ଷିପ୍ତ ଜନଜୁଆର ଜାଗି ଉଠିଛି, ସେହି ସମୟରେ ବିଶ୍ୱର ଧନକୁବେରମାନଙ୍କର ସଂପୃକ୍ତି ଆଜିର ଚାହିଦା। ସେମାନେ ଏହି ଜରୁରୀ ସମୟରେ ନିଜ ନିଜର ଅପର୍ଯ୍ୟାପ୍ତ ସଂଚୟରୁ ପଚାଶ ଭାଗ ଏହି ଜୀବନ ବଂଚାଓ ଆହ୍ୱାନରେ ଅକୁଣ୍ଠିତ ଭାବରେ ଅର୍ପଣ କରିଦିଅନ୍ତୁ। ଆଗକୁ କରୋନାର ତୃତୀୟ ଲହର ତା’ର କରାଳ ରୂପ ପ୍ରକଟ କରାଇ ଆମର ଭବିଷ୍ୟତର ପିଢି ଅଭିମୁଖେ ଅଗ୍ରସର ହେବାକୁ ବସିଲାଣି। ଯଦି ସେମାନଙ୍କର ଜୀବନ ସୁରକ୍ଷିତ ନୁହେଁ, ତା’ହେଲେ ଏ ଧନର ସୁରକ୍ଷା କ’ଣ ଏତେ ଜରୁରୀ? ଧନ ସଂଚି ରଖି ବଂଚିବାକୁ ଚାହୁଁଥିବା ମାନବଶିଶୁର ଭବିଷ୍ୟତକୁ ପଦାଘାତ ନକରିବା ପାଇଁ ନମ୍ର ନିବେଦନ।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩