/odisha-reporter/media/post_attachments/uploads/2021/05/labourer.jpg)
labourer
ମାୟାଧର ନାୟକ
୧୮୯୬ ମସିହା ମଇ ପହିଲାର ପୂର୍ବବର୍ତ୍ତୀ ଦିବସଗୁଡ଼ିକ ଥିଲା - ଅନ୍ଧକାରର ଯୁଗ। ସାମ୍ରାଜ୍ୟବାଦୀ, ପୁଞ୍ଜିବାଦୀ, ସାମନ୍ତବାଦୀ, ଦାସମାଲିକମାନଙ୍କର ଚରାଭୂଇଁ ଥିଲା ସମଗ୍ର ବିଶ୍ୱ। ଶ୍ରମଜୀବୀ ଶ୍ରେଣୀ ଥିଲା – କ୍ରୀତଦାସ। ପଶୁଠାରୁ ଆହୁରି ହୀନ ଜୀବନଯାପନ କରୁଥିଲେ ଶ୍ରମିକମାନେ। ଜଣେ ଜଣେ ମାଲିକ ହଜାର ହଜାର ଶ୍ରମିକଙ୍କୁ ରାତିଦିନ ପଶୁଭଳି ଖଟାଉଥିଲେ।
ପ୍ରତିରୋଧ ଦୂରେ ଥାଉ, ପ୍ରତିବାଦର କ୍ଷୀଣ ଶଦ୍ଦଟାଏ ମଧ୍ୟ ଶ୍ରମିକ କଣ୍ଠରୁ ଶୁଭୁ ନଥିଲା। ଶ୍ରମିକମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର, ଶୋଷଣ, କଷଣ, ବ୍ୟଭିଚାର ଚରମ ସୀମା ଲଂଘନ କରିସାରିଥିଲା। ମୁଖ ମଣ୍ଡଳରେ ସାମାନ୍ୟ ଅସନ୍ତୋଷର ପୁରସ୍କାର ଥିଲା – ଜଘନ୍ୟ ମୃତ୍ୟୁ। ଶ୍ରମିକମାନେ ଅଶାନ୍ତି ଅସନ୍ତୋଷରେ ଜର୍ଜରିତ ବହ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହେଉଥାଏ, କିନ୍ତୁ ବିସ୍ଫୋରଣ ହେବାକୁ ଅହରହ ରାସ୍ତା ଖୋଜୁଥାଏ। ସଚେତନ ସଂଗଠିତ ଶକ୍ତି – ଗୋଷ୍ଠୀ, ଦଳ ଅଭାବରୁ ସବୁ ଫସର ଫାଟିଯାଉଥିଲା।
ଆନ୍ତର୍ଜାତିକ ଶ୍ରମିକ ଦିବସରେ ଐତିହାସିକ ଦିଗ ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ ଯେ, ୟୁରୋପର ବିଭିନ୍ନ ଦେଶମାନଙ୍କରେ ଶ୍ରମିକମାନଙ୍କୁ ପଶୁମାନଙ୍କ ଭଳି ବ୍ୟବହାର କରାଯାଉଥିଲା। ଶିଳ୍ପପତିମାନେ ଅତ୍ୟଧିକ ମୁନାଫା ବଢାଇବା ଲାଳସାରେ ଶ୍ରମିକମାନଙ୍କ ଉପରେ ଅକଥନୀୟ କାମରେ ବୋଝ ଲଦି ଦେଉଥିଲେ। ସେମାନଙ୍କୁ ଦୈନିକ କୋଡିଏ ଘଂଟା ଲେଖାଏଁ କଠିନ ପରିଶ୍ରମ କରିବାକୁ ପଡୁଥିଲା। କୌଣସି ସାମାଜିକ ଆଇନ କାନୁନ ନଥିଲା। କାମରେ ହେଳା କଲେ ଅଶ୍ଳୀଳ ଗାଳିଗୁଲଜ, ଚାବୁକ୍ ମାଡ଼ ଓ ପାଶବିକ ଅତ୍ୟାଚାର ମଧ୍ୟ ସେମାନଙ୍କୁ ସହ୍ୟ କରିବାକୁ ପଡୁଥିଲା। କଳକାରଖାନାର ପୂତିଗନ୍ଧମୟ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଅସଂଖ୍ୟ କିଶୋର କିଶୋରୀ ଯୌବନରେ ପାଦ ନ ଦେଉଣୁ ଅକାଳରେ ମୃତ୍ୟୁବରଣ କରୁଥିଲେ। ଶ୍ରମିକମାନେ ଅକାଳ ବାର୍ଦ୍ଧକ୍ୟର ଶିକାର ହେଉଥିଲେ। ଅନ୍ଧ,ଛୋଟା, ବିକଳାଙ୍ଗ ଓ ରୁଗ୍ଣ ହୋଇଗଲେ ସେମାନଙ୍କ ପାଇଁ କୌଣସି ଆନୁଷ୍ଠାନିକ ବ୍ୟବସ୍ଥା ନଥିଲା। ଏପ୍ରକାର ଦୁଃସହଣୀୟ ପରିସ୍ଥିତି ବିରୁଦ୍ଧରେ ଊନ୍ନବିଂଶ ଶତାଦ୍ଦୀର ପଂଚମ ଦଶକରେ ଇଂଲଣ୍ଡରେ ଶ୍ରମିକ ଆନ୍ଦୋଳନ ଦେଖାଦେଇଥିଲା। ଶିଳ୍ପପତିମାନଙ୍କୁ ଆକ୍ରମଣ କରିବା, କାରଖାନା ପୋଡ଼ିଦେବା, ସମ୍ପତି ଲୁଟ୍ କରିଦେବା ଜରିଆରେ ଶ୍ରମିକମାନେ ସେମାନଙ୍କ ଅସନ୍ତୋଷ ଓ ପ୍ରତିବାଦ କରିଥିଲେ। ଫଳରେ ଇଂଲଣ୍ଡରେ କେତେକ ଶ୍ରମିକ ମଙ୍ଗଳ ଆଇନ୍ ତିଆରି ହେଲା। କିନ୍ତୁ ଶ୍ରମିକମାନଙ୍କର ଏକ ସଚେତନ ସଂଗଠିତ ଶକ୍ତି ଓ କ୍ରମାଗତ ଆନ୍ଦୋଳନ ଅଭାବରୁ ଆଇନ୍ କାନୁନ୍ କାଗଜ କଲମରେ ଅଟକିଗଲା।
୧୮୮୬ ମସିହା ମଇ ପହିଲାରେ ଆମେରିକାର ଶ୍ରମିକଶ୍ରେଣୀ ଅତ୍ୟନ୍ତ ମାନବିକ ଗଣତାନ୍ତ୍ରିକ ଓ ନିମ୍ନତମ ଦାବି ଦିନକୁ ଆଠଘଂଟା ଶ୍ରମ ଦାବିରେ ମାଲିକଶ୍ରେଣୀ ବିରୁଦ୍ଧରେ ଏକ ଅଦ୍ଭୂତପୂର୍ବ ଧର୍ମଘଟ କରିଥିଲେ। ଶ୍ରମିକମାନଙ୍କ ବିକ୍ଷୋଭ ଶୋଭାଯାତ୍ରା ଉପରେ ମାଲିକ ଓ ପୋଲିସ୍ ବାହିନୀର ବର୍ବର ଓ ଅମାନୁଷିକ ଆକ୍ରମଣ ଫଳରେ ବହୁ ଶ୍ରମିକ ମୃତ୍ୟୁବରଣ କଲେ। ଧର୍ମଘଟକାରୀ ଶ୍ରମିକମାନଙ୍କ ମୃତ୍ୟୁରେ ଚିକାଗୋ ସହର ରକ୍ତରଞ୍ଜିତ ହୋଇଗଲା। କିନ୍ତୁ ମାଲିକଶ୍ରେଣୀର ସେହି ପାଶବିକ ଆକ୍ରମଣ ଆଗରେ ଶ୍ରମିକଶ୍ରେଣୀ ସେଦିନ ମଥାନତ କରି ନଥିଲା। ଶ୍ରମିକର ରକ୍ତରଞ୍ଜିତ ଲାଲ ପତାକା ସାରା ବିଶ୍ୱରେ ଉତୋଳିତ ହୋଇଥିଲା। ଶ୍ରମିକମାନଙ୍କର ରକ୍ତକ୍ଷୟୀ ସଂଗ୍ରାମୀ ଓ ପରିଶେଷରେ ବିଜୟ ଓ ଆଠଘଂଟିଆ ଶ୍ରମଦିବସ ଘୋଷଣା ସାରା ବିଶ୍ୱର ଶ୍ରମିକଶ୍ରେଣୀ ନିକଟରେ ଏକ ମହତ୍ୱପୂର୍ଣ୍ଣ ଘଟଣା। ସାରା ଦୁନିଆଁରୁ ସମସ୍ତ ପ୍ରକାର ଶୋଷଣ କଷଣ ଲୋପ କରିବା ପାଇଁ ବିଶ୍ୱ ଶ୍ରମିକଶ୍ରେଣୀକୁ ଆହ୍ୱାନ ଦିଆଯାଇଥିଲା।
ବାସ୍ତବରେ ଏହି ଦାବି ହାସଲ ହେବା ପଛରେ ବିଭିନ୍ନ ଦେଶରେ ଶହ ଶହ ଶ୍ରମିକର ଆତ୍ମତ୍ୟାଗର ମର୍ମସ୍ପର୍ଶୀ ଓ ଆପୋଷହୀନ ସଂଗ୍ରାମର ଇତିହାସ ରକ୍ତର ଅକ୍ଷରରେ ଲେଖାଯାଇଚି। ପୁଞ୍ଜିପତି ମାଲିକମାନେ ଶ୍ରମିକମାନଙ୍କୁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବାରରୁ ଚଉଦ ଏପରିକି ଅଠର ଘଂଟା କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲେ। ଏହି ଅମାନୁଷିକ ନିର୍ମମ ନିଷ୍ଠୁର ଶୋଷଣ ଉପରେ ପୁଞ୍ଜିବାଦ ସମୃଦ୍ଧିର ସୌଧ ନିର୍ମାଣ ହୋଇଛି। ମଇ ଦିବସ ସେହି ଇତିହାସର ସାକ୍ଷୀ।
ପୃଥିବୀରେ କେତେ ନଦୀରେ କେତେ ଜଳ ବହିଗଲାଣି। ଦେଶେ ଦେଶେ କେତେ ଯେ ମୌସୁମୀ ପ୍ରବାହିତ ହୋଇଗଲାଣି ଏବଂ ଶ୍ରମିକ ଓ ମାଲିକ ମଧ୍ୟରେ କେତେ ଯେ ତ୍ୟାଗପୂତ ଲଢେଇ, ରକ୍ତକ୍ଷୟୀ ସଂଗ୍ରାମ ହୋଇଯାଇଛି, ତା'ର ପଟାନ୍ତର ନାହିଁ। ଆଜି ମଧ୍ୟ ପୁଞ୍ଜିପତି ଶ୍ରେଣୀ ଓ ସାମ୍ରାଜ୍ୟବାଦୀ ଶାସନର ଯଜ୍ଞବେଦୀରେ ଲକ୍ଷ ଲକ୍ଷ ଶ୍ରମିକ କୃଷକ ଖଟିଖିଆ ମଣିଷ ବଳି ପଡୁଛନ୍ତି। ଏହି ଶୋଷଣ ବିରୁଦ୍ଧରେ ଅଗଣିତ ମୁକ୍ତି ପିପାସୁ ଶ୍ରମଜୀବୀ ମଣିଷ ଘୋଷଣା କରିଛି ମରଣପଣ ରକ୍ତକ୍ଷୟୀ ସଂଗ୍ରାମ। ସାରା ବିଶ୍ୱରେ ୧୮୮୬ ମସିହାରେ ରକ୍ତରଞ୍ଜିତ ମଇ ପହିଲା କୋଟି କୋଟି ନିପୀଡିତ ନିଷ୍ପେସିତ ଜନଗଣଙ୍କୁ ଆଲୋକର ସନ୍ଧାନ ଦେଇଆସିଛି।
ସେଦିନ ଓ ଆଜି ମଧ୍ୟରେ ଅନେକ ତଫାତ୍। ସମଗ୍ର ବିଶ୍ୱର ପରିସ୍ଥିତି ଦିନକୁ ଦିନ ଜଟିଳ ଆଡ଼କୁ ଗତି କରୁଛି। ପ୍ରତିନିୟତ ପରିବର୍ତ୍ତନର ଧାରା ପ୍ରବାହିତ ହେବାରେ ଲାଗିଛି। କାଲି ଯାହା ସତ୍ୟ, ପ୍ରଗତିଶୀଳ ଏବଂ ସର୍ବାଧୁନିକ ଥିଲା - ଆଜି ତାହା ପୁରୁଣା ହୋଇଯାଉଛି। ନୂଆ ନୂଆ ଘଟଣା ପ୍ରତ୍ୟେକ ମୁହୂର୍ତ୍ତରେ ଘଟିଚାଲିଛି। ଅଭିନବ ଉଦ୍ଭାବନା ଅହରହ ସୃଷ୍ଟି ହେଉଛି। ବିଶ୍ୱର କୋଣେ ଅନୁକୋଣେ ଯେକୌଣସି ସାଧାରଣ - ଅସାଧାରଣ ଘଟଣା - ଅଘଟଣା ଘଟିଯାଉଛି, ଆଖି ପିଛୁଳାକେ ସମୁଦ୍ରର ଢେଉ ଭଳି ଜନମାନସରେ ପ୍ରତିଧ୍ୱନିତ ହେଉଛି। ଗଣମାଧ୍ୟମର ଦ୍ରୁତ ବିକାଶ ଘଟିଚାଲିଛି। ଯାହା ଯୋଗୁଁ ଅଛପା ବୋଲି କିଛି ରହୁନାହିଁ।
ଏକଥା ଦୁଃଖଦାୟକ ହେଲେ ବି ସତ୍ୟ ଯେ ଆଜିକାର ପରିସ୍ଥିତିରେ ଯେତେବେଳେ ଐକ୍ୟବଦ୍ଧ ଟ୍ରେଡ୍ ୟୁନିୟନ୍ ଆନ୍ଦୋଳନ ଅତ୍ୟନ୍ତ ଜରୁରୀ, ସେତେବେଳେ ଏହି ଆନ୍ଦୋଳନ ବହୁ ଭାଗରେ ବିଭକ୍ତ। ଅଧିକାଂଶ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ କେବଳ ଆନ୍ଦୋଳନର ପଥ ପରିତ୍ୟାଗ କରିନାହାନ୍ତି, ଅଧିକନ୍ତୁ ଆନ୍ଦୋଳନକୁ ଆଇନର ଚଉହଦୀ ଭିତରେ ଆବଦ୍ଧ କରି ରଖୁଛନ୍ତି। ଏହାଦ୍ୱାରା ସେମାନେ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ପୁଞ୍ଜିପତି ଶ୍ରେଣୀର ଶ୍ରମିକଶ୍ରେଣୀ ବିରୋଧୀ ଘୃଣ୍ୟ ଚକ୍ରାନ୍ତକୁ ସହାୟତା କରୁଛନ୍ତି ଓ ଏହାଦ୍ୱାରା ଶ୍ରମିକଶ୍ରେଣୀ ଆନ୍ଦୋଳନ ଭିତରେ ବିଭେଦ ସୃଷ୍ଟି କରୁଛନ୍ତି। ଫଳରେ ଆମ ଦେଶରେ ଓ ଅନ୍ୟାନ୍ୟ ପୁଞ୍ଜିବାଦୀ ଦେଶରେ ଫାସିବାଦର କରାଳଛାୟା ମାଡିଯାଇଛି। ସଂକଟଗ୍ରସ୍ତ ଜର୍ଜରିତ ଭାରତୀୟ ପୁଞ୍ଜିପତି ଶ୍ରେଣୀ ବିଶ୍ୱୀକରଣ, ଉଦାରୀକରଣ, ଘରୋଇକରଣ ପଥରେ ଯାଇ ସଂକଟର ସମସ୍ତ ବୋଝକୁ ଶ୍ରମିକଶ୍ରେଣୀ ମୁଣ୍ଡରେ ଲଦି ଦେଇଛନ୍ତି। ସାଧାରଣ ମଣିଷ ସୀମାହୀନ ଦୁଃଖଦୁର୍ଦ୍ଦଶା, ନିର୍ଯ୍ୟାତନା ଭୋଗ କରୁଛନ୍ତି। ସମସ୍ତ ନୀତି ନୈତିକତା ମାନବିକ ମୂଲ୍ୟବୋଧ ପ୍ରତିଦିନ ଅବକ୍ଷୟ ହେବାରେ ଲାଗିଛି। ସରକାର ଓ ଦେଶୀ-ବିଦେଶୀ ପୁଞ୍ଜିପତିଙ୍କ ଅଶୁଭ ମୈତ୍ରୀ ଗଣତାନ୍ତ୍ରିକ ପରମ୍ପରାକୁ ଧ୍ୱଂସ କରି ଫାଶୀବାଦୀ ଆକ୍ରମଣ ଚଳାଇଛନ୍ତି। ଯୁବ ସମ୍ପ୍ରଦାୟ ମଧ୍ୟରେ ମାଦକ ଦ୍ରବ୍ୟ ଓ ଯୌନ ପ୍ରବଣରେ ବୁଡ଼େଇ ରଖି ଅନ୍ଧ ଉନ୍ମାଦନା ଭାବନାରେ ହତାଶ ଓ ଶକ୍ତହୀନ କରିପକାଇଛି।
ତେଣୁ ଶ୍ରମିକ ଶ୍ରେଣୀ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ। ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ସମସ୍ୟା ସମ୍ପର୍କରେ ସଚେତନ ହୋଇ ଶ୍ରମିକ ଶ୍ରେଣୀ ଗଣ ଆନ୍ଦୋଳନରେ ସ୍ୱେଚ୍ଛାକୃତ ଭାବେ ସକ୍ରିୟ ଭାଗ ନେଲେ ଦେଶରେ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି ହେବ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପ୍ରସାରିତ ଓ ପୂର୍ଣ୍ଣ ପ୍ରତିଷ୍ଠିତ ହେବ। ଭାରତର ଅଗଣିତ ଶୋଷିତ ମେହନତି ମଣିଷକୁ ସମସ୍ତ ପ୍ରକାର ଶୋଷଣ, କଷଣ, ଜୁଲୁମ ଓ ଅତ୍ୟାଚାରର ନାଗଫାସ କବଳରୁ ମୁକ୍ତ କରିବା ପାଇଁ ଶ୍ରମିକ ଶ୍ରେଣୀ ଐକ୍ୟବଦ୍ଧ ହେବା ପାଇଁ ଆଗେଇ ଆସନ୍ତୁ। ହେ ମୋର ପ୍ରିୟ ଶ୍ରମିକ ଭାଇ ଭଉଣୀଏ, ଆଉ ମୁଣ୍ଡରେ ହାତ ଦେଇ ବସିବାର ବେଳ ନୁହେଁ - ଅଧିକାର ଛିଣ୍ଡାଇ ଆଣିବାର ସମୟ ଆସିଯାଇଛି। କଷ୍ଟ କିମ୍ବା ମୃତ୍ୟୁକୁ ଭୟ କରନା। ସଚ୍ଚା ନେତୃତ୍ୱ ଓ ସଠିକ୍ ମାର୍ଗରେ ପ୍ରାଣମୂର୍ଚ୍ଛା ଲଢେଇ କର। ଜୟ ସୁନିଶ୍ଚିତ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
