ଦଳ ନୁହେଁ, ଦେଶ ବଡ଼

ଅଧିକାଂଶ ଅର୍ଥନୈତିକ ପରାମର୍ଶଦାତା ଯୋଜନା ଓ ସମନ୍ୱୟ ନୀତିଗୁଡିକୁ ନିର୍ଦ୍ଧାରଣ କରୁଛନ୍ତି ଗ୍ରାମରାଜ୍ୟ କି ରାମରାଜ୍ୟର ମେହନତୀ ମଣିଷମାନଙ୍କ ପାଇଁ ନୁହେଁ - ନଗରନିବାସୀ ସୌଖିନ୍ ପରାଙ୍ଗପୁଷ୍ଟ ସୌଦାଗର ଶ୍ରେଣୀ ପାଇଁ।

Mayadhar Nayak
ମାୟଧର ନାୟକ

ମୂଲ୍ୟ ଓ ମୂଲ୍ୟବୋଧ ମଧ୍ୟରେ ଦ୍ୱନ୍ଦ୍ୱସଂଘାତ ସମାଜଜୀବନରେ ସଂପ୍ରତି ସୃଷ୍ଟି କରିଛି ଏକ ଶୋଚନୀୟ ଛନ୍ଦପତନ। ଅତୀତର ନୈତିକ ମୂଲ୍ୟବୋଧକୁ ପ୍ରତିମୁହୂର୍ତ୍ତରେ ଆଘାତ ହାଣୁଛି ବର୍ତ୍ତମାନର ରାଜନୈତିକ ଓ ଅର୍ଥନୈତିକ ଆଭିମୁଖ୍ୟ। ଯୋଜନାଗୁଡିକ ମଣିଷ ପାଇଁ ପ୍ରସ୍ତୁତ ନହୋଇ ଉଦ୍ଦିଷ୍ଟ ହେଉଛି ଅର୍ଥକୁବେର ବର୍ଗ ନିମନ୍ତେ ଏବଂ ସମ୍ବଳସବୁ ସମାଜ ପାଇଁ ବିନିଯୁକ୍ତ ନହୋଇ ବିନିର୍ବ୍ୟୟିତ ହେଉଛି ରାଜନୈତିକ ଦଳୀୟତାର ହାତପାଣ୍ଠିବର୍ଦ୍ଧକ ସମୃଦ୍ଧି ସକାଶେ। ଏହି ଦୃଷ୍ଟିରୁ ଗଣତନ୍ତ୍ରର ମୂଳସତ୍ତା ବ୍ୟକ୍ତିର ଅଧିକାର ଅସୁରକ୍ଷିତ। ମାନବିକ ଅଧିକାର ମଧ୍ୟ ଉଲ୍ଲଘିଂତ। ନାଗରିକ କହିଲେ ଆମେ କେବଳ ଦେଖୁଛୁ ଗୁଡିଏ ନିରୁପାୟ ଭୋଟର୍‌ଙ୍କୁ – ଯେଉଁମାନେ ସାଂପ୍ରତିକ ସାମାଜିକ ପ୍ରହସନର ଜଣେଜଣେ ନୀରବ ଦର୍ଶକ।

ସମାଜ ଜୀବନର ଅବକ୍ଷୟକୁ ଆମେସବୁ ଅଙ୍ଗେ ନିଭାଉଛୁ ବିଭିନ୍ନ ସ୍ତରରେ। ଆଜି ଯୁଆଡ଼େ ଚାହିଁଲେ ଉପଦ୍ରବ, ଉତ୍ପୀଡନ, ଅସନ୍ତୋଷ, ଅନଟନ ଓ ଆତଙ୍କବାଦର ବୁଢିଆଣୀ ଜାଲ। ପ୍ରକୃତି ପ୍ରତି ଅବିଚାରିତ ମୃତ୍ୟୁଦଣ୍ଡ ଘୋଷଣା କରି ଶିଳ୍ପସମୃଦ୍ଧି ନାମରେ ସାରା ସମାଜକୁ  ମୁହାଁଇନିଆଯାଉଛି ଏକ ନାରକୀୟ ଭବିଷ୍ୟତଆଡ଼େ। ଜଳ-ଜମି-ଜଙ୍ଗଲର ଜହ୍ଲାଦବର୍ଗ ଜୁଲମ ଚଳାଉଛନ୍ତି ରାଷ୍ଟ୍ରବ୍ୟବସ୍ଥାକୁ କାଏମ୍ କରିରଖିଥିବା ଶାସକ, ପ୍ରଶାସକଙ୍କ ଦ୍ୱାରା ପରିଚାଳିତ ଓ ପରିପାଳିତ ସୂତ୍ରଧରମାନଙ୍କ ସହାୟତାରେ। ଦେଶର ନିରନ୍ନ ନିରୀହ ଜନସାଧାରଣ ଆଜି ସ୍ୱାଧୀନତାର ଶାସ୍ତି ଦେଖୁଛନ୍ତି ମହାଦୁର୍ନୀତିର ମଂଚଭୂମିରେ। ଚୋର, ତସ୍କର, ଚଂଚକ, ଶଠ, ହରିଲୁଟ୍‌କାରୀ, ହତ୍ୟାକାରୀ, କଳା କାରବାରୀମାନେ ଶାସନ ଓ ପ୍ରଶାସନକୁ କ୍ରମେ ଯେପରି କରାୟତ୍ତ କରିଚାଲିଛନ୍ତି, ସେଥିରେ ଭାରତବର୍ଷରେ ଗଣତନ୍ତ୍ରର ମୂଳ ଉତ୍ପାଟିତ ହେବାର ବେଳ ଯେ ଘନାଇଆସିସାରିଲାଣି – ଏଥିରେ କଣ ଆଉ ତିଳେମାତ୍ର ସଂଶୟ ରହିଛି? ଅଧିକାଂଶ ରାଜନେତା ନିଜନିଜ ନୈତିକ ଦାୟିତ୍ୱକୁ ଭୁଲି ଆତ୍ମସମର୍ପଣ କରିସାରିଛନ୍ତି ଚଂଚକବର୍ଗର ଚକ୍ରବ୍ୟୁହ ମଧ୍ୟରେ।

ଅଧିକାଂଶ ଅର୍ଥନୈତିକ ପରାମର୍ଶଦାତା ଯୋଜନା ଓ ସମନ୍ୱୟ ନୀତିଗୁଡିକୁ ନିର୍ଦ୍ଧାରଣ କରୁଛନ୍ତି ଗ୍ରାମରାଜ୍ୟ କି ରାମରାଜ୍ୟର ମେହନତୀ ମଣିଷମାନଙ୍କ ପାଇଁ ନୁହେଁ – ନଗରନିବାସୀ ସୌଖିନ୍ ପରାଙ୍ଗପୁଷ୍ଟ ସୌଦାଗର ଶ୍ରେଣୀ ପାଇଁ। ସୌଦାଗରୀ ସଭ୍ୟତା ସଂପ୍ରତି ନିଶ୍ଚିହ୍ନ କରିବାକୁ ଯାଉଛି ଆମର ମୌଳିକ ସଂସ୍କୃତିର ମୂଲ୍ୟବୋଧକୁ। ରାଜନୀତି ଯେପରି ଜନସାଧାରଣଙ୍କୁ କରିସାରିଛି କଂଜ୍ୟୁମର୍ ବା ଗ୍ରାହକ। ସାଂପ୍ରତିକ ଭାରତବର୍ଷର ଏ ଦୁଇ ଚରିତ୍ରର ସ୍ଫଳନକୁ ଲକ୍ଷ୍ୟ କଲେ ଆମେ ଅବଗତ ହୋଇପାରିବା ଅବକ୍ଷୟର ଅସଲ କାରଣ। ମତଦାତାମାନେ ନକଲି ନେତୃତ୍ୱ ଦ୍ୱାରା ପ୍ରବଂଚିତ ହୋଇସାରିଥିବାବେଳେ ଗ୍ରାହକମାନେ ଭେଜାଲ୍ ବଜାର ଦ୍ୱାରା ଭୟଙ୍କର ଭାବରେ ମୂଲୁଣ୍ଠିତ!

କିଣାବିକାର ବଜାରରେ ଭୋଟ୍ ଓ ନୋଟ୍‌ର ଅଙ୍ଗାଙ୍ଗୀ ଭାବରେ ଜଡିତ ହେବାର ଇତିହାସ ସ୍ୱାଧୀନତା ପରବର୍ତୀ କାଳର ଏକ ବିକୃତ ବିଡ଼ମ୍ବନା। ରାଜନୀତି ଆଜି ଦଳମାନଙ୍କର ଦୋକାନଦାରିରେ ପରିଣତ ହୋଇସାରିଥିବାବେଳେ ଅର୍ଥନୀତି ଏବେ ପାଲଟିଛି ପାଳଭୂତ – ଶୋଷଣସର୍ବସ୍ୱ ବଣିକବର୍ଗର ନିଆଁଗିଳା ପାଉଁଶକ୍ଷେତରେ! ନବ୍ୟ ପୁଞ୍ଜିବାଦ ଏବେ ଶ୍ରମିକମାନଙ୍କୁ ବିପ୍ଲବୀତତ୍ତ୍ୱଠାରୁ ଦୂରେଇ ରଖିବାର ଅଭିସନ୍ଧିରେ ଯୋଗାଇ ଦେଉଛି ଗୋଟିକ ପରେ ଗୋଟିଏ ସୁବିଧା ସୁଯୋଗ – ବଳି ପକାଇବା ପୂର୍ବରୁ ବୋଦା ବେକକୁ ଯେପରି ବଡ଼ବଡ଼ ଫୁଲମାଳରେ ସଜାଇ ଦିଆଯାଏ! ଶିଳ୍ପ ବିସ୍ତାର ଦ୍ୱାହିରେ ସାମାଜିକ ସୁବର୍ଣ୍ଣଯୁଗର ସ୍ଲୋଗାନ୍ ଶୁଣାଇ ମୁନାଫାଖୋର ମହାଜନବର୍ଗର ମତଲବୀ ମାତବରମାନେ ଗାଆଁରୁ ଗଡ଼ଜାତଯାଏଁ ବିଛାଇଚାଲିଛନ୍ତି ମାୟାଜାଲ। ପ୍ରକୃତିରେ ବିକୃତି, ପରିବେଶରେ ପ୍ରଦୂଷଣ, ମଣିଷର ମାଟିପାଣିପବନରେ ବିଷପ୍ରକ୍ରିୟା। କୃଷକର ଜୀବନକ୍ଷେତ୍ର ଆଜି ଶ୍ମଶାନକ୍ଷେତ୍ର। ଗାଆଁସବୁ ଭବିଷ୍ୟତର ଗର୍ଭପାତରେ ଜର୍ଜରିତ। ମଫସଲ ମୂଳପୋଛ। ମଣିଷପଣ ମୁମୁର୍ଷୂ।

ଭାରତବର୍ଷ-ସମ୍ବିଧାନରେ ଯାହାର ପରିଚିତ ‘ଭାରତ ଦ୍ୟାଟ୍ ଇଜ୍ ଇଣ୍ଡିଆ’ ଏକ ବିଭକ୍ତି ବ୍ୟକ୍ତିତ୍ୱର ଅଭିବ୍ୟକ୍ତି। ଏକ ଆତ୍ମବିଭକ୍ତି ରାଷ୍ଟ୍ର – ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ, ଧର୍ମୀୟ, ଏପରିକି ରାଜନୈତିକ ଦୃଷ୍ଟିଭଙ୍ଗୀଟିଏ, ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଆଶାନୁରୂପ ଭାବରେ ହାସଲ କରିପାରିନାହାନ୍ତି। ସେଥିପାଇଁ ନିର୍ବାଚନ ପରେ ନିର୍ବାଚନ, ଭାଷଣ ପରେ ଭାଷଣ, ଶାସନ ପରେ ଶାସନ, ଯୋଜନା ପରେ ଯୋଜନା – ସବୁ କେବଳ ପ୍ରବଂଚନା ପରେ ପ୍ରବଂଚନା। ଏବଂ ଏ କ୍ରମାଗତ କରାଳ ପ୍ରବଂଚନାର ଦୟନୀୟ ଶିକାର ହୋଇଆସୁଛି ଦୁର୍ଗତ ଭାରତୀୟ ମହାଜାତି।

ସ୍ୱାଧୀନତା – ଯାହାକୁ ବହୁ ବର୍ଷର ସଂଗ୍ରାମଲବ୍ଧ ମହାର୍ଘ ମୁକ୍ତି ରୂପେ ବିଜ୍ଞପ୍ତି କରାଯାଇଆସୁଛି, ତାର କୌଣସି ପ୍ରକୃଷ୍ଟ ପ୍ରଭାବ ଜନଜୀବନରେ ରେଖାପାତ କରିଥିବା ଭଳି ମନେହେଉନାହିଁ। ଦେଶର ମୁକ୍ତି- ଅଥଚ ଜାତୀୟ ଜୀବନର ଚରମ ଅଧୋଗତି! ଏହା କ’ଣ ସ୍ୱାଧୀନତାର ସ୍ୱାଦ? ବରଂ ଗୋଟାଏ ବିଡ଼ମ୍ବନାମୟ ବିଭାଜନର ନିର୍ଲଜ୍ଜ ନାମାନ୍ତର ଏ ସ୍ୱାଧୀନତା। ସ୍ୱାଧୀନତା ଆସିଛି କେବଳ ପାଠ୍ୟପୁସ୍ତକରେ, ପୋଷ୍ଟରରେ, ପତାକାରେ- ସାଧାରଣ ସ୍ତରରେ ସଂଘର୍ଷରତ ଜନଜୀବନରେ ନୁହେଁ। ବରଂ ଭାରତବର୍ଷର ଭଙ୍ଗା ଭୂଗୋଳ ଭଳି ଭାରତୀୟ ସଂକୀର୍ଣ୍ଣତାର ଛୋଟ ଛୋଟ ହିଡରେ ଏ ଭାରତବର୍ଷ ଗୋଟାଏ ବନ୍ଦୀ ଚକବନ୍ଦୀର ଚକଡା… ବିଭିନ୍ନ ମୁଖାପିନ୍ଧି ମତଲବର ବିଚିତ୍ର ଆଖଡ଼ା!

ଭାରତବର୍ଷର ରାଜୀନତି ରୁଗ୍‌ଣ, ଅର୍ଥନୀତି ଋଣୀ, ଧର୍ମର ରଙ୍ଗ ଧୂସର। ଏହି ଅବସ୍ଥା ଏକ ଅରାଜକତା ଓ ଅସୁସ୍ଥ ଅବ୍ୟବସ୍ଥା ଛଡା ଆଉ କ’ଣ? ଏହି ଅବାଂଛନୀୟ ଅବସ୍ଥାରୁ ହିଁ ଜନ୍ମ ନିଏ ଆତଙ୍କବାଦ, ଅବିଶ୍ୱାସ, ଅନ୍ଧାକାନୁନ୍‌ର ବିଷାକ୍ତ ବାତାବରଣ। ବିଷମଞ୍ଜି ଆଜି ବିଶାଳ ବିଷବୃକ୍ଷ। ସେ ବୃକ୍ଷର ଫଳାହାର ଏକ ପ୍ରାତ୍ୟହିକ ପ୍ରାତଃରାଶରେ ପରିଣତ ହୋଇଛି ଆମ ସମସ୍ତଙ୍କ ପକ୍ଷରେ।

ଭାରତବର୍ଷର ପ୍ରତ୍ୟେକ ପ୍ରଦେଶ – ଗୋଟିଏ ଭାତହାଣ୍ଡିର ଚାଉଳ। ସବୁଠି ସେଇ ସ୍ଥାଣୁତ୍ୱ, ସ୍ଥବିରତା ଓ ଶୀତଳ ଶୂନ୍ୟତା। ଏହା ନିଶ୍ଚିତ ପକ୍ଷରେ ଯେକୌଣସି ରାଜନୈତିକ ଦଳ, ଯିଏ ଶାସନ ଓ କ୍ଷମତା ବଂଟୁଆରାର ଖୋଳରେ ଜର୍ସି ପିନ୍ଧିବାକୁ ଆଗେଇ ଆସୁଛି- ତା’ ପାଇଁ ମସ୍ତବଡ଼ ଚାଲେଞ୍ଜ। ମାତ୍ର ଏ ଚାଲେଞ୍ଜକୁ ସାମ୍ନା କରିବାର ଯୋଗ୍ୟତା ଆଜି କୋତୋଟି ଦଳ ନିକଟରେ ରହିଚି?

ବର୍ତ୍ତମାନର ପରିପ୍ରେକ୍ଷୀରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କ୍ଷମତାର ଗୋଟି ଚଳାଇବାକୁ ଛାଡିଦେଇ ଦେଶବାସୀ ଚୁପ୍‌ଚାପ୍ ବସିରହିବା ଆଦୌ ନିରାପଦ ନୁହେଁ। ପ୍ରତ୍ୟେକ ରାଜନୈତିକ ଦଳରୁ ପରିଚ୍ଛନ୍ନ ଭାବମୂର୍ତ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱମାନଙ୍କୁ ଚିହ୍ନଟ କରାଯାଇ ଦେଶ ଓ ଜନଗଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦୃଷ୍ଟିରୁ ଯଦି ଏକ ସଂକଳ୍ପବଦ୍ଧ ସମ୍ମିଳିତ ରାଜନୈତିକ ମହାଶକ୍ତି ଠିଆ ହୋଇ ପାରନ୍ତା, ତା’ହେଲେ ଭାରତବର୍ଷ ପାଇଁ ପ୍ରସ୍ତୁତ ହୋଇପାରନ୍ତା ପ୍ରକୃତ ମୁକ୍ତିମାର୍ଗ।

ଜନଗଣଙ୍କୁ ପରାଧୀନ ରଖି, ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ପଦାନତ କରି କୌଣସି ରାଜନୈତିକ ଦଳକୁ ଗଣତନ୍ତ୍ର ନାଆଁରେ ଗାଦିରେ ଠାକୁର କରି ବସାଇ ଦେଉଥିବା ଯାଏଁ- ଆମେ କେବଳ ଏକ ସୁବିଧାବାଦର ସଡକରେ ମୋରମ୍ ବିଛାଇ ଚାଲୁଥିବା। ରାଜନୈତିକ ଦଳମାନେ ଦଳୀୟ ସ୍ୱାର୍ଥ ନୁହେଁ, ଜାତୀୟ ସ୍ୱାର୍ଥ ଓ ରାଷ୍ଟ୍ରୀୟ ସୁରକ୍ଷାର ଗୁରୁଦାୟିତ୍ୱ ବହନ କରିବାର ଚିନ୍ତନ ଓ କାର୍ଯ୍ୟ ଆରମ୍ଭ କରନ୍ତୁ- ଲୋକମାନଙ୍କ ଭିତରେ ପୁଣି ଫେରାଇ ଆଣନ୍ତୁ ଏକ ସକାରାତ୍ମକ ନେତୃତ୍ୱର ପତିଆରା।

ବର୍ତ୍ତମାନ ନକାରାତ୍ମକ ନେତୃତ୍ୱ ଅଧିକାଂଶ ରାଜନୈତିକ ଦଳର ସାଧାରଣ ବ୍ୟାଧି- ଏବଂ ଏ ବ୍ୟାଧି ଉତ୍କଟ ଭାବରେ ସଂକ୍ରାମକ ହୋଇ ପୂରା ଦେଶଟାକୁ ଦଳର ଜଳଖିଆ ଥାଳିରେ ପରଷି ଦେବା ପାଇଁ ସୁଦ୍ଧା ତୟାର୍ – ଏହାଠାରୁ ବଳି ଦୁର୍ଭାଗ୍ୟଜନକ ଅଘଟଣ ଆଉ କ’ଣ ଥାଇପାରେ?

ଯେତେବେଳେ ଏହା ହିଁ ଅବସ୍ଥା, ସେତେବେଳେ ନିର୍ବାଚନ ମଂଚରେ ବ୍ୟବସ୍ଥାକୁ ବଦଳାଇବାର ଘଷରା ଘୋଷଣା କେବଳ ତୁମ୍ବିତୋଫାନ୍। ଦେଶର ସମସ୍ତ ରାଜନୈତିକ ଦଳ, ନେତୃତ୍ୱ ଓ ବ୍ୟକ୍ତିତ୍ୱ ବର୍ତମାନ ଗୋଟିଏ ମଂଚରେ ଏକାଠି ହୋଇ ସଠିକ୍ ବିଚରଣ ଓ ବିଶ୍ଲେଷଣର ପର୍ଯ୍ୟାୟ ଆରମ୍ଭ କରନ୍ତୁ- ପରସ୍ପରକୁ ବିରୋଧ କରିବାରେ ସମୟ ନଷ୍ଟ ନକରି ସେଇ ସମୟସୀମା ମଧ୍ୟରେ ବରଂ ନିଜ ନିଜର ସ୍ୱବିରୋଧ, ଦ୍ୱନ୍ଦ ଓ ଆତ୍ମବିଭକ୍ତି ମାନସିକତାରୁ ମୁକ୍ତି ପାଇବାର ବାଟ ଖୋଜନ୍ତୁ। ଏହା ହିଁ ଆଜି ଭାରତବର୍ଷର ଆତ୍ମିକ ଆହ୍ୱାନ!

ଯାଜପୁର ରୋଡ଼, ଯାଜପୁର

ମୋ : ୯୮୬୧୦୩୪୧୬୩

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।