ନୂଆ ବଡ଼ ନା ପୁରୁଣା ବଡ଼

ସ୍ୱାଧୀନ ରାଉତ

ମଧ୍ୟପ୍ରଦେଶ କଂଗ୍ରେସରେ ବିଦ୍ରୋହ । ଦଳ ଛାଡିଲେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ।  ଜ୍ୟୋତିରାଦିତ୍ୟଙ୍କ ଭଳି ଟାଣୁଆ ନେତା ଦଳ ଛାଡ଼ିବା ଓ ବିଜେପିରେ ମିଶିବା ସତ୍ତା ବଜାୟ ରଖିବାକୁ ସଂଗ୍ରାମ କରୁଥିବା କଂଗ୍ରେସ ପାଇଁ ଆଉ ଏକ ବିରାଟ କ୍ଷତି। ସେପଟେ ପ୍ରବଳ ପ୍ରବର୍ତ୍ତାଯିବା ସତ୍ତ୍ୱେ ପଦ୍ମ ଧରି ନଥିଲେ ଜ୍ୟୋତିରାଦିତ୍ୟଙ୍କ ବାପା ମାଧବରାଓ ସିନ୍ଧିଆ। ତେବେ ଜେଜେମା ବିଜୟାରାଜେ ଗଢ଼ିଥିବା ଦଳରେ ଜ୍ୟୋତିରାଦିତ୍ୟ ସାମିଲ ହୋଇ ନୂଆ ଢଙ୍ଗରେ ନିଜ ରାଜନୈତିକ କ୍ୟାରିଅର ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ସିନ୍ଧିଆ। କଂଗ୍ରେସ ଛାଡ଼ିବା ଖବର ଗତକାଲିଠୁ କେବଳ ଗଣମାଧ୍ୟମର ଶିରୋନାମା ପାଲଟି ନାହିଁ, ବରଂ ଦେଶବ୍ୟାପୀ ରାଜନୈତିକ କଂପନ ବି ସୃଷ୍ଟି କରିଛି। ତେବେ ଏଭଳି ହେଲା କାହିଁକି ? ବହୁତ ଦିନ ହେଲା ସିନ୍ଧିଆ ଏବଂ କମଲନାଥଙ୍କ ମଧ୍ୟରେ ଚାଲିଥିଲା ଶୀତଳ ଯୁଦ୍ଧ।  ମୋର ମନେ ପଡ଼େ ଯେତେବେଳେ ମଧ୍ୟପ୍ରଦେଶ ବିଧାନସଭାର ଭୋଟଗଣତି ଚାଲିଥିଲା,  ସେତେବେଳେ ମୁଁ ଥିଲି କଂଗ୍ରେସ ଭବନରେ। ଯେତେବେଳେ କଂଗ୍ରେସ ଆଗଉ ଥିଲା, ଲୋକେ ଜ୍ୟୋତିରାଦିତ୍ୟ ଜିନ୍ଦାବାଦ କରୁଥିଲେ, ଆଉ କିଛି ଲୋକ କମଲନାଥ ଜିନ୍ଦାବାଦ। ସେତେବେଳେ ସ୍ପଷ୍ଟ ବାରି ହୋଇ ପଡୁଥିଲା, କଂଗ୍ରେସ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ।  କଂଗ୍ରେସ ଏବଂ ବିଜେପି ମଧ୍ୟରେ କାଣ୍ଟେ କି  ଟକ୍କର ହେଉଥାଏ। ଯେତେବେଳେ କଂଗ୍ରେସ ବିଜୟର ନିକଟତର ହେଲା, ସେତେବେଳେ କର୍ମୀଙ୍କ ଦାବି ଥିଲା ଯେ ସିନ୍ଧିଆ ରାଜ୍ୟର ନେତୃତ୍ୱ ନିଅନ୍ତୁ। ହେଲେ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଥିବା ଦଳ ଶେଷର ନିଷ୍ପତ୍ତି ନେଲା ଯେ କମଲନାଥ ହେବେ ମୁଖ୍ୟମନ୍ତ୍ରୀ । ସିନ୍ଧିଆ ସମର୍ଥକମାନେ ବେଶ ନିରାଶ ହେଲେ ।  ଏହି ନିର୍ବାଚନରେ  ଅଳ୍ପ ବ୍ୟବଧାନରେ ବିଜେପିଠାରୁ କ୍ଷମତା ଛଡାଇ ନେଇଥିଲା କଂଗ୍ରେସ। ଏହା ପରେ ସିନ୍ଧିଆ ଏବଂ କମଲନାଥଙ୍କ ମଧ୍ୟରେ ଆରମ୍ଭ ହେଲା ଶୀତଳ ଯୁଦ୍ଧ।  ଅନେକ ସମୟରେ ଉଭୟେ ଉଭୟଙ୍କ ବିରୋଧରେ କହୁଥିବା ଦେଖିବାକୁ ମିଳିଲା।  କମଲନାଥଙ୍କୁ ଏଥିରେ ସହଯୋଗ କରିଥିଲେ। ଦିଗବିଜୟ ସିଂହ।  ଏପିରି କି ଦିଗବଜୟ ଚାଲାକି କରି ନିଜ ପୁଅକୁ କମଲାନଥ ସରକାରରେ କ୍ୟାବିନଟ୍ ମନ୍ତ୍ରୀ ବି  କରାଇ ଦେଇଛନ୍ତି। ପିସିସି ସଭାପତି ପଦ ଏବଂ ଶେଷରେ ରାଜ୍ୟସଭାକୁ ବି ପଠାଇବା ପାଇଁ ଦଳ ଉଚିତ୍ ମଣିଲାନି ସିନ୍ଧିଆଙ୍କୁ । ଏହାର ପରିଣାମସ୍ୱରୂପ, ଶେଷର ନିଜ କ୍ୟାରିଅର ପାଇଁ ଦଳ ଛାଡ଼ିଲେ ଜ୍ୟୋତିରାଦିତ୍ୟ। ଏମିତିକି  ରାହୁଲଙ୍କ ଡାହାଣ ହାତ କହୁଯାଉଥିବା ସିନ୍ଧିଆଙ୍କୁ ଦଳର  ଶୀର୍ଷ ନେତୃତ୍ୱଙ୍କୁ ଶେଷ ମୁହୁର୍ତ୍ତରେ ଭେଟିବାକୁ ଦିଆଯାଇନଥିବା ଚର୍ଚ୍ଚା ହୁଏ ।

ମଧ୍ୟପ୍ରଦେଶ ପରି ରାଜସ୍ଥାନର ଅବସ୍ଥା।  ଏଠାରେ ସଚିନ୍ ପାଇଲଟ୍ ବନାମ ଅଶୋକ ଗେହେଲଟ୍।  ଜଣେ ଯୁବନେତା ଭାବେ ଜ୍ୟୋତିରାଦିତ୍ୟଙ୍କ ଭଳି ସଚିନ ପାଇଲଟ୍ ମଧ୍ୟ ବେଶ ଲୋକପ୍ରିୟ। ଗଲା ବିଧାନସଭା ନିର୍ବାଚନରେ ରାଜସ୍ଥାନରେ ଲୋକ ଭାବିଥିଲେ ଏଥର କଂଗ୍ରସର ଯୁବ ନେତୃତ୍ୱ ଶାସନ କରିବ ରାଜ୍ୟକୁ।  ହେଲେ ଫଳ ହେଲା ଓଲଟା ।  ହାଇକମାଣ୍ଡ ନିଷ୍ପତ୍ତି ନେଲେ, ଅଶୋକ ଗେହେଲଟ୍ ହେବେ ରାଜ୍ୟର ମୁଖ୍ୟମନ୍ତ୍ରୀ।  ଯଦି ଆପଣ ଗତ କିଛି ବର୍ଷ ଧରି ନିର୍ବାଚନକୁ ଦେଖିବେ କଂଗ୍ରେସର ଅନେକ ବରିଷ୍ଠ ନେତା ଲୋକସଭାକୁ ଯାଇ ନାହାନ୍ତି,  ମାନେ ପ୍ରତ୍ୟକ୍ଷ ନିର୍ବାଚନ ଲଢି ନାହାନ୍ତି। ବରଂ ବିଭିନ୍ନ ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଅନେକ ବରିଷ୍ଠ ନେତାଙ୍କ ଅନେକ ଦିନ ହେବ ଲୋକସଂପର୍କ ସେତେ ନାହିଁ କହିଲେ ଚଳେ।  ଆଉ ଏହି ନେତାମାନେ କଂଗ୍ରେସର କୋର୍‌ କମିଟି ବା ସିଡବ୍ଲ୍ୟୁସିର ସଦସ୍ୟ ମଧ୍ୟ। ଏମାନେ ନିଷ୍ପତ୍ତି ନିଅନ୍ତି, କିଏ କେଉଁଠୁ ଲଢିବ, କିଏ କେଉଁ ରାଜ୍ୟରେ ଶାସନ କରିବ।  ତାଙ୍କ ପରେ ତାଙ୍କ ସନ୍ତାନମାନେ କିଭଳି ଟିକେଟ୍ ପାଇବେ, ତାଙ୍କ ଆସନର କିଭଳି ଉତ୍ତରାଧିକାରୀ ହେବେ, ତାର ବାଟ ମଧ୍ୟ ସେମାନେ କରୁଛନ୍ତି।  ହେଲେ ସବୁବେଳେ ସମୟ ଠିକ ନଥାଏ। ଏହାର ପରିଣାମ କଂଗ୍ରସକୁ ଗଲା ସାଧାରଣ ନିର୍ବାଚନରେ ଭୋଗିବାକୁ ପଡିଛି । ଅନେକ ନେତାଙ୍କ ସନ୍ତାନମାନେ ନିର୍ବାଚନ ହାରିଛନ୍ତି।  ପରିବାର ବାଦ ପରେ କଂଗ୍ରେସ ପାଇଁ ସବୁଠାରୁ ବଡ ଅଡୁଆ ହେଉଛି ପୁରଣା ଲୋକଙ୍କୁ ଜାବୁଡି ଧରିବା ।  ସିନ୍ଧିଆଙ୍କ ବିଦ୍ରୋହ ପରେ  ବର୍ତ୍ତମାନ କଂଗ୍ରେସ ଭିତରୁ ଅନେକ ନେତା ଦାବି କରୁଛନ୍ତି ଯେ ଦଳର ଶୀର୍ଷ ନେତୃତ୍ୱଙ୍କୁ ବଦଳାଯିବା ଦରକାର।  ହେଲେ ଏହାର  କିଛି ଓଲଟା ଦେଖିବାକୁ ମିଳେ ବିଜେଡିରେ।  ଏଠାରେ ପୁରଣା ବେଳେ ବେଳେ ଅଣଦେଖା ହୋଇ ଯାଆନ୍ତି, ହଠାତ୍‌ ଦଳରେ ଯୋଗ ଦେଇଥିବା ଲୋକଙ୍କୁ ମିଳିଯାଏ ବଡ଼ ପଦ।  ଏଇ ଯେମିତି ବର୍ତ୍ତମାନର ରାଜ୍ୟ ସଭା ଆସନ ପାଇଁ ଶଙ୍ଖ ଦଳର ପ୍ରାର୍ଥୀ ଚୟନ।   ନବୀନ ବାବୁ ଜଣେ ନୂଆ, ଆଉ ଜଣେ ଟିକେ ପୁରଣା ନେତାଙ୍କୁ ରାଜ୍ୟସଭା ପଠାଇଲେ, ମାନେ ସୁଜିତ୍ କୁମାର ଏବଂ ସୁବାସ ସିଂ।  ସେହିପରି ଏହା ଆଗରୁ ସୌମ୍ୟରଞ୍ଜନ ପଟ୍ଟାନାୟକ ଏବଂ ଅଚ୍ୟୁତ ସାମନ୍ତ ଅପରାହ୍ନରେ ଦଳରେ ଯୋଗଦେଲେ, ଆଉ ସାଙ୍ଗେ ସାଙ୍ଗେ ରାଜ୍ୟସଭା ଟିକେଟ୍ ପାଇଲେ।  ଏହି ନଷ୍ପତ୍ତି ଦଳରେ ବହୁଦିନ ଧରି ପରିଶ୍ରମ କରି ସଂଗ୍ରାମ କରୁଥିବା ଲୋକଙ୍କୁ ନିରାଶ କରୁଛି ସତ।  ବର୍ତ୍ତମାନ ରାଜ୍ୟସଭାରେ ଅଳ୍ପ କେତେକ ନେତାଙ୍କୁ ଛାଡିଦେଲେ ବାକି ସବୁ ନେତା ଅଳ୍ପ କେତେ ବର୍ଷ ହେଲା ଦଳକୁ ଆସିଛନ୍ତି।  ସେହିପରି ଅନେକ ବରିଷ୍ଠ ନେତା ନିର୍ବାଚନ ହାରିଥିଲେ ମଧ୍ୟ ସଂଜୟ ଦାସବର୍ମାଙ୍କୁ ଛାଡି ଅନ୍ୟ କାହାକୁ ସରକାରରେ କୌଣସି ପଦପଦବୀ ମିଳିନି। ହେଲେ ନବୀନ ବାବୁ ନିର୍ବାଚନ ଲଢିନଥିବା ଅନେକ ନେତାଙ୍କୁ ରାଷ୍ଟ୍ରପାହ୍ୟା , କ୍ୟାବିନେଟ୍ ପାହ୍ୟ ଏବଂ ସଚିବ ପାହ୍ୟା ଦେଇ ସନ୍ତୁଷ୍ଟ କରିଛନ୍ତି।  ଅନେକ ପୁରଣା ନେତା ମୁହଁ ଖୋଲି କହୁ ନଥିଲେ ମଧ୍ୟ ମନରେ କ୍ଷୋଭ ରହିଛି।  ତେବେ ନିର୍ବାଚନବେଳେ ଅସନ୍ତୁଷ୍ଟ ନେତାଙ୍କ ପାଖରେ ଯେଉଁ ବିକଳ୍ପ ଥିଲା, ବର୍ତ୍ତମାନ ସେହି ପରିସ୍ଥିତି ନାହିଁ।  ସେ ସମୟରେ ଅନେକ ନେତା ବିଜେପି  ଏବଂ କଂଗ୍ରେସ ଯାଇଥିଲେ,  ଏବେ ସେ ପରିସ୍ଥିତି ନାହିଁ ।

ସେହିପରି ସମାଜବାଦୀ ପାର୍ଟିର କଥା ବିଚାରକୁ ନିଆଯାଉ।  ସମାଜବାଦୀ ପାର୍ଟିରେ ଯେତେବେଳେ ଅଖିଲେଶ୍ ରାଜ ଆରମ୍ଭ ହେଲା, ସେତେବେଳେ ଏହାକୁ ପସନ୍ଦ କଲେନି ତାଙ୍କ ବାପାଙ୍କ ଅମଳର ଲୋକେ।  ବିଶେଷକରି ତାଙ୍କ ଚାଚା ଶିବପାଲ ସିଂ ଯାଦବ ଏହାକୁ ଖୋଲା ଖୋଲି ବିରୋଧ କରିଥିଲେ। ସେହିପରି ଅମର ସିଂ ମଧ୍ୟ ଅଖିଲେଶଙ୍କୁ ଅନେକ ଥରେ ବିରୋଧ କରିଛନ୍ତି। ଏପରିକି ଅଖିଲେଶଙ୍କୁ ଔରଂଜେବ ମଧ୍ୟ କହିବାକୁ ପଛାଇ ନାହାଁନ୍ତି।  ତେବେ ଅଖେଲେଶ ଯେଉଁ ଶୈଳୀରେ ରାଜ୍ୟ ସରକାର ଚଳାଇଲେ ତାକୁ ଜନସମର୍ଥନ ମିଳିଥିବା ବେଳେ ଦଳ ଭିତରୁ ତାଙ୍କୁ ସମର୍ଥନ ମିଳୁ ନଥିଲା। ଏହାର ପରିଣାମସ୍ୱରୂପ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଦଳକୁ ପରାଜୟ ସ୍ୱୀକାର କରିବାକୁ ପଡିଲା।

ସେହିପରି ଭାରତୀୟ ଜନତା ପାର୍ଟି ଅର୍ଥାତ ବିଜେପିର କଥାକୁ ନିଆଯାଉ। ଦଳର ବହୁ ବରିଷ୍ଠ ନେତାଙ୍କୁ ଆଜି କାଲି ଦଳୀୟ ରାଜନୀତିରେ ଦେଖିବାକୁ ମିଳେନି।  ସେ ଲାଲକୃଷ୍ଣ ଆଡଭାନୀ ହୁଅନ୍ତୁ ବା ମୂରଲୀ ମନୋହର ଯୋଶୀ।  ଯଶୋବନ୍ତ ସିହ୍ନା ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ଭଳି ନେତା ବର୍ତ୍ତମାନର ନେତୃତ୍ୱକୁ ଖୋଲାଖୋଲି ବିରୋଧ କରିଛନ୍ତି ।

ପବ୍ଲିକ ଆଡମିନିଷ୍ଟ୍ରେସନ୍‌ରେ ପାଠ ପଢାଯାଏ, କିଏ ପ୍ରଶାସନ ପାଇଁ ଉପଯୋଗୀ।  ନୂତନ ନା ପୁରଣା।  କାରଣ ନୂଆ ଲୋକ ଶାସନଭାର ଗ୍ରହଣ କଲେ କିଛି ନୂତନତ୍ୱ ପ୍ରୟୋଗ କରିବେ।  ଯୁବ ପୀଢୀ ନୂତନ ଚିନ୍ତାଧାରା ନେଇ କାମ କରିବେ, ଯାହା ଫଳରେ ରାଜ୍ୟକୁ ବେଶ ଫାଇଦା ମିଳିବ।  ସେହିପରି ପ୍ରମୋସନ ପାଇଁ ଉଚ୍ଚ ପାହ୍ୟାକୁ ଯାଇଥିବା ଲୋକଙ୍କ ଆବଶ୍ୟକତା ମଧ୍ୟ ଶାସନରେ ଢେର ଅଛି।  କାରଣ ଅଭିଜ୍ଞ ଲୋକ ସଙ୍କଟ ସମୟରେ ନିଜ ଅଭିଜ୍ଞତା ଅନୁଯାୟୀ ଏହାର ସମାଧାନ କରିଥାଏ।  ଉଭୟେ ଶାସନ ପାଇଁ ଆବଶ୍ୟକ । ଏମାନଙ୍କ ଅନୁପାତ ଏବଂ ଉପଯୋଗିତା ଠିକ୍ ହେବ ଦରକାର।  ଏଥିରେ ଉଣା ଅଧିକ ହେଲେ ଏହାର ପ୍ରଭାବ ପଡ଼େ ରାଜ୍ୟ ଶାସନ ଉପରେ।  ଠିକ୍ ସେହିପରି ଗୋଟିଏ ରାଜନୈତିକ ଦଳର କଥା।  ନୂଆ ଏବଂ ପୁରଣା ସମସ୍ତଙ୍କୁ ସମାନ ଅଧିକାର ମିଳିବା କଥା।  ଏଥିରେ ଉଣା ଅଧିକ ହେଲେ ରାଜନୀତିରେ ବିଦ୍ରୋହ ସୃଷ୍ଟି ହୁଏ, ଏହାର  ଉଦାହାରଣ ହେଉଛି ମଧ୍ୟପ୍ରଦେଶ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।