ସରଳ କୁମାର ଦାସ
ଦେଶରେ ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ଲାଗି ହେଉଥିବା ନିର୍ବାଚନର ହଇଚଇ ଭିତରେ ଏମିତି ଗୋଟିଏ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଯାହାର ଫଳାଫଳର ପ୍ରଭାବ ଅନ୍ତତଃ ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ସୁଦୂର ପ୍ରସାରୀ ହେବାକୁ ଯାଉଥିଲେ ବି ଜାତୀୟ ଗଣମାଧ୍ୟମରେ ତାହା ଉଚିତ ଢଙ୍ଗରେ ଉପସ୍ଥାପିତ ହୋଇନାହିଁ। ଅପ୍ରେଲ ୬,୨୦୨୧ରେ ତ୍ରିପୁରା ଆଦିବାସୀ ଅଞ୍ଚଳ ସ୍ୱୟଂଶାସିତ ଜିଲ୍ଲା କାଉନସିଲ (ଟିଟିଏଏଡିସି)ର ୨୮ଟି ଆସନ ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେପି ମେଣ୍ଟର ଶୋଚନୀୟ ପରାଜୟ ଘଟିଲା। କେବଳ ସେତିକି ନୁହେଁ ଏକ ସମ୍ପୂର୍ଣ୍ଣ ନୂତନ ଦଳ ଟିଟିଏଏଡିସିର ଶାସନ କ୍ଷମତା ଦଖଲ କରିବା ଅନେକଙ୍କୁ ଚକିତ କରିବା ସହ ଏହା ଯେ ତ୍ରିପୁରା ଓ ଉତ୍ତର-ପୂର୍ବ ଭାରତର ରାଜନୀତିକୁ ନିଶ୍ଚିତ ଭାବେ ପ୍ରଭାବିତ କରିବାକୁ ଯାଉଛି, ତାର ପୂର୍ବାଭାସ ମିଳିବାକୁ ଲାଗିଲାଣି।
ଭାରତୀୟ ସମ୍ୱିଧାନର ଷଷ୍ଠ ଅନୁଚ୍ଛେଦ ଅନୁସାରେ ଲଦ୍ଦାଖ ଏବଂ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ସ୍ୱୟଂଶାସିତ ପ୍ରଶାସକୀୟ ଅଞ୍ଚଳ (ଅଟୋନମସ ଆଡମିନିଷ୍ଟ୍ରେଟିଭ ଡିଭିଜନ)ମାନ ଗଠିତ ହୋଇଛି। ତଦନୁସାରେ ତ୍ରିପୁରାରେ ‘ତ୍ରିପୁରା ଆଦିବାସୀ ଅଞ୍ଚଳ ସ୍ୱୟଂଶାସିତ ଜିଲ୍ଲା କାଉନସିଲ’ (ଟିଟିଏଏଡିସି) ଜାନୁଆରୀ ୧୯୮୨ରେ ଗଠିତ ହୋଇ ସେଠାରେ ପ୍ରତି ପାଞ୍ଚ ବର୍ଷରେ ଥରେ ନିର୍ବାଚନ ହୋଇଆସୁଛି। ଆଦିବାସୀ ଅଧ୍ୟୁଷିତ ୫୨୭ଟି ଗ୍ରାମ ବିଶିଷ୍ଟ ଏହି କାଉନସିଲର କ୍ଷେତ୍ରଫଳ ପ୍ରାୟ ୭୦୦୦ ବର୍ଗ କିଲୋମିଟରରୁ ଅଧିକ, ଯାହା ସମଗ୍ର ତ୍ରିପୁରା ରାଜ୍ୟର କ୍ଷେତ୍ରଫଳର ୭୦ ପ୍ରତିଶତ। ଲୋକସଂଖ୍ୟା ଦୃଷ୍ଟିରୁ ଏହି ଅଞ୍ଚଳରେ ରାଜ୍ୟର ଏକ-ତୃତୀୟାଂଶ ଲୋକ ବସବାସ କରନ୍ତି।
କାଉନସିଲରେ ଥିବା ସମୁଦାୟ ୩୦ଟି ଆସନ ମଧ୍ୟରୁ ୨୮ଟି ଲାଗି ନିର୍ବାଚନ ହେଉଥିବା ବେଳେ ଅବଶିଷ୍ଟ ଦୁଇଟି ଆସନ ଲାଗି ରାଜ୍ୟପାଳ ମନୋନୟନ କରିଥାଆନ୍ତି। ନିର୍ବାଚନ ହେଉଥିବା ଆସନଗୁଡିକ ମଧ୍ୟରୁ ୨୫ଟି ଆସନ ତ୍ରିପୁରାର ୧୯ଟି ସ୍ଥାନୀୟ ଆଦିମ ତିପ୍ରା ସମ୍ପ୍ରଦାୟର ଅଧିବାସୀଙ୍କ ପାଇଁ ସଂରକ୍ଷିତ।
ଅପ୍ରେଲ ୬ରେ ଅନୁଷ୍ଠିତ କାଉନସିଲ ନିର୍ବାଚନରେ ଶାସକ ବିଜେପି ମେଣ୍ଟ ମାତ୍ର ୯ଟି ଆସନରେ ବିଜୟ ହାସଲ କରିଛି ଏବଂ ଏହି ୯ଟି ଯାକ ଆସନ ବିଜେପିକୁ ହିଁ ମିଳିଛି। ଅର୍ଥାତ୍, ମେଣ୍ଟ ସରକାରରେ ଥିବା ଅନ୍ୟତମ ସହଯୋଗୀ ଦଳ ‘ଇଣ୍ଡିଜେନସ ପିପୁଲସ ଫ୍ରଣ୍ଟ ଅଫ ତ୍ରିପୁରା’ (ଆଇପିଏଫଟି) ୧୭ଟି ଆସନରେ ଲଢି ଗୋଟିଏ ହେଲେ ଆସନ ପାଇବାକୁ ଅସମର୍ଥ ହୋଇଛି। ଏହି ନିର୍ବାଚନରେ ପ୍ରଥମ କରି ପ୍ରଦ୍ୟୋତ କିଶୋର ଦେବବର୍ମନଙ୍କ ନେତୃତ୍ୱରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ‘ତିପ୍ରାହା ଇଣ୍ଡିଜେନସ ପିପୁଲସ ରିଜିଓନାଲ ଆଲାଏନ୍ସ (ତିପ୍ରା) ମୋଥା’ ଦଳ ସର୍ବାଧିକ ୧୬ଟି ଆସନ ପାଇଥିବା ବେଳେ ଏହାର ସହଯୋଗୀ ‘ଇଣ୍ଡିଜେନସ ନ୍ୟାସନାଲିଷ୍ଟ ପାର୍ଟି ଅଫ ତ୍ରିପୁରା’ (ଆଇଏନପିଟି) ୨ଟି ଆସନରେ ବିଜୟୀ ହୋଇ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ଜଣେ ନିର୍ଦ୍ଦଳୀୟ ବିଜୟୀ ହୋଇଥିଲେ ମଧ୍ୟ ବାମମେଣ୍ଟ ଦଳଗୁଡିକ ଓ କଂଗ୍ରେସ ଅଲଗା ଅଲଗା ସବୁ ଆସନରେ ଲଢି ଗୋଟିଏ ବି ଆସନରେ ଜିତି ନ ପାରିବା ବିସ୍ମୟକର ହୋଇଛି। କେବଳ ସେତିକି ନୁହେଁ, ଏହି ନିର୍ବାଚନରେ ତିପ୍ରା ମୋଥା ଓ ଆଇଏନପିଟି ଦଳ ଏକତ୍ର ମିଶି ପ୍ରାୟ ୪୭ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ମେଣ୍ଟକୁ ମାତ୍ର ୨୯ ପ୍ରତିଶତ ଭୋଟ ମିଳିବା ବିଜେପିର ଚିନ୍ତା ବଢାଇଛି। ଅନ୍ୟ ପକ୍ଷରେ ତ୍ରିପୁରାରେ ଦୀର୍ଘ ଦିନ ଧରି ଶାସନରେ ଥିବା ବାମମେଣ୍ଟ ଦଳଗୁଡିକୁ ମାତ୍ର ୧୨ ପ୍ରତିଶତରୁ ସାମାନ୍ୟ ଅଧିକ ଭୋଟ ମିଳିଛି। ଉଲ୍ଲେଖଯୋଗ୍ୟ ଯେ ଗତ ତିନିଟି ନିର୍ବାଚନରେ ଟିଟିଏଏଡିସି କେବଳ ବାମମେଣ୍ଟର ଦଖଲରେ ନ ଥିଲା ବରଂ ନିର୍ବାଚନରେ ଏହା ସବୁ ଆସନ ପୋଛି ନେଉଥିଲା। ତ୍ରିପୁରା ରାଜନୀତିରେ ପ୍ରଦ୍ୟୋତ କିଶୋର ଦେବବର୍ମନଙ୍କ ଦ୍ରୁତ ଆରୋହଣ ହୁଏତ ଭବିଷ୍ୟତରେ ରାଜ୍ୟର ରାଜନୈତିକ ଗତି ଓ ପ୍ରକୃତି ନିର୍ଦ୍ଧାରଣ କରିପାରେ।
ପ୍ରଦ୍ୟୋତ ମାଣିକ୍ୟ ରୂପେ ପରିଚିତ ୪୨ ବର୍ଷୀୟ ପ୍ରଦ୍ୟୋତ କିଶୋର ଦେବବର୍ମନ ତ୍ରିପୁରାର ମାଣିକ୍ୟ ରାଜବଂଶର ଶେଷ ରାଜା ବିକ୍ରମ କିଶୋର ଦେବବର୍ମନଙ୍କ ପୁଅ ଓ ବର୍ତ୍ତମାନର ରାଜ ପରିବାରର ମୁଖ୍ୟ। କଂଗ୍ରେସ ଦଳରୁ ତାଙ୍କ ବାପା ତିନି ଥର ଏମପି ହୋଇଥିଲେ। ତାଙ୍କ ମାଆ ଦୁଇ ଥର ଏମଏଲଏ ଭାବେ ନିର୍ବାଚିତ ହୋଇ ରାଜ୍ୟରେ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ। ହେଲେ ପ୍ରଦ୍ୟୋତ ଏ ଯାବତ୍ କୌଣସି ନିର୍ବାଚନରେ ଅଂଶଗ୍ରହଣ କରି ନ ଥିଲେ। ଅବଶ୍ୟ ସେ ରାଜନୀତିରେ ସକ୍ରିୟ ରହି ତ୍ରିପୁରାରେ କଂଗ୍ରେସର ସାଧାରଣ ସମ୍ପାଦକ ଓ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଥିଲେ। କେନ୍ଦ୍ରୀୟ ନେତୃବର୍ଗଙ୍କ ସହ ମତାନ୍ତର ପରେ ସେ ୨୦୧୯ ମସିହାରେ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଅବ୍ୟାହତି ନେବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।
ଗତ କିଛି ବର୍ଷ ମଧ୍ୟରେ ବଙ୍ଗଳାଦେଶରୁ ଲକ୍ଷ ଲକ୍ଷ ସଂଖ୍ୟାରେ ବଙ୍ଗଳା ଭାଷୀ ତ୍ରିପୁରାକୁ ଅନୁପ୍ରବେଶ କରିବା ଦ୍ୱାରା ତ୍ରିପୁରାର ଜନସଂଖ୍ୟାର ପ୍ରକୃତି ବଦଳି ସେଠାକାର ଆଦିମ ଅଧିବାସୀମାନେ ନିଜ ଭୂମିରେ ସଂଖ୍ୟା ଲଘୁ ପାଲଟି ଯାଇଛନ୍ତି। ଏହାକୁ ରୋକିବା ପାଇଁ ପ୍ରଦ୍ୟୋତ ଦେବବର୍ମନ ତ୍ରିପୁରାରେ ଏନଆରସି ଲାଗୁ କରିବା ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ମାମଲାକୁ ଉଠାଇ ନେବା ଲାଗି ତାଙ୍କ ଉପରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ୱାରା ପଡ଼ିଥିବା ଚାପ ଆଗରେ ସେ ମୁଣ୍ଡ ନ ନୁଆଁଇ ଦଳରୁ ଇସ୍ତଫା ଦେଇଥିଲେ। କିଛି ଦିନ ପାଇଁ ରାଜନୀତିଠାରୁ ଦୂରେଇ ରହିବା ପରେ ତ୍ରିପୁରାର ଆଦିମ ଅଧିବାସୀଙ୍କୁ ଏକଜୁଟ କରିବା ପାଇଁ ସବୁ ଆଞ୍ଚଳିକ ଦଳଙ୍କୁ ନେଇ ସେ ତିପ୍ରାହା ଇଣ୍ଡିଜେନସ ପିପୁଲସ ରିଜିଓନାଲ ଆଲାଏନ୍ସ (ତିପ୍ରା) ନାମକ ଏକ ଅଣରାଜନୈତିକ ମଞ୍ଚ ଗଠନ କଲେ। ଚାହୁଁ ଚାହୁଁ ତ୍ରିପୁରାର ଅନେକ ଆଦିମ ଅଧିବାସୀ ଆଞ୍ଚଳିକ ଦଳ ପ୍ରଦ୍ୟୋତଙ୍କ ଘୋଷିତ ନୀତି ପ୍ରତି ଆକୃଷ୍ଟ ହେଲେ। ତିପ୍ରାଲାଣ୍ଡ ଷ୍ଟେଟ ପାର୍ଟି ଓ ଆଇପିଏଫଟି ତିପ୍ରା ପରି କିଛି ଦଳ ତିପ୍ରାରେ ନିଜ ଦଳକୁ ମିଶାଇ ଦେଇଥିବା ବେଳେ ଆଇଏନପିଟି ଦଳ ତିପ୍ରା ସହ ମେଣ୍ଟ ଗଠନ କରି ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇଗଲେ।
ନିର୍ବାଚନରେ ତିପ୍ରାର ପ୍ରାର୍ଥୀ ହୋଇଥିବା ଅଧିକାଂଶ ଭିନ୍ନ ପେଷାର ଓ ଅନେକଙ୍କର କୌଣସି ପୂର୍ବ ରାଜନୈତିକ ଅଭିଜ୍ଞତା ନ ଥିବା ସତ୍ତ୍ୱେ ମତଦାତା ସେମାନଙ୍କୁ ଆଶୀର୍ବାଦ ଦେବା ପଛର ଅନ୍ୟତମ କାରଣ ତିପ୍ରାର ନିର୍ବାଚନୀ ଘୋଷଣା, ବୃହଦ୍ ତିପ୍ରାଲାଣ୍ଡ ପାଇଁ ଦାବି ଆଦିମ ଅଧିବାସୀଙ୍କ ଅସ୍ତିତ୍ୱକୁ ସେମାନଙ୍କ ଭୂମିରେ ସୁରକ୍ଷିତ କରି ରଖିବା ଲାଗି ଏକମାତ୍ର ବିକଳ୍ପ। ଟିଟିଏଏଡିସି ଅଞ୍ଚଳ ଓ ରାଜ୍ୟର ଆଦିମ ଅଧିବାସୀ ରହୁଥିବା ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ତିପ୍ରାଲାଣ୍ଡ ରାଜ୍ୟ ଗଠନ ଦାବି କରାଯିବ। ଏଥି ସହିତ ଦଳ ତରଫରୁ ତ୍ରିପୁରାରେ ଏନଆରସି ପ୍ରଣୟନ ସପକ୍ଷରେ ଓ ସିଏଏକୁ ପ୍ରତ୍ୟାହାର କରିବା ଉପରେ ଗୁରୁତ୍ୱ ଦିଆଗଲା।
ଆଉ ଦୁଇ ବର୍ଷ ପରେ ତ୍ରିପୁରା ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଥିବାରୁ ଟିଟିଏଏଡିସି ନିର୍ବାଚନର ଫଳାଫଳର ସମ୍ଭାବ୍ୟ ପ୍ରଭାବକୁ ନେଇ ଆଲୋଚନା ହେବାକୁ ଲାଗିଲାଣି। ବାମମେଣ୍ଟ ଏହି ନିର୍ବାଚନରେ ପରାଜୟ ବରଣ କରିଥିଲେ ବି ଆଗାମୀ ନିର୍ବାଚନରେ ଏହାର ପ୍ରଭବ ସେତେ ବେଶି ହେବନାହିଁ ବୋଲି ମନେ କରେ। କାରଣ ତିପ୍ରା ଲୋକଙ୍କୁ ‘ବୃହଦ୍ ତିପ୍ରାଲାଣ୍ଡ’ର ମିଛ ସ୍ୱପ୍ନ ଦେଖାଇ ‘ପରିଚୟ ରାଜନୀତି’କୁ ଆୟୁଧ କରି ହାସଲ ହୋଇଥିବା କ୍ଷଣିକ ସଫଳତା ପୂରଣ ହେବାର ସମ୍ଭାବନା କ୍ଷୀଣ ହୋଇଥିବାରୁ ଲୋକମାନଙ୍କ ତୁରନ୍ତ ମୋହଭଙ୍ଗ ହୋଇ ସେମାନେ ପୁଣି ବାମମେଣ୍ଟର ନିକଟତର ହେବେ ବୋଲି ବାମମେଣ୍ଟର ବିଶ୍ୱାସ। ଅନ୍ୟ ପକ୍ଷରେ ପ୍ରଦ୍ୟୋତଙ୍କ ସଫଳତାରେ ରାଜ୍ୟରେ କଂଗ୍ରେସ ଦଳ ଉତ୍ସାହିତ। କାରଣ ଦଳ ମନେ କରେ ଯେ ପ୍ରଦ୍ୟୋତ ଦଳ ଛାଡ଼ି ଯାଇଥିଲେ ବି ସେ ମୂଳତଃ ଜଣେ କଂଗ୍ରେସୀ ହୋଇଥିବାରୁ ଆଗାମୀ ନିର୍ବାଚନରେ ତାଙ୍କ ସହ ମେଣ୍ଟ ଗଠନ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇପାରେ।
ଏହି ନିର୍ବାଚନୀ ବିପର୍ଯ୍ୟୟ ପରେ ବିଜେପି ଦଳ ଏଥିପାଇଁ ସହଯୋଗୀ ଆଇପିଏଫଟି ଦଳର ବିଫଳତାକୁ ସିଧାସଳଖ ଦାୟୀ କରିବାକୁ କାଳବିଳମ୍ୱ କରି ନଥିଲା ବେଳେ ଏଥି ନେଇ ଉଭୟ ଦଳ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି, ଯାହା ଆଗାମୀ ଦିନରେ ମେଣ୍ଟର ସ୍ଥିରତା ନେଇ ସଙ୍କଟ ସୃଷ୍ଟି କରି ପାରେ। ଏହି ତିକ୍ତତା ସୃଷ୍ଟିର ପ୍ରଥମ କାରଣ ଥିଲା ଟିଟିଏଏଡିସି ନିର୍ବାଚନକୁ ସ୍ଥଗିତ ରଖିବାର ସରକାରୀ ନିଷ୍ପତ୍ତି। ଟିଟିଏଏଡିସିର କାର୍ଯ୍ୟକାଳ ଅପ୍ରେଲ ୨୦୨୦ରେ ସରି ଯାଉଥିଲେ ମଧ୍ୟ ସେଠାରେ ନିର୍ବାଚନକୁ କୋଭିଡ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ନଭେମ୍ୱର ପର୍ଯ୍ୟନ୍ତ ୬ ମାସ ଯାଏଁ ଘୁଞ୍ଚାଇ ଦିଆଗଲା।
ଆଇପିଏଫଟି ଏହି ନିଷ୍ପତ୍ତିରେ ଅସନ୍ତୋଷ ଜଣାଇ ପ୍ରତିବାଦ କରିଥିଲା। ତେବେ ନଭେମ୍ୱର ମାସ ନିର୍ବାଚନକୁ ପୁଣି ଥରେ ୬ ମାସ ଲାଗି ଘୁଞ୍ଚାଇ ଦିଆ ଯିବାରୁ ସମ୍ପର୍କରେ ତିକ୍ତତା ଅଧିକ ବୃଦ୍ଧି ପାଇଲା। ଏହି ସମୟରେ ବିହାର ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବା ଓ ଅନ୍ୟାନ୍ୟ ଅନେକ ସ୍ଥାନରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକର ନିର୍ବାଚନ ହେଉଥିଲା ବେଳେ ବିଜେପି ଆଇପିଏଫଟିର ମତକୁ ଅଣଦେଖା କରି ଟିଟିଏଏଡିସିର ନିର୍ବାଚନକୁ ଘୁଞ୍ଚାଇ ଦେବା ସେହି ଦଳ ଦ୍ୱାରା ଗ୍ରହଣୀୟ ହେଲା ନାହିଁ ଓ ବିଜେପିଠାରୁ ନିର୍ବାଚନ ଘୁଞ୍ଚାଇବାର କାରଣ ଜାଣିବା ପର୍ଯ୍ୟନ୍ତ କଥା ଗଲା।
ତ୍ରିପୁରା ସରକାରରେ ଆଇପିଏଫଟିର ଦୁଇ ଜଣ ମନ୍ତ୍ରୀ ଥିଲେ ବି ମେଣ୍ଟକୁ ଅଣଦେଖା କରି ଫେବୃଆରୀ ୨୦୨୧ରେ ତିପ୍ରା ଦ୍ୱାରା ଖୁମୁଲଙ୍ଗଠାରେ ଆହୂତ ସ୍ଥାନୀୟ ଅଧିବାସୀଙ୍କ ସର୍ବଦଳୀୟ ସଭାରେ ଆଇପିଏଫଟି ଯୋଗ ଦେଇଥିଲା। ଏହା ଆଇପିଏଫଟି ପାଇଁ ଏକ ବାଧ୍ୟବାଧକତା ଥିଲେ ବି ବିଜେପି ତାକୁ ସହଜରେ ଗ୍ରହଣ କରି ପାରି ନଥିଲା। ଅନ୍ୟ ପକ୍ଷରେ ତ୍ରିପୁରା ରାଜନୀତିରେ ଆଇପିଏଫଟିର ପ୍ରାସଙ୍ଗିକତା କମ ହୋଇଗଲା ପରି ଅନୁଭୂତ ହେଉଛି। କାରଣ ଆଇପିଏଫଟି ଟିଟିଏଏଡିସି ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ତିପ୍ରାଲାଣ୍ଡ ଗଠନର ଦାବି କରି ଆସୁଥିବା ବେଳେ ଏବେ ପ୍ରଦ୍ୟାୋତ ଦେବବର୍ମନଙ୍କ ନେତୃତ୍ୱରେ ତ୍ରିପୁରାର ଆଦିମ ଅଧିବାସୀ ବସବାସ କରୁଥିବା ଆସାମ, ମିଜୋରାମ, ତ୍ରିପୁରା ଓ ବଙ୍ଗଳାଦେଶର ବିଭିନ୍ନ ସ୍ଥାନକୁ ନେଇ ତିପ୍ରା ଏକ ‘ବୃହଦ୍ ତିପ୍ରାଲାଣ୍ଡ’ ଗଠନର ଦାବି କରିଛି, ଯାହା ଆଇପିଏଫଟିର ଦାବିକୁ ଅପ୍ରାସଙ୍ଗିକ କରି ଦେଇଛି।
୨୦୧୮ ବିଧାନସଭା ନିର୍ବାଚନରେ ଟିଟିଏଏଡିସି ଅଞ୍ଚଳରେ ଥିବା ୨୦ଟି ବିଧାନସଭା ଆସନ ମଧ୍ୟରୁ ୧୮ଟି ବିଜେପି ମେଣ୍ଟ ପାଇଥିଲା। ତେଣୁ ୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି-ଆଇପିଏଫଟି ମେଣ୍ଟ ସେହି ପ୍ରଦର୍ଶନକୁ ଦୋହରାଇବାର ସମ୍ଭାବନା କ୍ଷୀଣ ହୋଇଥିବାରୁ ଉଭୟ ଦଳ ମଧ୍ୟରେ ମେଣ୍ଟ ରହିବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଲାଣି।
ବିଜେପିର କିଛି ନେତୃବର୍ଗଙ୍କ ସହ ପ୍ରଦ୍ୟୋତଙ୍କର ସୁସମ୍ପର୍କ ଥିବାରୁ ଆଗାମୀ ନିର୍ବାଚନରେ ବିଜେପି ତିପ୍ରା ସହ ମେଣ୍ଟ କରିପାରେ ବୋଲି କେହି କେହି ଅନୁମାନ କରୁଛନ୍ତି। ତେବେ ପ୍ରଦ୍ୟୋତ ମୂଳତଃ ଉଭୟ ବାମ ଓ ଦକ୍ଷିଣପନ୍ଥୀ ବିଚାରଧାରାର ପରିପନ୍ଥୀ ହୋଇଥିବାରୁ ତାଙ୍କ ପକ୍ଷରେ ବାମମେଣ୍ଟ ବା ବିଜେପିର ନିକଟତର ହେବା କଷ୍ଟକର ହେବ। ତାଙ୍କ ପାଇଁ କଂଗ୍ରେସ ଭଳି କେନ୍ଦ୍ରୀୟ ବିଚାରଧାରାର ଦଳ ସହ କାମ କରିବା ଅଧିକ ସହଜ ହୁଅନ୍ତା। ମାତ୍ର କଂଗ୍ରେସ ଦଳରେ ତାଙ୍କ କଥାକୁ ଗୁରୁତ୍ୱ ନ ମିଳିବା ଓ ସବୁ ବିଷୟରେ ନୂଆଦିଲ୍ଲୀର ନେତୃବର୍ଗଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ତାଙ୍କ ଆଞ୍ଚଳିକତାବାଦ ବିଚାରଧାରାକୁ ସୁହାଇବ ନାହିଁ।
ଇଆଡ଼େ ଟିଟିଏଏଡିସି ଅଞ୍ଚଳରେ ନିର୍ବାଚନୀ ସଫଳତା ମିଳିଲେ ବି ତ୍ରିପୁରାର ଅନ୍ୟ ଅଣ-ଆଦିବାସୀ ଅଞ୍ଚଳରେ ଆହୁରି ୪୦ଟି ବା ଦୁଇ-ତୃତୀୟାଂଶ ଆସନ ଥିବାରୁ କୌଣସି ଜାତୀୟ ରାଜନୈତିକ ଦଳ ସହ ମେଣ୍ଟ ନ କଲେ ତ୍ରିପୁରାରେ ଶାସନ କ୍ଷମତାକୁ ଆସିବା ତାଙ୍କ ପକ୍ଷରେ କଷ୍ଟକର ହୋଇଯିବ। ଏପରିକି ଆଦିବାସୀ ଅଞ୍ଚଳରେ ମଧ୍ୟ ତ୍ରିପୁରାର ସ୍ଥାନୀୟ ଆଦିବାସୀଙ୍କ ବ୍ୟତୀତ ଭୁଟିଆ, ଲେପଚା, ଭିଲ, ଗାରୋ, ଖାସି, ସାନ୍ତାଳ, ଓରାଙ୍ଗ ଆଦି ବିଭିନ୍ନ ସମ୍ପ୍ରଦାୟ ମଧ୍ୟ ବସବାସ କରନ୍ତି ଯେଉଁମାନେ ଭୋଟଦାନ ବେଳେ କିପରି ଆଚରଣ କରିବେ ତାହା କହି ହେବ ନାହିଁ। ଏହା ତାଙ୍କଠାରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ।
ତେବେ ତ୍ରିପୁରୀ ଆଦିମ ଆଦିବାସୀଙ୍କୁ ସଙ୍ଗଠିତ କରି ସେ ଯେଉଁ ‘ବୃହଦ୍ ତିପ୍ରାଲାଣ୍ଡ’ର ସ୍ୱପ୍ନ ସାକାର କରିବାର ପରିକଳ୍ପନା କରୁଛନ୍ତି, ତଦ୍ଦ୍ୱାରା ଉତ୍ତର-ପୂର୍ବ ଭାରତରେ ପରିଚୟ ରାଜନୀତି (ଆଇଡେଣ୍ଟିଟି ପଲିଟିକ୍ସ) ପୁନରୁଜ୍ଜିବିତ ହୋଇ କେନ୍ଦ୍ର ସରକାରଙ୍କ ପାଇଁ ନୂଆ ମୁଣ୍ଡବ୍ୟଥାର କାରଣ ପାଲଟିପାରେ। ଜାତୀୟ ଦଳଗୁଡିକ ନିଜ ଶକ୍ତି ବୃଦ୍ଧି କରିବା ପାଇଁ ଉତ୍ତର-ପୂର୍ବାଞ୍ଚଳର ଆଞ୍ଚଳିକ ଦଳ ଓ ସେମାନଙ୍କ ନେତାଙ୍କ ସ୍ୱାଭିମାନ ସହ ଖେଳି ସେମାନଙ୍କୁ ଦୁର୍ବଳ କରିବାର ଅପଚେଷ୍ଟାରୁ କ୍ଷାନ୍ତ ହେବା ଉଚିତ।
ବିଜେପି ପରି ଜାତୀୟ ଦଳଗୁଡିକ ନିକଟରେ ଜାତୀୟ ସ୍ୱାର୍ଥକୁ ଆଗରେ ରଖି ଉତ୍ତର-ପୂର୍ବାଞ୍ଚଳର ଅଧିବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ହୁଏତ ପ୍ରାଥମିକତା ହୋଇପାରେ, ତେବେ ତାହା ସେହି ଅଞ୍ଚଳର ଲୋକଙ୍କର ଆଞ୍ଚଳିକ ଆକାଂକ୍ଷାକୁ ପୂରଣ କରିବାରେ ଅସମର୍ଥ ହେଲେ ଭବିଷ୍ୟତରେ ବି ଅନ୍ୟ ରାଜ୍ୟଗୁଡିକରେ ସ୍ଥାନୀୟ ଆଦିମ ଅଧିବାସୀମାନେ ଏକଜୁଟ ହୋଇ ପାରନ୍ତି। ତିପ୍ରା ପରି ଆଞ୍ଚଳିକ ରାଜନୈତିକ ଶକ୍ତିର ଅଭ୍ୟୁଦୟ ଘଟି ଜାତୀୟ ଦଳଗୁଡିକୁ କଡା ମୁକାବିଲା କରିବାକୁ ସମର୍ଥ ହୋଇ ପାରନ୍ତି, ତାହା ଅନ୍ତତଃ ଟିଟିଏଏଡିସି ପାଇଁ ଅନୁଷ୍ଠିତ ନିର୍ବାଚନରେ ପ୍ରମାଣିତ ହୋଇପାରିଛି। ତେବେ ପ୍ରଦ୍ୟୋତଙ୍କ ରାଜ ପରିବାର ସହ ସମ୍ପୃକ୍ତି ତାଙ୍କ ସଫଳତାରେ ସହାୟକ ହୋଇ ଥାଇପାରେ, ଯାହା ଅନ୍ୟମାନଙ୍କ କ୍ଷେତ୍ରରେ ହୁଏତ ଆହ୍ୱାନ ସୃଷ୍ଟି କରିପାରେ।
ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।