ଆତଙ୍କବାଦର ଅନ୍ତ ନାହିଁ!

ଦେବେନ୍ଦ୍ର ପୃଷ୍ଟି ‘ଆତଙ୍କବାଦର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦ। ଉତ୍‌ପୀଡ଼ନର ଉଦ୍ଦେଶ୍ୟ ହେଉଛି ଉତ୍‌ପୀଡ଼ନ। ନିର୍ଯାତନାର ଉଦ୍ଦେଶ୍ୟ ହେଉଛି ନିର୍ଯାତନା। ହତ୍ୟାର ଉଦ୍ଦେଶ୍ୟ ହେଉଛି ହତ୍ୟା। କ୍ଷମତାର ଉଦ୍ଦେଶ୍ୟ ହେଉଛି କ୍ଷମତା। କ’ଣ ମୋତେ ବୁଝିପାରୁଛନ୍ତି?’ ଏକଥା କହିଥିଲେ ବିଶ୍ୱ ବିଖ୍ୟାତ ଲେଖକ ଜର୍ଜ ଅରୱେଲ୍‌। କଥାଟି ତୀର୍ଯ୍ୟକ କିନ୍ତୁ ସ୍ପଷ୍ଟ। ଆତଙ୍କବାଦର ଅନ୍ୟ ଉଦ୍ଦେଶ୍ୟ କିଛି ନାହିଁ। ଆତଙ୍କବାଦର ଇସ୍ତାହାରରେ କ’ଣ ସ୍କୁଲ, ଡାକ୍ତରଖାନା ଇତ୍ୟାଦି ନିର୍ମାଣ କରିବାର ଘୋଷଣା ଅଛି? ବରଂ ଆତଙ୍କବାଦୀମାନେ ସ୍କୁଲ ଓ […]

terrorist1

terrorist1

Debendra Prusty
  • Published: Wednesday, 30 October 2019
  • Updated: 30 October 2019, 06:27 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

‘ଆତଙ୍କବାଦର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦ। ଉତ୍‌ପୀଡ଼ନର ଉଦ୍ଦେଶ୍ୟ ହେଉଛି ଉତ୍‌ପୀଡ଼ନ। ନିର୍ଯାତନାର ଉଦ୍ଦେଶ୍ୟ ହେଉଛି ନିର୍ଯାତନା। ହତ୍ୟାର ଉଦ୍ଦେଶ୍ୟ ହେଉଛି ହତ୍ୟା। କ୍ଷମତାର ଉଦ୍ଦେଶ୍ୟ ହେଉଛି କ୍ଷମତା। କ’ଣ ମୋତେ ବୁଝିପାରୁଛନ୍ତି?’

ଏକଥା କହିଥିଲେ ବିଶ୍ୱ ବିଖ୍ୟାତ ଲେଖକ ଜର୍ଜ ଅରୱେଲ୍‌। କଥାଟି ତୀର୍ଯ୍ୟକ କିନ୍ତୁ ସ୍ପଷ୍ଟ। ଆତଙ୍କବାଦର ଅନ୍ୟ ଉଦ୍ଦେଶ୍ୟ କିଛି ନାହିଁ। ଆତଙ୍କବାଦର ଇସ୍ତାହାରରେ କ’ଣ ସ୍କୁଲ, ଡାକ୍ତରଖାନା ଇତ୍ୟାଦି ନିର୍ମାଣ କରିବାର ଘୋଷଣା ଅଛି? ବରଂ ଆତଙ୍କବାଦୀମାନେ ସ୍କୁଲ ଓ ଡାକ୍ତରଖାନା ଧ୍ୱଂସ କରିବାର ଅନେକ ନଜୀର ରହିଛି। ଆତଙ୍କବାଦ କ’ଣ ଜୀବନ ଓ ମାନବିକତା ଶିକ୍ଷାଦିଏ? ବିପରୀତରେ ବରଂ ଆତଙ୍କବାଦ ଆତ୍ମଘାତୀ ହେବାକୁ ଉତ୍ସାହିତ କରେ। ଆତଙ୍କବାଦର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦ। ଏବଂ ଆତଙ୍କବାଦର ସବୁଠୁଁ ବଡ଼ ଉଦ୍ଦେଶ୍ୟ ହେଉଛି କ୍ଷମତା। କ୍ଷମତା ପାଇଁ ହିଁ ଆତଙ୍କବାଦୀମାନେ ଆତଙ୍କବାଦକୁ ଏକ କୌଶଳ ଭାବେ ଗ୍ରହଣ କରିଥାନ୍ତି।

ପୃଥିବୀରେ କ୍ଷମତାର ଯୁଦ୍ଧ ଅବ୍ୟାହତ ରହି ନଥିଲେ ଆତଙ୍କବାଦ ବୋଲି ଏକ ଶବ୍ଦ ହୁଏତ ଅଭିଧାନରେ ନଥାନ୍ତା। ଅନ୍ୟକୁ ଆତଙ୍କିତ କରି ଦୁର୍ବଳ ଓ ପରାସ୍ତ କରିବାର କୌଶଳ ହେଉଛି ଆତଙ୍କବାଦ। ଏହି କୌଶଳର ସଫଳ ପ୍ରୟୋଗରେ ଅନେକ ଲୋକ ଶକ୍ତିଶାଳୀ ହୋଇଯାଆନ୍ତି ଓ ଆତଙ୍କିତ ଇଲାକା ବା ମନକୁ ବିଭିନ୍ନ ବାଟରେ ଶାସନ କରନ୍ତି। ଏହି ବାଟରେ ଅର୍ଥ ସଂଗ୍ରହ ହୁଏ, ହୁକୁମ ଜାରି ହୁଏ, ଶାସନ ଚାଲେ, ତାହା ଅବୈଧ ହେଉ ପଛେ। ହତ୍ୟା, ଧର୍ଷଣ, ଯୁଦ୍ଧ ଆଦି ଆତଙ୍କର ଗୋଟିଏ ଗୋଟିଏ ରୂପ। ମଣିଷ ସମାଜରେ ଏସବୁ ଏଯାଏଁ ଘଟିଚାଲିଛି, କାରଣ ମଣିଷ ଏବେ ବି ଅନ୍ୟ ଉପରେ ଶାସନ କରିବାର ଜୋରଜବରଦସ୍ତି କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପରିହାର କରିନାହିଁ। ଗଣତନ୍ତ୍ର, ବ୍ୟକ୍ତି ସ୍ୱାଧୀନତା, ମାନବିକ ମର୍ଯ୍ୟାଦା, ଅଧିକାର, ନ୍ୟାୟ, ସମାନତା ଆଦି ଏବେ ବି କେବଳ ସମ୍ବିଧାନ ଓ ରାଜନୀତିକ ଶାସ୍ତ୍ରର କଳ୍ପନା ହୋଇରହିଛି। ଏସବୁର ସଂପୂର୍ଣ୍ଣତା ତଥା ମଣିଷକୁ ମଣିଷ ଶାସନ କରିବାର ନିକୃଷ୍ଟ ଉଦ୍ଦେଶ୍ୟ ଲୋପ ନପାଇବା ଯାଏଁ ଆତଙ୍କବାଦର ଶେଷ ନାହିଁ।

ଇସ୍‌ଲାମିକ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ ସିରିଆ ବା ଆଇଏସଆଇଏସ ବା ଦଇଶ୍‌ ଆତଙ୍କବାଦୀ ସଂଗଠନର ମୁଖ୍ୟ ଆବୁ ବାକର୍‌ ଅଲ୍‌ ବାଗଦାଦିକୁ ୨୦୧୯ ଅକ୍ଟୋବର ୨୭ ତାରିଖରେ ସିରିଆର ଇଦ୍‌ଲିବ୍‌ ନିକଟସ୍ଥ ଏକ ଜନମାନବଶୂନ୍ୟ ଅଂଚଳରେ ନିପାତ କରିବାରେ ସଫଳ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଭାଷାରେ ଏହାର ବର୍ଣ୍ଣନା କରିଥିଲେ ସେଥିରୁ ତାଙ୍କ ମନ ଭିତରେ ଥିବା କ୍ଷମତା, ପ୍ରତିପତ୍ତି, ସାମ୍ରାଜ୍ୟବାଦ, ଗର୍ବ ଓ ଅହଂକାର ଇତ୍ୟାଦିର ଆଭାସ ମିଳୁଥିଲା। ଆଭାସ ମିଳୁଥିଲା ଯେମିତି ରାଷ୍ଟ୍ରପତି ଟ୍ରମ୍ପ କହିବାକୁ ଚାହାନ୍ତି ଯେ ସେ ହେଉଛନ୍ତି ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା। ବାଗଦାଦିକୁ ହତ୍ୟା କରି ସେ ଆତଙ୍କବାଦ ବିରୋଧରେ ସବୁଠୁ ବଡ଼ ବିଜୟ ହାସଲ କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଉ ମାତ୍ର ଗୋଟିଏ ବର୍ଷ ଥିଲାବେଳେ ବାଗଦାଦିକୁ ନିପାତ କରିବାର ସଫଳତାକୁ ସେ ନିଜ ସପକ୍ଷରେ ଏକ ପ୍ରଚାର ପ୍ରସଙ୍ଗ କରିପାରନ୍ତି, ଆମେରିକାର ରାଷ୍ଟ୍ରବାଦୀ ମନୋଭାବକୁ ତେଜୀୟାନ କରି ପୁଣି ଥରେ କ୍ଷମତାର ରଜ୍ଜୁ ହାତକୁ ନେଇପାରନ୍ତି। କିନ୍ତୁ ଏଥିରେ କ’ଣ ଆତଙ୍କବାଦର ଇତି ହେବ? ଆମେରିକା ଡେଲ୍ଟା ବାହିନୀର ଆକ୍ରମଣରେ ଖସିଯିବାର ସମସ୍ତ ବାଟ ବନ୍ଦ ହେବା ଦେଖି ପୋଷାକରେ ଖଞ୍ଜା ଯାଇଥିବା ବୋମାରେ ବିସ୍ଫୋରଣ ଘଟାଇ ନିଜର ଆତ୍ମଘାତ ଓ ନିଜ ତିନି ଛୁଆଙ୍କର ହତ୍ୟା କରିଥିବା ବାଗଦାଦି ପରେ କ’ଣ ଲୋପ ପାଇବ ଆଇଏସ୍‌ ସଂଗଠନ ଓ ଏହାର ନରସଂହାର?

ଯୁଦ୍ଧ ଓ ଆତଙ୍କବାଦର ଏପର୍ଯ୍ୟନ୍ତ ଇତିହାସ କହୁଛି, ନା। ଆଠ ବର୍ଷ ତଳେ ୨୦୧୧ ମସିହାରେ ଆମେରିକାର ଅନ୍ୟ ଜଣେ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସମୟରେ ସେ ସମୟର ସବୁଠୁ ବଡ଼ ଆତଙ୍କବାଦୀ ସଂଗଠନର ମୁଖ୍ୟ ଓସାମା ବିନ୍‌ ଲାଦେନକୁ ମାର୍କିନ ବାହିନୀ ପାକିସ୍ତାନର ଆବୋଟାବାଦରେ ନିପାତ କରିଥିଲେ। ତା’ ପରେ କ’ଣ ବନ୍ଦ ହୋଇଗଲା ଅଲ୍‌ କାଏଦାର ଆତଙ୍କ-ଅଧ୍ୟାୟ? ଅଲ୍‌ କାଏଦା ଏବେ ଅନେକ ଦେଶରେ, ଅନେକ ରୂପରେ, ଅନେକ ନାମରେ ଆତଙ୍କର ପ୍ରସାରଣ କରି ଚାଲିଛି। ଓବାମାଙ୍କ ପୂର୍ବରୁ ଆମେରିକାର ଅନ୍ୟ ଜଣେ ରାଷ୍ଟ୍ରପତି ଜର୍ଜ ବୁଶ୍‌ ଇରାକ୍‌ ୨୦୦୩ ମସିହାରେ ଇରାକ୍‌ର ଏକଛତ୍ରବାଦୀ ଅତ୍ୟାଚାରୀ ଓ ୨.୫ ଲକ୍ଷ ଲୋକଙ୍କ ହତ୍ୟାକାରୀ ସଦ୍ଦାମ ହୁସେନଙ୍କୁ କ୍ଷମତାଚ୍ୟୁତ କରିଥିଲେ। ତାଙ୍କ ବିରୋଧରେ ନାନା ଆତଙ୍କ ଓ ହତ୍ୟାର ଅଭିଯୋଗ ବାଢ଼ି ଇରାକୀ କୋର୍ଟ ଜରିଆରେ ୨୦୦୬ ମସିହାରେ ସଦ୍ଦାମଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେତେବେଳେ ବି ଅନେକ ଲୋକ ହୁଏତ ଭାବିଥିବେ ଏଭଳି ଏକଛତ୍ରବାଦୀ ଆଉ ଜନ୍ମ ହେବେ ନାହିଁ, ଇରାକ୍‌ରେ କ୍ଷମତା ପାଇଁ ଆଉ କେହି ହତ୍ୟା କରିବେ ନାହିଁ। କିନ୍ତୁ ହେଲା କ’ଣ? ସେହି ସଦ୍ଦାମ ହୁସେନଙ୍କ ବାଥ୍‌ ପାର୍ଟି ଭିତରୁ ଜନ୍ମ ନେଇଥିଲା ଆବୁ ବାକର୍‌ ଅଲ୍‌ ବାଗଦାଦି। ସଦ୍ଦାମଙ୍କ ମୃତ୍ୟୁ ପରେ ପ୍ରତିଷ୍ଠା ହୋଇଥିଲା ଇସ୍‌ଲାମିକ୍‌ ଷ୍ଟେଟ୍‌ ଓ ବାଗଦାଦି ନିଜକୁ ଇସଲାମ ଜଗତର ଖଲିଫା ଭାବେ ଘୋଷଣା କରିଥିଲା।

କେବଳ ଓସାମା ବିନ୍‌ ଲାଦେନ ଓ ଆବୁ ବାକର ବାଗଦାଦି ନୁହନ୍ତି, ଏହିପରି ଅନେକ ଆତଙ୍କବାଦୀଙ୍କୁ ନିପାତ କଲେଣି ଆମେରିକା ଓ ଅନ୍ୟ ବହୁ ରାଷ୍ଟ୍ର। କିନ୍ତୁ ଆତଙ୍କବାଦ ଲୋପ ପାଇନି। ମହମ୍ମଦ ଆତିଫ, ଫଜଲ ଅବ୍ଦୁଲ୍ଲା ମହମ୍ମଦ, ଆନସ ଲିବି, ମୁସ୍ତଫା ମହମ୍ମଦ, ଫହିଦ ମହମ୍ମଦ ଆଦି ଅନେକ ବଡ଼ ବଡ଼ ଆତଙ୍କବାଦୀ ନିପାତ ହୋଇଛନ୍ତି। ତଥାପି ଲୁଚି ରହିଛନ୍ତି ଆଇମନ୍‌ ଅଲ୍‌ ଜବାହରୀ, ଦାଉଦ ଇବ୍ରାହିମ, ଯୋଶେଫୋ କୋନି, ଡୋକା ଉମାରୋଭଙ୍କ ଭଳି ଅନେକ ଆତଙ୍କବାଦୀ। ଏବେ ବି ବିଶ୍ୱରେ ସକ୍ରିୟ ଅଛନ୍ତି ଆଇଏସ, ତାଲିବାନ, ଅଲ୍‌ ଶବାବ୍, ଅଲ୍‌ କାଇଦା, ବୋକା ହାରାମ, ଲସ୍କାର ଇ ତସ୍କର, ଲସ୍କାର ଇ ତଇବା, ଲସ୍କାର ଇ ଜାଙ୍ଗବି, ଜୈଶ ଇ ମହମ୍ମଦ, ତେହ୍‌ରିକ ଇ ତାଲିବାନ, ଜମାତ ଉଦ୍‌ ଦାବା ପରି ଅନେକ ଆତଙ୍କବାଦୀ ସଂଗଠନ। ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା, ନାଇଜେରିଆ, ଉଗାଣ୍ଡା, କେନିୟା, ସୋମାଲିଆ, ଇରାକ୍, ସିରିଆ, ଇଣ୍ଡୋନେସିଆ, ମାଲେସିଆ, ଆଦି ଅନେକ ରାଷ୍ଟ୍ରରେ ଆତଙ୍କବାଦର ଶିକାର ହେଉଛନ୍ତି ଅନେକ ଲୋକ, ନଷ୍ଟ ହେଉଛି ରାଷ୍ଟ୍ରୀୟ ସଂପତ୍ତି। ୨୦୧୭ ମସିହାର ଏକ ହିସାବ ଅନୁସାରେ ଆତଙ୍କବାଦ ଯୋଗୁଁ ସେହିବର୍ଷ ୫୨୦୦ କୋଟି ଡଲାରର ସଂପତ୍ତି ନଷ୍ଟ ହୋଇଥିଲା। ୨୦୧୫ରେ ଏହାର ପରିମାଣ ଥିଲା ୧୦୫୦୦ କୋଟି ଡଲାର। ୨୦୧୭ ମସିହାରେ ସମଗ୍ର ବିଶ୍ୱରେ ପ୍ରାୟ ୨୬ ହଜାର ଲୋକ ଆତଙ୍କବାଦର ଶିକାର ହୋଇଥିଲେ। ଭାରତର କାଶ୍ମୀର ପାଇଁ ଲାଗି ରହିଥିବା ଆତଙ୍କବାଦ ଯୋଗୁଁ ଏଯାଏଁ ପ୍ରାୟ ୨୦ ହଜାର ଲୋକଙ୍କର ପ୍ରାଣହାନୀ ଘଟିଲାଣି। କେତେ ଆତଙ୍କବାଦୀ ମଲେଣି, ସେମାନଙ୍କର କେତେ ଶିବିର ଧ୍ୱଂସ ହେଲାଣି। ତଥାପି ଆତଙ୍କବାଦ ବନ୍ଦ ହୋଇନି, ଜେହାଦ ନାମରେ ଚାଲିଛି ନରସଂହାର।

ଆଫଗାନିସ୍ତାନରୁ ସୋଭିଏଟ୍‌ ରୁଷକୁ ହଟେଇବାକୁ ଯାଇଁ ସୃଷ୍ଟି ହୋଇଥିବା ଅଲ୍‌ କାଇଦା ଓ ତାଲିବାନ ଏବେ ସେଠାରେ ଭସ୍ମାସୁର ଭୂମିକାରେ। ଆଫଗାନିସ୍ତାନରେ କମ୍ୟୁନିଷ୍ଟ ସୋଭିଏଟ୍‌ର ପ୍ରଭାବ ହ୍ରାସ କରି ରୁଷ୍‌ ମିତ୍ର ଭାରତକୁ ଦୁର୍ବଳ କରିବାର ଚକ୍ରାନ୍ତରେ ପାକିସ୍ତାନ ସହିତ କପଟତାର କରମର୍ଦ୍ଦନ କରିଥିଲା ଆମେରିକା। ତାହାରି ଫଳଶ୍ରୁତି ହେଉଛି ଅଲ୍‌ କାଇଦା ଓ ତାଲିବାନ। ଆଜି ସେମାନେ ଆମେରିକାର ମଧ୍ୟ ଶତ୍ରୁ। ଠିକ୍‌ ଯେମିତି ଆମେରିକା ଅନୁଦାନରେ ଆତଙ୍କବାଦର ଫ୍ୟାକ୍ଟ୍ରି ଖୋଲିଥିବା ପାକିସ୍ତାନ ଏବେ ଆମେରିକାର ଅନ୍ୟତମ ଚିନ୍ତା, ଆସ୍ଥା ଓ ବିଶ୍ୱାସହୀନ ବନ୍ଧୁ! ସବୁଠି କ୍ଷମତାର ଖେଳ। ଘୋଷଣା କରି ଶହଶହ ସଂଖ୍ୟାରେ ମଣିଷ ମାରିବା ହେଉଛି ଯୁଦ୍ଧ। ବିନା ଘୋଷଣାରେ ନରସଂହାର କରିବା ହେଉଛି ଆତଙ୍କବାଦ। ଉଭୟ ହେଉଛି କ୍ଷମତା ଓ ପ୍ରତିପତ୍ତିର ଅସଭ୍ୟ ଅସ୍ତ୍ର। ହିଂସା ଓ ବିଦ୍ୱେଷର ଯୁଦ୍ଧ ଓ ଆତଙ୍କ ଜରିଆରେ ଏସବୁର ସମାଧାନ ସମ୍ଭବ ନୁହେଁ। ହିଂସା ଦ୍ୱାରା ହିଂସାକୁ, ଦ୍ୱେଷ ଦ୍ୱରା ଦ୍ୱେଷକୁ, ଯୁଦ୍ଧ ଦ୍ୱାରା ଯୁଦ୍ଧକୁ ଓ ଆତଙ୍କ ଜରିଆରେ ଆତଙ୍କକୁ ଶେଷ କରାଯାଇ ନପାରେ। ଶାନ୍ତି ପାଇଁ ନୋବେଲ୍‌ ବିଜୟିନୀ ପାକିସ୍ତାନର ମଲାଲା ୟୁସୁଫଜାଇଙ୍କ ଭାଷାରେ ବୋମା ଓ ବନ୍ଧୁକରେ ତୁମେ ଆତଙ୍କବାଦୀକୁ ନିପାତ କରିପାରିବ କିନ୍ତୁ କେବଳ ଶିକ୍ଷା ଦ୍ୱାରା ଆତଙ୍କବାଦ ଦୂର ହୋଇପାରିବ। ଏକଥା ସେ ଛୁଆଟି ମୁଣ୍ଡରେ ଅଛି, ବଡ଼ ବଡ଼ ରାଷ୍ଟ୍ରନେତା ବୋଲାଉଥିବା ବୟସ୍କଙ୍କ ମୁଣ୍ଡରେ ନାହିଁ? ବୟସ୍କମାନେ ଜାଣିଛନ୍ତି କିନ୍ତୁ କ୍ଷମତାର ଯୁଦ୍ଧରେ ଚିରନ୍ତନ ବିଜୟ ଲକ୍ଷ୍ୟରେ ଏସବୁ ହେଉଛି ଅସ୍ତ୍ର।

କେବଳ ଯୁଦ୍ଧ ଓ ଆତଙ୍କ ହିଁ ସମଗ୍ର ବିଶ୍ୱରେ ସାମରିକ ଶିଳ୍ପକୁ ଚିରସ୍ଥାୟୀ କରିପାରିବ। କେବଳ ଯୁଦ୍ଧ ଓ ଆତଙ୍କ ହିଁ ରାଷ୍ଟ୍ରବାଦର ଲହର ସୃଷ୍ଟି କରି କ୍ଷମତାର ଅବଧି ବଢ଼ାଇ ପାରିବ। କେବଳ ଯୁଦ୍ଧ ଓ ଆତଙ୍କ ହିଁ ଆର୍ଥିକ ଓ ସାମରିକ ଶକ୍ତିବୃଦ୍ଧିରେ ସହାୟକ ହୋଇପାରିବ। ବିଶ୍ୱରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବନ୍ଦ ହୋଇଗଲେ ଆତଙ୍କବାଦୀମାନେ କେଉଁଥିରେ ନରସଂହାର କରିବେ? ଯୁଦ୍ଧ କେମିତି ଲଢ଼ାଯିବ? ଠିକ କହିଥିଲେ ଆମେରିକାର ବୁଦ୍ଧିଜୀବୀ ନୋମ୍‌ ଚୋମ୍‌ସ୍କି- ସମସ୍ତେ ଆତଙ୍କବାଦ ବନ୍ଦ କରିବାକୁ ବ୍ୟସ୍ତ, ଗୋଟେ ସହଜ ବାଟ ହେଲା, କେହି ଏଥିରେ ଭାଗିଦାର ହୁଅନା। ଠିକ ସେହିପରି ଗୋଟେ ଅତି ଉପଯୋଗୀ କଥା କହିଥିଲେ ହାୱାର୍ଡ ଜିନ୍ନ- ତୁମେ ଆତଙ୍କବାଦ ବିରୋଧରେ କେମିତି ଯୁଦ୍ଧ କରିବ ଯେତେବେଳେ ଯୁଦ୍ଧ ହିଁ ହେଉଛି ଆତଙ୍କବାଦ? ମହାତ୍ମା ଗାନ୍ଧୀଙ୍କ ଭାଷାରେ ଆଖି ବଦଳରେ ଆଖି ନେବା ଦ୍ୱାରା ସମଗ୍ର ବିଶ୍ୱ ଦିନେ ଅନ୍ଧ ହୋଇଯିବ। କେତେ ସତ ନୁହେଁ ସତେ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos