ସନ୍ଦୀପ ସାହୁ
ଆଜି ଉତ୍କଳ ଦିବସ । ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ପ୍ରଦେଶର ମାନ୍ୟତା ପାଇବାର ୮୪ଶ ଜନ୍ମ ବାର୍ଷିକୀ । ଚାଲନ୍ତୁ ଆମେ ସମସ୍ତେ, ଯେଉଁମାନେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାରେ ଗର୍ବ କରୁ, ଆଜି ସାରା ଦିନ ଭିତରେ ୧୦-୧୫ ମିନିଟ୍ ସମୟ କାଢ଼ି (କୋରୋନା ଦୟାରୁ ଏମିତି ବି ସମସ୍ତଙ୍କ ହାତରେ ଯଥେଷ୍ଟ ଖାଲି ସମୟ ଅଛି!) ନିଜକୁ କେତୋଟି ପ୍ରଶ୍ନ ପଚାରିବା ଓ ତାର ଉତ୍ତର ଖୋଜିବା:
- ଆମେ ପ୍ରକୃତରେ କାହିଁକି ଓଡ଼ିଆ ବୋଲି ଗର୍ବକରୁ; କେବଳ ଆମର ଗୋରୋବୋଜ୍ଜ୍ଜଳ ଅତୀତ ପାଇଁ, ନିଜ ଭାଷା, ସଂସ୍କୃତି ଓ ପରମ୍ପରାର ମହନୀୟତା ପାଇଁ ନା ଏବେ ମଧ୍ୟ ଗର୍ବ କରିବା ପାଇଁ ଆମ ପାଖରେ ଯଥେଷ୍ଟ କାରଣ ଅଛି ?
- ଆମର ବହୁ ପରେ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିବା ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଆମେ ଏବେ କେଉଁଠି ?
- ପ୍ରଚୁର ପ୍ରାକୃତିକ ସମ୍ପଦ ସତ୍ତ୍ୱେ ଓଡ଼ିଶା ଆଜି ବି ଦେଶର ସବୁଠାରୁ ଗରିବ ଓ ପଛୁଆ ରାଜ୍ୟମାନଙ୍କ ମଧ୍ୟରେ ଗଣା ହେଉଛି କାହିଁକି ଓ ଏଥିପାଇଁ ଦାୟୀ କିଏ ?
- ଅମାପ ପ୍ରାକୃତିକ ସମ୍ପଦର ସୁବିନିଯୋଗ କରି ଆମେ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ହୋଇ ପାରିନାହୁଁ କାହିଁକି ?
- ଆଜି ମଧ୍ୟ ଓଡ଼ିଶା ମୁଖ୍ୟତଃ ଏକ କୃଷିପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଓ ଏଠି ସବୁ ପ୍ରକାର ଶସ୍ୟ, ପନିପରିବା ଓ ଫଳ ଉତ୍ପାଦନର ଯଥେଷ୍ଟ ସମ୍ଭାବନା ଥିବା ସତ୍ତ୍ୱେ (ଆମ ରାଜ୍ୟ ନଅଟି "ଏଗ୍ରୋ କ୍ଲାଇମାଟିକ୍ ଜୋନ"ରେ ଧନୀ!) ଆମେ କୃଷିରେ ଏତେ ପଛୁଆ କାହିଁକି? (ଶାସକ ଦଳର ଅନ୍ଧ ସମର୍ଥକ ବନ୍ଧୁ ମାନଙ୍କୁ ଅନୁରୋଧ ସେମାନେ ଦୟାକରି ଓଡ଼ିଶା କ୍ରମାଗତ "କୃଷି କର୍ମଣ" ପୁରସ୍କାର ପାଉଥିବାର ଯୁକ୍ତି ବାଢ଼ି ଏହାକୁ ଖଣ୍ଡନ କରିବାର ଅପଚେଷ୍ଟା କରନ୍ତୁ ନାହିଁ !) ଆମ ଚାଷୀମାନେ ଏତେ ଗରିବ, ଦୁଃସ୍ଥ, ଏତେ ଅସହାୟ କାହିଁକି?
- ସବୁ ଶ୍ରେଣୀର ପର୍ଯ୍ୟଟକଙ୍କ ପାଇଁ ପ୍ରକୃତି ଏଠି ମନଲାଖି ବିଭବ ଖଞ୍ଜି ଦେଇଥିଲେ ମଧ୍ୟ (ମୋ ବିଚାରରେ ପର୍ଯ୍ୟଟନ ସମ୍ପଦରେ ଓଡ଼ିଶା ସମଗ୍ର ଦେଶରେ ସବୁଠାରୁ ଧନୀ ରାଜ୍ୟ) ଆମେ ତାହାର ସଦୁପଯୋଗ କରିପାରି ନାହୁଁ କାହିଁକି? କେରଳ, ରାଜସ୍ଥାନ ଭଳି ରାଜ୍ୟ (ଯେଉଁମାନେ ପର୍ଯ୍ୟଟନ ସମ୍ପଦରେ ଆମଠୁ କୌଣସି ଗୁଣରେ ଅଧିକ ଧନୀ ନୁହନ୍ତି) ତୁଳନାରେ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ଏତେ କମ୍ କାହିଁକି ? (ମୋର ପୂର୍ଣ୍ଣ ବିଶ୍ୱାସ ଶିଳ୍ପ ନୁହେଁ, ବରଂ ପର୍ଯ୍ୟଟନ ଶିଳ୍ପ ହିଁ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବାରେ ସବୁଠାରୁ ବଡ଼ ଓ ପ୍ରଭାବଶାଳୀ ଭୂମିକା ନେବା ସହ ଶିଳ୍ପ ଠାରୁ ଯଥେଷ୍ଟ ଅଧିକ ସଂଖ୍ୟାରେ ଓଡ଼ିଆ ଯୁବକ/ଯୁବତୀଙ୍କୁ ରୋଜଗାର ଯୋଗାଇବା ସମ୍ଭାବନା ବହନ କରେ ।)
- ଓଡ଼ିଶାର, ଓଡ଼ିଆ ଭାଷା ଓ ସଂସ୍କୃତିର, ଓଡ଼ିଆ ସ୍ୱାଭିମାନ ର ଏ ଚରମ ଦୂର୍ଗତିରେ ଆମ ନିଜର କିଛି ଅବଦାନ ଅଛି କି? ଆମେ ଓଡ଼ିଆ ବୋଲି ଗର୍ବ କରୁ କି? ଘରେ ନିଜ ପିଲପିଲିଙ୍କ ସହ ଓ ବାହାରେ ବନ୍ଧୁ, ବାନ୍ଧବଙ୍କ ସହ ଓଡ଼ିଆରେ କଥା ହେଉ କି? ଓଡ଼ିଆ ବହି, ପତ୍ର, ପତ୍ରିକା କିଣୁ/ପଢୁ କି? ଅନ୍ୟ ଭାଷାଭାଷୀ ଲୋକ ଓଡ଼ିଶା/ଓଡ଼ିଆଙ୍କୁ ତାଛଲ୍ୟ କଲେ ଆମେ ପ୍ରତିବାଦ କରୁ କି ?
- ସବୁ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ସାଦରେ ଗ୍ରହଣ କରି ନେଉଥିବା ଏ ମହାନ୍ ଜାତି ଆଜି ସଂକୀର୍ଣ୍ଣତା ଓ ହୀନମନ୍ୟତାର ଶିକାର ହୋଇଛି କାହିଁକି?
- ଆମେ କେବଳ ରାଜ୍ୟ ବାହାରକୁ ଗଲେ ବା ଅଣ ଓଡ଼ିଆ ବନ୍ଧୁଙ୍କ ସହ କଥାବାର୍ତ୍ତା କଲାବେଳେ ଓଡ଼ିଶାର ଉତ୍କୃଷ୍ଟ କଳା, ସଂସ୍କୃତି, ଭାସ୍କର୍ଯ୍ୟ, ହସ୍ତ ଶିଳ୍ପ ଓ ସୂକ୍ଷ୍ମ କଳାକୁ ନେଇ ବାହାସ୍ଫୋଟ ମାରୁ ନା ଏସବୁକୁ ବଞ୍ଚାଇ ରଖିବାକୁ ନିଜର ଯୋଗଦାନ ଓ ପ୍ରୋତ୍ସାହନ ଦେଉ ? ଆମେ ଆମ କୁଶଳୀ କାରିଗରଙ୍କ ହାତରେ ପ୍ରସ୍ତୁତ ହସ୍ତକଳା, ହସ୍ତଶିଳ୍ପ କିଣୁ କି ଓ ନିଜ ଦାଣ୍ଡଘରେ ତାକୁ ସ୍ଥାନ ଦେଉ କି? ନିଜ ପିଲାଙ୍କୁ ଓଡ଼ିଶାର ମହାନ୍ କଳା, ସଂସ୍କୃତି ଓ ପରମ୍ପରା ସଂପର୍କରେ ଅବଗତ କରୁ କି?
- ଯେଉଁ "ରାଜନୈତିକ ସ୍ଥିରତା" କୁ ନେଇ ଅନେକ ଓଡ଼ିଆ ଗର୍ବିତ, ତାହା ପ୍ରକୃତରେ ଓଡ଼ିଶା ପାଇଁ ବରଦାନ ସାଜିଛି ନା ଅଭିଶାପ ପାଲଟିଛି ? ଓଡ଼ିଶାକୁ ତାର ଯଥୋଚିତ ସ୍ଥାନ ପ୍ରଦାନ କରିବାରେ ଏହା ସହାୟକ ହୋଇଛି ନା ବାଧକ ସାଜିଛି? ଓଡ଼ିଶାକୁ ଆଗକୁ ନେଇଛି ନା ପଛକୁ?
ମୁଁ ଜାଣେ ଓଡ଼ିଆ ଘରେ ଜନ୍ମିତ କିଛି ଲୋକ ନିଜର ଓଡ଼ିଆ ପରିଚୟକୁ ନେଇ ଲଜ୍ଜିତ ହୁଅନ୍ତି। ଗର୍ବରେ କହନ୍ତି; "ମୁଁ ଓଡ଼ିଆ ଜାଣେ ନାହିଁ। କାରଣ ମୁଁ ହିନ୍ଦୀ/ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ିଛି" (ସତେ ଯେପରି ଓଡ଼ିଆ ନ ଜାଣିବା ପାଇଁ ଏତକ ଯଥେଷ୍ଟ ଓ ଯୁକ୍ତିଯୁକ୍ତ କାରଣ !) । ସେମାନେ ମଧ୍ୟ ଉତ୍କଳ ଦିବସ ଅବସରରେ ନିଜକୁ କେତୋଟି ପ୍ରଶ୍ନ ପଚାରିବା ଉଚିତ:
- ସେମାନେ ନିଜର ଓଡ଼ିଆ ପରିଚୟକୁ ନେଇ କାହିଁକି ଲଜ୍ଜିତ ?
- ଯଦି ସେମାନେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାରେ ଲଜ୍ଜିତ, ତେବେ କେଉଁ ଅନ୍ୟ ଭାଷାଭାଷୀ ଲୋକ ବୋଲି ପରିଚୟ ଦେବାରେ ଗର୍ବ ଅନୁଭବ କରନ୍ତି? ଏବଂ ଏହାସହ ସମ୍ପର୍କିତ ଆଉ ଏକ ପ୍ରଶ୍ନ: ସେ ଭାଷାଭାଷୀ ଲୋକ ସେମାନଙ୍କୁ "ନିଜ ଭାଷାଭାଷୀ ଲୋକ" ବୋଲି ଗ୍ରହଣ କରନ୍ତି କି ?
- ଓଡ଼ିଶା ଓ ଓଡ଼ିଆ ଗର୍ବ କଲା ଭଳି କୌଣସି କାମ ସମନେ କରିଛନ୍ତି କି?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।