ସୁଧାଂଶୁ ରଞ୍ଜନ ଦାସ
ନିଜ ମାମୁ ଘରକୁ ବୁଲିଗଲା ଭଳି ବାତ୍ୟା ଓଡ଼ିଶାକୁ ପ୍ରତିବର୍ଷ ଥରେ ଦୁଇ ଥର ଆସୁଛି। ବାତ୍ୟାର ଆଗମନ ଓଡ଼ିଶାର ଆର୍ଥିକ ଅବସ୍ଥାକୁ ଦୋହଲାଇ ଦେବା ସଂଗେ ସଂଗେ ଅନେକ ନିରୀହ ଲୋକଙ୍କର ଜୀବନହାନି କରୁଛି। ବାତ୍ୟା ଯୋଗୁଁ ହଜାର ହଜାର ଓଡ଼ିଶାବାସୀ ନିଜର ଜୀବିକା ହରାଉଛନ୍ତି। ଫଳରେ ପ୍ରତିବର୍ଷ ଓଡ଼ିଶାର କୋଟି କୋଟି ଟଙ୍କା କ୍ଷତି ହେଉଛି। ବାତ୍ୟାର ପ୍ରକୃତ ସମାଧାନର ବାଟ ବାହାର ନକରି ସରକାର ପ୍ରତିବର୍ଷ ରିଲିଫ ଦେଇଚାଲିଛନ୍ତି। ପ୍ରତି ବର୍ଷର ରିଲିଫ ରାଶି ଓ ବାତ୍ୟାଜନିତ କ୍ଷତିକୁ ଯଦି ହିସାବ କରାଯାଏ ତେବେ ବିଗତ ଦଶ ବର୍ଷ ଭିତରେ ଏହା ରାଜ୍ୟର ବାର୍ଷିକ ବଜେଟ ରାଶିଠାରୁ ତିନିଗୁଣା ଅଧିକ ହେବ। ବାତ୍ୟାର ପ୍ରକୋପକୁ କମ କରିବା ପାଇଁ ସରକାର ଏକ ସୁପରିକଳ୍ପିତ ଉପକୂଳବର୍ତ୍ତୀ ସୁରକ୍ଷା ନୀତି ତିଆରି କରିବା ଉଚିତ।
ଓଡ଼ିଶାରେ ୧୯୭୧ ମସିହା ବାତ୍ୟା ପରେ ଏକ୍ସପର୍ଟ କମିଟି ଉପକୂଳବର୍ତ୍ତୀ ଜିଲାର ସୁରକ୍ଷା ପାଇଁ ବୃକ୍ଷ ରୋପଣ ପାଇଁ ସୁପାରିଶ କରିଥିଲା। ଉପକୂଳବର୍ତ୍ତୀ ଅଂଚଳରେ ବୃକ୍ଷ ରୋପଣ ପରିବର୍ତ୍ତେ ବିଗତ ପଚାଶ ବର୍ଷ ଭିତରେ କଂକ୍ରିଟ ଜଙ୍ଗଲ ସୃଷ୍ଟି କରଯାଇଥିବାରୁ ଓଡ଼ିଶା ବାତ୍ୟାର ଏକ ଚରାଭୂମି ପାଲଟି ଯାଇଛି। ଲୋକଙ୍କ ଧନଜୀବନ ନଷ୍ଟକରି ସେମାନଙ୍କୁ ରିଲିଫ ବାଣ୍ଟିବାରେ କୌଣସି ଫାଇଦା ନାହିଁ। ଲୋକଙ୍କ ପାଇଁ କୋଠାଘର ତିଆରି କରିଦେଲେ ଏହା ବାତ୍ୟା ପ୍ରକୋପରୁ ଲୋକଙ୍କୁ ରକ୍ଷା କରିବ ନାହିଁ। ପରିଵେଶ ବୈଜ୍ଞାନିକମାନଙ୍କ ମତରେ ବାତ୍ୟାର ପ୍ରକୋପ ବିଗତ କୋଡ଼ିଏ ବର୍ଷ ଭିତରେ ବହୁ ଅଧିକ ହୋଇଛି ଓ ଏହାର ଭୀଷଣତା ଦିନକୁ ଦିନ ବୃଦ୍ଧି ପାଉଛି।
ବିକଶିତ ଦେଶମାନଙ୍କରେ ବିକୃତ ବିକାଶକୁ ବିକାଶଶୀଳ ଦେଶମାନେ ଅନୁକରଣ କରି ନିଜ ପରିବେଶର ଅପୂରଣୀୟ କ୍ଷତି କରୁଛନ୍ତି। ବିଲେଇ ଯେମିତି ଓଧ ସାଙ୍ଗରେ ବାଇ ହୋଇ ମାଛ ଖାଇବାକୁ ପୋଖରୀ ଭିତରକୁ ଲମ୍ଫ ଦେଇ କଲବଲ ହୁଏ ସେଭଳି ଗରିବ ଦେଶଗୁଡ଼ିକ ଆଜି ଏକ ବିକାଶ ଭେଳିକିର ଶିକାର ହୋଇ ନିଜର ଅପୂରଣୀୟ କ୍ଷତି କରୁଛନ୍ତି। ଯେଉଁଠି ଦେଖିବ ନଦୀ, ହ୍ରଦ, ପାହାଡ଼ ଓ ଜଙ୍ଗଲକୁ ନଷ୍ଟକରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରାଯାଉଛି। ମନୁଷ୍ୟ ବଂଚିବା ପାଇଁ ଦରକାର ସ୍ଵଛ ଜଳ, ପବନ ଓ ଉତ୍ତମ ଖାଦ୍ୟ। ବ୍ୟବସାୟ ଦେଶର ଆର୍ଥିକ ଅବସ୍ଥାକୁ ସୁଧାରି ଥାଏ। କିନ୍ତୁ ଯଦି ବ୍ୟବସାୟୀ ନେତାଙ୍କ ସାଙ୍ଗରେ ହାତ ମିଳାଇ ଅତ୍ୟଧିକ ଲାଭ କରିବାକୁ ଚେଷ୍ଟା କରେ ତେବେ ସେ ମନୁଷ୍ୟର ବାସସ୍ଥଳୀକୁ ନର୍କରେ ପରିଣତ କରିଦିଏ।
ମୁମ୍ବାଇ ସହରରେ ବର୍ଷାଜଳ ନିଷ୍କାସନ ନହେବାରୁ ୨୦୦୫ ବର୍ଷାରେ ପ୍ରାୟ ୫୦୦ ଲୋକ ମୃତ୍ୟୁ ବରଣ କରିଥିଲେ। ୨୦୧୫ରେ ଚେନ୍ନାଇରେ ହୋଇଥିବା ଭୀଷଣ ବନ୍ୟାର ପ୍ରଧାନ କାରଣ ଥିଲା ଏହି ନଗରରେ ଥିବା ହ୍ରଦ, ପୋଖରୀ ଓ କୂଅଗୁଡିକର ବିଲୁପ୍ତିକରଣ। ଏହି ଭୀଷଣ ବନ୍ୟା ୫୦୦ରୁ ଅଧିକ ଲୋକଙ୍କର ପ୍ରାଣହାନି କରିଥିଲା। ୨୦୧୭ର ବନ୍ୟା ମଧ୍ୟ ଚେନ୍ନାଇ ସହରରେ ପ୍ରାୟ ୨୫ରୁ ଅଧିକ ଲୋକଙ୍କୁ ମୃତ୍ୟୁ ଦେଇଥିଲା। ଏତେ ଧନଜୀବନ ନଷ୍ଟ ହେଲାପରେ ମଧ୍ୟ ମନୁଷ୍ୟର ଲୋଭ ଅପବିକାଶକୁ ବଢ଼ିବାରେ ସାହାଯ୍ୟ କରୁଛି। ପରିବେଶ ଜନିତ କ୍ଷତିର ମୂଲ୍ୟକୁ ଯଦି ଆମେ ଜିଡିପିରୁ ବିୟୋଗ କରିଦେବା ତେବେ ଅଧିକାଂଶ ରାଜ୍ୟର ଜିଡିପି ମାଇନସକୁ ଆସିଯିବ।
ଆନ୍ଧ୍ର, ମହାରାଷ୍ଟ୍ର ଓ ତାମିଲନାଡୁ ତୁଳନାରେ ଓଡ଼ିଶାର ପ୍ରାକୃତିକ ପରିବେଶରେ ଏତେ ଅବନତି ହୋଇନାହିଁ। ଏକ ସୁପରିକଳ୍ପିତ ଉପକୂଳବର୍ତ୍ତୀ ଅଂଚଳ ସୁରକ୍ଷା ନୀତି ତିଆରି କଲେ ଏହା ଓଡ଼ିଶାର ଧନଜୀବନ ଓ ଜୀବିକାକୁ ରକ୍ଷା କରିପାରିବ। ପଚାଶ ବର୍ଷ ପୂର୍ବେ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳରେ ଯେମିତି ଘଞ୍ଚ ଜଙ୍ଗଲ ଥିଲା ସେଭଳି ଜଙ୍ଗଲ ଆଜି ସୃଷ୍ଟି କରିହେବ ନାହିଁ। କିନ୍ତୁ ଅତି କମରେ ସମୁଦ୍ର କୂଳରୁ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଓଡ଼ିଶାର ୪୮୫ କିଲୋମିଟର ଦୀର୍ଘ ଉପକୂଳରେ ଘଞ୍ଚ ଜଙ୍ଗଲ ସୃଷ୍ଟି କଲେ ଏହା ବାତ୍ୟାର ପ୍ରକୋପକୁ କମ କରିପାରିବ। ଏହି ଦୀର୍ଘସୂତ୍ରୀ ଯୋଜନାକୁ କାର୍ଯ୍ୟକାରୀ କଲେ ଏହା ଓଡ଼ିଶାରେ ଅନେକ ନିରୀହ ଜୀବନ, ଜୀବିକା ଓ ଆର୍ଥିକ ଗତିବିଧିକୁ ରକ୍ଷା କରିବ। ଉପକୂଳବର୍ତ୍ତୀ ଅଂଚଳରେ କେବଳ ସ୍ଥାନୀୟ ଜଳବାୟୁରେ ବଢୁଥିବା ଗଛ ଲଗାଇବା ଦରକାର। ଘଞ୍ଚ ଜଙ୍ଗଲର ଏକ ବଳୟ ସୃଷ୍ଟିହେଲେ ଏହା ଲୋକଙ୍କ ଜୀବନ ରକ୍ଷା କରିବା ସଂଗେ ସଂଗେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ଅନେକ ସମ୍ଭାବନା ସୃଷ୍ଟି କରିବ।
ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ୩୦ କିଲୋମିଟର ବେଳାଭୂମି ବିଶ୍ୱର ସବୁଠାରୁ ସୁନ୍ଦର ବେଳାଭୂମି ଭିତରେ ଗଣାଯାଉଥିଲା। ଏହି ବେଳାଭୁମିର କଡ଼େ କଡ଼େ ବାଲୁଖଣ୍ଡ ଅଭୟାରଣ୍ୟ ଏକଦା ବାଲିହରିଣ ଓ ମନିଟର ଲିଜାର୍ଡ଼ ଆଦି ଅନେକ ବଣ୍ୟଜନ୍ତୁରେ ପରିପୂର୍ଣ୍ଣ ଥିଲା। ଏହି ବେଳାଭୂମି ଏକଦା କାଜୁ, ନଡ଼ିଆ, ତାଳ ଓ ଅନ୍ୟାନ୍ୟ ଫଳ ଗଛରେ ପରିପୂର୍ଣ୍ଣ ଥିଲା। ବିଗତ ତିରିଶ ବର୍ଷରେ ବାଲୁଖଣ୍ତ ଅଭୟାରଣ୍ୟ ତାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଇ ସାରିଛି। ଏହାର ଅନେକ ଆର୍ଥିକ ଗତିବିଧି ଆଜି ନଷ୍ଟ ହୋଇଯାଇଛି।
ପୁରୀ, କୋଣାର୍କ ଓ ନିମାପଡ଼ାରେ ଥିବା ଗାଁଗୁଡିକ ଦୁଗ୍ଧ ଉତ୍ପାଦନ ପାଇଁ ପ୍ରସିଦ୍ଧ ଥିଲା ଓ ଏହି ଅଂଚଳରୁ ପୁରୀ ସହର ଓ ଜଗନ୍ନାଥ ମନ୍ଦିରକୁ ଦୁଗ୍ଧ ପଠାଯାଉଥିଲା। ନିକଟରେ ଆସିଥିବା ଫନି ବାତ୍ୟା ଏହି ଗାଁଗୁଡିକର ପଶୁ ସମ୍ପଦ ଓ ଜଙ୍ଗଲଗୁଡ଼ିକର ଅନେକ କ୍ଷତି ଘଟାଇଛି। ଉପକୂଳବର୍ତ୍ତୀ ଅଂଚଳରେ ଥିବା ଏହି ଦୁଗ୍ଧ ବଳୟକୁ ସରକାର ତୁରନ୍ତ ପୂନର୍ଗଠନ କରିବା ଦରକାର। ରାଜ୍ୟରେ ଥିବା ପଶୁସଂପଦର ବିକାଶ ପାଇଁ ସରକାର ସମସ୍ତ ପଦକ୍ଷେପ ନେବା ଉଚିତ।
ଉପକୂଳବର୍ତ୍ତୀ ଅଂଚଳରେ ଥିବା ବେଳାଭୂମିଗୁଡିକର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସରକାର ଓ ଜନସାଧାରଣ ରକ୍ଷା କରିପାରିଲେ ଏହା ରୋଜଗାରର ଅନେକ ସମ୍ଭାବନା ସୃଷ୍ଟି କରିବ। ପୁରୀ କୋଣାର୍କ ବେଳାଭୂମି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସଂଗେ ସଂଗେ ଅନେକ ଆର୍ଥିକ ଗତିବିଧିକୁ ଜନ୍ମ ଦେଇଥାଏ। ସରକାର ପ୍ରଥମେ ପୁରୀ କୋଣାର୍କ ବେଳାଭୂମିକୁ କଂକ୍ରିଟ ମୁକ୍ତ କରିବା ସଂଗେ ସଂଗେ ଏହି ବେଳାଭୂମିର କଡ଼େ କଡ଼େ ଯେଭଳି ଝାଉଁ, କାଜୁ, ନଡ଼ିଆ, ତାଳ ଓ କରମଙ୍ଗା ଗଛର ଜଙ୍ଗଲ ଥିଲା ଏହାକୁ ଆଉଥରେ ସୃଷ୍ଟି କରିବା ଦରକାର। ଏହି ବେଳାଭୂମିକୁ ଠିକ ଭାବରେ ରକ୍ଷଣାବେକ୍ଷଣ କଲେ ସରକାର ହୋଟେଲ ଓ ଆବାସ ଯୋଜନା ଅପେକ୍ଷା ବହୁ ଅଧିକ ରାଜସ୍ୱ ପାଇପାରିବେ।
ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳରେ ଥିବା ଗଛଗୁଡ଼ିକର ଗଣନା କରିବାର ନିହାତି ଆବଶ୍ୟକତା ଅଛି। ଯଦି କୌଣସି ଗଛ ବାତ୍ୟାରେ ଉପୁଡ଼ି ଯାଏ ତେବେ ତାକୁ ଆଉ ଥରେ ରୋପଣ କରିବା ଦରକାର। ବୃକ୍ଷ ପୁନଃରୋପଣ ପାଇଁ ଆଜିକାଲି ଅନେକ ଉପକରଣ ଉପଲବ୍ଧ ହୋଇପାରୁଛି। ସରକାର ଲୋକଙ୍କ ଟିକସରାଶି ଖର୍ଚ ନକରି ଲୋକଙ୍କ ସହଯୋଗରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜୋର ସୋରରେ ଆରମ୍ଭ କରିବା ଦରକାର। ବିଶ୍ୱ ପରିବେଶ ଦିବସରେ ଗୋଟେ ଗଛ ଚାରା ଲଗାଇ ଦେଇ ବର୍ଷ ସାରା ନାହିରେ ତେଲ ପକାଇ ଶୋଇବା ଓଡ଼ିଶାବାସୀଙ୍କୁ ବିଦ୍ରୁପ କଲାଭଳି ଲାଗେ।
ସରକାର ପ୍ରତ୍ୟେକ ବିଧାୟକ ଓ ମନ୍ତ୍ରୀ ଉପକୂଳବର୍ତ୍ତୀ ଅଂଚଳରେ ୧ ଲକ୍ଷ ଲେଖାଏଁ ବୃକ୍ଷ ରୋପଣ କରିବାକୁ ଏକ ନୀତି ଘୋଷଣା କରିବା ଦରକାର। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ କଂପ୍ୟୁଟର ସଂଗେ ଲିଙ୍କ କରି ଏହାର ମନିଟରିଂ କରିବା ନିହାତି ଆବଶ୍ୟକ। ବୃକ୍ଷରୋପଣ କାର୍ଯ୍ୟକ୍ରମର ସଫଳତାକୁ ମୂଲ୍ୟାୟନ ଭିତ୍ତିରେ ଆଗାମୀ ନିର୍ବାଚନର ଟିକେଟ ଦିଆଯିବା ଉଚିତ। ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳକୁ ସାଟେଲାଇଟ ମାଧ୍ୟମରେ ନିରୀକ୍ଷଣ କରିବାର ନିହାତି ଆବଶ୍ୟକତା ଅଛି। ସରକାରୀ ଓ ବେସରକାରୀ ଗଣମାଧ୍ୟମ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳରେ ଯେକୌଣସି ଅପବିକାଶ କିମ୍ବା ପରିବେଶ ନଷ୍ଟ ହେବାର ପ୍ରକ୍ରିୟାକୁ ଲୋକ ଲୋଚନକୁ ଆଣିବା ଦରକାର। ସରକାର, ରାଜନେତା ଓ ଜନସାଧାରଣ ଉପକୂଳବର୍ତ୍ତୀ ଅଂଚଳର ସୁରକ୍ଷା କଲେ ଓଡ଼ିଶା ରାଜସ୍ବ ପାଇବା ସଂଗେ ସଂଗେ ବାତ୍ୟା ଜନିତ କ୍ଷତିରୁ ରକ୍ଷା ପାଇପାରନ୍ତା। ଏହା ଭାରତର ସମସ୍ତ ରାଜ୍ୟ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହନ୍ତା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।