Advertisment

‘କାମବାଲି’ଙ୍କ ଦଶା, ଦୁର୍ଦ୍ଦଶା ଓ ଦାବି

“ଆମକୁ ଚାକିରି ଦେବା ସମୟରେ ଯେଉଁ ତାଲିକା ଘରର ମାଲିକ ବା ମାଲିକାଣୀ କରିଥା’ନ୍ତି ପରେ ସେଥିରେ ଗୋଟେ ପରେ ଗୋଟେ କାମ ମିଶାଇ ଚାଲନ୍ତି। କିନ୍ତୁ ଆମେ ଛୁଟି ଚାହିଁଲେ କି ଚିକିତ୍ସା ସୁବିଧା ଚାହିଁଲେ କେଉଁ ମାଲିକ ଦିଅନ୍ତି ତ ପୁଣି କିଏ ଦିଅନ୍ତି ନାହିଁ। ଆମେ ପୁଣି ଗୋଟେ ଘରର କାମ ସାରିଲେ ତ ଅନ୍ୟ ଘରକୁ ଯିବୁ? ଗୋଟିଏ ଘରର ଦରମାରେ କ’ଣ ଆମ ଘର ଚାଲିବ କି?”

author-image
Debendra Prusty
ଅଦ୍ୟତନ ହୋଇଛି
Domestic Worker

Domestic Worker

ପଶ୍ଚିମ ବଙ୍ଗ ସୀମାରେ ଅବସ୍ଥିତ ଉତ୍ତର ଓଡ଼ିଶାର ଏକ ଗାଁରୁ କୁନି (ଛଦ୍ମନାମ) ସେହିଦିନ ପ୍ରସ୍ତୁତ କରିନେଇଥିଲା ଯେ ସେ ନିଜର ଝିଅକୁ ଧରି ଭୁବନେଶ୍ୱର ଚାଲିଆସିବ। ସ୍ଵାମୀ ଦ୍ଵାରା ଲଗାତର ମାଡ଼ ଖାଇବା ଓ ଶାଶୁ ଭୋକ ଉପାସରେ ତା’କୁ ଓ ଝିଅକୁ ରଖିବା ତାହା ଲାଗି ଆଉ ସହ୍ୟ ହେଉନଥିଲା। କ୍ରମାଗତ ନାରୀ ଆନ୍ଦୋଳନ ହେତୁ ସେ ନିଜେ ବାପ ଘର ଓ ଶାଶୁ ଘରର ସମ୍ପତ୍ତି ଉପରେ ନିଜର ଅଧିକାର ସାବ୍ୟସ୍ତ କରିପାରୁଛି। କିନ୍ତୁ ଏଥିଲାଗି ପୋଲିସ, କୋର୍ଟ, କଚେରୀ ଓ ଓକିଲର ଦ୍ଵାରସ୍ଥ ହେବା କୁନି ଲାଗି ସହଜ ହୋଇନାହିଁ।

Advertisment

ଦିନେ ସେ ଦୂର ସମ୍ପର୍କୀୟ ଭାଇ ଭାଉଜଙ୍କ ସହାୟତାରେ ଭୁବନେଶ୍ୱରରେ ପାଦ ଦେଲା। ଶାଶୁ ଘରର ରୋଷେଇ, ଘରକାମ ଇତ୍ୟାଦି କୁନି ଲାଗି ନିଜସ୍ଵ ବୃତ୍ତିରେ ପରିଣତ ହୋଇଗଲା। ସେହି ସମାନ କାମ ଲାଗି ସହରରେ ମହିଳା ଶ୍ରମିକଙ୍କ ଆବଶ୍ୟକତା ରହିଛି। କୁନି ସେହି ଆବଶ୍ୟକତାକୁ ପୂରଣ କରିବା ଲାଗି ମନସ୍ଥ କଲା। ଘରେ ସେ ଯାହା କରୁଥିଲା ଏଠି ସେୟା ହିଁ କଲା। ଫରକ ଯେ ଏଠାରେ ସ୍ଵାମୀର ମାଡ଼ ନାହିଁ କି ଓପାସରେ ରହିବା ନାହିଁ। ସେ ଗାଁର ବୋହୂରୁ ସହରର ଜଣେ ଘରୋଇ ମହିଳା ଶ୍ରମିକରେ ରୂପାନ୍ତରିତ ହୋଇଗଲା। ଏବେ ସେ କିଛି ରୋଜଗାର କରିପାରୁଛି, ନିହାତି ଆବଶ୍ୟକ ସ୍ଵାଧୀନତାକୁ ମଧ୍ୟ ପାଇପାରୁଛି।

ଆମ ସମୟର ଏ ଅର୍ଥନୀତିର ପ୍ରଚଣ୍ଡ ଆକର୍ଷଣ ଶକ୍ତି ରହିଛି। ଏହାର ପ୍ରଭାବରେ ଆଜିକାଲି ଗାଁଗୁଡ଼ିକ ଆସି ସହର ମଧ୍ୟରେ ପଶିଯାଉଛନ୍ତି। ସହରକୁ ଶସ୍ତାରେ ଶ୍ରମିକ ଯୋଗାଣ ଏହିଠାରୁ ହିଁ ହେଉଛି। ସହରର ଉଚ୍ଚ ଓ ଉଚ୍ଚ ମଧ୍ୟବିତ୍ତ ବର୍ଗକୁ ଶସ୍ତା ଶ୍ରମିକ ଓ ମଧ୍ୟବିତ୍ତକୁ ରାସ୍ତା କଡ଼ରେ ଶସ୍ତାରେ ଦୈନନ୍ଦିନ ଆବଶ୍ୟକ ଜିନିଷ ଏହି ଗାଁମାନଙ୍କରୁ ମିଳିଯାଉଛି। କ୍ରମଶଃ ଗାଁଗୁଡ଼ିକ ନିଜର ଶକ୍ତି ହରାଉଛନ୍ତି। କୁନି ଉପରେ ହୋଇଥିବା ପାରିବାରିକ ହିଂସା ସହର ଲାଗି ଏକ ଆଶୀର୍ବାଦ ହୋଇଗଲା। ସହରର ମଧ୍ୟବିତ୍ତଙ୍କ ସହଯୋଗ ଲାଗି ଆଉ ଜଣେ କୁଶଳୀ ଶ୍ରମିକ ଉପଲବ୍ଧ ହେଲା।

Advertisment

ଦିନେ ମହିଳାମାନେ ନିଜ ଘରେ ଯେଉଁ କାମ କରୁଥିଲେ ପୁଣି ନିଜର ଜୀବିକା ଭାବରେ ସହରରେ ଅନେକ ଘରୋଇ ମହିଳା ଶ୍ରମିକ ଘର ଘର ବୁଲି ସେହି କାମ କରୁଛନ୍ତି। ଏ କ୍ଷେତ୍ରରେ ଆଜି ବିଶେଷ କରି ମହିଳାମାନେ ହିଁ ମିଳୁଛନ୍ତି। ସେହିମାନେ ସେହି ଝାଡୁପୋଛା, ଲୁଗାସଫା, ଘରସଫା, ରୋଷେଇ କରିବା, ବାସନ ମାଜିବା, ଘର ଝାଡ଼ିବା, ଛୁଆଙ୍କ ଯତ୍ନ ନେବା ଇତ୍ୟାଦି କାମରେ ନିଯୁକ୍ତ ରହି ରୋଜଗାର କରୁଛନ୍ତି ଯାହା ତାଙ୍କୁ ବୋହୂ ଭାବରେ କରିବା ଲାଗି ବାଧ୍ୟ କରାଯାଉଥିଲା।

ମହିଳା ସଶକ୍ତିକରଣ ଓ ମହିଳା ସ୍ଵାଧୀନତାର କଥା ଆସିଲେ ଗଣମାଧ୍ୟମଠାରୁ ସେମିନାର ପର୍ଯ୍ୟନ୍ତ ସବୁଠାରେ ପୁରୁଷ କରୁଥିବା ଶ୍ରମର କାର୍ଯ୍ୟ ଯେପରି ନାରୀ କରିବ ସେହି କଥାକୁ ହିଁ ବୁଝାଯାଇଥାଏ। ତାହା ଦ୍ଵାରା ନାରୀ ନିଜକୁ ରୋଜଗାରକ୍ଷମ କରିପାରିବ ବୋଲି କୁହାଯାଏ। କିନ୍ତୁ ପୁରୁଷ ଯେ ନାରୀର ସମସ୍ତ କାର୍ଯ୍ୟ (କେବଳ ଛୁଆ ଜନ୍ମ କରିବା ଓ କ୍ଷୀର ପିଆଇବା ବ୍ୟତିତ) କରିବା ଆବଶ୍ୟକ ତାହାକୁ କିନ୍ତୁ ସଶକ୍ତିକରଣର ଅଂଶ ଭାବରେ ବିଚାର କରାଯାଇନଥାଏ। ଆଧୁନିକ ସଭ୍ୟ ସହରୀ ସମାଜ ମଧ୍ୟ ପୁରୁଷଗତ ମାନସିକତାରୁ ମୁକ୍ତ ନୁହେଁ। କେଉଁଠାରେ ପୁରୁଷମାନେ ଘରୋଇ ଶ୍ରମିକ ହେବା ଲାଗି ଦାବି କରିବାର ଦୃଷ୍ଟାନ୍ତ ଦେଖାଯାଉନାହିଁ। ଯଦି ବି ଭାରତର ଅତି ବଡ଼ ସହରରେ ଘରୋଇ ପୁରୁଷ ଶ୍ରମିକ ଅଛନ୍ତି ମାତ୍ର ସେମାନଙ୍କ ସଂଖ୍ୟା ସମୁଦାୟ ମହିଳା ଘରୋଇ ଶ୍ରମିକଙ୍କ ତୁଳନାରେ ଅତି ନଗଣ୍ୟ।

ଦିନେ କିଛି ବରିଷ୍ଠ ଘରୋଇ ମହିଳା ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ଜାଣିବା ଲାଗି ଏକ ଟ୍ରେଡ ଯୁନିଅନ ଅଫିସରେ ସେମାନଙ୍କୁ ଭେଟିଥିଲି। ଉପସ୍ଥିତ ମହିଳାମାନେ ନିଜର ପରିସ୍ଥିତି ବର୍ଣ୍ଣନା କରୁଥିଲେ। ଜଣେ କୁହନ୍ତି, “ଆମକୁ ଚାକିରି ଦେବା ସମୟରେ ଯେଉଁ ତାଲିକା ଘରର ମାଲିକ ବା ମାଲିକାଣୀ କରିଥା’ନ୍ତି ପରେ ସେଥିରେ ଗୋଟେ ପରେ ଗୋଟେ କାମ ମିଶାଇ ଚାଲନ୍ତି। କିନ୍ତୁ ଆମେ ଛୁଟି ଚାହିଁଲେ କି ଚିକିତ୍ସା ସୁବିଧା ଚାହିଁଲେ କେଉଁ ମାଲିକ ଦିଅନ୍ତି ତ ପୁଣି କିଏ ଦିଅନ୍ତି ନାହିଁ। ଆମେ ପୁଣି ଗୋଟେ ଘରର କାମ ସାରିଲେ ତ ଅନ୍ୟ ଘରକୁ ଯିବୁ? ଗୋଟିଏ ଘରର ଦରମାରେ କ’ଣ ଆମ ଘର ଚାଲିବ କି?”

ସେହି ଘରୋଇ ମହିଳା ଶ୍ରମିକଙ୍କ ଅଭିଯୋଗ ପୁଣି ଥିଲା, “ଆମକୁ ଅଧିକରୁ ଅଧିକ କାମ ବରାଦ କରିବେ। ଟଙ୍କା କମ ଦେବେ। ଯଦି ଆମେ ପ୍ରତିବାଦ କରିବୁ ତେବେ ପୁଲିସରେ ଦେବେ, ଚୋରୀ କରିଛୁ କହିବେ ବୋଲି ଡରାଇବେ।” ନାରୀ ଗାଁର ଶୋଷଣ ପୂର୍ଣ୍ଣ ସମାଜରୁ ମୁକ୍ତି ପାଇବା ପାଇଁ ସହରକୁ ବାଛିଥାଏ। କିନ୍ତୁ ସହରର ଶ୍ରମ ଶୋଷଣର ଜାଲ ମଧ୍ୟରେ ସେ ପୁନଃ ପଡ଼ିଯାଇଥାଏ। ଏହା ଯେ କେବଳ ଘରୋଇ ମହିଳା ଶ୍ରମିକଙ୍କ କ୍ଷେତ୍ରରେ ହେଉଛି ତାହା ନୁହେଁ। ସମସ୍ତ ପ୍ରକାରର ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କ ସ୍ଥିତି ସମାନ ରହିଆସିଛି।

ଏବେ କିଛିଟା ପରିସ୍ଥିତି ବଦଳିଛି ବୋଲି ମହିଳାମାନେ ଦାବି କରନ୍ତି। ସେମାନେ କୁହନ୍ତି, “ଯଦି କିଏ ମିଛ ଅଭିଯୋଗ ଆଣି ଆମକୁ ବଦନାମ କରିବାକୁ ଚେଷ୍ଟା କରିଥାଏ ତେବେ ଆମେ ସଂଗଠିତ ହୋଇଯାଉଛୁ। ଆମେ ଏତିକି କରିପାରିଛୁ ଯେ ଆଜି ନିଜେ ଆମେ ନିଜର ଅନୁଭୂତିକୁ ତୁରନ୍ତ ଅନ୍ୟମାନଙ୍କ ସାମ୍ନାରେ କହିପାରୁଛୁ। ଫଳରେ, ସେହି ଘରକୁ ପୁଣି ନୂଆ ‘କାମବାଲି’ ମିଳିବା କଷ୍ଟ ହୋଇଯାଉଛି।” ଘରୋଇ ମହିଳା ଶ୍ରମିକମାନେ ନିଜ ଲାଗି ଏହି ‘କାମବାଲି’ ପରିଚୟକୁ ଆଦରୀ ନେଇଛନ୍ତି। ‘କାମବାଲି’ଙ୍କ ପ୍ରତି ସହରର ଦୃଷ୍ଟିଭଙ୍ଗି ଭିନ୍ନ। ସହର ନିଜର ପୁରୁଷତାନ୍ତ୍ରିକ ମନୋଭାବ ଓ ଧାର୍ମିକ ସଂକୀର୍ଣ୍ଣତା ଲାଗି ବେଶ ପ୍ରସିଦ୍ଧ।

‘ଆମର ଏ ପୁରୁଷମୁଖ୍ୟ ସମାଜରେ ସେଭଳି କିଛି ଅତ୍ୟାଚାରର ସାମ୍ନା ଆପଣମାନଙ୍କୁ କରିବାକୁ ପଡୁନାହିଁ?’ ମୋର ଏହି ପ୍ରଶ୍ନର ଏକ ସାହସିକ ଉତ୍ତର ସେମାନଙ୍କର ଥିଲା, “ଆଗରୁ ସେଭଳି ଘଟଣା ହେଉଥିଲା। ଜଣେ ବିଚାରପତିଙ୍କ ପୁଅ ଓ ସ୍ତ୍ରୀ ଆମର ଜଣେ ମହିଳାଙ୍କୁ ଭୀଷଣ ମାଡ଼ ମାରିଥିଲେ। ଆମେ ସଂଗଠିତ ହୋଇ ପ୍ରତିବାଦ କରିବାରୁ ତାଙ୍କ ପରିବାର ଜେଲ ଯାଇଥିଲେ। ଅନ୍ୟ ଜଣେ ମହିଳାଙ୍କୁ ରେପ ଓ ମର୍ଡର କରି ଛାତ ଉପରୁ ପକେଇଦିଆଯାଇଥିଲା । ଆମେ ଲଢ଼ିବା ହେତୁ ସେମାନେ ମଧ୍ୟ ଜେଲ ଯାଇଥିଲେ। କିଏ କିଏ ‘କାମବାଲି’ କହି ଖରାପ ବ୍ୟବହାର କରିଥା’ନ୍ତି। ଆଗେ ଆମେ ଆମର ସ୍ଵାମୀଙ୍କୁ ସେଭଳି ଘଟଣା ହେଲେ କହୁଥିଲୁ। ସେ ବା କ’ଣ କରିବେ? ସେ ବି ମୋ ଭଳି କେଉଁ ମାଲିକ ପାଖରେ ଚାକିରି କରିଥିବେ। ଏବେ କିନ୍ତୁ ଆମେ ପରସ୍ପରକୁ ଖବର ଦେଉଛୁ ଓ ମାଲିକ ଘରେ ଏକାଠି ହେଉଛୁ। ପୋଲିସରେ ଅଭିଯୋଗ କରୁଛୁ। ପୁଲିସ ସହଯୋଗ ନକଲେ ସିଧା କମିଶନରେଟ ପୁଲିସ ଅଫିସ ଆସି ଘେରାଓ କରୁଛୁ। ଯଦି ମାଲିକର ଭୁଲ ଥିବା କଥା ଆମେ ଜାଣୁଛୁ ତେବେ ନିଶ୍ଚୟ ସମସ୍ତେ ମିଶି ପ୍ରତିବାଦ କରୁଛୁ। ଏବେ ପ୍ରାୟ ପୁରୁଷ ଗୃହକର୍ତ୍ତାମାନେ ଆମେ କାମ କରିବା ସ୍ଥାନକୁ ଆସନ୍ତି ନାହିଁ, ସେମାନେ ଦୂରରେ ରୁହନ୍ତି।” ଏଭଳି ସୁଯୋଗ କ’ଣ ସବୁସ୍ତରର ମହିଳା ଶ୍ରମିକଙ୍କ କ୍ଷେତ୍ରରେ ରହିଛି?

କୁନି ନିଜର ‘କାମବାଲି’ ପରିଚୟରୁ ମୁକ୍ତିର ରାସ୍ତା ଖୋଜିଲେ ବି ସେ ଅନ୍ୟ କେଉଁ ନିରାପଦ ପରିଚୟ ଏହି ସହରରୁ ପାଇପାଇବ? ଭୁବନେଶ୍ୱରର ‘ଘରୋଇ ମହିଳା ଶ୍ରମିକ ସଂଗଠନ’ର ସଦସ୍ୟମାନେ ଦିନେ କୁନି ପାଖରେ ପହଞ୍ଚିଥିଲେ। ସେବେଠାରୁ ସେ ମଧ୍ୟ ସଂଗଠନ କାମରେ ଯୋଗଦେଇଛି। ନିଜ ସୁରକ୍ଷାର ରାସ୍ତା ସେ ନିଜେ ବାହାର କରିଛି। କୁନି ଭଳି ୩୦୦ ପାଖାପାଖି ଘରୋଇ ମହିଳା ସଦସ୍ୟା ନିୟମିତ ଉଦ୍ୟମ କରୁଛନ୍ତି ଯାହା ଦ୍ଵାରା ସେମାନେ ସହରର ସମସ୍ତ ଘରୋଇ ମହିଳା ଶ୍ରମିକଙ୍କ ପାଖରେ ପହଞ୍ଚିପାରିବେ।

ଘରୋଇ ମହିଳା ଶ୍ରମିକମାନେ ସଂଗଠିତ ହୋଇ ସରକାରଙ୍କ ନିକଟରେ ଦାବି କରୁଛନ୍ତି ଯେ ସରକାର ଏକ ନିର୍ଦ୍ଦେଶାବଳୀ ଆଣନ୍ତୁ ଯାହା ଦ୍ଵାରା ସେମାନେ ମାସକୁ ଅତି କମରେ ଚାରି ଦିନ ଛୁଟି ପାଇବେ। ଦୈନିକ ମଜୁରୀ ଘର ପିଛା ଅତି କମରେ ୧୦୦ ଟଙ୍କା ରହିବ। ଏହା ସହିତ ସେମାନଙ୍କୁ ୬୦ ବର୍ଷ ହେଲେ ମାସକୁ ୩୦୦୦ ଟଙ୍କା ପେନସନର ସୁବିଧା ମିଳିବ।

ନିଜର ସଂଗଠିତ ଉଦ୍ୟମ କାରଣରୁ ସଦସ୍ୟମାନେ ଏବେ ଭୁବନେଶ୍ୱର ମ୍ୟୁନିସିପାଲଟି ଦ୍ଵାରା ସମୟ ସମୟରେ କରାଯାଉଥିବା ବସ୍ତି ଉଚ୍ଛେଦ ଉଦ୍ୟମକୁ ସେମାନେ ବିରୋଧ କରିପାରୁଛନ୍ତି, ନାରୀ ପ୍ରତି କୌଣସି ଯୌନ ହିଂସା ହେଲେ ତାହାର ପ୍ରତିବାଦ କରିପାରୁଛନ୍ତି, ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ମହିଳା ଶ୍ରମିକଙ୍କୁ ସହଯୋଗ ଓ ସମର୍ଥନ ଜଣାଇପାରୁଛନ୍ତି। ଭୁବନେଶ୍ଵରକୁ ବିଭିନ୍ନ ସମୟରେ ଧାରଣା ଦେବା ଲାଗି ରାଜ୍ୟର ଦୂରଦୂରାନ୍ତରୁ ଆସୁଥିବା ଦଳିତ, ଆଦିବାସୀ ଓ ମହିଳାଙ୍କ ଖାଇବା ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଭୁବନେଶ୍ଵର ସ୍ଥିତ ଘରୋଇ ମହିଳା ସଂଘ କରିବାର ଦୃଷ୍ଟାନ୍ତ ରହିଛି।

କୁନି ନିଜ ଝିଅକୁ ସରକାରୀ ସ୍କୁଲରେ ନାମ ଲେଖାଇଦେଇଛି। ଭଲ ଟ୍ୟୁସନ ମ୍ୟାଡାମ ଜଣେ ନିୟମିତ ତା’ର ଘରକୁ ଆସି ଝିଅକୁ ପଢ଼ାଉଛନ୍ତି। ପ୍ରତି ଦିନ ସକାଳେ ତାକୁ କାମରେ ଯୋଗ ଦେବାର ଅଛି ଓ ଚାରି / ପାଞ୍ଚ ଘର କାମ ସାରିବା ପରେ ଘରକୁ ଯାଇ ପୁଣି ନିଜ ଲାଗି ରୋଷେଇ କରିବାର ଅଛି। ମାନବିକତା ଓ ସାମାଜିକ ଦାୟିତ୍ଵବୋଧ ବଞ୍ଚିଥିଲେ ହୁଏତ କୁନିର ଗାଁ ସମାଜ ଓ ଗାଁର ମହିଳାମାନେ କୁନି ପ୍ରତି ହୋଇଥିବା ଘରୋଇ ହିଂସାର ପ୍ରତିବାଦ କରିପାରିଥା’ନ୍ତେ। ହୁଏତ ସେ ଗାଁର ଜୀବନରେ ଅଧିକ ଖୁସିରେ ରହିପାରିଥା’ନ୍ତା।

କେହି ଖୁସିରେ ନିଜର ଶ୍ରମକୁ ଅନ୍ୟ କାହାକୁ ବିକ୍ରି କରିନଥାଏ। ନିଜର ଅତି ଆବଶ୍ୟକତା ହିଁ କାହାରିକୁ କାହା ଅଧୀନରେ ଚାକିରି କରିବା ଲାଗି ବାଧ୍ୟ କରିଥାଏ। କୌଣସି ଚାକିରି କେବେ ସ୍ଵାଧୀନତା ଦେଇନଥାଏ। ଏହା କେବଳ ଆର୍ଥିକ ଆବଶ୍ୟକତାକୁ ପୂରଣ କରିଥାଏ। ବରଂ ଦାସତ୍ଵରୁ ମୁକ୍ତି ପାଇବା ଲାଗି ସମ୍ମିଳିତ ଉଦ୍ୟମ ହିଁ ପ୍ରକୃତ ମୁକ୍ତି ଦେଇଥାଏ। ଏଠାରେ ମାନବୀୟ ପ୍ରସଙ୍ଗ ହେଲା ଯେ ଗୃହକର୍ତ୍ତା ବା ଗୃହକର୍ତ୍ତୀ ନିଜର ଚାକିରୀରୁ ସମୟ ବାହାର କରିପାରୁନଥିବା କାରଣରୁ ଘରୋଇ ମହିଳା ଶ୍ରମିକ ନିଯୁକ୍ତ କରୁଛନ୍ତି। ସେମାନଙ୍କ ଲାଗି ଘରୋଇ ମହିଳା ଶ୍ରମିକ ନିଜ ଘରେ ନିଯୁକ୍ତି କରିବା ଜରୁରୀ। ନିଜ ଘରେ କାମ କରୁଥିବା ସେହି ମହିଳା ଶ୍ରମିକଙ୍କ ପ୍ରତି ଯେଉଁ ବିନମ୍ରତା ଓ ସମ୍ମାନବୋଧ ଗୃହକର୍ତ୍ତାଙ୍କର ରହିବା ଆବଶ୍ୟକ ତାହା ରହୁନାହିଁ। ଆଜିର ଧନୀ ଗରିବ ବିଭକ୍ତ ସମାଜରେ ସେମାନଙ୍କ ଅହଂକାର ସେମାନକୁ ଅନ୍ଧ କରିଦେଉଛି। ମହିଳା ସଂଗଠନର ଦାବି ମୁତାବକ ନିର୍ଦ୍ଦେଶାବଳୀ ସରକାର ତୁରନ୍ତ ଜାରି କରିବା ଜରୁରୀ।

ଦେବ ରଞ୍ଜନ (ଫୋ-୮୪୫୬୯୩୧୪୨୩)

Odisha Domestic Violence Domestic Workers