ବାତ୍ୟା ‘ୟାସ’ ଜନିତ ରାଜନୈତିକ ଲାଭକ୍ଷତି ଆକଳନ

ମମତା ବାନାର୍ଜୀଙ୍କ ଉଦ୍ଭବ ରାଜନୈତିକ ସଂଗ୍ରାମରୁ ଓ ସାରା ଦେଶରେ ତାଙ୍କ ପରିଚିତି ଜଣେ ଷ୍ଟ୍ରିଟ ଫାଇଟର (ଯୋଦ୍ଧା) ଭାବେ। ସେ ଭଲ କରି ଜାଣନ୍ତି ଯେ ପଶ୍ଚିମବଙ୍ଗରେ ତାଙ୍କ ରାଜନୈତିକ ସ୍ଥିତି ତାଙ୍କର ସେହି ସାଲିସବିହୀନ ଷ୍ଟ୍ରିଟ ଫାଇଟର ଛବି ବଳବତ୍ତର ଥିବା ପର୍ଯ୍ୟନ୍ତ ରହି ପାରିବ।

  • ସରଳ କୁମାର ଦାସ

ବାତ୍ୟା ‘ୟାସ’ ମଇ ୨୬, ୨୦୨୧ରେ ଓଡ଼ିଶାର ସ୍ଥଳଭାଗକୁ ଛୁଇଁ ଓଡ଼ିଶା, ବଙ୍ଗଳା ଓ ଝାରଖଣ୍ଡର କିଛି ଅଞ୍ଚଳରେ ପ୍ରଭୁତ କ୍ଷତି କରି ଚାଲି ଗଲା ପରେ ସେହି କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ସମୀକ୍ଷା ବୈଠକଜନିତ ରାଜନୈତିକ ଲାଭକ୍ଷତିର ଆକଳନ ପାଇଁ ରାଜନୈତିକ ମହଲରେ ଏତେ ଆଗ୍ରହ ଦେଖା ଦେଇଛି ଯେ ‘ୟାସ’ଜନିତ ଭୌତିକ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ବି ସତେ ଯେମିତି ଗୌଣ ହୋଇପଡ଼ିଛି। ତା’ ସ୍ଥାନ ନେଇଛି ଦିଦି-ମୋଦିଙ୍କ କଳହ ନେଇ ବିତର୍କ। ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକୁ ଆକାଶମାର୍ଗରୁ ପରିଦର୍ଶନ କରି କଲାଇକୁଣ୍ଡାଠାରେ କରିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ନ ରହିବା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଇଛି ବୋଲି ଅଭିଯୋଗ ହେଉଛି। ଅନ୍ୟ ପକ୍ଷରେ ଠିକ ତା’ ପୂର୍ବରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହି ଯେଉଁ ଭଳି ଆଚରଣ ପ୍ରଦର୍ଶନ କଲେ ତାହା ଅତି ଉଚ୍ଚକୋଟୀର ଥିଲା ବୋଲି ବିଜେପିର ଜାତୀୟସ୍ତରର ନେତାମାନେ ସ୍ୱୀକାର କରିବା ସହ ସେଥିରୁ ମମତା ବାନାର୍ଜୀ ଓ ଅନ୍ୟ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ ଶିଖନ୍ତୁ ବୋଲି କହିବାକୁ ବି ପଛାଉ ନାହାନ୍ତି। ଓଡ଼ିଆରେ କଥାଟିଏ ଅଛି, ଦୁଇ ଜଣକ କଳିରେ ତୃତୀୟ ପକ୍ଷର ଲାଭ। ଦିଦି ଓ ମୋଦିଙ୍କ କଳହ ନବୀନଙ୍କୁ ଅଯାଚିତ ଭାବେ ଲାଭାନ୍ୱିତ କରିବାକୁ ଯାଉଛି କି? ଏଥିପାଇଁ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ବିଜେପି ନେତୃମଣ୍ଡଳୀ ଶତମୁଖ ହେବାର କାରଣ ଓ ଏହାର ସମ୍ଭାବ୍ୟ ରାଜନୈତିକ ଲାଭକ୍ଷତି ସମ୍ପର୍କରେ ତର୍ଜମା କରାଯାଉ।

ମଇ ୨୮, ୨୦୨୧ରେ ପଶ୍ଚିମବଙ୍ଗର କଲାଇକୁଣ୍ଡାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆହୁତ ବାତ୍ୟା ‘ୟାସ’ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମନ୍ତ୍ରିତ ହୋଇଥିଲେ ବି ସେ ବୈଠକରେ ପ୍ରାୟ ୩୦ ମିନିଟ ବିଳମ୍ୱରେ ପହଞ୍ଚିଥିଲେ। ତାଙ୍କର ଦିଘାଠାରେ ଅନ୍ୟ ଏକ ପୂର୍ବ ନିର୍ଦ୍ଧାରିତ ବୈଠକ ଥିବା ଦର୍ଶାଇ ସେ ପ୍ରଧାନମନ୍ତ୍ରୀଙ୍କୁ ଆବଶ୍ୟକ କାଗଜପତ୍ର ଦେଇ ତାଙ୍କ ଅନୁମତି ନେଇ ସେଠାରୁ ବାହାରି ଯାଇଥିଲେ। ସମ୍ଭବତଃ, ସେଠାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ କ୍ଷୁବ୍ଧ ହୋଇ ଏହାକୁ ଏକ ଦଳୀୟ ରାଜନୈତିକ ବୈଠକ ଭଳି ମନେ କରିବାକୁ ବାଧ୍ୟ ହୋଇ ତାଙ୍କ ବିରୋଧକୁ ପ୍ରଦର୍ଶନ କରିବା ପାଇଁ ସେ ଏହି ପଦକ୍ଷେପ ନେଇ ଥାଇପାରନ୍ତି। ଉଚିତ ହୋଇ ଥାଆନ୍ତା ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ନିଜ କ୍ରୋଧ ଓ ଅହଂକୁ ସାମୟିକ ଭାବେ ସମ୍ୱରଣ କରି ମମତା ଅନ୍ତତଃ କିଛି ସମୟ ଯାଏଁ ଯଦି ବୈଠକରେ ବସି ରହି ଥାଆନ୍ତେ। ପଶ୍ଚିମବଙ୍ଗ ଓ କେନ୍ଦ୍ର ମଧ୍ୟରେ ରାଜନୈତିକ ବିବାଦ ଏବେ ଏତେ ଚରମରେ ଯେ ତାହା ଆଶା କରିବା ବୃଥା। ଏହାକୁ ସମୀକ୍ଷା ବୈଠକ ବୋଲି ବିବେଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଏହାର ପରିଚାଳନା କରୁଥିବାରୁ ତାଙ୍କର ଅସମ୍ମାନ ହେଲା ବୋଲି କହି ହେବ। କିନ୍ତୁ ଏହାକୁ ଏକ ଦଳୀୟ ବୈଠକ ଭାବେ ଗ୍ରହଣ କରୁଥିବା ଲୋକଟି ପାଇଁ ବୈଠକଟିର ପରିଚାଳନା ଜଣେ ଦଳୀୟ ବ୍ୟକ୍ତି ମୋଦି କରୁଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି କୌଣସି ଅସମ୍ମାନ ହୋଇନାହିଁ ବୋଲି ସେ ଯୁକ୍ତି ରଖିବ। ତେବେ ତାଙ୍କର ଏପରି ଆଚରଣ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବାରେ ସହାୟକ ହେଲା କି? ଗତ ଅମ୍ଫାନ ବାତ୍ୟା ସମୟରେ କେନ୍ଦ୍ରରୁ ମିଳିଥିବା ସହାୟତା ଅତି କମ ହୋଇଥିବାରୁ ସେ ଏ ଥର ବି କୋଭିଡ ସମୟରେ ଖୁବ ବେଶି ତାତ୍କାଳିକ ସହାୟତା ମିଳିବ ବୋଲି ଆଶାବାଦୀ ନ ଥାଇପାରନ୍ତି। ତେଣୁ ଓଡ଼ିଶା ଯେଉଁ ଭଳି ଉପକୂଳରେ ବନ୍ଧନିର୍ମାଣ ଓ ବାତ୍ୟା ନିରୋଧକ ବିଦ୍ୟୁତ ଭିତ୍ତିଭୂମି ପାଇଁ ଦୀର୍ଘ ମିଆଦି ସହାୟତା ଚାହିଁଛି, ଅନୁରୂପ ଭାବେ ସେ ମଧ୍ୟ ଦିଘା ଓ ସୁନ୍ଦରବନର ପୁନରୁଦ୍ଧାର ପାଇଁ ୨୦,୦୦୦ କୋଟି ଟଙ୍କାର ଦାବି ରଖିଛନ୍ତି।

ବୁଝିବାକୁ ହେବ ଯେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେଉଥିବା ସମୀକ୍ଷା ବୈଠକ କେନ୍ଦ୍ର ଓ ରାଜ୍ୟ ଦୁଇ ସରକାରଙ୍କ ମଧ୍ୟରେ ଏକ କାର୍ଯ୍ୟପାଳିକା ଦାୟିତ୍ୱ (ଏକଜିକ୍ୟୁଟିଭ ଆକସନ)ର ନିର୍ବାହନ। ଏହା ଏକ ବୈଧାନିକ (ଲେଜିସଲେଟିଭ) ବା ରାଜନୈତିକ (ପଲିଟିକାଲ) କାର୍ଯ୍ୟ ନୁହେଁ। ତେଣୁ ସେହି ବୈଠକରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ଅନ୍ୟ ମନ୍ତ୍ରୀ ଏବଂ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନେ ରହିପାରିବେ। ଏପରିକି ରାଜ୍ୟପାଳ ରାଜ୍ୟ କାର୍ଯ୍ୟପାଳିକାର ମୁଖ୍ୟ ହୋଇଥିବାରୁ ସେ ମଧ୍ୟ ଉପସ୍ଥିତ ରହିବାରେ ଅସୁବିଧା ନାହିଁ। କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଓ ଅମଲାମାନେ କାର୍ଯ୍ୟପାଳିକାର ଅଂଶବିଶେଷ ହୋଇଥିବାରୁ ସେମାନଙ୍କ ଉପସ୍ଥିତି ମଧ୍ୟ ଗ୍ରହଣୀୟ। ତେବେ ବିଧାୟକ ବା ସାଂସଦ ସରକାରର ଅଂଶ ହୋଇ ନ ଥିବାରୁ କାର୍ଯ୍ୟପାଳିକାର ଅଂଶ ନୁହନ୍ତି। ତେଣୁ ଏହି ଧରଣର ସମୀକ୍ଷା ବୈଠକରେ ସେମାନଙ୍କ ଉପସ୍ଥିତି କେବଳ ଯେ ଆଇନସଙ୍ଗତ ନୁହେଁ ତାହା ନୁହେଁ, ବରଂ ତାହା ଅନୈତିକ ମଧ୍ୟ। ତେଣୁ ପଶ୍ଚିମବଙ୍ଗ ସମୀକ୍ଷା ବୈଠକରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଉପସ୍ଥିତ ରହିବା ଦ୍ୱାରା ତାହା କାର୍ଯ୍ୟପାଳିକା ବୈଠକର ପବିତ୍ରତା ପ୍ରତି ଆଞ୍ଚ ଆଣିଛି। ଅବଶ୍ୟ ଓଡ଼ିଶା ସମୀକ୍ଷା ବୈଠକରେ ବିରୋଧୀ ଦଳ ନେତାଙ୍କୁ ଡକା ଯାଇଥିଲେ ବି କୁଆଡ଼େ ଅସୁସ୍ଥତା କାରଣରୁ ସେ ଯୋଗ ଦେଇ ପାରି ନ ଥିଲେ ବୋଲି କୁହାଯାଉଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟଠାରେ ଆହୁତ ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକରେ ସେଠାକାର ବିରୋଧୀ ଦଳ ନେତା କଂଗ୍ରେସ ଦଳର ପରେଶ ଧନାନୀଙ୍କୁ ମଧ୍ୟ ବୈଠକରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରା ଯାଇ ନ ଥିଲା କି ଗତ ଅମ୍ଫାନ ବାତ୍ୟା ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା କଂଗ୍ରେସର ଅବଦୁଲ ମନ୍ନାନଙ୍କୁ ଡକା ଯାଇ ନଥିଲା। ବସ୍ତୁତଃ, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ଧରଣର ସମୀକ୍ଷା ବୈଠକରେ ବିରୋଧୀ ଦଳ ନେତାଙ୍କୁ ଆମନ୍ତ୍ରଣ କରିବାର ପରମ୍ପରା ନାହିଁ।

ଆଗରୁ ଥରେ ଅଧେ ଓଡ଼ିଶାରେ ଆଳୁ ସଙ୍କଟ ଦେଖା ଦେଇଥିବା ବେଳେ ମମତା ବାନାର୍ଜୀ ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିବାକୁ ନିୟନ୍ତ୍ରଣ କରିଥିଲେ ବୋଲି ଓଡ଼ିଶାରେ କିଛି ଲୋକ ତାଙ୍କ ଉପରେ କ୍ଷୁବ୍ଧ ଓ ସେମାନଙ୍କ ମନରେ ମମତା ଓଡ଼ିଶା-ବିରୋଧୀ ବୋଲି ଏକ ଛବି ଅଙ୍କା ହୋଇ ରହିଛି। କୌଣସି ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଦାୟିତ୍ୱ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ଉପରେ ନ୍ୟସ୍ତ। ପ୍ରଥମେ ନିଜ ରାଜ୍ୟବାସୀ ଓ ତା’ ପରେ ଦେଶର ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ନିଷ୍ପତ୍ତି ନେବା ଉଚିତ। ତେଣୁ ଆଳୁର ପରିବହନ ଉପରେ ସାମୟିକ କଟକଣା ଲଗାଇ ତାଙ୍କ ରାଜ୍ୟବାସୀଙ୍କୁ ସେ ଉଚିତ ମୂଲ୍ୟରେ ଆଳୁ ଉପଲବ୍ଧ କରାଇଥିଲେ, ଯାହାକୁ ଅନ୍ୟାୟ ବୋଲି କହି ହେବନାହିଁ। ଅନ୍ୟ ପକ୍ଷରେ ତା’ ପରେ ଓଡ଼ିଶା ସରକାରଙ୍କ ଆଳୁ ମିଶନ ଫେଲ ହେବା ଓ ଗତ ୨୦ ବର୍ଷ ଭିତରେ ଚାଉଳ ଭିନ୍ନ କୌଣସି ଗୋଟିଏ ଜିନିଷରେ ବି ଓଡ଼ିଶା ସ୍ୱାବଲମ୍ୱୀ ହୋଇ ନ ପାରି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବା ନେଇ ରାଜ୍ୟବାସୀଙ୍କ କ୍ରୋଧ ଯାହା ପ୍ରତି ପ୍ରକାଶ ପାଇବା କଥା, ତାହା ତ କାହିଁ ପରିଲକ୍ଷିତ ହେଉନାହିଁ। ମମତା ବାନାର୍ଜୀ ସିନା ଆଳୁ ଟ୍ରକ ଅଟକାଇ ଦେଇଥିଲେ ସେ କ’ଣ ଆମର ସ୍ୱାବଲମ୍ୱୀ ହେବାର ବାଟ ବି ଓଗାଳି ଦେଇଛନ୍ତି କି?

ପ୍ରଶ୍ନ ଉଠୁଛି, ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କ ବା ଅନ୍ୟ କାହାର ନେତୃତ୍ୱ ଶୈଳୀକୁ ତୁଳନା କରି କିଏ ଭଲ କିଏ ଖରାପ କହିବା କେତେ ଦୂର ସମୀଚୀନ। ବିଭିନ୍ନ ରାଜ୍ୟରେ ଦୀର୍ଘ ଦିନ ଧରି ଶାସନରେ ଥିବା ରାଜନେତାଙ୍କ ଆଚରଣ ଓ ନେତୃତ୍ୱ ଶୈଳୀ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିତ୍ୱ, ରାଜନୈତିକ ପୃଷ୍ଠଭୂମି, ସମ୍ପୃକ୍ତ ରାଜ୍ୟର ରାଜନୈତିକ ବାସ୍ତବତା ଓ ଅନ୍ୟାନ୍ୟ କେତେକ କାରଣ ଉପରେ ନିର୍ଭର କରିଥାଏ। ଉଦାହରଣ ସ୍ୱରୂପ, ନବୀନଙ୍କୁ କ୍ଷମତା ବଂଶ ସୂତ୍ରରେ ଏକ ପ୍ରକାର ରୂପା ଚାମଚରେ ମିଳିଛି, ଯେଉଁଥିପାଇଁ ତାଙ୍କୁ ବିଶେଷ ଉଦ୍ୟମ କରିବାକୁ ପଡ଼ିନାହିଁ। ଅବଶ୍ୟ ୨୦ ବର୍ଷରୁ ଊର୍ଦ୍ଧ୍ୱ କାଳ ଶାସନକୁ ନିଜ ଦଖଲରେ ରଖିବାରେ ସେ ତାଙ୍କ କୌଶଳକୁ ପ୍ରଦର୍ଶନ କରି ପାରିଛନ୍ତି, ଯେଉଁଥିରେ ରାଜ୍ୟର ଦୁର୍ବଳ ବିରୋଧୀ ଦଳ ତାଙ୍କ ପ୍ରତି କୌଣସି ପ୍ରକାର ଆହ୍ୱାନ ସୃଷ୍ଟି କରିବାକୁ ବିଫଳ ହୋଇ ତାଙ୍କ ହାତକୁ ଶାସନ ବାରମ୍ୱାର ଟେକି ଦେଉଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନ୍ୟ ପକ୍ଷରେ ମମତା ବାନାର୍ଜୀଙ୍କ ଉଦ୍ଭବ ରାଜନୈତିକ ସଂଗ୍ରାମରୁ ଓ ସାରା ଦେଶରେ ତାଙ୍କ ପରିଚିତି ଜଣେ ଷ୍ଟ୍ରିଟ ଫାଇଟର (ଯୋଦ୍ଧା) ଭାବେ। ସେ ଭଲ କରି ଜାଣନ୍ତି ଯେ ପଶ୍ଚିମବଙ୍ଗରେ ତାଙ୍କ ରାଜନୈତିକ ସ୍ଥିତି ତାଙ୍କର ସେହି ସାଲିସବିହୀନ ଷ୍ଟ୍ରିଟ ଫାଇଟର ଛବି ବଳବତ୍ତର ଥିବା ପର୍ଯ୍ୟନ୍ତ ରହି ପାରିବ। ତେଣୁ ତାଙ୍କଠାରୁ ଡୁନ ସ୍କୁଲରେ ଶିକ୍ଷିତ ଅତ୍ୟୁଚ୍ଚ ସମାଜରେ ପରିପାଳିତ ଜଣକ ପରି ମାର୍ଜିତ ବ୍ୟବହାର ଆଶା କରିବା ନ୍ୟାୟୋଚିତ ହେବ ନାହିଁ କି ଆବଶ୍ୟକ ନୁହେଁ ମଧ୍ୟ। ଅଧିକନ୍ତୁ, ପଶ୍ଚିମବଙ୍ଗରେ ବାମ ଦଳ ଓ କଂଗ୍ରେସ ଦଳକୁ ପଛରେ ପକାଇ ବିଜେପି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି।

ତେବେ ବିଜେପିର ନିର୍ବାଚନୀ ଅଶ୍ୱମେଧ ଯଜ୍ଞର ଅଶ୍ୱକୁ ମମତା ଆଗକୁ ବଢ଼ିବାକୁ ନ ଦେଇ ନିର୍ଣ୍ଣାୟକ ଭାବେ ପରାଜିତ କରିବା ପରେ ଦଳ ଏ ଯାଏଁ ତାକୁ ହଜମ କରି ପାରି ନାହିଁ। କୌଣସି ପ୍ରକାରେ ରାଜ୍ୟ ସରକାରକୁ ଅସୁବିଧାରେ ପକାଇବା ପାଇଁ କେନ୍ଦ୍ର ସରକାରଙ୍କ ଶକ୍ତି ଓ ସାମର୍ଥ୍ୟର ପୂର୍ଣ୍ଣ ବିନିଯୋଗ କରି ବିଜେପି ପ୍ରତିଶୋଧମୂଳକ ରାଜନୀତି କରିବା ଲାଗି ଅହରହ ପ୍ରୟାସ କରୁଛି ବୋଲି ମମତାଙ୍କ ଦୃଢ଼ ବିଶ୍ୱାସ। ତେଣୁ ବିଜେପିକୁ ତାଙ୍କ ରାଜ୍ୟରେ ଆଗକୁ ବଢ଼ିବାକୁ ନ ଦେବା ପାଇଁ କେନ୍ଦ୍ର ସହ ତାଙ୍କୁ ଲଢ଼େଇ ଜାରି ରଖିବାକୁ ହେବ ଓ ସାଲିସ କରିବା ତାଙ୍କ ଛବି ଅନୁକୂଳ ହେବ ନାହିଁ। ରାଜ୍ୟପାଳ ବିଜେପି ବିଧାୟକ ଓ ସାଂସଦଙ୍କୁ ସାଙ୍ଗରେ ଧରି ବିଭିନ୍ନ ସ୍ଥାନ ପରିଦର୍ଶନରେ ଯିବା, କେନ୍ଦ୍ରୀୟ ସଂସ୍ଥାଙ୍କୁ ବ୍ୟବହାର କରି ତୃଣମୂଳ କଂଗ୍ରେସ ନେତାମାନଙ୍କ ବିରୁଦ୍ଧରେ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରିବା ଆଦି କେନ୍ଦ୍ର ସରକାରଙ୍କ ବଙ୍ଗଳା ବିରୋଧୀ ମନୋଭାବ ବୋଲି ମମତା ରାଜ୍ୟବାସୀଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି। ଠିକ ଏତିକି ବେଳେ ସମୀକ୍ଷା ବୈଠକର ତୁରନ୍ତ ପରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ଚାକିରୀର ଶେଷ ଦିନରେ କେନ୍ଦ୍ର ସରକାର ନୂଆଦିଲ୍ଲୀକୁ ବଦଳି କରିବାକୁ ମମତା ପଶ୍ଚିମବଙ୍ଗ ଲୋକଙ୍କ ସ୍ୱାଭିମାନକୁ ଜାଗ୍ରତ କରିବା ଲାଗି ଏକ ପ୍ରସଙ୍ଗ କରି ସାରିଲେଣି, ଯାହା ତାଙ୍କୁ ହୁଏତ ଆଗାମୀ ନିର୍ବାଚନ ଓ ଉପ ନିର୍ବାଚନଗୁଡ଼ିକରେ ସୁଫଳ ପ୍ରଦାନ କରିପାରେ।

ଅନ୍ୟ ପକ୍ଷରେ ନିଜ ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ବିଜେପି ପକ୍ଷରେ କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟପାଳଙ୍କୁ ପ୍ରତ୍ୟକ୍ଷ ନ ହେଲେ ବି ପରୋକ୍ଷ ଭାବେ ବ୍ୟବହାର କରିବା ଏକ ବାଧ୍ୟବାଧକତା ହୋଇ ପଡ଼ିଛି। କାରଣ ନିର୍ବାଚନରେ ବିଜେପି ଧରାଶାୟୀ ହେବା ପରେ ସେଠାକାର ଅନେକ ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗି ପଡ଼ିଛି ଓ ସ୍ଥାନେ ସ୍ଥାନେ ସେମାନେ ଦଳ ଛାଡୁଛନ୍ତି ବା ଛାଡ଼ିବାର ଆଶଙ୍କା ଦେଖା ଦେଇଛି। ଏହାକୁ ପ୍ରତିହତ କରି ଦଳ ପ୍ରତି କର୍ମୀ ଓ ସମର୍ଥକଙ୍କ ମନରେ ବିଶ୍ୱାସ ଅତୁଟ ରଖି ସେମାନଙ୍କୁ ଏକଜୁଟ କରି ରଖିବା ସହ ନିଜ ହୃତ ରାଜନୈତିକ ଭୂମିକୁ ଫେରି ପାଇବା ଲାଗି ଦଳ ଚେଷ୍ଟା କରୁଛି। ମମତା ବାନାର୍ଜୀଙ୍କ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅସମ୍ମାନ ଓ ଆଚରଣକୁ ଅତ୍ୟଧିକ ‘ନିନ୍ଦନୀୟ’ ବୋଲି ଦର୍ଶାଇବା ଲାଗି ବିଜେପିରଙ୍କ ମନ୍ତ୍ରୀ ଓ ନେତାମାନେ ନବୀନ ପଟ୍ଟନାୟକଙ୍କ ଆଚରଣକୁ ଅତ୍ୟଧିକ ‘ପ୍ରଶଂସନୀୟ’ ବୋଲି କହିବା ବିଜେପିର ବଙ୍ଗଳାରେ ସ୍ଥିତିକୁ ସୁଧାରି କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏକ ବାଧ୍ୟବାଧକତା ହୋଇପାରେ। ନିକଟରେ ସମାପ୍ତ ହୋଇଥିବା ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନ ପରେ ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଦଳ ଏବର ପ୍ରଦର୍ଶନକୁ ଦୋହରାଇ ଅଧିକ ସଂଖ୍ୟକ ଆସନ ହାସଲ କରିବା ନେଇ ଶଙ୍କା ଦେଖା ଦେଉଥିବାରୁ ବିଜେପି ପଶ୍ଚିମବଙ୍ଗରେ ପାଇଥିବା ୧୮ଟି ଆସନକୁ ଅନ୍ତତଃ ନିଜ ଅକ୍ତିଆରରେ ରଖିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବା ସ୍ୱାଭାବିକ। ଏବର ପରିସ୍ଥିତିରେ ସେ ନେଇ ମଧ୍ୟ ସନ୍ଦେହ ଦେଖା ଦେଲାଣି।

ତେବେ ଏହି ପ୍ରୟାସ ଦ୍ୱାରା ବିଜେପି ପଶ୍ଚିମବଙ୍ଗରେ କେତେ ଦୂର ଲାଭବାନ ହେବ ତାହା ତ କହି ହେବ ନାହିଁ କିନ୍ତୁ ତଦ୍ଦ୍ୱାରା ବିଜେପି ଓଡ଼ିଶାରେ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଉଛି। ବସ୍ତୁତଃ, ନବୀନଙ୍କୁ ବିଜେପିର ଜାତୀୟ ନେତୃମଣ୍ଡଳୀ ପ୍ରଶଂସାରେ ପୋତି ପକାଇବା ଦ୍ୱାରା ଭବିଷ୍ୟତରେ ରାଜ୍ୟରେ ବିଜେଡି ବିରୁଦ୍ଧରେ ଲଢିବା ପାଇଁ ରାଜ୍ୟ ବିଜେପିର କର୍ମୀ ଓ ନେତାମାନେ ଏକ ପ୍ରକାର ନିରସ୍ତ୍ର ଓ ବିଷହୀନ ହୋଇପଡ଼ିଲେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ବିଭିନ୍ନ ପ୍ରସଙ୍ଗରେ ବିଜେଡି ସଂସଦରେ ବିଜେପିକୁ ସମର୍ଥନ କରିବା ଓ ବିଜେପି ନେତାମାନେ ବିଜେଡି ସୁପ୍ରିମୋଙ୍କୁ ଅକୁଣ୍ଠ ପ୍ରଶଂସା କରିବା ଦ୍ୱାରା ଉଭୟ ଏକା ଦଳରେ ଖେଳୁଥିବା ପରି ଜଣା ପଡୁଛି। ତଦ୍ଦ୍ୱାରା ଓଡ଼ିଶାରେ ଅନ୍ତତଃ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବେ ନିଜ ବିଶ୍ୱସନୀୟତାକୁ ହରାଉଛି। ନବୀନ ପଟ୍ଟନାୟକଙ୍କ ଏହି ଆଚରଣ ଦ୍ୱାରା ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜ ଛବିକୁ ଆହୁରି ଉଜ୍ଜ୍ୱଳ କରିବା ଲାଗି ସୁଯୋଗଟିକୁ ହାତଛଡ଼ା କରି ନ ଥିଲା ବେଳେ ରାଜନୈତିକ ଦୃଷ୍ଟିରୁ ସ୍ଥାନୀୟ ବିଜେପି ଦଳର ନେତାମାନଙ୍କ ମୁହଁ ବନ୍ଦ କରି ଏକ ପ୍ରକାର ବାଜିମାତ କରିପାରିଛନ୍ତି। ବିରୋଧୀ ଦଳର ଜାତୀୟ ରାଜନୀତିରେ ବିକଳ୍ପ ନେତା ଭାବେ ବେଳେ ବେଳେ ନବୀନଙ୍କ ନାମ ଶୁଣା ଯାଉଥିଲେ ମଧ୍ୟ ସେ ବିଜେପି ଦ୍ୱାରା ଯେତେ ବେଶି ପ୍ରଶଂସିତ ହେଉଥିବେ ଅନ୍ୟାନ୍ୟ ବିରୋଧୀ ଦଳଙ୍କ ନିକଟରେ ତାଙ୍କ ଗ୍ରହଣୀୟତା ସେତିକି ହ୍ରାସ ପାଉଥିବ। ଅନ୍ୟ ପକ୍ଷରେ ବଙ୍ଗଳା ନିର୍ବାଚନରେ ଆଶାତୀତ ସଫଳତା ହାସଲ ସହ ଏହି ଘଟଣା ପରେ ଜାତୀୟ ସ୍ତରରେ ବିରୋଧୀ ରାଜନୀତିରେ ମୋଦିଙ୍କୁ ଉଚିତ ଜବାବ ଦେଇ ପାରୁଥିବା ନେତା ଭାବେ ମମତାଙ୍କ ଉଚ୍ଚତା ହୁଏତ ବୃଦ୍ଧି ପାଇଛି।

ଏହି ଘଟଣାରେ କେଉଁ ଦଳ ବା ବ୍ୟକ୍ତିର କ’ଣ ଲାଭ ବା କ୍ଷତି ହେଲା ସେ କଥା ତ ଭିନ୍ନ, ତେବେ ନିଶ୍ଚିତ ଭାବେ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକ କ୍ଷତିଗ୍ରସ୍ତ ହୋଇ ଦେଶବାସୀଙ୍କର ପ୍ରଭୁତ କ୍ଷତିସାଧିତ ହେଲା। ସଂଘୀୟ ବ୍ୟବସ୍ଥାରେ ‘ଏକ ଦେଶ’ର ପରିକଳ୍ପନାରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ‘କରଦ ରାଜ୍ୟ’ ରୂପେ ମନେ କରି ସେଗୁଡିକୁ ବଶତା ସ୍ୱୀକାର କରିବାକୁ ଅପଚେଷ୍ଟା କରିବା ଦ୍ୱାରା ଅନେକ ସମୟରେ ତାହା ଆତ୍ମଘାତୀ ହୋଇଥାଏ। କେନ୍ଦ୍ର ଓ ରାଜ୍ୟର ନେତୃବର୍ଗ ପରସ୍ପରକୁ ସମ୍ମାନ ଦେଇ ଶିଖିଲେ ସମ୍ମାନ ପାଇବା ପାଇଁ ଯୋଗ୍ୟ ହୋଇଥାଆନ୍ତି, କାରଣ ଦାବି କରି କାହାଠାରୁ ସମ୍ମାନ ହାସଲ କରି ହୁଏନାହିଁ।  କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସଂଘାତ ଲାଗି ରହିଲେ ତାହା ଦେଶ ପାଇଁ ଶୁଭଙ୍କର ନୁହେଁ, କାରଣ ତଦ୍ଦ୍ୱାରା ଦେଶ ଦୁର୍ବଳ ହୋଇଥାଏ। ସାମ୍ୱିଧାନିକ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିବିଶେଷ ପଦ ମର୍ଯ୍ୟାଦାକୁ ସୁରକ୍ଷିତ ରଖିବା ପାଇଁ ନିଜ ଆଚରଣକୁ ସୁସଂଯତ ନ କଲେ ଆଗାମୀ ଦିନରେ ସେହି ସବୁ ପଦପଦବୀଗୁଡିକ ଜନସାଧାରଣଙ୍କ ଆସ୍ଥା ହରାଇ ଗଣତନ୍ତ୍ର ପ୍ରତି ଅଧିକ ବିପଦ ସୃଷ୍ଟି କରିବାର ଆଶଙ୍କା ଦେଖା ଦେବ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।