/odisha-reporter/media/post_attachments/uploads/2020/03/poor-people-1.jpg)
poor-people-1
ସୂର୍ଯ୍ୟମଣି ମିଶ୍ର
ଦାରିଦ୍ର୍ୟର କଳଙ୍କ ଭାରତର ମଥାରୁ ଲିଭୁନାହିଁ। ଲିଭାଇବା ପାଇଁ ନିର୍ବାଚିତ ସରକାର ଯେଉଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା କଥା ତାହା କରିନାହାନ୍ତି। ସେ ଓଡ଼ିଶା ହେଉ ଅବା ଗୁଜୁରାଟ କି ମଧ୍ୟପ୍ରଦେଶ, ଦେଶର ସବୁ ରାଜ୍ୟରେ ଦାରିଦ୍ର୍ୟରେ ଘାଣ୍ଟି ହେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି। ସରକାରଙ୍କ ପାଇଁ ଏହା ଏକ ଆହ୍ୱାନ ହୋଇଥିଲେ ହେଁ ଏହାକୁ ସାମ୍ନା କରି ଏହି ଦାରିଦ୍ର୍ୟର ସମସ୍ୟାକୁ ଦୂର କରିବା ଦିଗରେ ଯେଉଁ ସଂକଳ୍ପବଦ୍ଧ ଦୀର୍ଘମିଆଦି ଯୋଜନାର ସଫଳ ରୂପାୟନ କରିବା କଥା ତାହା କରିବା ଦିଗରେ ସରକାର ପଛାଇଛନ୍ତି। ଏକ ପୁଞ୍ଜିବାଦୀ ବ୍ୟବସ୍ଥାରେ ଦାରିଦ୍ର୍ୟ ରହିବ ଏବଂ ଧନୀ ଆହୁରି ଧନୀ ହେଉଥିବେ ଏହାର ଚିତ୍ର ଅପରିବର୍ତ୍ତିତ ରହିଛି। ଯାହା ଫଳରେ ଓଡ଼ିଶାର ନଗଡ଼ା ହେଉ ଅବା ଗୁଜରାଟର ଅହମଦାବାଦ, ସବୁଠି ଦେଖିବାକୁ ମିଳୁଛି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କର ଦୁଃଖ ଓ ଦୁର୍ଦ୍ଦଶାର ଚିତ୍ର।
ନ୍ୟାସନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେ-୫ର ପରିସଂଖ୍ୟାନ ରିପୋର୍ଟ ଉପରେ ଆଖି ପକାଇଲେ ଜଣାପଡ଼େ ଭାରତରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇଛି। ଭାରତରେ କୁପୋଷଣ, ମାତୃତ୍ୱ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ବଢ଼ିଛି। ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ ଭାରତ ଏବେ ସିରିଏସ୍ ହଙ୍ଗର ତାଲିକାରେ ରହିଛି। ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ଅଲମ୍ପିକ୍ରେ ମେଡ଼ାଲକୁ ନେଇ ସେପରି ଚର୍ଚ୍ଚା ଜୋର ଧରିଛି ଠିକ୍ ସେହିପରି ଗରିବୀ ଅବସ୍ଥାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। କଞ୍ଜ୍ୟୁମର ଏକ୍ସପେଣ୍ଡିଚର ଅର୍ଥାତ୍ ଖାଉଟିଙ୍କର ଖର୍ଚ୍ଚ କରିବାର ପ୍ରବୃତ୍ତି ଆଧାରରେ ଗଣନା ଅନୁଯାୟୀ ଗରିବୀ ସଂଖ୍ୟାର ଆକଳନ କରାଯାଏ।
ନ୍ୟାସନାଲ୍ ଷ୍ଟାଟିଷ୍ଟକାଲ୍ ଅର୍ଗାନାଇଜେସନ୍ ପ୍ରତି ୫ ବର୍ଷ ପରେ କଞ୍ଜ୍ୟୁମର ଏକ୍ସପେଣ୍ଡିଚର ସର୍ଭେ ପରିସଂଖ୍ୟାନ ପ୍ରକାଶ କରିଥାଏ। ଏଥିରୁ ଜଣାପଡ଼େ ଦେଶରେ ଗରିବ ଲୋକଙ୍କ ସଂଖ୍ୟା କେତେ? ୨୦୧୭-୧୮ରେ ଏ ସଂପର୍କିତ ସର୍ଭେର ଲିକ୍ ହୋଇଥିଲା। ୨୦୧୯-୨୦ ପିରିଓଡ଼ିକାଲ୍ ଲେବର ଫୋର୍ସ ସର୍ଭେରେ ସ୍ୱାସ୍ଥ୍ୟ, ଶିକ୍ଷା, ପୋଷାକ, ଯୋତା, ଚପଲ ଓ ଖାଦ୍ୟ ଭଳି ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକ ଦ୍ରବ୍ୟରେ କେତେ ଖର୍ଚ୍ଚ କରାଯାଉଛି ତାହାକୁ ଆଧାର କରି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା କେତେ ତାହା ଆକଳନ କରାଯାଇଛି। ୨୦୧୧-୧୨ରେ ତେନ୍ଦୁଲକର କମିଟି ଗ୍ରାମୀଣ କ୍ଷେତ୍ରରେ ୮୧୬ ଟଙ୍କା ମାସକୁ, ସହରାଞ୍ଚଳରେ ୧୦୦୦ ଟଙ୍କା ମାସକୁ ରୋଜଗାର କରୁଥିଲେ ବା ଏହାଠାରୁ କମ୍ ରୋଜଗାର କରୁଥିଲେ ଦାରିଦ୍ର୍ୟ ସୀମାରେଖା ତଳେ ରଖାଯାଉଥିଲା। ଏହି ନିର୍ଦ୍ଧାରଣ ବିଶ୍ୱବ୍ୟାଙ୍କ ମାଧ୍ୟମରେ ପ୍ରସ୍ତୁତ ଅନ୍ତର୍ଜାତୀୟ ଦାରିଦ୍ର୍ୟ ସୀମାରେଖା ଫର୍ମୁଲା ଅନୁସାରେ କରାଯାଇଥିଲା। ଯଦି ବି ଏହି ସମୟରେ ଦରଦାମ୍ ବୃଦ୍ଧିକୁ ନେଇ ଏହା ସ୍ଥିର କରାଯାଇଥାନ୍ତା ତେବେ ସେତେବେଳେ ମଧ୍ୟ ଗ୍ରାମୀଣ କ୍ଷେତ୍ରରେ ୧୨୧୭ ଟଙ୍କା ମାସକୁ ଏବଂ ସହରାଞ୍ଚଳରେ ୧୪୬୭ ଟଙ୍କା ମାସକୁ ରୋଜଗାର କରୁଥିବା ବା ଏହାଠାରୁ କମ୍ ରୋଜଗାର କରୁଥିବା ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ନେଇ ଚିହ୍ନଟ କରାଯାଇଥାନ୍ତା। କିନ୍ତୁ ଏହା କରାଯାଇନଥିଲା।
ନିକଟରେ ଏକାଧିକ ଅର୍ଥନୀତିଜ୍ଞଙ୍କ ରିପୋର୍ଟ ଉପରେ ଆଖି ପକାଇଲେ ଜଣାପଡ଼େ ଯେ ୨୦୧୨ରେ ଭାରତର ଗ୍ରାମାଞ୍ଚଳରେ ହାରାହାରି ୨୫.୭ ପ୍ରତିଶତ ଜନସଂଖ୍ୟା ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ୨୦୨୦ରେ ଏହା ବୃଦ୍ଧି ପାଇ ୩୦ ପ୍ରତିଶତରେ ପହଂଚିଛି। ସେହିପରି ସହରାଞ୍ଚଳରେ ୨୦୧୨ରେ ୧୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ୨୦୨୦ରେ ଏହି ହାର ହାରାହାରି ୧୫ ପ୍ରତିଶତରେ ପହଂଚିସାରିଛି। ଭାରତର ମୋଟ ଜନସଂଖ୍ୟା ମଧ୍ୟରୁ ୨୦୧୨ରେ ୨୧ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ୨୦୨୦ରେ ଏହା ୨୬ ପ୍ରତିଶତରେ ପହଂଚିଛି। ୨୦୧୨ରେ ଗ୍ରାମାଞ୍ଚଳରେ ଗରିବଙ୍କ ସଂଖ୍ୟା ହାରାହାରି ୨୧.୫ କୋଟି ଥିଲା। ୨୦୧୯-୨୦ରେ ଏହି ସଂଖ୍ୟା ୨୭ କୋଟିରେ ପହଂଚିଛି। ୨୦୧୨ରେ ସହରାଞ୍ଚଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଥିଲା ୫.୩ କୋଟି, ଏବେ ଏହା ୭.୩ କୋଟିକୁ ବୃଦ୍ଧି ପାଇଛି। ୨୦୧୨ରୁ ୨୦୨୦ ମଧ୍ୟରେ ଦାରିଦ୍ର୍ୟ ସୀମାରେଖା ତଳକୁ ଆସିଛନ୍ତି ୭ କୋଟି ଲୋକ। ୨୦୧୨ରେ ହାରାହାରି ୨୬ କୋଟି ଲୋକ ଗରିବ ଥିଲେ। ୨୦୨୦ରେ ଏହି ଗରିବଙ୍କ ସଂଖ୍ୟା ୩୪ କୋଟିରେ ପହଂଚିଛି। ଅର୍ଥାତ୍ ୩୪ କୋଟି ଲୋକ ମାସକୁ ୧୫୦୦ ଟଙ୍କାରୁ କମ୍ ରୋଜଗାର କରି ଜୀବନ କାଟୁଛନ୍ତି।
ସମୀକ୍ଷା ଅନୁଯାୟୀ ଦିନକୁ ଦେଶର ୩୪ କୋଟି ଲୋକ ଜୀବନ ବଞ୍ଚାଇବା ପାଇଁ ମାତ୍ର ୫୦ ଟଙ୍କା ରୋଜଗାର କରିବାରେ ସମର୍ଥ। କେନ୍ଦ୍ର ସରକାର କଳାଧନ ନିୟନ୍ତ୍ରଣ ପାଇଁ ନୋଟବନ୍ଦୀ କାର୍ଯ୍ୟକାରୀ କଲେ। ଜିଏସ୍ଟି ଲଗାଇଲେ, ସବ୍କା ସବ୍କା ବିକାଶର କଥା କହିଲେ, କିନ୍ତୁ ଏହାର ଅନୁକୁଳ ପ୍ରଭାବ ପରିବର୍ତ୍ତେ ପ୍ରତିକୂଳ ପ୍ରଭାବ ଏପରି ପଡ଼ିଲା ଯେ, ଆଜି ଦେଶରେ ଗରିବଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଅନ୍ୟପଟରେ ଗତ ଗୋଟିଏ ବର୍ଷରେ ସଂପତ୍ତିର କେନ୍ଦ୍ରୀକରଣରେ ବୃଦ୍ଧି ଘଟିଛି। ଅକ୍ସଫାମ୍ ଅନୁସାରେ ଗତ ୯ ମାସ ମଧ୍ୟରେ ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ଦ୍ୱାରା ୧୩ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଏହି ମହାଧନୀ ଅର୍ଜନ କରିବାରେ ସମର୍ଥ ହୋଇଛନ୍ତି। ଅର୍ଥଶାସ୍ତ୍ରର ମୂଳଭୂତ ଓ ସିଦ୍ଧାନ୍ତ ଅନୁଯାୟୀ ବଜେଟ୍ ଆର୍ଥିକ ନୀତିର ନିର୍ଦ୍ଧାରଣ କରିଥାଏ। ଏହି ଅନୁସାରେ ଅର୍ଥ ବ୍ୟବସ୍ଥାର ପ୍ରାଥମିକତା ଏବଂ ଦିଶା ତିଆରି ହୁଏ। ଏହା ଦ୍ୱାରା ଆର୍ଥିକ-ବିକାଶସ୍ତର ପ୍ରଭାବିତ ଏବଂ ନିର୍ଦ୍ଧାରିତ ହୋଇଥାଏ।
କିନ୍ତୁ କେନ୍ଦ୍ର ସରକାରଙ୍କ ପୁଞ୍ଜିବାଦୀ ଅର୍ଥନୀତି ଏପରି ସ୍ଥିତି ତିଆରି କରିଛି ଯେ, ଧନୀ ମହାଧନୀ ହେଉଛନ୍ତି ଆଉ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାର କଳାହାଣ୍ଡି, କନ୍ଧମାଳ ହେଉ ଅବା ଯାଜପୁର ସୁକିନ୍ଦାର ନଗଡ଼ା ହେଉ ଅବା ଭାରତର ଅନ୍ୟ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳରେ ଥିବା ବସ୍ତିବାସିନ୍ଦାଙ୍କ ସ୍ଥିତି ହେଉ ଏହା ସୂଚାଇ ଦେଉଛି ଆର୍ଥିକ ଅସମାନତାର ଦିଗକୁ। ସରକାର କିନ୍ତୁ ସମ୍ବେଦନଶୀଳ ହେଉନାହାନ୍ତି। କେବଳ ଅନ୍ନ ଯୋଜନା ମାଧ୍ୟମରେ ଚାଉଳ କି ଗହମ ଯୋଗାଇ ଦେଇ ସରକାର ନିଜ ପ୍ରଶଂସା ସାଉଣ୍ଟୁଛନ୍ତି। କିନ୍ତୁ ବାସ୍ତବତା ହେଉଛି ଦେଶରୁ ଦାରିଦ୍ର୍ୟ ଦୂର ହେଉନାହିଁ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ରାତି ପାହିଲେ ହା ଅନ୍ନ ହା ଅନ୍ନ ଚିକ୍ରାର କରୁଛନ୍ତି। ସରକାରୀ ପରିସଂଖ୍ୟାନଠାରୁ ବହୁ ଅଧିକ ଲୋକ ଦାରିଦ୍ର୍ୟର କଷାଘାତରେ ଘାଣ୍ଟି ହେଉଛନ୍ତି। ଯେଉଁଥିପାଇଁ କରୋନା ମହାମାରୀର ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩୫ କୋଟି ଦେଶବାସୀଙ୍କ ମଧ୍ୟରୁ ୮୦ କୋଟି ଲୋକଙ୍କୁ ଚାଉଳ ଯୋଗାଇ ଦେଇଛନ୍ତି। ଲୁଚାଇଲେ ଲୁଚୁନି, ଦାରିଦ୍ର୍ୟ ଦୂର ଦିଗରେ ସରକାର ଯେ ବିଫଳ ତାହା ଏହି ରିପୋର୍ଟରୁ ଜଣାପଡ଼ିଛି।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଫୋନ୍: ୯୪୩୮୦୦୬୨୧୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
