ରାଜ୍ୟ କୋଭିଡ୍ ପରିଚାଳନାରେ ପ୍ରଶ୍ନବାଚୀ

ରବି ଦାସ

ରାଜ୍ୟରେ କୋଭିଡ୍ ପରିଚାଳନାରେ ବହୁ ପ୍ରକାର ଅବ୍ୟବସ୍ଥା ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ସମୟରେ କୋଭିଡ୍ ମୃତ୍ୟୁ ଖବରକୁ ନେଇ ସରକାରୀ ଦଳର ଜଣେ ବିଧାୟକ ଓ କର୍ମକର୍ତ୍ତା ସଂପାଦକ ଥିବା ଖବରକାଗଜରେ ଏ ସଂକ୍ରାନ୍ତରେ ଅସତ୍ୟ ତଥ୍ୟ ପରିବେଷଣ କରାଯାଉଥିବା ସଂପର୍କରେ ଗୁରୁତର ଅଭିଯୋଗ ଆସିଛି। ଏହି ସମୟରେ ଯେଉଁ ରାଜ୍ୟମାନଙ୍କରେ କୋଭିଡ୍ ପରିଚାଳନା ସନ୍ତୋଷଜନକ ହୋଇନାହିଁ ଓ ଏବେ ମଧ୍ୟ ଦ୍ୱିତୀୟ ଲହର ବ୍ୟାପ୍ତହୋଇ ରହିଛି ସେହିପରି ୬ଟି ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ପଠାଯାଇଛି। ଏହି ୬ଟି ରାଜ୍ୟ ଭିତରେ ଓଡ଼ିଶାର ନାମ ମଧ୍ୟ ଅଛି। ଓଡ଼ିଶାରେ ଗତ ଦୁଇମାସରୁ ଊର୍ଦ୍ଧ୍ୱ ହେଲା ଲକ୍‌ଡାଉନ ଓ ସଟ୍‌ଡାଉନ ସତ୍ତ୍ୱେ ସଂକ୍ରମଣ ହାର ପୂରାପୁରି କମିନାହିଁ। ଏବେବି ରାଜ୍ୟର ୧୦ଟି ଜିଲ୍ଲାରେ ସଂକ୍ରମଣ ହାର ଶତକଡ଼ା ୫ ଉପରେ ରହିଛି। ଗତ ୧୦ ଦିନରୁ ଊର୍ଦ୍ଧ୍ୱ ହେଲା ରାଜ୍ୟରେ ସଂକ୍ରମଣ ହାର ମୋଟାମୋଟି ଭାବରେ ୩ ହଜାର ଭିତରେ ରହୁଛି ଓ ମୃତ୍ୟୁସଂଖ୍ୟା ୪୦ ଉପରେ ରହୁଛି। ଯେଉଁ ରାଜ୍ୟକୁ କରୋନାର ପ୍ରଥମ ଲହରରେ ଏକ ଭଲ ପରିଚାଳିତ ରାଜ୍ୟ ବୋଲି କୁହାଯାଉଥିଲା ସେହି ରାଜ୍ୟରେ ଏତେଦିନ ଧରି ସଂକ୍ରମଣ ଲାଗିରହିବା ଓ ମୃତ୍ୟୁସଂଖ୍ୟା ବଢ଼ିବାର କାରଣ କ’ଣ?

ପ୍ରଥମେ କୁହାଗଲା ଯେ, ସଂକ୍ରମଣ  କମୁଥିଲେ ମଧ୍ୟ ଯେଉଁମାନେ ପୂର୍ବରୁ ହସପିଟାଲରେ ଉଦବେଗଜନକ ଅବସ୍ଥାରେ ରହିଥିଲେ ସେମାନଙ୍କର ଏବେ ମୃତ୍ୟୁ ହେଉଛି। ଏଣୁ ମୃତ୍ୟୁସଂଖ୍ୟା ବଢ଼ୁଛି। କିନ୍ତୁ ଏହି ମୃତ୍ୟୁସଂଖ୍ୟା ଠିକ୍ ନୁହେଁ ବୋଲି ଗଣମାଧ୍ୟମରେ ଓ ସାଧାରଣରେ ଆଲୋଚିତ ହୋଇଆସୁଛି। ଏହା ପରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହୁଛନ୍ତି ଯେ, ପୂର୍ବରୁ ଯେଉଁସବୁ ମୃତ୍ୟୁ ହୋଇଛି ସେଥିଭିତରୁ କେଉଁଠି କୋଭିଡ୍ ଓ କେଉଁଠି ଅଣକୋଭିଡ୍ ତାହା ନିର୍ଣ୍ଣୟ କରିବା ପାଇଁ ଅଡିଟ୍ ଚାଲିଛି। ଅଡିଟ୍‌ରେ ଯାହା ଚୂଡ଼ାନ୍ତ ହୋଇଛି ସେହି ଖବର ପ୍ରକାଶ ପାଉଛି। ଅର୍ଥାତ୍ ଯେଉଁଦିନ ଯେଉଁ ମୃତ୍ୟୁ ସଂଖ୍ୟା ପ୍ରକାଶ ପାଉଛି ତାହା ସେହି ଦିନର ମୃତ୍ୟୁ ବୋଲି ବିଚାର କରାଯାଇପାରିବ ନାହିଁ।

ଇତି ମଧ୍ୟରେ ସୁପ୍ରିମକୋର୍ଟ ଅତି ସ୍ପଷ୍ଟଭାବରେ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନେ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି ସେହି ପରିବାରଗୁଡ଼ିକୁ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁସାରେ କ୍ଷତିପୂରଣ ବା ଅନୁକମ୍ପା ରାଶି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରଦାନ କରିବାକୁ ବାଧ୍ୟ। ଏହି ଅର୍ଥର ପରିମାଣ କେତେହେବ ତାହା କର୍ତୃପକ୍ଷ ସ୍ଥିର କରିବେ। ସେହି କ୍ରମରେ ମୃତ ବ୍ୟକ୍ତିମାନଙ୍କର ପରିବାରକୁ କୋଭିଡ୍ ସମ୍ବନ୍ଧୀୟ ମୃତ୍ୟୁ ସାର୍ଟିଫିକେଟ ପ୍ରଦାନ କରିବାକୁ ପଡ଼ିବ। ଏଣୁ ଗାଇଡଲାଇନ୍‌ ପ୍ରକାଶିତ ହୋଇଯିବା ପରେ ଓ କ୍ଷତିପୂରଣ ରାଶି ଜଣାପଡ଼ିଲା ପରେ ମୃତ ପରିବାରଗୁଡ଼ିକ ନିଶ୍ଚିତ ଭାବରେ ଉପଯୁକ୍ତ ସାର୍ଟିଫିକେଟ ଦାବି କରିବେ। ସେହି ଦୃଷ୍ଟିରୁ ଓଡ଼ିଶାରେ କୋଭିଡ୍ ମୃତ ଲୋକମାନଙ୍କ ସଂକ୍ରାନ୍ତରେ ଏକ ଶ୍ୱେତପତ୍ର ପ୍ରକାଶ କରିବା ପାଇଁ ଗଣମାଧ୍ୟମ ଓ ବିରୋଧୀ ଦଳମାନେ ଯେଉଁ ଦାବି କରିଛନ୍ତି ତାହା ଯଥାର୍ଥ ମନେହେଉଛି। ରାଜ୍ୟ ସରକାର କୋଭିଡ୍ ମୃତ ପରିବାରର ଅନାଥ ପିଲାମାନଙ୍କ ପାଇଁ ‘ଆଶୀର୍ବାଦ’ ଯୋଜନା କରିବା ସମୟରେ ଏ ସଂକ୍ରାନ୍ତରେ ସ୍ପଷ୍ଟ ନିର୍ଦ୍ଦେଶନାମା ଦେବା ପରେ ପୂର୍ବରୁ କୋଭିଡ୍‌ରେ ଯେତିକି ଲୋକ ମରି ସେମାନଙ୍କ ପରିବାର ବା ଶିଶୁମାନଙ୍କର ଅନାଥ ହୋଇଛନ୍ତି ବୋଲି ରିପୋର୍ଟ ଆସିଥିଲା ସେଥିରେ ଏବେ ସଂଶୋଧନ କରିବାକୁ ପଡ଼ିବ।

କୋଭିଡ୍ ହସପିଟାଲ ପରିଚାଳନାରେ ଓ ରୋଗୀମାନଙ୍କର ସହାୟତା ବା ଚିକିତ୍ସା ପାଇଁ ରାଜ୍ୟ ସରକାର ଯେଉଁସବୁ ହସପିଟାଲଗୁଡ଼ିକୁ ଦାୟିତ୍ୱ ଦେଇଥିଲେ ସେହିସବୁ ହସପିଟାଲଗୁଡ଼ିକ ବାସ୍ତବରେ କେତେ ଲୋକଙ୍କର ସେବା କରିଛନ୍ତି ଓ କେତେ ଲୋକ ସୁସ୍ଥ ହୋଇଛନ୍ତି ଓ ସେମାନେ କେତେ ପରିମାଣର ବିଲ୍ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ତାହାକୁ ନେଇ ମଧ୍ୟ ବିଭିନ୍ନ ପ୍ରକାର ପ୍ରଶ୍ନ ଉତ୍ଥାପିତ ହେଉଛି। କେନ୍ଦ୍ରୀୟ ଟିମ୍ ହୁଏତ ଏହିସବୁ ତଥ୍ୟ ଭିତରକୁ ଯିବନାହିଁ। କିନ୍ତୁ ଓଡ଼ିଶାରେ କୋଭିଡ୍ ପରିଚାଳନାରେ କ’ଣ ସବୁ ତ୍ରୁଟି ରହିଛି ଓ ଯେଉଁ କାରଣରୁ ଦୀର୍ଘ ଦୁଇମାସ ହେଲା ଲକଡାଉନ ପରେ ମଧ୍ୟ ସଂକ୍ରମଣ ହାର ଆଶାଜନକ ଭାବେ କମିନାହିଁ ତାହାର କାରଣ ହୁଏତ କେନ୍ଦ୍ରୀୟ ଟିମ୍ ତଦାରଖ କରିବେ।

କିନ୍ତୁ ଏ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଘଟଣା ହେଲା ଯେ, ଭୁବନେଶ୍ୱର ସହରରେ କୋଭାକ୍ସିନ୍ ଦିଆଯାଉଥିବା ଓ ଏହି ଟିକାର ଭୁବନେଶ୍ୱର ପାଇଁ କୌଣସି ଅଭାବ ନଥିବା ଦୃଷ୍ଟିରୁ ସହରର ପ୍ରାୟ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ନେଇସାରିବା ପରେ ପ୍ରାୟ ଶତକଡ଼ା ୫୦ ଭାଗରୁ ଊର୍ଦ୍ଧ୍ୱ ଦ୍ୱିତୀୟ ଡୋଜ୍ ଟିକା ମଧ୍ୟ ନେଇସାରିଛନ୍ତି। ଏହି ଟିକାରେ ଅଭାବ ନଥିବାରୁ ଭୁବନେଶ୍ୱର ପରେ ଗଞ୍ଜାମ ଜିଲ୍ଲାକୁ ଏହି ଟିକା ଦେବା ପାଇଁ ବ୍ୟବସ୍ଥା ହେଲାଣି। ଜୁଲାଇ ୩୧ ପୂର୍ବରୁ ଭୁବନେଶ୍ୱରର ଯୋଗ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ନାଗରିକ ଦ୍ୱିତୀୟ ଡୋଜ୍ ଟିକା ମଧ୍ୟ ପାଇଯିବେ। ଏଥିରେ ଯଦି ସବୁ ଦୋକାନବଜାର ମାଲିକଙ୍କ ସମେତ ଦୋକାନ କର୍ମଚାରୀମାନେ ସାମିଲ ହୁଅନ୍ତି ତେବେ ଏଠାରେ ପୁରୁଣା ଲକଡାଉନ୍ ସ୍ଥିତିର ଆବଶ୍ୟକତା ନାହିଁ। ଏପରିକି ମଲ୍, ପାର୍ଲର, ସେଲୁନ ଓ ଜିମ୍ ପ୍ରଭୃତି ଖୋଲାଯିବାକୁ କେହି ଆପତ୍ତି କରିବା ଉଚିତ ନୁହେଁ। କେବଳ ଯେଉଁମାନେ ଦୁଇଟି ଡୋଜ୍ ଟିକା ନେଇଛନ୍ତି ସେମାନେ ଏହିସବୁ ମଲ୍, ସେଲୁନ, ପାର୍ଲର ଓ ଦୋକାନକୁ ଆସିବେ ଓ ଦୋକାନ କର୍ମଚାରୀମାନେ ମଧ୍ୟ ଦୁଇଟି ଡୋଜ୍ ଟିକା ନେଇଥିବେ, କାମ କରିପାରିବେ ବୋଲି ନିୟମ ହୋଇଯିବା ଦରକାର। ଭିଡ଼ କମାଇବା ପାଇଁ ନିର୍ଦ୍ଦେଶନାମା ରହିବା ସମୟରେ ଦୋକାନ ବଜାର ମାତ୍ର କିଛି ଘଂଟା ପାଇଁ ଖୋଲିବା ଓ ଶନିବାର, ରବିବାର ଏବେ ପୂରାପୁରି ବନ୍ଦ କରିବା ଦ୍ୱାରା ଯେଉଁସମୟ ଦୋକାନ ଖୋଲୁଛି ସେଥିରେ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। ସେହି ଦୃଷ୍ଟିରୁ ଟିକାକରଣରେ ସାରା ରାଜ୍ୟରେ ପ୍ରଥମ ଅବସ୍ଥାରେ ରହିଥିବା ଭୁବନେଶ୍ୱର ସହର ପାଇଁ ଏପରି ନିୟମ ହେବା ଉଚିତ ଯେଉଁଥିରେ ଟିକା ଲଗାଇବା ପାଇଁ ପ୍ରତିଯୋଗିତା ବଢ଼ିବ।

ରାଜ୍ୟରେ କୋଭିଡ୍ ପରିଚାଳନାରେ ଯେଉଁସବୁ ଗୁରୁତର ତ୍ରୁଟି ଯାହାକୁ ଗୁରୁଚଣ୍ଡାଳ ଦୋଷ ବୋଲି କୁହାଯାଉଛି ତାହା ସୁଧାରିବା ଦିଗରେ ରାଜ୍ୟ ସରକାର କ’ଣ କରୁଛନ୍ତି ତାହା ପ୍ରକାଶ ପାଇବା ଦରକାର। କୋଭିଡ୍ ପରି ଏକ ମହାମାରୀ ସମୟରେ ରାଜ୍ୟର ମୁଖ୍ୟ ପ୍ରଶାସକ ବା ମୁଖ୍ୟମନ୍ତ୍ରୀ ମାତ୍ର ଦୁଇ ତିନିଜଣ ଅନୁଗାମୀ ଓ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ସମସ୍ତ ତଥ୍ୟ ପାଉଛନ୍ତି ବୋଲି ବିଶ୍ୱାସ ହେଉନାହିଁ। ଯେଉଁ ରାଜ୍ୟମାନଙ୍କରେ ଦ୍ୱିତୀୟ ଲହର ଭୟଙ୍କର ଥିଲା ସେହିସବୁ ରାଜ୍ୟରେ ସଂକ୍ରମଣ ହାର ଯେପରି କମିଛି ତାହା ଓଡ଼ିଶାରେ କାହିଁକି ହୋଇପାରିନାହିଁ? ବିଶେଷ ଭାବରେ ସବୁଠାରୁ ଅଧିକ ଲୋକ କାରାବାର କରୁଥିବା ଓ ଅଧିକ ପ୍ରବାସୀ ରହିଥିବା ଦିଲ୍ଲୀ ସହରରେ କରୋନାର ଯେପରି ନିୟନ୍ତ୍ରଣ ହେଲା ଓଡ଼ିଶାରେ ତାହା କାହିଁକି ହେଲାନାହିଁ? ଏପରିକି ଦ୍ୱିତୀୟ ଲହର ଓଡ଼ିଶାରେ ପ୍ରଥମ ପ୍ରବେଶ କରିଥିବା ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ଯେତିକି ନିୟନ୍ତ୍ରିତ ହେଲା ସେତିକି ନିୟନ୍ତ୍ରଣ ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର ଓ ମୟୂରଭଂଜରେ କାହିଁକି ହେଲାନାହିଁ ତାହାର ଏକ ପ୍ରକୃତ ତଦନ୍ତ ହେବା ନିହାତି ଆବଶ୍ୟକ। କେନ୍ଦ୍ରୀୟ ଟିମ୍ ଏ ସଂକ୍ରାନ୍ତରେ କିଛି ସୂଚନା ଦେବ ବୋଲି ଆଶା ରହିଛି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।