ପ୍ରବାସୀ ଶ୍ରମିକମାନେ ଏବେ କରିବେ କ’ଣ?

ରବି ଦାସ

ଓଡ଼ିଶାରେ ପଶ୍ଚିମବଙ୍ଗରୁ ଆସୁଥିବା ଲୁଚାଛପା ଲୋକମାନଙ୍କୁ ନେଇ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପ୍ରଭୃତି ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କଲେ। ଏଥିରେ ପ୍ରାୟ ୫ଲକ୍ଷ ପ୍ରବାସୀ ଶ୍ରମିକ ପଞ୍ଜୀକରଣ କରିବା ପରେ ଏହି ସଂଖ୍ୟା ପ୍ରକୃତରେ ଯଥେଷ୍ଟ ଅଧିକ ହେବ ବୋଲି ଆଶାବ୍ୟକ୍ତ କରାଯାଇଥିଲା। ଦ୍ୱିତୀୟ ଲକଡାଉନ୍ ସରିବା ପୂର୍ବରୁ ସୁରଟ୍‌ରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବସ୍‌ରେ ଓଡ଼ିଶା ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ରାଜ୍ୟ ସରକାରଙ୍କୁ ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହଯୋଗ ମଧ୍ୟ କଲେ। ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନେ ଓଡ଼ିଶାକୁ ଆସିଲେ ସେମାନଙ୍କୁ ୧୪ଦିନ କ୍ୱାରେନ୍‌ଟାଇନ୍‌ରେ ରହିବା ପାଇଁ ନିୟମ କରିଥିଲେ ଓ ଯେଉଁମାନେ ଓଡ଼ିଶା ଆସିବା ପାଇଁ ପଞ୍ଜୀକରଣ କଲେ ସେମାନେ ଏଥିରେ ରାଜି ହୋଇଥିଲେ । ସେହି ଅନୁସାରେ ରାଜ୍ୟବ୍ୟାପୀ ସ୍କୁଲ ଆଉ କଲେଜଗୁଡ଼ିକରେ କ୍ୱାରେନ୍‌ଟାଇନ୍ କେନ୍ଦ୍ର ନିର୍ମାଣ କରାଯାଇ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ଏଗୁଡ଼ିକର ଦାୟିତ୍ୱ ଦିଆଗଲା। ଏଥିରେ ବହୁତ ତ୍ରୁଟି ଥିଲେ ମଧ୍ୟ କ୍ୱାରେନ୍‌ଟାଇନ ସେଂଟରଗୁଡ଼ିକ କାର୍ଯ୍ୟକ୍ଷମ ହେଲା । ବସ୍‌ରେ ପ୍ରବାସୀ ଓଡ଼ିଆ ଶ୍ରମିକ ସୁରଟରୁ ପହଁଚିବାପରେ ସେମାନଙ୍କୁ କ୍ୱାରେନ୍‌ଟାଇନ କେନ୍ଦ୍ରରେ ରଖାଗଲା। ଏହା ଭିତରେ କେନ୍ଦ୍ର ସରକାର ମେ’ ପହିଲାରେ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ ନାମରେ ପ୍ରବାସୀ ଶ୍ରମିକମାନଙ୍କୁ ବିଭିନ୍ନ ରାଜ୍ୟକୁ ପଠାଇବାର ଉଦ୍ୟମ ଆରମ୍ଭ କଲେ। ଓଡ଼ିଶାକୁ ମଧ୍ୟ କେରଳରୁ ଓ ଅନ୍ୟଆଡ଼ୁ ଟ୍ରେନ୍ ଆସିଲା ।

କିନ୍ତୁ ଏହିସବୁ ବସ୍ ଓ ଟ୍ରେନ୍ ଆସିବା ପରେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା । ପ୍ରଥମେ ପଶ୍ଚିମବଙ୍ଗ ଓ ପରେ ସୁରଟ ଲିଙ୍କରେ ମାତ୍ର ୧୧ଦିନରେ ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ଦୁଇଗୁଣ ହୋଇଗଲା । ଏବେ ଦ୍ରୁତଗତିରେ ଏହା ବଢ଼ୁଥିବା ସମୟରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲାରେ ଅନ୍ତରୀଣ ଆଦେଶ ଦେଇ ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଯେ କେବଳ ଯେଉଁ ପ୍ରବାସୀମାନେ ଓଡ଼ିଶାକୁ ଟ୍ରେନ ବା ବସ୍‌ରେ ଆସିବେ ସେମାନଙ୍କର ପ୍ରଥମେ ଆରଟି-ପିସିଆର ଟେଷ୍ଟ କରାଯାଇ ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ସେହିମାନଙ୍କୁ ଟ୍ରେନ୍ ବା ବସରେ ଅଣାଯିବ । ଅର୍ଥାତ୍ ଯେଉଁମାନଙ୍କର ପଜିଟିଭ୍ ଆସିବ ସେମାନଙ୍କ ସଂକ୍ରାନ୍ତରେ ହାଇକୋର୍ଟ କିଛି କହିଲେ ନାହିଁ । ହାଇକୋର୍ଟଙ୍କ ଏହି ଅନ୍ତରୀଣ ଆଦେଶ ପରେ ସୁରଟରୁ ଆସିବାକୁ ଥିବା ଟ୍ରେନ୍‌କୁ ବାତିଲ କରିଦିଆଗଲା । ଯେଉଁ ଶ୍ରମିକମାନେ ପଞ୍ଜୀକରଣ କରି ଓଡ଼ିଶା ଆସିବା ପାଇଁ ଟିକେଟ କରିସାରିଥିଲେ ସେମାନେ ଆଉ ଆସିିବା ସୁଯୋଗ ପାଇଲେ ନାହିଁ । କିନ୍ତୁ ଏହି ଶ୍ରମିକମାନେ ଯେଉଁଠାରେ ରହୁଥିଲେ ସେଠାରେ ଚଳିତ ମାସର ଭଡ଼ା ନଦେଇ ଘରଦ୍ୱାର ଛାଡ଼ି ରାସ୍ତା ବା ଷ୍ଟେସନକୁ ଚାଲିଆସିଥିଲେ । ଏବେ ସେମାନେ କରିବେ କ’ଣ? ଆର୍‌ଟି-ପିସିଆର ଟେଷ୍ଟ କିଏ କିପରି ଓ କେତେବେଳେ କରିବ? ଆଉ ଯେଉଁମାନଙ୍କର ପଜିଟିଭ୍ ଆସିଯିବ ସେମାନେ ସେଠାରେ ବା କେଉଁଠାରେ କିପରି ଚିକିତ୍ସିତ ହେବେ ଓ ସେମାନଙ୍କ ଦାୟିତ୍ୱ କିଏ ନେବେ ତାହା କୁହାଗଲା ନାହିଁ । ବର୍ତ୍ତମାନ ଲକ୍ଷାଧିକ ସଂଖ୍ୟାରେ ଏପରି ଶ୍ରମିକ କୋର୍ଟ ଆଦେଶ ଓ ସରକାରଙ୍କ ନୂଆ ନିଷ୍ପତ୍ତି ଫଳରେ ସେଠାରେ ରହିଯିବାରୁ ସେମାନଙ୍କ ଭବିଷ୍ୟତ ବିପନ୍ନ ହୋଇଯାଉଛି । କେବଳ ସୁରଟ ନୁହେଁ, କର୍ଣ୍ଣାଟକ ସରକାର ମଧ୍ୟ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ନଯିବା ପାଇଁ ନିଷ୍ପତି ଗ୍ରହଣ କରି ଶ୍ରମିକ ଟ୍ରେନ୍ ବାତିଲ କରିଦେଲେ । ଏଥିରେ ବିହାରର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ ଓଡ଼ିଶାର ପ୍ରାୟ ୨୫ ହଜାର ଶ୍ରମିକ ଯେଉଁମାନେ ଘରକୁ ଫେରିବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଥିଲେ ସେମାନେ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି । କର୍ଣ୍ଣାଟକ ସରକାରଙ୍କ ଯୁକ୍ତି ହେଲା ଯେ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଛି । ତେଣୁ ଏହି ଶ୍ରମିକମାନଙ୍କର ରାଜ୍ୟରେ ଆବଶ୍ୟକତା ଅଛି । ସେମାନଙ୍କର ସମସ୍ତ ବ୍ୟବସ୍ଥା କରାଯିବ ବୋଲି କୁହାଗଲା । କିନ୍ତୁ ସେଠାରେ ଥିବା ଓଡ଼ିଆ ଶ୍ରମିକମାନଙ୍କର ଯୁକ୍ତି ହେଲା ଯେ, ସେମାନଙ୍କର ଖାଇବାକୁ ପଇସା ନାହିଁ, ଅର୍ଥ ନାହିଁ, ଘରଭଡ଼ା ଦେବା ଅବସ୍ଥାରେ ସେମାନେ ନାହାନ୍ତି । ଏଣୁ ସେମାନେ ଗାଁକୁ ଯିବାକୁ ଚାହାନ୍ତି । ବିହାର ଶ୍ରମିକମାନେ ଘରକୁ ଯିବା ପାଇଁ ଅତ୍ୟନ୍ତ ବ୍ୟାକୁଳତା ପ୍ରକାଶ କରି ଟ୍ରେନ୍ ବାତିଲ ହେଲା ପରେ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି । ଶ୍ରମିକମାନଙ୍କର ଚାହିଦା ଓ ପସନ୍ଦକୁ ଗୁରୁତ୍ୱ ଦିଆନଯାଇ ସେମାନଙ୍କ ପ୍ରତି ହେଉଥିବା ଆଚରଣ ବନ୍ଧକ ଶ୍ରମିକ ବା କ୍ରୀତଦାସ ବ୍ୟବସ୍ଥା ଠାରୁ ଅନ୍ୟ କିଛି ନୁହେଁ ବୋଲି ଅଭିଯୋଗ ମଧ୍ୟ ହେଲାଣି ।

ଲକଡାଉନ୍ ସମୟରେ ଯଦି ସର୍ବାଧିକ କୌଣସି ଗୋଟିଏ ବିଷୟ ଉପରେ ଆଲୋଚିତ ହୋଇଛି ସେମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ । କାରଣ ଏହି ଶ୍ରମିକମାନେ ଦେଶ ଅର୍ଥନୀତିର ମୂଳପିଣ୍ଡ । ଏମାନଙ୍କ ସଂଖ୍ୟା ୧୨ କୋଟି ବୋଲି କୁହାଯାଉଥିଲେ ମଧ୍ୟ ଏଥିରେ ଏପରି ଚାରି କୋଟି ଶ୍ରମିକ ଅଛନ୍ତି ଯେଉଁମାନଙ୍କର କାମ କରୁଥିବା ସ୍ଥାନରେ ବାସ୍ତବରେ ନିଜର ଘରଦ୍ୱାର ବା ସମ୍ପତି ନାହିଁ । କାମ କରି ସେମାନେ ଜୀବନ ଚଳାନ୍ତି ଓ ସେମାନଙ୍କ ପାଖରେ ବଳକା ସମ୍ବଳ ନଥାଏ । ସେଥିପାଇଁ ଲକଡାଉନ ହେବା କ୍ଷଣି ସେମାନଙ୍କର ଚାକିରି ଚାଲିଯିବା ବା ରୋଜଗାର ଚାଲିଯିବା ଜାଣିବା ପରେ ସେମାନେ ନିଜ ଗାଁକୁ ଚାଲିଯିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଟ୍ରେନ୍‌, ବସ୍ ନଥିଲେ ମଧ୍ୟ ଚାଲିଚାଲି କିମ୍ବା ସାଇକେଲରେ ସେମାନେ ଶହ ଶହ କିଲୋମିଟର ଗାଁ ଅଭିମୁଖେ ଚାଲିଲେ । କେବଳ ଉତରପ୍ରଦେଶ ସରକାର ସେହି ରାଜ୍ୟର କିଛି ଶ୍ରମିକମାନଙ୍କୁ ନେଇଯିବା ପାଇଁ କେତେକ ବସ୍ ଦିଲ୍ଲୀ ପଠାଇଥିଲେ ମଧ୍ୟ ସେହି ବସ୍‌ଗୁଡ଼ିକ ନିକଟରେ ଯେଉଁପରି ଦୃଶ୍ୟ ହେଲା ସେଥିରେ ସାମାଜିକ ଦୂରତା ବା ଆଉ କିଛି ନିୟମ ଆଦୌ କାର୍ଯ୍ୟକାରୀ ହୋଇପାରିଲା ନାହିଁ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଲକଡାଉନ ପିରିୟଡ଼ରେ ଖାଦ୍ୟ ଶସ୍ୟ ଲୋକମାନଙ୍କୁ ଦେବା ପାଇଁ ଘୋଷଣା କଲେ । ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଯେଉଁ ୮୩ କୋଟି ଲୋକଙ୍କ ପାଇଁ ଖାଦ୍ୟ ଶସ୍ୟ ବ୍ୟବସ୍ଥା ହୋଇଥିଲା ସେମାନଙ୍କୁ ତିନିମାସର ଖାଦ୍ୟ ଶସ୍ୟ ଜଣ ପିଛା ୫ କେଜି ଚାଉଳ ମାଗଣା ଦିଆଯିବ ବୋଲି କୁହାଗଲା । ଅର୍ଥାତ ରେଗୁରାଲ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସୁବିଧା ବାହାରେ ଆଉ ୩ ମାସର ଖାଦଶସ୍ୟ ମାଗଣା ଦିଆଯିବା ସହିତ ପ୍ରତି ପରିବାରକୁ ମାସକୁ ୧କେଜି ଡାଲି ତିନିମାସ ପାଇଁ ମାଗଣା ଦିଆଯିବ ବୋଲି କୁହାଗଲା । ଯଦିଓ କେନ୍ଦ୍ର ସରକାର ବା ରାଜ୍ୟ ସରକାର ଏହା ଭଲଭାବରେ ଜାଣନ୍ତି ଯେ, ପ୍ରବାସୀ ଶ୍ରମିକମାନଙ୍କ ଭିତରୁ ଅଧିକାଂଶଙ୍କର ସଂପୃକ୍ତ ସ୍ଥାନରେ ରେସନ କାର୍ଡ ନାହିଁ । ତେଣୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ବା କେନ୍ଦ୍ର ସରକାରଙ୍କ ମାଗଣା ସ୍କିମ୍‌‌ରେ ଏମାନେ କିଛି ପାଇପାରିଲେ ନାହିଁ ।

ହିସାବରେ ଏହା ମଧ୍ୟ ଦେଖାଗଲା ଯେ, ୮୩ କୋଟି ବ୍ୟକ୍ତି ବିଶେଷରୁ ଦିଆଯାଉଥିବା ଖାଦ୍ୟଶସ୍ୟ ମଧ୍ୟରୁ ଏପ୍ରିଲ ମାସରେ ବାସ୍ତବରେ ୬୩ କୋଟି ଲୋକଙ୍କୁ ଦିଆଯାଇଛି । ନିଜେ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଣାଳୟର ୱେବସାଇଟ୍‌ରେ ଏହି ତଥ୍ୟ ରହିଛି । ସେହିପରି ପ୍ରତି ପରିବାରକୁ ୧କେଜି ପ୍ରତିମାସରେ ମାଗଣା ଡାଲି ଦିଆଯିବା କାର୍ଯ୍ୟକ୍ରମ ମଧ୍ୟରୁ ଏପ୍ରିଲ ମାସରେ ଅର୍ଦ୍ଧାଧିକ ଦିଆଯାଇପାରି ନାହିଁ । ଅନେକ ସହରରେ ରନ୍ଧାଖାଦ୍ୟର ବ୍ୟବସ୍ଥା ହୋଇଥିଲେ ମଧ୍ୟ ସମସ୍ତେ ଏହି ଖାଦ୍ୟ ପାଇପାରିନାହାନ୍ତି । ସେହି ଦୃଷ୍ଟିରୁ ଆୟ ଓ ରୋଜଗାର ନଥାଇ ଖାଇବା ପିଇବାରେ ଅସୁବିଧା ସହିତ ଗୋଟିଏ ଗୋଟିଏ ଘରେ ୬/୭ ଜଣ ଲକଡାଉନ ସମୟରେ ରହିବା ସେମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଯାଇଛି । ତେଣୁ ଯେତେ ଯାହା କଷ୍ଟ ହେଲେ ମଧ୍ୟ ସେମାନେ ନିଜ ନିଜ ଘରକୁ ଫେରିଯିବା ପାଇଁ ବ୍ୟଗ୍ର ହୋଇବସିଛନ୍ତି । ଲକଡାଉନ ଘୋଷଣା ପୂର୍ବରୁ ଯଦି ତିନି ଚାରି ଦିନ ସମୟ ଦିଆଯାଇଥାନ୍ତା ତେବେ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଏବେ ସୃଷ୍ଟି ହୋଇଥିବା ସମସ୍ୟା ପ୍ରାୟ ନଥାନ୍ତା । କିନ୍ତୁ ବର୍ତ୍ତମାନର ସଂକଟ ସେମାନଙ୍କ ପାଇଁ ଯେଉଁ ସ୍ଥିତି ସୃଷ୍ଟି କରିଛି ସେଥିରେ ଏହି ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇନେବା ଓ ସେମାନଙ୍କର ସର୍ବନିମ୍ନ ବ୍ୟବସ୍ଥା କରିବା ଏକ ଜାତୀୟ କର୍ତବ୍ୟ । ଏମାନେ ଯେଉଁଠାରେ ଅଛନ୍ତି ସେଠାରେ ରହିବାକୁ ଓ ଖାଇବାକୁ ଅସୁବିଧା ସହିତ ସେମାନେ ସଂକ୍ରମଣର ବାହକ ହୋଇପାରନ୍ତି ବୋଲି ଅନେକ ବିଚାର କରୁଛନ୍ତି । ଅପରପକ୍ଷରେ ନିଜ ରାଜ୍ୟକୁ ସେମାନେ ଫେରିଯିବା ସହଜ ହେଉନାହିଁ । ଫେରିବା ପରେ କ୍ୱାରେନ୍‌ଟାଇନ୍‌ରେ ରହିଲେ ମଧ୍ୟ ଗ୍ରାମବାସୀମାନେ ସେମାନଙ୍କୁ ସନ୍ଦେହରେ ଦେଖୁଛନ୍ତି । ଯିଏ ଯେଉଁଠାରେ ଆସ୍ଥାନ ଜମାଇ ରହିଛି ସେହି ଅଞ୍ଚଳ ଭିତରକୁ ଅନ୍ୟକେହି ପ୍ରବେଶ କରିବାକୁ ବିରୋଧ କରୁଛି । ତଥାପି ପ୍ରବାସୀ ଶ୍ରମିକମାନେ ରାଜ୍ୟର ଏକ ଅଂଶ । କ୍ୱାରେନ୍‌ଟାଇନରେ ରହିଲେ ମଧ୍ୟ କିଛି ଦିନ ଭିତରେ ସେ ଗାଁରେ ଅତି ସହଜରେ ସାମିଲ ହୋଇଯିବେ । ବିହାରର ଜଣେ ଶ୍ରମିକ ଯେପରି କହିଲେ ଯେ, ‘ମୁଁ ଲୁଣ ଖାଇ ଗାଁରେ ରହିବି । କିନ୍ତୁ ଯେଉଁ କଷ୍ଟ ଲକଡାଉନ୍ ସମୟରେ ମୁଁ ଅନୁଭବ କରିଛି ସେଥିରେ ମୁଁ କେବେ ବି ଆଉ ସେହି ସ୍ଥାନକୁ ଫେରିବି ନାହିଁ ।’

ଏହି ଯେଉଁ ମାନସିକତା ପ୍ରବାସୀ ଶ୍ରମିକଙ୍କ ଭିତରେ ବଢ଼ିଚାଲିଛି ତାହା ଦେଶର ଏକତା ଓ ସାର୍ବଭୌମତା ପ୍ରତି ଏକ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ବର୍ତ୍ତମାନ ଯେଉଁ ଅବସ୍ଥା ଦେଖାଦେଇଛି ଏବଂ କରୋନା ବିପଦ ସହଜରେ ନିକଟ ଭବିଷ୍ୟତରେ ଚାଲିଯିବାର ଯେପରି ସମ୍ଭାବନା ନାହିଁ ସେହି ଦୃଷ୍ଟିରୁ ଦେଶର ଅର୍ଥନୀତିରେ ପ୍ରବାସୀ ଶ୍ରମିକମାନଙ୍କର ଅବଦାନ ଅନେକ ବର୍ଷ ପର୍ଯ୍ୟନ୍ତ ମିଳିପାରିବ ନାହିଁ । ଅପରପକ୍ଷରେ ପ୍ରତ୍ୟେକ ରାଜ୍ୟର ଲୋକମାନଙ୍କୁ ଅର୍ଥନୈତିକ କାର୍ଯ୍ୟକଳାପରେ ଅଗ୍ରାଧିକାର ଦେଇ ନିଯୁକ୍ତି ଦେବା ପାଇଁ ଜୋରଦାର ଆନ୍ଦୋଳନ ଓ ଦାବି ନିଶ୍ଚିତ ବଢ଼ିବ । କିନ୍ତୁ ଏବେ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ରାଜ୍ୟମାନେ ଶ୍ରମିକ ସଂସ୍କାର ନାମରେ ଯେଉଁସବୁ ପଦକ୍ଷେପ ନେଉଛନ୍ତି ସେଗୁଡ଼ିକ କେବଳ ପ୍ରବାସୀ ଶ୍ରମିକ ନହେଲେ କାର୍ଯ୍ୟକାରୀ କରିବା କଷ୍ଟଦାୟକ ହେବ । କାରଣ ଏହି ନିୟମ ଭିତରେ ଶ୍ରମିକମାନଙ୍କୁ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ପରିଶ୍ରମ ସହିତ ଫ୍ୟାକ୍ଟ୍ରି ଆଇନର ବିଭିନ୍ନ ବ୍ୟବସ୍ଥାକୁ କୋହଳ କରି କାଗଜପତ୍ର ଦୃଷ୍ଟିରୁ ଜଣେ ଉଦ୍ୟୋଗକୁ ଯେପରି ହଇରାଣ ନହେବାକୁ ପଡ଼ିବ ଓ ଇନିସପେକ୍ଟର ରାଜ୍‌କୁ ସେମାନେ ଭୁକ୍ତ ହେବେ ତାହାର ନିୟମ କରାଯାଉଛି । କିନ୍ତୁ ପ୍ରବାସୀ ଶ୍ରମିକମାନଙ୍କ ଭିତରେ ଏବେ ଯେଉଁ ଧରଣର ମନୋଭାବ ସୃଷ୍ଟି ହୋଇଛି ସେଥିରେ କର୍ମ ଅନ୍ୱେଷଣରେ ସେମାନେ ଅନ୍ୟରାଜ୍ୟକୁ ଯାଇ ଯେକୌଣସି ସର୍ତ୍ତକୁ ମାନି କାମ କରିବାକୁ ସହଜରେ ରାଜି ହେବେ ନାହିଁ । ବର୍ତମାନ ସୁଦ୍ଧା କେନ୍ଦ୍ର ସରକାର ଲକଡାଉନ୍ କେବେ କିପରି ଉଠିବ ଓ ଉଠିବା ପରେ ଦେଶର ଅର୍ଥନୀତିକୁ ଠିକଣା ବାଟକୁ ଆଣିବା ପାଇଁ କି କି ପଦକ୍ଷେପ କିପରି ନିଆଯିବ ତାହାର କୌଣସି ଯୋଜନା କରିନାହାନ୍ତି। ଯେଉଁଧନ୍ଦାରେ ବା ଯେଉଁ ଉପାୟରେ ପୂର୍ବ ଅର୍ଥନୀତି ଚାଲିଥିଲା ଏବେ ତାହାର ସହଜରେ ପୁନରାବୃତି ହୋଇପାରିବ ନାହିଁ । ଅପରପକ୍ଷରେ ପ୍ରବାସୀ ଶ୍ରମିକମାନଙ୍କ ଭିତରେ ଯେଉଁ ଅସନ୍ତୋଷ ଓ ବିଦ୍ରୋହ ଦେଖାଦେଇଛି ତାହା ଦୂର ନହେଲେ ଭବିଷ୍ୟତ ପାଇଁ ଦେଶର ମଙ୍ଗଳ ହେବ ନାହିଁ । ପ୍ରତ୍ୟେକ ରାଜ୍ୟ ନିଜସ୍ୱ ସାର୍ବଭୌମ କ୍ଷମତା ପାଇଁ ଦାବି ଉଠାଇପାରନ୍ତି । ବର୍ତମାନ ପାଇଁ ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟା ସମାଧାନ ନହେଲେ ବିଭିନ୍ନ ସ୍ଥାନରେ ଯେଉଁ ଅସନ୍ତୋଷ ଓ ବିଦ୍ରୋହ ଦେଖାଦେବ ତାହା ଲକଡାଉନ ଖୋଲିବା ପୂର୍ବରୁ ହୁଏତ ଏକ ରାଜନୈତିକ ଭିତ୍ତିଭୂମି ପ୍ରସ୍ତୁତ କରିବ।

ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।