ରବି ଦାସ
ଗୁଜୁରାଟର ସୁରଟରୁ ଓଡ଼ିଶାକୁ ଆସିଥିବା ବସ୍ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଧରି ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିବା ପରେ ପ୍ରୋଟୋକଲ ନିୟମ ଅନୁଯାୟୀ ସେମାନଙ୍କୁ କ୍ୱାରେଟାଂଇନରେ ରଖାଯାଇଛି। ଏହାପରେ ଅନ୍ୟମାନେ ବି ଆସୁଛନ୍ତି। ବାସ୍ତବରେ ସାରା ଦେଶରେ କରୋନା ଭୂତାଣୁ ଯୋଗୁ ହଠାତ ଜାତୀୟ ଲକଡାଉନ ଘୋଷଣା ହେବା ପରେ ଦେଶର ବିଭିନ୍ନ ପ୍ରାନ୍ତରରେ କୋଟି କୋଟି ପ୍ରବାସୀ ଶ୍ରମିକ ଅଟକି ରହିଛନ୍ତି । ଦେଶର ଅର୍ଥନୈତିକ ପ୍ରଗତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରୁଥିବା ପ୍ରାୟ ୧୨ କୋଟି ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରେ ବିଭିନ୍ନ କର୍ମରେ, ନିର୍ମାଣରେ, ଶିଳ୍ପରେ ଓ ବ୍ୟବସାୟ ବାଣିଜ୍ୟ ଚଳାଇବାରେ କାର୍ଯ୍ୟକରି ଆସୁଛନ୍ତି। ନିଜ ନିଜ ରାଜ୍ୟମାନଙ୍କରେ ସେମାନଙ୍କୁ କାମଧନ୍ଦା ନମିଳିବା ଫଳରେ ଯେଉଁଠି କାମଧନ୍ଦାର ସନ୍ଧାନ ସେମାନେ ପାଇଛନ୍ତି ବା ଯେଉଁ କାର୍ଯ୍ୟରେ ସେମାନଙ୍କର ଦକ୍ଷତା ଅଛି ସେହି କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ସେମାନେ କାମ କରୁଛନ୍ତି। ଏମାନଙ୍କ ଭିତରୁ ଅଧିକାଂଶ ଯାହା ରୋଜଗାର କରନ୍ତି ତାହା କେବଳ ସେମାନଙ୍କର ଦୈନନ୍ଦିନ ଜୀବନ ଚଳାଇବା ସହିତ ଗାଁରେ ରହିଯାଇଥିବା ପରିବାର ପାଇଁ ସାହାଯ୍ୟ ପଠାନ୍ତି । ସେମାନଙ୍କର ରହିବାକୁ ଭଲ ଘର ନଥାଏ। ଭଡ଼ାରେ ଯେଉଁ ଗୋଟିଏ ଗୋଟିଏ ଛୋଟ ଘରେ ସେମାନେ ଆଶ୍ରୟ ନିଅନ୍ତି ସେଥିରେ ୮/୧୦ ଜଣ ରୁହନ୍ତି। ମେସ୍ କରି ଖାଇବା ଯୋଗାଡ଼ କରନ୍ତି। ଦଳେ କାମକୁ ଗଲେ ଆଉ ଦଳେ ସେହି ଘରେ ଆଶ୍ରୟ ନିଅନ୍ତି।
ଲକଡାଉନ ଘୋଷଣା ହୋଇଯିବା ଫଳରେ ସେମାନଙ୍କ କର୍ମସଂସ୍ଥାନ ଏପରିକି ଟ୍ୟାକ୍ସି, ଅଟୋ ବା ଅନ୍ୟାନ୍ୟ ଜୀବିକା ବନ୍ଦ ହୋଇଯିବା ଫଳରେ ଏହି ଲୋକମାନେ ଅର୍ଥହୀନ ହୋଇ ଅସହାୟ ପରିସ୍ଥିତିରେ ପଡ଼ିଗଲେ । ଟ୍ରେନ ନାହିଁ କି ବସ୍ ମଧ୍ୟ ନାହିଁ। ସବୁ କାର୍ଯ୍ୟକଳାପ ଠପ ହୋଇଯାଇଛି । ରୋଜଗାର ନାହିଁ, ଏଣେ ରହିବାକୁ ଘରଟିଏ ବି ନାହିଁ। ଯେତେ ଯାହା ସ୍ଲୋଗାନ ଦିଆଗଲେ ମଧ୍ୟ ଏମାନଙ୍କୁ ଖାଦ୍ୟ, ପାନୀୟ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇପାରିଲା ନାହିଁ । ଫଳରେ ଲକଡାଉନ ସେମାନଙ୍କ ପାଇଁ ଲକଅପ୍ରେ ପରିଣତ ହୋଇଗଲା। ଯେଉଁ ଆଶା ନେଇ ସେମାନେ ଶହ ଶହ କିମି ଦୂରରେ ନିଜ ଗାଁକୁ ଛାଡ଼ି ଯାଇଥିଲେ ସେହି ଅର୍ଥ ରୋଜଗାର ବନ୍ଦ ପରେ ସେମାନେ କାହିଁକି ସେଠାରେ ରହିବେ? ଘରେ ରୁହ ବୋଲି ସରକାରଙ୍କ ପକ୍ଷରୁ ଯେଉଁ ପରାମର୍ଶ ଦିଆଯାଉଛି ତାହା ଏହି ଶ୍ରମିକମାନଙ୍କ ପାଇଁ ଦଣ୍ଡରେ ପରିଣତ ହୋଇଛି । ସେଥିପାଇଁ ଶହ ଶହ ସଂଖ୍ୟାରେ ଲୋକମାନେ ଶହ ଶହ କିମି ରାସ୍ତା ପାଦରେ ଚାଲି ଚାଲି ବା ସାଇକେଲରେ ନିଜ ଗାଁକୁ ଯିବାକୁ ବାଧ୍ୟହେଲେ। ଏହି ଦିନରାତି ବିନା ଖାଇବା ପିଇବାରେ ଚାଲିବାରେ ସାରାଦେଶରେ ପ୍ରାୟ ୨୭୦ ଲୋକ ପ୍ରାଣ ହରାଇଛନ୍ତି।
ଲକଡାଉନ ଭିତରେ ବଡ଼ବଡ଼ିଆଙ୍କୁ ଗୁଜୁରାଟ ଓ ଆନ୍ଧ୍ର ସରକାର ପର୍ଯ୍ୟଟନରେ ଯାଇଥିବା ଯାତ୍ରୀମାନଙ୍କୁ ବସ୍ରେ ଫେରାଇ ଆଣିପାରିଲେ । ଏପରିକି ରାଜସ୍ଥାର କୋଟାରେ କୋଚିଂ ସେଂଟରକୁ ଯାଇଥିବା ଛାତ୍ରଛାତ୍ରୀଙ୍କ ଭିତରୁ କେତେକଙ୍କୁ ସେମାନଙ୍କ ସରକାର ବସ୍ରେ ଫେରାଇଆଣିଲେ । ଏପରି ସ୍ଥଳେ ଦେଶର ସବୁଠାରୁ ଦୁର୍ବଳ ଶ୍ରେଣୀ ଭାବେ ପରିଚିତ ଓ ଦେଶର ଅର୍ଥନୀତିର ମୁଖ୍ୟ ବାହକ ପ୍ରବାସୀ ଶ୍ରମିକମାନେ ଦ୍ୱିତୀୟ ଲକଡାଉନ ବଢ଼ିବା ପରେ ନିଜ ନିଜ ରାଜ୍ୟକୁ ଯିବା ପାଇଁ ବିଭିନ୍ନ ସ୍ଥାନରେ ବିଦ୍ରୋହ ବି କଲେ । ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଆସିଲେ ସଂପୃକ୍ତ ରାଜ୍ୟମାନଙ୍କରେ ପରିସ୍ଥିତି ବିଗିଡ଼ିଯିବ ବୋଲି ସେହିସବୁ ରାଜ୍ୟରେ ଥିବା ମଧ୍ୟବିତ ଶ୍ରେଣୀ ମତଦେଲେ ମଧ୍ୟ କୋଟି କୋଟି ଶ୍ରମିକଙ୍କୁ ନିଜ ଗ୍ରାମକୁ ଫେରିବା ପାଇଁ ଅନୁମତି ନଦେଲେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଅନୁଭବ କରାଗଲା । ସେହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଗତ ୨୭ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଲକଡାଉନ ସଂକ୍ରାନ୍ତରେ ଆଲୋଚନା କରିବା ସମୟରେ ଅଧିକାଂଶ ପ୍ରବାସୀ ଶ୍ରମିକମାନଙ୍କ ବିଷୟରେ ଏକ ଜାତୀୟ ନୀତି ନିର୍ଦ୍ଦାରଣ କରିବା ପାଇଁ ଦାବି କରିଥିଲେ। ସେହି ଅନୁସାରେ ୨୯ ତାରିଖ ଦିନ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକମାନେ ଯିଏ ଯେଉଁଠାରେ ଲକଡାଉନ ଫଳରେ ଫସିଯାଇଛନ୍ତି ସେମାନେ ଏବେ ଚାହିଁଲେ ବସ୍ ଯୋଗେ ଘରକୁ ଯାଇପାରିବେ ବୋଲି ଏକ ଏସ୍ଓପି ଜାରି କରିଛନ୍ତି । ଏହା ପୂର୍ବରୁ ଓଡ଼ିଶାରେ ଏହ ପ୍ରବାସୀ ଶ୍ରମିକମାନେ ଆସିବା ନେଇ ପଞ୍ଜୀକରଣ କରାଯାଇଛି। ଏମାନଙ୍କ ସଂଖ୍ୟା ପ୍ରଥମ ଦୁଇଦିନରେ ପ୍ରାୟ ୫ଲକ୍ଷ ହୋଇଥିବା ସମୟରେ ଏହା ୧୦ଲକ୍ଷକୁ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଯେପରି ଭାବରେ ଚେନ୍ନାଇରୁ ଲୋକମାନେ ଡଙ୍ଗା ଯୋଗେ ୫/୬ଦିନ ସମୁଦ୍ରରେ ଯାତ୍ରା କରି ଆସି ଓଡ଼ିଶାରେ ପହଁଚିଛନ୍ତି ସେଥିରୁ ହିଁ ପ୍ରବାସୀମାନଙ୍କ ଭିତରେ ରାଜ୍ୟକୁ ଫେରିବା ପାଇଁ ଆଗ୍ରହ ବେଶ ସ୍ପଷ୍ଟ। ଜାତୀୟସ୍ତରରେ ଏସ୍ଓପି ଜାରି ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ସୁରଟରୁୂ ପ୍ରଥମ ବସ୍ ଆସିବା ସମ୍ଭବ ହେଲା।
କେନ୍ଦ୍ର ସରକାର ଦ୍ୱିତୀୟ ଲକଡାଉନ ୩ ତାରିଖରେ ସରିବା ପୂର୍ବରୁ ମେ’ ୧ ଶ୍ରମିକ ଦିବସରେ ଲକଡାଉନ ଆଉ ୨ସପ୍ତାହ ବଢ଼ାଇବା ପାଇଁ ନିଷ୍ପତି ଘୋଷଣା କରିଛନ୍ତି । କିନ୍ତୁ ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟମାନଙ୍କ ଦାବି ଅନୁସାରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଇବା ପାଇଁ କେନ୍ଦ୍ର ରାଜି ହୋଇ ପଦକ୍ଷେପ ନେଇଛି । କିନ୍ତୁ ଏହି ଟ୍ରେନର ଖର୍ଚ୍ଚ ସଂପୃକ୍ତ ରାଜ୍ୟ ପ୍ରଦାନ କରିବେ। ଏଥିପାଇଁ ଜାରି ନିୟମ ଅନୁସାରେ ମେ’ ପହିଲାରେ ତ୍ରିଭେନ୍ଦ୍ରମରୁ ଓ ବିଭିନ୍ନ ସ୍ଥାନରୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯାତ୍ରା ଆରମ୍ଭ କରିଛି। ପ୍ରବାସୀ ଶ୍ରମିକମାନଙ୍କୁ ଠିକଣା ଭାବରେ ଓ ଆନୁଷ୍ଠାନିକ ଭାବରେ ରାଜ୍ୟକୁ ଅଣାଯାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା କ୍ୱାରେଟାଂଇନ ନିୟମ ଠିକ ଭାବେ ପାଳନ କଲେ ହିଁ ବିଶେଷ ଅସୁବିଧା ହେବ ନାହିଁ । ଓଡ଼ିଶାର ଅନେକ ଅଂଚଳରେ ଯେଉଁମାନେ ସୁବିଧାରେ ଅଛନ୍ତି ସେମାନେ ଗାଁ ଭିତରକୁ ବା ରାଜ୍ୟ ଭିତରକୁ ବାହାରକୁ କେହି ନଆସନ୍ତୁ ବୋଲି ବିଚାର କରି ବିଭିନ୍ନ ସ୍ଥାନରେ ନିଜସ୍ୱ ପ୍ରତିବନ୍ଧକ ବାଡ଼ ସବୁ ଲଗାଇଛନ୍ତି । ଯେହେତୁ ପ୍ରଥମାବସ୍ଥାରେ ନିଜାମୁଦ୍ଦିନ ଜମାତ୍ରେ ଯୋଗଦେଇଥିବା ଲୋକମାନଙ୍କ ଠାରେ କରୋନା ସଂକ୍ରମିତ ହୋଇଥିବା ପ୍ରଚାରିତ ହେଲା ଓ ପରେ ପଶ୍ଚିମବଙ୍ଗରୁ ଆସୁଥିବା ଲୋକମାନେ ସଂକ୍ରମଣ କରାଉଛନ୍ତି ବୋଲି କୁହାଯାଉଛି ସେଥିରେ ବାହାରୁ କେହି ଗାଁକୁ ନଆସନ୍ତୁ ବୋଲି ମତପ୍ରକାଶ ପାଇବା ସ୍ୱାଭାବିକ ।
କିନ୍ତୁ ପ୍ରକୃତରେ ଲୋକମାନଙ୍କ କୁହାଯାଉନି ଯେ କରୋନା ଭୂତାଣୁ ଏପରି ଏକ ସଂକ୍ରମଣ ଯାହା ହଠାତ୍ ଦେଶରୁ ବା ବିଶ୍ୱରୁ ଚାଲିଯିବ ନାହିଁ । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ ବା ରାଜ୍ୟର ଲୋକ ଦାୟୀ ନୁହଁନ୍ତି। ଏହା ଯେକୌଣସି ଲୋକଙ୍କଠାରେ ମଧ୍ୟ ସଂକ୍ରମିତ ହୋଇପାରେ। ସେଥିପାଇଁ ସାମାଜିକ ଦୂରତା ଓ ଲକଡାଉନ ପରି କଠୋର ନିଷ୍ପତିକୁ ଦେଶବାସୀ ଗ୍ରହଣ କରିଛନ୍ତି। ଏହାଫଳରେ ଦେଶରେ ସଂକ୍ରମିତ ହାର ବିଶ୍ୱର ବହୁ ଉନ୍ନତ ଦେଶମାନଙ୍କ ଠାରୁ ବହୁ ନିମ୍ନରେ ରହିଛି। ଭାରତରେ ପ୍ରଥମ ଅବସ୍ଥାରେ ଟେଷ୍ଟିଂ ପାଇଁ ସୁଯୋଗ ନଥିଲା ଓ ଭାରତର ସ୍ୱାସ୍ଥ୍ୟ ସୁବିଧା ମଧ୍ୟ କରୋନା ଭୂତାଣୁକୁ ମୁକାବିଲା କରିବା ଅବସ୍ଥାରେ ଏବେ ବି ନାହିଁ। କିନ୍ତୁ ଲକଡାଉନ ଅବସରରେ ଭାରତରେ ଟେଷ୍ଟିଂ ସୁବିଧା ସଂପ୍ରସାରିତ ହୋଇଛି। ଓଡ଼ିଶା ପରି ରାଜ୍ୟରେ ଯେଉଁଠାରେ ଦିନକୁ ୧୦/୨୦ଟି ଟେଷ୍ଟିଂ ହୋଇପାରୁଥିଲା ସେଠାରେ ଏବେ ଦୈନିକ ଦୁଇ ହଜାର ଓ ଆଉ କିଛିଦିନ ପରେ ଚାରି ହଜାରରେ ପହଁଚିବା ସମ୍ଭାବନା ରହିଛି। ଦେଶରେ ମଧ୍ୟ ଟେଷ୍ଟିଂ ହାର ବଢ଼ି ଏବେ ଦୈନିକ ୫୦ ହଜାରରେ ପହଁଚିଛି। ଭାରତର କେତେକ ରାଜ୍ୟ ଯଥା, ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡ଼ୁ ପ୍ରଭୃତି ରାଜ୍ୟକୁ ଛାଡ଼ିଦେଲେ ଭାରତରେ ଟେଷ୍ଟିଂ ଅନୁସାରେ ପଜେଟିଭ ହାର ଏବେ ବି ୩.୫ରେ ରହିଛି। ସେହିପରି ଭାରତରେ ମୃତ୍ୟୁହାର ମଧ୍ୟ ନିମ୍ନରେ ରହିଛି ଓ ଓଡ଼ିଶା ପରି ରାଜ୍ୟରେ ଏହା ଶତକଡ଼ା ୧ ତଳେ ରହିଛି।
ଏପରି ଅବସ୍ଥାରେ କେବଳ ଆମେରିକା, ବ୍ରିଟେନ, ସ୍ପେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ପ୍ରଭୃତି ଦେଶମାନଙ୍କୁ ଦେଖି ଅନେକ ସଚେତନ ଲୋକ ମଧ୍ୟ ଏ କ୍ଷେତ୍ରରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଉନାହାନ୍ତି। ଆନ୍ତଃଜିଲ୍ଳା ସୀମା ସିଲ୍ କରିବା ନାମରେ ରାସ୍ତା ଖୋଳିଦିଆଯାଉଛି ବା ଅଯଥା ପାଚେରି କରାଯାଉଛି। ଅନେକ ସମୟରେ ଶାସନକର୍ତାମାନେ ମଧ୍ୟ ଏପରି କିଛି ନିୟମ କରୁଛନ୍ତି ଯେଉଁଥିରେ ଲୋକମାନଙ୍କ ଭିତରେ ଥିବା ଭୁଲଧାରଣା ଅଧିକ ବଳବତର ହେଉଛି। ଉଦାହରଣ ସ୍ୱରୂପ ରାଉରକେଲରେ କରୋନା ସଂକ୍ରମଣ ବାହାର କରିବା ପାଇଁ ଦୋକାନ ବଜାର ନିମନ୍ତେ ଯେଉଁ ନୂଆ ନିୟମ କରିଛନ୍ତି ସେଥିରେ ମାଂସ ଓ ମାଛ ସପ୍ତାହକରେ ମାତ୍ର ଗୋଟିଏ ଦିନ ରବିବାର ସକାଳ ୭ଟାରୁ ୨ଟା ପର୍ଯ୍ୟନ୍ତ ବିକ୍ରି ହେବ ବୋଲି କୁହାଯାଇଛି। ଚିକେନ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ। ଏହା ରମଜାନ ମାସ ହୋଇଥିବାରୁ ଇସଲାମ ସଂପ୍ରଦାୟର ଲୋକମାନେ ଉପବାସ ପରେ ବିରିଆନି ଖାଇବାର ପରମ୍ପରା ଅଛି। ଯଦି ମାଂସ ସପ୍ତାହରେ ଥରେ ମାତ୍ର ମିଳିବ ତାହେଲେ ଏହି ସଂପ୍ରଦାୟର ଲୋକମାନେ ଖାଇବେ କ’ଣ? ତା’ଛଡ଼ା ସରକାର ମାଛ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। ଏପରି ସ୍ଥଳେ ସପ୍ତାହରେ ଥରେ ମାତ୍ର ମାଛ ବିକ୍ରି ହେବ କହିବା ଏକ ଭୁଲ ନିଷ୍ପତି। ସେହିପରି ଚିକେନ କାହିଁକି ବିକ୍ରି ହେବ ନାହିଁ? ଗୁଜବକାରୀ ପ୍ରଚାର ଚଳାଇଛନ୍ତି ଯେ, ଯେହେତୁ ମାଂସ ଓ ଚିକେନ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ କାରବାର କରୁଛନ୍ତି ସେହେତୁ ଏଗୁଡ଼ିକ ବନ୍ଦ କରାଯାଇଛି। ଏହା ବୈଜ୍ଞାନିକ ନିଷ୍ପତି ନୁହେଁ ଓ ଓଡ଼ିଶା ଏକ ସାଂପ୍ରଦାୟିକ ରାଜ୍ୟ ନୁହେଁ। ତେଣୁ ଏପରି ନିୟମ କରାଯିବା ଉଚିତ ନୁହେଁ।
କେନ୍ଦ୍ର ସରକାର ଏଥର ଲକଡାଉନ ବୃଦ୍ଧି କରିବା ସହିତ ଦେଶର ଅର୍ଥନୈତିକ କାର୍ଯ୍ୟକଳାପକୁ ଆରମ୍ଭ କରିବା ପାଇଁ କେତେକ କୋହଳ ନୀତି ଅବଲମ୍ବନ କରିଛନ୍ତି। କେବଳ ଯେଉଁ ଅଂଚଳ ବା ଜିଲ୍ଲା ହଟ୍ସ୍ପଟରେ ଅଛି ସେଗୁଡ଼ିକ ରେଡଜୋନ୍ କରାଯାଇ ସେଠାରେ କୌଣସି କାର୍ଯ୍ୟକଳାପ ହେବ ନାହିଁ ଓ ଲକଡାଉନ ନିୟମ କଡ଼ାକଡ଼ି ପାଳନ କରାଯିବ। କିନ୍ତୁ ଏଭଳି ଜିଲ୍ଲା ସଂଖ୍ୟା ୧୩୦ । ଅରେଞ୍ଜ ଜୋନ୍ରେ ୨୮୪ଜିଲ୍ଲା ରହିଛି, ଯେଉଁଠାରେ କିଛି କୋହଳ ନୀତି ରହିବ। କିନ୍ତୁ ଗ୍ରୀନ୍ ଜୋନ୍ ଯେଉଁମାନଙ୍କ ସଂଖ୍ୟା ୩୧୯ ଜିଲ୍ଲା ସେଗୁଡ଼ିକରେ ସମସ୍ତ କାର୍ଯ୍ୟକଳାପ ସ୍ୱାଭାବିକ ଭାବେ ହେବ। ଏପରିକି ସେହି ଜିଲ୍ଲାଗୁଡ଼ିକରେ ବସ୍ ଚଳାଚଳ ମଧ୍ୟ କରିପାରିବ। ଅନ୍ୟାନ୍ୟ ଶିଳ୍ପସଂସ୍ଥା ବି ଚାଲିବ। ପରିବହନ, ଟ୍ୟାକ୍ସି ଓ ଅଟୋ ପ୍ରଭୃତି ଚାଲିବାରେ ଏହି ଜିଲ୍ଲାଗୁଡ଼ିକରେ କିଛି ଅସୁବିଧା ହେବ ନାହିଁ । କିନ୍ତୁ ସାରା ଦେଶରେ ଯଦି ଟ୍ରେନ ଚଳାଚଳ ଓ ପରିବହନ ବ୍ୟବସ୍ଥା ଠିକ ନହୁଏ ତେବେ ଅର୍ଥନୀତି ବାଟକୁ ଆସିପାରିବ ନାହିଁ।
ଭାରତର ଅଧିକାଂଶ ଅର୍ଥନୀତିଜ୍ଞ ଏବଂ ବଡ଼ ବଡ଼ ଶିଳ୍ପପତିମାନେ ସ୍ପଷ୍ଟ ଭାବେ ଚାହାନ୍ତି ଯେ ଅର୍ଥନୈତିକ କାର୍ଯ୍ୟକଳାପକୁ ଆଉ ବନ୍ଦ କରାଯିବା ଉଚିତ ନୁହେଁ। ଏପରିକି ନାରାୟଣ ମୂର୍ତି, କିରଣ ମଜୁମଦାର ସ ଓ ବଜାଜ୍ ପକ୍ଷରୁ ବାରମ୍ବାର କୁହାଯାଉଛି ଯେ, ଏବେ ଜୀବନ ରକ୍ଷା କରିବା ପାଇଁ ଲକଡାଉନ ଯେପରି କରାଯାଉଛି ସେଥିରେ କିଛି ମାସ ପରେ ଲକ୍ଷ ଲକ୍ଷ ଗରିବ ଲୋକମାନେ ବିନା ଖାଇବା ଓ ରୋଜଗାରରେ ମୃତ୍ୟୁବରଣ କରିବେ। ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ କରୋନା ଯୋଗୁ ମୃତ୍ୟୁହାର କମ୍ ହେବା ପାଇଁ ଲକଡାଉନ ମୁଖ୍ୟତଃ ଦାୟୀ ବୋଲି କୁହାଯାଇପାରେ। କିନ୍ତୁ ପ୍ରଥମାବସ୍ଥାରେ ଏହି ଭୂତାଣୁ ମୁକାବିଲା ପାଇଁ ଦେଶର ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା, ହସ୍ପିଟାଲ, ଟେଷ୍ଟିଂ ସୁବିଧା, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ବସ୍ତ୍ର ପ୍ରଭୃତି ପ୍ରାୟ ନଥିଲା। ଏବେ ଦେଶରେ ଟେଷ୍ଟିଂ ସୁବିଧା ବଢ଼ିବା ସହିତ ବହୁଗୁଡ଼ିଏ କୋଭିଡ ହସପିଟାଲ କରାଯାଇଛି । ଏହା ମଧ୍ୟ ଦେଖାଯାଉଛି ଯେ, କରୋନା ପଜିଟିଭ ଥିବା ରୋଗୀମାନଙ୍କ ମୃତ୍ୟୁହାର ଅପେକ୍ଷା ସେମାନେ ସୁସ୍ଥ ହେଉଥିବା ହାର ଯଥେଷ୍ଟ ଅଧିକ। ଏପରି ସ୍ଥଳେ ଭାରତର ଅର୍ଥନୀତିକୁ ପୂରାପୂରି ବନ୍ଦ କରିଦେଇ ଲକଡାଉନରେ ଦେଶକୁ ରଖିବା ଅପେକ୍ଷା ଯେଉଁ ଯୁବକଯୁବତୀମାନେ କାର୍ଯ୍ୟକ୍ଷମ ଅର୍ଥାତ ଯେଉଁମାନଙ୍କ ବୟସ ୫୫ବର୍ଷରୁ କମ୍ ଅଛି ସେମାନେ କାର୍ଯ୍ୟକ୍ଷେତ୍ରକୁ ଆସି ବିପଦରେ ପଡ଼ିବାର ଆଶଙ୍କା ଥିବା ବରିଷ୍ଠ ନାଗରିକ ଓ ରୋଗୀମାନଙ୍କୁ ଘରେ ରଖାଯିବା ଦରକାର । ଏଥିରେ ଅର୍ଥନୀତି ସୁଧୁରିବ ଓ ଦେଶ ଏକ ଭୟଙ୍କର ବିପଦରୁ ରକ୍ଷା ପାଇପାରିବ। ତୃତୀୟ ଲକଡାଉନ ନିୟମରେ ଏହି ଦୃଷ୍ଟିଭଙ୍ଗିକୁ ପୂରାପୂରି ନହେଲେ ମଧ୍ୟ କିଛି ପରିମାଣରେ ନିଆଯାଇଛି । ବାକି ଅନ୍ୟ ନିଷ୍ପତିଗୁଡ଼ିକ ଯଥାଶୀଘ୍ର ନିଆଯିବା ଉଚିତ।
ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।