Advertisment

ଓଡ଼ିଶାର ପ୍ରମୁଖ ସମସ୍ୟା କ’ଣ ବୁଝନ୍ତୁ ଶାସକ ଓ ବିରୋଧୀ

ସୁଧାଂଶୁ ରଞ୍ଜନ ଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯଦିଓ ଓଡ଼ିଆରେ ପ୍ରାଞ୍ଜଳ ଭାବରେ କହିପାରୁନାହାନ୍ତି ତଥାପି ସେ ମୁଖ୍ୟମନ୍ତ୍ରୀ ହିସାବରେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଅତିବାହିତ କଲେଣି। ଡୁନ ସ୍କୁଲରୁ ଶିକ୍ଷା ପାଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଇଂରାଜୀ ଭାଷାରେ କହିବା ଓ ଲେଖିବାରେ ଭାରତର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ଭିତରେ ଅନନ୍ୟ କହି ହେବ। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଇଂରାଜୀରେ ବିନା ତ୍ରୁଟିରେ ନିଜର ବିଚାର ବ୍ୟକ୍ତ କରିପାରନ୍ତିନି ଲେଖିବା ତ ଦୂରର କଥା। ଇଂରାଜୀ ଭାଷାରେ […]

author-image
Debendra Prusty
ଅଦ୍ୟତନ ହୋଇଛି
ଓଡ଼ିଶାର ପ୍ରମୁଖ ସମସ୍ୟା କ’ଣ ବୁଝନ୍ତୁ ଶାସକ ଓ ବିରୋଧୀ

poltical-party

ସୁଧାଂଶୁ ରଞ୍ଜନ ଦାସ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯଦିଓ ଓଡ଼ିଆରେ ପ୍ରାଞ୍ଜଳ ଭାବରେ କହିପାରୁନାହାନ୍ତି ତଥାପି ସେ ମୁଖ୍ୟମନ୍ତ୍ରୀ ହିସାବରେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଅତିବାହିତ କଲେଣି। ଡୁନ ସ୍କୁଲରୁ ଶିକ୍ଷା ପାଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଇଂରାଜୀ ଭାଷାରେ କହିବା ଓ ଲେଖିବାରେ ଭାରତର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ଭିତରେ ଅନନ୍ୟ କହି ହେବ। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଇଂରାଜୀରେ ବିନା ତ୍ରୁଟିରେ ନିଜର ବିଚାର ବ୍ୟକ୍ତ କରିପାରନ୍ତିନି ଲେଖିବା ତ ଦୂରର କଥା। ଇଂରାଜୀ ଭାଷାରେ ସରଳ ଭାବରେ ନିଜର ବିଚାରକୁ ବ୍ୟକ୍ତ କରିପାରୁଥିବାରୁ ନବୀନ ପଟ୍ଟନାୟକ କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ନିଜର ଭାବମୂର୍ତ୍ତିକୁ ପ୍ରତିଷ୍ଠିତ କରିପାରିଛନ୍ତି।

Advertisment

ନବୀନ ପଟ୍ଟନାୟକଙ୍କ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକ ଓଡ଼ିଆ ଭାଷାରେ ସୁନ୍ଦର ଭାବରେ ଭାଷଣ ଦେଇପାରୁଥିଲେ। ବିଜୁ ପଟ୍ଟନାୟକ ଓଡ଼ିଶା ପାଇଁ ଅନେକ ରାଜ୍ୟ ଉପଯୋଗୀ ରାଷ୍ଟ୍ରୀୟ ପ୍ରକଳ୍ପ ଆଣିବାରେ ନିଜର ସାମର୍ଥ୍ୟ ଦେଖାଇଥିଲେ। ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ ଓ ଆନ୍ଧ୍ରର ଶାସକଦଳ ଓ ବିରୋଧୀଦଳର ନେତାମାନେ ନିଜ ରାଜ୍ୟକୁ ରାଷ୍ଟ୍ରୀୟ ପ୍ରକଳ୍ପ,  କେନ୍ଦ୍ରୀୟ ବିକାଶ ଯୋଜନା ଓ ସବସିଡି ଆଣିବା ପାଇଁ ଯାଆଁଳା ଭାଇଭଳି  ଅଣ୍ଟାଭିଡ଼ି କାମ କରିଥାନ୍ତି।

ରାଜ୍ୟ ଉପଯୋଗୀ ବିକାଶ ପ୍ରକଳ୍ପକୁ ଚିହ୍ନି ରାଜ୍ୟର ବିକାଶ କରିବାରେ ରାଜନୈତିକ ନେତାଙ୍କର ଦକ୍ଷତା ସାବିତ ହୋଇଥାଏ। ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ ହେବା ପାଇଁ ସମସ୍ତ ସମ୍ଭାବନା ଥିଲେ ମଧ୍ୟ ଏକ ବ୍ୟାବହାରିକ ମୂଳ ଚିନ୍ତାଧାରା ଥିବା ଲୋକ ଉପଯୋଗୀ ବିକାଶ ମଡେଲର ଅଭାବରୁ ଆଜି ରାଜ୍ୟରେ ଅନେକ ସାମାଜିକ ଓ ଆର୍ଥିକ ସମସ୍ୟା ଦେଖା ଦେଇଛି। ଏଥିପାଇଁ  ରାଜ୍ୟର ବୁଦ୍ଧିଜୀବୀ, ଶାସକ ଓ ବିରୋଧୀ ଦଳର ନେତାମାନେ ମଧ୍ୟ ଦାୟୀ।

Advertisment

ଓଡ଼ିଶାର ଶାସକ ଦଳ ବିଜେଡି କୋଡ଼ିଏ ବର୍ଷରୁ ଅଧିକ ସମୟ ଶାସନରେ ରହିଲା ପରେ ମଧ୍ୟ ଓଡ଼ିଶାବାସୀଙ୍କର ସାମୂହିକ ଅର୍ଥନୈତିକ ବିକାଶ କରିବାରେ ସକ୍ଷମ ହୋଇନାହିଁ। ଫଳରେ ଲକ୍ଷ ଲକ୍ଷ ଶିକ୍ଷିତ ଓ ଅଶିକ୍ଷିତ ଯୁବକ ରାଜ୍ୟ ଛାଡ଼ି ବାହାର ରାଜ୍ୟ ଓ ବିଦେଶକୁ ଚାଲିଯାଉଛନ୍ତି। ଏବେ ଓଡ଼ିଶାରେ ରାସ୍ତା ଅଛି ସତ କିନ୍ତୁ ଗମନାଗମନ ପାଇଁ ପରିବହନର ସୁବିଧା ନାହିଁ। ଉର୍ବର ଚାଷ ଜମିଥିଲେ ମଧ୍ୟ ପାଣିର ସୁବିଧା ନାହିଁ। ସରକାରୀ ସ୍କୁଲ ଅଛି ସତ କିନ୍ତୁ ଉତ୍ତମ ମାନର ଶିକ୍ଷା ମିଳୁ ନାହିଁ। ଖେଳାଳି ଅଛନ୍ତି କିନ୍ତୁ ଖେଳ ପଡ଼ିଆର ସୁବିଧା ନାହିଁ। ହସ୍ପିଟାଲ ଅଛି କିନ୍ତୁ ଉପଚାରର ସୁବିଧା ନାହିଁ, ଯାହାଫଳରେ ଲୋକେ ଉପଚାର ପାଇଁ ଭୁବନେଶ୍ୱର ଓ କଟକ ଉପରେ ନିର୍ଭର କରୁଛନ୍ତି। ଗାଁ ଅଛି କିନ୍ତୁ ଗାଁରେ ଆଉ ଜୀବିକା ଅର୍ଜନ କରି ସ୍ୱାଭିମାନର ସହିତ ବଂଚିବା ପାଇଁ ସୁବିଧା ନାହିଁ। ଓଡ଼ିଶାର କଳା ସଂସ୍କୃତି ଅଛି କିନ୍ତୁ  କଳାତ୍ମକ ମାନ ରକ୍ଷା କରାଯାଇପାରିନାହିଁ। ଅନେକ ପର୍ଯ୍ୟଟନ କ୍ଷେତ୍ର ଅଛି କିନ୍ତୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ମନୋରମ ପ୍ରାକୃତିକ ପରିବେଶ ଆଉ ନାହିଁ। ଅଦରକାରୀ କଂକ୍ରିଟ ଜଙ୍ଗଲ ସୃଷ୍ଟି କରିବା ଦ୍ୱାରା ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହୋଇଗଲାଣି। ବିଶ୍ୱ ପ୍ରସିଦ୍ଧ ନନ୍ଦନ କାନନ ଆଜି ତାହାର ପ୍ରାକୃତିକ ପରିବେଶ ଓ ବନ୍ୟଜନ୍ତୁର ବିଭିନ୍ନତା ହରାଇ ବସିଛି। ଯେଉଁଠି ଏକଦା ୩୦ରୁ ଅଧିକ ଧଳା ବାଘ ଓ ମହାବଳ ବାଘ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଆଜି ସେଠାରେ ଦୁଇ ଚାରିଟା ରୋଗା ବାଘ ଏପଟ ସେପଟ ହେଉଛନ୍ତି। ଅଦରକାରୀ କଂକ୍ରିଟ ଢାଞ୍ଚାଗୁଡିକ ତିଆରି ହେବା ଦ୍ୱାରା ଏହା ନନ୍ଦନକାନନର ମନୋରମ ପରିବେଶକୁ ନଷ୍ଟ କରିଦେଇଛି।

ରାଜ୍ୟର ପ୍ରକୃତ ସମସ୍ୟା ଉପରେ ତୃଣମୂଳ ତଥ୍ୟ ଓ ଗବେଷଣାର ଅଭାବରୁ ଓଡ଼ିଶାର ବିରୋଧୀ ଦଳଗୁଡ଼ିକ ଅନ୍ଧାରରେ ବାଡ଼ି ବୁଲାଉଥିବା ଭଳି ଲାଗେ। ନବୀନ ସରକାରଙ୍କ ଦୀର୍ଘ ଦୁଇ ଦଶନ୍ଧି କାଳ ଶାସନ ବିରୋଧୀ ଦଳମାନଙ୍କର ଅପାରଗତାକୁ ପଦାରେ ପକାଇଦେଲା ଭଳି ଲାଗେ। ଏକ ମଝଭୁତ ବିକଳ୍ପ ଅଭାବରୁ ରାଜ୍ୟରେ ଯାହା ସମସ୍ୟା ସୃଷ୍ଟି ହୁଏ ସେଗୁଡିକ ନିରୀହ ଓଡ଼ିଶାବାସୀଙ୍କୁ ନୀରବରେ ସହିବାକୁ ପଡୁଛି। ଲମ୍ବା ସମୟ ଧରି କରୋନା ଲକଡାଉନ ଯୋଗୁ ବେରୋଜଗାରୀ ବଢିବା, ଶହ ଶହ କରୋନା ରୋଗୀଙ୍କର ଅକାଳ ମୃତ୍ୟୁ, ପେଟ୍ରୋଲ ଦରବୃଦ୍ଧି ହେତୁ ଦରକାରୀ ଜିନିଷର ଅତ୍ୟଧିକ ଦରବୃଦ୍ଧି, ବାତ୍ୟା, ବଢ଼ି ଓ ମରୁଡ଼ି ଇତ୍ୟାଦି ଓଡ଼ିଶାବାସୀଙ୍କୁ ହନ୍ତସନ୍ତ କରିଦେଲାଣି। ବେରୋଜଗାରୀ ଓ ପୁଷ୍ଟିହୀନତା ରାଜ୍ୟରେ ଏକ ଭୟଙ୍କର ସମସ୍ୟାର ରୂପ ନେଇଛି। ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ ଦୂର ରାଜ୍ୟକୁ ମୁଲ ଲାଗିବା ପାଇଁ ଚାଲିଯାଉଛନ୍ତି। ଫଳରେ ରାଜ୍ୟରେ କୃଷିକାମ ପାଇଁ ଲୋକ ମିଳୁନାହାଁନ୍ତି। ଓଡ଼ିଶାବାସୀ ଟଙ୍କିକିଆ ଚାଉଳ ଖାଇ ଅଳସୁଆ ହୋଇଯାଇଥିବାରୁ ବାହାର ରାଜ୍ୟରୁ ଅନେକ ଲୋକ ଓଡ଼ିଶାରେ କାମ କରୁଥିବାର ଦେଖାଯାଉଛି। ଏଭଳି ପରିସ୍ଥିତି ଯଦି ଆଉ କିଛି ବର୍ଷ ଚାଲେ ତେବେ ଓଡ଼ିଶା ତାର ଶିକ୍ଷିତ ଓ ଉଦ୍ୟୋଗୀ ଯୁବପିଢ଼ିକୁ ହରାଇବ। ସ୍ୱାଭିମାନ ଥିବା ଓଡ଼ିଆ ନେତାମାନେ ଓଡ଼ିଆ ଯୁବକଙ୍କୁ ଓଡ଼ିଶାରେ ରୋଜଗାରକ୍ଷମ କରିବା ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଉଚିତ।

କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଘରୋଇ ହସ୍ପିଟାଲଗୁଡ଼ିକର ଲାଭଖୋର ନୀତି, କରୋନା ରୋଗୀର ଉପଚାରରେ ତ୍ରୁଟି  ଓ କରୋନା ରୋଗୀଙ୍କୁ ଚିକତ୍ସା କରିବା ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଅନେକ ନିରୀହ ଲୋକ ଅକାଳ ମୃତ୍ୟୁର ଶିକାର ହୋଇଥିଲେ। ଓଡ଼ିଶାର ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ମାନ ସରକାର ଓ ବିରୋଧୀ ଦଳଗୁଡ଼ିକର ତତ୍ପରତା ଓ ସମ୍ବେଦନଶୀଳତା ଉପରେ ନିର୍ଭର କରେ। ଓଡ଼ିଶାରେ କେତୋଟି ଘରୋଇ ହସ୍ପିଟାଲ ଓ ସରକାରୀ ହସ୍ପିଟାଲ ଅଛି ପଚାରିଲେ ନେତାମାନେ ଆବାକାବା ହୋଇଯାନ୍ତି। କେତୋଟି ହସ୍ପିଟାଲ ରୋଗୀ ଉପଯୋଗୀ ଅଛି ଏହା ବିରୋଧୀଦଳ ନେତା ଜାଣନ୍ତି ନାହିଁ। ରୋଗୀ ଅନୁପାତରେ କେତେ ଡାକ୍ତର ଦରକାର ଏହା ମଧ୍ୟ କେହି କହିପାରିବେ ନାହିଁ। ହସ୍ପିଟାଲରେ ଥିବା ସୁବିଧାକୁ ବିରୋଧୀ ଦଳ ନେତାମାନେ ନିୟମିତ ଭାବରେ ଯାଞ୍ଚ କରନ୍ତି ନାହିଁ। କ’ଣ କଲେ ଓଡ଼ିଶାର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ହେବ ଏବିଷୟରେ ସେମାନେ କୌଣସି ପ୍ରସ୍ତାବ ପ୍ରସ୍ତୁତ କରିପାରିବେ ନାହିଁ।

ଓଡ଼ିଶାବାସୀଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଓଡ଼ିଶାରେ ଯୁବକମାନଙ୍କ ପାଇଁ ଖେଳକୁଦର ବ୍ୟବସ୍ଥା ଅଛି କି ନାହିଁ ଓ ଓଡ଼ିଶାରେ ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପୁଷ୍ଟିକର ଖାଦ୍ୟ ଓ ପାନୀୟ ଜଳ ଉପଲବ୍ଧି ହେଉଛି କି ନାହିଁ ଏହା ଜାଣିବା କଷ୍ଟକର। ଓଡ଼ିଶାରେ ବ୍ୟାଙ୍କ ଋଣ ଓ ବିଭିନ୍ନ ପ୍ରକାରର ସବସିଡି ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ପହଁଚୁଛି କି ନାହିଁ ଏହାର ଯାଞ୍ଚ ବିରୋଧୀ ଦଳ ଓ ଗଣମାଧ୍ୟମ କରିବା ଉଚିତ। ଓଡ଼ିଶାରେ କେତୋଟି ନଦୀ, ହ୍ରଦ ଓ ପୋଖରୀ ଅସୁରକ୍ଷିତ ଅବସ୍ଥାରେ ଅଛି କିମ୍ବା ଜବରଦଖଲ ହେଲାଣି ଏହାର ସମ୍ପୂର୍ଣ୍ଣ ଡାଟା ମିଳିବା କଷ୍ଟକର। ଓଡ଼ିଶାର ସୀମାବର୍ତ୍ତୀ ଜିଲାଗୁଡିକରେ କେତେ ଜାଗା ବାହାର ରାଜ୍ୟର ଲୋକେ କବ୍ଜା କରିଛନ୍ତି ଏହାର କୌଣସି ହିସାବ ନାହିଁ। ସୀମାବର୍ତ୍ତୀ ଜିଲାରେ କେତେଜଣ ଓଡ଼ିଶାବାସୀ ତାଙ୍କର ମାତୃଭାଷାକୁ ଭୁଲିଗଲେଣି ଏହାର କୌଣସ ଆକଳନ ହୋଇନାହିଁ। ଛତିଶଗଡ଼ ସରକାର ମହାନଦୀ ଉପରେ ଅନେକ ଡ୍ୟାମ କରିବା ଦ୍ୱାରା ଚିରସ୍ରୋତା ମହାନଦୀ ଆଜି ତାହାର ସ୍ରୋତକୁ ହରାଇ ବସିଛି। ଓଡ଼ିଶାର ଜୀବନରେଖା ମହାନଦୀର ସୁରକ୍ଷା ପାଇଁ ଓଡ଼ିଶାରେ କୌଣସି ତତ୍ପରତା ଦେଖାଯାଉନାହିଁ। ଓଡ଼ିଶାରେ ବନିଥିବା କଳ କାରଖାନାରେ କେତେଜଣ ଓଡ଼ିଆ ଯୁବକ କର୍ମ ନିଯୁକ୍ତି ପାଇଛନ୍ତି ଏହାର କୌଣସି ଆକଳନ ନାହିଁ।

ଓଡ଼ିଶାର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସରକାର ଓ ବିରୋଧୀ ଦଳର ନେତାମାନେ ଏକହୋଇ ଦୃଢ ସଂକଳ୍ପ ନେବା ଉଚିତ। ରାଜନୈତିକ ଦଳଗୁଡ଼ିକ ନିଜ ଦଳକୁ ଅପରାଧୀ ମୁକ୍ତ କରିବା ପାଇଁ ପଦକ୍ଷେପ ନେବା ଉଚିତ। କୌଣସି ଅସାମାଜିକ ବ୍ୟକ୍ତି ଯେଭଳି ଶାସନକଳକୁ ପ୍ରଦୂଷିତ ନକରେ ସେଥିପାଇଁ ଦୃଢ ପଦକ୍ଷେପ ନେବା ଉଚିତ। ଓଡ଼ିଶା ଉପଯୋଗୀ ବିକାଶ ପାଇଁ ଉପଯୁକ୍ତ ଓଡ଼ିଆ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଦରକାର। ବିରୋଧୀ ଦଳ ଓ ଗଣମାଧ୍ୟମ ଓଡ଼ିଶାରେ ହେଉଥିବା ବିକାଶମୂଳକ କାମଗୁଡ଼ିକର ମୂଲ୍ୟାୟନ କରିବା ପାଇଁ  ନିଜ ଭିତରେ ସାମର୍ଥ୍ୟ ସୃଷ୍ଟି କରିବା ଦରକାର। ବିକାଶମୂଳକ କାର୍ଯ୍ୟଗୁଡିକର ମୂଲ୍ୟାୟନ କରିବା ସଂଗେ ସଂଗେ ସମସ୍ୟାର ସମାଧାନର ବାଟ ମଧ୍ୟ ଦର୍ଶାଇବା ଦରକାର। ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ ହେବା ପାଇଁ ଓଡିଶାବାସୀଙ୍କ ଭିତରେ ଦରକାର ଆତ୍ମବିଶ୍ୱାସ, ସ୍ୱାଭିମାନ, ପ୍ରଖର ରାଜନୈତିକ ଇଚ୍ଛା ଶକ୍ତି, ସାହସ ଓ କର୍ମନିପୁଣତା।