ଦେବେନ୍ଦ୍ର ପୃଷ୍ଟି
ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ବିଦେଶୀ ବ୍ରାଣ୍ଡର ଅନେକ ପ୍ରକାର ଜିନିଷ ମିଳେ। ବିଦେଶୀ ବ୍ରାଣ୍ଡର ପୋଷାକ, ଚଷମା, ଜୋତା, ଘଣ୍ଟା, ହାତବ୍ୟାଗ୍, ଲଗେଜ୍ ବ୍ୟାଗ୍, ପ୍ରସାଧାନ ସାମଗ୍ରୀ, ମୋଟର ଗାଡ଼ି, ଫଳ ଓ ପାନୀୟ ଅନେକ ଦୋକାନ ଓ ମଲ୍ରେ ଉପଲବ୍ଧ। ଭୁବନେଶ୍ୱରରେ ଆଉ ଗୋଟିଏ ବିଦେଶୀ ବ୍ରାଣ୍ଡ କ୍ରମଶଃ ଲୋକପ୍ରିୟତା ଅର୍ଜନ କରିଚାଲିଛି। ତାହା ହେଉଛି ବିଦେଶୀ ସେକ୍ସ। ରାଜଧାନୀର ଅନେକ ଅଞ୍ଚଳରେ ଖୋଲିଛି ଭଳିକି ଭଳି ସେକ୍ସ ଶପ୍। ଅନେକ ସେକ୍ସ ଶପ୍ରେ ଦେଶୀ ବିଦେଶୀ ଅନେକ ପ୍ରକାର ସେକ୍ସ ୱାର୍କର। ସେମାନଙ୍କ ମଧ୍ୟରେ ଦେଶୀ ପ୍ରଜାତି ଅଧିକ। ବିଦେଶୀ ପ୍ରଜାତି ମଧ୍ୟ ଧରା ପଡ଼ିଲେଣି।
୨୦୧୬ ମସିହାରେ ରାଜଧାନୀ ଭୁବନେଶ୍ୱରରେ ଉଜ୍ବେକିସ୍ତାନର ଜଣେ ଯୁବତୀ ଦେହଜୀବୀ ଧରା ପଡ଼ିଥିଲେ। ୨୦୧୮ ମସିହାରେ ରାଜଧାନୀର ବିଭିନ୍ନ ସେକ୍ସ ଶପ୍ରୁ କେଇଟି ପର୍ଯ୍ୟାୟରେ ପ୍ରାୟ ଡଜନେ ଖଣ୍ଡେ ଥାଇଲାଣ୍ଡ ଯୁବତୀ ଧରା ହୋଇଥିଲେ। ୨୦୨୦ ମସିହାର ପ୍ରଥମ ମାସରେ ରାଜଧାନୀର ଏକ ଅଞ୍ଚଳରୁ ତିନି ଜଣ ବାଂଲାଦେଶୀ ଯୁବତୀ ମଧ୍ୟ ଧରା ପଡ଼ିଛନ୍ତି। ରାଜଧାନୀରୁ ବିଦେଶୀ ସେକ୍ସ ୱାର୍କର ଧରା ପଡ଼ିବା ଘଟଣା ଏଇ ତିନିଟି ଘଟଣାରେ ସୀମୀତ ନୁହେଁ। ଅନ୍ୟ ଅନେକ ବର୍ଷରେ ମଧ୍ୟ ଭୁବନେଶ୍ୱରରୁ ବିଭିନ୍ନ ଅଞ୍ଚଳରୁ ଏପରି ବେପାରୀ ଧରା ପଡ଼ିଛନ୍ତି। କମିଶନରେଟ୍ ପୁଲିସ କେତେବେଳେ ଗେଷ୍ଟ ହାଉସ୍ରୁ, କେତେବେଳେ ବିୟୁଟି ପାର୍ଲରରୁ, କେତେବେଳେ ସ୍ପାରୁ, କେତେବେଳେ ଲଜ୍ରୁ ବା ହୋଟେଲ୍ରୁ, କେତେବେଳେ ଭଡ଼ା ଘରୁ ମଧ୍ୟ ଏଭଳି ଦେହ-ଦୋକାନର ସନ୍ଧାନ ପାଇଛି, ଚଢ଼ଉ କରିଛି, ଦେହଜୀବୀଙ୍କୁ ଉଦ୍ଧାର କରିଛି, ଦେହ-ଭୋକିଲାଙ୍କୁ ଗିରଫ କରିଛି, କିନ୍ତୁ ପରେ ପୁଣି ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ବେପାର ସ୍ୱାଭାବିକ ହୋଇଛି।
କେତେକ ରିପୋର୍ଟ ଅନୁସାରେ ଭୁବନେଶ୍ୱର ସେକ୍ସ ବଜାରର ବାର୍ଷିକ କାରବାର ୧୦୦ କୋଟି। ପୁଣି କିଏ ଆକଳନ କଲାଣି ୩୦୦ କୋଟିର ବେପାର ହେଉଛି ସେକ୍ସ ବିଜ୍ନେସ୍। ଆଉ କିଏ ସନ୍ଦେହ କରୁଛି, ନା ଏତେ ନୁହେଁ, ୧୦୦ କୋଟିରୁ କମ୍। ତେବେ, ଏ ସମସ୍ତ ପରିସଂଖ୍ୟାନର ସଠିକତା କିଛି ନାହିଁ, ସବୁ ଆନୁମାନିକ। କେଉଁ ଦେହଜୀବୀ କାହାକୁ କେତେ ଟଙ୍କାରେ ଦେହ ବିକିଲା ତା’ର କିଛି ହିସାବ ନାହିଁ, ରେକର୍ଡ଼ ନାହିଁ। ପରସ୍ପର ମୂଲଚାଲ ଉପରେ ନିର୍ଭର କରେ କିଏ କେତେ ଦେବ କିଏ କେତେ ନେବ। ସବୁ ଗୋପନରେ। ଏଠି ବସ୍ତିରେ ଖୋଲିଛି ବେଶ୍ୟାଳୟ, ଆପାର୍ଟମେଣ୍ଟରେ ଆମୋଦ-ଆଡ୍ଡା। ପାର୍କ ଓ ପାନ୍ଥଶାଳାରୁ ଆରମ୍ଭ କରି ବାର୍ ଓ ରେସ୍ତୋରାଁ ଯାଏଁ ସବୁଠି ହୋଇପାରେ ଦରଦସ୍ତୁର, ଦେହର ସଉଦା।
କିନ୍ତୁ କାହିଁକି ଏ ବିବର୍ତ୍ତନ? କାହିଁକି ଏ ଯୌନୋତ୍ଥାନ? କେଉଁ ବର୍ଗର ଦୈହିକ ଓ ମାନସିକ ବିଳାସ ପାଇଁ ମାଡ଼ି ଚାଲିଛି ଏହି ଅସଭ୍ୟ ପ୍ରାଚୀନ ବ୍ୟବସାୟ? ଅନେକ ସମୟରେ ପୁଲିସ ଓ ପ୍ରେସ୍ ଦେହଜୀବୀଙ୍କ ବିଷୟରେ ଅଧିକ ଖୋଳତାଡ଼ କରନ୍ତି, ଅଧିକ ତଥ୍ୟ, ତାହା ସତ୍ୟ ହେଉ କି ମିଥ୍ୟା, ପ୍ରସାରଣ କରନ୍ତି। କିନ୍ତୁ ଖୁବ କମ୍ କ୍ଷେତ୍ରରେ ନାରୀ ଦେହର ଗରାଖମାନଙ୍କ ବିଷୟରେ କିଛି ଖୋଳତାଡ଼ ହୁଏ ନାହିଁ। ଏହା ସତ ଯେ ପୁଲିସ ପ୍ରଥମେ ପୁରୁଷମାନଙ୍କୁ ଗିରଫ ଓ ମହିଳାମାନଙ୍କୁ ଉଦ୍ଧାର କରିଥାଏ। କିନ୍ତୁ ପରେ ମହିଳାମାନଙ୍କ ବିଷୟରେ କିଛି କିଛି ଫଲୋ-ଅପ୍ ଖବର ପ୍ରକାଶ ପାଏ, ଗରାଖ-ପୁରୁଷଙ୍କ ବିଷୟରେ ଅଧିକ ଖୋଳତାଡ଼ ହୁଏ ନାହିଁ। ଏପରି ଖବରରେ ମହିଳାମାନଙ୍କ ନାମ ଗୋପନ ରହେ, କିନ୍ତୁ ପୁରୁଷଙ୍କ ନାମ ଘୋଷଣା କରାଯାଏ। ତେବେ ସାମାଜିକ ପ୍ରତିଷ୍ଠା ଓ ବଂଶ ବୁନିୟାଦିକୁ ଲୁଚାଇ ରଖାଯାଏ। ଗରାଖମାନେ ହୁଏତ ଧନୀ, ଉଚ୍ଚ ମଧ୍ୟବିତ୍ତ ବା ପ୍ରଭାବଶାଳୀ ହୋଇଥିବେ, ପୁଲିସକୁ କିଛି ଦେଇପାରୁଥିବେ। ଖସି ଯାଇ ପୁଣି ନୂଆ ଦେହର ସନ୍ଧାନ କରୁଥିବେ ଆପଣା ଯୌନ-କାମନା ଚରିତାର୍ଥ କରିବା ପାଇଁ। ଗରୀବ ଓ ଅଭାବୀ ପରିବାରର ପୁରୁଷ ଏ ବଜାରର ଖରାଖ ହେବାକୁ ଅସମର୍ଥ। କିଛି ବିକାରଗ୍ରସ୍ତ ଦରିଦ୍ର ଲୋକ ବସ୍ତିରେ ହୁଏତ ଶସ୍ତା ଦେହର ସୁଖ ନେଉଥିବେ, କିନ୍ତୁ ସେମାନଙ୍କ କାରବାର ଏହି ବ୍ୟବସାୟକୁ ଏତେ ଗ୍ଲାମରସ୍ ଓ ଧନ-ସମୃଦ୍ଧ କରିବ ନାହିଁ, କରିପାରିବ ନାହିଁ।
ଭୁବନେଶ୍ୱରରେ ବାରମ୍ବାର ଧରାପଡ଼ୁଥିବା ସେକ୍ସ ରାକେଟ୍ରୁ ଗୋଟିଏ କଥା ସ୍ପଷ୍ଟ ଯେ ଏଠାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଗରାଖ ଆସୁଛନ୍ତି। ରାଜଧାନୀର ସମ୍ଭ୍ରାନ୍ତ ଗୋଷ୍ଠୀ ଯଦି ବି ଦେହର ସୌଦା କରୁଥିବେ ତାହା କରୁଥିବେ ଅତ୍ୟନ୍ତ ଗୋପନରେ, ଯାହା ପଦାକୁ ଆସୁନାହିଁ। ଯେଉଁ ଗରାଖମାନେ ଧରା ପଡ଼ୁଛନ୍ତି, ସେମାନଙ୍କ ମଧ୍ୟରେ ଦେଖାଯାଉଛନ୍ତି ଅନେକ ନୂଆ ପିଢ଼ିର ନବ-ଧନିକ, ଯେଉଁମାନେ ବୈଧ ଓ ଅବୈଧ ଉପାୟରେ ଅଧିକ ଅର୍ଥ ଉପାର୍ଜନ କରି ସେହି ଅର୍ଥରେ ଦୈହିକ ସୁଖ ଖର୍ଦ୍ଦି କରିବାକୁ ଅଧିକ ଆଗ୍ରହୀ। ଏଥିପାଇଁ ସେମାନଙ୍କୁ ପ୍ରଚୋଦିତ କରୁଛି ଇଣ୍ଟର୍ନେଟ୍, ସ୍ମାର୍ଟ ଫୋନ୍ ଓ ପ୍ରମୋଦ-ଶିଳ୍ପ। ଦାମୀ କାର୍, ଦାମୀ ମଦ, ଦାମୀ ଖାଦ୍ୟ, ଦାମୀ ପୋଷାକ, ଦାମୀ ଗହଣାର ଚାକଚକ୍ୟ ମଧ୍ୟରେ ଏମିତି କାରବାର ବଢ଼ି ଚାଲିଛି। ଦୁର୍ନୀତି ଓ କଳା ଟଙ୍କାର ହିତାଧିକାରୀ ହୋଇନଥିଲେ କେହି କ’ଣ ନିଜର କଷ୍ଟାର୍ଜିତ ଟଙ୍କାରେ ଘଣ୍ଟିକିଆ ଦେହ-ଭୋଗ କରିବାକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବେ? ଧନୀ ଓ ସମ୍ଭ୍ରାନ୍ତ ଗ୍ରାହକ ନଥିଲେ ବିଦେଶରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି କିପରି ଆସିବେ ଦେହଜୀବୀ? କାହା ସୁରକ୍ଷାରେ? କାହା ସ୍ୱାର୍ଥରେ? ସେଭଳି ପ୍ରଭାବଶାଳୀ ଭାଡ଼ୁଆ ବା ମଧ୍ୟସ୍ଥ ହୋଇ ନଥିଲେ କିଏ ଏଭଳି ବିଦେଶୀ ଝିଅଙ୍କୁ ଆଣି ସମ୍ଭାଳି ପାରିବେ? ଏହା ଏକ ଅନୈତିକ ଧନ୍ଦା, ଅପରାଧ ମଧ୍ୟ। ଏଭଳି ଅପରାଧରେ ଗରୀବ ଓ ନିମ୍ନ ମଧ୍ୟବିତ୍ତ ଲୋକମାନେ ସଂପୃକ୍ତ ଥିଲେ ପୁଲିସ ପରାକ୍ରମରୁ ବର୍ତ୍ତନ୍ତେ ନାହିଁ। ଏହା ପଛରେ ବିତ୍ତଶାଳୀ ଲୋକମାନଙ୍କର ସଂପୃକ୍ତି ଥିବାରୁ ପୁଲିସ ଏକାଧିକ ସେକ୍ସ ରାକେଟ୍ର ପର୍ଦ୍ଦାଫାଶ୍ କଲା ପରେ ବି ପୁଣି କାୟା ବିସ୍ତାର କରୁଛି ଦେହ ବଜାରର ଉଠା ବେପାର।
ତେବେ, ଏଭଳି କାରବାର ପାଇଁ ନିନ୍ଦିତ ହେଉଛି ଭୁବନେଶ୍ୱର। ଯେଉଁ ଭୁବନେଶ୍ୱର ଦିନେ ମନ୍ଦିର ମାଳିନୀ ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲା ତାହା ଯଦି ସେକ୍ସ ଶପ୍ର ସହର ଭାବେ ଚର୍ଚ୍ଚାକୁ ଆସେ ତାହା ନିଶ୍ଚୟ ରାଜଧାନୀର ମର୍ଯ୍ୟାଦା ବୃଦ୍ଧି କରିବ ନାହିଁ। ସ୍ମାର୍ଟ ସିଟି ସ୍ମାର୍ଟ ସେକ୍ସର ସହର ନହୋଇ ସ୍ମାର୍ଟ ସଂସ୍କୃତିର ସହର ହେଉ। ଭୁବନେଶ୍ୱରର ଏକ ଐତିହ୍ୟ ରହିଛି, ଏକ ସଂସ୍କୃତି ରହିଛି। ତାହା ସେକ୍ସ ବ୍ୟବସାୟରେ କଳୁଷିତ ନହେଉ। ଏ ଦିଗରେ କେବଳ ପୁଲିସର ଭୂମିକା ନାହିଁ। ଲୋକମାନଙ୍କୁ ମଧ୍ୟ ସକ୍ରିୟ ହେବାକୁ ପଡ଼ିବ। ଲୋକେ ଗରାଖ ମାନସିକତା ଛାଡ଼ି ଇନିସପେକ୍ଟର ମାନସିକତାରେ ସେକ୍ସ ଶପ୍ଗୁଡ଼ିକ ସଂପର୍କରେ ପୁଲିସକୁ ଖବର ଦିଅନ୍ତୁ। ପୁଲିସ ନଶୁଣିଲେ ମେଳି ବାନ୍ଧି ସେପରି ଶପ୍ଗୁଡ଼ିକୁ ଅବରୁଦ୍ଧ କରନ୍ତୁ। କମିଶନରେଟ୍ ପୁଲିସ ଆରମ୍ଭ କରିଥିବା ସ୍ୱତନ୍ତ୍ର ପୁଲିସ ଅଧିକାରୀ ବା ସାମାଜିକ ପୁଲିସ ବ୍ୟବସ୍ଥାରେ ଏ ସହରରୁ ଏ କାରବାରର ମୂଳୋତ୍ପାଟନ ପାଇଁ ଉଦ୍ୟମ ହେଉ। ମହିଳାମାନେ ମହିଳାମାନଙ୍କର ମାନମର୍ଯ୍ୟାଦାର ସୁରକ୍ଷା କରନ୍ତୁ। ସରକାର ଭୁବନେଶ୍ୱରକୁ ଅନ୍ତର୍ଜାତୀୟ ସ୍ତରର ଏକ ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାନ୍ତୁ, ଅନ୍ତର୍ଜାତୀୟ ସ୍ତରର ଦେହ-ବଜାର ଭାବେ ନୁହେଁ।