ହେଇଥାଉ ପଛେ ଚାଇନା ମାଲ!

ସରଳ କୁମାର ଦାସ

“ଆମକୁ ଦେଶପ୍ରେମର ପାଠ ପଢ଼େଇ ଚାଇନା ମାଲ ବର୍ଜନ କରିବାକୁ କହି ସରକାର ତ ନିଜେ ଭଲ ଚାଇନା ମାଲ ଆଣୁଛନ୍ତି।“ “ଆମେ ଚାଇନା ମାଲ କିଣିଲେ ସେଥିରୁ ଲାଭ କରି ଚୀନ ଆମ ଉପରେ ବମ ପକାଉଛି ବୋଲି ଆମକୁ ବୁଝାଇ ଦିଆ ଯାଇଥିବାରୁ ଆମେ ଘର ପାଖରେ ମିଳୁଥିବା ୪୦ ଟଙ୍କିଆ ଚାଇନା ଟର୍ଚ୍ଚ ନ କିଣି ଏଭାରେଡ଼ିକୁ ୧୧୦ ଟଙ୍କାରେ କିଣିଲା ବେଳକୁ ସରକାର କାହିଁକି ଡବଲ ଦାମ ଦେଇ ଅକ୍ସିଜେନ ସିଲିଣ୍ଡର ଚାଇନାରୁ ମଗାଉଛନ୍ତି? ଏତେ ବେଳକୁ ଆଉ ଚୀନ ବମ ପକାଉନି!” “ଦିଲ୍ଲୀକୁ ଅକ୍ସିଜେନ ଦେଇ ତ ଭାରି ବାହାଦୁରି ମାରୁଥିଲେ! ଏବେ ପୁଣି ଚାଇନାରୁ ସିଲିଣ୍ଡର ଆଣିବାକୁ ପଡୁଛି କାହିଁକି?” “ଯେଉଁ ଚୀନ ସାରା ପୃଥିବୀରେ କରୋନା ଭାଇରସ ବାଣ୍ଟିଲା ସେ ପୁଣି ସିଲିଣ୍ଡରରେ କ’ଣ ଛାଡ଼ିଥିବ କିଏ ଜାଣେ! ସିଲିଣ୍ଡର ମଗାଇବାକୁ କ’ଣ ଆଉ ଅନ୍ୟ ଦେଶ ମିଳିଲା ନାହିଁ କି?” “ଆମ ଟାଟା କି ଜିନ୍ଦଲଙ୍କୁ କହିଥିଲେ ପରା ଯେତେ ଦରକାର ସିଲିଣ୍ଡର ବାଡ଼େଇ ଦେଇଥାଆନ୍ତେ, ସେଥିଲାଗି ପୁଣି ଚୀନ ଆଗରେ ହାତ ପାତିବାକୁ ହେଲା! ଆଗକୁ ପଞ୍ଚାୟତ ଇଲେକସନ ଅଛି। ମାଲ ଦରକାର। ସେଥିପାଇଁ ସବୁ ଫିସାଦି।”

ଏହିପରି କିଛି ଉକ୍ତି ଓ ପ୍ରଶ୍ନ ଗାଁ ଗଣ୍ଡାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକଙ୍କ ମନରେ ଉଙ୍କି ମାରି ଆଲୋଚନାର ବିଷୟ ପାଲଟିଥିବାର ଦେଖାଗଲା ମଇ ୩୧, ୨୦୨୧ରେ ଚୀନରୁ ଓଡ଼ିଶାକୁ ଅକ୍ସିଜେନ ସିଲିଣ୍ଡରର ପ୍ରଥମ ଖେପ ପହଞ୍ଚିବାର ଖବର ଜଣା ପଡ଼ିବା ପରେ। ଏଥିରୁ କିଛି ପ୍ରଶ୍ନ ସେମାନଙ୍କ ସ୍ୱାଭାବିକ ଶଙ୍କାଜନିତ ହୋଇଥିବା ବେଳେ ଅନ୍ୟ କେତୋଟି କେବଳ ଭୁଲ ତଥ୍ୟ ଆଧାରରେ ଓ ଗୁଜବ ମାଧ୍ୟମରେ କାୟା ବିସ୍ତାର କରିଛି। ସରକାରୀ ସ୍ତରରେ ଲୋକଙ୍କ ଏହି ଶଙ୍କାଗୁଡ଼ିକୁ ଦୂର କରିବାକୁ ବିଶେଷ ଉଦ୍ୟମ ହୋଇ ନ ଥିବାରୁ ତନ୍ମଧ୍ୟରୁ ଗୁଜବଗୁଡ଼ିକରେ ଡେଣା ଲାଗିବା ସହଜ ହୋଇଛି। ଚୀନରୁ ଓଡ଼ିଶାକୁ ସିଲିଣ୍ଡର ଅଣାଯିବାର ଯୌକ୍ତିକତାକୁ ଉଚିତ ପରିପ୍ରେକ୍ଷୀରେ ବୁଝିବାର ଆବଶ୍ୟକତା ରହିଛି।

ଭାରତରେ ଯଥେଷ୍ଟ ପରିମାଣରେ ଅକ୍ସିଜେନ ଉତ୍ପାଦିତ ହେଉଥିଲେ ବି କୋଭିଡର ଦ୍ୱିତୀୟ ଲହର ସମୟରେ ଅକ୍ସିଜେନର ଉତ୍କଟ ଅଭାବ ଦେଖା ଦେବାର ମୂଳ କାରଣ ହେଲା କାରଖାନାରୁ ହସପିଟାଲ ପର୍ଯ୍ୟନ୍ତ ଅକ୍ସିଜେନ ଯୋଗାଣ ଓ ପରିବହନ କରିବା ପାଇଁ ସିଲିଣ୍ଡର ଓ କ୍ରାଇଓଜେନିକ ଟ୍ୟାଙ୍କରର ଘୋର ଅଭାବ। ଓଡ଼ିଶାରେ ଥିବା ଅନେକ ଇସ୍ପାତ ଓ ଅନ୍ୟ କାରଖାନାଙ୍କର ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ଅଛି ଯେଉଁଠାରୁ ମେଡିକାଲ ଗ୍ରେଡ଼ ଅକ୍ସିଜେନ ମଧ୍ୟ ପ୍ରସ୍ତୁତ ହୋଇ ପାରୁଥିବାରୁ ଅକ୍ସିଜେନ ଉତ୍ପାଦନ ଓ ଉପଲବ୍ଧତା ଦୃଷ୍ଟିରୁ ଏହା ଏକ ବଳକା ରାଜ୍ୟ। ଏଠାରେ ଦୈନିକ ୩୭୫ ଟନ ଲିକୁଇଡ ଅକ୍ସିଜେନ ଉତ୍ପାଦନ ହେଉଛି। ସେଥିପାଇଁ ଏଠାରୁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠା ଯାଇପାରିଲା। ତେବେ ରାଜ୍ୟରେ ମାତ୍ର ୧୨,୦୦୦ ସିଲିଣ୍ଡର ଥିବାରୁ ଫିଲିଂ କ୍ଷମତା ଦୈନିକ ୧୩୦ ଟନରେ ସୀମିତ ଥିଲା। ଅବଶ୍ୟ ରାଜ୍ୟରେ ସିଲିଣ୍ଡର ଆମଦାନୀ କରି ତାର ସଂଖ୍ୟାକୁ ୩୨,୦୦୦ରୁ ଅଧିକ କରାଗଲା। ଅପ୍ରେଲ ୨୦, ୨୦୨୧ରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଓଡ଼ିଶା ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ କୋଭିଡ ୧୯ର ଦ୍ୱିତୀୟ ଲହରର ମୁକାବିଲା କରିବାକୁ ଥିବା ପ୍ରସ୍ତୁତି ସମ୍ପର୍କରେ ଅବଗତ କରିବାକୁ ଯାଇ ଜଣାଇଥିଲେ ଯେ ରାଜ୍ୟରେ ୭୦ଟି କୋଭିଡ ହସପିଟାଲରେ ୧୧,୮୦୮ ଶଯ୍ୟା, ୨,୦୧୮ ଆଇସିୟୁ ଓ ୭୮୨ ଭେଣ୍ଟିଲେଟର ଅଛି। ଏଥି ସହିତ କୋଭିଡ କେଆର ସେଣ୍ଟରଗୁଡ଼ିକରେ ୨୨,୫୪୧ ଓ ପଞ୍ଚାୟତ ସ୍ତରରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ୩୬,୩୮୭ ଅକ୍ସିଜେନ ସିଲିଣ୍ଡର ସଂଲଗ୍ନ ଥିବା ଶଯ୍ୟା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥାତ୍, ରାଜ୍ୟରେ ସମୁଦାୟ ୭୩,୬୫୪ ଶଯ୍ୟା ସହ ସମାନ ସଂଖ୍ୟକ ଅକ୍ସିଜେନ ସିଲିଣ୍ଡରର ପ୍ରାବଧାନ କରାଯାଉଛି। ତେବେ ରାଜ୍ୟରେ ସମୁଦାୟ ୩୨,୦୦୦ରୁ ସାମାନ୍ୟ ଅଧିକ ଅକ୍ସିଜେନ ସିଲିଣ୍ଡର ଥିବାରୁ ଓ ଆହୁରି ପ୍ରାୟ ୪୧,୦୦୦ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ ହେଉ ଥିବାରୁ ରାଜ୍ୟ ସରକାରଙ୍କୁ ତୁରନ୍ତ ବିଭିନ୍ନ ପଦକ୍ଷେପ ନେବାକୁ ପଡ଼ିଛି। ଏଥିପାଇଁ ବିଭିନ୍ନ କମ୍ପାନୀଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ଅନୁରୋଧ କରିବାକୁ ହୋଇଛି ମଧ୍ୟ। ସେହି କ୍ରମରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ (ଏଏମଏନଏସ) କମ୍ପାନୀ ତା’ର ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାକୁ ୫୧୫୦ଟି ମେଡିକାଲ ଗ୍ରେଡ଼ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ତନ୍ମଧ୍ୟରୁ ପ୍ରଥମ ଖେପରେ ୧୩୫୦ ସିଲିଣ୍ଡର ଚୀନରୁ ଆସି ଓଡ଼ିଶାରେ ପହଞ୍ଚିଥିବା ବେଳେ ଅବଶିଷ୍ଟ ୩୮୦୦ ଖୁବ ଶୀଘ୍ର ପହଞ୍ଚିବ। କମ୍ପାନୀର ସିଏସଆର ଜରିଆରେ ଅକ୍ସିଜେନ ସିଲିଣ୍ଡର ଯୋଗାଣ ହୋଇଥିବାରୁ ଏଥିପାଇଁ ଅନ୍ତତଃ ଓଡ଼ିଶା ସରକାରଙ୍କ ରାଜକୋଷ ଉପରେ ବୋଝ ପଡ଼ିନାହିଁ। ଚୀନରୁ ଆମଦାନୀ କରିବାର ନିଷ୍ପତ୍ତି କମ୍ପାନୀର ନା ରାଜ୍ୟ ସରକାରଙ୍କର, ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଭାରତୀୟ ଉତ୍ପାଦକମାନେ ତୁରନ୍ତ ସିଲିଣ୍ଡର ଯୋଗାଇବାକୁ ଅସମର୍ଥତା ପ୍ରକାଶ କରିଥିବାରୁ ରାଜ୍ୟ ସରକାରଙ୍କୁ ବିଦେଶରୁ ଆମଦାନୀ କରିବାକୁ ପଡ଼ିଥିଲା ବୋଲି ଜଣା ପଡ଼େ। ତେବେ ଚୀନରୁ ଆମଦାନୀ କରିବାର ବାଧ୍ୟବାଧକତା କ’ଣ ହୋଇପାରେ, ତାହା ଅନୁଧ୍ୟାନ କରାଯାଉ?

ଅକ୍ସିଜେନ ସିଲିଣ୍ଡରର ବର୍ଦ୍ଧିତ ଚାହିଦାକୁ ଦେଶ ଭିତରେ ତୁରନ୍ତ ପୂରଣ କରିବାର ସମ୍ଭାବନା କ୍ଷୀଣ ହୋଇଥିବାରୁ ଭାରତ ସରକାରଙ୍କ ପେଟ୍ରୋଲିଅମ ମନ୍ତ୍ରାଳୟ ଅଧୀନସ୍ଥ ପେଟ୍ରୋଲିଅମ ଆଣ୍ଡ ଏକସପ୍ଲୋସିଭ ସେଫଟି ଅର୍ଗାନାଇଜେସନ (ପେସୋ) ବିଦେଶରୁ ଅକ୍ସିଜେନ ସିଲିଣ୍ଡର ଆମଦାନୀ ପ୍ରକ୍ରିୟାକୁ କୋହଳ କରି ମେ ୩, ୨୦୨୧ରେ ୧୩ଟି ବିଦେଶୀ କମ୍ପାନୀଙ୍କୁ ଅନୁମୋଦନ ପ୍ରଦାନ କଲେ। ସାଧାରଣତଃ ଆଗରୁ ଅନୁମୋଦନ ପ୍ରକ୍ରିୟାଟି ସରିବାକୁ ୬ ମାସରୁ ବେଶି ସମୟ ଲାଗି ଯାଉଥିଲା। ଏବର ବିଶେଷ ପରିସ୍ଥିତିକୁ ଦେଖି ଭୌତିକ ଯାଞ୍ଚ ବ୍ୟବସ୍ଥାକୁ ବାଦ ଦେଇ ଅନଲାଇନ ଯୋଗେ ଆବେଦନ ଗ୍ରହଣ କରି ବିଦେଶୀ ଅକ୍ସିଜେନ ସିଲିଣ୍ଡର ଉତ୍ପାଦକଙ୍କ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଗଲା। ଯେଉଁ ୧୩ଟି ବିଦେଶୀ କମ୍ପାନୀଙ୍କୁ ଅନୁମୋଦନ ପ୍ରଦାନ କରାଯାଇଛି, ତନ୍ମଧ୍ୟରୁ ୭ଟି ଚୀନର ହୋଇଥିବା ବେଳେ ଆମେରିକା, ଜର୍ମାନୀ, ମାଲେସିଆ, ୟୁଏଇ, ଚେକୋସ୍ଲୋଭାକିଆ ଓ ଅଷ୍ଟ୍ରିଆ ଦେଶଗୁଡ଼ିକର ଗୋଟିଏ ଲେଖାଏଁ କମ୍ପାନୀ ସାମିଲ। ଅନ୍ୟ କମ୍ପାନୀଙ୍କ ତୁଳନାରେ ଚୀନ କମ୍ପାନୀଗୁଡିକ ସବୁ ଦୃଷ୍ଟିରୁ ପ୍ରତିଯୋଗିତାମୂଳକ ଓ ନିର୍ଭରଯୋଗ୍ୟ ହୋଇଥିବାରୁ ସେଠାରୁ ଅକ୍ସିଜେନ ସିଲିଣ୍ଡର ମଗାଇବା ଏବେ ଭାରତ ପକ୍ଷରେ ଏକ ପ୍ରକାର ବାଧ୍ୟବାଧକତାରେ ପରିଣତ ହୋଇଛି ବୋଲି କହିଲେ ଚଳେ।

ପ୍ରଶ୍ନ ଉଠୁଛି, ବିଦେଶରୁ ସିଲିଣ୍ଡର ନ ମଗାଇ ବା କମ ମଗାଇ କ’ଣ ଭାରତର ଆବଶ୍ୟକତାକୁ ତାତ୍କାଳିକ ଭିତ୍ତିରେ ଦେଶ ଭିତରେ ପୂରଣ କରି ହୋଇ ନ ଥାଆନ୍ତା? କହି ରଖିବାକୁ ହେବ ଯେ ଟାଟା, ଜିନ୍ଦଲଙ୍କ ପରି ବଡ଼ ବଡ଼ କମ୍ପାନୀମାନେ ସିଲିଣ୍ଡର ତିଆରି କରନ୍ତି ନାହିଁ। ଉପରୋକ୍ତ ଅନୁମତି ପ୍ରଦାନକାରୀ ପେସୋ ସଂସ୍ଥା ଦ୍ୱାରା ଭାରତରେ ଅକ୍ସିଜେନ ସିଲିଣ୍ଡର ଉତ୍ପାଦନ ପାଇଁ ୧୭ଟି କମ୍ପାନୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ଓ ସେମାନଙ୍କ ମାସିକ ଉତ୍ପାଦନ କ୍ଷମତା ୧ ଲକ୍ଷ ସିଲିଣ୍ଡରରୁ ବି ଅଧିକ। ବିଡ଼ମ୍ୱନା ହେଉଛି ଦେଶରେ ପ୍ରାୟ ଯେଉଁଠି ଅକ୍ସିଜେନ ଉତ୍ପାଦନ ହେଉଛି ସେଠାରେ ଅକ୍ସିଜେନ ସିଲିଣ୍ଡର କାରଖାନା ନ ଥିଲା ବେଳେ ସିଲିଣ୍ଡର କାରଖାନା ଥିବା ଅଞ୍ଚଳରେ ଅକ୍ସିଜେନ ଉତ୍ପାଦନ ଅତି କମ। ଉଦାହରଣ ସ୍ୱରୂପ, ୧୭ଟି ସିଲିଣ୍ଡର କାରଖାନା ମଧ୍ୟରୁ ୭ଟି ଗୁଜରାଟରେ, ମୁଖ୍ୟତଃ କଚ୍ଛ ଅଞ୍ଚଳର ଗାନ୍ଧୀଧାମ ଏସଇଜେଡରେ, ୫ଟି ମହାରାଷ୍ଟ୍ରରେ ଥିବା ବେଳେ ଅକ୍ସିଜେନ ଉତ୍ପାଦନ ହେଉଥିବା ପ୍ରମୁଖ ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼ରେ ଗୋଟିଏ ହେଲେ ସିଲିଣ୍ଡର କାରଖାନା ନାହିଁ। ଠିକ ସୁନା ଥିଲେ କାନ ନାହିଁ ତ କାନ ଥିଲେ ସୁନା ନାହିଁର ସ୍ଥିତି। ଦେଶରେ ସମୁଦାୟ ସିଲିଣ୍ଡର ଉତ୍ପାଦନର ପ୍ରାୟ ଦୁଇ-ତୃତୀୟାଂଶ କେବଳ ଗୁଜରାଟରେ ଥିବା କାରଖାନାଗୁଡିକରେ ହୋଇଥାଏ। କେନ୍ଦ୍ର ସରକାରଙ୍କ ଦ୍ୱାରା ମେଡିକାଲ ଅକ୍ସିଜେନର ଉତ୍ପାଦନ ଓ ଯୋଗାଣକୁ ବଢ଼ାଇବା ପାଇଁ ଅପ୍ରେଲ ୨୫, ୨୦୨୧ରେ କୌଣସି କାରଖାନାକୁ ଔଦ୍ୟୋଗିକ ଅକ୍ସିଜେନ ଯୋଗାଇ ଦେବା ଉପରେ କଟକଣା ଲାଗିବା ପରେ ଏହି କାରଖାନାଗୁଡିକରେ ସିଲିଣ୍ଡର ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଉଲ୍ଲେଖଯୋଗ୍ୟ ଯେ ଅକ୍ସିଜେନ ସିଲିଣ୍ଡର କାରଖାନା ଚାଲିବା ପାଇଁ ବି ଅକ୍ସିଜେନ ଦରକାର ହୋଇଥାଏ। ଅବଶ୍ୟ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ଅପ୍ରେଲ ୨୭ରେ ସ୍ପଷ୍ଟୀକରଣ ଦେଇ ଏହି ଧରଣର କାରଖାନାକୁ ଅକ୍ସିଜେନ ଯୋଗାଣ ଉପରେ କଟକଣା ନାହିଁ ବୋଲି କୁହା ଯାଇଥିଲେ ବି ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ରୋଗୀଙ୍କ ପାଇଁ ଅକ୍ସିଜେନ ମିଳୁ ନ ଥିବାରୁ ରାଜ୍ୟ ସରକାର କାରଖାନାଗୁଡିକୁ ଅକ୍ସିଜେନ ଯୋଗାଇବା କଥାକୁ ଗୌଣ ମନେ କରି ଯୋଗାଇଲେ ନାହିଁ। ଅଲ ଇଣ୍ଡିଆ ଇଣ୍ଡଷ୍ଟ୍ରିଆଲ ଗ୍ୟାସେସ ମାନୁଫେକ୍ଚରର୍ସ ଆସୋସିଏସନ (ଏଆଇଆଇଜିଏମଏ) ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ମଧ୍ୟ ବିଫଳ ହେଲେ। ଇଆଡ଼େ ଦେଶରେ ଅକ୍ସିଜେନ ସିଲିଣ୍ଡରର ବହୁଳ ଆବଶ୍ୟକତା ଥିଲା ବେଳେ ତା’ର ଉତ୍ପାଦନକୁ ଆହୁରି କିପରି ବଢ଼ାଇ ହେବ ସେ ନେଇ ପଦକ୍ଷେପ ନ ନେଇ ସେଗୁଡ଼ିକୁ ଅକ୍ସିଜେନ ଯୋଗାଇ ନ ଦେଇ ଏକ ପ୍ରକାର ଅକର୍ମଣ୍ୟ କରି ଦିଆଗଲା। ସେହି କାରଖାନାଗୁଡ଼ିକର ଅକ୍ସିଜେନ ଆବଶ୍ୟକତା ବି ଖୁବ ବେଶି ନ ଥିଲା।

ଉଦାହରଣ ସ୍ୱରୂପ, ପୂରା ଗୁଜରାଟରେ ଥିବା ସାତଟି ଯାକ କାରଖାନାର ଦୈନିକ ଅକ୍ସିଜେନ ଆବଶ୍ୟକତା ମାତ୍ର ୧୧ ଟନ ହୋଇଥିଲା ବେଳେ ଗୁଜରାଟରେ ମେଡିକାଲ ଅକ୍ସିଜେନର ଆବଶ୍ୟକତା ଥିଲା ଦୈନିକ ୧୫୦୦ରୁ ୨୦୦୦ ଟନ। ଦାୟିତ୍ୱରେ ଥିବା ସରକାରୀ ବାବୁ ଓ ରାଜନେତାମାନେ ସମ୍ୱେଦନଶୀଳ ହୋଇ ସମସ୍ୟାଟିର ତୁରନ୍ତ ସମାଧାନ କରିବାକୁ ଚେଷ୍ଟା କରିଥିଲେ ସିଲିଣ୍ଡର ଉତ୍ପାଦନ ବନ୍ଦ ହୋଇ ନ ଥାଆନ୍ତା। ଦେଶ ଭିତରେ ସିଲିଣ୍ଡର ଉତ୍ପାଦନ ହ୍ରାସ ପାଇଥିବାରୁ ସରକାରଙ୍କୁ ବାଧ୍ୟ ହୋଇ ତୁରନ୍ତ ବିଦେଶରୁ ସିଲିଣ୍ଡର ଆମଦାନୀ କରିବାର ନିଷ୍ପତ୍ତି ନେବାକୁ ହେଲା। ନିଜ ଗୋଡ଼କୁ କୁରାଢୀରେ ହାଣି କୃତ୍ରିମ ଗୋଡ଼ ଲଗାଇଲା ପରି କଥାଟି ହେଲା। ‘ଆତ୍ମ-ନିର୍ଭରତା’ରୁ ‘ପର-ନିର୍ଭରତା’କୁ କିପରି ଅନାୟାସରେ ଗମନ କରି ହୁଏ, ଇଏ ତା’ର ଏକ ଜ୍ୱଳନ୍ତ ଉଦାହରଣ। ଇତିମଧ୍ୟରେ ଅନୁମୋଦନ ପ୍ରକ୍ରିୟାକୁ କୋହଳ କରି କୌଣସି ପ୍ରକାର ଯାଞ୍ଚ ନ କରି ବିଦେଶୀ କମ୍ପାନୀଗୁଡିକୁ ଅକ୍ସିଜେନ ସିଲିଣ୍ଡର ଯୋଗାଣ ପାଇଁ ଅନ ଲାଇନରେ ଅନୁମତି ଦେବା ଉଚିତ ନୁହେଁ ବୋଲି ସମ୍ପୃକ୍ତ ଆସୋସିଏନ ଏହାର ବିରୋଧ କରୁଛି। ସେମାନଙ୍କ ମତରେ ଅକ୍ସିଜେନ ସିଲିଣ୍ଡର ଏକ ସମ୍ୱେଦନଶୀଳ ଓ ନିରାପତ୍ତାନିର୍ଭର ଉତ୍ପାଦ, କାରଣ ଏହାକୁ ୧୫୦ ବା ତଦୁର୍ଦ୍ଧ୍ୱ ବାର୍ ଚାପରେ କାର୍ଯ୍ୟରେ ଲଗା ଯାଇଥାଏ। କୌଣସି ଯାଞ୍ଚ ନ କରି ବିଦେଶରୁ ସିଲିଣ୍ଡର ଆମଦାନୀ କରାଗଲେ ଅନେକ ନିମ୍ନମାନର ସିଲିଣ୍ଡର ଦେଶ ଭିତରକୁ ପ୍ରବେଶ କରି ଲାଭ ଅପେକ୍ଷା ଅଧିକ କ୍ଷତି ହୋଇପାରେ। ତା’ ଛଡ଼ା ବିଦେଶୀ ସିଲିଣ୍ଡର ତୁଳନାରେ ଭାରତୀୟ ସିଲିଣ୍ଡରର ଦାମ ମଧ୍ୟ ଅପେକ୍ଷାକୃତ କମ ବୋଲି ସେମାନଙ୍କ ଦାବି। ବସ୍ତୁତଃ ଗୁଜରାଟସ୍ଥିତ ଏଭରେଷ୍ଟ କାଣ୍ଟୋ ସିଲିଣ୍ଡର୍ସ ଲିମିଟେଡ ଓଡ଼ିଶା ଭଳି ରାଜ୍ୟଗୁଡ଼ିକୁ ସିଲିଣ୍ଡର ଯୋଗାଇ ଆସୁଛି। ଗୁଜରାଟ ନିକଟରେ ଅକ୍ସିଜେନ ଉପଲବ୍ଧତା କମ ଥିବାରୁ ସେଠାରୁ ହୁଏତ କାରଖାନାଗୁଡ଼ିକୁ ଅକ୍ସିଜେନ ଯୋଗାଇ ହେଲା ନାହିଁ। ତେବେ ଓଡ଼ିଶାରେ ଅକ୍ସିଜେନ ଉପଲବ୍ଧତା ଅଧିକ ହୋଇଥିବାରୁ ରାଜ୍ୟ ସରକାର କେନ୍ଦ୍ର ଓ ଗୁଜରାଟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଯଦି ସେଠାକାର ସିଲିଣ୍ଡର କାରଖାନାଗୁଡିକୁ ସ୍ୱତନ୍ତ୍ର ଭାବେ ଅକ୍ସିଜେନ ଯୋଗାଇ ଦେଇଥାଆନ୍ତେ, ତେବେ ସେଗୁଡ଼ିକ ଉତ୍ପାଦନକ୍ଷମ ରହିବା ସହ ଓଡ଼ିଶାକୁ ଅଗ୍ରାଧିକାର ଭିତ୍ତିରେ ସିଲିଣ୍ଡର ମିଳି ପାରିଥାଆନ୍ତା। ଆମକୁ ବି ହୁଏତ ଚୀନରୁ ସିଲିଣ୍ଡର ଆମଦାନୀ କରିବାକୁ ପଡ଼ି ନ ଥାଆନ୍ତା। ଭବିଷ୍ୟତରେ ଓଡ଼ିଶାର ସମସ୍ତ ସିଲିଣ୍ଡର ଆବଶ୍ୟକତାକୁ ବିଦେଶରୁ ଆମଦାନୀ ନ କରି ଏହିପରି ଭାବେ ପୂରଣ କରିବା କଥା ବିଚାର କରାଯାଇ ପାରେ। ତେବେ ଚୀନରୁ ପହଞ୍ଚିଥିବା ସିଲିଣ୍ଡରଗୁଡିକର ଗୁଣବତ୍ତା ଭାରତୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ ହୋଇ ନ ଥିବାରୁ ସେଗୁଡ଼ିକୁ ସର୍ବସାଧାରଣ ବ୍ୟବହାର ପାଇଁ ଛାଡ଼ିବା ପୂର୍ବରୁ ବୈଷୟିକ ଜ୍ଞାନସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଯାଞ୍ଚ କରାଇ ନେବା ଉଚିତ ହେବ। ସରକାରୀ ଚେଷ୍ଟାରେ ହେଉ ବା ଅନ୍ୟ ଭାବେ, ଓଡ଼ିଶାରେ ଅକ୍ସିଜେନ ସିଲିଣ୍ଡର କାରଖାନାଟିଏ ପ୍ରତିଷ୍ଠା କରା ଯାଇପାରିଲେ ଆହୁରି ଭଲ।

ଚୀନରୁ ଅକ୍ସିଜେନ ସିଲିଣ୍ଡର ଆମଦାନୀ ହେଉଥିବା ଶୁଣି ଅନେକେ ଦେଶପ୍ରେମ ଆଳରେ ତାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। କେହି କେହି ତ କୋଭିଡ ବିରୁଦ୍ଧ ଲଢେଇରେ ଚୀନରୁ ଆମଦାନୀ ହୋଇଥିବା ଜୀବନ ରକ୍ଷାକାରୀ ସାମଗ୍ରୀଟିଏ ବ୍ୟବହୃତ ହେଉଥିଲେ ପ୍ରତିକ୍ରିୟାଶୀଳ ହୋଇ ପଡୁଛନ୍ତି। ଭାରତ ସରକାର ତ ସବୁ ଦୃଷ୍ଟିରୁ ଚିନ୍ତା କରି ସବୁ ବିକଳ୍ପକୁ ତଉଲି ଚୀନରୁ ଆମଦାନୀ କରିବା ପାଇଁ ନିଷ୍ପତ୍ତି ନେଇଥିବେ! ବୁଡ଼ି ଯାଉଥିବା ଲୋକକୁ କୁଟା ଖଣ୍ଡେ ବି ସାହାରା। କୋଭିଡର ଦ୍ୱିତୀୟ ଲହରରେ ନିଜ ପ୍ରିୟଜନଙ୍କ ଜୀବନ ରକ୍ଷା ଲାଗି ଅକ୍ସିଜେନ ସିଲିଣ୍ଡରଟିଏ ପାଇଁ ଲୋକମାନେ କେମିତି ଡହଳ ବିକଳ ହେଲେ, ତାହା ସମସ୍ତେ ଜାଣନ୍ତି। ଅକ୍ସିଜେନ-ନିର୍ଭର ରୋଗୀଟିଏ ପାଖରେ ଅକ୍ସିଜେନ ସିଲିଣ୍ଡରଟିଏ ଥିଲେ ସେ ଓ ତା’ର ପରିଜନମାନେ ପ୍ରାୟତଃ ଆଶ୍ୱସ୍ତ ହୋଇଥାଆନ୍ତି। ସେତେବେଳେ ସେମାନେ ଦେଖନ୍ତି ନାହିଁ ସିଲିଣ୍ଡରଟି ଭାରତୀୟ ନା ଚୀନ ତିଆରି। ଜୀବନ ରକ୍ଷା କରି ପାରିଲେ ଯଥେଷ୍ଟ, ହେଇଥାଉ ପଛେ ଚାଇନା ମାଲ। ଆଗେ ଜୀବନ ରହିଯାଉ, ଭାରତ-ଚୀନ କରିବାକୁ ବହୁତ ସମୟ ମିଳିବ। ପ୍ରତିଟି ଦେଶବାସୀଙ୍କ ଜୀବନ ରକ୍ଷା ହୋଇପାରିବା ଗୁରୁତ୍ୱପୂର୍ଣ୍ଣ। ଦେଶ କେବଳ ଏକ ଭୂଭାଗ ବା ଭୌଗୋଳିକ ପରିସୀମାକୁ ବୁଝାଏ ନାହିଁ ବରଂ ସେଥିରେ ଥିବା ଲୋକଙ୍କୁ ନେଇ ଦେଶର ପରିଚୟ। ତେଣୁ ଦେଶର ଭୂଭାଗକୁ ରକ୍ଷା କରିବା ଯେତିକି ଦେଶପ୍ରେମ କୁହାଯିବ ସେହି ଭୂଭାଗରେ ଅବସ୍ଥାନ କରୁଥିବା ଲୋକଙ୍କ ଜୀବନକୁ ରକ୍ଷା କରିବା ମଧ୍ୟ ଠିକ ସେତିକି ବା ତତୋଧିକ ଦେଶପ୍ରେମ। ଲୋକ ନ ଥିଲେ ଭୂଭାଗ କ’ଣ ଆଉ ଦେଶ ହୋଇ ରହିଥାଏ? ତେଣୁ ଏହି ମହାମାରୀ ସମୟରେ ଜୀବନ ରକ୍ଷାକାରୀ ସାମଗ୍ରୀଗୁଡିକ କ୍ଷେତ୍ରରେ ଅନ୍ତତଃ ଆମେ ସଙ୍କୀର୍ଣ୍ଣତାର ଊର୍ଦ୍ଧ୍ୱକୁ ଉଠି କେବଳ ଦେଶବାସୀଙ୍କ ଜୀବନ ରକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। ସୂଚନାଶୂନ୍ୟ ସ୍ଥିତିରେ ଭୁଲ ତଥ୍ୟ ଓ ଗୁଜବର ସୃଷ୍ଟି ହୋଇଥାଏ। ବିଦେଶରୁ ଆମଦାନୀ, ବଡ଼ ବଡ଼ କ୍ରୟ ଆଦିରେ ଲୋକମାନଙ୍କ ମନରେ ବିଭିନ୍ନ ପ୍ରକାର ଶଙ୍କା ଉତ୍ପନ୍ନ ହେଉଥିବାରୁ ସରକାରମାନେ ମଧ୍ୟ ସର୍ବାଧିକ ସ୍ୱଚ୍ଛତା ପ୍ରଦର୍ଶନ କରି ତଥ୍ୟକୁ ଅନ ଲାଇନରେ ଉପଲବ୍ଧ କରାଇ ପାରିଲେ ଭୁଲ ତଥ୍ୟକୁ ଆଧାର କରି ଗୁଜବ ସମ୍ପ୍ରସାରିତ ହେବାର ଆଶଙ୍କା ହ୍ରାସ ପାଇଥାଏ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।