ଲକ୍‌ଡାଉନ୍‌, ସଟ୍‌ଡାଉନ୍ ବନ୍ଦକର

ରବି ଦାସ

ଓଡ଼ିଶାରେ ପ୍ରାୟ ଅର୍ଦ୍ଧାଧିକ ଜିଲ୍ଲା ଲକ୍‌ଡାଉନ୍ ଓ ସଟ୍‌ଡାଉନରେ ଥିବା ସମୟରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ପ୍ରାୟ ୧୨୦୦ରୁ ୧୫୦୦ରୁ ଅଧିକ ବୃଦ୍ଧି ପାଇ ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାରକୁ ଅତିକ୍ରମ କରିଛି। ଚଳିତ ପର୍ଯ୍ୟାୟ ଲକଡାଉନ୍ ଆଉ ତିନିଦିନ ଥିବାରୁ ଏହି ସଂଖ୍ୟା ୩୩ ହଜାରରେ ପହଁଚିବା ଜଣାପଡ଼ୁଛି। ଓଡ଼ିଶା ହେଉଛି ଭାରତର ଅନ୍ୟତମ ପ୍ରଥମ ରାଜ୍ୟ ଯିଏ କି କରୋନା ସଂକ୍ରମଣ ପ୍ରସଙ୍ଗ ନେଇ ପ୍ରଥମେ ଲକଡାଉନ ଘୋଷଣା କରିଥିଲା। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୪ ତାରିଖରେ ଦେଶବ୍ୟାପୀ ପ୍ରଥମେ ୨୧ ଦିନିଆ ଓ ପରେ ଆଉ ୧୯ ଦିନ ଲକଡାଉନ୍ ଘୋଷଣା କରିବା ପରେ ଧୀରେ ଧୀରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। କାରଣ ଲକଡାଉନ୍ ଯୋଗୁ ଦେଶ ଅର୍ଥନୈତିକ କାର୍ଯ୍ୟକଳାପ ସଂପୂର୍ଣ୍ଣ ବନ୍ଦ ହୋଇଗଲା। କୋଟି କୋଟି ଲୋକ ସେମାନଙ୍କର ଜୀବିକା ହରାଇଲେ। ସରକାର ଯାହାକିଛି ଖାଦ୍ୟରେ ସାହାଯ୍ୟ କରନ୍ତୁ ନା କାହିଁକି ଲୋକମାନଙ୍କୁ ବଞ୍ଚିବା ପାଇଁ ଜୀବିକାରେ ଆବଶ୍ୟକତା ରହିଛି। ସେଥିପାଇଁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଲା ଓ ଗତ ଜୁନ୍ ୩୦ରେ ଅନଲକ୍‌-୨ ଆରମ୍ଭ ସମୟରେ କେନ୍ଦ୍ର ସରକାର ରାଜ୍ୟମାନେ ଓ ଜିଲ୍ଲା ପ୍ରଶାସନ ଓ ନଗର ପ୍ରଶାସନମାନେ ସେମାନଙ୍କର ଆବଶ୍ୟକତାକୁ ଦେଖି ଲକଡାଉନ୍‌, ସଟ୍‌ଡାଉନ ବା କନ୍‌ଟେନ୍‌ମେଂଟ ଜୋନ୍ ଘୋଷଣା କରିବେ ବୋଲି କ୍ଷମତା ଦେଲେ। କେନ୍ଦ୍ର ସରକାର ଗୋଟିଏ ପ୍ରକାର କେବଳ ଦିଲ୍ଲୀ କରୋନା ସଂକ୍ରମଣ ଘଟଣାରେ ସିଧାସଳଖ ଭାବରେ ଦିଲ୍ଲୀ ପ୍ରଶାସନକୁ ସାହାଯ୍ୟ କଲେ। ଏହି ସମସ୍ତ ଘଟଣା ସତ୍ୱେ ଏବେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ପ୍ରାୟ ଶତକଡ଼ା ୨୦ ଭାଗରେ ବୃଦ୍ଧି ପାଉଛି ଓ ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରରେ ପରିଣତ ହୋଇଛି।

ତଥାପି ସଂକ୍ରମଣରେ ମୃତ୍ୟୁହାରରେ ଭାରତ ଶତକଡ଼ା ୨.୨୮ ରହିଛି, ଯାହାକି କମ୍ ବୋଲି ଦର୍ଶାଯାଉଛି। ସେହିପରି ଆରୋଗ୍ୟ ଲୋକଙ୍କ ସଂଖ୍ୟା ମଧ୍ୟ ଭାରତରେ ଅଧିକ, ଯାହାକି ଶତକଡ଼ା ୬୪ଭାଗ ରହିଛି। ଠିକ୍ ସେହିଭଳି ଭାବରେ ଯୁକ୍ତି ଓଡ଼ିଶା ପାଇଁ ମଧ୍ୟ ରାଜ୍ୟ ସରକାର ଗ୍ରହଣ କରି ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଥିବା ଓ ଆରୋଗ୍ୟ ହାର ଅଧିକ ଥିବା ସହିତ ମୃତ୍ୟୁହାର ଯଥେଷ୍ଟ କମ୍ ଥିବା ଦର୍ଶାଉଛନ୍ତି। କିନ୍ତୁ ଏହି ସମୟ ଭିତରେ ଯେତେବେଳେ କି ଜାତୀୟ ସ୍ତରରେ ଲକ୍‌ଡାଉନ ବନ୍ଦ ହୋଇଯାଇଛି ସେତେବେଳେ ଓଡ଼ିଶାର ବିଭିନ୍ନ ଅଂଚଳରେ, ଜିଲ୍ଲାରେ ଓ ସହରମାନଙ୍କରେ ଲକଡାଉନ୍ ଓ ସଟ୍‌ଡାଉନ୍ ଗତ ଦୁଇମାସ ହେଲା ଚାଲିଛି। ଏହା ସତ୍ୱେ ରାଜ୍ୟରେ କରୋନା ସଂକ୍ରମଣ ହାର ଓ ମୃତ୍ୟୁହାର ବଢ଼ିବା ସହିତ ଯେଉଁ ପରିବେଶ ସୃଷ୍ଟି ହୋଇଛି ସେଥିରେ ଲୋକମାନଙ୍କ ଭିତରେ ଆତଙ୍କ ଓ ଭୟ ସୃଷ୍ଟି ହେବା ସ୍ୱାଭାବିକ। ଆତଙ୍କ ବା ଭୟ ଯେକୌଣସି ସ୍ୱାଧୀନ ଗଣତନ୍ତ୍ରରେ ଭୟଙ୍କର। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଓ ବାହାରୁ ଆସିଲେ ହାତସଫା କରିବାର ଯେଉଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ପ୍ରତ୍ୟେକ ନାଗରିକଙ୍କୁ ପ୍ରଦାନ କରାଯାଇଛି ତାହା ସତ୍ୱେ ମଧ୍ୟ କେହି ବି ସ୍ୱାଭାବିକ ଭାବରେ ଜୀବନ ଅତିବାହିତ କରିପାରୁନାହାନ୍ତି। ଦୈନନ୍ଦିନ ଜୀବିକା ପାଇଁ ଲଢ଼ୁଥିବା ଛୋଟ ବେପାରୀ, ଦୋକାନୀ, ରାସ୍ତାକଡ଼ ଉଠା ଦୋକାନୀ, ବିଭିନ୍ନ ଧନ୍ଦାରେ କାମ କରୁଥିବା ଦିନମଜୁରିଆ, ସାଧାରଣ ପରିବହନ, ଟ୍ୟାକ୍ସି, ଅଟୋ ସହିତ ହୋଟେଲ, ରେଷ୍ଟୁରାଂଟ ପ୍ରଭୃତି ଏତେମାତ୍ରାରେ ବାଧାପ୍ରାପ୍ତ ହୋଇଛି ଯେ, ସେଥିରେ ଲକ୍ଷ ଲକ୍ଷ ଲୋକ ଜୀବିକା ପାଇଁ କଷ୍ଟଭୋଗ କରୁଛନ୍ତି। ପର୍ଯ୍ୟଟନ ଶିଳ୍ପ ବନ୍ଦ ହୋଇଯାଇଛି। ସବୁଠୁ ବଡ଼କଥା ହେଉଛି ଯେ, ଦେଶର ବା ଜାତିର ବଂଶଧର କୁହାଯାଉଥିବା ଛାତ୍ରଛାତ୍ରୀମାନେ ଆଉ ପାଠ ପଢ଼ିପାରୁନାହାନ୍ତି। ଅନ୍‌ଲାଇନ କ୍ଲାସ ନାମରେ ଯାହା ଚାଲିଛି ସେଥିରେ ଥିଲାବାଲା ଓ ନଥିଲାବାଲାଙ୍କ ମଧ୍ୟରେ ପିଲାଦିନୁ ଶିକ୍ଷାକ୍ଷେତ୍ରରେ ଏକ ବିରାଟ ତାରତମ୍ୟ ପ୍ରଶସ୍ତ ହେବାରେ ଲାଗିଛି। ସରକାରଙ୍କ ନୀତି ଓ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଲୋକମାନେ ପ୍ରତିବାଦ କରିବା ପ।।ଇଁ ମଧ୍ୟ କୌଣସି ସୁଯୋଗ ପାଉନାହାନ୍ତି। ଲୋକାମାନଙ୍କର ଭାବନା ବ୍ୟକ୍ତ ପାଇଁ ଥିବା ଗଣମାଧ୍ୟମଗୁଡ଼ିକ ହଠାତ୍ ସ୍ୱରହୀନ ହୋଇପଡ଼ିଛନ୍ତି। ସରକାରୀ ନୀତିର ପ୍ରଶସ୍ତି ଗାଇବା ବ୍ୟତୀତ ସେମାନଙ୍କ ନିକଟରେ ଅନ୍ୟକିଛି ବାଟ ନାହିଁ ବୋଲି କୁହାଯାଉଛି। ମତପ୍ରକାଶର ସ୍ୱାଧୀନତା ଯାହାକି ସମ୍ବିଧାନରେ ମୌଳିକ ଅଧିକାର ଭାବରେ ପ୍ରଦାନ କରାଯାଇଛି ତାହା ମଧ୍ୟ ସଂକୁଚିତ ହୋଇଯାଇଛି। ସରକାରଙ୍କର ଜନବିରୋଧୀ ନୀତି ବିରୋଧରେ ଆନ୍ଦୋଳନର ପରିବେଶ କରୋନା ସଂକ୍ରମଣଜନିତ ଭୟ ଓ ଆଶଙ୍କା ଯୋଗୁ ଆଉ ସମ୍ଭବପର ହେଉନାହିଁ।

ଏହିପରି ଅବସ୍ଥାରେ କରୋନା ପରିଚାଳନାରେ ସରକାରଙ୍କର ଭୂମିକା ଓ ନୀତି ନେଇ ପ୍ରଶ୍ନ ହେବା ସ୍ୱାଭାବିକ। ଏହା କେହି ଅସ୍ୱୀକାର କରିପାରିବେନି ଯେ ଓଡ଼ିଶା ଭଳି ରାଜ୍ୟରେ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ସମୟରେ ରାଜ୍ୟବ୍ୟାପୀ ବିଭିନ୍ନ ପଂଚାୟତରେ ଯେଉଁସବୁ କ୍ୱାରେନ୍‌ଟାଇନ ସେଂଟର ବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରମାନ ସବୁ ଖୋଲାଯାଇଥିଲା ସେଥିରେ ଗୁରୁତର ବିଶୃଙ୍ଖଳା ଓ ତ୍ରୁଟିଯୋଗୁ ଓଡ଼ିଶାର ୩୦ଟି ଜିଲ୍ଲାରେ କରୋନା ସଂକ୍ରମଣ ସଂପ୍ରସାରିତ ହୋଇଛି। ସହରରୁ ଗ୍ରାମକୁ ମଧ୍ୟ ସଂକ୍ରମଣ ବଢ଼ିଛି। ଫଳରେ ସବୁସ୍ତରରେ ଏହି ଆତଙ୍କ ଓ ଭୟର ପରିବେଶ ଯୋଗୁ କରୋନା ସଂକ୍ରମିତ ଲୋକମାନଙ୍କୁ ଅସ୍ପୃଶ୍ୟ ଭାବରେ ବିଚାର କରାଯାଉଛି। ଏପରିକି କରୋନା ସଂକ୍ରମଣରେ ମୃତ୍ୟୁ ଘଟୁଥିବା ଲୋକମାନଙ୍କୁ ପରିବାରର ଲୋକମାନେ ମଧ୍ୟ ଶବ ସତ୍କାରରେ ସହଯୋଗ କରୁନାହାନ୍ତି। ଏପରିକି ସଂକ୍ରମଣରେ ପ୍ରାଣ ହରାଇଥିବା ପୋଲିସ ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ ଶବ ମଧ୍ୟ ଘଂଟା ଘଂଟା ଧରି ଅଛୁଆଁ ହୋଇ ପଡ଼ିରହିଲା। ଏଠି ପ୍ରଶ୍ନ ଉଠୁଛି ଲକଡାଉନ ଓ ସଟ୍‌ଡାଉନ ଜରିଆରେ କୌଣସିଠାରେ ସଂକ୍ରମଣ ହାରକୁ କମ୍ କରାଯାଇପାରିବ ନାହିଁ। ବରଂ ପ୍ରତି ଲକଡାଉନ ଓ ସଟ୍‌ଡାଉନ ପରେ ସଂକ୍ରମଣ ହାର ବଢ଼ୁଛି। ସରକାର ଯୁକ୍ତି କରିପାରନ୍ତି ଯେ, ପରୀକ୍ଷା ହାର ବଢ଼ୁଥିବାରୁ ସଂକ୍ରମଣ ସଂଖ୍ୟା ବଢ଼ୁଛି। ରାଜ୍ୟ ସରକାର ଏବେ ଦୈନିକ ପ୍ରାୟ ୧୫ ହଜାର ପରୀକ୍ଷା ପାଇଁ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଯେ ସଟ୍‌ଡାଉନ୍ ଓ ଲକଡାଉନ୍ ନକରି ମଧ୍ୟ ଏହି ପରୀକ୍ଷା ବଢ଼ାଯାଇପାରିବ। ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଓଡ଼ିଶାରେ ବର୍ତମାନ ସଂକ୍ରମଣ ସଂଖ୍ୟା ୨୮ ହଜାରରୁ ଅଧିକ ହେଲେ ମଧ୍ୟ ବାସ୍ତବରେ ସଂକ୍ରମଣ ସଂଖ୍ୟା ୫ ଲକ୍ଷରୁ ଅଧିକ ହୋଇପାରେ। କାରଣ ଅନେକ ସଂକ୍ରମିତ ଥିଲେ ମଧ୍ୟ ଚିହ୍ନଟ ହୋଇପାରିନାହାନ୍ତି। କରୋନା ମୃତ୍ୟୁହାରକୁ ଦେଖି କରୋନା ପରିଚାଳନା ଭଲ ଅଛି ବୋଲି ପ୍ରଶଂସିତ ହେବାର କୌଣସି କାରଣ ନାହିଁ। କାରଣ ବିଶ୍ୱର ଅଧିକାଂଶ ସ୍ଥାନରେ ମୃତ୍ୟୁହାର ନିଶ୍ଚିତ ଭାବରେ କମ୍ ରହିଛି। ସଟ୍‌ଡାଉନ୍ ଓ ଲକ୍‌ଡାଉନ ଭିତରେ ଅନେକ ମୃତ୍ୟୁ କରୋନା ଜନିତ ମୃତ୍ୟୁବୋଲି ହିସାବ କରାଯାଉନାହିଁ।

ସଟ୍‌ଡାଉନ ଓ ଲକ୍‌ଡାଉନରେ ସଂକ୍ରମଣ ହାର କମିଯିବ ବୋଲି ଭାବିବା ଭୁଲ୍। ଯଦି କୌଣସି ରାଜ୍ୟ ବା ଦେଶକୁ ପୂରା ୧୦୦ ଦିନରୁ ଊର୍ଦ୍ଧ୍ୱ ସଂପୂର୍ଣ୍ଣ ଲକ୍‌ଡାଉନ କରିଦିଆଯାଏ ତେବେ ହୁଏତ ପରିସ୍ଥିତିରେ କିଛି ପରିବର୍ତନ ଆସିପାରନ୍ତା। କିନ୍ତୁ ଇଚ୍ଛା ଅନୁସାରେ ଜିଲ୍ଲାୱାରୀ ସଟ୍‌ଡାଉନ ବା ଲକ୍‌ଡାଉନର କୌଣସି ଅର୍ଥ ନାହିଁ। ବାସ୍ତବରେ ଅର୍ଥନୀତି ପାଇଁ ଏହା ଘୋର କ୍ଷତିକାରକ। ବାରମ୍ବାର ଲକ୍‌ଡାଉନ, ସଟ୍‌ଡାଉନ ଓ ପୁଣି ଅନ୍‌ଲକ୍‌ର ବାତାବରଣ ଯୋଗୁ ବାସ୍ତବରେ ଲୋକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଅପରପକ୍ଷରେ ବାରମ୍ବାର ସରକାରୀ ପ୍ରଚାର ଓ ପୋଲିସ ଯୋଗୁ ସାଧାରଣରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ବାତାବରଣ ଯୋଗୁ ସରକାରୀ କାର୍ଯ୍ୟ ଓ ନୀତି ଉପରେ ମୁକ୍ତ ଆଲୋଚନା ଠିକ୍ ଭାବେ ହୋଇପାରୁନାହିଁ। ଏପରିକି ନ୍ୟାୟିକ ଶାସନ ବ୍ୟବସ୍ଥାର ଏକ ମୁଖ୍ୟ ଅଂଶ ଭାବରେ କାମ କରୁଥିବା ନ୍ୟାୟପାଳିକାଗୁଡ଼ିକ ଓ ବିଶେଷ ଭାବରେ ନିମ୍ନ ଅଦାଲତଗୁଡ଼ିକ ବନ୍ଦ ହୋଇଯାଇଛି। ତେଣୁ ସରକାର କୌଣସି ନିଷ୍ପତି ଉପରେ ବା ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ କେହି ଚ୍ୟାଲେଞ୍ଜ କରିବାକୁ ଚାହିଁଲେ ମଧ୍ୟ ତାହାକୁ ହଠାତ୍ ନ୍ୟାୟ ମିଳିବ ନାହିଁ। ଅଯଥାରେ ଅଭିଯୁକ୍ତମାନେ ଜେଲ୍‌ରେ ଅଟକ ରହିବେ। ତାହା ହିଁ ଏବେ ଓଡ଼ିଶାରେ ହେଉଛି। ଏହି ଅଦାଲତ ପ୍ରକ୍ରିୟାଗୁଡ଼ିକ କିପରି ସ୍ୱାଭାବିକ ହୋଇପାରିବ ସେଥିପାଇଁ ସରକାର ବା ଉଚ୍ଚ ନ୍ୟାୟାଳୟ କୌଣସି ବ୍ୟବସ୍ଥା କରୁନାହାନ୍ତି।

ସଟ୍‌ଡାଉନ୍ ଓ ଲକଡାଉନ୍‌କୁ ଉଠାଇ ଦିଆଯାଇ ରାଜ୍ୟରେ ପରୀକ୍ଷାମୂଳକ ଭାବରେ ସ୍ୱାଭାବିକ ଅବସ୍ଥା ପାଇଁ ପ୍ରଥମ ଧ୍ୟାନ ଦିଆଯିବା ଦରକାର। ପ୍ରତିଦିନ ଯେତିକି ପରୀକ୍ଷା ହେଉଛି ତାହାକୁ ଦ୍ୱିଗୁଣିତ ବା ତିନିଗୁଣିତ କରିବା ପାଇଁ ସ୍ୱାସ୍ଥ୍ୟବ୍ୟବସ୍ଥା ନିହାତି ଆବଶ୍ୟକ। ପରୀକ୍ଷା ଅଧିକ ହେଲେ ସଂକ୍ରମଣ ସଂଖ୍ୟା ବଢ଼ିବ। କିନ୍ତୁ ଯେଉଁମାନେ ପରୀକ୍ଷିତ ହୋଇପାରୁନାହାନ୍ତି ସେମାନେ ଭୟଭୀତ ହେବାର କାରଣ ନାହିଁ। ଏହି ଲୋକମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବେ ବୋଲି ଆଶଙ୍କା କରିବା ପଛରେ କୌଣସି ବୈଜ୍ଞାନିକ ଯୁକ୍ତି ନାହିଁ। ବରଂ ବିଜ୍ଞାନୀମାନେ କହୁଛନ୍ତି ଯେ, ସଂକ୍ରମଣ ସଂଖ୍ୟା ବଢ଼ିବା ସହ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିବ। ନିକଟରେ ଦିଲ୍ଲୀରେ କରାଯାଇଥିବା ଏକ ସର୍ଭେ ଅନୁସାରେ ସେଠାରେ ପ୍ରାୟ ଏକ ଚତୁର୍ଥାଂଶ ଲୋକ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇନଥିଲେ ମଧ୍ୟ ସେମାନେ ବାସ୍ତବରେ ସଂକ୍ରମିତ ଥିଲେ। ଏହି ସଂକ୍ରମଣ ଫଳରେ ସେମାନଙ୍କ ଭିତରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି। ଓଡ଼ିଶାରେ ଓ ବିଶେଷ ଭାବରେ ଗଞ୍ଜାମ ପରି ଜିଲ୍ଲାରେ ଏବଂ ଏପରିକି ଭୁବନେଶ୍ୱରରେ ଏହି ଅବସ୍ଥା ଆସିଯିବ। ଏଥିପାଇଁ ପରୀକ୍ଷା କରାଯିବା ସମୟରେ ଯେଉଁମାନେ ରୋଗୀ ଅର୍ଥାତ୍ ଯେଉଁମାନଙ୍କର ମଧୁମେହ, ହୃଦ ବେମାର ପ୍ରଭୃତି ରହିଛି ସେମାନଙ୍କ ସହିତ ବୟସ୍କ ବ୍ୟକ୍ତିମାନଙ୍କୁ ପ୍ରଥମେ ପରୀକ୍ଷା କରାଯିବା ଉଚିତ। ଯଦି ପରିସ୍ଥିତିକୁ ସ୍ୱାଭାବିକ କରିଦିଆଯାଏ ତେବେ ବହୁଲୋକ ସେମାନଙ୍କର ଜୀବିକା ପାଇବେ ଓ ଲକଡାଉନ, ସଟ୍‌ଡାଉନ ଫଳରେ ଯେତେବେଳେ ସୁଯୋଗ ମିଳୁଛି ସେତେବେଳେ ବହୁ ସଂଖ୍ୟାରେ ଲୋକ ପରିବା ଦୋକାନ, ଅତ୍ୟାବଶ୍ୟକୀୟ ଦୋକାନ ବା ଅନ୍ୟାନ୍ୟ ଜିନିଷ ଖର୍ଦ୍ଦି ପାଇଁ ଏକ ସମୟରେ ଯିବା ଫଳରେ ଭିଡ଼ ଜମୁଛି,ଯାହାକି କରୋନାର ପ୍ରଥମ ଶତ୍ରୁ। ଜୀବନ ସ୍ୱାଭାବିକ କରିଦିଆଗଲେ ଏହି ଭିଡ଼ ହେବ ନାହିଁ। କିନ୍ତୁ ସମସ୍ତେ ସ୍ୱାସ୍ଥ୍ୟ ବିଭାଗର ପ୍ରୋଟୋକଲକୁ ମାନିବାକୁ ବାଧ୍ୟ ବୋଲି ସ୍ପଷ୍ଟ ଭାବରେ କୁହାଯାଇପାରିବ। ସରକାର ଯେତେ ଲୁଚାଇଲେ ମଧ୍ୟ ରାଜ୍ୟରେ ବା ଦେଶର ଅନେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହୋଇଛି। ବାସ୍ତବରେ ଏହାର ଫାଇଦା ନେଇ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଜରିଆରେ କରୋନାକୁ ସହଜରେ ମୁକାବିଲା କରାଯାଇପାରିବ। ସେଥିପାଇଁ ଲକଡାଉନ୍ ଓ ସଟ୍‌ଡାଉନ ବନ୍ଦ ହୋଇ ସ୍ୱାଭାବିକ ଜୀବନ ସରକାରଙ୍କର ଲକ୍ଷ୍ୟ ହେବା ଉଚିତ। ଏହାପରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ପାଇଁ ପଦକ୍ଷେପ ଜରୁରୀ ହୋଇପଡ଼ିବ। ଯେଉଁମାନେ ବିଭିନ୍ନ ରୋଗରେ ଅଛନ୍ତି ସେମାନେ କରୋନାକୁ ଭୟକରି ଡାକ୍ତରଖାନାକୁ ନଯିବା ବା ଡାକ୍ତରଖାନାର ଓପିଡି ବନ୍ଦ ହୋଇଯିବା ଆଦୌ ଶୁଭଙ୍କର ନୁହେଁ।

ବରିଷ୍ଠ ସାମ୍ବାଦିକ

ମୋ- ୯୪୩୭୪୦୪୪୫୫

ଆହୁରି ପଢ଼ନ୍ତୁ

ମାଡ଼ ମାରିବା ମହଙ୍ଗା ପଡ଼ିଲା, ପରିବାର ସହ ଗିରଫ ହେଲେ ଘର ମାଲିକ

ବିଜେଡିକୁ ମିଳିଲାନି ଛାତ୍ର ମୁଖିଆ, ରାଜ୍ୟ କମିଟିରେ ୧୪୧

ନବୀନ ବାବୁ ଆଗରୁ କେଉଁଠି ଶୋଇଥିଲେ: ସୁର

ତିର୍ତ୍ତୋଲ ପାଇଁ ନିର୍ବାଚନ ପ୍ରଚାର କମିଟି ଘୋଷଣା କଲା କଂଗ୍ରେସ

‘ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ନିର୍ବାଚନ ମଣ୍ଡଳୀ କଥା ମନେ ପଡ଼େ’

ବଚସାରୁ ହେଲା ଗୁଳିମାଡ଼, ୨ ଆହତ

ମଧ୍ୟସ୍ଥି ଓ ଦଲାଲଙ୍କ ପ୍ରତି ଆନୁଗତ୍ୟ ଦେଖାଉଛି କଂଗ୍ରେସ : ବିଜେପି

ମୃତଦେହକୁ ମିଳିଲାନି କାନ୍ଧ, ଟ୍ରଲିରେ ବୋହିଲେ ପୁଅ

ଅଧାରେ ଅଟକିଲା ଆମ୍ବୁଲାନ୍ସ; ପହଞ୍ଚିବା ପୂର୍ବରୁ ପ୍ରସବ କଲେ ମହିଳା

ମନ୍ଦିର ପରିସରରେ ମର୍ଡର

କରୋନା ବିରୋଧୀ ଲଢ଼େଇ; ଆଜିଠୁ ଗଞ୍ଜାମରେ ହେବ ଅନ୍‌ଲାଇନ୍, ଅଫ୍‌ଲାଇନ୍ କ୍ୟାମ୍ପେନ୍

ମହାମାରୀବେଳେ ବିଜୁଳି ଦର ବୃଦ୍ଧି ନିଷ୍ପତ୍ତି ଅମାନବୀୟ : କଂଗ୍ରେସ