/odisha-reporter/media/post_attachments/uploads/2020/04/Ekanta-Basa.jpg)
Ekanta-Basa
ସୂର୍ଯ୍ୟମଣି ମିଶ୍ର
ବିଶ୍ୱ ମହାମାରୀ ଭାବେ ସମଗ୍ର ବିଶ୍ୱପାଇଁ ଆତଙ୍କଭୟର ବାତାବରଣ ତିଆରି କରିଥିବା କରୋନା ଭାଇରସ୍କୁ ନେଇ ଏବେ ବୈଜ୍ଞାନିକ, ସାମାଜିକ ବିଜ୍ଞାନୀମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଆମେରିକା କହୁଛି କରୋନା ଭାଇରସ୍ ଚୀନ୍ର ହୁଆନ୍ ଲ୍ୟାବ୍ରୁ ଜନ୍ମନେଇଛି । ଚୀନ୍ କହୁଛି ଆମକୁ ଜଣାନାହିଁ, ଏହି ଭାଇରସ୍ କେଉଁ ଲ୍ୟାବ୍ରୁ ଜନ୍ମ ନେଇ ବ୍ୟାପୀଛି । ଚାଲିଛି ଅନୁସନ୍ଧାନ,ଏହି ଭାଇରସ୍ର ଜନ୍ମକୁ ନେଇ ଠିଆ ହୋଇଛି ବିବାଦ ।ଏହି କାରଣରୁ ଭାଇରସ୍କୁ ନେଇ ବିଶ୍ୱସ୍ତରରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶ୍ୱର ସବୁଠୁ ବଡ଼ ସଂସ୍ଥା ତଥା ବିଶ୍ୱାସନୀୟତା ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ପ୍ରତିଷ୍ଠାତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହି ସଂସ୍ଥାକୁ ଅନୁଦାନ ନଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆମେରିକାରେ କରୋନା ଭାଇରସ୍କୁ ନେଇ ସୃଷ୍ଟି ହୋଇଥିବା ହାହାକାରରେ ଚିନ୍ତିତ ଟ୍ରମ୍ପ୍ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରାସ୍ଙ୍କୁ ଚୀନ୍ର ଏଜେଣ୍ଟ୍ ବୋଲି କହିଛନ୍ତି ଟ୍ରମ୍ପ । ଏହା ସହ ସେ ଚୀନ୍ର ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଚୀନ୍ ସଂକ୍ରମଣ ଏବଂ ମୃତକଙ୍କ ସଠିକ୍ ସଂଖ୍ୟା କହୁନାହିଁ । ଆମେରିକା ରାଷ୍ଟ୍ରପତି ଚୀନ୍ର ବୁହାନର ପ୍ରୟୋଗଶାଳାର ଭାଇରସ୍ରେ ନିରୁପାୟ । ଏଥିରୁ ମୁକ୍ତି ପାଇବା ପାଇଁ ଅହରହ ଉଦ୍ୟମରତ ତଥା ସଂଗ୍ରାମରତ ।
ଚୀନ୍ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସ କହିଛି ଆମେରିକା ଚୀନ୍ ବିରୋଧରେ ପ୍ରଚାର ଏବଂ ଆଲୋଚନା କରିବା ପରିବର୍ତ୍ତେ ମହାମାରୀକୁ ନିପାତ କରିବା ପାଇଁ ଲଢିବା ଉଚିତ୍ । ଚୀନ୍ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ଯେ, ଆମେରିକା ଅଭିଯୋଗର କୌଣସି ପ୍ରମାଣ ନାହିଁ ଯେ, ଏହି ଭାଇରସ୍ ଚୀନ୍ର ବୁହାନ୍ ଅଞ୍ଚଳର ଲ୍ୟାବ୍ରୁ ଜନ୍ମନେଇଛି । ନିକଟରେ ଚୀନ୍ର ଜୈବ ବିଜ୍ଞାନୀ ଜଣେ ଏହି କଥାକୁ ସ୍ୱୀକାର କରି କହିଛନ୍ତି ଯେ, ଯଦି ଏହି ଭାଇରସ୍ର ଜନ୍ମ ସଂପର୍କରେ ଜଣାପଡ଼ିଯିବ ତେବେ ଏହାକୁ ନିୟନ୍ତ୍ରଣ କରିବା ସହଜ ହେବ ଏବଂ ଚିକିତ୍ସା କରିବା ସୁବିଧା ହେବ । ଏହା ମଧ୍ୟ ଜଣାପଡ଼ିବ ଯେ, କିପରି ସଂକ୍ରମିତ ହେଉଛି, ପ୍ରସାରିତ ହେଉଛି ଏବଂ ଏହାର ବାହାକ କେଉଁ ପଶୁ? କିନ୍ତୁ ଦୀର୍ଘ ୩ ମାସ ପରେ ମଧ୍ୟ ଏ ସଂପର୍କରେ ସମ୍ମାନ ମିଳିପାରିନାହିଁ । ଆମେରିକାର ବାୟୋଲୋଜି କେନେଡ଼ି ସାର୍ଟିଜ୍ ଏହି ସମସ୍ତ ଭାଇରସ୍ ଚୀନ୍ର ଗୁଆଙ୍ଗ୍ ସାଙ୍ଗ୍ ଅଞ୍ଚଳରୁ ଜନ୍ମ ନେଇଛି ବୋଲି ମତ ଦେଇଛନ୍ତି । ସେ ୧୦୦ ବର୍ଷ ତଳର ପଲ୍ଲୁ ଭାଇରସ୍ର ଉଦାହରଣ ଦେଇଛନ୍ତି । ସାର୍ସ ଭାଇରସ୍ର ଉତ୍ପତ୍ତି ୨୦୦୩ରେ ଚୀନ୍ରେ ହୋଇଥିଲା । ଏହି ଭାଇରସ୍ରେ ବିଶ୍ୱର ୫ରୁ ୬ କୋଟି ଲୋକଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଦ’ ଗ୍ରେଟ୍ ଇନ୍ଫ୍ଲୁଏଞ୍ଜା ରୋଗର ଉତ୍ପତ୍ତି ଆମେରିକାରେ ହୋଇଥିଲେ ହେଁ ସ୍ପେନ୍କୁ ବଦନାମ କରାଯାଇଥିଲା ବୋଲି ଚୀନ୍ କହିଛି । ଏହି ଇନ୍ଫ୍ଲୁଏଞ୍ଜା ଭାଇରସ୍ରେ ଭାରତର ୨ କୋଟି ଲୋକଙ୍କର ମୃତ୍ୟୁ ଘଟିଥିଲା । କାରଣ ଥିଲା ଯେଉଁ ସୈନିକମାନେ ପ୍ରଥମ ବିଶ୍ୱଯୁଦ୍ଧରେ ଭାଗ ନେଇ ଭାରତକୁ ଫେରିଥିଲେ ସେହିମାନେ ସଂକ୍ରମିତ ହୋଇଥିବା କାରଣରୁ ଭାରତରେ ଏହି ରୋଗ ବ୍ୟାପୀଥିଲା । ଏଡ୍ସ ଲକ୍ଷଣ ପ୍ରଥମେ ଆମେରିକାରେ ନିମୋନିଆ ରୂପରେ ଦେଖାଦେଇଥିଲା । କିନ୍ତୁ କୁହାଯାଇଥିଲା ଯେ, ଏହି ରୋଗ ଚେଙ୍ଗ୍ ପେଙ୍ଗ୍ ଜି ଏବଂ ଆଫ୍ରିକାରୁ ଆରମ୍ଭ ହୋଇଥିଲା । ଇନ୍ଫ୍ଲୁଏଞ୍ଜା ବ୍ୟାପିବା ଫଳରେ ୭୦ ବର୍ଷରେ ୧୦କୋଟି ଲୋକଙ୍କ ଜୀବନ ଦୀପ ଲିଭିଲା ।
ଏଇଠି ସୂଚନା ଦେବା ଉଚିତ୍ ହେବ ଯେ, ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଆଉ ୭ ମାସ ଅଛି । ଫଳରେ ଏହି ଭାଇରସ୍କୁ ନେଇ ରାଜନୀତି ଆରମ୍ଭ ହୋଇଛି ବିଶ୍ୱସ୍ତରରେ । ଆଶଙ୍କା ଦେଖାଦେଇଛି ଯେ, କରୋନା କ୍ରାନ୍ତି ପରେ ଏସିଆର ଅର୍ଥ ବ୍ୟବସ୍ଥା ଭୁଷୁଡ଼ିଯିବ । ଜିଡ଼ିପି ଶୂନ୍ୟ ହୋଇଯାଇପାରେ । ଏଭଳି ଆଶଙ୍କାର ବାର୍ତ୍ତା ଦେଇଛି ଆନ୍ତର୍ଜାତୀୟ ମୂଦ୍ରାପାଣ୍ଠି । ଉଦାହରଣ ଦେଇ କୁହାଯାଇଛି ଯେ, ଆମେରିକାରେ ଅପ୍ରେଲ ପ୍ରଥମ ସପ୍ତାହରେ ୬୬ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି । ମାସ ଶେଷ ଦୁଇ ସପ୍ତାହରୁ ଆରମ୍ଭ କରି ଅପ୍ରେଲ ମାସ ପ୍ରଥମ ସପ୍ତାହ ମଧ୍ୟରେ ଏକ କୋଟି ୬୦ଲକ୍ଷ ଲୋକଙ୍କର ନିଯୁକ୍ତି ଚାଲିଯାଇଛି । ଆମେରିକାର କେନ୍ଦ୍ରିୟ ବ୍ୟାଙ୍କ୍ ସେଣ୍ଟ୍ଲୁଇସ୍ର ଅର୍ଥନୀତିଜ୍ଞ ଅନୁମାନ କରିଛନ୍ତି କରୋନା ଭାଇରସ୍ର ଅନ୍ତ ଘଟିବା ପରେ ଆମେରିକାର ୫ କୋଟି ଲୋକଙ୍କର ନିଯୁକ୍ତି ଚାଲିଯିବ । ବେକାରୀ ହାର ୩୨ ପ୍ରତିଶତରୁ ଅଧିକ ହେବ । ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ଦୀର୍ଘ ୧୦୦ ବର୍ଷ ପରେ ଏଭଳି ଝଟକା ଦେଖିବ । ଭାରତ ପରିପ୍ରେକ୍ଷୀରେ ସେଣ୍ଟର ଫର୍ ମନିଟରିଙ୍ଗ୍ ଭଳି ସଂସ୍ଥା ଆକଳନ କରି କହିଛି ଯେ, ଗତ ଫେବୃଆରୀ ମାସରେ ୪୦ କୋଟିରୁ ଅଧିକ ଲୋକଙ୍କ ପାଖରେ କାମ ଥିଲା । ତାଲା ବନ୍ଦ୍ର ଗୋଟିଏ ସପ୍ତାହ ପରେ ୨୮.୫ କୋଟିଙ୍କ ପାଖରେ କାମ ରହିଲା । ତାଲା ବନ୍ଦ୍ର ଦୁଇ ସପ୍ତାହ ମଧ୍ୟରେ ୧୧.୯ କୋଟି ଲୋକ ଭାରତରେ ବେକାର ହେଲେ । ଏଭଳି ସୂଚନା ପ୍ରମାଣିତ କରୁଛି ଯେ, କରୋନା କ୍ରାନ୍ତି ପରେ ବିଶ୍ୱର ଆର୍ଥିକ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ିବ । ଭାରତ ଭଳି ଅବିକଶିତ ରାଷ୍ଟ୍ରରେ ଏବଂ ଓଡ଼ିଶା ଭଳି ପଛୁଆ ରାଜ୍ୟରେ ଦାରିଦ୍ର୍ୟ, ଅନାହାର ମୃତ୍ୟୁ, ପିଲାବିକ୍ରୀ, ନାବାଳିକା ଚାଲାଣ, ମରୁଡ଼ି, ଦାଦନ ସମସ୍ୟା, ଚାଷୀ ଆତ୍ମହତ୍ୟା ଭଳି ସମସ୍ୟା ଅଧିକ ଦେଖାଦେବ ।
ଆମେରିକାର ୪୮ତମ ରାଷ୍ଟ୍ରପତି ଜଜ୍ର୍ ଡବ୍ଲୁ ବୁଶ୍ ଯିଏକି ସେ ଦେଶର ବଡ଼ ଗୁଇନ୍ଦା ସଂସ୍ଥା ‘ସିଆଇଏ’ର ମୁଖ୍ୟ ଥିଲେ । ସେହି ସମୟରେ ଅର୍ଥାତ୍ ୨୦୦୪ରେ ଗୋଟିଏ ପୁସ୍ତକ ପ୍ରକାଶ ପାଇଥିଲା । ସେ ପୁସ୍ତକଟିର ଲେଖକ ଥିଲେ ଜନ୍ଏମ୍ବେରୀ, ତାଙ୍କ ପୁସ୍ତକର ନାମ ଥିଲା ‘ଦ ଗ୍ରେଟ୍ ଇନ୍ଫ୍ଲୁଏଞ୍ଜା ଦ ଏପିକ୍ ଷ୍ଟୋରି ଅଫ୍ ଦ ଡେଡ୍ଲି ପ୍ଲେଗ୍ ଇନ୍ ହିଷ୍ଟ୍ରି’ ଏହି ପୁସ୍ତକଟି ୧୯୧୮ର ସ୍ପେନିସ୍ ପଲ୍ଲୁ ସଂପର୍କରେ ଲେଖାଯାଇଥିଲା । ଏହି ପୁସ୍ତକଟିକୁ ଅଧ୍ୟୟନ କରିଥିଲେ ବୁଶ୍ । ଆଗକୁ କରୋନା ଭାଇରସ୍ ଭଳି ଏକ ଭାଇରସ୍ ବ୍ୟାପୀବା ନେଇ ଏହି ପୁସ୍ତକ ଭବିଷ୍ୟବାଣୀ କରିଥିଲା । ବୁଶ୍ ଏଥିପାଇଁ ୭୧୦୦ କୋଟି ଡଲାରର ବଜେଟ୍ ରଖିଥିଲେ । ଅର୍ଥାତ୍ ଆମେରିକାର ଏହି ରାଷ୍ଟ୍ରପତି ପୁସ୍ତକଟିକୁ ପଢି ୧୫ ବର୍ଷ ପୂର୍ବରୁ ଭାଇରସ୍ କବଳରୁ ବଞ୍ôଚବା ପାଇଁ ପ୍ରସ୍ତୁତି କରିଥିଲେ । ଅର୍ଥନୀତିରେ ଗୋଟିଏ ଢଗ ଅଛି ‘ଯଦି ଇଚ୍ଛାଗୁଡ଼ିକ ଘୋଡ଼ା ହେବେ ତେବେ ଭିକାରୀମାନେ ଘୋଡ଼ା ଚଢିପାରିବେ’ ଏହି ଢଗ ଆଜି ଦିନରେ ବିପର୍ଯ୍ୟସ୍ତ ଅର୍ଥନୀତି ଉପରେ ଆଖି ପକାଇଲେ ପ୍ରାସଙ୍ଗିକ ବୋଲି ମନେହୁଏ ।
୨୦୦୮ରେ ଯେତେବେଳେ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା ସେତେବେଳେ ଅର୍ଥବ୍ୟବସ୍ଥା ସ୍ଥିର ଥିଲା । ଏହା ପଛରେ ଯେଉଁ ବଡ଼ କାରଣଟି ଥିଲା ତାହା ହେଲା ଭାରତର ଗ୍ରାମୀଣ ଅର୍ଥବ୍ୟବସ୍ଥା । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଆର୍ଥିକ ବିକାଶ ହାର ବୃଦ୍ଧି ହେବା ପରିବର୍ତ୍ତେ ଶୂନ୍ୟ ହୋଇଯାଇପାରେ । ଏପରି ସ୍ଥିତି ଗତ ୬୦ ବର୍ଷରେ ଭାରତ ସମ୍ମୁଖୀନ ହେବ!ଏହି ଆଶଙ୍କା ପ୍ରକାଶ କରିଛି ଆନ୍ତର୍ଜାତୀୟ ମୂଦ୍ରାପାଣ୍ଠି । ଆନ୍ତର୍ଜାତୀୟ ଖାଦ୍ୟ ଅନୁସନ୍ଧାନ ସଂସ୍ଥା କହିଛି କରୋନା କ୍ରାନ୍ତି ପରେ ଖାଦ୍ୟ ଅସୁରକ୍ଷା, କୁପୋଷଣ ଏବଂ ଗରିବୀ ବଢିବ । ଆଜି ଏପରି ସ୍ଥିତିର ପ୍ରାକ୍ ସୂଚନା ଗାଁରୁ ମିଳିଛି । ମୁମ୍ବାଇ ରେଳଷ୍ଟେସନରୁ ଦେଖିବାକୁ ମିଳିଛି । ଗୁଜରାଟର ସୁରଟରେ ଦେଖିବାକୁ ମିଳିଛି । ସାଧାରଣ ନାଗରିକ ଜଣେ ପ୍ରଶ୍ନ କରୁଛନ୍ତି ଖାଦ୍ୟ କେଉଁଠୁ ମିଳିବ । ଆଉ ଜଣେ ଧନୀକ ବର୍ଗର ଲୋକ ପ୍ରଶ୍ନ କରୁଛନ୍ତି ଏହି କରୋନା କ୍ରାନ୍ତି ପରେ ମୋ ବାଲାନ୍ସ ସିଟ୍ କିପରି ଅଧିକ ହେବ? କରୋନା ଭାଇରସ୍ ପରେ କେବଳ ଆମ ରାଜ୍ୟ ଓଡ଼ିଶା ନୁହେଁ, କି ଆମ ଦେଶ ଭାରତ ନୁହେଁ, ସମଗ୍ର ବିଶ୍ୱର ଦେଶ ଗୁଡ଼ିକରେ ନୀତି ନୁହେଁ, ନୈତିକତା ଅଧିକ ପ୍ରୟୋଜନୀୟ ବା ଆବଶ୍ୟକ ହୋଇପଡ଼ିବ ।
ନୀତିର ଅର୍ଥ ଆମକୁ ଜଣାପଡ଼େ ସରକାର କୌଣସି ଅର୍ଥନୀତି ତିଆରି କରନ୍ତି । ଜରୁରୀକାଳୀନ ଅନ୍ତରିଣ ବଜେଟ୍ ବ୍ୟବସ୍ଥା କରନ୍ତି । ଛାଡ଼ ଏବଂ ରିହାତି ପ୍ରଦାନ କରନ୍ତି । କିନ୍ତୁ ସରକାର ଏହି କରୋନା ଯିବା ପରେ ଯେଉଁ ସ୍ଥିତିର ସମ୍ମୁଖୀନ ହେବେ ତାହାକୁ କିପରି ଭାବେ ମୁକାବିଲା କରିବେ ତାହାହିଁ ପ୍ରଶ୍ନ ଭାବେ ଦେଖାଦେଇଛି । ଆଉ ଲୋଭ ଆଧାରିତ ଆର୍ଥିକ ନୀତି ପ୍ରାସଙ୍ଗିକ ହେବନାହିଁ । ଆମେ ସମସ୍ତେ ଜାଣିଛନ୍ତି ବଜାର ହେଉଛି ଏକ ବିନିମୟ ପ୍ରଣାଳୀ ବଜାରକୁ ଦଖଲ କରିଥିବା ବା ସଂଚାଳନ କରୁଥିବା ବ୍ୟକ୍ତିଙ୍କ ଲକ୍ଷ୍ୟ ଓ ନୀତି ଅଧିକରୁ ଅଧିକ ମୁନାଫା ଅର୍ଜନ କରିବା । ଏହି କରୋନା କ୍ରାନ୍ତି ପରେ ସରକାରୀ ନୀତି ଅପେକ୍ଷା ନୈତିକତା ଗୁରୁତ୍ୱ ବହନ କରିବ । ସରକାରଙ୍କ ଉପକରଣ ହେଉଛି ନୀତି, ନୈତିକତା ହେଉଛି ଜନତାଙ୍କର । ଶେଷରେ ଗାନ୍ଧିଜୀଙ୍କ ପାର୍ଥନା ପ୍ରବଚନ ଖଣ୍ଡ-୨, ପୃଷ୍ଠା ୧୩୯ର ଉଦ୍ଧୃତ ବାକ୍ୟକୁ ଏଠାରେ ଉଲ୍ଲେଖ କରିବା ନିଶ୍ଚୟ ଆମ ରାଜ୍ୟ, ଆମ ଦେଶ ଏବଂ ବିଶ୍ୱ ପାଇଁ ଶୁଭଙ୍କର ହେବ । ଭୁଷୁଡ଼ି ପଡ଼ିବାକୁ ଯାଉଥିବା ଅର୍ଥନୀତି ସାମାଜିକ ବ୍ୟବହାରକୁ ସୁରକ୍ଷିତ କରିପାରିବ । ଗାନ୍ଧିଜୀ ଏହି ପ୍ରବଚନ ମାଧ୍ୟମରେ କହିଛନ୍ତି, ନୀତି ନୁହେଁ, ନୈତିକତା ହିଁ ବଡ଼ ଆବଶ୍ୟକତା। ଏହି ନୈତିକତା ହିଁ କରୋନା ଭାଇରସ୍ର ବିପତ୍ତି କବଳରୁ ମାନବ ସଭ୍ୟତା, ସଂସ୍କୃତି, ଚଳନି, ଜୀବନଧାରା, ପ୍ରକୃତିକୁ ବଞ୍ଚାଇବା ସହ ଅର୍ଥବ୍ୟବସ୍ଥାକୁ ସଜାଡ଼ି ପାରିବ । ଆଉ ଲୋକ ନୁହେଁ, ବରଂ ନୈତିକତା ଆଧାରରେ ଭୁଷୁଡ଼ି ପଡ଼ିବାକୁ ଯାଉଥିବା ଅର୍ଥ ବ୍ୟବସ୍ଥାକୁ ଏବଂ ମାନବ ସମ୍ପଦକୁ ରକ୍ଷା କରାଯାଇପାରିବ ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଦୂରଭାଷ: ୯୪୩୮୦୦୬୨୧୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
