- ମାୟାଧର ନାୟକ
ଲୋକବିଶ୍ୱାସରେ ଗଚ୍ଛିତ ଅଛି ନିହତ ଯୁଗର ନାନା ନୃତାତ୍ତ୍ୱିକତା। ଅତି ପୁରାତନ ଭାବକଳ୍ପର ଭଗ୍ନାଂଶଗୁଡ଼ିକ ବେଳେବେଳେ ମନେହୁଏ କେଉଁ ବିସ୍ମୃତ, ବିଲୁପ୍ତ ବାସ୍ତବତାର ଭିତ୍ତିଚିତ୍ର - ନ ହେଲେ କେଉଁ କାୟାତୀତ କ୍ଳୁପ୍ତକାଳର କଂକାଳ ... ସେଥିପାଇଁ ପ୍ରାଚୀନ ରୂପକଥା ଓ ଲୋକକଥାରେ ପରିବେଷିତ ପରିବେଶ ଆମ ମନଶ୍ଚେତନାରେ ସୃଷ୍ଟି କରେ ରୋମାଂଚକର ରହସ୍ୟବୋଧ। ପୁରାଣର ‘ଗରୁଡ଼’ ଏକ ଗରିମାମୟ ପକ୍ଷୀକଳ୍ପ, ଯାହାର ଅତିକଳ୍ପନାକୁ ଅନୁସରଣ କରିବା ପରି, ଲୋକକଥାରେ ବର୍ଣ୍ଣିତ ଗଣ୍ଡଭୈରବ ପକ୍ଷୀ ବିରାଟ ଡେଣା ବିସ୍ତାର କରି ଘୋଡ଼ାଇଦିଏ ଆକାଶର ମେଘଖଣ୍ଡ! ସେମିତି ପୌରାଣିକ ପକ୍ଷୀ ସଂପାତି - ଯିଏ ସୂର୍ଯ୍ୟକୁ ଆବୋରିବାକୁ ଯାଇ ପାଂଶୁଳ କରିଦେଇଚି ନିଜର ଦୁଇ ବିଶାଳ ପକ୍ଷ। ତା’ ସାନଭାଇ ଜଟାୟୁ - ପୁରାଣର ସୀତାପହର୍ତ୍ତା ରାବଣ ସହିତ ଘମାଘୋଟ ଯୁଦ୍ଧ କରି, ଯିଏ ହରାଇଛି ନିଜ ବିସ୍ତାରିତ ଡେଣାଦୁଇଟି!
ଏମାନେ ପ୍ରକୃତରେ କାଳ୍ପନିକ ପକ୍ଷୀ ନା ପ୍ରାଗୈତିହାସିକ ପକ୍ଷୀସମାଜର ପୂର୍ବ ପ୍ରତିନିଧି - ଅତିକଳ୍ପନା ଓ ଅତିବାସ୍ତବତା ମଝିରେ ଏହା ଏକ ପ୍ରକାଣ୍ଡ ପ୍ରଶ୍ନବାଚୀ ଚିହ୍ନ! ଯେମିତି ଡାଇନୋସାର୍ମାନେ ଏକଦା ଏ ପୃଥିବୀରେ ଚଳପ୍ରଚଳ କରୁଥିଲେ, ସେମିତି ପ୍ରକାଣ୍ଡକାୟ ପକ୍ଷୀମାନେ କ’ଣ ଆକାଶରେ ସେଦିନ ଉଡୁଥିଲେ ଅବାଧ ଭାବରେ? ଆକାଶ! ସବୁଦିନେ ଏ ହତଚକିତ ମହୀମଣ୍ଡଳ ଆଗରେ ବିଶାଳ ବିସ୍ମୟବାଚୀ! ଡାଇନୋସାର୍ମାନଙ୍କ ପୃଥିବୀ ଉପରେ ହୁଏତ ସେଦିନ ବେଢ଼ିଥିବ ପ୍ରାଗୈତିହାସିକ ପକ୍ଷୀସମାଜର ସେ ଆଶ୍ଚର୍ଯ୍ୟଜନକ ଆକାଶ!
ହୁଏତ ବି ସେମିତି ବିଦ୍ୟମାନ ଥିବ ଅଦ୍ଭୁତକର୍ମା ଅତିକାୟ ଅସୁର ସାମ୍ରାଜ୍ୟ - ଦୁର୍ବାର ଦାନବର ଦୁର୍ଭେଦ୍ୟ ଦୁର୍ଗ। କୁହାଯାଏ, ଆକାଶ ହେଉଛି ଦିବ୍ୟ ଦେବାଧିଷ୍ଠାନ। ସେଥିପାଇଁ ଦେବାଧୀନ ଆକାଶ ସହିତ ଦାନବାଧିକୃତ ମର୍ତ୍ତ୍ୟର ସେଇ ନିରବଚ୍ଛିନ୍ନ ସଂଘର୍ଷ ବଳବତ୍ତର ରହିଥିଲା ବହୁକାଳ - ଯେଉଁ ମହାସଂଘର୍ଷର ସ୍ପର୍ଶ ଆମେ ଅନୁଭବ କରୁ ପୌରାଣିକ ପରିକଳ୍ପନାରୁ ଆରମ୍ଭ କରି ଲୌକିକ କଥିତ-କାହାଣୀର ପରିସୀମା ପର୍ଯ୍ୟନ୍ତ। ଅବଶେଷରେ ଘଟିଛି ମାନବର ମହାବିର୍ଭାବ। ମାନବ କିନ୍ତୁ ଦେବତା ପକ୍ଷରେ ରହି ଦାନବର ପ୍ରତିପକ୍ଷ ପାଲଟିଲା - ଯେତେବେଳେ ଜନ୍ମ ହୋଇନଥିଲା ଇତିହାସ। ପୁରାଣ ସୂଚନା ଦେଇଛି ଯେ, ଶେଷଯୁଦ୍ଧରେ ଦେବ-ମାନବ ମିଳିତ ପକ୍ଷ ନିକଟରେ ପରାଜୟପ୍ରାପ୍ତ ଦାନବ ଯାଇ ଆଶ୍ରୟ ନେଇଛି ଅତଳ ପାତାଳରେ! ତୁଷ୍ଟି ଓ ତୋଷାମଦିରେ ଦେବତାର ଅନ୍ତର ଜୟ କରି ମାନବ ଏହାପରେ ହାସଲ କରୁଛି ମର୍ତ୍ତ୍ୟ। ଏପରିକି ଦାନବରାଜ ଦାନବୀର ବଳୀକୁ ପାତାଳ ପେଷିବା ପାଇଁ ଭଗବାନ ବିଷ୍ଣୁ ସ୍ୱୟଂ ବରଣ କରିଛନ୍ତି ବାମନାବତାର! ଏ ‘ବାମନ’ - ଆକୃତିରେ ‘କ୍ଷୁଦ୍ରମାନବ’ - ପ୍ରକୃତିରେ ‘ନବମାନବ’!
ଦେବଦେବୀ ରହିଗଲେ ସ୍ୱର୍ଗରେ, ଦାନବଦାନବୀ ପାତାଳରେ। ଦାନବାଧିକାରକୁ ଧ୍ୱସ୍ତ କରି ମାନବ ହାସଲ କଲା ମର୍ତ୍ତ୍ୟର ମାଲିକାନା।
ଏସବୁ ଯେତେ ପୌରାଣିକ କାହାଣୀର କଳ୍ପନା ନୁହେଁ, ମନେହୁଏ ସେତେ ବିସ୍ମୃତ ବାସ୍ତବତାର ବିଲୁପ୍ତ ବୃତ୍ତାନ୍ତ ଯେପରି! ଅତିକାୟତା ଅନ୍ତର୍ହିତ; କ୍ଷୁଦ୍ରତା ସର୍ବବ୍ୟାପ୍ତ।
ଦେବ ଓ ଦାନବ ମଧ୍ୟରେ ସନ୍ଧି କେବେ ସ୍ୱାକ୍ଷରିତ ହୋଇପାରିଲା ନାହିଁ ବୋଲି ମାନବ ଅର୍ଜିପାରିଲା ଅପରିମିତ ମୁନାଫା। ଦାନବକୁ କ୍ଷୁଦ୍ରମାନବ ପାତାଳକୁ ପେଷିଦେବା ପରେ ଏବେ ମର୍ତ୍ତ୍ୟରୁ ଚାହୁଁଚି ମହାକାଶକୁ। କ୍ଷୁଦ୍ରମାନବର କ୍ଷୁଧା ନିଜର କ୍ଷୁରଧାରରେ ସମଗ୍ର ସଂସାରରେ ସଂତ୍ରାସ ସଂଚାର କରିସାରିଛି କେବଠୁ।
ଅତିକାୟ ଅସୁରର ଏତେବଡ଼ ଆଁ’ - ଯାହା ଭିତରେ ନିଅଣ୍ଟ ପଡୁଥିଲା ସାତ ଶଗଡ଼ ଭର୍ତି ଖାଦ୍ୟସାମଗ୍ରୀର ସୁବିପୁଳ ସମ୍ଭାର, ସେ ଆଁ’ଠୁ ଆଜି ଅୟୁତନିୟୁତ ଗୁଣ ବଡ଼ ମୁନାଫାଖୋର୍ ମଣିଷର ଆଁ’!
କ୍ଷୁଦ୍ରମାନବର କ୍ଷୁଧା...
ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ସବୁକୁ ଚରି, ଚବ୍ୟ-ଚୋଷ୍ୟ-ଲେହ୍ୟ ଅନ୍ତେ, ଚଳୁ କରି ଦେଇପାରେ ଦିନେ। ସେଦିନ କ୍ଷୁଦ୍ରମାନବର ଇତିହାସ - ହୁଏତ ପାଲଟିଯାଇପାରେ ଭବିଷ୍ୟତର ଭସ୍ମଲିପି ... ପାଉଁଶ ପୁରାଣ!
ଯଦି କେହି ମାଆ ଜାଗି ରହିଥାଏ ସେଦିନ ଯାଏଁ, ହୁଏତ ତା’ଠୁ ତା’ କୋଳ ପିଲାଟି ଶୁଣୁଥିବ କାନ୍ଦୁରା କାହାଣୀ ... ଦିନେ ‘ମଣିଷ’ ଥିଲା ଏଇଠି - ଏଇ ମାୟାମଣ୍ଡଳରେ!
... ମାତ୍ର ନିଜର ଅତିକାୟ କ୍ଷୁଧାଗର୍ଭରେ ସେ କ୍ଷୁଦ୍ରମାନବ ନିଜେ ହିଁ ପାଲଟିଗଲା ଅସହାୟ ଅନ୍ତିମ ଆହାର!
ସେ ସାତଜଣ।
ନିର୍ଜଳ ମରୁଭୂମିରେ ଖୋଜୁଥିଲେ ଏକ ଅନ୍ତଃସଲିଳାର ଅସ୍ତିତ୍ୱ। ନଦୀ, ଉପନଦୀ, ଶାଖାନଦୀ - ନଦୀମାନଙ୍କର ନାନାଦି ନକ୍ସା ତଲାସୁ ତଲାସୁ ସେମାନେ ଆବିଷ୍କାର କରିଥିଲେ ଏଇ ଅଦ୍ଭୁତ ଅନ୍ତଃସଲିଳାର ଅତୀତ! ସେ ଅତୀତ ଥିଲା ସପ୍ତଶତୀ ସହସ୍ରାବ୍ଦ ପୂର୍ବର ଅପୂର୍ବ ଅତୀତ। ଏକଦା ପ୍ରବାହିତ ହେଉଥିଲା ପ୍ରଖର ସ୍ରୋତସ୍ୱତୀ, ଯାହାର ଦୁଇକୂଳେ ଅରଣ୍ୟାନୀ ଥିଲା ଅନନ୍ତ ଆକାଶର ଆଶୀର୍ବାଦପ୍ରାପ୍ତ। ସେତେବେଳେ ପ୍ରକୃତି ଥିଲା ପ୍ରସାରିତ - ବନୌଷଧିର ବାସ୍ନା ସମେତ ଅନେକ ଅନେକ ଅନାମିକା ଫୁଲର ସୁଗନ୍ଧି କିନ୍ତୁ ରହିଆସିଥିଲା ଅନାଘ୍ରାତ। ଲକ୍ଷାଧିକ ବର୍ଷ। ଶେଷଆଡ଼କୁ ହଜାରହଜାର ବର୍ଷ ସେଇ ଲକ୍ଷଲକ୍ଷ ବର୍ଷ ଭିତରେ କେଉଁଠି କେଜାଣି ଦାନା ବାନ୍ଧିବାକୁ ଆରମ୍ଭ କରୁଥିଲା ଧୀରେଧୀରେ। ପ୍ରକୃତି କୋଳରେ ଆବିର୍ଭୂତ ହେବାକୁ ଆରମ୍ଭ କଲେ ନାନା ନୂତନ ଆକୃତି କାଳାନୁକ୍ରମେ।
ଜଳରେ ମୀନ, ସ୍ଥଳରେ ମନୁଷ୍ୟ, ବ୍ୟୋମରେ ବିହଙ୍ଗମ - ସେଇ ଅନେକ ଆକୃତି ମଧ୍ୟରୁ ଏ ତିନୋଟି ହେଉଛି ପ୍ରତିପାଦିତ ପ୍ରତୀକର ପ୍ରତିରୂପ। ପ୍ରଥମଟି ମଗ୍ନ - ଦ୍ୱିତୀୟଟି ନଗ୍ନ - ତୃତୀୟଟି ସଂଲଗ୍ନ। ଯିଏ ମଗ୍ନ, ସେ ମୃତ୍ତିକା ଭାଗରେ ମୃତପ୍ରାୟ। ଯିଏ ନଗ୍ନ, ସେ ପାତାଳଗଙ୍ଗାରୁ ପାରିଜାତ ଉଦ୍ୟାନ ପର୍ଯ୍ୟନ୍ତ ଉନ୍ମୁଖ। ଯିଏ ସଂଲଗ୍ନ, ସେ ମୃତ୍ତିକା ସହିତ ମହାଶୂନ୍ୟତାର ସଂଯୋଗସ୍ଥଳରେ ସତତ ସଂଚରଣଶୀଳ। ପ୍ରତୀକତ୍ରୟ ଯଥାକ୍ରମେ ସଂତରଣ, ସଂଧାନ, ସଂଚରଣର ସୂଚକ। ମାତ୍ର ମଧ୍ୟ ପ୍ରତୀକଟିର ସଂଧାନ ମଧ୍ୟରୁ ସୃଜ୍ୟମାଣ ସଭ୍ୟତାର ସଜାଗ ସଂଚାର। ନଗ୍ନତା ଉପରେ ଏ ସଭ୍ୟତା ଅତଏବ ଏକ ଆଚ୍ଛାଦନ, ଯାହା ତଳେ ଲୁଚିରହିଗଲା ଆଦିମତା, ବର୍ବରତା, ବନ୍ୟତା।
ସେ ପ୍ରଖର ସ୍ରୋତସ୍ୱତୀ କୂଳେକୂଳେ ମୀନାବତାର କଥା ଶୁଭୁଥିଲା ମୁନିମୁଖରୁ। ନଦୀ-ବନ-ଗିରି-ଆକାଶ ସର୍ବତ୍ର ଲୀଳା ପ୍ରକାଶକାରୀ ଏକ ଅଦୃଶ୍ୟ ସଂଚାର ବିଚିତ୍ର ବିଶ୍ୱାସ ବନ୍ୟମନୁଷ୍ୟକୁ କଲା ଧର୍ମଭୀରୁ। ଶିକାରୀ ମନୁଷ୍ୟ ପାଲଟିଲା କର୍ମପ୍ରବଣ କୃଷିକାର। କ୍ରମେ କୃଷ୍ଟିକୁ ସୃଷ୍ଟି କଲା ଏଇ କୃଷିକର୍ମ। ସଂସ୍କୃତିକୁ ଜନ୍ମ ଦେଲା ସଭ୍ୟତା। କଳ୍ପନାରୁ କଳା, କଳନାରୁ କାରିଗରି, ସନ୍ଧିତ୍ସାରୁ ସର୍ବସାର ଜ୍ଞାନ, ସଂଶୟରୁ ଷଡ଼ଦର୍ଶନ, ବିସ୍ମୟରୁ ବେଦମନ୍ତ୍ର, ବିଷାଦରୁ ଯୋଗ, ବିଶ୍ଳେଷଣରୁ ବିଜ୍ଞାନ - ସଭ୍ୟତାର ସ୍ଥୂଳ ସ୍ତର ପରେ ସୂକ୍ଷ୍ମ ସ୍ତରସବୁ ଏସବୁ।
ସେ ସୁନ୍ଦରୀ ସ୍ରୋତସ୍ୱତୀ ମନନଶୀଳ ମନୁଜ ମନୀଷୀମାନଙ୍କୁ ମନେହେଲା ଶୁଭ୍ରବସନା ସରସ୍ୱତୀ। ମାନବବିଦ୍ୟାର ମହାଦେବତୀ। ମନ୍ତ୍ର ଓ ତତ୍ତ୍ୱର ଶୁଭ୍ର ସରସ୍ୱତୀ କ୍ରମେ କିନ୍ତୁ କାୟାନ୍ତରିତ ହୋଇ ତନ୍ତ୍ର ଓ ମହାସାଧନାରେ ଜନ୍ମାନ୍ତର ନେଲା ମୂର୍ତ୍ତିମତୀ ନୀଳସରସ୍ୱତୀ! ବିବର୍ତ୍ତନର ବୈଚିତ୍ର୍ୟ ବେଳେବେଳେ ବିଭ୍ରାଟରେ ବିଡ଼ମ୍ବିତ - ବନଗମନରୁ ବିବର-ବରଣ! ପ୍ରକୃତିରୁ ବିକୃତି! ଶ୍ଳୋକରୁ ଶୋକ! ବିପ୍ଳବରୁ ବିଭୀଷିକା! ମନୁଷ୍ୟ ନିଜେ ଊର୍ଦ୍ଧ୍ୱାରୋହୀ ହେବାର ଅଦମ୍ୟ ଇଚ୍ଛାରେ ସ୍ୱକଳ୍ପିତ ଭଗବାନକୁ ସୁଦ୍ଧା କଲା ଅବରୋହୀ - ତେଣୁ ନିଜ ଅବତରଣ ପର୍ଯ୍ୟାୟରେ ଭଗବତ୍-ସଂଚାର ନାନା ଅବତାର - ମୀନରୁ ମହାବୁଦ୍ଧବ୍ୟାପୀ। ଏପରିକି ନିଜ ନିରନ୍ତର ମୃତ୍ୟୁଭୀତିବୋଧକୁ ସେଦିନ ମନୁଷ୍ୟ ତା’ର ସାମୂହିକ ଅବଚେତନଗତ ପ୍ରତିଶୋଧ-ପ୍ରବୃତ୍ତି ବା ପିପାସା ଦ୍ୱାରା ପରିଚାଳିତ ହୋଇ ଶିଆଳୀଲଟାର ଜଙ୍ଗଲରେ ସେଇ ଅବତାରୀ ଈଶ୍ୱରର କୃଷ୍ଣାବତାରକୁ ଦେଲା ମର୍ମନ୍ତୁଦ ମୃତ୍ୟୁଦଣ୍ଡ - ଜରାଶବର ଚରିତ୍ରଟି ଚିତ୍ରଣ କରି! କୃଷ୍ଣଙ୍କର ତୀରାଘାତରେ ଓ ଯୀଶୁଙ୍କର କଂଟକାଘାତରେ ନିଃଶବ୍ଦ ନିଧନ ହେଉଛି, ମନୁଷ୍ୟର ଈଶ୍ୱର ପ୍ରତି ହିଁ ପରୋକ୍ଷ ମୃତ୍ୟୁଦଣ୍ଡ ବିଧାନ!
ସେ ନଦୀ ସବୁ ଦେଖିଛି, ସବୁ। ମାଟି ତଳେ ସଭ୍ୟତା ହଜିଚି ଆଉ ଳୁଚିଯାଇଚି ସେ ନଦୀଟି ବି। ସେ ନଦୀ କ’ଣ ସରସ୍ୱତୀ? ସେ ନଦୀ କ’ଣ - ସେଇ, ‘ଯେ ନଦୀ ମରୁପଥେ ହାରିଚି ଧାରା’... ସେ ନଦୀ କ’ଣ ମୃତସଭ୍ୟତାର ସେଇ ଅନୁଗାମିନୀ ମରୁଚାରିଣୀ ନା ଚୈତନ୍ୟର ଚିତାନଳରେ ସହଗାମିନୀ ସକରୁଣ ସତୀ-ସତ୍ତା?
ସେ ସାତଜଣ।
ଖୋଜୁଥିଲେ ଖିଅ। କୁଆଡ଼େ ଦିଗ ହଜାଇଚି ସେ ଦୁଃଖିନୀ ନଦୀ? ଗଙ୍ଗାରେ ଭଙ୍ଗା ନାଆ, ଯମୁନାରେ ଯାଦବ ଯାମିନୀର ଯବନିକା .... କିଛି କ’ଣ ଦେଖିବାର ନ ଥିଲା ତା’ର? କାନ୍ଦୁରୀ କୁଆଡ଼େ ଗଲା - ଶୂନ୍ୟରେ ସୁନାକଳସ ରଖିଦେଇ? ଗଂଗା ଅଛି, ଯମୁନା ଅଛି, କୃଷ୍ଣା ଅଛି, କାବେରୀ ଅଛି, ନର୍ମଦା ଅଛି, ନିରଂଜନା ଅଛି, ସିପ୍ରା ଅଛି, ସରଯୂ ଅଛି, ଗୋମତୀ ଅଛି, ଗୋଦାବରୀ ଅଛି ...... ଅଛି ମଧ୍ୟ ଅଜସ୍ର ଅନାମ୍ନୀ ନଦୀର ଶୋକସଜଳ ଲୋକସ୍ମୃତି!
ସରସ୍ୱତୀ? ସରସ୍ୱତୀ? ସରସ୍ୱତୀ?
ସେ ସାତଜଣ ମରୁଭୂମିରେ ପ୍ରଶ୍ନିଳ ପ୍ରଳାପ ସହ ସାଶ୍ରୁ ସଂବୋଧନ କରୁଥିଲେ ସେଇ ପଳାତକା ପୁଣ୍ୟତୋୟା ଉଦ୍ଦେଶ୍ୟରେ।
ଅତଃପର ବ୍ରହ୍ମପୁତ୍ରରେ ପ୍ରଚୁର ବନ୍ୟା ଆସିଚି, ମହାନଦୀରେ ମୂର୍ତ୍ତ ହୋଇଛି ମାଳମାଳ ମହାବର୍ତ୍ତ - କ’ଣ ଯାଏ ଆସେ ସମୁଦ୍ରର?
ସରସ୍ୱତୀ ପାଇଁ ସମୁଦ୍ର ତେଣୁ ଶୋକପ୍ରାର୍ଥନା କରେନା କେବେ, କାନ୍ଦେ କେବଳ ତୃଷାର୍ତ୍ତ ମରୁପ୍ରାନ୍ତର!
ଯେଉଁଦିନ ମନୁଷ୍ୟ ତା’ ଚାରିପାଖର ଗଛବୃଚ୍ଛରେ ଡାଳ ଗଣିଲା, ତା’ପରଦିନଠୁ ସେ ହାଣିଲାଗିଲା ପ୍ରକୃତିର କାଠହାତ, କାଠପାଦ, ଗୋଟେ ପରେ ଗୋଟେ। ତା’ ଗୁପ୍ତ ଗଣିତର ଶିକାର ହେଲା ଦାରୁ, ଦେବତା, ଦିଗଦିଗନ୍ତ! ଯେଉଁଦିନ ମନୁଷ୍ୟ ତା’ ଆଙ୍ଗୁଠି ଟେକି ‘ଏକ୍’ ଜାଣିଲା, ତା’ ପରଦିନଠୁ ସେ ଗଣିଚାଲିଲା ଅଣାକାର ‘ଈଶ୍ୱର ଏକ୍’ର ଦୁଇ ଡୋଳା, ତିନି ପାଦ, ଚାରି ହାତ, ପାଞ୍ଚ ମୁହଁ ଇତ୍ୟାଦି। ତା’ ଦୁର୍ବୋଧ୍ୟ ଦୁନିଆଟା ଗୋଲ୍ ଆଉ ସେ ଗୋଲ୍ ଶୂନ୍ୟରୁ ଆରମ୍ଭ ହୋଇଥିବା ତା’ ଗୁନ୍ଦୁରା ଗଣିତର ଗୋଲକଧନ୍ଦାରେ ଘୂରିବୁଲିଲେ ପଞ୍ଚସତୀ, ସପ୍ତମାତୃକା, ଅଷ୍ଟମଙ୍ଗଳା, ନବନାୟିକା, ଦଶ ମହାବିଦ୍ୟା!
ସବୁ କ’ଣ ଲକ୍ଷ୍ୟ କରିଥିଲା ସରସ୍ୱତୀ ସେଦିନ?
ସେ ସାତଜଣ ଏ ପ୍ରଶ୍ନର ଉତ୍ତର ନ ପାଇ ଅବଶେଷରେ ଉତ୍ତପ୍ତ ମରୁବୁକୁରେ ବରିନେଲେ ବିସ୍ରସ୍ତ ବାଲୁକାଶଯ୍ୟା।
ଏ ଚିତ୍ରଭୂମିରୁ ଚିରବିଦାୟ ନେଇ ସେମାନେ ଶେଷରେ ଆକାଶର ତାରା ପାଲଟିଲେ - ଆମଠୁ ଅସୁମାର ଆଲୋକବର୍ଷ ଦୂରରେ!
ସେମାନେ ସମାଧିସ୍ଥ ସପ୍ତଋଷି। ସଂପ୍ରତି ସପ୍ତର୍ଷି।
ସେଇ ସାତତାରାର ଦେଶରୁ କେବେକେବେ କନକବିନ୍ଦୁ ପରି ଝରି ଆସେ କରୁଣାର କଅଁଳ କାକର ... ଆମ ଚାରିପଟେ ଘେରିଯାଏ କରୁଣ କୁହୁଡ଼ି!
ପରିସମାପ୍ତି ଘଟିଚି ପରିଣତ ପ୍ରଖର ପ୍ରଜ୍ଞାର। ଉଦୟରାଗର ଅଗଣିତ ଇସ୍ତାହାର ସତ୍ତ୍ୱେ ହୃଦୟ ହରଣଚାଳ। ସେ ପ୍ରାକ୍ତନୀ ନଦୀ ନାହିଁ, ଅଛି ବରଂ ଅସରନ୍ତି ତୃଷ୍ଣାର ଅଭିଶାପ - ଏପରିକି ପୃଥିବୀର ସବୁ ନଦୀଜଳ ଯଦି ସମ୍ମିଳିତ ହୋଇ କେବେ ଦିନେ ପାଲଟିଯାଏ ବନ୍ୟାପ୍ରମତ୍ତ ପୟୋଧି, ତଥାପି ଏ ସଭ୍ୟତାର ପୋଷାକ ତଳେ ପ୍ରଚ୍ଛନ୍ନ ବନ୍ୟମନୁଷ୍ୟର ଜଘନ୍ୟ ତୃଷ୍ଣା ପ୍ରଶମିତ ହେବାର ପ୍ରଶ୍ନ ଉଠୁନାହିଁ ମୋଟେ!
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।