ମିଶରର ନାଟ୍ୟ ପରମ୍ପରା ଓ ସମିହା ଆୟୁବ

ପ୍ରତିବର୍ଷ ମାର୍ଚ୍ଚ ୨୭ ଦିନଟିକୁ ବିଶ୍ୱ ନାଟ୍ୟ ଦିବସ ରୂପେ ପାଳନ କରାଯାଇଥାଏ ଓ ଇଣ୍ଟରନ୍ୟାସନାଲ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ଏହି ଦିବସରେ ବିଶ୍ୱର ଜଣେ ପ୍ରମୁଖ ନାଟ୍ୟ ବ୍ୟକ୍ତିତ୍ୱଙ୍କ ଏକ ବାର୍ତ୍ତା ବିଭିନ୍ନ ଭାଷାରେ ଅନୁଦିତ ହୋଇ ନାଟ୍ୟପ୍ରେମୀଙ୍କ ନିକଟରେ ପହଞ୍ଚାଇ ଦିଆଯାଇଥାଏ। ୨୦୨୩ରେ ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ବାର୍ତ୍ତା ପ୍ରଦାନ କରିଛନ୍ତି ମିଶରର ୯୧ ବର୍ଷୀୟା ଅଭିନେତ୍ରୀ ସମିହା ଆୟୁବ। ଏହି ଅବସରରେ ମିଶରର ସମୃଦ୍ଧ ନାଟ୍ୟ ପରମ୍ପରା ତଥା ସମିହାଙ୍କ ଭଳି ଜଣେ ଉଚ୍ଚକୋଟିର କଳାକାରଙ୍କର ସୁଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ପରିବ୍ୟାପ୍ତ କଳାଜୀବନ ସମ୍ପର୍କରେ ଅନ୍ତତଃ କିଞ୍ଚିତ୍ ଜାଣିବାର ଅବକାଶ ସୃଷ୍ଟି ହୋଇଛି।

Samiha Ayoub

Samiha Ayoub

Debendra Prusty
  • Published: Monday, 27 March 2023
  • Updated: 27 March 2023, 12:57 PM IST

News Highlights

  • ୧୮୮୫ରେ ପ୍ରଥମ ମିଶରୀୟ ରଙ୍ଗମଞ୍ଚ ‘ଟିଆଟ୍ରୋ ଅଲ-ଆଜବକେୟା’ର ସ୍ଥାପନା ହେଲା।
  • ୧୯୬୭ରେ ଇସ୍ରାଏଲ ଦ୍ୱାରା ଯୁଦ୍ଧରେ ପରାସ୍ତ ହେବା ପରେ ମିଶରୀୟମାନେ ଅତିମାତ୍ରାରେ ହତୋତ୍ସାହିତ ହୋଇ ଭାଙ୍ଗିପଡ଼ିଥିଲେ।
  • ଅଶୀ ଦଶକର ମଧ୍ୟଭାଗ ବେଳକୁ ଆନ୍ତରିକତା ଓ ପୃଷ୍ଠପୋଷକତା ଅଭାବରୁ ମିଶରରେ ନାଟକ ତା’ର ଚମକ ହରାଇ ଅବକ୍ଷୟର ଦ୍ୱାରଦେଶରେ ପହଞ୍ଚିସାରିଥିଲା।

Sports

Latest News

ପ୍ରତିବର୍ଷ ମାର୍ଚ୍ଚ ୨୭ ଦିନଟିକୁ ବିଶ୍ୱ ନାଟ୍ୟ ଦିବସ ରୂପେ ପାଳନ କରାଯାଇଥାଏ ଓ ଇଣ୍ଟରନ୍ୟାସନାଲ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ଏହି ଦିବସରେ ବିଶ୍ୱର ଜଣେ ପ୍ରମୁଖ ନାଟ୍ୟ ବ୍ୟକ୍ତିତ୍ୱଙ୍କ ଏକ ବାର୍ତ୍ତା ବିଭିନ୍ନ ଭାଷାରେ ଅନୁଦିତ ହୋଇ ନାଟ୍ୟପ୍ରେମୀଙ୍କ ନିକଟରେ ପହଞ୍ଚାଇ ଦିଆଯାଇଥାଏ। ୨୦୨୩ରେ ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ବାର୍ତ୍ତା ପ୍ରଦାନ କରିଛନ୍ତି ମିଶରର ୯୧ ବର୍ଷୀୟା ଅଭିନେତ୍ରୀ ସମିହା ଆୟୁବ। ଏହି ଅବସରରେ ମିଶରର ସମୃଦ୍ଧ ନାଟ୍ୟ ପରମ୍ପରା ତଥା ସମିହାଙ୍କ ଭଳି ଜଣେ ଉଚ୍ଚକୋଟିର କଳାକାରଙ୍କର ସୁଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ପରିବ୍ୟାପ୍ତ କଳାଜୀବନ ସମ୍ପର୍କରେ ଅନ୍ତତଃ କିଞ୍ଚିତ୍ ଜାଣିବାର ଅବକାଶ ସୃଷ୍ଟି ହୋଇଛି।

ପ୍ରାଚୀନ ଗ୍ରୀସକୁ ରଙ୍ଗମଞ୍ଚର ଏନ୍ତୁଡ଼ିଶାଳ ରୂପେ ଗ୍ରହଣ କରାଯାଇଥାଏ। ତେବେ ମିଶରର ଅକ୍ସିରାଇଙ୍କୋସଠାରେ ଉତଖନନ ପରେ ମିଳିଥିବା ଏକ ରଙ୍ଗମଞ୍ଚରେ ଏକକାଳୀନ ୧୦,୦୦୦ ଦର୍ଶକ ବସି ପ୍ରଦର୍ଶନ ଉପଭୋଗ କରିପାରୁଥିବାର ଜଣାଯାଏ। ସେତେବେଳେ ମିଶର ରୋମାନ ସାମ୍ରାଜ୍ୟର ଅଂଶବିଶେଷ ଥିବାରୁ ଏହି ରଙ୍ଗମଞ୍ଚଟିରେ ଉଭୟ ଗ୍ରୀକ୍ (ଅର୍ଦ୍ଧବୃତ୍ତାକାର ଦର୍ଶକଙ୍କ ବସିବା ସ୍ଥାନ) ଓ ରୋମାନ ଶୈଳୀ (ଆସନ ତଳେ ସୁଡ଼ଙ୍ଗ)ର ସମ୍ମିଶ୍ରଣ ଦେଖିବାକୁ ମିଳିଥାଏ। ଖ୍ରୀଷ୍ଟପୂର୍ବ ୩୨୩ରେ ସମ୍ରାଟ ଆଲେକଜାଣ୍ଡାରଙ୍କ ଦ୍ୱାରା ମିଶର ଅଧିକୃତ ହେବା ପରେ ସେଠାକୁ ଗ୍ରୀକ ନାଟକ ଆସିଥିଲା ବୋଲି କୁହାଯାଏ। ଅର୍ଥାତ୍ ପ୍ରାଚୀନ କାଳରୁ ମିଶରରେ ଏକ ଉନ୍ନତ ମଞ୍ଚନାଟ୍ୟ ପରମ୍ପରା ଗଢ଼ି ଉଠିଥିବାର ସୂଚନା ମିଳେ। ତେବେ ଭୂ-ମଧ୍ୟସାଗରୀୟ ଅଞ୍ଚଳର ଆଖପାଖରେ ଅବସ୍ଥିତ ଅକ୍ସିରାଇଙ୍କୋସ ସମେତ ଅନ୍ୟ ରଙ୍ଗମଞ୍ଚଗୁଡ଼ିକରେ ମୁଖ୍ୟତଃ ଇଉରିପିଡ଼ିସ, ଆରିଷ୍ଟୋଫେନସ୍, ମେନାଣ୍ଡର, ଫିଲେମୋନ, ସୋଫୋକ୍ଲିସ୍, ଆସ୍କିଲୋସଙ୍କ ଭଳି ସେ ସମୟର ପ୍ରସିଦ୍ଧ ନାଟ୍ୟକାରମାନଙ୍କ ଗ୍ରୀକ୍ ନାଟକଗୁଡ଼ିକ ମଞ୍ଚସ୍ଥ ହେଉଥିଲା।

ଏହା ସତ୍ତ୍ୱେ ମିଶରରେ ଆଧୁନିକ ରଙ୍ଗମଞ୍ଚର ଉଦ୍ଭବ ଆଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ ହୋଇଥିଲା। ଫ୍ରାନ୍ସର ମିଶର ଅଭିଯାନ ସମୟରେ ୧୭୮୯ରେ ପ୍ରଥମ କରି ଆଧୁନିକ ନାଟକର ସ୍ୱାଦ ଚାଖିଥିଲେ ମିଶରବାସୀ। ମିଶରରେ ନେପୋଲିଅନ ବୋନାପାର୍ଟଙ୍କ ଫରାସୀ ଅଭିଯାନ (୧୭୯୯ରୁ ୧୮୦୧) ସମୟରେ ସେ ତାଙ୍କ ସୈନ୍ୟମାନଙ୍କର ମନୋରଞ୍ଜନ ପାଇଁ କାଇରୋର ମାମଲୁକଠାରେ ଏକ ସ୍ଥାୟୀ ରଙ୍ଗମଞ୍ଚ ପ୍ରତିଷ୍ଠା କରିବାକୁ ସ୍ଥିର କରିଥିଲେ ବି ସମୟର ସ୍ୱଳ୍ପତା ଦୃଷ୍ଟିରୁ ତାହା ସମ୍ଭବ ହୋଇନଥିଲା। ଅଟୋମାନ ଶାସକ ଇସମାଇଲ ପାଶା କାଇରୋକୁ ମଧ୍ୟ-ପ୍ରାଚ୍ୟର ପାରିସ ରୂପେ ଗଢ଼ି ତୋଳିବାକୁ ଚାହୁଁଥିଲେ। ଏହା ୧୮୫୦ ସୁଦ୍ଧା ମଧ୍ୟ-ପ୍ରାଚ୍ୟର ଏକ ସାଂସ୍କୃତିକ କେନ୍ଦ୍ରରେ ପରିଣତ ହୋଇସାରିଥିଲା ଓ ଆରବ ଦୁନିଆର କଳାକାରମାନେ ନିଜ ନିଜ ଭାଗ୍ୟ ଓ ପ୍ରସିଦ୍ଧି ଅନ୍ୱେଷଣରେ ସେଠାରେ ଆସି ବସବାସ କରିବାକୁ ଲାଗିଲେ। ତେବେ ସୁଏଜ କେନାଲର ଉଦଘାଟନ ଉତ୍ସବ ପାଳନ ଅବସରରେ ଭାଗ ନେବାକୁ ଆସୁଥିବା ବିଦେଶୀ ପ୍ରତିନିଧିମାନଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ୧୮୬୯ରେ ଖିଡ଼ାଇଭ ଇସମାଇଲଙ୍କ ଦ୍ୱାରା ଫରାସୀ କମେଡ଼ି ଥିଏଟର ‘କମେଡ଼ି ଫ୍ରାଙ୍କୋଏଜ୍’ ସ୍ଥାପିତ ହୋଇଥିଲା। ସେ ‘ଅପେରା ହାଉସ’ ମଧ୍ୟ ପ୍ରତିଷ୍ଠା କରିଥିଲେ। ମିଶରରେ ରଙ୍ଗମଞ୍ଚର ବିକାଶ ଲାଗି ତାଙ୍କ ପ୍ରଚେଷ୍ଟା ଅହରହ ଜାରି ରହିଥିଲା।

୧୮୮୫ରେ ପ୍ରଥମ ମିଶରୀୟ ରଙ୍ଗମଞ୍ଚ ‘ଟିଆଟ୍ରୋ ଅଲ-ଆଜବକେୟା’ର ସ୍ଥାପନା ହେଲା। ସେହି ସମୟରେ ମିଶର ୟୁରୋପୀୟ ସଂସ୍କୃତି ଦ୍ୱାରା ଅତିମାତ୍ରାରେ ପ୍ରଭାବିତ ହୋଇଥିବାରୁ ସେଠାକାର ନାଟକଗୁଡ଼ିକର ଗଠନଶୈଳୀରେ ମଧ୍ୟ ୟୁରୋପୀୟ ଛାପ ଦେଖିବାକୁ ମିଳୁଥିଲା ଓ ସେଗୁଡ଼ିକୁ କେବଳ ଧନୀକ ଶ୍ରେଣୀର ଲୋକମାନେ ଉପଭୋଗ କରୁଥିଲେ। କାଳକ୍ରମେ ସ୍ଥାନୀୟ କାହାଣୀ, ସଂସ୍କୃତି ଉପରେ ଆଧାରିତ ଆରବୀ ଭାଷାରେ ଲିଖିତ ନାଟକମାନ ପରିବେଷଣ ହେବାକୁ ଲାଗିଲା। ପ୍ରଥମ ସ୍ଥାନୀୟ ନାଟ୍ୟକାର ଭାବେ ୟାକୁବ ସାନୁଙ୍କ ନାଟକଗୁଡ଼ିକ ଆଦୃତି ଲାଭ କରିବାକୁ ଲାଗିଲା। ତେବେ ସାନୁଙ୍କ ଗୋଟିଏ ନାଟକରେ ଶାସକଙ୍କ ଦ୍ୱାରା ହେଉଥିବା ସାମାଜିକ ଅନ୍ୟାୟ ପ୍ରଦର୍ଶିତ ହୋଇଥିବାରୁ ଅଟୋମାନ ଶାସକ ଇସମାଇଲ ପାଶା ଉତ୍ତ୍ୟକ୍ତ ହୋଇ ନାଟକର ପ୍ରଦର୍ଶନକୁ ବନ୍ଦ କରିଦେଇଥିଲେ। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ମୁଖ୍ୟତଃ ‘ନଗିବ ଅଲ ରିହାନି’ ଓ ‘ଏଲି ଅଲ କସର’ କମ୍ପାନୀ ଦ୍ୱାରା ପ୍ରଦର୍ଶିତ ହାସ୍ୟରସାତ୍ମକ ଓ ‘ୟୁସୁଫ ୱାହାବି’ ଦ୍ୱାରା ପ୍ରଦର୍ଶିତ ଗମ୍ଭୀର ନାଟକଗୁଡ଼ିକ ଲୋକଙ୍କ ଦ୍ୱାରା ଆଦୃତ ହେଉଥିଲା।

ମିଶରରେ ବିଦ୍ରୋହ ପରେ ୧୯୫୨ରେ ରାଜତନ୍ତ୍ରର ଅବସାନ ଘଟି ପ୍ରଜାତନ୍ତ୍ରର ପ୍ରତିଷ୍ଠା ହେବା ପରେ ଗମାଲ ଅବଦେଲ ନାସେର ଶାସନ ଭାର ଗ୍ରହଣ କଲେ। ସେ ମିଶରର ନିଜସ୍ୱ ଜାତୀୟ ପରିଚୟର ପୁନଃସ୍ଥାପନା ଉପରେ ଗୁରୁତ୍ୱ ଆରୋପ କରୁଥିବାରୁ କଳାକୁ ଜାତୀୟ ଚେତନା ଉଦ୍ରେକ ଲାଗି ଏକ ଅସ୍ତ୍ର ରୂପେ ଉପଯୋଗ କରିବାକୁ ଲାଗିଲେ। ଫଳରେ ସେଠାରେ ଏକ ବଡ଼ ଧରଣର ସାଂସ୍କୃତିକ ବିପ୍ଳବର ଅୟମାରମ୍ଭ ହୋଇଥିଲା। ପାରମ୍ପରିକ ନାଟକକୁ ଛାଡ଼ି ମିଶରର ତତକାଳୀନ ବାସ୍ତବତାକୁ କେନ୍ଦ୍ର କରି ନାଟକମାନ ଲେଖିବାକୁ ନବ ପ୍ରଜନ୍ମର ନାଟ୍ୟକାରମାନେ ଆଗେଇ ଆସିଲେ ଯେଉଁମାନଙ୍କ ମଧ୍ୟରେ ଥିଲେ ତୱଫିକ ଅଲ-ହକିମ, ୟୁସିଫ ଇଦ୍ରିସ, ଅଲଫ୍ରେଡ଼ ଫରାଗ, ସଲାହ ଅବଦୁଲ-ସବୁର, ମିଖାଇଲ ରୋମାନ, ନୋମନ ଆଶୁର ପ୍ରମୁଖ। ରେଡ଼ିଓ ନାଟକ ମଧ୍ୟ ବହୁଳ ଭାବେ ଆଦୃତି ଲାଭ କରିଥିଲା। ନାସେରଙ୍କ ସମୟରେ ନ୍ୟାସନାଲ ଇଜିପସିଆନ ଥିଏଟର ପ୍ରତିଷ୍ଠା ହେଲା। ରାଜ୍ୟ ନିୟନ୍ତ୍ରଣରେ ଥିବା ‘ଥିଏଟର ଅଫ ଟେଲିଭିଜନ’ ଦ୍ୱାରା ମଞ୍ଚ ନାଟକଗୁଡ଼ିକୁ ରେକର୍ଡ଼ିଂ କରାଯାଇ ଟେଲିଭିଜନରେ ପ୍ରଦର୍ଶନ କରାଯାଉଥିଲା। ସ୍କୁଲ କଲେଜଠାରୁ ଆରମ୍ଭ କରି କମ୍ପାନୀ ଓ କର୍ମଚାରୀ ୟୁନିଅନ ପର୍ଯ୍ୟନ୍ତ ଥିଏଟର ସର୍ବତ୍ର ବ୍ୟାପିଗଲା। କହିବାକୁ ଗଲେ ସମଗ୍ର ନାଟ୍ୟ ଗତିବିଧି ଏକ ପ୍ରକାର ସରକାରୀ ନିୟନ୍ତ୍ରଣରେ ଚାଲିଥିଲା। ନାସେରଙ୍କ ରାଜତ୍ୱ କାଳକୁ ମିଶରୀୟ ନାଟକର ସୁବର୍ଣ୍ଣ ଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ।

୧୯୬୭ରେ ଇସ୍ରାଏଲ ଦ୍ୱାରା ଯୁଦ୍ଧରେ ପରାସ୍ତ ହେବା ପରେ ମିଶରୀୟମାନେ ଅତିମାତ୍ରାରେ ହତୋତ୍ସାହିତ ହୋଇ ଭାଙ୍ଗିପଡ଼ିଥିଲେ। ସେପର୍ଯନ୍ତ ମିଶରରେ ପ୍ରଚଳିତ ଦୁଇ ପ୍ରକାରର ନାଟ୍ୟଧାରା ସହ ମୁଖ୍ୟଧାରାର ରଙ୍ଗମଞ୍ଚରେ ନୂତନ ଭାବେ ଏକ ତୃତୀୟ ନାଟ୍ୟଧାରାର ଆବିର୍ଭାବ ଘଟିଲା। ପ୍ରଥମ ଧାରାର ନାଟକରେ ରାଜନୀତି ଓ ସରକାରୀ ସମାଲୋଚନାଠାରୁ ଦୂରରେ ରହି କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ନାଟକ ପରିବେଷଣ କରାଯାଉଥିଲା। ନାଟ୍ୟକାର ଫୱାଦ ଏଲ-ମୋହନ୍ଦେଶ ଏହି ନାଟ୍ୟଧାରାର ପକ୍ଷଧର ଥିଲେ। ଦ୍ୱିତୀୟ ଧାରାର ନାଟକଗୁଡ଼ିକ ଦେଶାତ୍ମବୋଧକ ଓ ଜାତୀୟତାବାଦୀ ନାଟକ ଥିଲା। ଏହି ଧରଣର ନାଟକ ପୂର୍ବରୁ ପରିବେଷିତ ହେଉଥିଲେ ବି ୧୯୬୭ ପରେ ମିଶରୀୟ ଜାତୀୟତାର ପୁନଃଜାଗରଣ ପାଇଁ ତା’ର ସଂଖ୍ୟାରେ ବୃଦ୍ଧି ଘଟିଲା ଯଦିଓ ଏଗୁଡ଼ିକ ସରକାରୀ ପ୍ରାୟୋଜିତ ଥିଲା। ନୂତନ ଭାବେ ଆବିର୍ଭୁତ ନାଟ୍ୟଧାରାଟିରେ ପ୍ରଚଳିତ ଶାସନ ବ୍ୟବସ୍ଥା ବିରୁଦ୍ଧରେ କଡ଼ା ସମାଲୋଚନା ଥିଲା। ପରାସ୍ତ ହେବା ପଛରେ କିପରି ସୈନ୍ୟବାହିନୀ ଓ ରାଜନେତାମାନେ ଦାୟୀ ସେ ସମ୍ପର୍କରେ ନାଟକଗୁଡ଼ିକରେ ପ୍ରତୀକ, ଲୋକକଳା ମାଧ୍ୟମରେ ପ୍ରଦର୍ଶନ କରି ଲୋକଙ୍କ ହତାଶା ଓ ଦମନକୁ ରେଖାଙ୍କିତ କରାଗଲା। ଅବଶ୍ୟ ସହରତଳି ଅଞ୍ଚଳରୁ ସଞ୍ଚାଳିତ ଏହି ଧାରାର ନାଟକଗୁଡ଼ିକର ପକ୍ଷଧରମାନଙ୍କୁ ବାରମ୍ୱାର ଗିରଫ, ଜେରା ଓ ଅଟକର ସମ୍ମୁଖୀନ ହେବାକୁ ପଡ଼ୁଥିଲା।

୧୯୭୩ରେ ବ୍ରିଟିଶ ଚଳଚ୍ଚିତ୍ର ‘ଟୁ ସାର ଉଇଥ ଲଭ’ ଛାୟାରେ ଲିଖିତ ନାଟ୍ୟକାର ଅଲି ସଲେମଙ୍କ ନାଟକ ‘ମଦ୍ରସେତ୍ ଏଲ ମୋସାଗବେନ’ (ବିଦ୍ରୋହୀଙ୍କ ସ୍କୁଲ) ନାଟକଟି ଆଶାତୀତ ମଞ୍ଚ ସଫଳତା ପାଇଥିଲା ସତ, ହେଲେ ଏହି ନାଟକ ମିଶରୀୟ ଥିଏଟର ଓ ସ୍କୁଲ ବ୍ୟବସ୍ଥାର ଅଧଃପତନର କାରଣ ପାଲଟିଥିଲା ବୋଲି କୁହାଯାଏ। ଏହି ନାଟକରେ ଦଳେ ପଥଭ୍ରଷ୍ଟ ଫେଲ ହୋଇଥିବା ହାଇସ୍କୁଲ ଛାତ୍ର କିପରି ସେମାନଙ୍କ ପରିବାର ଓ ସ୍କୁଲରେ ଆତଙ୍କ ରଚୁଛନ୍ତି ଓ ଶେଷରେ ସେମାନଙ୍କ ନୂଆ ଦର୍ଶନ ଶିକ୍ଷକ କିପରି ସେମାନଙ୍କୁ ବାଟକୁ ଆଣିଛନ୍ତି ତାହା ଦର୍ଶାଯାଇଥିଲା। ହେଲେ ନାଟକଟି ତାର ପରିବେଷଣ ଶୈଳୀ ପାଇଁ ନିନ୍ଦିତ ହୋଇଥିଲା। ସମାଜ ଉପରେ ରଙ୍ଗମଞ୍ଚର କୁପ୍ରଭାବ କିପରି ପଡ଼ିପାରେ ତାର ଉଦାହରଣ ଦେବାକୁ ଯାଇ ଆଜିଯାଏଁ ଏହି ନାଟକଟିର ଅବତାରଣା କରାଯାଇଥାଏ।

ସତୁରୀ ଦଶକରେ ରାଷ୍ଟ୍ରପତି ଅନୱାର ସାଦତଙ୍କ ଖୋଲା-ଦରଜା ଅର୍ଥନୀତିର ପ୍ରବର୍ତ୍ତନ ଯୋଗୁଁ ଉପସାଗରୀୟ ଅଞ୍ଚଳରେ ରହୁଥିବା ହଜାର ହଜାର ସଂଖ୍ୟାରେ ମିଶରୀୟ ପ୍ରବାସୀ ଶ୍ରମିକ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ରୁଢ଼ୀବାଦୀ ୱାହାବି ବିଚାରଧାରାରେ ଦୀକ୍ଷିତ ହୋଇ ଅନିୟନ୍ତ୍ରିତ ଜନସଂଖ୍ୟା ଯୋଗୁଁ ଦାରିଦ୍ର୍ୟକୁ ବରଣ କରୁଥିବାରୁ ମିଶରର ଆର୍ଥିକ ଅବସ୍ଥା ଚରମ ବିପର୍ଯ୍ୟୟ ଭିତରକୁ ଠେଲି ହୋଇଗଲା। ନାଟକର ପୃଷ୍ଠପୋଷକତା କରିଆସୁଥିବା ମଧ୍ୟବିତ୍ତ ବର୍ଗ କ୍ରମଶଃ ଅନ୍ତର୍ହିତ ହେବାକୁ ଲାଗିଲେ। ମିଶରର ଦୁଇ ପ୍ରମୁଖ ସହର କାଇରୋ ଓ ଆଲେକଜାଣ୍ଡ୍ରିଆ ସେମାନଙ୍କ ବିଶ୍ୱଜନୀନ (କସମୋପଲିଟାନ) ଚରିତ୍ରକୁ ହରାଇବା ଆରମ୍ଭ କରିଦେଲେ। ସରକାରୀ ନିୟନ୍ତ୍ରଣରେ ପରିଚାଳିତ ରଙ୍ଗମଞ୍ଚ ଓ କମ୍ପାନୀଗୁଡ଼ିକରେ ଗତାନୁଗତିକ ପରିବେଷଣ ଭିନ୍ନ ଉତ୍କର୍ଷ ସାଧନ ଲାଗି ନା ଥିଲା ଆଗ୍ରହ ନା ଥିଲା ପ୍ରଚେଷ୍ଟା। ଅଶୀ ଦଶକର ମଧ୍ୟଭାଗ ବେଳକୁ ଆନ୍ତରିକତା ଓ ପୃଷ୍ଠପୋଷକତା ଅଭାବରୁ ମିଶରରେ ନାଟକ ତା’ର ଚମକ ହରାଇ ଅବକ୍ଷୟର ଦ୍ୱାରଦେଶରେ ପହଞ୍ଚିସାରିଥିଲା।

୧୯୯୦ରେ ହୋଇଥିବା ଉପସାଗରୀୟ ଯୁଦ୍ଧ ଯୋଗୁଁ ମିଶର ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବା ନାଟକ ଉତ୍ସବକୁ ବାତିଲ କରିଦିଆଗଲା। ନାଟକ ସରକାରଙ୍କ ନିୟନ୍ତ୍ରଣରେ ରହିବା ଓ ସରକାରୀ ସୁବିଧା ସୁଯୋଗ ପାଉ ନଥିବା କଳାକାରମାନଙ୍କୁ ଅବଜ୍ଞା କରାଯାଉଥିବାର ପ୍ରତିବାଦରେ ଏକ ମୁକ୍ତ ନାଟ୍ୟ ଆନ୍ଦୋଳନ ଆରମ୍ଭ ହୋଇ ‘ମୁକ୍ତ ନାଟକ ଉତ୍ସବ’ର ଘୋଷଣା କରାଗଲା। ପରବର୍ତ୍ତୀ ସମୟରେ ଏହା ‘ଭୂମିଗତ ନାଟ୍ୟ ଆନ୍ଦୋଳନ’ (ଅଣ୍ଡରଗ୍ରାଉଣ୍ଡ ଥିଏଟର ମୁଭମେଣ୍ଟ) ଭାବେ ମଧ୍ୟ ପରିଚିତ ହେବାକୁ ଲାଗିଲା। ଛୋଟ ଛୋଟ ନାଟକ କମ୍ପାନୀଗୁଡ଼ିକ ସରକାରୀ ନିୟନ୍ତ୍ରଣ ଓ କଟକଣା ବାହାରେ ରହି ସ୍ୱାଧୀନ ଭାବେ ନାଟକ ପ୍ରଦର୍ଶନ କରିବାକୁ ଲାଗିଲେ। ଏହି ନାଟ୍ୟଗୋଷ୍ଠୀଗୁଡ଼ିକରେ ପ୍ରାୟତଃ ଯୁବ ବର୍ଗର କଳାକାରମାନେ ଥିଲେ। ସେମାନେ ନିଜ ନିଜ ରାଜନୈତିକ ମତାଦର୍ଶର ପରିପ୍ରକାଶ ପାଇଁ ନାଟକକୁ ଏକ ମାଧ୍ୟମ ରୂପେ ଗ୍ରହଣ କରିନେଲେ। ଏଥିପାଇଁ ସରକାରୀ ସହାୟତା ନ ମିଳିଲେ ବି ବିଦେଶୀ ଫଣ୍ଡିଂ ସଂସ୍ଥାଙ୍କ ଆର୍ଥିକ ସହାୟତାରେ ସେମାନେ କେବଳ ଦେଶ ଭିତରେ ନୁହେଁ ବରଂ ବିଦେଶରେ ମଧ୍ୟ ନିଜ କଳା ପ୍ରଦର୍ଶନ କରି ପ୍ରଶଂସିତ ହେବାର ସୁଯୋଗ ପାଇପାରିଲେ।

ହାସନ ଏଲ ଗ୍ରିଟଲିଙ୍କୁ ଏହି ମୁକ୍ତ ନାଟ୍ୟ ଆନ୍ଦୋଳନର ପିତା ବୋଲି ବିବେଚନା କରାଯାଏ। ତାଙ୍କ ସମେତ ଏହି ଆନ୍ଦୋଳନର ପୁରୋଧାମାନଙ୍କ ମଧ୍ୟରୁ କେତେକ ବିଦେଶରେ ନାଟକ ସଂକ୍ରାନ୍ତରେ ଶିକ୍ଷା ଗ୍ରହଣ କରି ସ୍ୱଦେଶକୁ ଫେରି ଏହି ନୂଆ ଧାରାର ନାଟକର ମଙ୍ଗ ଧରିଥିଲେ। ଗ୍ରିଟଲିଙ୍କ ଦ୍ୱାରା ‘ଏଲ ୱାର୍ସା’ ନାଟ୍ୟ ସଂସ୍ଥା ସ୍ଥାପିତ ହୋଇଥିବା ବେଳେ ଅଟ୍ଟାରଙ୍କ ଦ୍ୱାରା ‘ଦି ଟେମ୍ପଲ’ ଓ ଗଲାଲଙ୍କ ଦ୍ୱାରା ‘ଏନକାଉଣ୍ଟର’ ନାଟ୍ୟସଂସ୍ଥା ପ୍ରତିଷ୍ଠିତ ହୋଇଥିଲା। ଏହି ମୁକ୍ତଧାରା ନାଟକ ସହ ସଂଶ୍ଳିଷ୍ଟ ନାଟ୍ୟକର୍ମୀମାନଙ୍କର ଗୋଟିଏ ବୈଶିଷ୍ଟ୍ୟ ଯେ ସେମାନେ ଲାଭର ଆଶା ନ ରଖି ପାରମ୍ପରିକ ନାଟକଠାରୁ ଦୂରରେ ରହି ନାଟକ ପାଇଁ ସମର୍ପିତ ଭାବେ କାର୍ଯ୍ୟରତ ଥିଲେ। ଏହି ଆନ୍ଦୋଳନ ସହ ସାମିଲ ନଥିଲେ ବି ‘ଟିଆଟ୍ରୋ’ ସଂସ୍ଥା ସହ ଜଡ଼ିତ ଯୁବ ନାଟ୍ୟକାର ମୋତାଜବେଲ୍ଲାଙ୍କ ଅବଦାନ ମଧ୍ୟ ପ୍ରଶଂସନୀୟ।

ଆଜି ମଧ୍ୟ ମିଶରରେ ନାଟକ ଜୀବିତ ଅଛି, ଯଦିଓ ମିଶରୀୟ ସିନେମା ତୁଳନାରେ ନାଟକ ତା’ର ଲୋକପ୍ରିୟତା କିଛିଟା ହରାଇଛି। ତେବେ ମିଶରରେ ୨୦୧୧ ଓ ୨୦୧୩ରେ ସଂଘଟିତ ଦୁଇଟି ବିପ୍ଳବ ପରେ ନାଟକକୁ ରାଜନୈତିକ ବକ୍ତବ୍ୟ ଉପସ୍ଥାପନର ଏକ ବଳିଷ୍ଠ ମାଧ୍ୟମ ଭାବେ ଉପଯୋଗ କରିବାର ଧାରା ବହୁଳ ଭାବେ ଉପଯୋଗରେ ଆସିଛି। ସେଥିପାଇଁ ନାଟକରେ କବିତା, ନୃତ୍ୟ ଆଦିର ପ୍ରୟୋଗ କରିବା ସହ ନାଟ୍ୟ ରଚନାର ଧାରାରେ ବି ଭିନ୍ନତା ଆଣିବାକୁ ଯୁବପିଢ଼ି ଚେଷ୍ଟା କରୁଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ନାଟକୋତ୍ସବମାନ ନିୟମିତ ଅନ୍ତରାଳରେ ଆୟୋଜିତ ହେବା ଦ୍ୱାରା ମିଶରୀୟ ଦର୍ଶକମାନେ ଭିନ୍ନ ଧରଣର ନାଟ୍ୟ ଅଭିଜ୍ଞତା ହାସଲ କରିବାକୁ ସମର୍ଥ ହୋଇ ସେମାନଙ୍କ ରୁଚି ଉନ୍ନତ ହେଉଛି। କେବଳ ମନୋରଞ୍ଜନ ପାଇଁ ନୁହେଁ ନାଟକ ମାଧ୍ୟମରେ ଏକ ବଳିଷ୍ଠ ବକ୍ତବ୍ୟ ଉପସ୍ଥାପନ କରିବା ହିଁ ଏବେ ସେଠାରେ ନାଟ୍ୟ ପ୍ରଦର୍ଶନର ଲକ୍ଷ୍ୟ ହୋଇଯାଇଛି। ବିଡ଼ମ୍ୱନା ହେଉଛି ମୁକ୍ତଧାରାର ନାଟକଗୁଡ଼ିକ ବିଦେଶରେ ଯେତେ ସ୍ୱୀକୃତି ଲାଭ କଲେ ମଧ୍ୟ ସ୍ୱଦେଶରେ ସେଗୁଡ଼ିକ ଅନୁରୂପ ସମର୍ଥନ ପାଇପାରୁନାହାନ୍ତି। ଅନ୍ୟ ପକ୍ଷରେ ସରକାରୀ ନାଟକ ଓ ମୁକ୍ତଧାରାର ନାଟକ ମଧ୍ୟରେ ସମନ୍ୱୟ ରକ୍ଷା ହୋଇପାରୁନାହିଁ।

ସମିହା ଆୟୁବଙ୍କ ଦୀର୍ଘ ନାଟ୍ୟଯାତ୍ରା ସହ ଆଧୁନିକ ମିଶରୀୟ ନାଟକର ଉତ୍ଥାନ-ପତନର କାଳଖଣ୍ଡ ସଂଯୋଗ ବଶତଃ ପ୍ରାୟ ମିଶିଯାଉଛି। ନାଟକ, ସିନେମା ଓ ଟେଲିଭିଜନ ଦୁନିଆରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ସ୍ୱତନ୍ତ୍ର ଛାପ ଛାଡ଼ିଥିବା ସମିହା ଆୟୁବ ମିଶରର ରାଜଧାନୀ କାଇରୋ ନିକଟସ୍ଥ ଶୁବ୍ରାଠାରେ ୧୯୩୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ସ୍କୁଲ ଶିକ୍ଷା ସମାପ୍ତି ପରେ ସେ ଆକ୍ଟିଂ ଇନଷ୍ଟିଟ୍ୟୁଟରେ ଯୋଗ ଦେଇ ୧୯୫୨ରେ ସେଠାରୁ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କ ଶିକ୍ଷା ସମାପ୍ତି ବେଳକୁ ମିଶର ଏକ ପ୍ରଜାତନ୍ତ୍ରରେ ପରିଣତ ହୋଇସାରିଥିଲା। ଶିକ୍ଷା ସମାପ୍ତି ପରେ ସେ ରେଡ଼ିଓରେ କାମ କରିବା ଆରମ୍ଭ କଲେ କାରଣ ସେତେବେଳେ ରେଡ଼ିଓରେ ନାଟକ ପ୍ରସାରଣକୁ ଗୁରୁତ୍ୱ ଦିଆଯିବାକୁ ଲାଗିଲା। ଦୁଇଟି ରେଡ଼ିଓ ଧାରାବାହିକ ନାଟକରେ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ପ୍ରଶଂସା ସାଉଁଟିବା ପରେ ସେ ନାଟ୍ୟଜଗତର ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲେ। ପ୍ରଥମେ ନାଟ୍ୟକାର ଜାକି ତୁଲେମାତ ଏହି ପୋଖତ ଅଭିନେତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିଥିଲେ। ଏହା ପରେ ତାଙ୍କର ମଞ୍ଚ ନାଟକରେ ପ୍ରବେଶ ହେଲା ଓ ସେ ଜଣେ ଅତି ଉଚ୍ଚକୋଟୀର ଅଭିନେତ୍ରୀ ଭାବେ ପରିଗଣିତ ହେଲେ। ଅଲ-ବଖିଲ (କୃପଣ), କୋବ୍ରି ଅଲ-ନମୁସ (ମଶା ପୋଲ), ସିକ୍କତ ଅଲ-ସଲାମା (ଠିକ୍ ରାସ୍ତା) ନାଟକଗୁଡ଼ିକରେ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ସେ ବେଶ୍ ପ୍ରଶଂସିତ ହୋଇଥିଲେ। ସତୁରୀ ଦଶକରେ ଉତ୍ତରାର୍ଦ୍ଧରେ ସେ ଅଲ-କ୍ୱାମୀ (ନ୍ୟାସନାଲ ଥିଏଟର)ରେ ଯୋଗ ଦେଇଥିଲେ। ସେ ୧୯୭୨ରୁ ୧୯୭୫ ପର୍ଯ୍ୟନ୍ତ ମଡ଼ର୍ଣ୍ଣ ଥିଏଟରର ନିର୍ଦ୍ଦେଶକ ଭାବେ ଦାୟିତ୍ ନିର୍ବାହ କରିବା ପରେ ୧୯୭୫ରୁ ୧୯୮୫ ପର୍ଯ୍ୟନ୍ତ ୧୦ ବର୍ଷ ଯାଏଁ ଅଲ କ୍ୱାମୀ ଥିଏଟରର ନିର୍ଦ୍ଦେଶକ ଭାର ସମ୍ଭାଳିଥିଲେ।

ବର୍ତ୍ତମାନ ସମିହା ‘ଶର୍ମ ଏଲ-ଶେଖ ଇଣ୍ଟରନ୍ୟାସନାଲ ଥିଏଟର ଫେଷ୍ଟିଭାଲ ଫର ୟୁଥ’ର ସମ୍ମାନିତ ସଭାପତି ରୂପେ କାର୍ଯ୍ୟ କରୁଛନ୍ତି। ତାଙ୍କ ସମଗ୍ର ନାଟ୍ୟ ଜୀବନରେ ସେ ସମୁଦାୟ ୧୭୦ଟି ନାଟକରେ ଅଂଶଗ୍ରହଣ କରିଥିଲେ। ଏଗୁଡ଼ିକ ମଧ୍ୟରେ ରହିଛି ‘ରବା ଏଲ-ଆଦାୱେୟା’, ‘ସେକେତ ସଲାମା’, ‘ଦେମା’, ‘ଆଲା ଆସ୍ତର ଏଲ-କାବା’ ଭଳି ପ୍ରସିଦ୍ଧ ନାଟକ। ନାଟକଠାରୁ ଦୀର୍ଘ ୧୧ ବର୍ଷ ଧରି ଦୂରେଇ ରହିବା ପରେ ସମିହା ପୁଣି ଥରେ ୨୦୨୧ରେ ୯୦ ବର୍ଷ ବୟସରେ ଖ୍ୟାତନାମା ନିର୍ଦ୍ଦେଶକ ମାଜେନ ଏଲ ଘାରାବାୱିଙ୍କ ନିର୍ଦ୍ଦେଶିତ ନାଟକ ‘ଅଲମାଜ ୱ ସେ ଅବଦୌ’ ମାଧ୍ୟମରେ ରଙ୍ଗମଞ୍ଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ସମିହା ଅନେକ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଗୁରୁତ୍ୱପୂର୍ଣ୍ଣ ସିନେମାଗୁଡ଼ିକ ହେଲା ‘ଅଲ ମୋତାଶାରେଦା’, ‘ଶାତିଆ ଅଲ-ଘରାମ ୱାଲ ୱାଲ’, ‘ବେଇନ-ଅଲ ଅତଲାଲ’, ‘ତିତା ରହିବା’, ‘ଏଲ ଲିଲା ଏଲ କବିରା’ ଆଦି। ଟେଲିଭିଜନ ନାଟକରେ ବି ସେ ତାଙ୍କ ସ୍ୱତନ୍ତ୍ର ଅଭିନୟ ଛାପ ଛାଡ଼ିଯିବାକୁ ସମର୍ଥ ହୋଇଛନ୍ତି। ୧୯୮୪ରେ ତାଙ୍କ ଅଭିନୀତ ‘ଏଲ ମିରାୟା’ ଟେଲିଭିଜନ ନାଟକ ପାଇଁ ସେ ବେଶ ପ୍ରଶଂସିତ ହୋଇଥିଲେ।

ସମିହାଙ୍କୁ ଆଦର ଓ ସମ୍ମାନର ସହିତ ‘ଦି ଲେଡ଼ି ଅଫ ଆରବ ଥିଏଟର’ ଭାବେ ସମ୍ୱୋଧନ କରାଯାଇଥାଏ। ୨୦୧୫ରେ କଳାକ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ମିଶରର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ‘ନାଇଲ ପୁରସ୍କାର’ ପ୍ରଦାନ କରାଯାଇଥିଲା। ସେହି ବର୍ଷ ଅଲ କ୍ୱାମୀ ଥିଏଟରର ବଡ଼ ହଲଟିକୁ ମଧ୍ୟ ସମିହାଙ୍କ ନାମରେ ନାମିତ କରାଯାଇଥିଲା। କେବଳ ନାଟ୍ୟ କ୍ଷେତ୍ରରେ ନୁହେଁ ପାଲେଷ୍ଟାଇନ ଉପରେ ଇସ୍ରାଏଲର ଦମନଲୀଳା ବିରୁଦ୍ଧରେ ସେ କାଇରୋ ଫିଲ୍ମ ଫେଷ୍ଟିଭାଲରେ ମୁଖରତାର ସହ ସ୍ୱର ଉତ୍ତୋଳନ କରିବାକୁ କୁଣ୍ଠାବୋଧ କରିନଥିଲେ। ନିକଟରେ ତାଙ୍କ ଜୀବନୀ ଉପରେ ସାମ୍ୱାଦିକ ସାୟେଦ ମାମୁଦଙ୍କ ଦ୍ୱାରା ଆରବୀ ଭାଷାରେ ଲିଖିତ ପୁସ୍ତକ ‘ଆକର୍ଷକ ମହିଳା: ଏକ ସୃଜନଶୀଳତାର ପେଶା (ଦି ଚାର୍ମିଂ ଉମେନ: ଏ ଭୋକେସନ ଅଫ କ୍ରିଏଟିଭିଟି) ପ୍ରକାଶ ପାଇ ବେଶ ଚର୍ଚ୍ଚିତ ହୋଇଛି। ଅବଶ୍ୟ ସେ ସାରାଜୀବନ ସରକାରୀ ପ୍ରାୟୋଜିତ ନାଟକଗୁଡ଼ିକ ସହ ସଂଶ୍ଳିଷ୍ଟ ରହିଆସିଛନ୍ତି।

ସରକାରୀ ପ୍ରୋତ୍ସାହନ ଓ ପୃଷ୍ଠପୋଷକତାରେ ପରିବେଷିତ ନାଟକଗୁଡ଼ିକ ହୁଏତ ମନୋରଞ୍ଜନର ଖୋରାକ ଯୋଗାଇପାରନ୍ତି ହେଲେ ଆଖପାଖର ସାମାଜିକ ଓ ରାଜନୈତିକ ବିସଙ୍ଗତି ପ୍ରତି ଯେପରି ଅନ୍ୟମନସ୍କ ରହିବାକୁ ସେମାନେ ଏକପ୍ରକାର ବାଧ୍ୟ ହୋଇଥାନ୍ତି। ସେହି ନାଟକଗୁଡ଼ିକ ପ୍ରଚାରଧର୍ମୀ ହେଉ ବା ନହେଉ ସେଗୁଡ଼ିକରେ ଅନ୍ତତଃ ବ୍ୟବସ୍ଥା ବିରୋଧୀ ସ୍ୱର ଉତ୍ତୋଳିତ ହେବାର ସମ୍ଭାବନା କ୍ଷୀଣ। କିନ୍ତୁ ନାଟକ ଭଳି ଏକ ବଳିଷ୍ଠ ମାଧ୍ୟମର ଧର୍ମ ହେଉଛି ସେହି ସାମାଜିକ ଓ ରାଜନୈତିକ ବିସଙ୍ଗତିଗୁଡ଼ିକୁ ଶାଣିତ ଭାବେ ଉପସ୍ଥାପନ କରି ଜନତାଙ୍କ ସ୍ୱରକୁ ମଝିମଞ୍ଚରେ ଥୋଇବା। ମିଶରର ମୁକ୍ତ ନାଟ୍ୟ ଆନ୍ଦୋଳନରୁ ଏତିକି ଅନ୍ତତଃ ଶିକ୍ଷା ମିଳେ ଯେ ସରକାରୀ ନିୟନ୍ତ୍ରଣରୁ ବାହାରେ ରହି, କୌଣସି ପ୍ରକାର ସରକାରୀ ସହାୟତାର ଅପେକ୍ଷା ନ ରଖି, ସ୍ଥଳ ବିଶେଷରେ ସରକାରୀ ଦମନର ଶିକାର ହୋଇ ମଧ୍ୟ ନିଜର ସ୍ୱାଧୀନ ବକ୍ତବ୍ୟକୁ ସମ୍ପ୍ରେସିତ କରିବା ପାଇଁ ନାଟକକୁ ଏକ ବଳିଷ୍ଠ ମାଧ୍ୟମ ରୂପେ ଉପଯୋଗ କରିହେବ।

ସରଳ କୁମାର ଦାସ

ଭୁବନେଶ୍ଵର, ମୋ- ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos