ଟୁଲକିଟ ଏକ ଷଡ଼ଯନ୍ତ୍ର ନୁହେଁ!

ଆନ୍ଦୋଳନକୁ ପରିଚାଳନା ଓ ବ୍ୟାପକ କରିବା ପାଇଁ ଟୁଲକିଟ ଏକ ଉପକରଣ ବା ପଦ୍ଧତି।

  • ସରଳ କୁମାର ଦାସ

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନ୍ତର୍ଜାତିକ ପରିବେଶବିଦ ଗ୍ରେଟା ଥନବର୍ଗ ୨୦୨୧ ଫେବ୍ରୁଆରୀ ୩ ତାରିଖରେ ଆନ୍ଦୋଳନର ସମର୍ଥନରେ ଏକ ଟୁଇଟ କରିବା ସଙ୍ଗେ ସଙ୍ଗେ ଆନ୍ଦୋଳନ ସପକ୍ଷରେ ଥିବା ଲୋକଙ୍କ ପାଇଁ ଉପଲବ୍ଧ ଏକ ସହାୟକ ଟୁଲକିଟ ସମ୍ପର୍କରେ ସେମାନଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ମାତ୍ର ସେ ସେହି ଟୁଇଟଟିକୁ ହଟାଇ ଦେଇ ଫେବୃଆରି ୪ରେ ଆଉ ଏକ ଟୁଇଟ କରି ପୂର୍ବୋକ୍ତ ଟୁଲକିଟଟି ଅପ୍ରାସଙ୍ଗିକ ହୋଇ ଯାଇଥିବାରୁ ତା’ ସ୍ଥାନରେ ଅନ୍ୟ ଏକ ପରିମାର୍ଜିତ ଟୁଲକିଟ ରଖିଥିଲେ। ସ୍ୱାଭାବିକ ଭାବେ ପ୍ରଥମ ଟୁଲକିଟଟିରେ ଜାନୁଆରୀ ୨୬ରେ ଅନୁଷ୍ଠିତ ହୋଇଥିବା କୃଷକଙ୍କ ଟ୍ରାକ୍ଟର ରାଲିକୁ ସମର୍ଥନ ସହ ଅନ୍‌ଲାଇନରେ ଓ ରାସ୍ତା ଉପରେ କିପରି ବିରୋଧ ପ୍ରଦର୍ଶନ କରାଯିବ ତାହାର ବିସ୍ତୃତ ବର୍ଣ୍ଣନା ଥିବାରୁ ତାହା ଅପ୍ରାସଙ୍ଗିକ ହୋଇ ପଡିଥିଲା। ତେବେ ତଦନୁସାରେ ଦିଲ୍ଲୀରେ ହିଂସା ସଂଘଟିତ ହୋଇଥିବା ଦର୍ଶାଇ ଦିଲ୍ଲୀ ପୁଲିସ ଏହି ଟୁଲକିଟକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କଲେ।

ଟୁଲକିଟ ମାମଲାରେ ବାଙ୍ଗାଲୋରରୁ ୨୨ ବର୍ଷୀୟ ଦିଶା ରବିଙ୍କୁ ଗିରଫ ଓ ଅନ୍ୟ ଦୁଇ ଜଣ, ନିକିତା ଜାକବ ଓ ଶାନ୍ତନୁ ମୁଲୁକଙ୍କ ବିରୁଦ୍ଧରେ ଗିରଫ ପରୁଆନା ଜାରି ହେବା ପରେ ଟୁଲକିଟକୁ ନେଇ ସାରା ଦେଶରେ ଚାଲିଥିବା ଚର୍ଚ୍ଚାରେ ଏହା ଦେଶ ବିରୁଦ୍ଧରେ ଷଡ଼ଯନ୍ତ୍ର ବୋଲି ଏକ ଧାରଣା ସୃଷ୍ଟି ହେଉଥିବାରୁ ଟୁଲକିଟର ବ୍ୟବହାର ଓ ଉପଯୋଗିତାକୁ ବୁଝିବାର ଆବଶ୍ୟକତା ରହିଛି।

ଦେଶର ପ୍ରତ୍ୟେକ ନାଗରିକଙ୍କର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାର ଅଧିକାର ରହିଛି। ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ସବୁ ପ୍ରକାର ଉପକରଣ ବା ପଦ୍ଧତିର ଆଶ୍ରୟ ନେଇ ପାରିବେ। ଆନ୍ଦୋଳନକୁ ପରିଚାଳନା କରିବା ପାଇଁ ଓ ବ୍ୟାପକ କରିବା ପାଇଁ ଟୁଲକିଟ ସେହିପରି ଏକ ଉପକରଣ ବା ପଦ୍ଧତି।

ଆଗରୁ କୌଣସି ଅଭିଯାନ ବା ଆନ୍ଦୋଳନ କରିବାକୁ ହେଲେ ଏହାର ସୁପରିଚାଳନା ପାଇଁ ଆନ୍ଦୋଳନକାରୀଙ୍କୁ ଲିଫଲେଟ ବା ବୁକଲେଟ ମାଧ୍ୟମରେ ସଚେତନ କରା ଯାଉଥିଲା, ଯାହା ଏବେ ମଧ୍ୟ ହେଉଛି। ତେବେ ଡିଜିଟାଲ ସାକ୍ଷରତା ବଢ଼ିବା ପରେ ସାରା ବିଶ୍ୱରେ ଇଣ୍ଟରନେଟକୁ ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ଅଭିଯାନ ବା ଆନ୍ଦୋଳନଗୁଡିକର ପରିଚାଳନା ପାଇଁ ଟୁଲକିଟର ବହୁଳ ଭାବେ ଉପଯୋଗ ହେବା ସାଧାରଣରେ ପରିଣତ ହେଲାଣି।

କୌଣସି ଅଭିଯାନ ବା ଆନ୍ଦୋଳନର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ଟୁଲକିଟ ଏକ ମାର୍ଗଦର୍ଶିକା। ଏଥିରେ ଏକ ଅଭିଯାନ ବା ଆନ୍ଦୋଳନକୁ ସମର୍ଥନ କରି ନିର୍ଦ୍ଧାରିତ କାର୍ଯ୍ୟପନ୍ଥାକୁ କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ହାସଲ କରିବା ପାଇଁ ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ କିଛି ପରାମର୍ଶ ଥାଏ। ସାଧାରଣତଃ ଏହି ଧରଣର ଟୁଲକିଟଗୁଡିକରେ ସାମାଜିକ ଗଣମାଧ୍ୟମ ଜରିଆରେ ବିଭିନ୍ନ ୱେବସାଇଟର ଉପଯୋଗ କରି କୌଣସି ଅଭିଯାନ ସପକ୍ଷରେ କିପରି ବ୍ୟାପକ ଜନ ସମର୍ଥନ ହାସଲ କରି ହେବ ସେ ନେଇ ସୂଚନା ଥାଏ।

ବସ୍ତୁତଃ, ଟୁଲକିଟ ଏକ ଦସ୍ତାବିଜ (ଡକୁମେଣ୍ଟ) ଯାହାକୁ ଯେ କୌଣସି ସଂଗଠନରେ ସାମିଲ ଥିବା ଯେ କେହି ପ୍ରସ୍ତୁତ କରି ପାରିଥାଏ। ସଂଗଠନ କହିଲେ, ତାହା ଅଭିଯାନ, ଆନ୍ଦୋଳନଠାରୁ ଆରମ୍ଭ କରି ଏନଜିଓ ଓ ସରକାରୀ ସଂଗଠନକୁ ମଧ୍ୟ ବୁଝାଇଥାଏ। ବୌଦ୍ଧିକ ସମ୍ପତ୍ତି ଅଧିକାରର କ୍ରିୟାନ୍ୱୟନ ପାଇଁ ଭାରତ ସରକାରଙ୍କ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଅଧୀନସ୍ଥ ଉଦ୍ୟୋଗ ସମ୍ୱର୍ଦ୍ଧନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ଦ୍ୱାରା ପ୍ରସ୍ତୁତ ଏକ ଟୁଲକିଟ, ଏହାର ସରକାରୀ ଭାବେ ଉପଯୋଗର ଏକ ଉଦାହରଣ ମାତ୍ର। ସେହିପରି ଧାର୍ମିକ ଗୁରୁ ସଦଗୁରୁ ଜାଗି ବାସୁଦେବ ତାଙ୍କର ‘କାବେରି କଲିଂ’ ପ୍ରକଳ୍ପର କ୍ରିୟାନ୍ୱୟନ ପାଇଁ ମଧ୍ୟ ଟୁଲକିଟର ଉପଯୋଗ କରିଥିଲେ।

ଭାରତରେ ବିଭିନ୍ନ ରାଜନୈତିକ ଦଳର ଆଇଟି ସେଲଗୁଡିକ ବି ଏହି ଟୁଲକିଟର ଉପଯୋଗ କରି ସେମାନଙ୍କ ଅଭିଯାନ ଚଳାଇଥାଆନ୍ତି। ସେହି ଟୁଲକିଟ ଯେତେବେଳେ କୌଣସି ଆନ୍ଦୋଳନରେ ବ୍ୟବହାର କରା ଯାଇଥାଏ, ସେତେବେଳେ ସେଥିରେ ଆନ୍ଦୋଳନ ସଂକ୍ରାନ୍ତୀୟ ପଠନ ସାମଗ୍ରୀଠାରୁ ଆରମ୍ଭ କରି ଆନ୍ଦୋଳନର ସମ୍ୱାଦ, ପ୍ରତିବାଦର ପଦ୍ଧତି (ହାସଟାଗ ଇତ୍ୟାଦି) ସନ୍ନିବେଶିତ ହୋଇଥାଏ। ଏହି ଧରଣର ଟୁଲକିଟକୁ ଅନେକ ଲୋକ ବ୍ୟବହାର କରୁଥିଲେ ବି ମୁଷ୍ଟିମେୟ ବ୍ୟକ୍ତିବିଶେଷ ବା ଏକ ସଂଗଠନ ନିକଟରେ ଏହାର ମାଲିକାନା ଥାଏ ଓ ମୁଷ୍ଟିମେୟ ବ୍ୟକ୍ତିଙ୍କ ଉପରେ ଏହାର ସମ୍ପାଦନା ଦାୟିତ୍ୱ ନ୍ୟସ୍ତ ହୋଇଥାଏ। କେବଳ ସେହି ସମ୍ପାଦକମାନେ ହିଁ ଦସ୍ତାବିଜରେ ଯୋଡ଼ିବା ବା ବାଦ ଦେବା କାମ କରି ପାରିଥାଆନ୍ତି, ଅନ୍ୟମାନେ ନୁହେଁ।

ଟୁଲକିଟକୁ କ୍ୟାମ୍ପେନ ଟୁଲକିଟ ମଧ୍ୟ କୁହାଯାଇଥାଏ, ଯାହା ‘ଇନଷ୍ଟିଚ୍ୟୁଟ ଅଫ ଷ୍ଟ୍ରାଟେଜିକ ଡାଏଲଗ’ (ଆଇଏସଡି) ଓ ‘ଗ୍ଲୋବାଲ ଇଣ୍ଟରନେଟ ଫୋରମ ଟୁ କାଉଣ୍ଟର ଟେରରିଜମ’ (ଜିଆଇଏଫସିଟି)ଙ୍କ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ। ଏହା ଏକ ଅଗ୍ରଣୀ ମାଗଣା ସାଧନ ଭାବେ ୱେବସାଇଟରେ ଉପଲବ୍ଧ। ଏହା ଏକ ବହୁଭାଷୀୟ, ପାରସ୍ପରିକ ଆଦାନପ୍ରଦାନ ପାଇଁ ସମର୍ଥ (ଇଣ୍ଟରଆକ୍ଟିଭ) ସାଧନ ଯାହା ମାଧ୍ୟମରେ ବ୍ୟକ୍ତି ବିଶେଷ ଓ ସଂଗଠନମାନେ ସମାଜର ମଙ୍ଗଳ ପାଇଁ ତଥା ସାମାଜିକ ଧ୍ରୁବୀକରଣ ବିରୁଦ୍ଧରେ ଅଭିଯାନ ମାଧ୍ୟମରେ ଏକଜୁଟ ହୋଇ ପଦକ୍ଷେପ ନେବାକୁ ସକ୍ଷମ ହୋଇଥାଆନ୍ତି।

ଯେ କୌଣସି ଅଭିଯାନ ବା ଆନ୍ଦୋଳନରେ ଅଂଶ ଗ୍ରହଣ କରୁଥିବା ବା ସମର୍ଥନ କରୁଥିବା ସକ୍ରିୟତାବାଦୀ (ଆକ୍ଟିଭିଷ୍ଟ) ବା ସଂଗଠନ ଏହି କ୍ୟାମ୍ପେନ ଟୁଲକିଟକୁ ବ୍ୟବହାର କରି ଅଭିଯାନ ବା ଆନ୍ଦୋଳନକୁ ଗତି ପ୍ରଦାନ କରିବା ପାଇଁ ଆବଶ୍ୟକତାନୁସାରେ ନିଜ ଟୁଲକିଟ ପ୍ରସ୍ତୁତ କରିଥାଆନ୍ତି। ଏଥିରେ ତିନିଟି ସ୍ତର ସନ୍ନିବେଶିତ।

ପ୍ରଥମେ ବ୍ୟବହାରକାରୀଙ୍କୁ ଅଭିଯାନର କୌଶଳ ନିର୍ଦ୍ଧାରଣ କରି ଯୋଜନା ପ୍ରସ୍ତୁତ କରିବାକୁ ହୋଇଥାଏ। ତଦନୁସାରେ ଅଭିଯାନ ପାଇଁ ଏକ ବିଷୟବସ୍ତୁ ବା ନାମକରଣ ସହ ଏହା କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ତାହା ସ୍ଥିର କରିବାକୁ ହୋଇଥାଏ। ଦ୍ୱିତୀୟତଃ, ଅଭିଯାନର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଟୁଲକିଟରେ କି ପ୍ରକାର ସାମଗ୍ରୀ (ଲେଖା, ଫଟୋ, ଭିଡିଓ ଇତ୍ୟାଦି) ସ୍ଥାନ ପାଇବ ତାହା ସ୍ଥିର କରା ଯାଇଥାଏ। ଶେଷରେ, ଏହା କିପରି ଅଧିକ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚି ଅଭିଯାନ ବା ଆନ୍ଦୋଳନ ସମ୍ପର୍କରେ ବୃହତ୍ତର ଜନ ସଚେତନତା ସୃଷ୍ଟି କରି ହେବ ସେ ନେଇ ବ୍ୟବହାରକାରୀଙ୍କୁ ସାହାଯ୍ୟ କରିଥାଏ।

ବ୍ୟବହାରକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ କିପରି କ୍ୟାମ୍ପେନ ଟୁଲକିଟର ଉତ୍ତମ ପ୍ରୟୋଗ କରି ସଫଳ ଅଭିଯାନମାନ ଗଢି ଉଠିଛି ସେ ସମ୍ପର୍କରେ ଉଦାହରଣମାନ ପ୍ରଦାନ କରା ଯାଇଛି। ସେହିପରି ‘ଆମେରିକାନ ଲାଇବ୍ରେରି ଆସୋସିଏସନ’ ଅଧୀନସ୍ଥ ‘ୟଙ୍ଗ ଆଡଲଟ୍ ଲାଇବ୍ରେରି ସର୍ଭିସେସ ଆସୋସିଏସନ’ ମଧ୍ୟ ଇଣ୍ଟରନେଟରେ ଏକ ‘ଟୁଲକିଟ ନିର୍ମାଣ ମାର୍ଗଦର୍ଶିକା’ ଅପଲୋଡ କରିଛନ୍ତି। ସେମାନଙ୍କ ଦ୍ୱାରା ଟୁଲକିଟର ନିରୂପିତ ସଂଜ୍ଞାଟି ହେଲା, “ଆଗ ଧାଡିର କର୍ମୀଙ୍କୁ ସମସ୍ୟାଟିକୁ ବୁଝିବାରେ ସହାୟକ ହେବା ଓ ତାର ନିରାକରଣ ପାଇଁ କୌଶଳ ଚିହ୍ନଟ କରିବାରେ ସହାୟକ ହେବା ପାଇଁ ଏକ ଆଧିକାରିକ (ଅଥରିଟେଟିଭ) ଓ ପରିର୍ତ୍ତନସାଧ୍ୟ (ଆଡାପଟେବଲ)ସମ୍ୱଳଗୁଡିକର ସଂକଳନ”।

ଅର୍ଥନୈତିକ ଅସମାନତାର ପ୍ରତିବାଦରେ ସେପ୍ଟେମ୍ୱର ୨୦୧୧ ମସିହାରେ ନିଉୟର୍କରେ ଆରମ୍ଭ ହୋଇଥିବା ‘ଅକୁପାଏ ୱାଲ ଷ୍ଟ୍ରିଟ’ ଆନ୍ଦୋଳନ ଟୁଲକିଟର ସଫଳତାର ସହ ଉପଯୋଗ ମାଧ୍ୟମରେ ବ୍ୟାପକ ଜନ ସମର୍ଥନ ହାସଲ କରି ଆମେରିକାର ଅନ୍ୟ ଅଞ୍ଚଳ ତଥା ଅନ୍ୟାନ୍ୟ ଅନେକ ଦେଶକୁ ବ୍ୟାପି ଥିଲା। ସେହିପରି ୨୦୧୮ର ଜଳବାୟୁ ପରିବର୍ତ୍ତନ ଆନ୍ଦୋଳନ, ୨୦୧୯ରେ ହଂକଂ ପ୍ରତିବାଦ, ଭାରତରେ ସିଏଏ ବିରୋଧୀ ଆନ୍ଦୋଳନଗୁଡିକରେ ଟୁଲକିଟର ଉପଯୋଗ ହୋଇଥିବା କୁହାଯାଏ। ଏତଦଭିନ୍ନ ବର୍ତ୍ତମାନ ମଧ୍ୟ ସାରା ବିଶ୍ୱରେ ‘ମୋର ଦ୍ୟାନ ଏ ରିଫ୍ୟୁଜି’, ‘ହ୍ୱାଟ ଦି ଫେକ’, ‘କନେକ୍ଟ ଫ୍ୟୁଟର୍ସ’, ‘କନସ୍ପିରେସି ୱାଚ’, ‘ଡୋଣ୍ଟ ବି ସାଇଲେଣ୍ଟ’, ‘ଏଜୁକେଟ ଏଗେନଷ୍ଟ ହେଟ’ ଭଳି ଶହ ଶହ ଅଭିଯାନ ଟୁଲକିଟ ମାଧ୍ୟମରେ ସଫଳତାର ସହ ଚାଲିଛି।

କୃଷକ ଆନ୍ଦୋଳନକୁ ସମର୍ଥନ କରି ପ୍ରସ୍ତୁତ ହୋଇଥିବା ଟୁଲକିଟର ପଠନ ସାମଗ୍ରୀକୁ ବିଶ୍ଳେଷଣ କରି ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଦୀପକ ଗୁପ୍ତା ମତ ଦେଇଛନ୍ତି ଯେ ସେଥିରେ ହିଂସା ବା ଲୋକଙ୍କୁ ଉସୁକାଇବା ପାଇଁ ଏପରି କିଛି ସାମଗ୍ରୀ ନାହିଁ ଯାହା ଆଇନ ଅନୁସାରେ ଦ୍ରୋହ ପର୍ଯ୍ୟାୟଭୁକ୍ତ କହି ହେବ। ଏହି ଟୁଲକିଟ ଦସ୍ତାବିଜ ସହ ଜନୈକ ଖଲିସ୍ତାନ ସମର୍ଥକଙ୍କ ସମ୍ପୃକ୍ତି ଥିବାର ସନ୍ଦେହରେ ପୁଲିସ ଏହା ଦେଶ ବିରୋଧୀ କାର୍ଯ୍ୟ ବୋଲି ତଦନ୍ତ କରୁଛି। ତେଣୁ ଏହି ଟୁଲକିଟ ସହ ସମ୍ପୃକ୍ତ ଅନ୍ୟମାନେ ବି ଯେ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ବୋଲି ତୁରନ୍ତ ନିଷ୍କର୍ଷରେ ପହଞ୍ଚି ନ ଯାଇ ତଦନ୍ତର ଫଳାଫଳକୁ ଅପେକ୍ଷା କରିବା ସମୀଚୀନ ହେବ।

କୃଷକ ଆନ୍ଦୋଳନ ଆମ ଦେଶର ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ ସେଥିରେ ଟୁଇଟ ମାଧ୍ୟମରେ ବା ଅନ୍ୟ ଭାବେ ବିଦେଶୀମାନେ ହସ୍ତକ୍ଷେପ କରିବାକୁ କେହି କେହି ଅନ୍ତ୍ରର୍ଜାତିକ ଷଡ଼ଯନ୍ତ୍ର ବୋଲି କହୁଛନ୍ତି। ବାସ୍ତବତା ହେଉଛି, ଆଜିକାଲିର ଡିଜିଟାଲ ଦୁନିଆରେ ଜଣେ ଫେସବୁକ, ଟୁଇଟର, ହ୍ୱାଟସଆପ, ଇନଷ୍ଟାଗ୍ରାମ ଆଦି ସାମାଜିକ ଗଣମାଧ୍ୟମର ଉପଯୋଗ କରୁଥିଲେ ସେ ଆଉ ଏକ ନିର୍ଦ୍ଦିଷ୍ଟ ଦେଶର ଭୌଗୋଳିକ ସୀମାରେ ଆବଦ୍ଧ ନ ରହି ଜଣେ ଅନ୍ତର୍ଜାତୀୟ ବ୍ୟକ୍ତି ପାଲଟି ଯାଇଥାଏ। ତେଣୁ ଯେ କୌଣସି ଦେଶରେ ଘଟୁଥିବା ଯେ କୌଣସି ଘଟଣା ଆଉ ସେହି ଦେଶର ଆଭ୍ୟନ୍ତରୀଣ ମାମଲା ହୋଇ ରହି ପାରି ନ ଥାଏ। ବରଂ ତାହା ସମଗ୍ର ବିଶ୍ୱରେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଯେ କୌଣସି ବ୍ୟକ୍ତିର ଦୃଷ୍ଟି ଆକର୍ଷଣ କରି ପାରିଥାଏ ଓ ସେଥିରେ ସେ ପ୍ରଭାବିତ ହେଉ କି ନ ହେଉ ନିଜ ପ୍ରତିକ୍ରିୟା ବ୍ୟକ୍ତ କରିବାକୁ ପଛାଇ ନ ଥାଏ। ସେଥିପାଇଁ ଆମେରିକାର କ୍ୟାପିଟଲ ହିଲରେ ହୋଇଥିବା ହିଂସାକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କଲା ବେଳେ ଏହା ଆମେରିକାର ଆଭ୍ୟନ୍ତରୀଣ ମାମଲା ଭାବି ସେଥିରୁ ବିରତ ହୋଇ ନ ଥିଲେ।

ଏକ ନିର୍ଦ୍ଦିଷ୍ଟ ଅଭିଯାନ ବା ଆନ୍ଦୋଳନ ସପକ୍ଷରେ ବା ବିପକ୍ଷରେ ସାମାଜିକ ଗଣମାଧ୍ୟମର ପ୍ରାୟୋଜିତ ଉପଯୋଗର ନଜିରମାନ ମଧ୍ୟ ଦେଖିବାକୁ ମିଳୁଥିଲେ ବି ସେଗୁଡିକୁ ଅନ୍ତର୍ଜାତିକ ଷଡ଼ଯନ୍ତ୍ର କହିଲେ ଲାଭ ନାହିଁ, କାରଣ ସୀମାବିହୀନ ଡିଜିଟାଲ ଦୁନିଆର ତାହା ହିଁ ବାସ୍ତବତା। ଏଥିରେ ଅନ୍ୟ ଦେଶର ନାଗରିକ ସାମିଲ ହେଉ ଥିବାରୁ ଶକ୍ତିଶାଳୀ ଦେଶଟିଏ ବି ସେମାନଙ୍କ ବିରୁଦ୍ଧରେ ସେ ଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନଥାଏ।

ଅନେକଙ୍କ ଦ୍ୱାରା ଏକ ବଖାଣ ପ୍ରସ୍ତୁତ କରି ଜନମାନସରେ ଏକ ବିଭ୍ରାନ୍ତି ସୃଷ୍ଟି କରିବାର ପ୍ରୟାସ ହେଉଛି ଯେ ଟୁଲକିଟ ଏକ ଷଡ଼ଯନ୍ତ୍ର। ସବୁ ସମୟରେ ଷଡ଼ଯନ୍ତ୍ର ଓ ରଣ କୌଶଳ ମଧ୍ୟରେ ଏକ କ୍ଷୀଣ ତଫାତକାରୀ ରେଖା ରହି ଆସିଛି। ଶାସକ, ପ୍ରଶାସକଙ୍କ ପାଇଁ ଯାହା ଷଡ଼ଯନ୍ତ୍ର, ଆନ୍ଦୋଳନକାରୀ ବା ବିଦ୍ରୋହୀଙ୍କ ପାଇଁ ତାହା ଷ୍ଟ୍ରାଟେଜି ବା ରଣ କୌଶଳ। ଔରଙ୍ଗଜେବଙ୍କ ଦୃଷ୍ଟିରେ ଶିବାଜୀ ଜଣେ ଷଡ଼ଯନ୍ତ୍ରକାରୀ ଓ ବିଦ୍ରୋହୀ ଥିଲେ। ବ୍ରିଟିଶ ସରକାରଙ୍କ ପାଇଁ ଭଗତ ସିଂହ ଜଣେ ଆତଙ୍କବାଦୀ ହୋଇଥାଇ ପାରନ୍ତି ମାତ୍ର ପ୍ରତି ଭାରତୀୟ ପାଇଁ ସେ ଜଣେ ଦେଶପ୍ରେମୀ।

ଦେଶ ବିରୁଦ୍ଧରେ କୌଣସି ଷଡ଼ଯନ୍ତ୍ର ସର୍ବାଦୌ ନିନ୍ଦନୀୟ। କିନ୍ତୁ ଅନେକ ସମୟରେ ବ୍ୟବସ୍ଥା ବିରୁଦ୍ଧରେ ବା ସରକାରଙ୍କ ବିରୁଦ୍ଧରେ ଥିବା ଅସନ୍ତୋଷର ଆନ୍ଦୋଳନ ମାଧ୍ୟମରେ ହେଉଥିବା ପରିପ୍ରକାଶକୁ ଜନ ସମର୍ଥନ ହାସଲ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଦେଶର ସରକାର ତାହା ଦେଶ ବିରୋଧୀ ବୋଲି ଅଭିହିତ କରିବାର ପ୍ରଚେଷ୍ଟା କରିଥାଆନ୍ତି। ପ୍ରକୃତପକ୍ଷେ ଟୁଲକିଟର ବ୍ୟବହାର ଷଡ଼ଯନ୍ତ୍ର ପାଇଁ ନୁହେଁ ବରଂ ଅଭିଯାନର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଏହାକୁ ଏକ ଷଡ଼ଯନ୍ତ୍ର ବା ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି କହି ହେବ ନାହିଁ।

ଟୁଲକିଟ ମାମଲାରେ ୨୨ ବର୍ଷୀୟ ଦିଶା ରବିଙ୍କ ଗିରଫ ପରେ ସରକାର ଯୁବ ସମାଜର ପ୍ରତିବାଦର ସ୍ୱରକୁ କ୍ଷୀଣ କରି ସେଥିରୁ କ୍ଷାନ୍ତ ରହିବା ପାଇଁ ଏକ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି କେହି କେହି କହୁଛନ୍ତି। ଯେ କୌଣସି ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ଅଭିଯାନ ବା ଆନ୍ଦୋଳନ ମୁଣ୍ଡ ଟେକିବା ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏହା ଗଣତନ୍ତ୍ରର ସୁରକ୍ଷା ପାଇଁ ଅପରିହାର୍ଯ୍ୟ ମଧ୍ୟ। ଯେଉଁ ଦେଶର ଯୁବ ସମାଜ ଏ ନେଇ ଯେତେ ସଚେତନ ସେଠାରେ ଗଣତନ୍ତ୍ର କେବଳ ସୁରକ୍ଷିତ ନୁହେଁ ବରଂ ବିକାଶ ଲାଭ କରିଥାଏ।

ଯୁବ ବର୍ଗ ଯେ କୌଣସି ଦେଶର ମେରୁଦଣ୍ଡ ହୋଇଥିବାରୁ ହଂକଂଠାରୁ ଆରମ୍ଭ କରି ବିଶ୍ୱର ବିଭିନ୍ନ ଦେଶରେ ହେଉଥିବା ଆନ୍ଦୋଳନମାନଙ୍କରେ ଯୁବ ସମାଜର ବହୁ ସଂଖ୍ୟାରେ ଯୋଗଦାନ ଦ୍ୱାରା ଶାସକମାନେ ବିଚଳିତ ହୋଇ ସେମାନଙ୍କ ବିରୁଦ୍ଧରେ ବିଭିନ୍ନ ଦମନମୂଳକ ପଦକ୍ଷେପ ନେଇଥାଆନ୍ତି। ସେମାନଙ୍କ ମଧ୍ୟରେ ଭୀତି ସଞ୍ଚାର କରି ସେମାନଙ୍କୁ ଆନ୍ଦୋଳନରୁ ଦୂରେଇ ରଖିବା ପାଇଁ ବା କ୍ଷାନ୍ତ କରିବା ପାଇଁ ପ୍ରୟାସ କରିଥାଆନ୍ତି। ତେବେ ଯୁବ ସମାଜ ସରକାରୀ ତନ୍ତ୍ରର ଦମନରେ ଭୀତତ୍ରସ୍ତ ହୋଇ ଅଭିଯାନ ବା ଆନ୍ଦୋଳନରୁ ନିବୃତ୍ତ ରହିଲେ ତାହା ସ୍ୱୈରତନ୍ତ୍ରକୁ ଜନ୍ମ ଦେଇଥାଏ, ଯାହା ଦେଶ ଓ ଦେଶବାସୀଙ୍କ ପ୍ରଭୁତ କ୍ଷତି ସାଧନ କରିଥାଏ। ହିଟଲରଙ୍କ ଅଧୀନରେ ଜର୍ମାନୀ ତାର ଏକ ଜ୍ୱଳନ୍ତ ଉଦାହରଣ। ତେଣୁ ହିଂସାକୁ ଆଶ୍ରୟ ନ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଅଂଶଗ୍ରହଣ କରିବା ଓ ଅଭିଯାନ ବା ଆନ୍ଦୋଳନ ପ୍ରତି ବ୍ୟାପକ ଜନସମର୍ଥନ ଲାଭ ଉଦ୍ଦେଶ୍ୟରେ ଟୁଲକିଟ ଭଳି ଆଧୁନିକ ପଦ୍ଧତି ଓ ଉପକରଣର ଅଧିକାଧିକ ଉପଯୋଗ କରିବାରେ କୌଣସି ଭୁଲ ନ ଥିବାରୁ ଯୁବ ସମାଜ ଏ ନେଇ ଭୀତତ୍ରସ୍ତ ବା ଏଥିରୁ ବିମୁଖ ହେବାର କୌଣସି କାରଣ ନାହିଁ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।