ମହାମାରୀ ଓ ବିପର୍ଯ୍ୟୟ ପରିଚାଳନାରେ ସ୍ୱଚ୍ଛତା

ମହାମାରୀ ଓ ବିପର୍ଯ୍ୟୟ ସମୟରେ ସେଗୁଡିକର ପରିଚାଳନାକୁ ନେଇ ପ୍ରଶ୍ନ ପଚାରିବା ସମୀଚୀନ କି ନୁହେଁ ?

  • ସରଳ କୁମାର ଦାସ

ସେ ଦିନ ଜଣେ ଅନୁସନ୍ଧିତ୍ସୁ ପାଠକ ଫୋନରେ ପଚାରିଲେ, “ବିଭିନ୍ନ କମ୍ପାନୀଙ୍କ ସିଏସଆର ଆର୍ଥିକ ସହାୟତାରେ ରାଜ୍ୟସାରା ଏତେଗୁଡ଼ିଏ କୋଭିଡ ହସପିଟାଲ ତିଆରି ହୋଇଛି, ଯେଉଁଥିରୁ ଅଧିକାଂଶ ଘରୋଇ ହସପିଟାଲଙ୍କ ଦ୍ୱାରା ପରିଚାଳିତ। ମୁଁ ଶୁଣିଲି, ସେହି ହସପିଟାଲରେ ରୋଗୀ ଥାନ୍ତୁ କି ନଥାନ୍ତୁ, ସରକାର କୁଆଡ଼େ ବେଡ୍ ପିଛା ଦୈନିକ ୩,୫୦୦ ଟଙ୍କା ଦେଉଛନ୍ତି ବୋଲି। ଏହା କ’ଣ ସତ ?” ମୋ ନିକଟରେ ସେ ସମ୍ପର୍କରେ ଅଧିକ ତଥ୍ୟ ଥିବାର ଆଶାରେ ହୁଏତ ସେ ମୋତେ ଏ ପ୍ରଶ୍ନ ପଚାରି ଥାଇ ପାରନ୍ତି। ତେବେ କୋଭିଡ ହସପିଟାଲ ପ୍ରତିଷ୍ଠା ସଂକ୍ରାନ୍ତୀୟ ଚୁକ୍ତିଗୁଡିକ ସାଧାରଣରେ ଉପଲବ୍ଧ ନ ଥିବାରୁ ତହିଁର ସର୍ତାବଳୀ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ମୁଁ, ସେ ନେଇ କୌଣସି ମତାମତ ଦେବାକୁ ଉଚିତ ମନେ କଲିନାହିଁ। ପାଠକ ଜଣଙ୍କ ଉପରୋକ୍ତ ଧାରଣା ଠିକ ହୋଇ ପାରେ ବା ଭୁଲ। ତେବେ ଏ କଥା ସତ ଯେ ଏ ସମ୍ପର୍କରେ ଯେ ପର୍ଯ୍ୟନ୍ତ ବିଶ୍ୱାସଯୋଗ୍ୟ ସୂତ୍ରରୁ ସବିଶେଷ ତଥ୍ୟ ଓ ସୂଚନା ସାଧାରଣଙ୍କ ଗୋଚରାର୍ଥେ ଉପଲବ୍ଧ କରା ନ ଯାଇଛି, ଗୁଜବ ମାଧ୍ୟମରେ ଲୋକଙ୍କ ନିକଟରେ ଭୁଲ ତଥ୍ୟ ପହଂଚି ଅଧିକ କ୍ଷତିସାଧିତ ହେବ। ସେହିପରି କିଛି ଦିନ ତଳେ ଜଣେ ଟିଭି ଆଙ୍କର ଏକ ସାକ୍ଷାତକାରରେ ପରବର୍ତୀ ସମୟରେ କୋଭିଡ ହସପିଟାଲର ମାଲିକାନା କାହା ପାଖରେ ରହିବ ବୋଲି ପଚାରିଥିବା ପ୍ରଶ୍ନଟି କେତେକଙ୍କୁ ଭଲ ଲାଗି ନଥିଲା। ‘ସବୁ ପ୍ରଶ୍ନ ପଚାରିବାର ଗୋଟେ ସମୟ ଥାଏ ଓ ଏଭଳି ଏକ ସଙ୍କଟ ବେଳେ ଏଇ ଧରଣର ସମ୍ୱେଦନଶୀଳ ପ୍ରସଙ୍ଗ ଉପରେ ପ୍ରଶ୍ନ ପଚାରିବା ଠିକ ହୋଇନାହିଁ’ ବୋଲି ସାମାଜିକ ଗଣମାଧ୍ୟମରେ କେହି କେହି ମତ ରଖିଲେ। ଏଠାରେ ପ୍ରଶ୍ନ ଉଠୁଛି, ମହାମାରୀ ଓ ବିପର୍ଯ୍ୟୟ ସମୟରେ ସେଗୁଡିକର ପରିଚାଳନାକୁ ନେଇ ପ୍ରଶ୍ନ ପଚାରିବା ସମୀଚୀନ କି ନୁହେଁ ? ତେବେ ପ୍ରଶ୍ନ ନ ପଚାରିଲେ ପରିଚାଳନାରେ ସ୍ୱଚ୍ଛତା ସୁନିଶ୍ଚିତ କରି ହୋଇ ନଥାଏ। ତେଣୁ ଏ ପ୍ରସଙ୍ଗରେ ଅନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଓ ଅନୁସୃତ ଶ୍ରେଷ୍ଠ ପ୍ରଥାଗୁଡ଼ିକୁ ଜାଣି ସେଗୁଡିକୁ ମହାମାରୀ ଓ ବିପର୍ଯ୍ୟୟ ପରିଚାଳନାରେ ଉପଯୋଗରେ ଆଣିବା କଥା ବିବେଚନା କରା ଯାଇପାରେ।

କରୋନା ଭୂତାଣୁ ଯେପରି ସୀମା ସରହଦ ନ ମାନି ଦେଶରୁ ଦେଶକୁ ମାଡ଼ି ଚାଲିଛି ଠିକ୍‌ ସେହିପରି କରୋନାକୁ ମୁକାବିଲା କରୁଥିବା ରାଷ୍ଟ୍ରଗୁଡିକ ମଧ୍ୟରୁ ଅଧିକାଂଶ କରୋନା-ଭ୍ରଷ୍ଟାଚାରରେ ସଂକ୍ରମିତ ହେବାରେ ଲାଗିଛନ୍ତି। ଇତିମଧ୍ୟରେ ବିଭିନ୍ନ ଦେଶରୁ ରାଜନେତା ଓ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତିରେ ହୋଇଥିବା ବଡ଼ ଧରଣର ଭ୍ରଷ୍ଟାଚାରର ଖବରମାନ ପ୍ରଘଟ ହେବାକୁ ଲାଗିଲାଣି। ତନ୍ମଧ୍ୟରୁ ରୋମାନିଆରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ଓ ସୁରକ୍ଷାତ୍ମକ ପୋଷାକ କିଣା କ୍ଷେତ୍ରରେ ହୋଇଥିବା ଏକ ବଡ଼ ଧରଣର ଦୁର୍ନୀତିକୁ ଉଦାହରଣ ସ୍ୱରୂପ ନିଆ ଯାଇପାରେ। ମାସ୍କ ଓ ୨୬ ହଜାର ସୁରକ୍ଷାତ୍ମକ ପୋଷାକ ଯୋଗାଇ ଦେବା ପାଇଁ ରୋମାନିଆର ‘ବିଏସ୍‌ଜି ବିଜନେସ ସିଲେକ୍ଟ ଏସଆରଏଲ’ ନାମକ ଏକ କମ୍ପାନୀକୁ ସେଠାକାର ସରକାରଙ୍କ ତରଫରୁ ବିନା ଟେଣ୍ଡରରେ ଏକ ଅର୍ଡର ମିଳିଲା। ଅତୀତରେ ପ୍ରଧାନମନ୍ତ୍ରୀ ଲୁଡ୍ୟୁଭିକ ଓର୍ବାନଙ୍କ ଅଧୀନରେ କାମ କରିଥିବା ଜଣେ ପୂର୍ବତନ ସରକାରୀ କର୍ମଚାରୀଙ୍କ ଦ୍ୱାରା ଏହି କମ୍ପାନୀଟି ପ୍ରତିଷ୍ଠିତ ବୋଲି କୁହାଯାଏ। ଅର୍ଡର ପାଇବାର ଦିନକ ମଧ୍ୟରେ କମ୍ପାନୀ ତାହା ତୁର୍କିରୁ ୬.୧୪ ଲକ୍ଷ ଇଉରୋରେ ଆମଦାନୀ କରି ୪୦ ପ୍ରତିଶତ ଲାଭ ରଖି ୮.୬୬ ଲକ୍ଷ ଇଉରୋରେ ରୋମାନିଆରେ ସ୍ୱାସ୍ଥ୍ୟସାମଗ୍ରୀ ପହଂଚାଉଥିବା ସରକାରୀ ସଂସ୍ଥା ‘ୟୁନିଫାର୍ମ’କୁ ଯୋଗାଇ ଦେଲା। ଉଲ୍ଲେଖଯୋଗ୍ୟ ଯେ ପ୍ରତିଟି ସୁରକ୍ଷାତ୍ମକ ପୋଷାକ ତୁର୍କିରୁ ମାତ୍ର ୭.୫ ଇଉରୋରେ କିଣା ହୋଇ ‘ୟୁନିଫାର୍ମ’କୁ ୧୭.୪୫ ଇଉରୋରେ ବିକ୍ରି କରାଗଲା, ଅର୍ଥାତ୍‌ ପ୍ରାୟ ୧୩୨ ପ୍ରତିଶତ ଲାଭ ରଖାଯାଇଥିଲା। କେବଳ ସେତିକି ନୁହେଁ, ଏହି ମାସ୍କ ଓ ସୁରକ୍ଷାତ୍ମକ ପୋଷାକଗୁଡ଼ିକ ଏତେ ନିମ୍ନମାନର ଥିଲା ଯେ ସେଠାରେ ପ୍ରାୟ ୩୦୦ ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ହୋଇଗଲେ ବୋଲି ଅଭିଯୋଗ ହୁଏ।

ଜନସାଧାରଣଙ୍କ ଧ୍ୟାନ କରୋନା ଆତଙ୍କ ଉପରେ କେନ୍ଦ୍ରିତ ଥିବାରୁ କେବଳ ରୋମାନିଆ ନୁହେଁ, ବରଂ ବିଭିନ୍ନ ଦେଶର ଅସାଧୁ ବ୍ୟବସାୟୀ, ସରକାରୀ କର୍ମଚାରୀ ଓ ରାଜନେତାମାନେ କରୋନା ମହାମାରୀକୁ ଏକ ମହା ସୁଯୋଗ ବୋଲି ମନେ କରି ବଡ଼ ଧରଣର ଭ୍ରଷ୍ଟାଚାରରେ ଲିପ୍ତ ଥିବାର ପ୍ରମାଣମାନ ମିଳିବାକୁ ଲାଗିଲାଣି। ଗତ ଏପ୍ରିଲ ୨୪ରେ ଏକ ବ୍ୟବସାୟ ବିବାଦର ସମାଧାନ କରୁ କରୁ ଦିଲ୍ଲୀ ହାଇକୋର୍ଟ ଭାରତରେ କରୋନା ପରୀକ୍ଷା ପାଇଁ ବ୍ୟବହୃତ ହେଉଥିବା ରାପିଡ ଟେଷ୍ଟ କିଟ କିଣାରେ ହୋଇଥିବା ଏଭଳି ଏକ ବଡ଼ ଧରଣର ଦୁର୍ନୀତିକୁ ଉଜାଗର କରିଛନ୍ତି। ଚୀନରୁ ଚେନ୍ନାଇର ମାଟ୍ରିକ୍ସ ଲ୍ୟାବ ନାମକ କମ୍ପାନୀ ପ୍ରତିଟି ରାପିଡ ଟେଷ୍ଟ କିଟକୁ ମାତ୍ର ୨୪୫ ଟଙ୍କା (ପରିବହନ ଖର୍ଚ୍ଚ ସମେତ)ରେ କିଣି ଦିଲ୍ଲୀର ରେୟାର ମେଟାବୋଲିକ୍ସ ଲାଇଫ ସୋର୍ସେସ କମ୍ପାନୀ ମାଧ୍ୟମରେ ଭାରତ ସରକାରଙ୍କ ଆଇସିଏମଆରକୁ ୬୦୦ ଟଙ୍କା (ଜିଏସଟି ଅତିରିକ୍ତ) ଦରରେ ବିକ୍ରି କରିଛି। ଅର୍ଥାତ୍, ପ୍ରତିଟି କିଟ୍‌ ଉପରେ ଉଭୟ କମ୍ପାନୀ ମିଶି ସରକାରଙ୍କଠାରୁ କିଣାଦାମରୁ ୧୪୫ ପ୍ରତିଶତ ଅଧିକ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଇସିଏମଆର ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନସ୍ଥ। ଚୀନର ଯେଉଁ ଦୁଇଟି କମ୍ପାନୀଙ୍କ ନିକଟରୁ କିଟ୍‌ କିଣାଯାଉଛି, ତାହା ଏହି ଆଇସିଏମଆର ସ୍ଥିର କରିବା ସହ କିଟର ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରିଥିବାରୁ ଏହି କିଟ କିଣାରେ ଦୁର୍ନୀତିର ଚେର ଯେ ଭିତରକୁ ଯାଇଛି, ତାହା ନିଃସନ୍ଦେହ। ସେହିପରି କେନ୍ଦ୍ର ଦ୍ୱାରା ପ୍ରତିଷ୍ଠିତ ‘ପିଏମ କେଆର’ ରିଲିଫ ପାଂଠି ସିଏଜିଙ୍କ ଦ୍ୱାରା ଅଡିଟ ହେବାର ପ୍ରାବଧାନ ନ ଥିବାରୁ ତା’ର ଉପଯୋଗର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

କରୋନାର ମୁକାବିଲା କରିବା ପାଇଁ ନିମ୍ନ ଆୟକାରୀ ଦେଶଗୁଡିକୁ ୧ ଟ୍ରିଲିଅନ (ଲକ୍ଷ କୋଟି) ଡଲାର ଋଣ ସହାୟତା ଯୋଗାଇ ଦେବା ପାଇଁ ଅନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ଘୋଷଣା କରିଛି। ଇତିମଧ୍ୟରେ ପ୍ରାୟ ନବେଟି ଦେଶ ଏଥିପାଇଁ ଆବେଦନ ବି କରି ସାରିଲେଣି। ସଙ୍କଟର ମୁକାବିଲା କରିବା ପାଇଁ ଏହି ରାଶି ତୁରନ୍ତ ଉପଲବ୍ଧ କରାଇ ଦିଆ ଯାଉଥିବାରୁ ଏହାର ଉପଯୋଗକୁ ନେଇ ଅଧିକ ସର୍ତ ରଖା ଯାଇନାହିଁ। ଏହାର ସୁଯୋଗ ନେଇ ବିଭିନ୍ନ ଦେଶରେ ଅସାଧୁ ରାଜନେତା ଓ ସରକାରୀ କର୍ମଚାରୀମାନେ ଭ୍ରଷ୍ଟାଚାରରେ ଲିପ୍ତ ହୋଇ ଏହି ଅର୍ଥକୁ ଆତ୍ମସାତ କରିବାକୁ ପଛାଇବେ ନାହିଁ। ଅନ୍ୟ ପକ୍ଷରେ ଏହି ରାଶିର ଉପଯୁକ୍ତ ବିନିଯୋଗ ଉପରେ ଅନେକ ଗରିବ ଲୋକଙ୍କ ଜୀବନ ଓ ଜୀବିକା ନିର୍ଭର କରୁଥିବାରୁ ଭ୍ରଷ୍ଟାଚାରକୁ ରୋକିବା ମଧ୍ୟ ଆଇଏମଏଫ ଓ ଅନ୍ୟ ଅର୍ଥ ପ୍ରଦାନକାରୀ ସଂସ୍ଥାଙ୍କର ଲକ୍ଷ୍ୟ ହେବା ଉଚିତ। ଏଥି ନେଇ ‘ଟ୍ରାନସପରେନସି ଇଣ୍ଟରନ୍ୟାସନାଲ’, ‘ହ୍ୟୁମାନ ରାଇଟସ ଓାଚ’ ଓ ‘ଗ୍ଲୋବାଲ ଉଇଟନେସ’ ଆଦି ସଂସ୍ଥାମାନେ ମିଳିତ ଭାବେ ଆଇଏମଏଫର ଦୃଷ୍ଟି ଆକର୍ଷଣ କରିବା ପରେ ଆଇଏମଏଫ ତରଫରୁ ସମ୍ପୃକ୍ତ ଦେଶଗୁଡିକୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ରହିଛି, “ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଅଣଦେଖା ହେବା ଆମେ କୌଣସି ମତେ ଗ୍ରହଣ କରି ପାରିବୁ ନାହିଁ।”

ମହାମାରୀ ଓ ବିପର୍ଯ୍ୟୟ ପରିଚାଳନାରେ ନିଷ୍ପତ୍ତି ଗ୍ରହଣ କରିବା ଓ ତାହା କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା ପ୍ରଦର୍ଶନ କରିବା ଯେତିକି ଆବଶ୍ୟକ, ପରିଚାଳନାରେ ସ୍ୱଚ୍ଛତା ରକ୍ଷା କରିବା ମଧ୍ୟ ଠିକ ସେତିକି ଆବଶ୍ୟକ। ସରକାର ମଧ୍ୟ ପରିଚାଳନାରେ ସ୍ୱଚ୍ଛତା ରକ୍ଷା ଉପରେ ଗୁରୁତ୍ୱ ଦେଇଥାନ୍ତି। ତେବେ ସରକାରଙ୍କ ଅନୁସୃତ ସ୍ୱଚ୍ଛତାକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ତାହା କେବଳ ପ୍ରକ୍ରିୟାଗତ ସ୍ୱଚ୍ଛତା, ଯେମିତି ଆସନ୍ତା କାଲି ଅଡିଟ ହେଲେ ସବୁ କିଛି ବୁଝାଇ ଦେଇ ହେଉଥିବ। ପରିଚାଳନାରେ ସ୍ୱଚ୍ଛତା କେବଳ ପ୍ରକ୍ରିୟାଗତ ସ୍ୱଚ୍ଛତା ମଧ୍ୟରେ ସୀମିତ ରହିବା ଅନୁଚିତ। ବିପର୍ଯ୍ୟୟ ପରିଚାଳନା ସମୟରେ ସରକାର ନେଉଥିବା ପ୍ରତିଟି ନିଷ୍ପତ୍ତି ଜରୁରୀକାଳୀନ ଭିତ୍ତିରେ ଆକସ୍ମିକ ଭାବେ ନେବାକୁ ପଡ଼ିଥାଏ। ତେବେ ନିଷ୍ପତ୍ତି ଗ୍ରହଣ ଓ ତାହା କାର୍ଯ୍ୟକାରୀ ହେବା ପରେ ତୁରନ୍ତ ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇ ଦିଆଗଲେ, ତାହା ଜନସାଧାରଣଙ୍କ ଜ୍ଞାତସାରକୁ ଆସିବା ସହ ସେମାନଙ୍କ ସୂକ୍ଷ୍ମ ସମୀକ୍ଷା ପ୍ରକ୍ରିୟାରେ ଉତୀର୍ଣ୍ଣ ହୋଇ ପରିଚାଳନାଗତ ସ୍ୱଚ୍ଛତା ସୁନିଶ୍ଚିତ କରି ହୋଇଥାଏ।

ସରକାରୀ କିଣାକିଣିରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରି ସେଗୁଡ଼ିକୁ ଗୁପ୍ତ ଚୁକ୍ତି (ହିଡନ କଂଟ୍ରାକ୍ଟ), ମୂଲ୍ୟବୃଦ୍ଧି (ଓଭରପ୍ରାଇସିଂ), ସଲାସୁତୁରା (କଲ୍ୟୁଜନ) ଆଦି ବିପଦରୁ ମୁକ୍ତ ରଖିବା ପାଇଁ ସରକାରମାନେ ନିମ୍ନ କେତୋଟି ଦିଗ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଚିତ ବୋଲି ଟ୍ରାନ୍ସପରେନସି ଇଣ୍ଟରନ୍ୟାସନାଲଙ୍କ ମତ।

(୧) ସମସ୍ତ ସରକାରୀ ଚୁକ୍ତି ଜନସାଧାରଣଙ୍କ ନିକଟରେ ପ୍ରକାଶ କରିବା ଦରକାର। (୨) କେବଳ ଖୋଲା ଓ ପ୍ରତିଯୋଗିତାମୂଳକ ବିଡ୍ ମାଧ୍ୟମରେ କିଣାକିଣି ହେବା ସହ ଯଥାସମ୍ଭବ ଜରୁରୀକାଳୀନ ଓ ଅଣ-ପ୍ରତିଯୋଗିତାମୂଳକ କିଣାକିଣିକୁ କମ୍ କରିବା ଉଚିତ। (୩) ଚୁକ୍ତିରେ ଲାଭାନ୍ୱିତ ହେଉଥିବା କମ୍ପାନୀଗୁଡିକର ନାମ ଓ ସେଗୁଡିକର ମାଲିକଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶିତ ହେବା ଉଚିତ। ସରକାରଙ୍କ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସଂଶ୍ଳିଷ୍ଟ ରାଜନେତା ବା ସରକାରୀ କର୍ମଚାରୀ ଏ ଭଳି ଚୁକ୍ତିର ଲାଭାର୍ଥୀ ହେବା ଅନୁଚିତ। (୪) ବଜାର ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖି ସଲାସୁତୁରା ଓ ମୂଲ୍ୟବୃଦ୍ଧିର ବିପଦକୁ ଏଡାଇବାରେ ସକ୍ଷମ ହେବା ପାଇଁ ସମ୍ପୃକ୍ତ ନିୟନ୍ତ୍ରକମାନଙ୍କୁ ଅଧିକ ଶକ୍ତିସମ୍ପନ୍ନ କରିବା ଆବଶ୍ୟକ।

ଏହି ସଙ୍କଟ ସମୟରେ ସମସ୍ତେ ଏକଜୁଟ ହୋଇ କରୋନାର ମୁକାବିଲା କରିବା ଆବଶ୍ୟକ ବୋଲି ଏକ ବଖାଣ ଉପସ୍ଥାପନ ହୋଇ ଚାଲିଛି, ଯାହା ନିରାଟ ସତ ଓ ଏଥିରେ କିଛି ଭୁଲ ନାହିଁ। ତେବେ ଏକତା ପ୍ରଦର୍ଶନର ଅର୍ଥ ନୁହେଁ ପ୍ରଶ୍ନ ନ ପଚାରିବା। ‘ଏ ଭଳି ଦୁର୍ବିପାକ ବିରୋଧରେ ଲଢେଇ ଜାରି ଥିବା ବେଳେ ପ୍ରଶ୍ନ ପଚାରିବା ଅନୁଚିତ, କାରଣ ତାହା ଅନେକଙ୍କ ମନୋବଳକୁ ଭାଙ୍ଗିଥାଏ ଓ ତାହା ପରେ କରା ଯାଇପାରିବ’ ବୋଲି କେହି କେହି ମତ ବ୍ୟକ୍ତ କରୁଛନ୍ତି। ତେବେ ଏ ସଂକ୍ରାନ୍ତରେ ଟ୍ରାନ୍ସପରେନସି ଇଣ୍ଟରନ୍ୟାସନାଲଙ୍କ ମତ ହେଉଛି, “ଏହି ଅତ୍ୟଧିକ ସଙ୍କଟ ସମୟରେ ସ୍ୱଚ୍ଛତା ଓ ସତ୍ୟତା ସର୍ବାଧିକ ଆବଶ୍ୟକ, କାରଣ ଏହାର ଅପବ୍ୟବହାରରେ ଅନେକଙ୍କ ଜୀବନ ହାନି ହୋଇପାରେ।” ଅସାଧୁ ବ୍ୟକ୍ତିମାନେ ଏ ଭଳି ସୁଯୋଗକୁ ଉଣ୍ଡି କ୍ଷମତା ଓ ପହଂଚର ଅପବ୍ୟବହାର କରୁଥିବାରୁ ଜନସ୍ୱାର୍ଥର ସୁରକ୍ଷା ପାଇଁ ଏ ଭଳି ଅପବ୍ୟବହାର ବିରୁଦ୍ଧରେ ତତ୍କାଳ ସ୍ୱର ଉତୋଳନ କରିବା ଓ ପ୍ରଶ୍ନ ପଚାରିବା ଆବଶ୍ୟକ, କାରଣ ତଦ୍ଦ୍ୱାରା ସେ ଭଳି ଅସାଧୁଙ୍କ ମନୋବଳ ଭାଙ୍ଗି ସମ୍ଭାବ୍ୟ ଭ୍ରଷ୍ଟାଚାର ଉପରେ ଅଙ୍କୁଶ ଲଗା ଯାଇପାରିବ। ଅନ୍ୟ ପକ୍ଷରେ ସେହି ପ୍ରଶ୍ନ ପରେ ପଚରାଗଲେ ତାହା ଏକ ଶବ ବ୍ୟବଚ୍ଛେଦୀୟ ପ୍ରକ୍ରିୟା ଭିନ୍ନ ଅନ୍ୟ କିଛି ହୋଇ ନଥାଏ। ଏହି ବିପତ୍ତିକୁ ମୁକାବିଲା କରିବା ପାଇଁ ଉପଲବ୍ଧ ସ୍ୱଳ୍ପ ସମ୍ୱଳରୁ ଅଳ୍ପ କିଛି ବି ଯଦି କ୍ଷମତାସମ୍ପନ୍ନଙ୍କ ଦ୍ୱାରା ଆତ୍ମସାତ ହୋଇଯାଏ, ତେବେ ତାହାର ଫଳାଫଳ ହେବ କିଛି ଲୋକଙ୍କ ପାଇଁ ଜୀବନ ବଦଳରେ ମୃତ୍ୟୁ ଓ ଖାଦ୍ୟ ବଦଳରେ କ୍ଷୁଧା। ତେଣୁ ସରକାର ବିପର୍ଯ୍ୟୟ ମୁକାବିଲାରେ ସ୍ୱଚ୍ଛତା ପାଇଁ ‘ଯେତିକି ଦରକାର ଜନତାଙ୍କୁ ସେତିକି ତଥ୍ୟ ଯୋଗାଇ ଦେବା’ର ମାନସିକତାରୁ ଓହରି ଅଧିକରୁ ଅଧିକ ତଥ୍ୟ, ବିଶେଷ କରି କିଣାକିଣି, ବିଭିନ୍ନ ଚୁକ୍ତିର ସର୍ତାବଳୀ ଆଦି, ସର୍ବସାଧାରଣଙ୍କ ଗୋଚରାର୍ଥେ ସାଧାରଣ କ୍ଷେତ୍ରରେ ଉପଲବ୍ଧ କରାଇବା ଆବଶ୍ୟକ। ସରକାରୀ ତଥ୍ୟକୁ ବ୍ୟବହାର କରି ପର୍ତୁଗାଲରେ ଏପରି ଏକ ଅନଲାଇନ ମଂଚ (ପ୍ଲାଟଫର୍ମ) ପ୍ରସ୍ତୁତ କରାଯାଇଛି ଯାହାକୁ ବ୍ୟବହାର କରି ସାମ୍ୱାଦିକ, ନାଗରିକ ସମାଜ ଏପରିକି ସାଧାରଣ ଲୋକେ ସରକାର କରୋନା ପାଇଁ କରୁଥିବା ପ୍ରତିଟି ବ୍ୟୟ କରିବା ମାତ୍ରେ (ରିଏଲ ଟାଇମରେ) ଜାଣି ପାରୁଛନ୍ତି, ଯାହା ପରିଚାଳନାଗତ ସ୍ୱଚ୍ଛତାକୁ ସୁନିଶ୍ଚିତ କରୁଛି। ତେଣୁ ସାଧାରଣ ଲୋକେ, ବିଶେଷ କରି ସୂଚନା କର୍ମୀଙ୍କ ଭଳି ହୁଇସିଲ ବ୍ଲୋଅରମାନେ, କାଳ ବିଳମ୍ୱ ନ କରି ଉପରୁ ତଳ ସ୍ତରଯାଏଁ ମହାମାରୀ ଓ ବିପର୍ଯ୍ୟୟ ପରିଚାଳନାରେ ହେଉଥିବା ପରିଚାଳନାଗତ ବିସଙ୍ଗତି ଓ ଦୁର୍ନୀତି ସମ୍ପର୍କରେ ଅଧିକରୁ ଅଧିକ ପ୍ରଶ୍ନ ଉତ୍ଥାପନ କଲେ ସେଥିରେ ସ୍ୱଚ୍ଛତା ଆସିବା ସହ ସମ୍ଭାବ୍ୟ ଭ୍ରଷ୍ଟାଚାର ଉପରେ ରୋକ ଲାଗି ପାରିବ। ତା’ ଛଡ଼ା ଏ ଭଳି ଭ୍ରଷ୍ଟାଚାରରେ କେବଳ ଯେ ଅର୍ଥହାନି ହୋଇଥାଏ ତା’ ନୁହେଁ, ବରଂ ନିମ୍ନମାନର ଉପକରଣ ଯୋଗାଣ ମାଧ୍ୟମରେ ଜୀବନ ହାନି ବା ଜୀବନ ବିପନ୍ନ ହେବାର ଆଶଙ୍କା ମଧ୍ୟ ଦେଖା ଦେଇଥାଏ। ଶରୀର ଭିତରକୁ କରୋନା ଭୂତାଣୁର ପ୍ରବେଶକୁ ରୋକିବା ପାଇଁ ମୁହଁରେ ତୁଣ୍ଡି ବାନ୍ଧିବା ଅନିବାର୍ଯ୍ୟ ହୋଇପାରେ, ତେବେ ବ୍ୟବସ୍ଥା ଭିତରକୁ ପ୍ରବେଶ କରୁଥିବା କରୋନା-ଭ୍ରଷ୍ଟାଚାରକୁ ପ୍ରତିହତ କରିବାକୁ ହେଲେ ଆଉ ମୁହଁରେ ତୁଣ୍ଡି ବାନ୍ଧି ବସି ରହିଲେ ଚଳିବ ନାହିଁ। ତୁଣ୍ଡି ଖୋଲିବାକୁ ହେବ। ଗ୍ରହଣ କରିବାକୁୁ ହେବ, କରୋନା ବିରୁଦ୍ଧରେ ଲଢ଼େଇ ସମୟରେ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ଲାଗି ସେମାନେ ନିର୍ବାହ କରିଥିବା ଏଭଳି ପ୍ରତିଟି ଉଦ୍ୟମ କରୋନା ଯୋଦ୍ଧାମାନେ ନିର୍ବାହ କରୁଥିବା ଭୂମିକା ତୁଳନାରେ କିଛି ନ୍ୟୂନ ନୁହେଁ।

ଭୁବନେଶ୍ୱର – ମୋ-୯୪୩୭୦୩୮୦୧୫

ଆହୁରି ପଢ଼ନ୍ତୁ