/odisha-reporter/media/post_attachments/uploads/2020/09/Untitled-1-4.jpg)
unemployment
- ସୂର୍ଯ୍ୟମଣି ମିଶ୍ର
ଭାରତରେ ଏବେ ଯୁବବର୍ଗ ପାଇଁ ବେକାରୀ ହୋଇଛି ବଡ଼ ସମସ୍ୟା। ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ଷ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଇଛି। ଏହାଫଳରେ ପ୍ରତି ଦୁଇଘଣ୍ଟାରେ ୩ ଛାତ୍ର ବେକାର ସମସ୍ୟା ଯୋଗୁଁ ଆତ୍ମହତ୍ୟା କରୁଛନ୍ତି। ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ହେଉଛି ଏହା। ୨୦୧୮ରେ ପ୍ରତିଦିନ ସ୍ୱରୋଜଗାରରେ ଜଡ଼ିତ ୩୬ ଯୁବ ନିଜ ଭବିଷ୍ୟତର ଅନିଶ୍ଚିତତାକୁ ନେଇ ଆତ୍ମହତ୍ୟା କରିଥିଲେ। ଆଜି ୨୦ରୁ ୨୯ ବର୍ଷ ବୟସର ସ୍ନାତକ ବେକାରୀ ହାର ୪୨.୮ ପ୍ରତିଶତରେ ପହଂଚିଛି। ୨୦ରୁ ୪୦ ବର୍ଷ ବୟସର ବେକାରୀ ହାର ୩୭ ପ୍ରତିଶତ। ଟେକ୍ସଟାଇଲ୍, ବ୍ୟାଙ୍କିଙ୍ଗ୍, ଅଳଙ୍କାର, ଅଟୋମୋବାଇଲ୍, ଟେଲିକମ୍ ଏବଂ ଜାହାଜ ଚଳାଚଳ କ୍ଷେତ୍ରରେ କାର୍ଯ୍ୟରତ ୩.୬୪ କୋଟି ଯୁବ ନିଯୁକ୍ତି ହରାଇଛନ୍ତି। କରୋନା ମହାମାରୀ ସମୟରେ କାର୍ଯ୍ୟକାରୀ ହୋଇଥିବା ଲକ୍ଡାଉନ୍ର ପରିଣାମ ଯୋଗୁ ହୁ ହୁ ହୋଇ ବଢିଚାଲିଛି ବେକାରୀ ସଂଖ୍ୟା। କ୍ରମାଗତ ଭାବେ ବଢି ଚାଲିଥିବା ବେକାରୀ ଅବସ୍ଥା କେବଳ ସାମାଜିକ ସଂକଟ ନୁହେଁ, ବରଂ ଏହା ଏକ ପ୍ରମୁଖ ତଥା ବୃହତ୍ ଆର୍ଥିକ ରୋଗ ।
୨୦୨୦ରେ ୪୦ ଲକ୍ଷ ୮୪ ହଜାର ଭାରତୀୟ ଯୁବବର୍ଗଙ୍କ ପାଖରୁ ନିଯୁକ୍ତି ବା ରୋଜଗାର ଚାଲିଯାଇଛି। ସରକାର କିନ୍ତୁ ୫ ଲକ୍ଷ କୋଟି ଡଲାରର ଅର୍ଥନୀତି ଏବଂ ବିଶ୍ୱଗୁରୁ ତଥା ନୂଆ ଭାରତ ନିର୍ମାଣର କଥା ଥରକୁ ଥର ବଖାଣୁଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ସାନ୍ତ୍ୱନା ଦେଉଛନ୍ତି ଆର୍ଥିକ ମାନ୍ଦାବସ୍ଥା ଖୁବଶୀଘ୍ର ଦୂର ହେବ। ଏଣେ କିନ୍ତୁ ଘରବୁଡ଼ି ପାଣି ଆଣ୍ଠୁଏ ହେଲାଣି। କରୋନା ମହାମାରୀର ପ୍ରକୋପରେ ୫୦ ହଜାରରୁ ଅଧିକ ଲୋକଙ୍କର ଜୀବନ ଦୀପ ଲିଭିଯାଇଛି। ଆଉ ଏହି ବିପତ୍ତି ସହ ଯୋଡ଼ି ହୋଇଯାଇଛି ବେକାରୀ ହୋଇଛି ଦ୍ୱିତୀୟ ମହାମାରୀ। ଏହି ପ୍ରସଙ୍ଗ ସଂପର୍କରେ କୌଣସି ବିରୋଧୀ ରାଜନୈତିକ ଦଳ ମତବ୍ୟକ୍ତ କରିନାହାନ୍ତି। ଏହି ତଥ୍ୟ ସୂଚାଇଛି ଏସିଆନ୍ ଡେଭ୍ଲପ୍ମେଣ୍ଟ୍ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନ। ୧୮ ଅଗଷ୍ଟରେ କୋଭିଡ଼୍-୧୯ ମହାମାରୀକୁ ନେଇ ‘ଟେକ୍ଲିଙ୍ଗ୍ ଦ କୋଭିଡ଼୍-୧୯ ୟୁଥ୍ ଏମ୍ପ୍ଲୟମେଣ୍ଟ୍ କ୍ରାଇସେସ୍ ଇନ୍ ଏସିଆ ଆଣ୍ଡ୍ ଦ ପେସିଫିକ୍’ ନାମକ ରିପୋର୍ଟରେ ବେକାରୀ ସମସ୍ୟାକୁ ନେଇ ଏଭଳି ସୂଚନା ଦେଇଛି ଏହି ସଂସ୍ଥା। ଅର୍ଥ ବ୍ୟବସ୍ଥାରେ ମନ୍ଦି ଅଭୁତପୂର୍ବ ଡିପ୍ରେସନ୍, ଆୟ ସହ କ୍ରୟଶକ୍ତିର ହ୍ରାସ, ଆବଶ୍ୟକତା ହ୍ରାସ ସହ ଘରୋଇ ଆବଶ୍ୟକତା ପୂରଣ କରିବାରେ ଲୋକ କିପରି ଦହଗଞ୍ଜ ଜୀବନ ବିତାଉଛନ୍ତି ଏହି ରିପୋର୍ଟ ଉପରେ ଆଖି ପକାଇଲେ ସ୍ପଷ୍ଟ ସୂଚନା ମିଳେ। ଅର୍ଥ ବ୍ୟବସ୍ଥାକୁ ପୁନର୍ଜୀବିତ ଅର୍ଥାତ୍ ରିଭାଇବ୍ କରିବାର ଦାବିକୁ ଯେପରି ସରକାର ପ୍ରୋତ୍ସାହିତ କରିବା କଥା ତାହା ଏଯାଏଁ କରିନାହାନ୍ତି।
ବେକାରୀ ଏକ ବୃହତ୍ ସମସ୍ୟା। ଯାହା ମହାମାରୀର ପୂର୍ବରୁ ଥିଲା ଏବେ ତାହା ଅଧିକ ଭାବେ ବୃଦ୍ଧି ପାଇଛି। ଲକ୍ଡାଉନ୍ ବିପଦ ଭାବେ ଠିଆ ହୋଇଛି। ବୟସ୍କ ବ୍ୟକ୍ତିଙ୍କ ତୁଳନାରେ ଯୁବବର୍ଗ ଅଧିକ କଷ୍ଟକୁ ସାମ୍ନା କରିଛନ୍ତି। ଖୁଚୁରା ବେପାର, ନିର୍ମାଣ ଓ ଖାଦ୍ୟ ସେବା କ୍ଷେତ୍ରରେ ଏଭଳି ବେକାରୀ ସ୍ଥିତି ଅଧିକ ଭାବେ ଦେଖିବାକୁ ମିଳିଛି। ଏଡିବିଆଇଏଲ୍ଓର ରିପୋର୍ଟ ପୃଷ୍ଠା-୨୧, ତାଲିକା-୪ରେ ଭାରତର ରୋଜଗାର ହ୍ରାସ ନେଇ ଯାହା କହିଛି ତାହା ହେଲା, ଲକ୍ଡାଉନ୍ ଭଳି ନିୟନ୍ତ୍ରଣାତ୍ମକ ପଦକ୍ଷେପର ସମୟାବଧିର ଅନୁପାତ। ଲକ୍ଡାଉନ୍ ପରର ୬ ମାସ ମଧ୍ୟରେ ୬୧ ଲକ୍ଷ ଯୁବବର୍ଗ ବେକାର ହେବେ ବୋଲି ଆଶଙ୍କାବ୍ୟକ୍ତ କରିଛି। ଗତ ଜୁନ୍ ମାସ ସୁଦ୍ଧା ୪୧ ଲକ୍ଷ ନିଯୁକ୍ତି ହ୍ରାସ ପାଇଛି । ଲକ୍ଡାଉନ୍ ପୂର୍ବରୁ ଭାରତରେ ଯୁବବେକାର ହାର ୨୩.୩ ପ୍ରତିଶତ ଥିଲା। ୨୦୨୦ ଶେଷ ସୁଦ୍ଧା ଯୁବବେକାର ହାର ୨୯.୫ ପ୍ରତିଶତ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ୬ ମାସର ବେକାରୀ ହାର ୩୨.୫ ପ୍ରତିଶତ ହେବ ବୋଲି ରିପୋର୍ଟରେ କୁହାଯାଇଛି। ବିକାଶ -୪ରେ ସୂଚନା ଦିଆଯାଇଛି ଯେ, ଜିଡ଼ିପି (ମୋଟ ଘରୋଇ ଉତ୍ପାଦ)ର ନକରାତ୍ମକ ବିକାଶ ହାର ୫.୧ ପ୍ରତିଶତ ହେବ। କେତେକ ଘରୋଇ ସଂସ୍ଥା ଆକଳନ କରିଛନ୍ତି ଯେ, ନକରାତ୍ମକ ବିକାଶ ହାର ୧୧ ପ୍ରତିଶତ ହୋଇପାରେ। ଏଥିପାଇଁ ସରକାରଙ୍କର ଦାୟିତ୍ୱ ହେଉଛି ବେତନ ସବ୍ସିଡ଼ ବ୍ୟବସ୍ଥାକୁ କ୍ରିୟାଶୀଳ ଓ ସୁନିଶ୍ଚିତ କରିବା। ସାର୍ବଜନିକ ରୋଜଗାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ, ଶ୍ରମବଜାର ପାଇଁ ନୀତି ନିର୍ଣ୍ଣୟ, ଶିକ୍ଷଣ ବା ପ୍ରଶିକ୍ଷଣ ଉପରେ ପଡ଼ିଥିବା ବାଧାକୁ ହ୍ରାସ, ରୋଜଗାର ସେବା ପ୍ରଦାନ, ଆପ୍ରେଣ୍ଟିସ୍ କାର୍ଯ୍ୟକ୍ରମର ପ୍ରସାର, କୌଶଳ ବୃଦ୍ଧି, ପୂର୍ଣ୍ଣ କୌଶଳ ବିକାଶକୁ ଆଗକୁ ବଢାଇବାକୁ ହେବ।
ଦେଶରେ ଆଜି ଦିନରେ ୪୨୪.୪ ଲକ୍ଷ ଯୁବବର୍ଗ ନିଯୁକ୍ତି ଖୋଜୁଛନ୍ତି। କିନ୍ତୁ ନିଯୁକ୍ତି ପାଇଛନ୍ତି ମାତ୍ର ୯୯୭ ଜଣ। ଏହା ହେଉଛି କରୋନା ମହାମାରୀର ଅବଧି ସମୟରେ ବେକାରୀ ସମସ୍ୟାର ଚିତ୍ର। କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ମନ୍ତ୍ରଣାଳୟ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ‘ଆତ୍ମନିର୍ଭର ସ୍କିଲ୍ଡ ଏମ୍ପ୍ଲୟର ଏମ୍ପ୍ଲୟସ୍ର ମ୍ୟାପିଙ୍ଗ ପୋର୍ଟାଲର ସୂଚନା ଅନୁଯାୟୀ ୪୦ ଦିନରେ ୬୯ ଲକ୍ଷ ଲୋକ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି। ୧୧ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ଏହି ପୋର୍ଟାଲର ଶୁଭାରମ୍ଭ କରିଥିଲେ। ପୋର୍ଟାଲର ସୂଚନା ଅନୁଯାୟୀ ୬୯ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ କାମ ପାଇଛନ୍ତି ୭୭୦୦୯। ଅର୍ଥାତ୍ ୦୧ ପ୍ରତିଶତଙ୍କୁ ମିଳିଛି କାମ। ଅନ୍ୟ ଅର୍ଥରେ ୧୦୦ରେ ଜଣକୁ ମିଳିଛି ନିଯୁକ୍ତି। ୫୧୪ କମ୍ପାନୀ ମଧ୍ୟରୁ ୪୪୩ କମ୍ପାନୀ ୨.୯୨ ଲକ୍ଷଙ୍କୁ ନିଯୁକ୍ତି ଦେବା ପାଇଁ ସୂଚନା ଦେଇଥିବାବେଳେ ୧୪ରୁ ୨୧ ଅଗଷ୍ଟ ମଧ୍ୟରେ ୭ ଲକ୍ଷ ବେକାର ପଞ୍ଜିକୃତ ହୋଇଛନ୍ତି, ୬୯୧ ଜଣଙ୍କୁ ମିଳିଛି କାମ।
ଏବେ ଚିନ୍ତା କରିବାର ସମୟ। କରୋନା ମହାମାରୀ ଯେଭଳି ଏକ ରୋଗ ଭାବେ ଚିନ୍ତା ବଢାଇଛି ଠିକ୍ ସେହିପରି ବେକାରୀ ଦ୍ୱିତୀୟ ମହାମାରୀ ରୂପେ ଉଭା ହୋଇଛି। ସରକାର ଏ ସଂପର୍କରେ ସମୀକ୍ଷା କରିବା ସହ ଏହି ଦୁଇଟି ରୋଗର ନିରାକରଣ ଦିଗରେ ଏକ ଜନବାଦୀ ଅର୍ଥନୀତିକୁ ଆପଣେଇବାକୁ ହେବ ନତୁବା ବେକାରୀ ଭଳି ରୋଗ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ। ସେ ଓଡ଼ିଶା ହେଉ ଅବା ଭାରତର ଅନ୍ୟ ସମସ୍ତ ରାଜ୍ୟ। ସବୁଠି ଏହି ବେକାରୀ ରୋଗ ଭୟଙ୍କର ରୂପ ନେଇଛି, ଯାହା ଜୀବନ ଜୀବିକା ପାଇଁ ସୃଷ୍ଟି କରିଛି ବିପଦ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଦୂରଭାଷ: ୯୪୩୮୦୦୬୨୧୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
