/odisha-reporter/media/post_attachments/uploads/2021/04/forest.jpg)
forest
ସୁଧାଂଶୁ ରଞ୍ଜନ ଦାସ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ମନ୍ତ୍ରୀମାନଙ୍କର ବିଗତ ଦୁଇ ବର୍ଷର କାମକୁ ମଇ ୧୫ରୁ ୨୫ ଭିତରେ ସମୀକ୍ଷା କରିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମଇ ୨୯ରେ ପ୍ରତିଶୃତି ପାଳନର ହିସାବ ଓଡିଶାବାସୀଙ୍କୁ ଦେବେ ବୋଲି ଘୋଷଣା କରିଛନ୍ତି। ଅନେକ ମନ୍ତ୍ରୀ ଏହି ସମୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିସାରିଲେଣି ବୋଲି କହୁଛନ୍ତି। ଏହି ସମୀକ୍ଷା ସମସ୍ତ କ୍ଷେତ୍ରରେ କାମ କରୁଥିବା ମନ୍ତ୍ରୀମାନଙ୍କ କର୍ମକୁଶଳତା ବିଷୟରେ ଉଠିଥିବା ସମସ୍ତ ପ୍ରଶ୍ନର ଉତ୍ତର ସରକାର ଜନସାଧାରଣକୁ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଦକ୍ଷ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଭାରତର ଅନେକ ରାଜ୍ୟର ପରିଚିତ। ଇଂରାଜୀ କହିବା ଓ ଲେଖିବା ଉପରେ ତାଙ୍କର ଦଖଲ ଥିବା ହେତୁ ସେ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଅପେକ୍ଷା ନିଜର ଚିନ୍ତାଧାରାକୁ ବେଶୀ ସୁନ୍ଦର ଭାବରେ ଓ ସଂକ୍ଷେପରେ କହିପାରନ୍ତି। ଦେଶର ଅନ୍ୟ ନେତାଙ୍କ ଭଳି ସେ ଶରୀରକୁ ସଜାଇ ନିଜକୁ କ୍ୟାମେରା ଉପଯୋଗୀ କରିବାପାଇଁ ମୂଲ୍ୟବାନ ସମୟ ଓ ଅର୍ଥ ନଷ୍ଟ କରିନଥାନ୍ତି। ଆଜି ନବୀନ ପଟ୍ଟନାୟକଙ୍କ ସାଧାରଣ କୁର୍ତ୍ତା ପାଇଜାମା ତାଙ୍କୁ ସାରା ଦେଶରେ ଲୋକପ୍ରିୟ କରିପାରିଛି। କେତୋଟି ସାମାନ୍ୟ ଉପାୟ ଅବଲୋକନ କଲେ ମୁଖ୍ୟମନ୍ତ୍ରୀଙ୍କର ଏହି ସମୀକ୍ଷା କାର୍ଯ୍ୟକ୍ରମ ଓଡ଼ିଶାବାସୀଙ୍କ ଜୀବନମାନରେ ପରିବର୍ତ୍ତନ ଆଣିପାରିବ।
ସମୀକ୍ଷା ପାଇଁ ସରକାର ପ୍ରଥମେ ବିଭିନ୍ନ ସାମାଜିକ ଓ ମୁଖ୍ୟ ଆର୍ଥିକ ସେକ୍ଟରର ସ୍ଥିତିର ପ୍ରକୃତ ଚିତ୍ର ନିଜ ପାଖରେ ରଖିବା ଦରକାର। ରାଜ୍ୟରେ ଥିବା ସମସ୍ତ ନଦୀ, ହ୍ରଦ, ପୋଖରୀ, କେନାଲ, କୂଅ, ଭୂମି ଉପର ଓ ଭୂତଳ ଜଳ ସ୍ତରର ଏକ ଚିତ୍ର ସରକାର ସଂଗ୍ରହ କଲେ ଏହା ମୂଲ୍ୟାୟନରେ ସାହାଯ୍ୟ କରିବ। ଜଳ ସମ୍ପଦର ଆକଳନ ସାଟେଲାଇଟ ଚିତ୍ରର ସହାୟତାରେ ହେଲେ ଏହା ଆଗକୁ ଜଳ ବିକାଶ ଯୋଜନା ତିଆରି କରିବାରେ ସାହାଯ୍ୟ କରିବ। ବିଗତ ୩୦ ବର୍ଷ ଭିତରେ କଟକର ଦୁଇ ପାର୍ଶ୍ୱରେ ଥିବା ମହାନଦୀ ଓ କାଠଯୋଡ଼ି ନଦୀ ଶୁଖିଯିବାରୁ କଟକ ନଗରର ପ୍ରାୟ ୧୦୦୦୦ ମତ୍ସ୍ୟଜୀବୀ ବେରୋଜଗାର ହୋଇଛନ୍ତି। ଜଳ ସ୍ତରର ବିଲୁପ୍ତି ଯୋଗୁଁ ରାଜ୍ୟରେ ପାନୀୟ ଜଳର ଉତ୍କଟ ଅଭାବ ହେବା ସଂଗେ ସଂଗେ ବେରୋଜଗାର ମଧ୍ୟ ସୃଷ୍ଟି ହୋଇଛି। ଏହାର ଏକ ସମ୍ପୂର୍ଣ ଚିତ୍ର ତିଆରି ହେଲେ ଏହା ଭବିଷ୍ୟତରେ ଜଳଧନ ଓ ବେରୋଜଗାରକୁ ନିୟନ୍ତ୍ରଣ କରିବ। କେତୋଟି ଜଳାଶୟ ଶୁଖିଯାଇଛି ଓ କେତୋଟି ଜଳାଶୟ ଜବର ଦଖଲ ହୋଇଛି ଏହାର ସମ୍ପୂର୍ଣ ବିବରଣୀ ସାଟେଲାଇଟ ଚିତ୍ର ମାଧ୍ୟମରେ ଉପଲବ୍ଧି ହୋଇପାରିବ। ରାଜ୍ୟରେ ପ୍ରବାହିତ ନଦୀଗୁଡ଼ିକର ଲମ୍ବା, ଚୌଡ଼ା ଓ ଏହାର ଫ୍ଲଡପ୍ଲେନର ଆକାର, ନଦୀଗୁଡ଼ିକର ଜଳ ଧାରଣ କରିବା ଶକ୍ତି ଓ ନଦୀଗୁଡିକ ଉପରେ ନିର୍ଭର କରୁଥିବା ଆର୍ଥିକ ଗତିବିଧିଗୁଡ଼ିକୁ ପଞ୍ଜିକରଣ କରିବାର ଆବଶ୍ୟକତା ଅଛି।
ଜଳସ୍ତର ଭଳି କୃଷି କ୍ଷେତ୍ରରେ ମଧ୍ୟ ପ୍ରତ୍ୟେକ ଜିଲ୍ଲାରେ କେଉଁ ଶସ୍ୟଗୁଡ଼ିକ ଲୋପ ପାଇଯିବାକୁ ବସିଲାଣି ତାହାର ଏକ ଚିଠା ପ୍ରସ୍ତୁତ କରିବା ନିତ୍ୟାନ୍ତ ଆବଶ୍ୟକ। ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶା ତାହାର ଫସଲ ବିବିଧତାକୁ ହରାଇନାହିଁ। ଏବେ ବି ଓଡ଼ିଶାରେ ପ୍ରଧାନ ଫସଲଗୁଡ଼ିକୁ ଛାଡ଼ି ଖାଦ୍ୟ ଉପଯୋଗୀ ଅନେକ ଶାଗ, ଚେର, ମୂଳ, ପତ୍ର ଓ ଫୁଲ ଇତ୍ୟାଦି ପ୍ରଚୁର ପରିମାଣରେ ମିଳିଥାଏ। ଅନ୍ୟାନ୍ୟ ଫସଲଗୁଡିକର ପଞ୍ଜିକରଣ କରାଯାଇ ଏହାର ସୁରକ୍ଷା କଲେ ଏହା ଓଡ଼ିଶାରେ କେବେବି ଖାଦ୍ୟାଭାବ ସୃଷ୍ଟି କରିବ ନାହିଁ। ବିଶେଷକରି ଆଦିବାସୀ ଜିଲ୍ଲାଗୁଡିକରେ ହେଉଥିବା ବିଶେଷ ପ୍ରକାରରର ଦେଶୀ ଫସଲଗୁଡିକ ଯଥା ଦେଶୀ ମୁଗ, ବିରି, କୋଳଥ, ଛତୁ, ଆମ୍ବ, ପଣସ, ସପୁରି, କଦଳୀ, ଆତ ଇତ୍ୟାଦି ଓ ଜଙ୍ଗଲ ଜାତ ଦ୍ରବ୍ୟ ଯଥା ବିଶେଷ ପ୍ରକାରର ମହୁ ଓ ଖାଦ୍ୟ ଉପଯୋଗୀ ଫୁଲ, ଫଳ ଓ ପତ୍ରର ଏକ ତଥ୍ୟ ପୁଞ୍ଜି ତିଆରି କରାଗଲେ ଏହା ଓଡ଼ିଶାର ଆଦିବାସୀ ଅର୍ଥନୀତିକୁ ସାହାଯ୍ୟ କରିବ।
ସ୍ୱାବଲମ୍ବୀ ଆଦିବାସୀ ଅର୍ଥନୀତିକୁ ବୁଝି ଏହାର ବିକାଶ କଲେ ଅନେକ ଆଦିବାସୀ ଯୁବକ ମାଓବାଦୀମାନଙ୍କ କବଳରୁ ନିଜକୁ ମୁକ୍ତ କକରିପାରିବେ। ଓଡିଶା ଜଙ୍ଗଲର ଅର୍ଥନୀତି ଅତି ଉଚ୍ଚ କୋଟିର ହସ୍ତଶିଳ୍ପ, କୃଷି, ଜଙ୍ଗଲଜାତ ଦ୍ରବ୍ୟ, ପର୍ଯ୍ୟଟନ, ଆଦିବାସୀ ସଂଗୀତ ଓ ନୃତ୍ୟ ପରମ୍ପରା ଇତ୍ୟାଦି ଉପରେ ଆଧାରିତ। ଲୋଭ ବିକାର ଶୂନ୍ୟ ଏହି ଆଦିବାସୀମାନେ ଜଙ୍ଗଲ ଉପରେ ନିର୍ଭର କରି ସହରୀ ଶିକ୍ଷିତ ଲୋକଙ୍କଠାରୁ ଅଧିକ ସୁସ୍ଥ ଓ ଆନନ୍ଦରେ ଜୀବନ କଟାଇ ଥାଆନ୍ତି। ଓଡ଼ିଶାରେ ଥିବା ପ୍ରତ୍ୟେକ ଆଦିବାସୀ ବହୁଳ ଜିଲ୍ଲାଗୁଡିକରେ ଥିବା ସୂକ୍ଷ୍ମ ଆର୍ଥିକ ଗତିବିଧିଗୁଡିକୁ ପ୍ରକୃତ ସର୍ବେକ୍ଷଣକାରୀଙ୍କ ଦ୍ୱାରା ପଞ୍ଜିକରଣ କରାଗଲେ ଏହା ଆଦିବାସୀ ଜିଲ୍ଲାଗୁଡିକରେ ରୋଜଗାରର ମଞ୍ଜି ବୁଣିପାରିବ। ଗରିବୀ ଓ ବେରୋଜଗାରୀର ରାଜନୀତିକରଣ, କେତେକ ଅସାଧୁ ବ୍ୟବସାୟୀଙ୍କ କାର୍ଯ୍ୟକଳାପ ଓ କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପ୍ରକୋପ ସକାଶେ ନିରୀହ ଆଦିବାସୀମାନେ ମାଓବାଦୀମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଜକୁ ଓ ନିଜ ପରିବାରକୁ ଅନ୍ଧକାର ଭିତରକୁ ଠେଲି ଦେଇଥାନ୍ତି ବୋଲି କେତେକ ବୁଦ୍ଧିଜୀବୀ ମତ ଦେଇଥାନ୍ତି।
ଆଦିବାସୀ ଯୁବପିଢ଼ିକୁ ସରକାର ମାଓବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ପ୍ରଥମେ ଏହି ଆଦିବାସୀ ଜିଲ୍ଲାଗୁଡିକରେ ଦକ୍ଷ, ସଚ୍ଚୋଟ ଓ କର୍ମଠ ଅଧିକାରୀଙ୍କୁ ନିୟୋଜିତ କରିବା ଦରକାର। ମୁଖ୍ୟମନ୍ତ୍ରୀଙ୍କର ଏହି ସମୀକ୍ଷା ବୈଠକ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକର ଆଦିବାସୀ ଉପଯୋଗୀ ବିକାଶ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଆଦିବାସୀ ଜିଲ୍ଲାଗୁଡିକରେ ଯେକୌଣସି ଉଦ୍ୟୋଗ ଆରମ୍ଭ କରିବା ପୂର୍ବରୁ ଏହାର ସୁପରିଣାମ ଓ କୁପରିଣାମ ଉପରେ ଦଶଥର ଚିନ୍ତା କରିବା ଉଚିତ। ଉଦ୍ୟୋଗ ଗୁଡିକୁ ଅନୁମତି ଦେବା ପୂର୍ବରୁ ପ୍ରାକୃତିକ ପରିବେଶ ଓ ଆଦିବାସୀମାନଙ୍କର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଗତିବିଧିଗୁଡିକର ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ। ଉତ୍କଳୀୟ ଲୋକକଳା, ଅର୍ଥନୀତି, ସାମାଜିକ ଓ ଖେଳକୁଦ ପରମ୍ପରାକୁ ଆଦିବାସୀମାନଙ୍କର ଅବଦାନ ଅତୁଳନୀୟ।
ଓଡ଼ିଶାର ସାମୂହିକ ବିକାଶ ପାଇଁ ମୂଲ୍ୟଯୋଗ କରୁଥିବା ଶିଳ୍ପ, ପର୍ଯ୍ୟଟନ, ତୀର୍ଥ ପର୍ଯ୍ୟଟନ, ବନ୍ୟଜୀବନ ଦର୍ଶନ, ହସ୍ତଶିଳ୍ପ, ହସ୍ତତନ୍ତ, ଫଳଚାଷ, ବିଶେଷ କୃଷିଜାତ ଦ୍ରବ୍ୟ ଓ ଆୟୁର୍ବେଦ ଇତ୍ୟାଦିର ବିକାଶ ନିହାତି ଦରକାର। ବିଶ୍ୱର ଯେକୌଣସି ଅର୍ଥନୈତିକ ମଡ଼େଲ ସମସ୍ତଙ୍କୁ କର୍ପୋରେଟ ଚାକିରୀ, ସରକାରୀ ଚାକିରୀ କିମ୍ବା ଆଇଟି ଚାକିରୀ ଦେଇ ପାରିବ ନାହିଁ। ତେଣୁ ରାଜ୍ୟର ବିକାଶ ଆର୍ଥିକ ଗତିବିଧିର ବିଭିନ୍ନତାକୁ ଧ୍ୟାନରେ ରଖି କରିବା ଉଚିତ। ସୁନା ଚିହ୍ନିବା ବଣିଆ ଭଳି ଉପଯୁକ୍ତ ଲୋକକୁ କାର୍ଯ୍ୟଭାର ଦେଲେ ସେ ଏହି ସେକ୍ଟରଗୁଡିକୁ ଲାଭବାନ କରିପାରିବ।
ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷାକୁ ଅଧିକ ଫଳପ୍ରଦ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ସଚିବମାନଙ୍କୁ ପ୍ରତ୍ୟେକ ଜିଲ୍ଲାରେ ଥିବା ଚାଷଜମି, ସ୍ୱାସ୍ଥ୍ୟକେନ୍ଦ୍ର, ସ୍କୁଲ, ଅଙ୍ଗନବାଡ଼ି, ରାସ୍ତାର ସ୍ଥିତି, ସବୁଜିମାର ବର୍ତ୍ତମାନ ସ୍ଥିତି, ବେରୋଜଗାରୀ ଯୁବକଙ୍କ ସଂଖ୍ୟା, ହସ୍ତଶିଳ୍ପୀଙ୍କର ବର୍ତ୍ତମାନର ଅବସ୍ଥା, ଫସଲ ବିବିଧତା, ପାନୀୟ ଜଳର ସୁବିଧା, ଗମନାଗମନ ପାଇଁ ପବ୍ଲିକ ପରିବହନର ସୁବିଧା, ଚାଷ ଉପଯୋଗୀ ସୁବିଧା, ପ୍ରକୃତ ଚାଷ କରୁଥିବା ଚାଷୀଙ୍କର ସଂଖ୍ୟା ଓ ବ୍ୟାଙ୍କ ଋଣର ପ୍ରକୃତ ଉପଯୋଗ ଇତ୍ୟାଦି ବିଷୟରେ ତୃଣମୂଳ ସ୍ତରର ତଥ୍ୟ ସଂଗ୍ରହ କରିବାକୁ ଆଦେଶ ଦେଇପାରିବେ।
ଏହି ମୂଲ୍ୟାୟନ ପାଇଁ ଜନସହଯୋଗର ନିତ୍ୟାନ୍ତ ଆବଶ୍ୟକତା ଅଛି। ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଶିକ୍ଷିତ ଭୋଟଦାତା ଯାହାର ନ୍ୟୁନତମ ଯୋଗ୍ୟତା ମାଟ୍ରିକ ପାସ ହୋଇଥିବ ତାକୁ ଅନଲାଇନ ମାଧ୍ୟମରେ ବିକାଶମୂଳକ କାର୍ଯ୍ୟକୁ ମୂଲ୍ୟାୟନ କରିବାକୁ ସୁଯୋଗ ଦେବା ଦରକାର। ଅଶିକ୍ଷିତ ଭୋଟଦାତାଙ୍କୁ ଏହି କାମଦେଲେ ଏହାର ଦୁରୁପଯୋଗ ହେବାର ବହୁତ ସମ୍ଭାବନା ଥାଏ। ସାଧାରଣ ଲୋକେ ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର, ଜଳାଶୟ, ଶିକ୍ଷା କେନ୍ଦ୍ର, ରୋଡ଼, ପୋଲ ଓ ଫସଲ ବିବିଧତା ଇତ୍ୟାଦି ଉପରେ ନିଜର ରାୟ ଦେଇ ସରକାରଙ୍କୁ ଏହି ମୁଲ୍ୟାୟନରେ ସାହାଯ୍ୟ କରିପାରିବେ। ଏହା ଯଦିଓ କଷ୍ଟକର ପ୍ରକ୍ରିୟା କିନ୍ତୁ ରାଜ୍ୟର ବିକାଶ ପାଇଁ ଏହି କଷ୍ଟ ରାସ୍ତା ହିଁ ପ୍ରଯୁଜ୍ୟ। କଷ୍ଟ କଲେ ଇଷ୍ଟ ମିଳେ ମନୋଭାବ ନେଇ ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ରାଜ୍ୟର ସମୃଦ୍ଧି ପାଇଁ କାମ କଲେ ଓଡ଼ିଶା ଆଗାମୀ ଦଶ ବର୍ଷରେ ଭାରତ ପାଇଁ ଏକ ବିକାଶ ମଡେଲରେ ପରିଣତ ହୋଇପାରିବ। ରାଜ୍ୟର ସାମୂହିକ ବିକାଶ ହେଲେ ରାଜ୍ୟରୁ ହଜାର ହଜାର ଶିକ୍ଷିତ ଯୁବକ ଆଉ ରାଜ୍ୟ ଓ ଦେଶ ବାହାରକୁ ରୋଜଗାର ପାଇଁ ଯିବେ ନାହିଁ। ପିଲାମାନେ ରୋଜଗାର କରି ଘରେ ରହିବା ଫଳରେ ଓଡ଼ିଶାର ଅନେକ ଲୋକ ପ୍ରଚୁର ଧନ ଥାଇ ମଧ୍ୟ ବାର୍ଦ୍ଧକ୍ୟ ଜନିତ ଆତ୍ମ ବିଚ୍ଛିନ୍ନତାରୁ ରକ୍ଷା ପାଇବେ।
ହାଇଦ୍ରାବାଦ
ମୋ-୭୭୦୨୩୮୩୮୮୦
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
